ଉପେକ୍ଷିତ ଜନ୍ମଦାତା

ଜୟଦେବ ସାହୁ

ପିତା-ମାତାଙ୍କ ଋଣ ଶୁଝିବା ପ୍ରତ୍ୟେକ ସନ୍ତାନର କର୍ତ୍ତବ୍ୟ। ହିନ୍ଦୁ ଶାସ୍ତ୍ର ମତରେ ୧୦୦ ବର୍ଷରେ ମଧ୍ୟ ସନ୍ତାନ ଜନ୍ମଦାତା ବା ଜନ୍ମଦାତ୍ରୀଙ୍କ ଋଣ ଶୁଝି ପାରେନାହିଁ। ମନୁ ସଂହିତା ଅନୁସାରେ ଶିକ୍ଷକଙ୍କଠୁ ପିତା ଏକଶତ ଗୁଣ ଅଧିକ ସମ୍ମାନନୀୟ ଏବଂ ମା’ ବାପାଙ୍କଠୁ ହଜାରେ ଗୁଣ ମହାନ। ଏଥିପାଇଁ ହିଁ ପିତା-ମାତାଙ୍କ ସେବା ଦ୍ବାରା ପୁଅ-ଝିଅର ସୁଖ ସମୃଦ୍ଧି ବୃଦ୍ଧି ହୁଏ।

ହେଲ୍‌ପଏଜ୍ ଇଣ୍ଡିଆର ପରିସଂଖ୍ୟାନ ଅନୁସାରେ ଭାରତରେ ଏବେ ଦଶ କୋଟି ବୃଦ୍ଧବୃଦ୍ଧା ଅଛନ୍ତି। ଏହି ସଂଖ୍ୟା ଆଗାମୀ ତିନି ଦଶକରେ ତିନି ଗୁଣ ହେବା ସମ୍ଭାବନା ଅଛି। ଏହି ଆକଳନ ଅନୁସାରେ ବାଙ୍ଗାଲୋର ଏବଂ ନାଗପୁର ସହରରେ ବାପାମା’ଙ୍କ ପ୍ରତି ନିର୍ଯାତନା ଦିଲ୍ଲୀ ଓ ଏବଂ କାନପୁରରୁ ଢେର ଅଧିକ। ୪୮ ପ୍ରତିଶତ ବାପା ଏବଂ ୫୨ ଶତକଡ଼ା ମା’ମାନେ ହିଂସାର ଶିକାର ହୋଇଥାନ୍ତି। ଦଶ ଜଣ ବୃଦ୍ଧବୃଦ୍ଧାଙ୍କ ଭିତରୁ ଚାରି ଜଣଙ୍କୁ ଗାଳିଗୁଳଜ କରାଯାଏ, ତିନି ଜଣଙ୍କୁ ଉପେକ୍ଷା କରାଯାଏ ଓ ଆଉ ତିନି ଜଣଙ୍କୁ ଅସମ୍ମାନ କରାଯାଏ। ଦଶ ଜଣଙ୍କ ମଧ୍ୟରୁ ଛ’ଜଣ କେବଳ ପୁଅ-ବୋହୂଙ୍କ ଦ୍ବାରା ନିର୍ଯାତିତ ହୋଇ ଥାଆନ୍ତି। କେବଳ ୭% ଝିଅମାନେ ପିତାମାତାଙ୍କୁ ହତାଦର କରିଥାଆନ୍ତି।

ମୁଖ୍ୟତଃ ଅାର୍ଥିକ କାରଣରୁ ବାପାମା’ ଅତ୍ୟାଚାରିତ ହୋଇଥାନ୍ତି। ପିତା-ମାତାଙ୍କ ରୋଜଗାର, ସ୍ଥାବର ଅସ୍ଥାବର ସମ୍ପତ୍ତି ଉପରେ ପୁଅ-ବୋହୂର ନଜର ଥାଏ। ଯଦି କୌଣସି କାରଣ ହେତୁ ପୁଅ-ବୋହୂଙ୍କ ହାତକୁ ଏସବୁ ଆସେ ନାହିଁ ତେବେ ସେମାନେ ଅତ୍ୟାଚାରିତ ଏବଂ ଉପେକ୍ଷିତ ହୁଅନ୍ତି। ଯେଉଁ ବାପାମା’ଙ୍କ ରୋଜଗାର ନାହିଁ, ସେମାନଙ୍କୁ ଗାଁରେ ଅସହାୟ କରି ଛାଡ଼ି ଦେଇ ପୁଅ-ବୋହୂ ସହରକୁ ରୋଜଗାର ପାଇଁ ଚାଲିଯାଆନ୍ତି। ପିତା-ମାତା ଗାଁରେ ଭୋକ ଉପବାସରେ ଛଟପଟ ହୁଅନ୍ତି। ଯେଉଁମାନେ ପୁଅ-ବୋହୂଙ୍କ ସହିତ ରହନ୍ତି ସେମାନେ ଅକଥନୀୟ ଯନ୍ତ୍ରଣା ଭୋଗ କରନ୍ତି। ଏଇ ନିକଟରେ ମାନ୍ୟବର ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଏହି ସମ୍ପର୍କରେ ଏକ ସମୟୋଚିତ ଆଦେଶ ଦେଇଛନ୍ତି। ଯେଉଁ ପୁତ୍ର ଓ ବୋହୂମାନେ ବୟସ୍କ ପିତାମାତାଙ୍କ ଠିକ୍ ଯତ୍ନ ନେଉ ନାହାନ୍ତି, ସେମାନେ ପିତାଙ୍କ ସମ୍ପତ୍ତିରୁ ବେଦଖଲ ହେବେ। ୨୦୦୭ ମସିହାର ମେନ୍‌ଟେନାନ୍‌ସ ଏଣ୍ଡ୍ ୱେଲଫେୟାର୍ ଅଫ୍ ପ୍ୟାରେଣ୍ଟ ଏଣ୍ଡ୍ ସିଟିଜେନ୍ ଆକ୍ଟ ଅନୁସାରେ ଯେଉଁ ପିତା-ମାତା ବା ଜେଜେବାପା-ଜେଜେମା’ଙ୍କ ଆୟ ନାହିଁ, ସେମାନେ ପୁଅ-ବୋହୂଠୁ ମାସିକ ଦଶ ହଜାର ଟଙ୍କା ପର୍ଯ୍ୟନ୍ତ ଦାବି କରି ପାରିବେ। ତେବେ ଲୋକ ଲଜ୍ଜା ଭୟରେ ଅନେକ ବାପାମା’ ପ୍ରାୟତଃ ଆଇନର ସହାୟତା ନେଇ ନ ଥାନ୍ତି ଓ ଭାଗ୍ୟକୁ ଆଦରି ପଡ଼ି ରହନ୍ତି।

ପୁରାଣରେ ଏବଂ ଇତିହାସରେ ଜନ୍ମଦାତା ବା ଜନ୍ମଦାତ୍ରୀଙ୍କ ପ୍ରତି ହିଂସା ଓ ନିର୍ଯାତନାର ଉଦାହରଣ କମ୍ ନାହିଁ। ବବ୍ରୁବାହନ ତାଙ୍କ ପିତା ଅର୍ଜୁନଙ୍କ ହତ୍ୟା କରିଥିଲେ। ପର୍ଶୁରାମ ତାଙ୍କ ମାତା ରେଣୁକାଙ୍କୁ ହତ୍ୟା କରିବାକୁ ପଛେଇ ନ ଥିଲେ। ରାଜକୁମାରମାନେ ସିଂହାସନ ପାଇଁ ପିତୃ ହତ୍ୟା କରିବା କଥା କିମ୍ବା ପିତା-ମାତାଙ୍କୁ ବନ୍ଦୀ କରି କାଳ କୋଠରିରେ ଆବଦ୍ଧ କରି ନିର୍ଯାତନା ଦେବା କଥା ଇତିହାସରୁ ଜଣାଯାଏ। ମଗଧ ରାଜା ବିମ୍ବିସାରଙ୍କୁ ପୁତ୍ର ଅଜାତଶତ୍ରୁ ସାମ୍ରାଜ୍ୟ ପାଇଁ ହତ୍ୟା କରିଥିଲେ। ଅଜାତଶତ୍ରୁଙ୍କ ପୁତ୍ର ଉଦୟଭଦ୍ର ମଧ୍ୟ ପିତାଙ୍କ ପଦାଙ୍କ ଅନୁସରଣ କରିଥିଲେ। କିନ୍ତୁ ଭାରତ ଭଳି ପାରମ୍ପରିକ ସମାଜରେ ପାଶ୍ଚାତ୍ୟ ଦେଶମାନଙ୍କ ଅପେକ୍ଷା ନିର୍ଯାତନା ହାର କମ୍‌ କାରଣ ଭାରତୀୟ ସଂସ୍କୃତି ପିତା-ମାତାଙ୍କ ସେବାକୁ ଭଗବାନଙ୍କ ସେବା ବୋଲି ବିବେଚନା କରେ। ମା’ଙ୍କୁ ସମାଜରେ ସର୍ବୋଚ୍ଚ ଆସନ ଦିଆଯାଏ। ତେଣୁ କୁହାଯାଏ “ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ”। ପିତା-ମାତାଙ୍କ ଋଣ ଶୁଝିବା ପ୍ରତ୍ୟେକ ସନ୍ତାନର କର୍ତ୍ତବ୍ୟ। ହିନ୍ଦୁ ଶାସ୍ତ୍ର ମତରେ ୧୦୦ ବର୍ଷରେ ମଧ୍ୟ ସନ୍ତାନ ଜନ୍ମଦାତା ବା ଜନ୍ମଦାତ୍ରୀଙ୍କ ଋଣ ଶୁଝି ପାରେନାହିଁ। ମନୁ ସଂହିତା ଅନୁସାରେ ଶିକ୍ଷକଙ୍କଠୁ ପିତା ଏକଶତ ଗୁଣ ଅଧିକ ସମ୍ମାନନୀୟ ଏବଂ ମା’ ବାପାଙ୍କଠୁ ହଜାରେ ଗୁଣ ମହାନ।

ଏଥିପାଇଁ ହିଁ ପିତା-ମାତାଙ୍କ ସେବା ଦ୍ବାରା ପୁଅ-ଝିଅର ସୁଖ ସମୃଦ୍ଧି ବୃଦ୍ଧି ହୁଏ। ଭଗବାନ ବିଷ୍ଣୁ ଋଷି ମାର୍କଣ୍ଡେୟଙ୍କୁ କହିଥିଲେ, “ଯେଉଁମାନେ ସେମାନଙ୍କ ପିତାଙ୍କୁ ଈଶ୍ବର ଏବଂ ମାତାଙ୍କୁ ପବିତ୍ର ଗଙ୍ଗା ଭାବରେ ସେବା କରନ୍ତି ସେମାନେ ହିଁ ପ୍ରକୃତରେ ମୋର ପରମ ଭକ୍ତ।’’ ମହାଭାରତ ସମୟର ପିତୃମାତୃ ଭକ୍ତ ପୁଣ୍ଡଲିକଙ୍କ କାହାଣୀ ଏଠାରେ ଅବତାରଣା କରାଯାଇପାରେ। ପ୍ରଥମେ ସେ ବାପାମା’ଙ୍କୁ ହତାଦର କରୁଥିଲେ। ବାପାମା’ ବାରଣାସୀକୁ ତୀର୍ଥ କରି ଯିବା ପାଇଁ ଚାହିଲେ। କିନ୍ତୁ ପୁଣ୍ଡଲିକ ପିତା-ମାତାଙ୍କୁ ଘରୁ ବିଦା କରିଦେଇଥିଲେ। ପରେ ତାଙ୍କର ମନ ପରିବର୍ତ୍ତନ ହେଲା ଏବଂ ନିଜର ଭୁଲ ବୁଝିପାରି ଘୋଡ଼ାରେ ଯାଇ ପିତା-ମାତାଙ୍କୁ ତୀର୍ଥ କ୍ଷେତ୍ରକୁ ନେଇଥିଲେ। ସେହି ଦିନ ଠାରୁ ସେ ବାପାମା’ଙ୍କ ସେବାରେ ଅବହେଳା କଲେ ନାହିଁ। ପ୍ରଭୁ କୃଷ୍ଣ ତାଙ୍କ ପାଖକୁ ଯିବା ପାଇଁ ବାହାରିଲେ। କୃଷ୍ଣ ତାଙ୍କ ଘରେ ପହଞ୍ଚିଲା ବେଳକୁ ସେ ବାପାଙ୍କ ପଦ ପ୍ରକ୍ଷାଳନ କରୁଥିଲେ। ଭଗବାନଙ୍କ ଆସିବାର ଜାଣି ସୁଦ୍ଧା ସେ ବାପା ନ ଶୋଇବା ପର୍ଯ୍ୟନ୍ତ ଆସିଲେ ନାହିଁ। ପୁଣ୍ଡଲିକ ଆସି କ୍ଷମା ପ୍ରାର୍ଥନା କଲେ। କୃଷ୍ଣ ତାଙ୍କ ପିତୃ ସେବାରେ ଖୁବ ଆନନ୍ଦିତ ହେଲେ ଏବଂ ବର ପ୍ରଦାନ କଲେ।

କଳାହାଣ୍ଡି ବିଶ୍ବବିଦ୍ୟାଳୟ, ଭବାନୀପାଟଣା
ମୋ- ୭୯୭୮୯୯୦୦୧୬

ସମ୍ବନ୍ଧିତ ଖବର