ଶୀତରେ ବି ରାଜନୈତିକ ଉଷ୍ମତା

ଆମେରିକାରୁ ପତ୍ର - ଅନାଦି ନାୟକ

ୱାସିଂଟନ ବର୍ତ୍ତମାନ ଶୀତ ଋତୁର ପ୍ରଭାବ ଭିତରେ। ଥଣ୍ଡା ପବନ, କୋହଲା ପାଗ ଓ ଶୀତରୁ ରକ୍ଷା ପାଇବା ପାଇଁ ଲୋକମାନେ ସାଧାରଣତଃ ଦୁଇ ତିନି ପରସ୍ତର ଲୁଗା ଉପରେ କୋଟ୍‌ କିମ୍ବା ଜ୍ୟାକେଟ୍‌ ପିନ୍ଧି, ମୁଣ୍ଡରେ ଟୋପି, ବେକରେ ମଫଲର ସାଙ୍ଗକୁ ହାତରେ ଦସ୍ତାନା ଦେଇ ଯିବା ଆସିବା କରନ୍ତି। ଜୋତା ଓ ମୋଜା ତ ସ୍ୱାଭାବିକ କଥା। ତେବେ ଏଇ ଭିତରେ ରାଜନୈତିକ ଉଷ୍ମତାଟା ବାରି ହୋଇ ପଡୁଛି। ଗଲା ଜାନୁଆରି ୨୦ରେ ନୂଆ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍‌ ଶପଥ ନେବାର କଥା ଥିଲା। ତାର ଦୁଇ ସପ୍ତାହ ଆଗରୁ ଜାନୁଆରି ୬ ତାରିଖରେ ଏଠାର ପାର୍ଲିଆମେଣ୍ଟ ହାଉସ ବା କ୍ୟାପିଟଲ ହିଲ୍ ଉପରେ କେତେକ ଲୋକ ଚଢ଼ାଉ କରିଥିଲେ। ସେମାନେ ଥିଲେ ଟ୍ରମ୍ପ୍‌ଙ୍କୁ ସମର୍ଥନ କରୁଥିବା ବାଲା, ‌ଯେଉଁମାନେ ଭୁଲ ଭାବରେ ଧରି ନେଇଥିଲେ ଯେ ଟ୍ରମ୍ପ୍‌ଙ୍କୁ ଠକି ଦେଇ ବାଇଡେନ୍ କ୍ଷମତାକୁ ଆସୁଛନ୍ତି। ଗୋଳମାଳ ପରେ ସେମାନେ ନିଜ ନିଜ ଜାଗାକୁ ଫେରିଗଲେ। କିନ୍ତୁ ଯେଉଁ ପରିସ୍ଥିତିଟି ସେମାନେ ସୃଷ୍ଟି କରିଦେଇ ଗଲେ ତାର ପ୍ରଭାବ ସରକାରଙ୍କ ଉପରୁ ଗଲା ନାହିଁ। କାଳେ ସେମାନେ କିମ୍ବା ସେମାନଙ୍କୁ ସମର୍ଥନ କରୁଥିବା ଲୋକେ ପୁଣି ଥରେ ଗୋଳମାଳ କରିପାରନ୍ତି ସେଥିପାଇଁ ଦେଶର ବିଭିନ୍ନ ଅଞ୍ଚଳରୁ ୨୫ ହଜାର ମିଲିଟାରି ପୁଲିସ୍ ଓ ଗୃହରକ୍ଷୀଙ୍କୁ ଅଣାଗଲା। ପାର୍ଲିଆମେଣ୍ଟ ଓ ରାଷ୍ଟ୍ରପତି ଭବନ (କ୍ୟାପିଟଲ୍ ଓ ହ୍ୱାଇଟ୍‌ ହାଉସ୍)ଠାରୁ ମାଇଲିଏ ପରିଧିରେ, ଖାସ୍ କୌଣସି ଗୁରୁତର କାମ ନ ଥିଲେ, କାହାରିକୁ ଯିବାକୁ କି ଆସିବାକୁ ଦିଆଗଲା ନାହିଁ।

ତେବେ ଯଥା ସମୟରେ ଜୋ ବାଇଡେନ୍ ଓ କମଳା ହାରିସ୍‌ ଆମେରିକାର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଭାବରେ ଶପଥ ନେଲେ। ଆମେରିକା ସାରା ଏହା ଏକ ଉତ୍ସବ ଭାବରେ ପାଳିତ ହେଲା। ଅବଶ୍ୟ ଏଥିପାଇଁ ସରକାରୀ ଛୁଟି ନ ଥିଲା। କିନ୍ତୁ ନୂଆ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ପାଇଁ ସାରା ଦେଶରେ ବିପୁଳ ଉତ୍ସାହ ଓ ଶ୍ରଦ୍ଧାର ଲହରୀ ଖେଳିଛି। ସମାଜର ସବୁ ଲୋକଙ୍କୁ ଏକାଠି କରି ଦେଶର ସବୁ ଲୋକଙ୍କର ରାଷ୍ଟ୍ରପତି ଭାବେ ସମସ୍ତଙ୍କ ଲାଗି କାମ କରିବାକୁ ବାଇଡେନ୍ ଦେଶବାସୀଙ୍କୁ ଜଣାଇ ଦେଇଛନ୍ତି। ଗଣତାନ୍ତ୍ରିକ ପଦ୍ଧତିରେ ଅର୍ଥାତ୍ ଦେଶର ଜନସାଧାରଣଙ୍କ ଠାରୁ ଅଧିକ ସଂଖ୍ୟାରେ ଭୋଟ ପାଇ (ଆମେରିକାରେ ଏ କଥାର ବ୍ୟତିକ୍ରମ ଅଛି ) ଆସିଥିବା ଲୋକ ବା ଦଳ ଦେଶର ଅର୍ଥନୀତି, ବୈଦେଶିକ ନୀତି ଇତ୍ୟାଦିକୁ ନିଜ ଢଙ୍ଗରେ ଚଳାନ୍ତି। ଦେଶର ରାଜନୀତିକୁ ପ୍ରଭାବିତ କରନ୍ତି। ବାଇଡେନ୍ ମଧ୍ୟ ସେଇଆ କରିବାକୁ ବାହାରିଛନ୍ତି। ମାତ୍ର ବର୍ତ୍ତମାନର ଆମେରିକାରେ କରୋନା ଭାଇରସ୍ ଦ୍ବାରା ପ୍ରତି ଦିନ ହଜାର ହଜାର ଲୋକ ମୃତ୍ୟୁ ମୁଖରେ ପଡୁଥିବାରୁ ଏ ଅବସ୍ଥାଟି ବନ୍ଦ ନ ହେଲେ ଦେଶରେ କୌଣସି ପ୍ରକାରର ଉନ୍ନତିମୂଳକ କାମ ହୋଇ ପାରିବ ନାହିଁ ବୋଲି ବାଇଡେନ୍‌ ଶହେ ଦିନ ଭିତରେ ଦଶ କୋଟି ସିରିଞ୍ଜ ଲୋକଙ୍କ ବାହୁରେ ଫୋଡ଼ିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ଡୋନାଲ୍‌ଡ ଟ୍ରମ୍ପ୍‌ ଆମେରିକାକୁ ସର୍ବତ୍ର ପ୍ରଥମ ସ୍ଥାନ ଦେବା ପାଇଁ ସମସ୍ତଙ୍କ ସାଙ୍ଗରେ ଝଗଡ଼ା କରୁଥିଲେ। ସେ ଭାବୁଥିଲେ ଯେ ନିଜକୁ ଉପରକୁ ଉଠାଇବାକୁ ହେଲେ ଅନ୍ୟମାନଙ୍କୁ ଚପେଇ ଦେବାକୁ ହେବ। ଭାରତରୁ ଆସୁଥିବା ଲୁହାର ଘୋଡ଼ଣି ଉପରେ ଅଧିକ ଶୁଳ୍‌କ ବସାଇ ଟ୍ରମ୍ପ୍‌ ସରକାର ନିଜ ଦେଶର ଲୁହା କାରଖାନଗୁଡ଼ିକୁ ଉଜ୍ଜୀବିତ କରିବାକୁ ଭାବିଥିଲେ। ଏଠିକା ଲୋକଙ୍କୁ କାମ ଯୋଗାଇବା ଲାଗି ଭାରତ ସମେତ ଅନ୍ୟ ଦେଶମାନଙ୍କରୁ ଆସୁଥିବା କମ୍ପ୍ୟୁଟର ବିଶାରଦମାନଙ୍କୁ ଆସିବାକୁ ଦେଉ ନଥିଲେ। ଅଣ-ୟୁରୋପୀୟ ଦେଶରୁ ଆମେରିକାକୁ ଅଧିକ ସଂଖ୍ୟକ ଲୋକ ଆସି ପାରୁ ନ ଥିଲେ। ଏଠି ଲୋକଙ୍କୁ ବହୁ ସଂଖ୍ୟାରେ ବହିଷ୍କାର କରାଗଲା। ମାତ୍ର ରାଷ୍ଟ୍ରପତି ହେବାର ପ୍ରଥମ ଦିନରେ ବାଇଡେନ୍ ଏ ସବୁକୁ ବନ୍ଦ କରି ଦେଲେ। ତା’ ମାନେ ଆମେରିକାକୁ ଆସିବାଟା ଏବେ ସହଜ ହୋଇଯିବ। ଯେଉଁମାନେ ଏଠି ସାତ ବର୍ଷରୁ ଅଧିକ ଦିନ ଧରି ଅଛନ୍ତି, ସେମାନଙ୍କୁ ରହିବା ପାଇଁ କୌଣସି ଅସୁବିଧା ହେବ ନାହିଁ। ବାଇଡେନ୍‌ ତାଙ୍କ କ୍ଷମତା ବଳରେ ଏହା ଲେଖି ଦେଲେ କି ଯେଉଁମାନେ ଆଗରୁ ସରକାରୀ ନୀତି ଯୋଗୁ ହଇରାଣରେ ପଡ଼ି ସାରିଛନ୍ତି, ସେମାନଙ୍କ ପାଇଁ ତ ଆଉ ଏବେ କିଛି କରିହେବନାହିଁ; ତେବେ ଯେଉଁମାନେ ଚାକିରି କରିବାକୁ ଓ ରହିବା ପାଇଁ ଡରୁଥିଲେ, ଏବେ ସେମାନଙ୍କର ଦୁଶ୍ଚିନ୍ତା ଦୂର ହେଲା ବୋଲି କହିବାକୁ ହେବ। ବାଇଡେନ୍‌ ତାଙ୍କ ୭୮ ବର୍ଷ ବୟସ ଭିତରେ ଖୁବ୍ ଦାଉ ଧକ୍କା ସହିଛନ୍ତି। ସେଥିପାଇଁ ବ୍ୟକ୍ତିଗତ ଜୀବନରେ ଅନ୍ୟମାନଙ୍କ ପାଇଁ ସେ ଖୁବ୍ ସମ୍ବେଦନଶୀଳ। ପେନ୍‌ସିଲଭେନିଆ ପ୍ରଦେଶର ଏକ କୋଇଲା ଖଣି ଅଞ୍ଚଳରେ ତାଙ୍କର ଜନ୍ମ। ମାତ୍ର ତାଙ୍କ ବାପା ୱିଲ୍‌କସବେରି ଅଞ୍ଚଳରେ କାମ ନ ପାଇବାରୁ ନିକଟବର୍ତ୍ତୀ ଡେଲାୱାର ପ୍ରଦେଶକୁ ସପରିବାର ଚାଲି ଆସିଲେ। ଡେଲାୱାର ହେଲା ଆମେରିକାର କ୍ଷୁଦ୍ରତମ ପ୍ରଦେଶ। ସେଇଠି ଏକ ମଧ୍ୟବିତ୍ତ ପରିବାରରେ ସେ ବଢ଼ିଛନ୍ତି। କୌଣସି ପ୍ରତିଷ୍ଠିତ କଲେଜ ବା ବିଶ୍ୱବିଦ୍ୟାଳୟରେ ସେ ପାଠ ପଢ଼ି ନାହାନ୍ତି। ମାତ୍ର ୩୦ ବର୍ଷ ବୟସରେ ସେ ଡେଲାୱାରର ଜଣେ ପ୍ରତିଷ୍ଠିତ ସିନେଟରଙ୍କୁ ହରାଇ ସିନେଟର କନିଷ୍ଠତମ ସଦସ୍ୟ ଭାବରେ ପାର୍ଲିଆମେଣ୍ଟରେ ଯୋଗ ଦେଇଥିଲେ। ମାତ୍ର ଏହାର କେତେ ଦିନ ଆଗରୁ ଏକ ଦୁର୍ଘଟଣାରେ ପଡ଼ି ତାଙ୍କର ସ୍ତ୍ରୀ ଓ ଝିଅ ତ ମରିଗଲେ; ପୁଅ ଦୁଇଟି ଅତି ସାଂଘାତିକ ଭାବରେ ଆହତ ହୋଇ ଡାକ୍ତରଖାନାରେ ପଡ଼ିଲେ। ବାଇଡେନ୍‌ ଲଗାତର ଭାବରେ ଛଅ ଥର ସିନେଟକୁ ନିର୍ବାଚିତ ହୋଇ ଆସିଥିଲେ ବି ସେ ଦୁର୍ଘଟଣାଟାକୁ କେବେ ଭୁଲି ପାରି ନାହାନ୍ତି। ସେଥିପାଇଁ ଅନ୍ୟର ଦୁଃଖରେ ଦୁଃଖୀ ହେବାଟା ତାଙ୍କ ପାଇଁ ସହଜ ହୋଇଯାଏ।

ରାଷ୍ଟ୍ରପତି ପଦ ପାଇଁ ସେ ଆଗରୁ ଦୁଇ ଥର ଚେଷ୍ଟା କରି ଓହରି ଯାଇଥିଲେ। ନିର୍ବାଚନ ବେଳେ ନିଜ ବିଷୟରେ କହିବାକୁ ଯାଇ ଆଉ ଜଣେ ରାଜନୈତିକ ଲୋକଙ୍କର ଜୀବନୀରୁ ସେ ପୂରା ଗୋଟାଏ ଫର୍ଦ୍ଦ ଉଠାଇ ନେଇ କହିଥିଲେ ବୋଲି ତାଙ୍କୁ ସେତେବେଳେ ସମାଲୋଚନା କରାଯାଇଥିଲା। ତାଙ୍କର ସିନେଟ ବିଷୟରେ ଗଭୀର ଅଭିଜ୍ଞତା ଓ ବ୍ୟକ୍ତିଗତ ଜୀବନରେ ସମ୍ବେଦନଶୀଳତା ଯୋଗୁ ବାରାକ୍ ଓବାମା ତାଙ୍କୁ ଉପରାଷ୍ଟ୍ରପତି ଭାବରେ ବାଛିଥିଲେ। ଏବେ ବାଇଡେନ୍ ମଧ୍ୟ ସେଇଆ କରିଛନ୍ତି। ନିଜ ଦଳରୁ ରାଷ୍ଟ୍ରପତି ପଦ ପାଇଁ ଠିଆ ହୋଇଥିବା ପ୍ରତିଯୋଗୀମାନଙ୍କ ଭିତରୁ କମଳା ହାରିସ୍ ତାଙ୍କୁ ଏକ ଡିବେଟ୍‌ରେ ତୀବ୍ର ସମାଲୋଚନା କରିଥିଲେ। ନିଜକୁ ଜଣେ ବଳିଷ୍ଠ ପ୍ରାର୍ଥୀ ଭାବରେ ପ୍ରତିପାଦନ କରିବା ଲାଗି ଓବାମା ଯେମିତି ବାଇଡେନ୍‌ଙ୍କର ପୂର୍ବ ସମାଲୋଚନାକୁ ଭୁଲି ଯାଇଥିଲେ; ଏବେ ବାଇଡେନ୍ ସେମିତି କମଳାଙ୍କର ସମାଲୋଚନା ପ୍ରତି ଦୃଷ୍ଟି ଦେଲେ ନାହିଁ। କମଳା ହାରିସ୍‌ଙ୍କର ଯୋଗ୍ୟତା, ଅପେକ୍ଷାକୃତ ଅଳ୍ପ ବୟସ ସାଙ୍ଗକୁ ନିର୍ବାଚନରେ ଜିତିବାର କୌଶଳ ବାଇଡେନ୍‌ଙ୍କୁ ଆକୃଷ୍ଟ କଲା। ତା’ ଛଡ଼ା ବାଇଡେନ୍‌ଙ୍କର ସ୍ୱର୍ଗତ ବଡ଼ ପୁଅ ବାଓ ଏବଂ କମଳା ଏକା ସମୟରେ ନିଜ ନିଜ ପ୍ରଦେଶର ଆଟର୍ଣ୍ଣି ଜେନେରାଲ ଥିଲେ। କମଳା ଥିଲେ ସବୁଠାରୁ ବଡ଼ ପ୍ରଦେଶର ତ ବାଓ ଥିଲେ ଏକ ଛୋଟିଆ ପ୍ରଦେଶର। ଗଭର୍ଣ୍ଣର କିମ୍ବା ସିନେଟର ହେବାର ଆସ୍ପର୍ଦ୍ଧା ଉଭୟଙ୍କର ଥିଲା। ମାତ୍ର ୪୬ ବର୍ଷରେ ବାଓଙ୍କର ମୃତ୍ୟୁ ହେବା ପରେ ବାଇଡେନ୍ ଏମିତି ଭାଙ୍ଗି ପଡ଼ିଲେ ଯେ ଅନେକେ ଭାବୁଥିଲେ ସେ ରାଜନୀତିରୁ ପୂରାପୂରି ଅବ୍ୟାହତି ନେବେ। ମାତ୍ର ଟ୍ରମ୍ପ୍‌ଙ୍କର ଗତିବିଧି ଯୋଗେ ଡେମୋକ୍ରାଟିକ୍ ପାର୍ଟି ଅସ୍ତବ୍ୟସ୍ତ ହେଉଥିବା ବେଳେ, ରାଷ୍ଟ୍ରପତି ହେବାକୁ ଇଚ୍ଛା କରୁଥିବା କୌଣସି ପ୍ରାର୍ଥୀ ଟ୍ରମ୍ପ୍‌ଙ୍କୁ ହରାଇବା ଭଳି ଦିଶୁ ନ ଥିଲେ। ବର୍ଣ୍ଣି ସ୍ୟାଣ୍ଡର୍ସ, ଏଲିଜାବେଥ ୱାରେନ୍, ଏପରିକି କମଳା ହାରିସ୍ ଦେଶର ସବୁ ଶ୍ରେଣୀୟ ଲୋକଙ୍କ ବଦଳରେ ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବା ଅଞ୍ଚଳରୁ ସମର୍ଥନ ପାଉଥିଲେ। ସବୁ ଅଞ୍ଚଳରେ ଓ ସବୁ ଲୋକଙ୍କଠାରୁ ଭୋଟ ପାଇବା ସେମାନଙ୍କ ପକ୍ଷରେ ସମ୍ଭବ ନଥିଲା। ଫଳରେ ଡିମୋକ୍ରାଟିକ ପାର୍ଟିର ମୁଖ୍ୟ ଲୋକେ ଯାଇ ବାଇଡେନ୍‌ଙ୍କ ହାତ ଧରିଲେ। ପୂର୍ବରୁ ନିଜ ପାର୍ଟି ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଥିବା ଜୋ ବାଇଡେନ୍‌ ପାର୍ଟିର ତ୍ରାଣକର୍ତ୍ତା ହେଲେ। ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ୍‌ଙ୍କ ଠାରୁ ଏକ କୋଟିରୁ ଅଧିକ ଭୋଟ ପାଇ ସେ ବିଜୟୀ ହେଲେ।

ଅନେକେ ଭାବୁଛନ୍ତି ଟ୍ରମ୍ପ୍‌ ଓ ମୋଦୀଙ୍କ ଭିତରେ ଖୁବ୍ ଭଲ ସମ୍ପର୍କ ଥିଲା। ଟ୍ରମ୍ପ୍‌ ଗଲା ପରେ ଭାରତ ସହିତ ଆମେରିକାର ସମ୍ପର୍କ ବିଗିଡ଼ି ଯିବ। କଥାଟା ସତ ନୁହେଁ। ଭାରତ ଓ ଆମେରିକା ହେଲେ ଦୁଇଟି ଗଣତାନ୍ତ୍ରିକ ଦେଶ। ପରସ୍ପରର ସମୃଦ୍ଧି ଓ ବଳିଷ୍ଠତାରୁ ସେମାନେ ବଳ ପାଆନ୍ତି। ଆମେରିକା ବାଲା ଭଲ ଭାବରେ ଜାଣନ୍ତି ଯେ ପାକିସ୍ତାନରେ ଲୋକ ପ୍ରତିନିଧି ସରକାର ନ ଥିବାରୁ ବା ଦୁର୍ବଳ ଥିବାରୁ ସବୁ ରକମର ଗଣ୍ଡଗୋଳ ଉପୁଜୁଛି। ଆଫଗାନିସ୍ତାନ ଓ ସମଗ୍ର ଦକ୍ଷିଣ ଏସିଆରେ ଗଣତନ୍ତ୍ରର ବିସ୍ତାର କରିବାକୁ ହେଲେ ଉଦ୍ଦିଷ୍ଟ ଦେଶମାନଙ୍କୁ ଭାରତ ପ୍ରତି ଦୃଷ୍ଟି ଦେବାକୁ ହେବ। ଟ୍ରମ୍ପ୍‌ ହୁଅନ୍ତୁ କି ବାଇଡେନ୍; ଏହି ଅସଲ କଥାଟିକୁ କେହି ଅସ୍ୱୀକାର କରି ପାରିବେ ନାହିଁ। ତା’ଛଡ଼ା ଏବେ ଅଳ୍ପ ଦିନ ତଳେ ଚୀନ୍, ରୁଷିଆ ଓ ପାକିସ୍ତାନର ନୌସେନା ମିଶି ଯୁଦ୍ଧ-ଖେଳ ଚଳାଇ ଥିଲେ। ତା’ ପୂର୍ବରୁ ଭାରତ ମହାସାଗରରେ ଅଷ୍ଟ୍ରେଲିଆ, ଆମେରିକା ଓ ଭାରତ ମଧ୍ୟ ସେପରି ଖେଳ ଖେଳିଥିଲେ। ପୁଣି ଇସ୍ରାଏଲ ମାଧ୍ୟମରେ ଭାରତ ତାର ସମ୍ପର୍କ ଆମେରିକା ସହିତ ସୁଦୃଢ଼ କରିଛି। ତେବେ ଆମେରିକା, ଇସ୍ରାଏଲ୍ ଓ ଭାରତ- କେହି ନିଜର ସ୍ୱାର୍ଥକୁ ହାନି କଲା ଭଳି କୌଣସି କାମ କେବେ କରିବେ ନାହିଁ। ଆମେରିକା ଜାଣେ ଯେ ଏସୀୟ ରାଷ୍ଟ୍ରଙ୍କ ଭିତରେ ଭାରତ ସହିତ ବନ୍ଧୁତା ବାନ୍ଧିବା ତା’ ଲାଗି ସହଜ ଏବଂ ତାହା ଦ୍ବାରା ଏସିଆରେ ତାର ପ୍ରଭାବ ଦୃଢ଼ ହୋଇ ରହିବ। ବାଇଡେନ୍‌ ମଧ୍ୟ ଏହି ପ୍ରକାର ମନୋଭାବ ପ୍ରଦର୍ଶନ କଲେଣି।

ଫ୍ରେଡେରିକ୍, ୟୁ.ଏସ୍.ଏ.
[email protected]

ସମ୍ବନ୍ଧିତ ଖବର