ଗରିବ କିଏ?

ଦେବୀ ପ୍ରସନ୍ନ ପଟ୍ଟନାୟକ

ଗରିବ କିଏ? ଯାହା ପାଖରେ ଖାଇବାକୁ ନାହିଁ, ପିନ୍ଧିବାକୁ ନାହିଁ? ଯାହା ପାଖରେ କିଛି କିଣିବାକୁ ପଇସା ନାହିଁ? ଯାହାର ମୁଣ୍ତ ଗୁଞ୍ଜିବାକୁ ଘର ନାହିଁ? ବିଧବା ବା ବିକଳାଙ୍ଗ, ଯାହାଙ୍କୁ ସାହାଯ୍ୟ କରିବାକୁ କେହି ନାହାନ୍ତି? ବୁଢ଼ାବୁଢ଼ୀ, ମା’ଛେଉଣ୍ତ ପିଲା, ଯାହାଙ୍କୁ କେହି ପଚାରୁ ନାହାନ୍ତି? ଭିକାରି?

ଦିନଯାକ ମୁଣ୍ତ ଝାଳ ତୁଣ୍ତରେ ମାରି ଖଟି ଖଟି ଯାହା ମଜୁରି ମିଳିଲା, ତାହା ପରିବାର ପୋଷଣ ପାଇଁ ଅପର୍ଯ୍ୟାପ୍ତ। ପାଠ ପଢ଼ି ଚାକିରି କରି ଯାହା ଦରମା ମିଳିଲା, ତାହା ମଧୢ ପରିବାର ପୋଷଣ ପାଇଁ ଯଥେଷ୍ଟ ହେଲାନାହିଁ। ଏହି ଅଳ୍ପ ମଜୁରି, ଅଳ୍ପ ଦରମା ପାଉଥିବା ଲୋକେ ନିମ୍ନ ମଧୢବିତ୍ତ ବର୍ଗର ଲୋକ। ଏମାନେ ଧନୀଙ୍କ ଦୃଷ୍ଟିରେ ଗରିବ, ଗରିବଙ୍କ ଦୃଷ୍ଟିରେ ସ୍ବଚ୍ଛଳ।

ପୃଥିବୀର ସବୁ ଦେଶରେ ଗରିବ ଅଛନ୍ତି। ପୁଣି ଦେଶ ଭିତରେ ଏବ˚ ଦେଶ ଦେଶ ଭିତରେ ଯେଉଁ ଅସମାନତା ଅଛି, ତାହା ତିଆରି କରାଯାଉଛି। ଯେଉଁଠି କିଛି ଲୋକ ଧନ ଜମା କରୁଛନ୍ତି ଅଥଚ ଅନ୍ୟ କିଛି ଲୋକ ଆପଣା ଭରଣପୋଷଣ ଠିକଣା ଭାବେ କରିପାରୁନାହାନ୍ତି, ସେଠାରେ ଧନୀ ଲୋକଙ୍କର ଲୋଭ, ଲାଭର ଇଚ୍ଛା ଓ ଅହଙ୍କାର ହିଁ ଗରିବ ତିଆରି କରୁଛି। ସେମିତି ଧନୀ ଦେଶ ବି ଅହଙ୍କାରୀ। ଧନୀମାନେ ଯେମିତି ଅନ୍ୟ ଲୋକଙ୍କ ଉପରେ ଆପଣା କର୍ତ୍ତୃତ୍ବ ଜାହିର କରିବାକୁ ଚାହାନ୍ତି, ଧନୀ ଦେଶମାନେ ବି ଗରିବ ଦେଶମାନଙ୍କ ଉପରେ ପ୍ରଭୁତ୍ବ ଜାହିର କରନ୍ତି। ଭଗବାନ ମଣିଷକୁ ସମାନ ଭାବେ ଜନ୍ମ ଦେଇଛନ୍ତି ବୋଲି ଆମେ ଭାବୁ ସିନା, କିନ୍ତୁ ବୁଦ୍ଧିବୃତ୍ତି, ସାମର୍ଥ୍ୟ ଓ ଦକ୍ଷତା ଭିତ୍ତିରେ ପ୍ରତ୍ୟେକ ଅନ୍ୟ ଠାରୁ ଭିନ୍ନ। ତେଣୁ ଜଣେ ଆଗେଇ ଯାଏ ତ ଅନ୍ୟ ଜଣେ ପଛରେ ରହିଯାଏ। କିନ୍ତୁ ଆଗରେ ଯାଉଥିବା ଲୋକ ସର୍ବଦା ଆଗରେ ରହିବାକୁ ଚାହୁଁଥିବାରୁ ସେ ବାଟ ଓଗାଳେ। ତେଣୁ ଏହା କହିଲେ ଚଳିବ ଯେ ବୈଷମ୍ୟ ସୃଷ୍ଟି ହୋଇ ଗଭୀର ହେବା ମଣିଷକୃତ।

ଏଭଳି ମଣିଷ ତିଆରି ବ୍ୟବସ୍ଥା ଆମକୁ ପ୍ରଗତିର ଗୋଟିଏ ଦୋଛକିରେ ପହଞ୍ଚେଇଛି। ଆମେ ସମାନତା ପାଇଁ ଲଢୁଚୁ; ଏଣେ ଅସମାନତା ତିଆରି କରୁଚୁ। ଆମେ ପରିବେଶ ସୁରକ୍ଷା ପାଇଁ ଡାକରା ଦେଉଚୁ ଅଥଚ ପରିବେଶ ପ୍ରଦୂଷଣ କରୁଛୁ। ଜଙ୍ଗଲ କାଟି ସହର ବସାଉଛୁ। ନଈ, ଝରଣା ମଇଳା କରିଦେଉଛୁ। ଗାଁରେ ଚାଷ କରିବାକୁ ଯୁବକମାନେ ଚାହୁଁ ନାହାନ୍ତି, କାରଣ ଚାଷରେ ଲାଭ ହେଉନାହିଁ। ସମସ୍ତେ ସହର ଆସିବାକୁ ଆଗ୍ରହୀ, କାରଣ ସହରରେ ରୋଜଗାର ଅଛି ଅଥଚ କଥା କଥାକେ ଗାନ୍ଧୀଙ୍କ ଉଦାହରଣ ଦେଇ କହୁଛୁ ଯେ ବାପୁ କହୁଥିଲେ ଭାରତର ସ˚ସ୍କୃତି ତାର ସାତଲକ୍ଷ ଗାଁରେ ବ˚ଚିଛି।

ଗାନ୍ଧୀଜୀ ଗ୍ରାମ ସ୍ବରାଜ କଥା କହୁଥିଲେ ଓ ସେ ବାବଦରେ ବହି ଓ ଅନ୍ୟାନ୍ୟ ଲେଖା ଲେଖିଥିଲେ। ଆମେ ତାଙ୍କ ଉତ୍ତରାଧିକାରୀମାନେ ତାଙ୍କ ବିଚାରକୁ ଅଳିଆ ଟୋକେଇରେ ପକେଇ ଦେଇ ତାର ବିପରୀତ କାମ କରୁଚୁ। କିନ୍ତୁ ଏଣେ ତାଙ୍କର ଅମର କଥା ସବୁକୁ ସଦା ବେଳେ ଉଦ୍ଧାର କରି ଯେଉଁଠି ନା ସେଇଠି ପେସ୍‌ କରୁଛୁ। ପୂର୍ବ କାଳରେ ଏ ସବୁ କ୍ବଚିତ ଥିଲା। ପୁରୁଣା କାଳରେ ଭାରତୀୟ ଧନୀମାନେ ମଧ୍ୟ ନିରାଡ଼ମ୍ବର ଜୀବନ ବଞ୍ଚୁଥିଲେ। ସଂପତ୍ତିରେ ତାରତମ୍ୟ ରହୁଥିଲା; କିନ୍ତୁ ତାହା ବାହାରକୁ ଦିଶୁ ନ ଥିଲା। ଏବେ କିନ୍ତୁ ଅଲଗା କଥା। ଏବେ ପଇସା ବାଲାଏ ସେମାନଙ୍କ ଅର୍ଥ ଦେଖାଇବାକୁ ଉଦ୍‌ଗ୍ରୀବ।

ପଶ୍ଚିମା ଦେଶମାନଙ୍କରେ ଧନୀ ଗରିବଙ୍କ ବିରୋଧ ହେତୁ ଫରାସି ବିପ୍ଳବ ଓ ରୁଷ ବିପ୍ଳବ ହୋଇ ଯାଇଛି। ଯଦି ଭାରତରେ ଧନୀ ଓ ଗରିବଙ୍କ ଭିତରେ ଏଭଳି ବିଭେଦର ଭାବନା ବୃଦ୍ଧି ପାଏ, ତେବେ ଆମ ଦେଶରେ ସେମିତି ବିପ୍ଳବ ଘଟିବ କି?

ସତ କହିଲେ ଦାରିଦ୍ର୍ୟ ଅସମାନତାର ନିଦର୍ଶନ। କିନ୍ତୁ, ଭାରତୀୟ ସ˚ସ୍କୃତି ସମନ୍ବୟର ସ˚ସ୍କୃତି। ଏଠି ବିଭିନ୍ନତା ଓ ବହୁବିଧତା ମଧ୍ୟରେ ସମାନତା ଖୋଜିବାର ପ୍ରୟାସ କରାଯାଏ। ଏଠି ସାତ ହଜାର ବର୍ଷର ପ୍ରାଚୀନ ସଂସ୍କୃତି ଏକତ୍ର ସହାବସ୍ଥାନ ଉପରେ ଗୁରୁତ୍ବ ଦେଇଥାଏ। ତେଣୁ ଏବର ଭାରତରେ ଧନିକମାନେ ପ୍ରତିଦ୍ବନ୍ଦ୍ବିତା କରି ନିଜ ଧନର ଗର୍ବ ପ୍ରଦର୍ଶନ କରିବା ଆମ ସଂସ୍କୃତି ବିରୋଧୀ ଓ ପାଶ୍ଚାତ୍ୟ ଦ୍ବାରା ପ୍ରଭାବିତ ଭଳି ଲାଗେ।

ଆମର ଏଠି କଥାଟିଏ ଅଛି ଯେ ଯଦି ଜଣେ ନିଃସ୍ବ ହୋଇ ବି ତାର ଜୀବନକୁ ନେଇ ସନ୍ତୁ‌ଷ୍ଟ ଥାଏ, ତେବେ ସେ ଗରିବ ନୁହେଁ। କିନ୍ତୁ ପାଖରେ କୋଟିକୋଟି ଟଙ୍କା ଥାଇ ବି ଜଣେ ଯଦି ଅଧିକ ପାଇବା ଲାଗି ହାଇଁପାଇଁ ହୁଏ, ତେବେ ସେ ଗରିବ। ତେଣୁ ସେହି ନଜରରେ ଦେଖିଲେ ଭାରତରେ ଅନେକ ଗରିବ ପ୍ରକୃତରେ ଗରିବ ନୁହନ୍ତି। ସେମିତି ବହୁତ ଧନୀ ବି ଅସଲରେ ଗରିବ।

[email protected]

ସମ୍ବନ୍ଧିତ ଖବର