ଏକ ଅସାଧାରଣ ବଜେଟ୍‌

ମହାମେଘବାହନ ଐର ଖାରବେଳ ସ୍ବାଇଁ

ପୂର୍ବରୁ ଧାରଣା ଥିଲା, ବଜେଟ୍‌ ବୋଇଲେ କେଉଁ ଜିନିଷର ଦର ବଢ଼ିଲା କି କମିଲା। ଟିକସ କେତେ ବଢ଼ିଲା ବା କମିଲା। ଅର୍ଥାତ୍‌, ବଜେଟ୍‌ରୁ ଅଧିକା˚ଶ ଲୋକ କେତେ ଲାଭ ପାଇଲେ ତାହାହିଁ ଥିଲା ବଜେଟ୍‌କୁ ଆକଳନ କରିବାର ଏକମାତ୍ର ରାସ୍ତା। କିନ୍ତୁ ବଜେଟ୍‌ ଏକ ଆୟବ୍ୟୟର ହିସାବ ଖାତା ନୁହେଁ। ବଜେଟ୍‌ ଦ୍ବାରା ସରକାର ଜଣାଇଥାନ୍ତି କେଉଁ ମାର୍ଗରେ ଦେଶକୁ ନିଆଯିବ।

ଗତ ୨୦୨୦ ବିଶ୍ବ ପାଇଁ ଏକ ଶୋଚନୀୟ ସ୍ଥିତି ଆଣି ଦେଇଥିଲା, ଯେତେବେଳେ ମଣିଷ କ୍ଷୁଧା ଆଉ ମୃତ୍ୟୁରୁ ବଞ୍ଚିବା ଲାଗି ପ୍ରାଣ ଦେଇ ଲଢ଼ିଥିବା ବେଳେ ଏଥରର ବଜେଟ୍‌ର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଦେଶର ଅର୍ଥନୀତିକୁ କରୋନା ପୂର୍ବବର୍ତ୍ତୀ ଅବସ୍ଥାକୁ ଫେରାଇ ଆଣିବା। କେମିତି ସେହି ଲକ୍ଷ୍ୟ ସାଧିତ ହେବ, ସେ ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ସଫଳ ହେବାର ଅବସ୍ଥା ସୃଷ୍ଟି ହୋଇଛି ଏହି ବଜେଟ୍‌ ଯୋଗୁଁ। ହୁଏ’ତ ଦେଶର ଅନେକ ଲୋକ ଓ ବିଶେଷ କରି ରାଜନୈତିକ ଦଳମାନେ ଭଲ ବଜେଟ୍‌ ବୋଲି କହିଲେ କ’ଣ ବୁଝାଯାଏ, ତାହା ଅନେକ ସମୟରେ ଜାଣିନଥାନ୍ତି ଅବା ଜାଣି କରି ମଧୢ ଅଜଣା ରହିଥାନ୍ତି। ଅନେକ ସମୟରେ ଭଲ ବଜେଟ୍‌ କହିଲେ କେବଳ ବୁଝାଯାଏ ଲୋକମାନଙ୍କୁ ବିଭିନ୍ନ ପ୍ରକାର ଜିନିଷ ମାଗଣାରେ ଦେବା ଓ ବିଭିନ୍ନ ପ୍ରକାର ଟିକସକୁ କମାଇ ଦେବା। ଏ ବଜେଟ୍‌ରେ ଅବଶ୍ୟ ସେମିତି କିଛି ଲୋକମାନଙ୍କୁ ବଣ୍ଟାଯିବାର ବ୍ୟବସ୍ଥା ନାହିଁ। ତେଣୁ ହୁଏ’ତ, ବଜେଟ୍‌କୁ ଠିକ୍‌ ରୂପେ ବୁଝିନଥିବା ଲୋକମାନେ ପ୍ରଥମେ ଏହା ନୈରାଶ୍ୟଜନକ ବୋଲି ମନେ କରିପାରନ୍ତି। ବଜେଟ୍‌ ଆଗତ ହେବାର ମାତ୍ର ଦିନକ ପୂର୍ବରୁ ଶତାବ୍ଦୀର ଏହା ଶ୍ରେଷ୍ଠ ବଜେଟ୍‌ ବୋଲି ଅର୍ଥମନ୍ତ୍ରୀ ଯାହା କହିଥିଲେ, ତାହା କେବଳ ଏକ ଧୂଅଁାବାଣ ବୋଲି ମଧୢ ପରିହାସ କରିପାରନ୍ତି। କିନ୍ତୁ ବାସ୍ତବରେ ଦେଶର ଅର୍ଥନୀତି ପତନ ଅବସ୍ଥାରୁ ଉପରକୁ ମୁଣ୍ତ ଟେକି ନ ଉଠିଲେ, ଜନସାଧାରଣଙ୍କୁ ବିଭିନ୍ନ ସୁବିଧା ବଣ୍ଟାଯିବ କିପରି?

ଯେତେବେଳେ ୨୦୨୦ରେ କରୋନା ମହାମାରୀ ବ୍ୟାପିବାକୁ ଆରମ୍ଭ କଲା ସେତେବେଳେ ଦେଶର ଅର୍ଥନୀତି ଗତ ବର୍ଷର ସେହି ସମୟ ତୁଳନାରେ ପ୍ରାୟ ୨୩% ତଳକୁ ଖସି ଯାଇଥିଲା। ୨୦୨୦-୨୧ର ଦ୍ବିତୀୟ ତିନି ମାସ ଅର୍ଥାତ୍‌ ଜୁଲାଇ-ସେପ୍ଟେମ୍ବର ବେଳକୁ ଅର୍ଥନୀତିର ସ˚କୋଚନ ୨୩%ରୁ ୭.୭%କୁ ଖସିଆସିଲା। ବିଶେଷଜ୍ଞମାନଙ୍କ ଆକଳନ ଅନୁସାରେ ଆର୍ଥିକ ବର୍ଷ ୨୦୧୯-୨୦ ଅପେକ୍ଷା ୨୦୨୦-୨୧ରେ ମୋଟ ଆର୍ଥିକ ସ˚କୋଚନ ୭.୫%କୁ ଖସି ଆସିବ ବୋଲି ଆକଳନ କରାଯାଉଛି।

କିନ୍ତୁ ଚଳିତ ବଜେଟ୍‌ର ଉଦ୍ଦେଶ୍ୟ ହେଉଛି, ପୂର୍ବ ବର୍ଷ ତୁଳନାରେ ବଜେଟ୍‌କୁ କେମିତି ଉଠାଇବା, ତଳକୁ ଖସାଇବା ନୁହେଁ।

ବଜେଟ୍‌ ଆଗତ ପୂର୍ବରୁ ସବୁ ଅର୍ଥ ବିଶେଷଜ୍ଞ ଓ ସମ୍ବାଦପତ୍ରମାନେ କହୁଥିଲେ ଯେ, ଅର୍ଥନୀତିକୁ ପୁଣି ଉପରମୁହାଁ କରିବାକୁ, ସରକାରଙ୍କୁ ଖର୍ଚ୍ଚ କରିବାକୁ ପଡ଼ିବ। ସରକାର ଖର୍ଚ୍ଚ କଲେ ଯାଇ ଦେଶରେ ବ୍ୟବସାୟ, ବାଣିଜ୍ୟ, ଆର୍ଥିକ କାରବାର ବଢ଼ିବ। ଅର୍ଥ କେବଳ ସରକାରଙ୍କ ପାଖରେ ଅଛି। ସରକାର ହିଁ ତେଣୁ ଖର୍ଚ୍ଚ କରି ଅର୍ଥନୀତିକୁ ଉପରକୁ ଉଠାଇ ପାରିବେ। ନିର୍ମଳା ସୀତାରମଣ ଠିକ୍‌ ସେଇଆ ହିଁ କରିଛନ୍ତି। ସେ ବଜେଟ୍‌ରେ ଟ. ୩୪,୮୩,୨୩୬ କୋଟି ମୋଟ ଖର୍ଚ୍ଚ କରିବାର ବ୍ୟବସ୍ଥା କରିଛନ୍ତି ଯାହା ଦେଶର ମୋଟ ଜାତୀୟ ଉତ୍ପାଦ (ଜିଡିପି)ର ୧୫.୬% ଅଟେ। ସ୍ବାଧୀନ ଭାରତର ଇତିହାସରେ କୌଣସି ଅର୍ଥମନ୍ତ୍ରୀ ଜିଡିପିର ୧୩.୫%ରୁ ଅଧିକ ଖର୍ଚ୍ଚ କେବେହେଲେ କରିନାହାନ୍ତି। ବର୍ଷର ପରବର୍ତ୍ତୀ କାଳରେ ମୂଳ ପୁଞ୍ଜି ଖର୍ଚ୍ଚ ଜିଡିପିର ୩୫%କୁ ଉଠିପାରେ। ଅର୍ଥାତ୍‌, ସରକାର ଟ.୫.୫୪ ଲକ୍ଷ କୋଟିର ମୂଳଧନ ଲଗାଇବେ ଖର୍ଚ୍ଚ ପାଇଁ।

ଏକ ଠିକ୍‌ ନୀତି ହିସାବରେ ଏହି ବଜେଟ୍‌ରେ ଟିକାକରଣ ପାଇଁ ବିପୁଳ ଅର୍ଥ ଅର୍ଥାତ୍‌ ଟ.୩୫,୦୦୦ କୋଟିର ବ୍ୟୟ ବରାଦ କରାଯାଇଛି, ଯାହା ଭବିଷ୍ୟତ୍‌ରେ ଆହୁରି ମଧୢ ବଢ଼ିପାରେ। କାରଣ, ଲୋକ କରୋନା ସ˚କ୍ରମଣରୁ ମୁକ୍ତ ନ ହେଲେ କାମ କେମିତି କରିବେ ଅବା ଦେଶରୁ କରୋନା ଭୟ କେମିତି ଦୂର ହେବ ଏବ˚ କେମିତି ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇବ!

ଦେଶର ଖର୍ଚ୍ଚକୁ ବଢ଼ାଇବାକୁ ହେଲେ ବିଦେଶୀ ପୁଞ୍ଜି ଆଣିବା ପାଇଁ ମଧୢ ଏକ ବହୁତ ବଡ଼ ଆବଶ୍ୟକତା ଅଛି। ବିଶ୍ବରେ ଲକ୍ଷ ଲକ୍ଷ କୋଟି ଡଲାର କେବଳ ଘୂରି ବୁଲୁଛି, କେଉଁ ଜାଗାରେ ଲଗାଣ ହେବେ ବୋଲି। ସେମାନଙ୍କୁ କେବଳ ଭାରତକୁ ଟାଣି ଆଣିବା ହେଉଛି ମୁଖ୍ୟ କଥା। ଏହି ପୁଞ୍ଜି ମାଲିକମାନେ, ଖୋଜି ବୁଲୁଛନ୍ତି କେଉଁଠି ଏହାକୁ ଲଗାଇଲେ ଏକ ନିଶ୍ଚିତ ଲାଭା˚ଶ ମିଳିବ। ଏହି ପୁଞ୍ଜି ମାଲିକମାନେ ସ୍ବାଭାବିକ ଭାବରେ ଆମେରିକା, ୟୁରୋପ ବା ଜାପାନର ବଜାରକୁ ଯିବା କଥା! କିନ୍ତୁ ଏହି ଦେଶମାନଙ୍କର ବଜାରମାନେ ମଧୢ ଏବେ ପତନମୁଖୀ ଅବସ୍ଥାରେ ଅଛନ୍ତି। ସେଠାରେ ଅର୍ଥଲଗାଣ କଲେ ଅତି ଅଳ୍ପ ଲାଭା˚ଶ ମିଳିବ। କେତେକ ଜାଗାରେ ପୁଞ୍ଜି ଲଗାଣ ଉପରେ ଆଦୌ ଲାଭା˚ଶ ମଧୢ ମିଳୁନାହିଁ। ତେଣୁ ଭାରତ ସରକାର ଭିିତ୍ତିଭୂମି ନିର୍ମାଣ ପାଇଁ ଯେଉଁ ବିପୁଳ ଅର୍ଥ ବିନିଯୋଗର କଥା କହୁଛନ୍ତି, ତାହା ସେ ନିଜେ ଅର୍ଥ ଆଣି ଲଗାଣ କରିବେ ନାହିଁ। ତାହା ମୁଖ୍ୟତଃ ଏହି ବିଦେଶୀ ପୁଞ୍ଜିରୁ ଅଣାଯାଇପାରିବ।

ଭାରତ ସରକାର ଏବେ କେତେକ ନୂଆ ପୁଞ୍ଜିଲଗାଣକାରୀ ସ˚ସ୍ଥାମାନ ସୃଷ୍ଟି କରିଛନ୍ତି। ସେମାନେ ହେଲେ ‘ଡେଭେଲପ୍‌ମେଣ୍ଟ ଫାଇନାନ୍‌ସିଆଲ୍‌ ଇନଷ୍ଟିଚ୍ୟୁସନ’(ଆର୍ଥିକ ବିକାଶ ପ୍ରତିଷ୍ଠାନ), ‘ଇନ୍‌ଫ୍ରାଷ୍ଟ୍ରକ୍‌ଚର ଇନ୍‌ଭେଷ୍ଟମେଣ୍ଟ ଟ୍ରଷ୍ଟ’ (ଭିିତ୍ତିଭୂମି ପୁଞ୍ଜିଲଗାଣ ଟ୍ରଷ୍ଟ) ଓ ‘ନେସନାଲ୍‌ ମନିଟାଇଜେସନ୍‌ ପାଇପ୍‌ଲାଇନ୍‌’। ଏହି ସବୁ ସ˚ସ୍ଥାମାନ ସରକାରଙ୍କ ପାଖରେ ଅକାମି ହୋଇ ରହିଥିବା ଜାଗାକୁ ବିକ୍ରି କରି ଅବା ସେମାନଙ୍କୁ ବାଣିଜ୍ୟିକ କାରବାରରେ ଲଗାଇ ଅର୍ଥ ଉଠାଇବେ। ଏହି ସବୁ ପ୍ରତିଷ୍ଠାନମାନଙ୍କରେ ବିଦେଶୀ ପୁଞ୍ଜି ନିବେଶକମାନେ ସେମାନଙ୍କର ଅର୍ଥ ଲଗାଇବେ। ସାଧାରଣତଃ ସେମାନଙ୍କ ପାଇଁ ଏହି ପ୍ରତିଷ୍ଠାନ ବା ପ୍ରକଳ୍ପମାନେ ବିପଦମୁକ୍ତ ହୋଇଥିବା ଦରକାର। ସେମାନେ ନେସନାଲ୍‌ ମନିଟାଇଜେସନ୍ ପାଇପ୍‌‍ଲାଇନକୁ ଅଧିକ ଅର୍ଥ ଯୋଗାଇ ଦେବେ।

ଟିକସ ଦାନ କ୍ଷେତ୍ରରେ ଅତୀତରେ ଭାରତରେ ଯେଉଁ ଅସୁବିଧାମାନ ଥିଲା, ଏହି ବଜେଟ୍‌ରେ ସେ ସବୁକୁ ହଟାଇ ଦିଆଯାଇଛି। ଅତୀତରେ ଭାରତରେ ଟିକସ ଦାନ ପଦ୍ଧତି ଅତି ଜଟିଳ ଥିଲା। ୟୁପିଏ ସରକାର କ୍ଷମତାରେ ଥିଲା ବେଳେ ୟୁ.କେ.ର ଭୋଡ଼ାଫୋନ କମ୍ପାନି ପାଖରୁ ଦେୟ ଆଣିବାର ୩ ବର୍ଷ ପରେ ପୁଣି ଟ.୩,୫୦୦ କୋଟି ଦେୟ ବାକି ଅଛି ବୋଲି ଦାବି କରିବାରୁ କେବଳ ସେହି କମ୍ପାନି ପାଇଁ ନୁହେଁ, ସାରା ବିଶ୍ବରେ ଏହାର ଏକ ନକାରାତ୍ମକ ଚିତ୍ର ଖେଳିଯାଇଥିଲା। ଭାରତ ସରକାର ଟିକସ ଆଦାୟ କ୍ଷେତ୍ରରେ ନିଶ୍ଚିତ ନୀତିର ପାଳନ କରୁନାହାନ୍ତି ବୋଲି ସେତେବେଳେ ପ୍ରଚାର ହୋଇଥିଲା। ତେଣୁ ବିଦେଶୀ ପୁଞ୍ଜି ନିବେଶକମାନେ ଭାରତକୁ ଆସିବାକୁ କୁଣ୍ଠିତ ହେଲେ।

କେବଳ ସେତିକି ନୁହେଁ, ବୀମା କ୍ଷେତ୍ରରେ ବିଦେଶୀ ପୁଞ୍ଜିକୁ ଏବେ ୭୨% ପର୍ଯ୍ୟନ୍ତ ବଢ଼ାଇ ଦିଆଗଲା। ଏହା ଫଳରେ ଭାରତକୁ ବହୁ ଅଧିକ ବିଦେଶୀ ପୁଞ୍ଜି ଆସିପାରିବ ଯାହାକୁ ଦେଶର ଭିିତ୍ତିଭୂମି ଓ ଅନ୍ୟ ଅନେକ କ୍ଷେତ୍ରରେ ଲଗାଯାଇପାରିବ।

ବାଜପେୟୀଙ୍କ ସରକାର ବେଳେ ସରକାରୀ କମ୍ପାନିମାନଙ୍କର ପୂର୍ଣ୍ଣ ଅବା ଆ˚ଶିକ ବିକ୍ରି ନିଷ୍ପତ୍ତିକୁ ନେଇ ସାରା ଦେଶରେ ବ୍ୟାପକ ଆଲୋଡ଼ନ ସୃଷ୍ଟି ହୋଇଥିଲା। ସେତେବେଳେ ବିରୋଧୀ ଓ ବିଶେଷ କରି ବାମପନ୍ଥୀମାନେ ପ୍ରଚାର କରୁଥିଲେ ଯେ, ସରକାର ଏ ଦେଶକୁ ବିକିଦେଲେ। ସେତେବେଳେ ପ୍ରଚାର କରାଯାଉଥିଲା ଯେ, ସରକାରୀ କମ୍ପାନିମାନେ ହେଉଛନ୍ତି ଦେଶର। ଘରୋଇ କମ୍ପାନିମାନେ ଦେଶର ନୁହନ୍ତି। କିନ୍ତୁ ସରକାରୀ କମ୍ପାନି ବା ବ୍ୟାଙ୍କ୍‌ମାନଙ୍କରେ ସରକାର ଅର୍ଥ ଠୁଳ କରି ରଖିବେ କାହିଁକି? ସେଠାରୁ ସେହି ଅର୍ଥକୁ ବାହାର କରିଆଣି ଦେଶର ଜନମଙ୍ଗଳକାରୀ କାର୍ଯ୍ୟରେ ଲଗାଇବେ ନାହିଁ କାହିଁକି? ଏଣୁ ଦୁଇଟି ବ୍ୟାଙ୍କ୍‌ ଓ ଗୋଟିଏ ବୀମା କମ୍ପାନିକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବ୍ୟାଙ୍କ୍‌ ଓ ସରକାରୀ କମ୍ପାନିମାନଙ୍କୁ ସରକାର ବିକ୍ରି କରିଦେବେ ବୋଲି ଏହି ବଜେଟ୍‌ରେ ସ˚କେତ ଦେଇଛନ୍ତି। ଏହାଦ୍ବାରା ସରକାରଙ୍କ ପାଖକୁ ଅନେକ ସମ୍ବଳ ଆସିପାରିବ।

ସରକାର ଏତେ ଖର୍ଚ୍ଚ କରିବା ପାଇଁ ଋଣ କରିବାକୁ ବାଧୢ। କାରଣ ସରକାରଙ୍କର ରାଜସ୍ବ ଆଦାୟ ଏହି ତୁଳନାରେ ଯଥେଷ୍ଟ ନୁହେଁ। ସରକାରଙ୍କ ଆକଳନ ଅନୁସାରେ ତାଙ୍କ ଋଣ ଟ.୧୫.୦୭ ଲକ୍ଷ କୋଟି ହେବ। ଏହି ଋଣ ମଧୢରୁ ବଜାରରୁ ସରକାର ଟ.୯.୬୮ ଲକ୍ଷ କୋଟି ଋଣ ଉଠାଇବେ। ଦେଶର ସ୍ବଳ୍ପ ସ˚ଚୟ ପାଣ୍ଠିମାନଙ୍କରୁ ଟ.୪ ଲକ୍ଷ କୋଟି ଉଠାଇବେ। ଏହାଛଡ଼ା ଅନ୍ୟ କେତେକ କ୍ଷେତ୍ରରୁ ସରକାର ଅର୍ଥ ଉଠାଇବେ।

ସାଧାରଣତଃ ଦେଶର ଅର୍ଥନୀତିକୁ ସଚଳ କରିବା ପାଇଁ ବ୍ୟାଙ୍କ୍‌ମାନଙ୍କର ଏକ ପ୍ରମୁଖ ଭୂମିକା ଥାଏ। କିନ୍ତୁ ମୁଖ୍ୟତଃ କରୋନା କାରଣ ଯୋଗୁଁ ଭାରତର ସରକାରୀ ବ୍ୟାଙ୍କ୍‌ମାନଙ୍କ ପାଖରୁ ଯେଉଁମାନେ ଋଣ ନେଇଛନ୍ତି, ସେମାନେ ଏଯାଏ ତାହା ଫେରାଉ ନାହାନ୍ତି। ତେଣୁ ଅଧିକ ଋଣ ଦେବାକୁ ବ୍ୟାଙ୍କ୍‌ମାନଙ୍କ ପାଖରେ ଆଉ ଅର୍ଥ ନାହିଁ। ବ୍ୟାଙ୍କ୍‌ମାନେ ଋଣ ନ ଦେଲେ, ଦେଶର ଅର୍ଥନୈତିକ କାରବାର ଏକପ୍ରକାର ଅଚଳ ହୋଇପଡ଼ିବ।

ବ୍ୟାଙ୍କ୍‌ମାନେ ଲୋକଙ୍କୁ, କ୍ଷୁଦ୍ର ବ୍ୟବସାୟକୁ ଋଣ ଦିଅନ୍ତୁ ସେଥିପାଇଁ ସରକାର ସେମାନଙ୍କୁ ମୂଳଧନ ଯୋଗାଇ ଦେଇଛନ୍ତି। ଅବଶ୍ୟ ଏହା ସତ କଥା ଯେ, ମାତ୍ର ଟ.୨୦,୦୦୦ କୋଟିର ନୂଆ ମୂଳଧନ ବ୍ୟାଙ୍କ୍‌ମାନଙ୍କ ପାଇଁ ଯଥେଷ୍ଟ ନୁହେଁ। କିନ୍ତୁ ସରକାର ଏହି ପ୍ରଥମ ମୂଳଧନ ଯୋଗାଇ ଦେବା ଫଳରେ ବ୍ୟାଙ୍କ୍‌ମାନେ ବଜାରରୁ ଅଧିକ ମୂଳଧନ ସ˚ଗ୍ରହ କରିବାକୁ ସାହସ କରିବେ।

ଷ୍ଟକ୍‌ ମାର୍କେଟ୍‌ ହେଉଛି ଗୋଟିଏ ଦେଶର ଆର୍ଥିକ ଭାବନାର ପରିପ୍ରକାଶ। ଅର୍ଥାତ୍‌, ଦେଶର ଅର୍ଥନୀତି ଠିକ୍‌ ଭାବରେ ଚାଲିଛି କି ନାହିଁ, ତାହା ଏହି ଷ୍ଟକ୍‌ ମାର୍କେଟ୍‌ର ଉଠାପକାରୁ ଜଣାପଡ଼ିଥାଏ। ଯଦି ପୁଞ୍ଜିଲଗାଣକାରୀମାନେ ଭାବନ୍ତି ଯେ କୌଣସି କମ୍ପାନି ଅବା ଦେଶର ଅର୍ଥନୀତି ଉପର ଆଡ଼କୁ ଯାଉଛି, ତେବେ ସେମାନେ ବିଭିନ୍ନ କମ୍ପାନିମାନଙ୍କର ଅ˚ଶଧନରେ ଅଧିକ ଅର୍ଥ ବିନିଯୋଗ କରିଥାନ୍ତି। ବିଦେଶୀ ଆନୁଷ୍ଠାନିକ ନିବେଶକ (ଏଫ୍‌.ଆଇ.ଆଇ.)ମାନେ ମଧୢ ଯେଉଁ ଦେଶର ଷ୍ଟକ୍‌ ମାର୍କେଟ୍‌ରେ ଅଧିକ ଲାଭ ମିଳିବାର ସମ୍ଭାବନା ଅଛି, ସେଠାରେ ସେମାନଙ୍କର ପୁଞ୍ଜିଲଗାଣ କରିଥାନ୍ତି।

ଏଥରର ବଜେଟ୍‌ ଆଗତ ପରେ ଷ୍ଟକ୍‌ ମାର୍କେଟ୍‌ର ଲଗାଣକାରୀମାନେ ଭାବୁଛନ୍ତି, ଏହା ଏକ ଅସାଧାରଣ, ନଜିରବିହୀନ ବଜେଟ୍‌। କାରଣ, କରୋନା ମହାମାରୀ ସମୟରେ ଯେତେବେଳେ ଦେଶର ଆର୍ଥିକ ଅବସ୍ଥା ଅନେକ ଖରାପ ହୋଇଯାଇଛି ଓ ସରକାରଙ୍କ ରାଜସ୍ବ ଆଦାୟ ମଧୢ କମିଯାଇଛି ସେତେବେଳେ ଏତେ ବେଶି ବ୍ୟୟ ସରକାର କରିବେ ବୋଲି ଆଶା କରି ବଜେଟ୍‌ ଉପସ୍ଥାପନା କରିବା ନିଶ୍ଚିତ ଭାବରେ ଏକ ଅସାଧାରଣ ଓ ଅପରିକଳ୍ପନୀୟ ଘଟଣା ଅଟେ।

ବମ୍ବେ ଷ୍ଟକ୍‌ ମାର୍କେଟ୍‌ ଏହି ବଜେଟ୍‌ ଉପସ୍ଥାପନ ପରେ ୨,୩୧୪.୮୪ ଅଙ୍କ ଅର୍ଥାତ୍‌ ୫% ଉପରକୁ ଉଠିଯାଇଥିଲା। ଦିନ ଶେଷକୁ ବମ୍ବେ ଷ୍ଟକ୍‌ ଏକ୍‌ସଚେଞ୍ଜ୍‌ (ବିଏସ୍‌ଇ) ୪୮,୭୪୬.୪୦ ଅଙ୍କରେ ସମାପ୍ତ ହୋଇଥିଲା। ୧୯୯୭ ପରେ ବଜେଟ୍‌ ଆଗତ ଦିନ ଷ୍ଟକ୍‌ ମାର୍କେଟ୍‌ ଏତେ ବେଶି କେବେ ବଢ଼ିନଥିଲା। ଏହି ବଜେଟ୍‌ ଆଗତ ପୂର୍ବ ଦିନ ବିଏସ୍‌ଇର ମୋଟ ମୂଲ୍ୟ ଟ. ୬,୩୪,୦୬୯.୬୭ କୋଟି ଥିଲା ବେଳେ, ମାତ୍ର ଗୋଟିଏ ଦିନରେ ନିବେଶକମାନେ ଟ.୬.୩୪ ଲକ୍ଷ କୋଟି ଅଧିକ ଅର୍ଥ ପାଇଗଲେ।

କେନ୍ଦ୍ର ସରକାର ଏହି ବଜେଟ୍‌ରେ ସରକାରୀ ଉଦ୍ୟୋଗମାନଙ୍କର ଘରୋଇକରଣ ପାଇଁ ଜୋରଦାର ଭାବରେ ଲାଗିଯାଇଛନ୍ତି, ଯେମିତି ଅଟଳ ବିହାରୀ ବାଜପେୟୀଙ୍କ ସରକାର ବେଳେ ଘଟିଥିଲା। ବଜେଟ୍‌ ଆଗତ ବେଳେ ନିର୍ମଳା ସୀତାରମଣ ଘୋଷଣା କରିଥିଲେ ଯେ ଆଇଡିବିଆଇ ବ୍ୟାଙ୍କ୍‌କୁ ଛାଡ଼ିଦେଲେ କେନ୍ଦ୍ର ସରକାର ଅତି କମ୍‌ରେ ଦୁଇଟି ସରକାରୀ ବ୍ୟାଙ୍କ୍‌ ଓ ଗୋଟିଏ ଜେନେରାଲ୍‌ ଇନ୍‌ସୁରାନ୍‌ସ କମ୍ପାନିକୁ ବିକ୍ରି କରିବେ। ୨୦୨୧-୨୨ ଆର୍ଥିକ ବର୍ଷରେ ଏହା ଘଟିବ।

ଯେଉଁ କମ୍ପାନିମାନଙ୍କୁ ବିକ୍ରି କରାଯିବ ସେମାନେ ହେଲେ ଏୟାର ଇଣ୍ତିଆ, ବି.ପି.ସି.ଏଲ., ସିପିଙ୍ଗ କର୍ପୋରେସନ ଅଫ ଇଣ୍ତିଆ, କଣ୍ଟେନର କର୍ପୋରେସନ ଅଫ ଇଣ୍ତିଆ, ଆଇ.ଡି.ବି.ଆଇ ବ୍ୟାଙ୍କ୍‌, ବି.ଇ.ଏମ.ଏଲ.(ଭାରତ ଆର୍ଥ ମୁଭରର୍ସ), ପବନହ˚ସ (ହେଲିକେପ୍ଟର କମ୍ପାନି) ଓ ନୀଳାଚଳ ଇସ୍ପାତ ନିଗମ। କେବଳ ରେଳବାଇ, ପ୍ରତିରକ୍ଷା ଉତ୍ପାଦନ, ମହାକାଶ ଓ ଆଣବିକ ଶକ୍ତି ପରି କ୍ଷେତ୍ରମାନଙ୍କୁ ସରକାର ହାତରେ ରଖି ଅନ୍ୟ ସବୁ ସରକାରୀ କମ୍ପାନିମାନଙ୍କୁ ବିକ୍ରି କରି ସେଥିରୁ ବାହାରୁଥିବା ଅର୍ଥରେ ଭିିତ୍ତିଭୂମି ନିର୍ମାଣ କରିବେ। କାରଣ ବେପାର କରିବା ସରକାରଙ୍କର କାମ ନୁହେଁ। ଜୀବନ ବୀମା ନିଗମରେ ଏବେ ୭୨% ବିଦେଶୀ ପୁଞ୍ଜି ଲାଗିବାକୁ ଅନୁମତି ଦିଆହୋଇଛି; ତେଣୁ ଏ କ୍ଷେତ୍ରରେ ମଧ୍ୟ ଅନେକ ବିଦେଶୀ ପୁଞ୍ଜି ଭାରତକୁ ଆସିବ। ଭାରତ, ମେକ୍‌ ଇନ୍‌ ଇଣ୍ତିଆ ଓ ଷ୍ଟାର୍ଟ‌୍‌ ଅପ୍‌ ଇଣ୍ତିଆ ଯୋଜନା ଦ୍ବାରା ଅଧିକ ଶିଳ୍ପଦ୍ୟୋଗୀ ସୃଷ୍ଟି କରିବ ଓ ଆତ୍ମନିର୍ଭରଶୀଳତା ଆଡ଼କୁ ଆଗେଇବ। ଏହା ହିଁ ହେବ ଆଗାମୀ ଦିନରେ ଭାରତର ଆର୍ଥିକ ଉଦୟର କାହାଣୀ।

ମୋ- ୯୪୩୭୦୨୦୨୯୦
[email protected]

ସମ୍ବନ୍ଧିତ ଖବର