୧୯୯୧ ମସିହାରେ ସବୁ କଥାରେ ସରକାରଙ୍କ ଅନୁମତି ବା ଲାଇସେନ୍ସ ରାଜତ୍ୱକୁ ପରିତ୍ୟାଗ କରି ଭାରତ ସ୍ୱାଧୀନ ଉଦାର ଅର୍ଥନୈତିକ ବ୍ୟବସ୍ଥା ଆପଣେଇବାକୁ ନିଷ୍ପତ୍ତି ନେଲା ବେଳେ ଦେଶର ଅବସ୍ଥା ଦେବାଳିଆ ଥିଲା। ଚଳିବାକୁ ଟଙ୍କା ନାହିଁ, ଆମଦାନିକୁ ଧନ ନାହିଁ, କୋଟି କୋଟି ଟଙ୍କା ଖର୍ଚ୍ଚରେ ସରକାରୀ କାରଖାନା ସବୁ ଧଳା ହାତୀ। ବାହାର ଦେଶ ଓ ଆନ୍ତର୍ଜାତିକ ସଂସ୍ଥାମାନେ ଋଣ ଦେବାକୁ ମୁହଁମୋଡ଼ି ଦେଉଥିଲେ, ଭାରତ କରଜ ଶୁଝିପାରିବ ବୋଲି କାହାରି ଭରସା ନଥିଲା। ଚନ୍ଦ୍ରଶେଖରଙ୍କ ୨୨୩ ଦିନିଆ ମନ୍ତ୍ରୀମଣ୍ଡଳରେ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କ ସେହି ବର୍ଷ ଫେବ୍ରୁଆରି ମାସରେ ପାର୍ଲିଆମେଣ୍ଟରେ ଅନ୍ତରୀଣ ବଜେଟ୍ ଭାଷଣ ଅନୁଯାୟୀ ଭାରତ ପାଖରେ ସେତେବେଳେ ମାତ୍ର ୩୧୪୨ କୋଟି ଟଙ୍କାର ବୈଦେଶିକ ମୁଦ୍ରା ଥିଲା, ଯାହା ମାସକ ଆମଦାନିକୁ ନିଅଣ୍ଟ। ସୁନା ବନ୍ଧା ପକେଇ ଉଧାର ଆଣିବା, କରଜ କରିବା ପ୍ରଥା ସହ ଆମେ ଏକପ୍ରକାର ଅଭ୍ୟସ୍ତ। କିନ୍ତୁ ସାମାଜିକ ଦୃଷ୍ଟିକୋଣରୁ କେହି ଏହାକୁ ଅନ୍ୟ ଆଗରେ ପ୍ରକାଶ କରିବାକୁ ପସନ୍ଦ କରନ୍ତିନି କାରଣ ଚଳିବାକୁ ଘର ସମ୍ପତ୍ତି ବନ୍ଧା ଦେବା ଦାରିଦ୍ର୍ୟର ଏକ ଚରମ ପର୍ଯ୍ୟାୟ ଏବଂ ସାଇ ପଡ଼ିଶାରେ ସାମାଜିକ ଭାବମୂର୍ତ୍ତିର ଅବକ୍ଷୟ ବୋଲି ଧରାଯାଏ। ସରକାର ଯଦି ସେହି କାମ କରନ୍ତି ସମାନ ନ୍ୟାୟରେ ତାହା ଦେଶର ପରିଚୟରେ ଆଞ୍ଚ ଆଣେ। କିନ୍ତୁ ପରିସ୍ଥିତି ଏତେ ଉତ୍କଟ ଥିଲା ଯେ ସରକାର ନିରୁପାୟ ହୋଇ ୪୭ ଟନ୍ ସୁନା ଉଡ଼ାଜାହାଜରେ ନେଇ ବ୍ୟାଙ୍କ୍ ଅଫ ଇଂଲଣ୍ଡରେ ବନ୍ଧା ପକେଇ ଅଳ୍ପ କିଛି ଟଙ୍କା ଋଣ ଆକାରରେ ଆଣିଥିଲେ। ସ୍ୱାଧୀନତା ମିଳିବାର ୪୦ରୁ ଅଧିକ ବର୍ଷ ପରେ ଗରିବୀ ମଉଳିବାର ଚିହ୍ନ ବର୍ଣ୍ଣ ଦେଖା ନଯିବା ଅନେକଙ୍କୁ ବିସ୍ମିତ କରୁଥିଲା, ଲାଗୁଥିଲା ମହରଗରୁ ଆସି କାନ୍ତାରରେ ପଡ଼ିବା ଭଳି, ସତେ ଯେମିତି ଚର୍ଚ୍ଚିଲଙ୍କ କଟାକ୍ଷ ଯେ ଆମେ ଦେଶ ଚଳାଇବାକୁ ଅଯୋଗ୍ୟ ଦୋହରେଇ ହୋଇ ଚାଲିଛି। ପୂର୍ବରୁ ଇଂରେଜମାନେ ଇଂଲଣ୍ଡର କାରଖାନା ଚଳେଇବାକୁ, ନିଜ ଦେଶର ସମୃଦ୍ଧି ପାଇଁ ଆମକୁ ଶୋଷୁଥିଲେ, କିନ୍ତୁ ସ୍ୱାଧୀନ ଭାରତରେ କ’ଣ ଅସୁବିଧା ଥିଲା? ବହୁ ତର୍ଜମା ପରେ ଦେଖାଗଲା ସରକାର ହିଁ ବିକାଶର ବାଧକ, ରାଜନୈତିକ ସ୍ୱାଧୀନତା ସିନା ମିଳିଛି କିନ୍ତୁ ଅର୍ଥନୈତିକ ସ୍ୱାଧୀନତା ନୁହେଁ। ଶାସନ ବ୍ୟବସ୍ଥା ଏଭଳି କଟକଣା ଜାଲରେ ବାନ୍ଧି ହୋଇଛି ଯେ ସାଧାରଣ ଲୋକଟିଏ ଜୀବିକା ଉପାର୍ଜନ ପାଇଁ କିଛି କରିବାକୁ ଚାହିଁଲେ ବି ସରକାରୀ ଅଫିସରେ ଟେବୁଲ ଚେୟାର ପଛରେ ମାଳ ମାଳ ଅନୁମତି (ଲାଇସେନ୍ସ) ପାଇଁ ଗୋଡ଼େଇ ଗୋଡ଼େଇ ନୟାନ୍ତ ହେଉଛି। ଦୋକାନ ହେଉ କି କାରଖାନା ଇଟା ଖଣ୍ଡେ ଥୁଆ ନହେଉଣୁ ସରକାରୀ ବାବୁ ହାଜର, ତାଙ୍କ ସେବା କରୁ କରୁ ପକେଟ ଖାଲି। ବିଶେଷଜ୍ଞମାନେ ମତ ଦେଲେ ସୁଖ ସ୍ବାଚ୍ଛନ୍ଦ୍ୟରେ ବଂଚିବା ପାଇଁ ଜନସାଧାରଣଙ୍କ ଆଶା ଆକାଂକ୍ଷାକୁ ରୂପ ଦେବାକୁ ହେଲେ ପୁରୁଣା ରାସ୍ତା ଛାଡ଼ି ନୂଆ ରାସ୍ତାରେ ଯିବାକୁ ହେବ ଯେଉଁଥିରେ ସରକାର ବ୍ୟବସାୟ ନକରି ଲୋକଙ୍କୁ ବ୍ୟବସାୟ କରିବାର ବାଟ ସୁଗମ କରିବେ। ଏହା ସମ୍ଭବ, ଯଦି ସରକାର ଅବାଞ୍ଛିତ ନିୟମ ପେନ୍ଥାକୁ ହଟେଇ ଏକ ମୁକ୍ତ ପରିବେଶ ପାଇଁ ବାଟ ପରିଷ୍କାର କରିବେ ଯେଉଁଠି ଅବାଧରେ ସାଧାରଣ ଲୋକଙ୍କ ପୁଞ୍ଜି ସେମାନଙ୍କ ବୁଦ୍ଧି, ବିବେକ, ଉଦ୍ୟମରେ ପ୍ରସ୍ଫୁଟିତ ହେବାକୁ ସୁଯୋଗ ପାଇବ।
ଏହି ନୂଆ ବ୍ୟବସ୍ଥା ବା ଉଦାରୀକରଣ ଅର୍ଥନୀତିର ଫଳ ସ୍ୱରୂପ ଇନିସ୍ପେକ୍ଟର ରାଜତ୍ବର ସମାଧି ପାଇଁ ମୂଳଦୁଆ ପଡ଼ିବା ସହ ଭାରତକୁ ବିଦେଶୀ ପୁଞ୍ଜି ଆସିବାର ବାଟ ଫିଟିବା ଆରମ୍ଭ ହେଲା। ଏହା ଭିନ୍ନ ପ୍ରସଙ୍ଗ ଯେ ଅର୍ଥନୈତିକ ସଂସ୍କାରର ପ୍ରସ୍ତୁତିପର୍ବ ଯଦିଓ ଭି ପି ସିଂହ ସରକାର ଅମଳରୁ ଆରମ୍ଭ ହୋଇଥିଲା, ଜୁନ୍ ୨୧, ୧୯୯୧ରେ ପି ଭି ନରସିଂହରାଓ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ଲାଗି ରହିଥିବା ରାଜନୈତିକ ସ୍ଥାଣୁତା ଏହାକୁ ଜନ୍ମ ଦେବାକୁ ସକ୍ଷମ ହୋଇପାରିନଥିଲା। ପ୍ରଧାନମନ୍ତ୍ରୀ ପଦ ପାଇଁ ମନୋନୀତ ହେବା ମାତ୍ରେ ରାଓ ଅର୍ଥ ମନ୍ତ୍ରୀ ଦାୟିତ୍ୱ ସମ୍ଭାଳିବାକୁ ଜଣେ ଅର୍ଥନୀତି ବିଶାରଦଙ୍କୁ (ମନମୋହନ ସିଂହ) ଖୋଜିଲେ ଯିଏ ଲୋକଙ୍କ ଆବଶ୍ୟକତାକୁ ବୁଝି ନୂଆ ବଜାର ଅର୍ଥନୀତିକୁ (ମାର୍କେଟ ଇକୋନୋମି) ଜୀବନ୍ୟାସ ଦେଇପାରିବେ। ନୂଆ ବ୍ୟବସ୍ଥାର ଆବଶ୍ୟକତା ବୁଝାଇବା ଅବସରରେ ସିଂହ ପାର୍ଲିଆମେଣ୍ଟରେ ସେତେବେଳେ ଫରାସୀ ଲେଖକ ଭିକ୍ଟର ହ୍ୟୁଗୋଙ୍କ ମନ୍ତବ୍ୟକୁ ଉଦ୍ଧାର କରି କହିଥିଲେ ଯେ ‘ସମୟ ସ୍ରୋତରେ ନୂଆ ଚିନ୍ତାଧାରାକୁ ବିଶ୍ୱର କୌଣସି ଶକ୍ତି ଅଟକେଇ ପାରେନାହିଁ, ଭାରତକୁ ବିଶ୍ୱର ବୃହତ ଅର୍ଥନୈତିକ ଶକ୍ତିରେ ପରିଣତ କରିବା ସେମିତି ଏକ ଭାବନା, ଦେଶ ଏବେ ଜାଗି ଉଠିଛି, ସବୁ ବାଧା ବିଘ୍ନକୁ ଠେଲି ଆମେ ସଫଳ ହେବୁ।’ ପ୍ରଧାନମନ୍ତ୍ରୀ ରାଓ ସ୍ୱାଧୀନତା ଦିବସ ଭାଷଣରେ ସ୍ୱାଧୀନ ଅର୍ଥନୀତି ଦେଶକୁ ‘ଆର୍ଥିକ ଦୁର୍ଗତିରୁ ବଞ୍ଚେଇ ଦେଇଛି’ ବୋଲି କହିଥିଲେ। ତେବେ ପରାଧୀନତାର ବିଷକୁ ସ୍ୱାଧୀନତାର ଅମୃତରେ ପରିଣତ କରିବା, ସ୍ୱେଚ୍ଛାଚାରିତାର ଅନ୍ଧ ଗଳିରେ ଉଦ୍ଭାସିତ ଦୁନିଆର ପରିକଳ୍ପନା, ରାଜାଙ୍କୁ ପ୍ରଶ୍ନ ପଚାରିବାର ସ୍ବପ୍ନ ଦେଖିବା ଯେତେ ରଙ୍ଗିନ ମନେ ହେଲେ ହେଁ ସମୁଦ୍ର ଢେଉ ରାସ୍ତାରେ ବାଲି ଦିଅଁ ଗଢ଼ିବା ଭଳି ବିବିଧତାରେ ସାନ୍ଧି ହୋଇଥିବା ଭାରତର ସାମାଜିକ କାନଭାସରେ କୌଣସି ସଂସ୍କାରୀ ଚିନ୍ତାଧାରାକୁ ବାସ୍ତବିକତାର ରୂପ ଦେବା ସହଜ ନୁହେଁ। ସେଥିପାଇଁ ଆବଶ୍ୟକ ଧୈର୍ଯ୍ୟ, ପ୍ରତ୍ୟୟ ଓ ପ୍ରତିବଦ୍ଧତା। କାରଣ ସଂସ୍କାର ଏକ ନୂତନ ପରିକଳ୍ପନା, ନିରନ୍ତର ପ୍ରୟାସର ସଫଳ ସୃଷ୍ଟି। ରାଓ-ସିଂହ ଯୋଡ଼ିଙ୍କ ପାଖରେ ସେ ଆତ୍ମବିଶ୍ୱାସ ଅଭାବ ନଥିଲେ ବି ନିଜ ଦଳ ଭିତରେ ଓ ବାହାରେ ଗୋଳିପାଣିରେ ବିଶ୍ୱାସୀ ସ୍ୱାର୍ଥନ୍ୱେଷୀ ଗୋଷ୍ଠୀଙ୍କ ପ୍ରତିରୋଧର ଚାପରେ ତାଙ୍କ ସଂଖ୍ୟାନ୍ୟୂନ ସରକାରରେ ଉଦାରୀକରଣ ଗାଡ଼ିର ବେଗ ପରବର୍ତ୍ତୀ ସମୟରେ ଧିମେଇ ଯାଇଥିଲା।
ଚାଷ ଦେଶରେ ୬୦ ଭାଗ ଲୋକଙ୍କ ଜୀବିକା, ଖାଦ୍ୟଶସ୍ୟ ଉତ୍ପାଦନରେ (୩୦ କୋଟି ଟନ୍, ୨୦୨୦-୨୧) ଭାରତ ପୃଥିବୀର ଦ୍ୱିତୀୟ ବୃହତ୍ତମ ରାଷ୍ଟ୍ର, ପୂରା ଦେଶର ଲୋକେ ଦେଢ଼ ବର୍ଷ ଖାଇ ପାରିବେ, ଏଫ୍ସିଆଇ ଗୋଦାମରେ ଏତେ ଚାଉଳ, ଗହମ ଇତ୍ୟାଦି ନଷ୍ଟ ହୁଏ (୬୧,୮୨୪ ଟନ୍) ଯେ ୮ ଲକ୍ଷ ଲୋକ ବର୍ଷେ ଖାଇବେ। କିନ୍ତୁ କୋଟି କୋଟି ପେଟ ପାଇଁ ଆହାର ଯୋଗାଡୁଥିବା ଚାଷୀ ନିଜେ ଗଣ୍ଡେ ଭଲ ଖାଇବାକୁ କି ପିନ୍ଧିବାକୁ ପାଏ ନାହିଁ (ପରିବାରର ହାରାହାରି ବାର୍ଷିକ ଆୟ ୭୭,୧୨୪ ଟଙ୍କା, ଖର୍ଚ୍ଚ ୭୪,୬୭୬ ଟଙ୍କା- ୨୦୧୩ ସର୍ଭେ)। ମନମୋହନ ପ୍ରଧାନମନ୍ତ୍ରୀ (୨୦୦୪-୧୪) ହେଲା ପରେ ଆଶା କରାଯାଉଥିଲା ସେ କୃଷି କ୍ଷେତ୍ରରେ ସଂସ୍କାର ଆଣି ଚାଷୀଙ୍କୁ ଅଣ୍ଟା ସଳଖି ଠିଆ କରେଇବେ। ଆଶା କରିବା ସ୍ୱାଭାବିକ କାରଣ ସେ ପେସାଦାର ନେତା ନୁହନ୍ତି, ପୁରୁଣା ଢାଞ୍ଚାରୁ ନୂଆକୁ ଗୋଡ଼ ବଢ଼େଇବା ଅଭିଜ୍ଞତା ପୂର୍ବରୁ ଅଛି ଏବଂ ଅଟଳ ବିହାରୀ ବାଜପେୟୀ ସରକାରଙ୍କ ‘ଇଣ୍ଡିଆ ସାଇନିଙ୍ଗ’ ପ୍ରଚାର ବିରୁଦ୍ଧରେ ଜନମତ ସୃଷ୍ଟି କରି କ୍ଷମତାକୁ ଆସିଥଲେ। ମନମୋହନ କିନ୍ତୁ ସେ ଦିଗରେ ବେଶୀ ମନ ଦେଲେନି। ବରଂ ବିନା ସ୍ୱଚ୍ଛତାରେ ଶାସନ କଳକୁ ‘ଚଲତା ହେ’ ଗୁଳାରେ ଚଳେଇ ସେ ବହୁ ସ୍କାମ୍ର ସମ୍ମୁଖୀନ ହେଲେ। ଗଲା ୩୦ ବର୍ଷରେ ଟେଲିକମ, ପରିବହନ (ଆଧୁନିକ କାର୍, ମୋଟରସାଇକେଲ, ସ୍କୁଟର ଇତ୍ୟାଦି), ବ୍ୟବସାୟ (ସପିଙ୍ଗ ମଲ୍) ଓ ଅନ୍ୟାନ୍ୟ କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ରାଓ-ସିଂହଙ୍କ ସାହସିକ ପଦକ୍ଷେପ ଯୋଗୁ ହିଁ ସମ୍ଭବ ହୋଇଛି ନିଶ୍ଚୟ କିନ୍ତୁ ଉଦାରୀକରଣ ଗଛକୁ କେବଳ ଉତ୍ପାଦନ (ମାନୁଫାକଚରିଂ) ଓ ଅର୍ଥ ପରିଚାଳନା (ଫାଇନାନ୍ସ) କ୍ଷେତ୍ରରେ ବନସାଏ କରି ରଖିବା ଫଳରେ ଏହାର ସୁଫଳ ୧୩୫ କୋଟି ଲୋକଙ୍କ ପାଇଁ ଏବେ ମଧ୍ୟ ଅପହଞ୍ଚ ହୋଇ ରହିଛି।
ଦେଶରେ ଯଦି ମାତ୍ର ଏକ ଭାଗ ଲୋକ ମୋଟ ଆୟର ୭୩ ଭାଗର ଅଧିକାରୀ, ୬୩ ଜଣ ଆରବପତିଙ୍କ ସମୁଦାୟ ସମ୍ପତ୍ତି ୨୦୧୮-୧୯ କେନ୍ଦ୍ର ବଜେଟ୍ (୨୪,୪୨,୨୦୦ କୋଟି) ଠାରୁ ଅଧିକ (ଅକ୍ସଫାମ ରିପୋର୍ଟ) ତା’ର କାରଣ ସରକାରୀ ଫାଶରୁ ସବୁ କ୍ଷେତ୍ର ଏପର୍ଯ୍ୟନ୍ତ ମୁକୁଳି ପାରିନାହିଁ, ଅର୍ଥାତ୍ ଅନେକ ବିଭାଗ ଅର୍ଥନୈତିକ ସଂସ୍କାର ପ୍ରକ୍ରିୟାରୁ ବହୁ ଦୂରରେ। ବେଶୀ କ୍ଷତିଗ୍ରସ୍ତ ଚାଷ, ସବୁଠାରୁ ଅଧିକ ଲୋକଙ୍କ ଭାତହାଣ୍ଡି। ଦେଶରେ ଖାଦ୍ୟ ସୁରକ୍ଷା ଦେଉଥିବା ଚାଷୀ ଖାଦ୍ୟ ସୁରକ୍ଷା ଆଇନର ପ୍ରଧାନ ଉପଭୋକ୍ତା। କଟକଣାର ମାୟାଜାଲରେ ଚାଷୀ ଏଭଳି ବନ୍ଦୀ ଯେ ଫସଲ କେଉଁଠି, କାହାକୁ, କେତେବେଳେ, କେତେ ଦରରେ ବିକିବ ନିଜେ ସେ ସ୍ୱାଧୀନ ନିଷ୍ପତ୍ତି ନେବାର ଅଧିକାର ନାହିଁ। ଗଲା ୨୦ ବର୍ଷ ଭିତରେ ଯେତେ ବିଶେଷଜ୍ଞ ମତ ଦେଇଛନ୍ତି, ଯେତେ ପାର୍ଲିଆମେଣ୍ଟ କମିଟି, ବିଶ୍ୱବିଦ୍ୟାଳୟରେ ଗବେଷଣା, ଜାତୀୟ ଓ ପ୍ରାଦେଶିକ ସରକାରୀ ଅନୁଷ୍ଠାନ, ପ୍ରତି ବର୍ଷ ପ୍ରାକ-ବଜେଟ୍ ଅର୍ଥନୈତିକ ସର୍ଭେ ରିପୋର୍ଟ୍ ଆସିଛି ସବୁଥିରେ ୬୦ ବର୍ଷର ପୁରୁଣା ଏପିଏମ୍ସି ଆଇନ ପ୍ରଧାନ ଶତ୍ରୁ ବୋଲି ଦର୍ଶାଯାଇଛି। ବିଡ଼ମ୍ବନା ଯେ ଯେଉଁମାନଙ୍କ କବଳରୁ (ଦଲାଲ, ମଧ୍ୟସ୍ଥି, ମୁନାଫାଖୋର) ଚାଷୀଙ୍କୁ ରକ୍ଷା କରିବା ପାଇଁ ଏ ଆଇନ ହୋଇଥିଲା ସେଇମାନେ ବର୍ତ୍ତମାନ ସର୍ବେସର୍ବା। ଆଶ୍ଚର୍ଯ୍ୟ, ଏପିଏମ୍ସି ମାର୍କେଟ୍ ବେପାରୀ ଓ ମଧ୍ୟସ୍ଥିଙ୍କ ଦ୍ୱାରା ରାଜନୀତି, ଦୁର୍ନୀତି ଓ ଏକଚାଟିଆ କାରବାରର ପେଣ୍ଠ (ହୁକୁମ ଦେବ ନାରାୟଣ ଯାଦବ ଷ୍ଟାଣ୍ଡିଙ୍ଗ କମିଟି ରିପୋର୍ଟ୍) ପାଲଟିଥିଲାବେଳେ ଚାଷୀଙ୍କ ସ୍ୱାର୍ଥ ପାଇଁ ଆଇନର ସଂଶୋଧନ କରିବାକୁ ରାଜ୍ୟ ସରକାରମାନେ ବିମୁଖ। ରାଜ୍ୟ ସ୍ତରରେ ଯାବତୀୟ ଆଇନଗତ କଟକଣା ଯୋଗୁଁ ଦେଶରେ ଅବାଧରେ ଫସଲ ବିକା କିଣା, କଣ୍ଟ୍ରାକ୍ଟ ଫାର୍ମିଙ୍ଗ ଓ କୃଷି କ୍ଷେତ୍ରକୁ ଆଶାନୁରୂପ ଘରୋଇ ପୁଞ୍ଜି ଆସିବା ସମ୍ଭବ ହେଉନି (ରାଜ୍ୟ କୃଷିମନ୍ତ୍ରୀ କମିଟି ରିପୋର୍ଟ୍ ୨୦୧୩)। ଚାଷୀମାନେ ବଡ଼ ଭୋଟ ବ୍ୟାଙ୍କ୍। ସେମାନଙ୍କ ସମର୍ଥନ ଲୋଭରେ ନେତାମାନେ ବିଧାନସଭାରୁ ପାର୍ଲିଆମେଣ୍ଟ, ଚାଷୀମେଳି ପର୍ଯ୍ୟନ୍ତ ସ୍ୱାମୀନାଥନ କମିସନ ପ୍ରସ୍ତାବ କଥା କହିବାକୁ କୌଣସି ସୁଯୋଗ ହାତଛଡ଼ା କରନ୍ତି ନାହିଁ। କିନ୍ତୁ କମିସନ ରିପୋର୍ଟ୍ରେ ଏପିଏମ୍ସି ମଣ୍ଡିରେ ଚାଷୀଙ୍କ ଶୋଷଣ, ହତାଦର, ମଣ୍ଡି ବାହାରେ ଫସଲ ବିକିଲେ ଲାଭ, କୃଷିକ୍ଷେତ୍ରରେ ବେସରକାରୀ ଉଦ୍ୟୋଗର ଆବଶ୍ୟକତା, କଣ୍ଟ୍ରାକ୍ଟ ଚାଷର ଉପଯୋଗିତା ବାବଦରେ ଯେଉଁ ବିସ୍ତୃତ ଆଲୋଚନା କରାଯାଇ ସରକାର ତୁରନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି ସେ ବିଷୟରେ ଆଜି ପର୍ଯ୍ୟନ୍ତ ନିରବ। ସ୍ୱାମୀନାଥନ କମିସନ ୟୁପିଏ ମେଣ୍ଟର ନୀତି ଆଧାରରେ ଗଠିତ ହୋଇଥିଲା। ଏତେ ବର୍ଷ ଭିତରେ କୃଷିକ୍ଷେତ୍ରର ଅଭିବୃଦ୍ଧି ପାଇଁ ମୌଳିକ ସମସ୍ୟାର ବିଲୋପ ତ ହେଲା ନାହିଁ ଅପରପକ୍ଷେ ଏବେ ୩ଟି କୃଷି ଆଇନ ଅତୀତର ସବୁ ପୃଷ୍ଠଭୂମିରେ- ସ୍ୱାମୀନାଥନ କମିସନ ରିପୋର୍ଟ, ସର୍ଭେ, ମଡେଲ ଆଇନ- କାର୍ଯ୍ୟକାରୀ ହେବାକୁ ଯାଉଥିଲା ବେଳେ ନେତାମାନଙ୍କ ପ୍ରରୋଚନାରେ ବିରୋଧର ସମ୍ମୁଖୀନ ହୋଇଛି। ନୂଆ ଆଇନରେ କ’ଣ ଏମିତି ଲେଖାଯାଇଛି ଯାହା ବିଶେଷଜ୍ଞମାନେ କାର୍ଯ୍ୟକାରୀ କରିବାକୁ କହିନାହାନ୍ତି, କେମିତି ଏହା ଚାଷୀ ବିରୋଧୀ? ପଚାରିଲେ ଆଲୋଚନାକୁ ନାରାଜ, କେବଳ ରାଜନୈତିକ ଆତସବାଜି ଭିତରେ ଗୋଟିଏ ଦାବି ‘ଆଇନ ପ୍ରତ୍ୟାହାର କର’। ଆନ୍ଦୋଳନରେ ମୁଖ୍ୟତଃ କଂଗ୍ରେସ ଶାସିତ ପଂଜାବର ଚାଷୀ (?) ଯେଉଁଠି କମିସନି ଏଜେଣ୍ଟଙ୍କ (ସଂଖ୍ୟା ପ୍ରାୟ ୨୮,୦୦୦) ରାଜନୈତିକ ପ୍ରଭାବ ପ୍ରଖର (୨୦୧୩ ମସିହାରେ ରାଜ୍ୟ ସରକାର ଏପିଏମ୍ସି ଆଇନର ସଂଶୋଧନ ଉଦ୍ୟମ କରି ସୁଦ୍ଧା ସଫଳ ହୋଇନଥିଲେ) ଏବଂ କେନ୍ଦ୍ର ସରକାର ବେଶ ପରିମାଣର ଧାନ ଗହମ କିଣି ସବ୍ସିଡି ଟଙ୍କା ବୁହାଉ ଥିଲା ବେଳେ ଶତକଡ଼ା ୮୯ ଭାଗ ଚାଷୀ ଋଣଗ୍ରସ୍ତ, ତିନି ଜଣରେ ଜଣେ ଚାଷୀ ଓ ୮୨ ଭାଗରୁ ଊର୍ଦ୍ଧ୍ବ କୃଷି ଶ୍ରମିକ ବିପିଏଲ (ପଂଜାବୀ ବିଶ୍ୱବିଦ୍ୟାଳୟ ସର୍ଭେ)।
ଦୁନିଆରେ କୌଣସି ଆଇନ ସମସ୍ୟାର ଶେଷ ଉତ୍ତର ନୁହେଁ। ସ୍ଥିତାବସ୍ଥା ଯଦି ଘିଅ, ମହୁ ହୋଇଥାନ୍ତା ନୂଆର ଆବଶ୍ୟକତା ପଡ଼ିନଥାନ୍ତା। ଏହା ଏକ ସୁଯୋଗ, ଯଦି ଆନ୍ଦୋଳନର ଚାପରେ ଦେଶ ଏହାକୁ ହାତଛଡ଼ା କରେ ତେବେ ଚାଷ ଓ ଚାଷୀଙ୍କୁ ପୁଣି ସୂର୍ଯ୍ୟୋଦୟ ଦେଖିବାକୁ କେତେ ବର୍ଷ ଅପେକ୍ଷା କରିବାକୁ ପଡ଼ିବ କଳନା କରିବା କଷ୍ଟ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୮୫୩୨୫୨୬୨୬