ଚାଷ ଜମି ଉପରେ ବିକାଶର ଚାପ

ଅଲେଖ ଚନ୍ଦ୍ର ସାମଲ

ଦେଶର ବର୍ଦ୍ଧିତ ଜନସ˚ଖ୍ୟାର ଚାହିଦାକୁ ଦୃଷ୍ଟିରେ ରଖି ପ୍ରତିଯୋଗିତାମୂଳକ ଭାବେ ଦିନକୁ ଦିନ ଅଭିବୃଦ୍ଧିର ହାର ବଢ଼ାଇବା ଅପରିହାର୍ଯ୍ୟ ହୋଇପଡ଼ୁଛି। ଏଥିପାଇଁ ପ୍ରାଥମିକ ଭିିତ୍ତିଭୂମି ଭାବରେ ଅନେକ କ୍ଷେତ୍ରରେ ଆବଶ୍ୟକ ହେଉଛି ଜମି, ଯହିଁରୁ ଅନେକ ସମସ୍ୟା ସୃଷ୍ଟି ହେଉଛି। ତେବେ ଜମିର ତୀବ୍ର ଚାହିଦାରୁ ସୃଷ୍ଟ ସମସ୍ୟାକୁ ସମାଧାନ କରିବା ନିମନ୍ତେ ସରକାର ଏଯାଏଁ ସେମିତି କିଛି ପନ୍ଥା ବାହାର କରିଥିବା ଭଳି ଦେଖାଯାଇନାହିଁ। କିନ୍ତୁ ଜମିର ଉପଯୋଗ ସ˚ପର୍କରେ ତୁରନ୍ତ ଏକ ବିଶଦ ନୀତି ନିର୍ଦ୍ଧାରଣ କରିବା ଏବେ ଅତ୍ୟନ୍ତ ଆବଶ୍ୟକ ହୋଇ ପଡ଼ିଲାଣି। ଅଥଚ, ତାହା ପରିବର୍ତ୍ତେ ସରକାର ଏହାର ବ୍ୟବହାରକୁ ନେଇ ନିଜର ସ୍ବର ବାରମ୍ବାର ବଦଳାଇବାରେ ଲାଗିଛନ୍ତି। ଏହି ନୀତି ନିର୍ଦ୍ଧାରଣ ସମ୍ବନ୍ଧିତ ଦ୍ବନ୍ଦ୍ବ କ୍ରମରେ ‘ରିଏଲ୍‌ ଇଷ୍ଟେଟ୍‌’ ଉଦ୍ଦେଶ୍ୟରେ କିଣାଯାଇଥିବା ଚାଷ ଜମିଗୁଡ଼ିକରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ସ˚ପର୍କିତ ପଦକ୍ଷେପ ସଦ୍ୟତମ ସମସ୍ୟା ଭାବରେ ଯୋଗ ଦେଇଛି। ବର୍ତ୍ତମାନର ବିଦେଶୀ ମୁଦ୍ରା ବିନିମୟ ପରିଚାଳନା ନିୟମ ଅନୁଯାୟୀ ଚାଷ ଜମି କିଣିବା ପାଇଁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ପାଣ୍ଠିକୁ ବିନିଯୋଗ କରା ଯାଇପାରିବ ନାହିଁ। କିନ୍ତୁ ‘ରିଏଲ୍‌ ଇଷ୍ଟେଟ୍‌’ କମ୍ପାନିମାନେ ଏପରି ନିଷେଧାଦେଶକୁ ଏଡ଼ାଇ ଯିବାକୁ ଚେଷ୍ଟା କରିଛନ୍ତି। ଗତ ବର୍ଷ ‘ଏମ୍‌.ଆର.ଏମ୍‌.ଜି.ଏଫ୍‌. ନାମକ ଏକ ସ˚ସ୍ଥା ବିଦେଶୀ ପୁଞ୍ଜିକୁ ଚାଷ ଜମି କିଣିବାରେ ବିନିଯୋଗ କରିଥିବା ନେଇ ଅଭିଯୋଗ ଉଠିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇ.ଡି. ସ˚ପୃକ୍ତ ସ˚ସ୍ଥା ଉପରେ ୮ ହଜାର ୬ ଶହ କୋଟି ଟଙ୍କାର ଜୋରିମାନା ଧାର୍ଯ୍ୟ କରିଥିଲେ। କିନ୍ତୁ, ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ବର୍ତ୍ତମାନ ଏପରି ନିଷେଧାଦେଶକୁ କୋହଳ କରିବା ପାଇଁ ଚାହୁଁଛି ଏବ˚ ସରକାର ମଧ୍ୟ ଏହାକୁ ସୁଗମ କରିବା ନିମନ୍ତେ ଏକ ତିନି ଜଣିଆ ସଦସ୍ୟ ବିଶିଷ୍ଟ କ୍ୟାବିନେଟ୍‌ କମିଟି ଗଠନ କରିଛନ୍ତି। ଏପରି ପଦକ୍ଷେପ ନେବା ପଛରେ ଥିବା କାରଣଟି ହେଉଛି ନିଜ ଲାଭରେ ବିଭିନ୍ନ ନିର୍ମାଣ କାର୍ଯ୍ୟକୁ ସଂପ୍ର‌ସାରିତ କରିବା। ପୂର୍ବରୁ ବିକାଶଶୀଳ ସହରାଞ୍ଚଳ, ବାସଗୃହ ଏବ˚ ଅନ୍ୟାନ୍ୟ ଭିିତ୍ତିଭୂମି ପ୍ରକଳ୍ପଗୁଡ଼ିକ କ୍ଷେତ୍ରରେ ଶତ ପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶକୁ ଅନୁମତି ପ୍ରଦାନ କରାଯାଇସାରିଛି। ସୁତରାଂ, ଏହି ନୂଆ ଅନୁମତି ମିଳିଲେ ଏଭଳି ବିକାଶ କାର୍ଯ୍ୟ ସ˚ପ୍ରସାରିତ ହେବ। ଏଭଳି ଅନୁମତି ପ୍ରଦାନ ସପକ୍ଷରେ ଅନ୍ୟ ଯେଉଁ ଯୁକ୍ତି ଦର୍ଶାଯାଉଛି, ସେଗୁଡ଼ିକ ହେଲା- ବିଭିନ୍ନ ପ୍ରତିବନ୍ଧ ଯୋଗୁଁ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ମନ୍ଥର ହେଉଛି ଓ ତାହା ପ୍ରଗତି ପଥରେ ଅନ୍ତରାୟ ସୃଷ୍ଟି କରୁଛି। ସେଥି ଲାଗି ସହରାଞ୍ଚଳର ଉପକଣ୍ଠରେ ଚାଷଜମି କିଣାଯିବା ଅପରିହାର୍ଯ୍ୟ ତଥା ଆବଶ୍ୟକ।

ଏଭଳି ପରିସ୍ଥିତିରେ ‘ଏଫ୍‌ଡିଆଇ’ ବା ବିଦେଶୀ ପୁଞ୍ଜିନିବେଶର ନିୟମକୁ କୋହଳ କରିବା ଆପାତତଃ ଏକ ଯୁକ୍ତିଯୁକ୍ତ ପଦକ୍ଷେପ ଭଳି ମନେହେଉଛି। କିନ୍ତୁ ଜମିର ବ୍ୟବହାର ନୀତି ଓ ଯୋଜନା ସ˚ପର୍କରେ କୌଣସି ନିର୍ଦ୍ଦିଷ୍ଟ ନୀତି ନ ଥିବାରୁ ଏହା ଚାଷ ଜମିର ଅନିୟନ୍ତ୍ରିତ ଅଧିଗ୍ରହଣ ଓ ଯୋଜନାବିହୀନ କିସମ ପରିବର୍ତ୍ତନ ଅଥବା ରୂପାନ୍ତରଣ (‘କନ୍‌ଭରସନ୍‌’)ରେ ସାହାଯ୍ୟ କରିବ। କେତେକ ମୁଷ୍ଟିମେୟ ଲୋକ ଏହା ଦ୍ବାରା ବହୁ ଜମିର ମାଲିକ ହେବାର ସୁଯୋଗ ପାଇବେ।

୨୦୧୩ ମସିହାରେ ଗ୍ରାମ୍ୟ ବିକାଶ ମନ୍ତ୍ରଣାଳୟ ଜାତୀୟ ଜମି ଉପଯୋଗ ନୀତି ସ˚ପର୍କିତ ଏକ ଚିଠା ପ୍ରସ୍ତାବ ପ୍ରକାଶ କରିଥିଲେ। ଏଥିରେ ବିଶଦ ଭାବରେ ଦର୍ଶାଯାଇଥିଲା ଯେ ମୁଣ୍ତ ପିଛା ଚାଷ ଜମିର ପରିମାଣ କିଭଳି କମି କମି ଚାଲିଛି। ତେଣୁ, ୨୦୧୩ ମସିହାର ଖାଦ୍ୟଶସ୍ୟର ଉତ୍ପାଦନ ୨୪୫ ନିୟୁତ ଟନ୍‌କୁ ବୃଦ୍ଧି କରି ୨୦୨୦ ମସିହା ବେଳକୁ ୩୦୭ ମିଲିଅନ୍‌ ଟନ୍‌ରେ ପହଞ୍ଚାଇବାର ଲକ୍ଷ୍ୟ ଏହା ଦ୍ବାରା ଯେ ପୂରଣ ହୋଇ ନ ପାରେ, ସେ ନେଇ ଆଶଙ୍କା ପ୍ରକଟ କରାଯାଇଥିଲା। ସୁତରାଂ, ଉର୍ବର ଚାଷଜମିଗୁଡ଼ିକର ସୁରକ୍ଷା ନିଶ୍ଚିତ କରାଯିବା ଉପରେ ଗୁରୁତ୍ବ ପ୍ରଦାନ କରାଯିବା ଅତ୍ୟନ୍ତ ଜରୁରୀ ବୋଲି ସେଥିରେ କୁହାଯାଇଥିଲା।

୨୦୦୭ ମସିହାରେ ଘୋଷଣା କରାଯାଇଥିବା ଜାତୀୟ କୃଷି ନୀତିରେ ଉତ୍ପାଦନକ୍ଷମ ଜମିଗୁଡ଼ିକର ସ˚ରକ୍ଷଣ କରାଯିବା ଏବ˚ ଅତି ଜରୁରୀ ନ ହେଲେ ଜମିର କିସମ ବଦଳାଇବାର ଅନୁମତି ନ ଦେବା ଉପରେ ଗୁରୁତ୍ବ ଆରୋପ କରାଯାଇଥିଲା। ମାତ୍ର, ଏହି ନୀତି ବିଦେଶୀ ଏବ˚ ସ୍ବଦେଶୀ ପୁଞ୍ଜିନିବେଶ ମଧ୍ୟରେ କିଛି ହେଲେ ପାର୍ଥକ୍ୟ ନିରୂପଣ କରିନଥିଲା। ପ୍ରକାଶ ଥାଉ କି ଜମିଜମାର ବ୍ୟବହାର ସ˚ପର୍କିତ ବ୍ୟାପାର ବୁଝିବା ସକାଶେ ଏକ ବୋର୍ଡ ବା ପରିଷଦର ଆବଶ୍ୟକତା ଥିଲେ ମଧ୍ୟ ସରକାର ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ କରିନାହାନ୍ତି। ସେହିପରି ବିଭିନ୍ନ ବିକାଶମୂଳକ ଯୋଜନାଗୁଡ଼ିକ ନିମନ୍ତେ କେଉଁ ଜମି ସବୁ ଅଧିଗ୍ରହଣ କରାଯାଇପାରିବ ବା କେଉଁ କିସମର ଜମିଗୁଡ଼ିକୁ ସେଥିରୁ ବାଦ୍‌ ଦିଆଯିବ, ସେ ସ˚ପର୍କିତ କୌଣସି ପରିଭାଷା ତିଆରି କରାଯାଇନାହିଁ। ଜମିର ଉପଲବ୍‌ଧତା ଏବ˚ ତାହାର ବ୍ୟବହାରକୁ ସ˚ଯୋଜିତ କରିବା ନିମନ୍ତେ ଏସବୁ ପଦକ୍ଷେପ ନିଆଯିବାର ଅତ୍ୟନ୍ତ ଆବଶ୍ୟକତା ରହିଛି। ତେଣୁ, ସହରାଞ୍ଚଳର ଉପଯୁକ୍ତ ବିକାଶ ସହିତ କୃଷି ଓ ପରିବେଶ ଉପରେ ତଦ୍ଦ୍ବାରା ହେବାକୁ ଥିବା ପ୍ରତିକୂଳ ପ୍ରଭାବକୁ ରୋକିବା ନିମନ୍ତେ ଜମି ଅଧିଗ୍ରହଣ କ୍ଷେତ୍ରରେ ଏକ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ କରିବା ନିହାତି ଆବଶ୍ୟକ। ସେଥି ଲାଗି ଭୂ-ପରିଚାଳନା ଯୋଜନାରେ ସ˚ଶୋଧନ କରାଯିବା ମଧ୍ୟ ଆବଶ୍ୟକ।

ମୋ: ୯୪୩୭୨୫୭୧୨୩

ସମ୍ବନ୍ଧିତ ଖବର