ଅନ୍ତର୍ଜାତୀୟ ଖ୍ୟାତି ସ˚ପନ୍ନ ସାମ୍ବାଦିକ ଶ୍ରୀ ରାମ ବାହାଦୁର ରାୟ, ‘‘ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ର (Indira Gandhi National Centre for Arts) ଠାରେ ୨୦୧୬ ମସିହା, ଅପ୍ରେଲ ମାସରେ ବକ୍ତୃତା ଛଳରେ ଏକ ଯୁକ୍ତି ଉପସ୍ଥାପନ କରିଥିଲେ ଯେ ସ୍ବାଧୀନତା ପାଇଁ ଜାତିର ପିତା ମହାତ୍ମା ଗାନ୍ଧୀ ଗାଁ’ରୁ ଗାଁ ବୁଲି ସବୁଠାରେ ପ୍ରତିଶ୍ରୁତି ଦେଇଥିଲେ ଯେ ସ୍ବାଧୀନ ଭାରତର ଲୋକଙ୍କୁ ଗ୍ରାମ ସ୍ବରାଜ ମିଳିବ। ଗ୍ରାମ ସ୍ବରାଜ ଆଦର୍ଶରେ ନିର୍ମିତ ହେବ ସମୃଦ୍ଧ ଭାରତ। କିନ୍ତୁ ବିଡ଼ମ୍ବନା ଯେ, ସ୍ବାଧୀନତା ପ୍ରାପ୍ତିର ୭୩ ବର୍ଷ ପରେ ବି ଗାଁ-ପଞ୍ଚାୟତ ଓ ପୌର ପରିଷଦମାନଙ୍କର ଶାସନ କେନ୍ଦ୍ର ବି ଆଜି ଦିଲ୍ଲୀଠାରେ। ତେଣୁ ବାପୁଜୀ ଜୀବିତ ଥିଲେ ଏ ସମ୍ବିଧାନକୁ ସ˚ଶୋଧନ କରିବା ପାଇଁ ସେ ଡାକରା ଦେଇଥାଆନ୍ତେ।
୧୯୪୬ ମସିହା ଡିସେମ୍ବର ୯ ତାରିଖରେ ଭାରତ ପାଇଁ ଏକ ସମ୍ବିଧାନ ପ୍ରଣୟନ ସକାଶେ ନିଷ୍ପତ୍ତି ନିଆଗଲା, କିନ୍ତୁ ଭାରତରେ ନୁହେଁ, ଲଣ୍ତନଠାରେ। ଏ କଥା ଜାଣିବାକୁ ପାଇ ମହାତ୍ମା ଗାନ୍ଧୀ ସେଇ ଡିସେମ୍ବର ମାସରେ ଘଟଣା ଘଟିବାର କିଛି ଦିନ ପୂର୍ବରୁ ଏହାର ପ୍ରତିବାଦ କରି ଘନଶ୍ୟାମ ବିରଳାଙ୍କ ହାତରେ ଗୋଟିଏ ଚିଠି ସର୍ଦ୍ଦାର ପଟେଲଙ୍କ ପାଖକୁ ପଠାଇଥିଲେ। ଗାନ୍ଧୀଜୀଙ୍କ ଯୁକ୍ତି ଥିଲା ଯେ କ˚ଗ୍ରେସର ମତ ଅନୁସାରେ ନ ହୋଇ ବ୍ରିଟିସ ଯୋଜନା ଅନୁସାରେ ତାହା ସେଠାରେ କରାଗଲେ ପ୍ରଥମେ ସେ ନିଜେ ଓ ପରେ ଭାରତର ଜନଗଣ ତାକୁ ଗ୍ରହଣ କରିବେ ନାହିଁ। କିନ୍ତୁ ସମ୍ବିଧାନ ଲେଖା ହେବା ପୂର୍ବରୁ ତାହାକୁ କିଏ ଲେଖିବେ ସେ କଥା ଲର୍ଡ ଲୁଇ ମାଉଣ୍ଟବାଟେନ ଚିନ୍ତା କରି ସାରିଥିଲେ। ଦ୍ବିତୀୟ ବିଶ୍ବ ଯୁଦ୍ଧୋତ୍ତର ଉପମହାଦେଶର (ଭାରତ) ରାଜନୈତିକ ଓ ସା˚ପ୍ରଦାୟିକ ପରିସ୍ଥିତି ଏପରି ହି˚ସ୍ର ଓ ଉଦଣ୍ତ ଥିଲା ଯେ ବ୍ରିଟିସ ରାଜର ପ୍ରତିନିଧି ଭାବେ ଲର୍ଡ ମାଉଣ୍ଟବାଟେନ ଭାବି ନେଇଥିଲେ ଯେ କେମିତି ଖଣ୍ତିଏ ସମ୍ବିଧାନ ଭାରତୀୟଙ୍କୁ ଧରାଇ ଦେଇ ପକାଇଯିବେ। ସମ୍ବିଧାନର ଚିଠା କରିବା ପାଇଁ ଜଵାହରଲାଲଙ୍କ ଜଣେ କେମ୍ବ୍ରିଜ ସହପାଠୀ ବି.ଏନ୍.ରାମଙ୍କୁ ଡକାଯାଇଥିଲା। ସଠିକ ଭାବେ ତଥା ସପ୍ରମାଣ କୁହାଯାଇ ନ ପାରିଲେ ବି ସେଥିରେ କାଳେ ଜଵାହାରଲାଲଙ୍କ ମୌନ ସହମତି ଥିଲା ବୋଲି ଧାରଣା ରହିଛି। ବି.ଏନ୍.ରାମ ବ୍ରିଟିସ୍ ସରକାରଙ୍କର ଜଣେ ଉଚ୍ଚ ପଦସ୍ଥ ପ୍ରଶାସନିକ ଅଧିକାରୀ ଥିଲେ। ସେ ଅଷ୍ଟ୍ରେଲିଆ, କାନାଡା, ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରିଟେନ୍ ସମ୍ବିଧାନରୁ ଛାଞ୍ଚ ସାଉଁଟି ଆଣି ବାବା ସାହେବ ଆମ୍ବେଦକରଙ୍କ ପାଖରେ ଚିଠା ଆକାରରେ ଉପସ୍ଥାପିତ କରିଥିଲେ। ବ୍ରିଟିସ୍ ସରକାରଙ୍କ ୧୯୩୫ ମସିହା- ଭାରତ-ଶାସନ ଆଇନରୁ ସେଥିରେ ୮୫ ଶତା˚ଶ ସିଧାସଳଖ ଆସିଥିଲା। ବାବା ସାହେବ ଜଣେ ପ୍ରଖ୍ୟାତ ଆଇନଶାସ୍ତ୍ରୀ ଥିବାରୁ ତାଙ୍କୁ ଡ୍ରାଫ୍ଟିଙ୍ଗ କମିଟିର ‘ଚେୟାରପର୍ସନ୍’ କରାଯାଇଥିଲା। ସେ ଚିଠା ସବୁକୁ ଆଇନର ଭାଷା ଓ ବ୍ୟାକରଣ ଦେଇଥିଲେ। ସମ୍ବିଧାନ ପ୍ରଣୟନରେ ସେହି କାରଣରୁ ‘ଡାଇରେକ୍ଟିଭ୍ ପ୍ରିନ୍ସିପ୍ଲସ୍ ଫର୍ ଷ୍ଟେଟ୍ ପଲିସି’ ବ୍ୟତୀତ ସମ୍ବିଧାନର ଅନ୍ୟ ଅ˚ଶରେ ବାବା ସାହେବଙ୍କ ଭୂମିକା ଖୁବ୍ ସୀମିତ ହୋଇ ରହିଲା।
ପୁନଶ୍ଚ ଆମ ସମ୍ବିଧାନ ପ୍ରଣୟନରେ ତତ୍କାଳୀନ ଭାରତର ସବୁ ରାଜନୈତିକ ଦଳର ନେତାମାନଙ୍କ ସହଯୋଗ ମିଳି ନ ଥିଲା। ଆରମ୍ଭରୁ ସମାଜବାଦୀ ଦଳର ନେତାମାନେ ସହଯୋଗ ରଖିନଥିଲେ। କମ୍ୟୁନିଷ୍ଟମାନେ ସ୍ବାଧୀନତା ସ˚ଗ୍ରାମକୁ ବିରୋଧ କରିଥିବା କାରଣରୁ ଜଵାହରଙ୍କ ପ୍ରସ୍ତାବ ଅନୁସାରେ ସମ୍ବିଧାନ ପ୍ରଣୟନ ସଭାରେ ସେମାନଙ୍କର ପ୍ରତିନିଧିତ୍ବ ରହି ନ ଥିଲା। ସମ୍ବିଧାନ ପ୍ରଣୟନ ସଭାରେ କ˚ଗ୍ରେସ ଓ ତାର ଅନୁରକ୍ତଙ୍କ ମଧୢରୁ ୫୫ ଶତ˚ାଶ ସଭ୍ୟ ଥିଲେ। ୧୯୪୭ ମସିହା ଜୁନ୍ ୪ ତାରିଖରେ ମୁସଲିମ୍ ଲିଗ୍ ଗଠିତ ହେଲା ଏବ˚ ସେମାନେ ସମ୍ବିଧାନ ପ୍ରଣୟନ ସଭାଠାରୁ ଅଲଗା ରହିବା ପାଇଁ ନିର୍ଣ୍ଣୟ ନେଲେ।
ଯେତେବେଳେ ବ୍ରିଟିସମାନେ ଆମକୁ ଶାସନ କରୁଥିଲେ, ସେତେବେଳେ ତାଙ୍କ ସାମ୍ରାଜ୍ୟର ୪ ଭାଗରୁ ୩ ଭାଗ ଲୋକେ ଥିଲେ ଭାରତୀୟ। ସେହି ଆଧାରରେ ବିଚାର କଲେ ଜଣାଯିବ ଯେ ସମ୍ଭବତଃ ଭାରତ ଉପମହାଦେଶ ଥିଲା ଏଭଳି ଏକ ରାଷ୍ଟ୍ର ଯିଏ ସାମ୍ରାଜ୍ୟବାଦୀଙ୍କ ଅବିଚାର ପୃଥିବୀର ସବୁ ରାଷ୍ଟ୍ରଙ୍କ ତୁଳନାରେ ଅଧିକ ସହ୍ୟ କରିଥିଲା। ୧୫୦୦ ଖ୍ରୀଷ୍ଟାବ୍ଦରେ ପର୍ତ୍ତୁଗୀଜ୍ମାନେ ଏହି ମାଟିରେ ପ୍ରଥମେ ପାଦ ଥାପିଥିଲେ। ସେମାନଙ୍କ ପରେ ଆସିଲେ ବ୍ରିଟିସ- ଇଷ୍ଟ ଇଣ୍ତିଆ କମ୍ପାନି। ତାଙ୍କ ପରେ ଫରାସୀ-ଇଷ୍ଟ ଇଣ୍ତିଆ କମ୍ପାନି। ଏହିପରି ଭାବରେ ଭାରତ ଥିଲା ପଶ୍ଚିମା ବେପାରୀମାନଙ୍କ ଚରାଭୂଇଁ। ଆମର ପୂର୍ଣ୍ଣ ସ୍ବାଧୀନତା ପର୍ଯ୍ୟନ୍ତ ଆମ ପୂର୍ବ ପୁରୁଷମାନେ ୪୫୦ ବର୍ଷର ଯୁଆଳିରେ ଯୋଚା ହୋଇ ଜୀବନ କଟାଇଥିଲେ। ବଙ୍କା ହୋଇ ଯାଇଥିବା ମେରୁଦଣ୍ତ ସଳଖିଲା ବେଳକୁ ଆସିଲା ଦେଶ ବିଭାଜନ ସମସ୍ୟା। ସମ୍ବିଧାନ ପ୍ରଣୟନ ପାଇଁ ସମ୍ବିଧାନ ସଭା ଗଠନର ଫର୍ମୁଲାକୁ ନେଇ ମତଦ୍ବୈଧ ଘଟିଲା। ପ୍ରାବଧାନ ରହିଥିଲା ଯେ ଗୋଟିଏ ନିୟୁତ ସ˚ଖ୍ୟକ ଜନତା ଜଣକୁ ସମ୍ବିଧାନ ପ୍ରଣୟନ ସଭାକୁ ନିର୍ବାଚିତ କରିବେ। ତାହାକୁ କ୍ୟାବିନେଟ ମିସନ ପ୍ଳାନ୍ ମଞ୍ଜୁରି ଦେଲେ। ଦେଖାଗଲା ଯେ ଏହା ଦ୍ବାରା ୨୯୨ ଜଣ ପ୍ରତିନିଧି ସମ୍ବିଧାନ ପ୍ରଣୟନ ସଭାକୁ ଯାଇପାରିବେ। ଜନସ˚ଖ୍ୟା ଭିତ୍ତିରେ ମାନ୍ଦ୍ରାଜ (ମାଡ୍ରାସ)ରୁ ସାଧାରଣ ବର୍ଗରେ ୪୫, ମୁସଲିମ୍ ୪, ଶିଖ-୦, ଅନ୍ୟ ବର୍ଗର ୦.୧, ସେହିପରି ବମ୍ବେରୁ ସାଧାରଣ ବର୍ଗରେ ୧୯ ଏବ˚ ମୁସ୍ଲିମ୍ ବର୍ଗରୁ ୦୨ ଜଣ; ସେମିତି ସେ କାଳର ‘ଇଉନାଇଟେଡ୍ ପ୍ରଭିନ୍ସ’ରୁ ସାଧାରଣ ବର୍ଗରେ ୪୭- ମୁସଲିମ ବର୍ଗରୁ ୮ ରହିଥିଲେ। ବିହାରରୁ ସାଧାରଣ ବର୍ଗର ପ୍ରତିନିଧି ସ˚ଖ୍ୟା ଥିଲା ୩୧ ଓ ମୁସଲିମ ବର୍ଗରୁ ୫। ଓଡ଼ିଶାରୁ କେବଳ ସାଧାରଣ ବର୍ଗରେ ପ୍ରତିନିଧି ପଠାଇବା ସ˚ଖ୍ୟା ଥିଲା ୯। ଅନ୍ୟାନ୍ୟ ବର୍ଗରୁ ଆମ ରାଜ୍ୟରୁ କେହି ନ ଥିଲେ। ତତ୍କାଳୀନ ସେଣ୍ଟ୍ରାଲ ପ୍ରଭିନ୍ସରୁ ସାଧାରଣ ବର୍ଗରେ ରହିଲେ ୧୬ ଓ ମୁସ୍ଲିମ ବର୍ଗରୁ ଜଣେ। ପଞ୍ଜାବରୁ ସାଧାରଣ ବର୍ଗ ସ˚ଖ୍ୟା ରହିଲା ୮ ଓ ମୁସଲିମ ବର୍ଗ ସ˚ଖ୍ୟା ୧୬ ଓ ଶିଖ ବର୍ଗ ସ˚ଖ୍ୟା ୪। ସେହିଭଳି ବଙ୍ଗଳା ପ୍ରଭିନ୍ସରୁ ସାଧାରଣ ବର୍ଗ ସ˚ଖ୍ୟା ଥିଲା ୨୭ ଓ ମୁସଲିମ୍ ବର୍ଗ ସ˚ଖ୍ୟା ଥିଲା ୩୮। ଏଭଳି ଚିତ୍ର ଦେଖି ଜିନ୍ନା ତାଙ୍କ ବର୍ଗର ଲୋକଙ୍କୁ ବୁଝାଇ ଦେଲେ ଯେ ଭାରତ ପାଇଁ ଏପରି ଏକ ସମ୍ବିଧାନ ପ୍ରଣୀତ ହେବ ଯହିଁରେ ମୁସଲମାନମାନେ ଚିର କାଳ ଦ୍ବିତୀୟ ଶ୍ରେଣୀର ନାଗରିକ ହୋଇ ରହିବେ। ଏହି ବିଭାଜନମୂଳକ ଧାରଣା ଉପରେ ଭାରତର ବିଭାଜନ ଘଟିଲା।
୧୯୪୭ ମସିହା ଜୁନ୍ ୪ ତାରିଖ ଠାରୁ ମୁସଲିମ୍ ଲିଗ୍ ଆମ ଠାରୁ ଅଲଗା ରହିଲା। କିନ୍ତୁ ମୁସଲିମ ଲିଗ୍ର ଯେତିକି ସ˚ଖ୍ୟକ ସଭ୍ୟ ସମ୍ବିଧାନ ପ୍ରଣୟନ ସଭାକୁ ଆସିଥାଆନ୍ତେ, ସେତିକି ସ˚ଖ୍ୟକ ସଭ୍ୟ କ˚ଗ୍ରେସ ଦଳ ଓ କ˚ଗ୍ରେସ ପୃଷ୍ଠଭୂମିରୁ ଆସିଲେ। ବସ୍ତୁତଃ କ˚ଗ୍ରେସ ଦଳର ସଭ୍ୟ ସ˚ଖ୍ୟା ବଢ଼ିଯାଇ ୮୫ ଶତା˚ଶ ହୋଇଗଲା। ଏକ ବର୍ଷ ପରେ ସାଧାରଣ ନିର୍ବାଚନ ହେବାର ଘୋଷଣା କରାଯାଇଥିଲା। ଆଶାୟୀ ନେତାମାନେ ତେଣୁ ନିଜ ନିଜ ନିର୍ବାଚନ ମଣ୍ତଳୀ ଦେଖିବାରେ ଓ ବୁଲିବାରେ ସମୟ ଦେଲେ। ଏପରିକି ଜଵାହର ଓ ସର୍ଦ୍ଦାର ପଟେଲ ମଧୢ ନିଜ ନିଜର ନିର୍ବାଚନ ମଣ୍ତଳୀ ପାଇଁ ସମୟ ଦେବାରୁ ସମ୍ବିଧାନ ପ୍ରଣୟନ ସଭାରେ ସେମାନଙ୍କ ଦୂରଦୃଷ୍ଟି ଓ ବିଦ୍ବତ୍ତାର ପ୍ରତିଫଳନର ଅଭାବ ଅନୁଭୂତ ହେଲା। ବାବା ସାହେବ କେବଳ ସାଧୁସନ୍ଥଙ୍କ ନୀତିବାଣୀ ପରି ନାଗରିକମାନଙ୍କ ବଞ୍ଚିବା ଓ ବଢ଼ିବା ପାଇଁ ‘ଡାଇରେକ୍୍ଟିଭ୍ ପ୍ରିନ୍ସପ୍ଲସ୍ ଫର୍ ଷ୍ଟେଟ ପଲିସି’ ପରି ଗୋଟିଏ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଧୢାୟ ଖଞ୍ଜିଥିଲେ। ସମସ୍ତଙ୍କ ପାଇଁ ଖାଦ୍ୟ, ବାସ, ଶିକ୍ଷା, ସ୍ବାସ୍ଥ୍ୟ, ଜୀବିକା-କର୍ମ-ଯୋଗାଣ ପରି ଅତ୍ୟନ୍ତ ଗୁରୁତ୍ବ ବହନ କରୁଥିବା ପ୍ରତିଶ୍ରୁତି ସେହି ଅନୁଚ୍ଛେଦରେ ଲିପିବଦ୍ଧ ହୋଇପାରିଥିଲା।
ଏହିସବୁ ଦୃଷ୍ଟିକୋଣରୁ ବିଚାର କଲେ ଏକ ମତ ପ୍ରକାଶ ପାଇଥାଏ ଯେ ସମ୍ବିଧାନର ପୁନର୍ଲିଖନ କଥା ଚିନ୍ତା କରିବାର ବେଳ ଆସିଛି। ପରିବର୍ତ୍ତିତ କାଳ ତଥା ଭାରତୀୟ ରାଷ୍ଟ୍ର ସ˚ଘ ପାଇଁ ଆସୁଥିବା ନୂଆ ନୂଆ ଆହ୍ବାନ ପରିପ୍ରେକ୍ଷୀରେ ସମ୍ବିଧାନ ସ˚ଶୋଧନ କରାଯିବା ଆବଶ୍ୟକ ହୋଇ ପଡୁଛି। ସମ୍ବିଧାନ ପ୍ରଣୟନ ବେଳେ ବହୁ ଦୂର ଭବିଷ୍ୟତ ପାଇଁ ଅନେକ କଥା ପୂର୍ବାନୁମାନ କରିପାରିବା ସମ୍ଭବ ନ ଥିଲା। ଇତି ମଧୢରେ ୧୦୦ରୁ ଅଧିକ ଥର ସମ୍ବିଧାନ ସ˚ଶୋଧନ ହୋଇସାରିଲାଣି। ଏହା ଦ୍ବାରା ଗୋଟିଏ ପୃଥୁଳକାୟ ସମ୍ବିଧାନକୁ ଆମ୍ଭେମାନେ ଆହୁରି ପୃଥୁଳତର କରି ଚାଲିଛୁ।
ତେବେ କେତେକ ଯୁକ୍ତି ବାଢ଼ନ୍ତି ଯେ ସମ୍ବିଧାନ-ପୁନଃର୍ଲିଖନ ହେଲେ ବାବା ସାହେବଙ୍କ ପ୍ରତି ଅବମାନନା ହେବ। କିନ୍ତୁ ଏ ପରିପ୍ରେକ୍ଷୀରେ ଯାହା ସ୍ମରଣଯୋଗ୍ୟ ତାହା ହେଲା, ମାସ କେତୋଟି ପରେ ପ୍ରଥମ ସରକାରରେ ଆନ୍ଧ୍ରପ୍ରଦେଶ ସୃଷ୍ଟି ହେଲା। ଏଥିପାଇଁ ପ୍ରଥମ ବାର ସମ୍ବିଧାନ ସ˚ଶୋଧନ ଆବଶ୍ୟକ ପଡ଼ିଥିଲା। ବାବ ସାହେବ ସେତେବେଳେ ସରକାରରେ ମନ୍ତ୍ରୀ ଥିଲେ। ସଦନରେ ସଦସ୍ୟମାନେ ଏବ˚ ବାହାରେ ସାମ୍ବାଦିକମାନେ ଏ ନେଇ ପ୍ରଶ୍ନ ରଖିଥିବାରୁ ସେ କ୍ଷୋଭ ପ୍ରକାଶ କରି କହିଥିଲେ-‘ଯଦି ଏହି ସମ୍ବିଧାନର ଦୁରୁପଯୋଗ ହେବା ମୁଁ ଦେଖେ, ତେବେ ତାକୁ ନିଆଁରେ ପକାଇ ଜାଳି ଦେବା ଲାଗି ମୁଁ ହିଁ ହେବି ପ୍ରଥମ ବ୍ୟକ୍ତି।’ ସୁତରା˚ ସେ ଚାହୁଁଥିଲେ ସମ୍ବିଧାନ ଏଭଳି ହେଉ ଯେମିତି ତାର ଦୁରୁପଯୋଗ କରାଯାଇ ପାରିବ ନାହିଁ। ସୁତରା˚, ନୂତନ ସମୟ ଓ ନୂତନ ଆହ୍ବାନ ସହିତ ପରିବର୍ତ୍ତନର ସମ୍ଭାବନା ରଖୁଥିବା ଏକ ସମ୍ବିଧାନ ହେବା ଉଚିତ ଯାହା ଏକ ଜୀବନ୍ତ ସତ୍ତା ହେବ ଓ ଯାହାର ଦୁରୁପଯୋଗର କୌଣସି ସମ୍ଭାବନା ରହିବ ନାହିଁ। ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସର୍ଦ୍ଦାର ସ୍ବରଣ ସି˚ହଙ୍କ ନେତୃତ୍ବରେ ସେଥିପାଇଁ ପ୍ରଥମ ଉଦ୍ୟମ କରିଥିଲେ। ଜରୁରୀକାଳୀନ ପରିସ୍ଥିତି ଉପଗତ ହେବାରୁ ତାହା ଅଟକି ଯାଇଥିଲା। ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧୢ ଜଷ୍ଟିସ ଭେଙ୍କଟ ଚାଲିହାଙ୍କ ଅଧୢକ୍ଷତାରେ ସମ୍ବିଧାନ ପୁନର୍ଲିଖନ ପାଇଁ ଉଦ୍ୟମ କରିଥିଲେ। ସେତେବେଳର ମେଣ୍ଟ ସରକାରରେ ଥିବା ଗୁଡ଼ିଏ ଭାଗୁଆଳି ଦଳଙ୍କ ବିରୋଧ ତାଙ୍କର ଇଚ୍ଛା ପୂରଣ କରାଇ ଦେଇ ନ ଥିଲା। ସମ୍ବିଧାନ ପରିବର୍ତ୍ତନ ପାଇଁ ମୋଇଲିଙ୍କ ‘ଆଡ୍ମିନିଷ୍ଟ୍ରେଟିଭ୍ ରିପୋର୍ଟ’ ଆଜି ବି ଦିଲ୍ଲୀରେ ମିଳିଯିବ।
ଆମ ସମ୍ବିଧାନରେ ୧୯୩୫ ଆକ୍ଟ ପରି ଔପନିବେଶିକ ଶାସନର ଗନ୍ଧ ଥିବା ଦ୍ବିଅର୍ଥବୋଧକ ଅସ୍ପଷ୍ଟତା ଦୋଷଯୁକ୍ତ ଅନେକ ଧାରା ପରିଲକ୍ଷିତ। ସୁପ୍ରିମ କୋର୍ଟ ଓ ପାର୍ଲିଆମେଣ୍ଟଙ୍କ କ୍ଷମତା ପରିଧି ସ୍ପଷ୍ଟ ଭାବରେ ନିର୍ଣ୍ଣିତ ହୋଇ ନଥିବା କାରଣରୁ ବହୁବାର ମୁହାଁମୁହିଁ ଅବସ୍ଥା ଉପୁଜି ଯାଉଛି। ସୁତରା˚ ସା˚ପ୍ରତିକ ରାଜନୈତିକ ଓ ସାମାଜିକ ପରିସ୍ଥିତିକୁ ଚାହିଁ ସମ୍ବିଧାନର ପୁନର୍ଲିଖନର ପ୍ରସ୍ତାବ ଉପରେ ଚିନ୍ତା କରାଯିବା ଉଚିତ।
ମୋ- ୯୭୭୭୨୦୫୬୮୪