୨୦୨୦ରେ ଗଣତନ୍ତ୍ର

ଦର୍ପଣ

୨୦୨୦ ମସିହା ବିଶ୍ବ ସ୍ବାସ୍ଥ୍ୟ ପାଇଁ ବିନାଶକାରୀ ସାବ୍ୟସ୍ତ ହୋଇଥିବା ବେଳେ ଏହି ବର୍ଷଟି ଗଣତନ୍ତ୍ର ପାଇଁ ମଧ୍ୟ ଶୁଭଙ୍କର ନ ଥିଲା ବୋଲି ‘ଦି ଇକୋନୋମିକ୍ ଇଣ୍ଟେଲିଜେନ୍‍ସ ୟୁନିଟ୍’ (‘ଇଆଇୟୁ’) ଦ୍ବାରା ସଦ୍ୟ ପ୍ରକାଶିତ ‘ଗଣତନ୍ତ୍ର ସୁସ୍ଥ ନା ରୋଗାକ୍ରାନ୍ତ?’ ଶୀର୍ଷକ ଗଣତନ୍ତ୍ର ସୂଚକାଙ୍କ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ୨୦୦୬ ମସିହାରୁ ଆରମ୍ଭ ହୋଇଥିବା ଏହି ସୂଚକାଙ୍କ ଦର୍ଶାଇଛି ଯେ ୨୦୨୦ ମସିହାରେ ବିଶ୍ବ ସ୍ତରରେ ଗଣତନ୍ତ୍ର ନିକୃଷ୍ଟତମ ସ୍ଥିତିକୁ ଖସିଯାଇଛି। ୧୬୭ଟି ଦେଶକୁ ନେଇ ପ୍ରସ୍ତୁତ କରାଯାଇଥିବା ଏହି ତାଲିକା ମଧ୍ୟରୁ ୭୦ଟି ଦେଶର ହାରାହାରି ପ୍ରଦର୍ଶନ ପୂର୍ବ ବର୍ଷ ତୁଳନାରେ ନିମ୍ନଗାମୀ ହୋଇଛି। ୬.୬୧ ଅଙ୍କ ହାସଲ କରି ଭାରତ ଏହି ସୂଚକାଙ୍କରେ ପୂର୍ବ ବର୍ଷ ଠାରୁ ଦୁଇ ଅଙ୍କ ଖସିଯାଇ ୫୩ତମ ସ୍ଥାନରେ ରହିଛି। ଭାରତକୁ ‘ତ୍ରୁଟିପୂର୍ଣ୍ଣ ଗଣତନ୍ତ୍ର’ ତାଲିକାରେ ରଖାଯାଇଛି ଯେଉଁଥିରେ ଆମେରିକା, ଫ୍ରାନ୍ସ, ବେଲଜିୟମ୍ ଓ ବ୍ରାଜିଲ୍ ଭଳି ଦେଶ ମଧ୍ୟ ସାମିଲ ଅଛନ୍ତି। ଜନସାଧାରଣଙ୍କ ଅଧିକାର ଉପରେ ସରକାରଙ୍କ ବଳ ପ୍ରୟୋଗ, ନାଗରିକତା ପାଇଁ ଧର୍ମ ଏକ ପ୍ରସଙ୍ଗ ହୋଇଥିବା ଭଳି କିଛି କାରଣରୁ ୨୦୧୪ରେ ୨୭ତମ ସ୍ଥାନ ହାସଲ କରିଥିବା ଭାରତ ୨୦୨୦ରେ ୫୩ତମ ସ୍ଥାନକୁ ଖସିଆସିଛି ବୋଲି ‘ଇଆଇୟୁ’ ସଂଗଠନ ତରଫରୁ କୁହାଯାଇଛି। ତେବେ ଭାରତର ସମସ୍ତ ପଡ଼ୋଶୀ ଦେଶ ଏହି ସୂଚକାଙ୍କରେ ଭାରତ ଠାରୁ ପଛରେ ରହିଛନ୍ତି। ଶ୍ରେଷ୍ଠ ଗଣତନ୍ତ୍ର ରୂପେ ନର‍େଵ ଏହି ସୂଚକାଙ୍କର ଶୀର୍ଷରେ ରହିଥିବା ବେଳେ ଆଇସ୍‍ଲାଣ୍ଡ୍, ସ୍ବିଡେନ୍, ନ୍ୟୁଜିଲାଣ୍ଡ୍ ଓ କାନାଡା ଶୀର୍ଷ ପାଞ୍ଚଟି ଗଣତାନ୍ତ୍ରିକ ଦେଶର ମାନ୍ୟତା ହାସଲ କରିଛନ୍ତି। ଦକ୍ଷିଣ କୋରିଆ ଏହି ସୂଚକାଙ୍କରେ ସବା ତଳେ ରହିଛି। ୨୩ଟି ଦେଶକୁ ‘ସଂପୂର୍ଣ୍ଣ ଗଣତନ୍ତ୍ର’, ୫୨ଟି ଦେଶକୁ ‘ତ୍ରୁଟିପୂର୍ଣ୍ଣ ଗଣତନ୍ତ୍ର’, ୨୫ଟି ଦେଶକୁ ‘ମିଶ୍ର ଗଣତନ୍ତ୍ର’ ଓ ୫୭ଟି ଦେଶକୁ ‘ପ୍ରଭୁତ୍ବବାଦୀ’ ତାଲିକାରେ ରଖାଯାଇଛି।

ସମ୍ବନ୍ଧିତ ଖବର