ସାମ୍ଭ୍ରାନ୍ତ୍ୟର ପରିଭାଷା

କହିବାର ଅଛି - ଦାଶ ବେନହୁର

ଫୁଲ ନ ଥାଇ କେଉଁ ବଗିଚା ନା ସ˚ସ୍କୃତି ନ ଥାଇ କେଉଁ ସଭ୍ୟତା?

ସମାଜରେ ସାମାଜିକ ବଡ଼ପଣ ବଜାୟ ରହେ ତା’ର ସମ୍ଭ୍ରାନ୍ତ ମଣିଷମାନଙ୍କ ଯୋଗୁଁ। ସମାଜ-ଘରର ସେମାନେ ଅସଲ ଖମ୍ବ। ଖମ୍ବ ନ ଥିଲେ ଚାଳ ଆପେ ମିଶିଯାଏ ମାଟିରେ। ତେଣୁ କାଳେ କାଳେ ଯେ କୌଣସି ସମାଜରେ ସମ୍ଭ୍ରାନ୍ତ ମଣିଷମାନଙ୍କର ଆବଶ୍ୟକତା ଥାଏ।

ଆଜି ଆମର ଏ ଗଣତାନ୍ତ୍ରିକ ରାଷ୍ଟ୍ର-ବ୍ୟବସ୍ଥାରେ ସମ୍ଭ୍ରାନ୍ତ କିଏ? କାହାକୁ ଆମେ ଆମ ଭିତରୁ ସେ ସ୍ତରକୁ ଉନ୍ନୀତ କରିପାରିବା? ଆରମ୍ଭରୁ କହିଦେବା ଉଚିତ ହେବ ଯେ ସବୁକାଳରେ ମଣିଷ ଭିତରେ ଏ ବିଚାରଟି ଅଛି। ସଭିଏଁ ସାଧାରଣ ମାତ୍ର ସେମାନଙ୍କ ଭିତରେ ଅସାଧାରଣ ଏଇ ସମ୍ଭ୍ରାନ୍ତମାନେ। ସେମାନଙ୍କ ଲାଗି ସମାଜର ମୁହଁ ଉଜ୍ଜ୍ବଳ ହୁଏ। ପତ୍ର ନ ଥିଲେ ଗଛ ନାହିଁ ମାତ୍ର ସମସ୍ତେ ଅନେଇ ରହନ୍ତି ଫୁଲ ଆଡ଼କୁ।

ସାଧାରଣ ଓ ସମ୍ଭ୍ରାନ୍ତ ଭିତରେ ଫରକ ଖୋଜି ବସିଲେ ଅନେକଙ୍କୁ ଅସମାନତା ବା ଗୋଟାଏ ଦୂଷଣୀୟ ସାମାଜିକ ବିଭାଜନ କଥା ଦିଶିପାରେ ମାତ୍ର ଏହା ଅସଲରେ ବିଭାଜନ ନୁହେଁ। ଫୁଲ କଥା କହିଲେ କ’ଣ ପତ୍ରମାନଙ୍କୁ ନ୍ୟୂନ କରି ସେ କଥା କରାଯାଏ? ଏବେ ଅବଶ୍ୟ ପତ୍ରକୋଷରୁ ଗଛ ତିଆରି କରାଗଲାଣି ହେଲେ ଗଛର ବ˚ଶ ପରିଚୟ ଓ ପରିବ୍ୟାପ୍ତି ଥାଏ ଫୁଲରେ। ଫୁଲ ହିଁ ଫଳକୁ ଜନ୍ମଦିଏ, ଫଳ ପୁଣି ଆଗକୁ ବୀଜ ଧାରଣ କରି ବିକ୍ଷେପ କରାଏ। ବ˚ଶ ବଢ଼େ। ସମାଜ ସେମିତି। ସାଧାରଣ ମଣିଷ ସମାଜ-ବୃକ୍ଷର ପତ୍ର ଭଳି। ପତ୍ର ନ ଥିଲେ ଗଛ, ଖାଦ୍ୟ ହିଁ ପାଇବ ନାହିଁ, ବଞ୍ଚିବ କେମିତି? ଗଛ ଯେ ଫୁଲ ଉଗାଏ ତା’ର ଭିତ୍ତି ସେଇ ପତ୍ର-ସମୂହ।

ସାମ୍ଭ୍ରାନ୍ତ୍ୟକୁ ଫୁଲ ସହ ତୁଳନା କରିବାର କାରଣ ହେଲା ଫୁଲ ନ ଥିଲେ ଫଳ ନ ଥିବା ପରି ସମ୍ଭ୍ରାନ୍ତ ମଣିଷ ନ ଥିଲେ ସମାଜର ସାମାଜିକତା ରହିବ ନାହିଁ କି ସଭ୍ୟତା ମୁଣ୍ତ ଟେକି ପାରିବ ନାହିଁ।

ସମୟ ବଦଳିଲେ ବ୍ୟବସ୍ଥା ବି ବଦଳେ, କେତେ କେତେ ମୂଲ୍ୟବୋଧ ବଦଳିଯାଏ। ଖାଦ୍ୟ, ପୋଷାକ, ବିଚାରଧାରା, ଶାସନ, ଅର୍ଥନୀତି ଆଦି ସବୁକଥାରେ ପରିବର୍ତ୍ତନ ଆସେ। ସେ ଦିନର ଏକୁଳି କୃଷି-ଭିତ୍ତିକ ଅର୍ଥନୀତି ଆଜି ଅଛି ନା ରାଜା ରାଜୁଡ଼ା ଶାସନ ଅଛି? ହାଣ୍ତି, ଆଟିକା, କଠଉ, କଳସ; ସବୁଥିରେ ପରିବର୍ତ୍ତନ। ସାତପୁଅର ସାଧବ ଏବେ ‘‘ଦେଶର ଆଜି ଏହି ଡାକ, ଛୁଆ କମ୍‌ ଗଛ ଅଧିକ’’ ରଟରେ ପଡ଼ିବାକୁ ବାଧୢ। ଅତଏବ ସେଇ ଏକା ଶବ୍ଦ ମଧୢ କାଳର କଷଟିରେ ତା’ର ପରିଭାଷା ବଦଳେଇ ଦିଏ। ଆଜି ସେଇ ‘‘ସମ୍ଭ୍ରାନ୍ତ’’ ଶବ୍ଦଟି ଅଛି, ହେଲେ ତା’ର ସ˚ଜ୍ଞା ବଦଳିଯାଇଛି।

ମନେ ରଖିବା ଦରକାର ଯେ ‘ସାମ୍ଭ୍ରାନ୍ତ୍ୟ’କୁ ଶ୍ରେଣୀରେ ପରିଣତ କରିଦେଲେ ତାହା ସାମାଜିକ ବିଭାଜନର ସୂତ୍ରପାତ କରେ। ଶ୍ରେଣୀ ଆଧାରରେ ସାମ୍ଭ୍ରାନ୍ତ୍ୟ ବିଚାର କରିବା ଏକ ପୁରୁଣାକାଳିଆ କଥା। ଅତୀତରେ କିଛି ଲୋକଙ୍କୁ ବ˚ଶ, ପଦମର୍ଯାଦା, ବୃତ୍ତି ଓ ସମ୍ପତ୍ତି ଆଧାରରେ ସମ୍ଭ୍ରାନ୍ତ ବୋଲି କୁହାଯାଉଥିଲା। ସେମାନେ ବ˚ଶାନୁକ୍ରମିକ ଭାବେ ଏକ ସ୍ତରଭିତ୍ତିକ ଶ୍ରେଣୀ ସୃଷ୍ଟି କରିଥିଲେ। ଗ୍ରୀସ୍‌, ରୋମ୍‌, ଭାରତ ଭଳି ସମାଜଗୁଡ଼ିକରେ ଆଗରୁ ସାମରିକ ପଦ ପଦବି ମାଧୢମରେ ମଧୢ ସେ ଗୁରୁତ୍ବ ଦିଆଯାଉଥିଲା। ହେଲେ ସେ କଥା କ’ଣ ଆଜି ଅଛି?

ଆଜି, ସମ୍ଭ୍ରାନ୍ତ କିଏ?

‘ସମ୍ଭ୍ରାନ୍ତ’ ଶବ୍ଦର ଅର୍ଥ ‘ଅଭିଜାତ’ ବୋଲି ଧରିଲେ ଆମେ ପ୍ରସିଦ୍ଧ ବ˚ଶଜ, କୁଳୀନ, ଜ୍ଞାନୀ, ଯୋଗ୍ୟ ବା ଶ୍ରେଷ୍ଠ ବ୍ୟକ୍ତିଙ୍କୁ ବୁଝିବା। ତେବେ ଏମାନଙ୍କୁ ଶ୍ରେଷ୍ଠ ବୋଲି କାହିଁକି କହିବା? ଭଲ ବ˚ଶର ହୋଇ ବା ପଣ୍ତିତ ହୋଇ ଯାହାଙ୍କର ସାମାଜିକ ଅବଦାନ କିଛି ନାହିଁ ସେ କୌଣସି ଲୋକକ୍ଷେତ୍ରରେ ଶ୍ରେଷ୍ଠ ହେବେ କେମିତି? ତାଙ୍କ ଧନ ତାଙ୍କର, ତାଙ୍କ ବୁଦ୍ଧି ତାଙ୍କର। ଆମେ ସେ ଭଳି ବ୍ୟକ୍ତିଙ୍କୁ ଶ୍ରେଷ୍ଠ ବୋଲି ମାନିବୁ କାହିଁକି? ‘ଶ୍ରେଷ୍ଠ’ ଶବ୍ଦଟି ମଧୢ ଅତୀତରେ କୁବେର, ରାଜା, ବ୍ରାହ୍ମଣ, ବିଷ୍ଣୁଙ୍କ କ୍ଷେତ୍ରରେ ବ୍ୟବହୃତ ହେଉଥିଲା। ଏ ପରିକି ଗାଈ କ୍ଷୀରକୁ ଶ୍ରେଷ୍ଠ ବୋଲି କୁହାଯାଉଥିଲା। ଏବେ କ୍ଷୀର ତ କାଠଗଡ଼ାରେ। ଆଦିବାସୀ ବିଚାରରେ କ୍ଷୀର ଅପବିତ୍ର। ଭେଗାନ୍‌ମାନେ କ୍ଷୀରକୁ ଆମିଷ ଭାବେ ଗ୍ରହଣ କରୁଛନ୍ତି।

ଶ୍ରେଷ୍ଠରୁ ଶ୍ରେଷ୍ଠୀ। ସେଇଥିରୁ କୁଆଡ଼େ ‘ଶେଠ୍‌’ ଶବ୍ଦର ସୃଷ୍ଟି। ଅତୀତରେ ବଣିକମାନଙ୍କୁ ମଧୢ ଶ୍ରେଷ୍ଠୀ ବୋଲି କୁହାଯାଇଛି। ଆଜିର ଗଣତାନ୍ତ୍ରିକ ସମାଜବାଦୀ ବ୍ୟବସ୍ଥାରେ ବଣିକମାନଙ୍କୁ ଆମେ ସମ୍ଭ୍ରାନ୍ତ ବୋଲି ଗ୍ରହଣ କରିପାରିବା କି?

ମାନବ ସଭ୍ୟତାର ଇତିହାସ କାଳେ କାଳେ ବ୍ୟକ୍ତି ଓ ବ୍ୟବସ୍ଥା ଭିତରେ ଥିବା ସ˚ଘର୍ଷକୁ ନେଇ ଗତି କରିଛି। ବ୍ୟବସ୍ଥାକୁ ବଦଳାଇ ବ୍ୟକ୍ତି ସବୁବେଳେ ଚେଷ୍ଟା କରିଛି ନିଜର ପ୍ରଭୁତ୍ବ ଦେଖାଇବା ଲାଗି। ସେମିତି ବ୍ୟବସ୍ଥା ବି ଚାହିଁଛି ବ୍ୟକ୍ତିକୁ କବଳିତ କରି ରଖିବା ପାଇଁ। ଏ ଲଢ଼େଇ ଚିରନ୍ତନ।

ଅତୀତର ଯେ ରାଜତନ୍ତ୍ର, ସେଥିରେ ଅନେକ ସମୟରେ ରାଜା ଥିଲେ ବ୍ୟବସ୍ଥାର ଏକ ଅ˚ଶ ମାତ୍ର। ତାଙ୍କର ବ୍ୟକ୍ତିପଣ ବ୍ୟବସ୍ଥା ଦ୍ବାରା ଏତେ କବଳିତ ଥିଲା ଯେ ଆଜିର ବ୍ୟକ୍ତି-ଅଧିକାର ଲାଗି ମଧୢ ସେମାନଙ୍କର ସୁଯୋଗ ନଥିଲା ସେତେବେଳେ। ଏଇଥିପାଇଁ ରାଜପଦ ତ୍ୟାଗ କରି କେତେ ଆପଣାର ବ୍ୟକ୍ତିପଣ ଖୋଜିବା ପାଇଁ ବନବାସୀ ହୋଇଛନ୍ତି, ତପସ୍ୟା କରିଛନ୍ତି। ଏ ସ˚କ୍ରାନ୍ତରେ ଭର୍ତ୍ତୃହରିଙ୍କ ଉପାଖ୍ୟାନଟି ବେଶ୍‌ ଶିକ୍ଷଣୀୟ। ଇ˚ଲଣ୍ତର ରାଜା ଏଡ୍‌ଵାଡ୍‌ ଅଷ୍ଟମଙ୍କୁ ଇତିହାସ ଗୋଟେ କାମୁକ, ପଳାୟନପନ୍ଥୀ କରି ସଜାଇ ଦେଲା। ମାତ୍ର ସତ କହିବାକୁ ଗଲେ ନିଜ ପସନ୍ଦର ଜଣେ ମହିଳାଙ୍କୁ ବିବାହ କରିବାକୁ ଯାଇ ବ୍ୟବସ୍ଥା ନିକଟରେ ତାଙ୍କୁ ହାର ମାନିବାକୁ ପଡ଼ିଥିଲା। ସେ ରାଜଗାଦି ଛାଡ଼ିଥିଲେ।

ଉପରକୁ ଦିଶେ ଯେ ରାଜତନ୍ତ୍ରରେ ବ୍ୟକ୍ତି ବୋଧେ ବଳୀୟାନ। ମାତ୍ର ଏ କଥା ସତ ନୁହେଁ। ବ୍ୟବସ୍ଥା ହିଁ ରାଜତନ୍ତ୍ରକୁ କବଳିତ କରେ। ଏଠାରେ ଜଣେ ବ୍ୟକ୍ତିର ସ୍ବାତନ୍ତ୍ର୍ୟ କଥା ପଡ଼ି ନାହିଁ। କାରଣ ରାଜତନ୍ତ୍ରରେ ରାଜାକୁ ଛାଡ଼ିଦେଲେ ବ୍ୟକ୍ତିପଣ କାଇଁ କାହାର?

ଏଇଠି ଆମେ ପ୍ରାଚୀନ ଭାରତର କଥା ଦେଖିବା। ଭାରତରେ ପ୍ରାଚୀନ ସମୟରୁ ସେଇମାନଙ୍କୁ ସମ୍ଭ୍ରାନ୍ତ ଭାବରେ ଗ୍ରହଣ କରାଯାଇଛି, ଯେଉଁମାନେ ମଣିଷ ସମାଜ ଆଗରେ ଉତ୍ତରିତ ଜୀବନ-ଧାରା ତୋଳି ଧରିଛନ୍ତି। ସେବକା ସମାଜରେ ସେମାନେ ଯେମିତି ଶ୍ରେଷ୍ଠ ବା ‘ଏଲିଟ୍‌’ ଥିଲେ ଆଜି ବି ସେମିତି ଅଛନ୍ତି। ଆକାଶକୁ ଚାହିଁଲେ ଲାଗେ ଆମ ଏ ପ୍ରାଚୀନ ଭୂଖଣ୍ତରେ କେତେ କେତେ ମହୀପତି ଯାଇଛନ୍ତି, ହେଲେ କାଇଁ ଜଣକ ନାମରେ ସୁଦ୍ଧା ତାରାଟିଏ ତ ନାମିତ ହୋଇନାହିଁ? ଏ ଶୁକ୍ର କିଏ? ବୃହସ୍ପତି କିଏ? ଜଣେ ଅସୁର ରାଜ୍ୟର ଗୁରୁ, ଜଣେ ଦେବତା ରାଜ୍ୟର ଗୁରୁ। ସପ୍ତର୍ଷି ମଣ୍ତଳରେ ମରୀଚି, ଅଙ୍ଗିରା, ଅତ୍ରି, ପୁଲସ୍ତ୍ୟ, ପୁଲହ, କ୍ରତୁ, ବଶିଷ୍ଠ ଆଦି ବ୍ୟକ୍ତିମାନେ କେଉଁ ରାଜପଣ ଯୋଗୁଁ ଯୁଗ ଯୁଗ ଧରି ଆକାଶ-କ୍ଷେତ୍ରରେ ସୁଦ୍ଧା ଶ୍ରେଷ୍ଠ ବୋଲାଇଛନ୍ତି? ଆମ ସାଧାରଣ ସମାଜରେ ଆଜି ବି ବ୍ୟାସ, ବାଲ୍ମୀକି, ଚରକ, ଶୁଶ୍ରୂତ, ପତଞ୍ଜଳି, ଯାଜ୍ଞବଳ୍‌କ, ଶୁକ, ସୌନକ, ଭରଦ୍ବାଜ, ଶଙ୍କରାଚାର୍ଯ୍ୟ ଆଦି ଶ୍ରେଷ୍ଠ ପଦରେ ଅଭିଷିକ୍ତ ହୋଇ ରହିଛନ୍ତି। ସେ ସ୍ତରକୁ କେଉଁ ବାହୁବଳୀ ଯାଇଛନ୍ତି? ସମ୍ରାଟ ବା ସୁଲତାନ୍‌?

ସମାଜ, ସମ୍ଭ୍ରାନ୍ତ ମଣିଷକୁ ବା ସାମ୍ଭ୍ରାନ୍ତ୍ୟକୁ ଛାତିରେ ଧରେ। ସବୁଠାରୁ ବଡ଼ କଥା ହେଲା ଏ ସମ୍ଭ୍ରାନ୍ତ ମଣିଷମାନେ ଜନପଦରେ ରହିବାକୁ ସୁଦ୍ଧା ପସନ୍ଦ କରୁ ନଥିଲେ ସେତେବେଳେ। ବ୍ୟବସ୍ଥା ବାହାରର ମହାରଣ୍ୟ ଥିଲା ଏମାନଙ୍କର ଜୀବନ-କ୍ଷେତ୍ର ତଥା ସାଧନା ଭୂମି।

ଏଇଠି ‘ସମ୍ଭ୍ରାନ୍ତ’ ମଣିଷର ସଂଜ୍ଞା ନିରୂପିତ ହୋଇଯିବା ଆବଶ୍ୟକ। ଇ˚ରେଜ ଚିନ୍ତକ ଲର୍ଡ ଲୋଥିଆନ୍‌ ଠାଏ କହିଛନ୍ତି- ‘‘ଜୀବନରୁ ଯେତିକି ନିଏ ଯେ ତା’ଠାରୁ ଅଧିକ ଦିଏ ସେ ହିଁ ସମ୍ଭ୍ରାନ୍ତ’’। ନିଜେ ଭଲ ଖାଇ, ଧନ ସମ୍ପତ୍ତି, କୋଠାବାଡ଼ି, ଗାଡ଼ିମଟର ସହ ସୁଖ ସମ୍ଭୋଗର ଚରମ ସୀମାରେ ପହଞ୍ଚିଥିବା ମଣିଷଟି ପ୍ରକୃତରେ ସମ୍ଭ୍ରାନ୍ତ ନୁହେଁ। ସେ ତ ଅସୁର ଭଳି ନିଜ ପେଟ ଲାଗି ସବୁ ଗିଳିଛି। ସେ କେବଳ ଗୋଟିଏ ପେଟ। ପେଟକୁ କିଏ ମନେ ରଖେ? ଲୋଥିଆନ୍‌ଙ୍କ କହିବା ଭଳି ଜୀବନକୁ ଅଧିକ ଦେବା ହିଁ ସମ୍ଭ୍ରାନ୍ତପଣିଆ। ଜୀବନ ଏଠାରେ ସାମୂହିକ ଜୀବନ ବା ସମାଜ। ତା’ର ଅର୍ଥ ହେଲା ମଣିଷ ଜନ୍ମ ପାଇ ସମାଜଠାରୁ ଆମେ ଯେତିକି ଆହରଣ କରୁ ତା’ଠାରୁ ଅଧିକ ଦେଇପାରିବାରେ ହିଁ ରହିଛି ସମ୍ଭ୍ରାନ୍ତପଣ? ଏଇ ଦେଇ ପାରିବାର ଉଚ୍ଚତମ ସୋପାନରେ ଯେ ପହଞ୍ଚିଛି ସେ ହିଁ ସମ୍ଭ୍ରାନ୍ତ। ସେ ହିଁ ବୁଝିଛି ବ୍ୟବସ୍ଥା ଭିତରେ ବ୍ୟକ୍ତିପଣର ଅସଲ ରହସ୍ୟ। ଉତ୍ତରିତ ଜୀବନ-ବୋଧର ଅର୍ଥ ନୁହେଁ ନିଜେ ଅୟସରେ ରହିବା। ଜନ-ସମୂହକୁ ବା ସମାଜକୁ ଅୟସ ଦେଇପାରିବା ହିଁ ସାମ୍ଭ୍ରାନ୍ତ୍ୟର ଅସଲ ଲକ୍ଷ୍ୟ।

ପାଶ୍ଚାତ୍ୟ ଜଗତରେ ନବଜାଗରଣ ଓ ଆବିଷ୍କାର ତଥା ଉଦ୍ଭାବନ ଧାରାରେ ଆସିଛି ବ୍ୟକ୍ତି ସ୍ବାତନ୍ତ୍ର୍ୟର ବାର୍ତ୍ତା। ଶିଳ୍ପ ବିପ୍ଳବ ଦେଇଛି ତାରତମ୍ୟର ଆଧୁନିକ ଭିତ୍ତିଭୂମି ଓ ତା’ସହିତ ଆସିଛି ସମାଜବାଦ, ସାମ୍ୟବାଦ, ବ୍ୟବସ୍ଥାରୁ ମୁକୁଳି ସ୍ବାଧୀନ ହେବାର ବାର୍ତ୍ତା। ପ୍ରାଚ୍ୟ ଜଗତରେ ବ୍ୟକ୍ତି ସ୍ବାତନ୍ତ୍ର୍ୟ କେଉଁକାଳୁ ଆସିଛି ଚେତନାରେ ମାତ୍ର ପାଶ୍ଚାତ୍ୟ ଜଗତର ବିଦ୍ବାନମାନେ ପଦାର୍ଥ ମାଧୢମରେ ଖୋଜି ପାଇଛନ୍ତି ତା’ର ସୁଗମ ପଥ। ଦୁଇଟି ଯାକରେ ଅଛି ସମ୍ଭ୍ରାନ୍ତପଣର ଅନ୍ବେଷା।

ମଣିଷ ଭାବେ ଯେ ସେ ନିଜ ଭିତରେ ବଞ୍ଚେ। ସେଇଥିଲାଗି କେଡ଼େ ସୁନ୍ଦର କରି କହିଦିଏ, ‘‘ଆପେ ବଞ୍ଚିଲେ ବାପର ନାଆଁ’’। କେତେ ତ କହନ୍ତି, ‘‘ମଣିଷ ଗୋଟାଏ ଦ୍ବୀପ। ସେ ଏକଲା। ସମାଜ ଯାହା କହୁଛି କହୁ, ତୁମେ କିନ୍ତୁ ମାଡ଼ି ଚାଲ’’। ଅସଲରେ ମଣିଷ ଅନ୍ୟ ଭିତରେ ହିଁ ବଞ୍ଚେ। ସମାଜ ବା ସମୂହ ତା’କୁ ତା’ର ସ୍ଥିତି ଦିଏ। କାହାକୁ ନେଇ ସେ ମଣିଷ? ତା’ର ଯେ ମନ, ତା’ର ଆଧାରଟି କ’ଣ?

ସାମ୍ଭ୍ରାନ୍ତ୍ୟ ଏକ ସାମାଜିକ ଶବ୍ଦ। ସମାଜ ନାଇଁ ତ ସାମ୍ଭ୍ରାନ୍ତ୍ୟ ନାଇଁ। ସେମିତି ସାମ୍ଭ୍ରାନ୍ତ୍ୟ ନାଇଁ ତ ସମାଜ ବି ନାଇଁ। ଅଠା ଛାଡ଼ିଗଲେ ବହିର ପୃଷ୍ଠା ଖସିଗଲା ପରି ସମାଜ ଫିଟିଯାଏ ଏଣେ ତେଣେ। ଠିକ୍‌ ଅର୍ଥରେ ଦେଖିଲେ ଯେଉଁ ସମାଜରେ ସମ୍ଭ୍ରାନ୍ତ ଲୋକଙ୍କ ସ˚ଖ୍ୟା ଯେତେ ଅଧିକ ତାହା ସେତେ ସାମାଜିକ, ସୁସ˚ହତ ଓ ବ୍ୟବସ୍ଥିତ। ବିଶେଷ କରି ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମ୍ଭ୍ରାନ୍ତ ଶବ୍ଦଟି ଅଧିକ ବିସ୍ତାରିତ ଓ ସାମାଜିକ। ତା’ର କାରଣ ହେଉଛି ଏଥିରେ ସମ୍ଭ୍ରାନ୍ତପଣ ଶ୍ରେଣୀ ଆଧାରିତ ନ ହୋଇ ସମ୍ପୂର୍ଣ୍ଣ ଭାବେ ବ୍ୟକ୍ତି ଆଧାରିତ। ଉତ୍ତରିତ ଜୀବନବୋଧ ପ୍ରକୃତରେ ଉତ୍ତରିତ ସମୂହବୋଧରେ ନିହିତ। ଏ କଥାଟି ନ ବୁଝିବା ଯାଏ ଆଧୁନିକ ସମୟରେ କେହି ସମ୍ଭ୍ରାନ୍ତ ବୋଲାଇ ପାରିବେ ନାହିଁ। ଧନ, କ୍ଷମତା, ପ୍ରତିପତ୍ତି ଏପରିକି ପାଣ୍ତିତ୍ୟ ଯେ ପର୍ଯ୍ୟନ୍ତ ସାମୂହିକ ନ ହୋଇଛି ସେ ପର୍ଯ୍ୟନ୍ତ ଉତ୍ତରିତ ଜୀବନବୋଧର ବାଟ ହିଁ ଫିଟିବ ନାହିଁ।

ସ˚ପ୍ରତି ବିଲ୍‌ ଗେଟ୍‌ସ୍‌, ଅଜିମ୍‌ ପ୍ରେମଜୀ, ରତନ ଟାଟା ଆଦି ଆମ ସମାଜରେ ଜଣେ ଜଣେ ଭଲ ମଣିଷର ସୁନାମ ଅର୍ଜନ କରିଛନ୍ତି। ଏଇ ଭଲ ମଣିଷ ହିଁ ସମ୍ଭ୍ରାନ୍ତ ମଣିଷ। ସେମାନେ ଧନୀ ବୋଲି କେହି ତାଙ୍କୁ ସମ୍ଭ୍ରାନ୍ତ କହୁନାହିଁ। ଧନର ସମୂହପଣ ହିଁ ସେମାନଙ୍କୁ ସମ୍ଭ୍ରାନ୍ତ କରିଛି। ଅନୁକରଣୀୟ କରିଛି। ଚିନ୍ତନ କ୍ଷେତ୍ରରେ ସୁଦ୍ଧା ଯେ ସାମୂହିକ ହୋଇପାରିଛି ସେ ମଧୢ ସମ୍ଭ୍ରାନ୍ତ ମଣିଷ। ଆମେ ଯେ ଉତ୍ତରିତ ଜୀବନ-ବୋଧ କଥା କହୁ ତା’ର ମୂଳ ତ ଚିନ୍ତନ-କ୍ଷେତ୍ର! ଚେତନା ନାଇଁ ତ କାର୍ଯ୍ୟାନ୍ବୟନ ନାହିଁ। ଅତଏବ ଯେଉଁ ମନୀଷୀଗଣ ସେମାନଙ୍କ ବକ୍ତବ୍ୟ ଓ ଲେଖାରେ ମଣିଷକୁ ସାମୂହିକ କରନ୍ତି, ସେମାନଙ୍କ ଭିତରେ ଥିବା ଜଡ଼ବୋଧକୁ ଦୂରେଇ ଦେବାରେ ସାହାଯ୍ୟ କରନ୍ତି ସେମାନେ ମଧୢ ସମ୍ଭ୍ରାନ୍ତ। ଭାରତର ମୁନି ଋଷିଗଣ ସେଇଥିପାଇଁ ସମ୍ଭ୍ରାନ୍ତ। ଆକାଶରେ ସୁଦ୍ଧା ସେଇଥିପାଇଁ ସେମାନେ ତାରାଙ୍କିତ।

ମୋହନ ଦାସ କରମ ଚାନ୍ଦ ଗାନ୍ଧୀ ତ ସାଧାରଣ ମଣିଷଟିଏ ଥିଲେ। ଯେ କୌଣସି ଆକାଂକ୍ଷା ପ୍ରଚୋଦିତ ବ୍ୟକ୍ତି ଭଳି ସେ ବିଲାତ ଯାଇଥିଲେ ବାରିଷ୍ଟରୀ ପାଠ ପଢ଼ିବାକୁ। ବିଲାତରୁ ଫେରି ନିଜ ବିଦ୍ୟାରେ ଅସଫଳ ହୋଇ ସେ ପୁଣି ଯାଇଥିଲେ ଦକ୍ଷିଣ ଆଫ୍ରିକା। ହେଲେ ଗୋଟିଏ ମାତ୍ର ବାର୍ତ୍ତା ତାଙ୍କୁ ବଦଳେଇ ଦେଲା। ସେ ସାଧାରଣରୁ ହୋଇଗଲେ ସମ୍ଭ୍ରାନ୍ତ, ତା’ପରେ ଆପେ ଲୋକେ ତାଙ୍କ ପଛରେ ଯୋଡ଼ିଲେ ମହାତ୍ମାପଦ। ହେଲେ ସେ ଛୋଟ ବାର୍ତ୍ତାଟି କ’ଣ? ଜନ୍‌ ରସ୍କିନ୍‌ଙ୍କର ‘‘ଅନ୍‌ ଟୁ ଦିସ୍‌ ଲାଷ୍ଟ’’ରୁ ସେ ପାଇଥିଲେ ଯେ ‘‘ମଣିଷର ଯେଉଁ ଆକା˚କ୍ଷିତ ସୁଖ ତାହା ସମୂହ ସୁଖରେ ନିହିତ’’। ସମାଜ ଯଦି ସୁଖୀ ନାହିଁ, ତୁମେ ନିଜେ ସୁଖୀ ହେବ କେମିତି?

ପଶୁ, ମୂଳତଃ ଆପଣା ସୁଖ ଖୋଜେ। ତା’ଭିତରେ ପ୍ରଥମେ ଅଛି ଆତ୍ମରକ୍ଷା ଲାଗି ଲଢ଼େଇ। ପଶୁ ସମାଜରେ ତେଣୁ ସମୂହ ଆତ୍ମରକ୍ଷା କଥା ଅଛି ହେଲେ ସମୂହ-ସୁଖ କଥା ନାହିଁ। ପୁଣି ସମୂହ-ସୁଖ ଉପରେ ଯେ ଭତ୍ତରିତ ଜୀବନ-ବୋଧ ସେ କଥା ମଣିଷ ଛଡ଼ା କୌଣସି ପଶୁ ବା ଇତରପ୍ରାଣୀ ଅନୁଭବ କରିପାରିବ ନାହିଁ।

ସମୂହ-ବିକାଶ ସକାଶେ ଉତ୍ତରିତ ଜୀବନ-ବୋଧର ସନ୍ଧାନରେ ଥିବା ବ୍ୟକ୍ତି ହିଁ ସମ୍ଭ୍ରାନ୍ତ। ସେଇ ଜୀବନ-ବୋଧର ଅନ୍ୟ ନାମ ସାମ୍ଭ୍ରାନ୍ତ୍ୟ। ଟଙ୍କା କଉଡ଼ିରେ, କୋଠାବାଡ଼ିରେ ଯେଉଁ ସନ୍ଧାନ ଜଡ଼ିତ ତାହା ଉଇ, ପିମ୍ପୁଡ଼ିମାନଙ୍କ କ୍ଷେତ୍ରରେ ବି ଅଛି। ମଣିଷ ତା’ଠାରୁ ଅଲଗା କେମିତି?

କହିବାର ଅଛି, ସାମ୍ଭ୍ରାନ୍ତ୍ୟ ନାହିଁ ମାନେ ଜୀବନ ପଶୁପରି ସାଧାରଣ। ମଣିଷ, ପଶୁ ଜାତିର ହେଲେ ବି ପଶୁ ନୁହେଁ। ସେ ସାମ୍ଭ୍ରାନ୍ତ୍ୟର ପ୍ରବଳ ସମ୍ଭାବନା ଥିବା ଏକ ମହତ୍ତର ପ୍ରାଣୀ। ଯେ ନିଜ ଭିତରେ ସେ କଥାକୁ ତିଆରିଛି, ସେ ହିଁ ପାଇଛି।

[email protected]

ସମ୍ବନ୍ଧିତ ଖବର