ଗତ ଡିସେମ୍ବର ମାସରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତୀୟ ଉଦ୍ୟୋଗ ପରିଷଦ (ସିଆଇଆଇ) ଦ୍ବାରା ଆୟୋଜିତ ଏକ ସମ୍ମିଳନୀରେ ପ୍ରତିଶ୍ରୁତି ଦେଇଥିଲେ ଯେ ଆସନ୍ତା କେନ୍ଦ୍ରୀୟ ବଜେଟ୍ ୨୦୨୧ ଏକ ଯୁଗାନ୍ତକାରୀ ବଜେଟ୍ ହେବ, ଯାହାକୁ ଅର୍ଥମନ୍ତ୍ରୀ ଇ˚ରେଜୀରେ ‘ନେଭର ବିଫୋର ବଜେଟ୍’ ବୋଲି ଆଖ୍ୟା ଦେଇଥିଲେ। ଅର୍ଥମନ୍ତ୍ରୀଙ୍କ ଆତ୍ମବିଶ୍ମାସଭରା ବଜେଟ୍ର ରୂପରେଖ କ’ଣ ହେବ, ତାହା ଜାଣିବାକୁ ସମସ୍ତେ ଫେବ୍ରୁଆରି ୧ ତାରିଖକୁ ଆଗ୍ରହର ସହିତ ଅପେକ୍ଷା କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ରୀୟ ବଜେଟ୍ର ସମୀକ୍ଷା କରିବା ପୂର୍ବରୁ ଚଳିତ ଆର୍ଥିକ ବର୍ଷର କେତେ ଗୋଟି ଘଟଣାର ସ˚କ୍ଷିପ୍ତ ଆଲୋଚନା ଉଚିତ ହେବ। ଗତ ବର୍ଷ ମାର୍ଚ୍ଚ ମାସରେ ଲକ୍ଡାଉନ୍ ଲାଗୁ ହେବା ପରେ ସେନ୍ସେକ୍ସ ପ୍ରାୟ ପଚିଶ ହଜାରକୁ ଖସି ଆସିଥିଲା ବେଳେ ଅନ୍ଲକ୍ ପ୍ରକ୍ରିୟା ଆରମ୍ଭ ହେଲା ପରେ ଏହି ସୂଚନାଙ୍କ ନିୟମିତ ବୃଦ୍ଧି ପାଇ ଚଳିତ ବର୍ଷ ଜାନୁଆରି ମାସରେ ପଚାଶ ହଜାରକୁ ଅତିକ୍ରମ କରି ଯାଇଥିଲା। ଭାରତୀୟ ଅର୍ଥନୀତି କୋଭିଡ୍ ଜନିତ ସଙ୍କଟରୁ ସ˚ପୂର୍ଣ୍ଣ ତ୍ରାହି ପାଇ ନ ଥିବା ସତ୍ତ୍ବେ, ଷ୍ଟକ୍ ମାର୍କେଟ୍ ସୂଚନାଙ୍କରେ ଅପ୍ରତ୍ୟାଶିତ ବୃଦ୍ଧି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ସମ୍ପର୍କରେ ଗଣମାଧୢମରେ କୋଟକ ମହୀନ୍ଦ୍ର ମ୍ୟୁଚୁୁଆଲ ଫଣ୍ତର ପରିଚାଳନା ନିର୍ଦ୍ଦେଶକ ନୀଲେଶ ଶାହଙ୍କୁ ପ୍ରଶ୍ନ କରାଯାଇଥିଲା। ଉତ୍ତରରେ ନୀଲେଶ ସତୁରି ଦଶକର ଲୋକପ୍ରିୟ ବଲିଉଡ଼୍ ଚଳଚ୍ଚିତ୍ର ଅମର, ଆକବର, ଆନ୍ଥୋନୀର ଗୋଟିଏ ଗୀତର ପଂକ୍ତିଟିଏ ଉଦ୍ଧାର କରି କହିଥିଲେ: ‘ଅନହୋନି କୋ ହୋନି କରଦେ, ହୋନି କୋ ଅନହୋନି।’ ସେ ସୂଚାଇଦେବାକୁ ଚାହିଁଥିଲେ ଯେ ଅସମ୍ଭବକୁ ସମ୍ଭବ କରିବାର ସାମର୍ଥ୍ୟ ଭାରତୀୟ ଅର୍ଥନୀତିର ଅଛି। ଯଦିଓ ସେୟାର ସୂଚନାଙ୍କ ଦ୍ବାରା ଅର୍ଥନୀତିର ବାସ୍ତବ ସ୍ଥିତିକୁ ତଉଲିବା ଉଚିତ ନୁହେଁ, ତଥାପି ଲକ୍ଡାଉନ୍ ପରବର୍ତ୍ତୀ ଅର୍ଥନୈତିକ ଘଟଣାବଳୀ ସେନ୍ସେକ୍ସର ଉତ୍ଥାନକୁ ସମର୍ଥନ କରୁଛି। ନୀଲେଶଙ୍କ ଯୁକ୍ତି ଥିଲା ଯେ ଡିସେମ୍ବର ମାସରେ ରେକର୍ଡ ରାଶିର ଜିଏସ୍ଟି ସ˚ଗ୍ରହ, ବୈଦେଶିକ ପୁଞ୍ଜି ରିଜର୍ଭରେ ନିୟମିତ ବୃଦ୍ଧି, ଗତ ତିନିମାସ ଧରି ପି.ଏମ୍.ଆଇ. ସୂଚନାଙ୍କ ୫୦ ଉପରେ ରହିଥିବା ଇତ୍ୟାଦି ତଥ୍ୟ ଭାରତୀୟ ଅର୍ଥନୀତି ଦ୍ରୁତ ଭାବରେ ସୁଧୁରିବା ଆରମ୍ଭ କରିଛି ବୋଲି ସୂଚନା ଦେଉଛି। ପି.ଏମ୍.ଆଇ. ସୂଚନାଙ୍କ ଅର୍ଥାତ୍ ‘ପର୍ଚେଜିଙ୍ଗ୍ ମ୍ୟାନେଜର ଇନ୍ଡେକ୍ସ’ ସା˚ପ୍ରତିକ ଅର୍ଥନୀତିର ଅବନତି, ସ୍ଥାଣୁତା ତଥା ବିକାଶ ସମ୍ପର୍କରେ ଏକ ସ୍ଥୂଳ ସୂଚନା ଦେଇଥାଏ। ଯଦି ସୂଚନାଙ୍କ ୫୦ରୁ ଉପରକୁ ରହେ, ତେବେ ଅର୍ଥନୀତି ବିକାଶ ପଥରେ ଯାଉଛି ବୋଲି ଧରାଯାଇଥାଏ। ନୀଲେଶ ଶାହ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶ ପରିଷଦର ସଦସ୍ୟ ଥିବାରୁ ତାଙ୍କ ଉକ୍ତିକୁ ଗମ୍ଭୀରତା ସହିତ ବିଚାର କରାଯାଇଥାଏ।
ଜାନୁଆରି ୨୯ ତାରିଖ ଦିନ ପାର୍ଲିଆମେଣ୍ଟରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ ହୋଇଥିଲା। ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଜିଡିପି ଶୋଚନୀୟ ଭାବରେ କ୍ଷତିଗ୍ରସ୍ତ ହୋଇ ବିଯୁକ୍ତ ୨୩.୯% ହୋଇଥିଲା ବେଳେ ଦ୍ବିତୀୟ ତିନି ମାସରେ ସ୍ଥିତିରେ କିଛିଟା ସୁଧାର ହୋଇ ଏହି ହାର ବିଯୁକ୍ତ ୭.୫% ହୋଇଥିଲା। ଅର୍ଥନୈତିକ ସର୍ଭେ ଅନୁସାରେ ଚଳିତ ଆର୍ଥିକ ବର୍ଷରେ ଜିଡିପି ବିଯୁକ୍ତ ୭.୭% ହେବାର ସମ୍ଭାବନା ଅଛି। ଆଗାମୀ ଆର୍ଥିକ ବର୍ଷ ୨୦୨୧-୨୨ରେ ଜିଡିପି ହାର ୧୧% ହେବ ବୋଲି ଅଟକଳ କରାଯାଇଛି, ଯାହା ୨୦୧୯-୨୦ ଆର୍ଥିକ ବର୍ଷର ଜିଡିପି ତୁଳନାରେ ୨.୪% ଅଧିକ ହେବ। ଭାରତ ସରକାରଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଡକ୍ଟର କୃଷ୍ଣମୂର୍ତ୍ତିଙ୍କ ଭାଷାରେ ଭାରତର ଅର୍ଥନୈତିକ ପୁନରୁଦ୍ଧାର ଗ୍ରାଫ୍ ଇ˚ରେଜୀ ଅକ୍ଷର ମାଳାର ‘ଭି’ (V) ଅକ୍ଷର ଆକୃତିର ଅଟେ। ଅଷ୍ଟ୍ରେଲିଆ ବିରୋଧରେ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଶୋଚନୀୟ ପରାଜୟ ପରେ ଭାରତୀୟ କ୍ରିକେଟ୍ ଦଳ ପରବର୍ତ୍ତୀ ମ୍ୟାଚ୍ଗୁଡ଼ିକରେ ଚମକପ୍ରଦ ସଫଳତା ହାସଲ କରିଥିଲା। ସେହିଭଳି ଲକ୍ଡାଉନ୍ ଯୋଗୁଁ ପ୍ରାରମ୍ଭିକ ପର୍ଯ୍ୟାୟରେ ବିପୁଳ କ୍ଷତି ସତ୍ତ୍ବେ ପରବର୍ତ୍ତୀ ସମୟରେ ତ୍ବରାନ୍ବିତ ହାରରେ ଅର୍ଥନୀତିର ସୁଧାର ପ୍ରକ୍ରିୟା ଆରମ୍ଭ ହୋଇଛି। ଅର୍ଥନୈତିକ ସର୍ଭେ ସରକାରଙ୍କୁ ପୁଞ୍ଜି ବିନିଯୋଗ ରାଶିରେ ପର୍ଯ୍ୟାପ୍ତ ବୃଦ୍ଧି କରିବାକୁ ପରାମର୍ଶ ଦେଇଛି। ସ˚ପ୍ରତି ଏହି ହାର ଜିଡିପିର ମାତ୍ର ୨ ପ୍ରତିଶତ ହୋଇଥିବା ବେଳେ ବିଶ୍ବ ସ୍ତରରେ ଏହି ହାର ୬ ପ୍ରତିଶତ। ତେଣୁ ସର୍ଭେ ରିପୋର୍ଟ ଇଙ୍ଗିତ କରିଥିଲା କି ଗବେଷଣା, ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ପୁଞ୍ଜି ନିବେଶ ବୃଦ୍ଧି କରାଯିବା ଜରୁରୀ ଅଟେ। ଖାଦ୍ୟ ସବ୍ସିଡିକୁ ହ୍ରାସ କରିବାକୁ ପଡ଼ିବ। କୃଷିଜାତ ସାମଗ୍ରୀର ସହାୟକ ମୂଲ୍ୟ ନିୟମିତ ବୃଦ୍ଧି ହେଉଥିଲେ ହେଁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଦିଆଯାଉଥିବା ଖାଦ୍ୟ ସାମଗ୍ରୀ ମୂଲ୍ୟ ଦୀର୍ଘ କାଳ ଧରି ଅପରିବର୍ତ୍ତିତ ରହିଛି। ସର୍ଭେ ରିପୋର୍ଟ ସତର୍କ କରି ଦେଇଥିଲା ଯେ ବ୍ୟାଙ୍କ୍ ଦ୍ବାରା ଦିଆଯାଇଥିବା ଅନାଦାୟ ଋଣ ଅସୁଲ ପାଇଁ କଠୋର ପଦକ୍ଷେପ ନେବାକୁ ପଡ଼ିବ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କରିଥିବା ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟର ଆଧାର ହେଉଛି ଛଅଟି ସ୍ତମ୍ଭ। ସେଗୁଡ଼ିକ ହେଲା: ୧. ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବ୍ୟବସ୍ଥାରେ ଉନ୍ନତି, ୨. ଭୌତିକ ଓ ବିତ୍ତୀୟ ପୁଞ୍ଜି ସୃଷ୍ଟି ଏବ˚ ଭିତ୍ତିଭୂମି ବିକାଶ, ୩. ଅନ୍ତର୍ଭୁକ୍ତୀକରଣ ଜରିଆରେ ଏକ ଆକା˚କ୍ଷିତ ଭାରତ ଗଠନ, ୪. ଶିକ୍ଷା ଓ ମାନବ ସମ୍ବଳର ବିକାଶ, ୫. ଗବେଷଣା ଓ ଅଭିନବୀକରଣକୁ ପ୍ରୋତ୍ସାହନ, ୬. ନ୍ୟୂନତମ ସରକାର ଓ ଅଧିକତମ ଶାସନ ବ୍ୟବସ୍ଥାର ପ୍ରଚଳନ। ଏହି ଛଅଟି ସ୍ତମ୍ଭର କେତେ ଗୋଟି ମୁଖ୍ୟ ପ୍ରସ୍ତାବ ଉପରେ ଆଲୋଚନା କରିବା ଉଚିତ ହେବ। କୋଭିଡ୍ ଜନିତ ଅଭିଜ୍ଞତା ଯୋଗୁଁ ସରକାର ସ୍ବାସ୍ଥ୍ୟ, ପରିବାର କଲ୍ୟାଣ, ପରିମଳ ବ୍ୟବସ୍ଥା, ନିର୍ମଳ ପାନୀୟ ଜଳ ଓ ବାୟୁ ତଥା ସ୍ବଚ୍ଛ ପରିବେଶର ଗୁରୁତ୍ବକୁ ହୃଦୟଙ୍ଗମ କରିପାରିଛନ୍ତି। ବଜେଟ୍ରେ ଏଥିପାଇଁ ଦୁଇ ଲକ୍ଷ ଚବିଶ ହଜାର କୋଟି ଟଙ୍କାର ବ୍ୟୟ ବରାଦ ଅଛି, ଯାହା ଚଳିତ ବର୍ଷ ତୁଳନାରେ ୧୩୭% ଅଧିକ। ଯାନବାହନ ଜନିତ ପ୍ରଦୂଷଣକୁ ରୋକିବା ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ପରେ ପୁରୁଣା ଗାଡ଼ିଗୁଡ଼ିକୁ ରବ୍ଦ କରାଯିବାର ପ୍ରସ୍ତାବ ସ୍ବାଗତଯୋଗ୍ୟ।
ଭିତ୍ତିଭୂମି ବିକାଶ ପାଇଁ ବଜେଟ୍ରେ ସାଢ଼େ ପାଞ୍ଚ ଲକ୍ଷ କୋଟିର ପ୍ରସ୍ତାବ ଅଛି, ଯଦ୍ଦ୍ବାରା ସଡ଼କ, ରେଳ, ମେଟ୍ରୋ ରେଳ, ବନ୍ଦର, ବିଦ୍ୟୁତ୍ ଯୋଗାଣ ଇତ୍ୟାଦିର ତ୍ବରିତ ବିକାଶ ପାଇଁ ପ୍ରୟାସ ହେବ। ଗୁଜୁରାଟରେ ସ୍ଥାପିତ ବିଶ୍ବସ୍ତରୀୟ ସ୍ମାର୍ଟ ସିଟିରେ (ଗିଫ୍ଟ ସିଟି) ଅନ୍ତର୍ଜାତୀୟ ବିତ୍ତୀୟ କମ୍ପାନିମାନଙ୍କୁ ନିଜ ସ˚ସ୍ଥା ସ୍ଥାପନ କରିବାକୁ ଆକର୍ଷିତ କରାଯିବ। ଏହାଦ୍ବାରା ଭାରତୀୟ ଅର୍ଥନୀତି ପାଇଁ ବୈଦେଶିକ ପୁଞ୍ଜି ଲାଭ କରିବା ସୁବିଧାଜନକ ହେବ। ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ ଗୁଡ଼ିକର ଅନାଦାୟ ଋଣକୁ ଯଥା ଶୀଘ୍ର ଆଦାୟ କରିବା ପାଇଁ ‘ଆସେଟ୍ ରିକ୍ନଷ୍ଟ୍ରକ୍ସନ୍ କମ୍ପାନି’ (ବ୍ୟାଡ୍ ବ୍ୟାଙ୍କ୍ ମଧୢ କୁହାଯାଇପାରେ) ସ୍ଥାପନ କରାଯିବ, ଯିଏ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ଗୁଡ଼ିକର ଅନାଦାୟ ଋଣ ସ˚ଶ୍ଳିଷ୍ଟ, ବନ୍ଧକ ସମ୍ପତ୍ତିଗୁଡ଼ିକୁ ରିହାତି ମୂଲ୍ୟରେ କିଣି ଦେବ ଓ ପରବର୍ତ୍ତୀ ସମୟରେ ଏହାକୁ ଖୋଲା ମାର୍କେଟରେ ଉଚିତ ମୂଲ୍ୟରେ ବିକିବାକୁ ପ୍ରୟାସ କରିବ। ଏପରି ବ୍ୟବସ୍ଥା ଯୋଗୁଁ ବ୍ୟବସାୟିକ ବ୍ୟାଙ୍କଗୁଡ଼ିକ ଆବଶ୍ୟକ ପୁଞ୍ଜି ଯଥାଶୀଘ୍ର ପାଇବାକୁ ସକ୍ଷମ ହେବେ। ରିଏଲ୍ ଇଷ୍ଟେଟ ଓ ଭିତ୍ତିଭୂମି ବିକାଶ ପାଇଁ ବ୍ୟବସ୍ଥା ଥିବା ଟ୍ରଷ୍ଟ ଗୁଡ଼ିକରେ (ରିଇଆଇଟି/ଇନ୍ଭିଟ୍) ବିଦେଶୀ ସ˚ସ୍ଥାଗୁଡ଼ିକ ଦ୍ବାରା ପୁଞ୍ଜିନିବେଶ ପାଇଁ ଆଇନଗତ ବ୍ୟବସ୍ଥା କରାଯିବ। ଭିତ୍ତିଭୂମି ବିକାଶ ପାଇଁ ଆବଶ୍ୟକ ଅର୍ଥ ବା ପାଣ୍ଠିକୁ ସରକାର ‘ଆସେଟ୍ ମନିଟାଇଜେସନ୍’ ପ୍ରକ୍ରିୟାରୁ ଉପଲବ୍ଧ କରିବା ପାଇଁ ପ୍ରୟାସ କରିବେ। ଏହି ପ୍ରକ୍ରିୟାରେ ସରକାର ଯୋଗାଇଥିବା ଜମିରେ ବ୍ୟବସାୟିକ ସ˚ସ୍ଥାମାନେ ନିଜ ପାଣ୍ଠିରେ ଭିତ୍ତିଭୂମିର ବିକାଶ କରିଥାନ୍ତି। ଏହି ସ˚ସ୍ଥାମାନେ ଭିତ୍ତିଭୂମିରୁ ଉପଲବ୍ଧ ରାଜସ୍ବକୁ ନିର୍ଦ୍ଦିଷ୍ଟ ସମୟ ସୀମା ପାଇଁ ଉପଭୋଗ କରିଥାନ୍ତି। ଏହି ସମୟ ସୀମା ପରେ ଭିତ୍ତିଭୂମି ସ˚ଶ୍ଳିଷ୍ଟ ସମ୍ପତ୍ତିର ସ˚ପୂର୍ଣ୍ଣ ମାଲିକାନା ଓ ଦଖଲ ସରକାରଙ୍କୁ ମିଳିଥାଏ। ଭିତ୍ତିଭୂମି ବିକାଶ ପାଇଁ ଆବଶ୍ୟକ ବିଶାଳ ପାଣ୍ଠି ବିନିଯୋଗ କରିବାରେ ସରକାର ସମର୍ଥ ନୁହଁନ୍ତି, ତେଣୁ ଅଭିନବ ପୁଞ୍ଜି ସ˚ଗ୍ରହର ପ୍ରୟାସ କରାଯାଇଛି। ରାଷ୍ଟ୍ରାୟତ୍ତ ସ˚ସ୍ଥାଗୁଡ଼ିକରୁ ପୁଞ୍ଜି ପ୍ରତ୍ୟାହାର ଦ୍ବାରା ଏକ ଲକ୍ଷ ପଞ୍ଚସ୍ତରି ହଜାର କୋଟି ଟଙ୍କା ସ˚ଗ୍ରହ କରିବାର ଲକ୍ଷ୍ୟ ରଖାଯାଇଛି। ଏପରି ପ୍ରସ୍ତାବ ପୂର୍ବ ବଜେଟ୍ଗୁଡ଼ିକରେ ଦେଖିବାକୁ ମିଳିଥିଲେ ହେଁ ବାସ୍ତବ କାର୍ଯ୍ୟକାରିତା ବହୁତ ପଛରେ ପଡ଼ିଯାଉଛି। ଯଦିଓ ରାଷ୍ଟ୍ରାୟତ୍ତ ସ˚ସ୍ଥାଗୁଡ଼ିକର ପୁଞ୍ଜି ପ୍ରତ୍ୟାହାର ସ୍ବାଗତଯୋଗ୍ୟ, ତଥାପି ଏହାର ସଫଳ କାର୍ଯ୍ୟକାରିତା ପାଇଁ ରାଜନୈତିକ ଇଚ୍ଛାଶକ୍ତି ସୃଷ୍ଟି ହେବାର ଅଛି।
ଭିତ୍ତିଭୂମି ବିକାଶ ପାଇଁ ଘୋଷିତ ଯୋଜନାଗୁଡ଼ିକର ଭୌଗୋଳିକ ଅବସ୍ଥିତିରୁ ସ୍ପଷ୍ଟ ବାରି ହୋଇପଡୁଛି ଯେ ଅର୍ଥମନ୍ତ୍ରୀ ମାଛ ତେଲରେ ମାଛ ଭାଜିବାର ଉଦ୍ୟମ କରିଛନ୍ତି। ଅଳ୍ପ କିଛି ମାସ ମଧୢରେ ବିଧାନସଭା ନିର୍ବାଚନ ହେବାକୁ ଥିବା ଚାରିଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଭିତ୍ତିଭୂମି ବିକାଶ ପାଇଁ ପ୍ରାଧାନ୍ୟ ଦିଆଯାଇଛି। ଏପରି ଉଦ୍ୟମ ଦେଶର ସାମଗ୍ରିକ ବିକାଶ ବିଶେଷ କରି ସା˚ପ୍ରତିକ ମହାମାରୀ ଜନିତ ଆର୍ଥିକ ସଙ୍କଟ ପରିପ୍ରେକ୍ଷୀରେ ଯୁକ୍ତିଯୁକ୍ତ ନୁହେଁ। ଜମି ଅଧିଗ୍ରହଣ କ୍ଷେତ୍ରରେ ସ˚ସ୍କାରମୂଳକ ପଦକ୍ଷେପ ବଜେଟ୍ରେ ଦୃଷ୍ଟିଗୋଚର ହେଲା ନାହିଁ। ଏହି ସ˚ସ୍କାର ବିନା ଉତ୍ପାଦନ ଭିତ୍ତିକ ଶିଳ୍ପ କ୍ଷେତ୍ରରେ ଘରୋଇ ତଥା ବୈଦେଶିକ ପୁଞ୍ଜି ନିବେଶ ପ୍ରୋତ୍ସାହିତ କରିବା ସମ୍ଭବ ନୁହେଁ। ବୀମା କ୍ଷେତ୍ର ଭଳି ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ରେ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜି ଲଗାଣ ସୀମାକୁ ୨୦%ରୁ ୭୪%କୁ ବୃଦ୍ଧି କରାଯାଇଥିଲେ ଭଲ ହୋଇଥାନ୍ତା। ଅର୍ଥମନ୍ତ୍ରୀ ବାକି ତିନିଟି ସ୍ତମ୍ଭ ପାଇଁ ରଖିଥିବା ପ୍ରସ୍ତାବଗୁଡ଼ିକ ପ୍ରଶ˚ସନୀୟ ହେଲେ ହେଁ ମୋଟାମୋଟି ପାରମ୍ପରିକ ବୋଲି କୁହାଯାଇପାରେ।
ଏଥର ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ କେତେ ଗୋଟି ପ୍ରସ୍ତାବ ଉପରେ ଆଲୋକପାତ କରିବା। ଆୟକର କ୍ଷେତ୍ରରେ କୌଣସି ଅତୀତ ବର୍ଷର ଟିକସ ନିର୍ଦ୍ଧାରଣ ପ୍ରକ୍ରିୟା ପୁଣି ଥରେ ଖୋଲିବା ପାଇଁ ସର୍ବାଧିକ ସମୟ ସୀମାକୁ ଛଅ ବର୍ଷରୁ ତିନି ବର୍ଷକୁ ହ୍ରାସ କରାଯାଇଛି। ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। କେବଳ ପଚାଶ ଲକ୍ଷ କିମ୍ବା ତା’ଠାରୁ ଅଧିକ ଟିକସ ଠକାମି କ୍ଷେତ୍ରରେ ସମୟ ସୀମା ପୂର୍ବ ଭଳି ଦଶ ବର୍ଷ ରହିବ। ପଞ୍ଚସ୍ତରି ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ବରିଷ୍ଠ ନାଗରିକମାନଙ୍କର ଆୟକର ରିଟର୍ଣ୍ଣ ଦାଖଲ କରିବା ଆବଶ୍ୟକ ହେବ ନାହିଁ। କିନ୍ତୁ ଏହି ପ୍ରସ୍ତାବରେ କେବଳ ପେନ୍ସନ୍ ଓ ବ୍ୟାଙ୍କ୍ ଜମା ଉପରେ ସୁଧ ପାଉଥିବା ବରିଷ୍ଠ ନାଗରିକମାନେ ଉପକୃତ ହେବେ। ପୁନଶ୍ଚ ଯେଉଁ ବ୍ୟାଙ୍କ୍ରୁ ପେନ୍ସନ୍ ମିଳୁଛି, ସେହି ବ୍ୟାଙ୍କ୍ରେ ଜମା ରଖିବା ଆବଶ୍ୟକ ହେବ। ଟ୍ରିବ୍ୟୁନାଲରେ ଭୌତିକ ଉପସ୍ଥିତି ବିନା ଅର୍ଥାତ୍ ‘ଫେସ୍ଲେସ୍’ ବିବାଦ ସମାଧାନ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଅର୍ଥମନ୍ତ୍ରୀ ପ୍ରସ୍ତାବ ରଖିଛନ୍ତି। ଏଣିକି ବାର୍ଷିକ ଦଶକୋଟି ଟଙ୍କା ପର୍ଯ୍ୟନ୍ତ ବେପାର କରୁଥିବା ସ˚ସ୍ଥାଗୁଡ଼ିକ ପାଇଁ ଟ୍ୟାକ୍ସ ଅଡିଟ୍ ଲାଗୁ ହେବ ନାହିଁ। ଏହି ପ୍ରସ୍ତାବ ଉଚିତ ମନେ ହେଉ ନାହିଁ। ଟ୍ୟାକ୍ସ ଅଡିଟ ପେସାଦାର ଚାଟାର୍ଡ ଆକାଉଟାଣ୍ଟମାନଙ୍କ ଦ୍ବାରା ହୋଇଥାଏ। କ୍ଷୁଦ୍ର ବ୍ୟବସାୟିକ ସ˚ସ୍ଥାଗୁଡ଼ିକ ଅନେକ ସମୟରେ ଉପଯୁକ୍ତ ମାନବ ସମ୍ବଳ ଅଭାବରୁ ଠିକ୍ ଭାବରେ ଟିକସ ନିର୍ଦ୍ଧାରଣ କରିବାରେ ସମର୍ଥ ହୋଇନଥାନ୍ତି। ଏହି ପରିପ୍ରେକ୍ଷୀରେ ଟ୍ୟାକ୍ସ ଅଡିଟ ସେମାନଙ୍କୁ ଭବିଷ୍ୟତରେ ଅଯଥା ଟିକସ ବିବାଦରୁ ରକ୍ଷା କରିପାରିବ।
ଇସ୍ପାତ ମୂଲ୍ୟ ବୃଦ୍ଧିକୁ ରୋକିବା ପାଇଁ ବଜେଟ୍ରେ ଇସ୍ପାତ ଆମଦାନି କ୍ଷେତ୍ରରେ ଆମଦାନି ଶୁଳ୍କ ୭.୫%କୁ ହ୍ରାସ କରାଯିବା ପ୍ରସ୍ତାବ ଅଛି। ବର˚ ଭାରତରେ ଲୁହାପଥର ଉତ୍ପାଦନକୁ ବୃଦ୍ଧି କରାଗଲେ, ଘରୋଇ ଇସ୍ପାତ କମ୍ପାନିମାନେ ସୁଲଭ ମୂଲ୍ୟରେ ଲୁହାପଥର ପାଇବା ସହିତ ଇସ୍ପାତ ମୂଲ୍ୟ ହ୍ରାସ ପାଇପାରିବ। ଅର୍ଥମନ୍ତ୍ରୀ କୃଷି ଭିତ୍ତିଭୂମି ବିକାଶ ସେସ୍ ନୂଆ କରି ଲାଗୁ କରିବାର ପ୍ରସ୍ତାବ ରଖିଛନ୍ତି। ବର˚ ଅର୍ଥନୈତିକ ସର୍ଭେ ସମୀକ୍ଷା ମୁତାବକ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଦିଆଯାଉଥିବା ଖାଦ୍ୟ ସାମଗ୍ରୀ ଉପରେ କିଛିଟା ମୂଲ୍ୟ ବୃଦ୍ଧି ଉଚିତ ହୋଇଥାନ୍ତା।
‘ଆତ୍ମନିର୍ଭର ଭାରତ’ ଯୋଜନା ପାଇଁ ଚଳିତ ବର୍ଷ ସରକାର ମୋଟ ୨୭ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ, ଯାହା ଜିଡିପିର ପ୍ରାୟ ୧୫ ପ୍ରତିଶତ। କିନ୍ତୁ ବାର୍ଷିକ ଖର୍ଚ୍ଚ ଜିଡିପିର ୨ରୁ ୩ ପ୍ରତିଶତ ମଧୢରେ ନ ରଖି ବର˚ ୬ ପ୍ରତିଶତକୁ ବୃଦ୍ଧି କରାଗଲେ, ଆର୍ଥିକ ବିକାଶ ହାର ଅଧିକ ହୋଇପାରିବ। ଯେପର୍ଯ୍ୟନ୍ତ ଅର୍ଥନୀତିର ବିକାଶ ହାର ସୁଧ ହାର ଠାରୁ କମ୍, ସରକାର ଅଧିକ ଋଣ ପାଇଁ ଦ୍ବିଧାବୋଧ କରିବା ଉଚିତ ନୁହେଁ। ଶେଷରେ କୁହାଯାଇପାରିବ ଯେ କୋଭିଡ ମହାମାରୀ ଜନିତ ଆର୍ଥିକ ସଙ୍କଟ ପରିପ୍ରେକ୍ଷୀରେ ଅର୍ଥମନ୍ତ୍ରୀଙ୍କ ଆତ୍ମନିର୍ଭର ପ୍ୟାକେଜ ସମ୍ବଳିତ ଚଳିତ କେନ୍ଦ୍ରୀୟ ବଜେଟ୍ ପ୍ରଶ˚ସନୀୟ।
ମୋ-୯୮୮୬୨୧୧୭୭୨
opjagati @ gmail.com