କେଉଁ ଦିଗ ପ୍ରତି ଧ୍ୟାନ ରହିବା ଜରୁରୀ
ଆସନ୍ତା ରାଜ୍ୟ ବଜେଟ୍ - ଅନିଲ ବିଶ୍ବାଳ
ରାଜ୍ୟ ସରକାର ଫେବ୍ରୁଆରି ୨୨ରେ ବଜେଟ୍ ଆଗତ କରିବେ। ସମସ୍ତେ ଜାଣନ୍ତି ଯେ କରୋନା ମହାମାରୀ ହେତୁ ୨୦୨୦ ବର୍ଷଟି ଅତ୍ୟନ୍ତ କ୍ଷତିଗ୍ରସ୍ତ। ସେହି ଦୃଷ୍ଟିରୁ ଏହି ବଜେଟ୍ଟି କିଭଳି ହେବ, ସେ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଛି। ତେଣୁ ଏହି ବଜେଟ୍ ଅନ୍ୟ ବର୍ଷର ବଜେଟ୍ ତୁଳନାରେ ଅଧିକ ଗୁରୁତ୍ବପୂର୍ଣ୍ଣ। ସରକାରଙ୍କୁ କେଉଁ ଉତ୍ସରୁ ଅଧିକ ଅର୍ଥ ମିଳିିପାରିବ, କିପରି ମାନ୍ଦା ପଡ଼ି ଯାଇଥିବା ଆର୍ଥିକ କାରବାରକୁ ଗତିଶୀଳ କରାଯାଇପାରିବ; ତାହା ଉପରେ ଧୢାନ ଦିଆଯିବା ସ୍ବାଭାବିକ। କିନ୍ତୁ ତା’ ସହିତ ସାଧାରଣ ଲୋକଙ୍କର ଆର୍ଥିକ ସ୍ଥିତି ଏବଂ ରାଜ୍ୟର ବିକାଶ ଉପରେ ବି ଧୢାନ ରହିବ।
Sambad is now on WhatsApp
Join and get latest news updates delivered to you via WhatsApp
କରୋନା କାରଣରୁ ମଧୢବିତ୍ତ ଓ ନିମ୍ନବିତ୍ତ ସମସ୍ତେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ। ସେହି ପରିପ୍ରେକ୍ଷୀରେ ଚାଷୀ ଓ ଶ୍ରମିକ ଉଭୟଙ୍କ ପାଇଁ ବିଶେଷ ଧୢାନ ଦେବାକୁ ପଡ଼ିବ। ଏଭଳି ସ୍ଥିତିରେ ରାଜ୍ୟ ସରକାର ୬୫ ଲକ୍ଷ ଚାଷୀଙ୍କ ହିତ ଲାଗି କାଳିଆ ଯୋଜନାରେ କେତେ ଅର୍ଥ ବ୍ୟୟ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିବେ, ତାହା ଗୁରୁତ୍ବପୂର୍ଣ୍ଣ। କାରଣ ଏହା ଉପରେ ମହତ୍ତ୍ବ ପ୍ରଦାନ କରା ନ ଗଲେ ତାହା ରାଜ୍ୟ ସରକାରଙ୍କ ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିପାରେ। କାଳିଆ ଯୋଜନାର ହିତାଧିକାରୀମାନେ ଏହାର ଆଂଶିକ ଲାଭ ପାଇଛନ୍ତି। ତେବେ କାଳିଆରେ ଅନେକ ଅଯୋଗ୍ୟ ହିତାଧିକାରୀ ଅଛନ୍ତି, ଯେଉଁମାନଙ୍କୁ ବାଦ୍ ଦେଇ ଅନ୍ୟମାନଙ୍କୁ କାଳିଆ ଯୋଜନାର ଅର୍ଥ ପ୍ରଦାନ କରାଯିବା ଉଚିତ। ଏହା ଦ୍ବାରା ସରକାର ତାଙ୍କର ଏକ ମୂଲ୍ୟବାନ ପ୍ରତିଶ୍ରୁତି ପୂରଣ କରିେବ। କେନ୍ଦ୍ର ସରକାର ଚଳିତ ବଜେଟ୍ରେ ପିଏମ କିଷାନ ଯୋଜନାରେ ୬୫ ହଜାର କୋଟିର ବ୍ୟୟ ବରାଦ କରିଛନ୍ତି, ଯହିଁରେ ପ୍ରେତ୍ୟକ ଚାଷୀ ପରିବାର ଲାଗି ସହାୟତା ରାଶି ବାର୍ଷିକ ୬ ହଜାର ଟଙ୍କା। ଏହା ସହିତ କାଳିଆର ପ୍ରତିଶ୍ରୁତ ବାର୍ଷିକ ୧୦ ହଜାର ଟଙ୍କାର ଅର୍ଥ ରାଶି ମିଶାଗଲେ ଗୋଟିଏ ଚାଷୀ ପରିବାର ବର୍ଷକୁ ୧୬ ହଜାର ଟଙ୍କା ପାଇପାରିବେ।
ଆଉ ଯେଉଁ ଏକ ବିଷୟ ଚଳିତ ବଜେଟ୍ରେ ପ୍ରାଧାନ୍ୟ ପାଇବା କଥା, ତାହା ହେଉଛି ଜଳ ସମ୍ପଦର ପରିଚାଳନା। ଏଥିରେ ୬୦ ବର୍ଷରୁ ଅଧିକ ପୁରୁଣା ହୀରାକୁଦ ଜଳଭଣ୍ଡାରର ମରାମତି ଓ ତାର ଜଳଧାରଣ କ୍ଷମତା ବୃଦ୍ଧି ବିଶେଷ ଗୁରୁତ୍ବ ଲାଭ କରିବା ଉଚିତ। ସେହିଭଳି କୃଷିିର ବିକାଶ ଲାଗି ଜଳସେଚନ କ୍ଷମତାକୁ ବୃଦ୍ଧି କରାଯିବା ନିତାନ୍ତ ଆବଶ୍ୟକ। ଏବେ ରାଜ୍ୟର ପ୍ରାୟ ୪୦ ପ୍ରତିଶତ ଚାଷ ଜମି ଜଳସେଚିତ। ଏଥିରେ ବୃଦ୍ଧି ଆଣିବା ଲାଗି ଅଧିକ କେନାଲ ଓ ବ୍ୟାରେଜ ଇତ୍ୟାଦି ଜରୁରୀ। ପୂର୍ବରୁ ସରକାର ମହାନଦୀରେ ୭ଟି ବ୍ୟାରେଜ ଓ ଏହାର ଶାଖା ନଦୀରେ ୨୨ଟି କ୍ଷୁଦ୍ର ବ୍ୟାରେଜ ନିର୍ମାଣ କରିବା ପାଇଁ ଘୋଷଣା କରିଥିଲେ। ଏହି ସବୁ ଘୋଷଣାକୁ ରୂପ ଦେବା ଲାଗି ଅର୍ଥ ବ୍ୟୟର ଯୋଜନା ଏହି ବଜେଟ୍ରୁ ପ୍ରାରମ୍ଭ କରାଗଲେ ଭଲ। ଏହା ସହିତ ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ଭଳି ନଦୀଗୁଡ଼ିକର ଜଳ ପରିଚାଳନା ବିଷୟ ହେଜରେ ରହିବା ଉଚିତ।
ଆମ ରାଜ୍ୟର ପ୍ରାୟ ୨୦ ଲକ୍ଷରୁ ଅଧିକ ସଂଖ୍ୟକ ଶ୍ରମିକ ବାହାର ରାଜ୍ୟରେ କାମ କରୁଛନ୍ତି। ସେମାନଙ୍କ ସଂଖ୍ୟାର ପ୍ରାବଲ୍ୟ କରୋନା କାଳରେ ଦେଖିବାକୁ ମିଳିଲା। ତହିଁରୁ ଏକ ଚିନ୍ତା ଓ ପ୍ରଶ୍ନ ବି ଉଠିଲା ଯେ ଆମ ରାଜ୍ୟ କାହିଁକି ଏକ ଶ୍ରମିକ ରପ୍ତାନି କରୁଥିବା ରାଜ୍ୟ ହୋଇ ରହିବ? ତେଣୁ ମୂଳକଥା ହେଲା ଶ୍ରମିକମାନଙ୍କ ଦକ୍ଷତାର ସୁବିନିଯୋଗ କରିବା ଲାଗି ଆମ ରାଜ୍ୟରେ ନିଯୁକ୍ତି ଓ ନିୟୋଜନର ସୁଯୋଗ ସୃଷ୍ଟି। ତେଣୁ, ଏହି ଶ୍ରମିକମାନଙ୍କ ଲାଗି ଉପଯୁକ୍ତ କର୍ମସ˚ସ୍ଥାନ ଲାଗି ମାର୍ଗ ଚିନ୍ତନ କରାଯିବା ସହିତ ଅର୍ଥ ବ୍ୟୟ ବରାଦ କରାଯିବା ଜରୁରୀ, ଯାହାର ଝଲକ ଆଗାମୀ ବଜେଟ୍ରେ ଦିଶିଲେ ଏକ ନୂଆ ସକାଳର ଆରମ୍ଭ ହେଲା ବୋଲି ବୁଝିବାକୁ ହେବ। କେନ୍ଦ୍ର ସରକାରଙ୍କ ‘ଆତ୍ମନିର୍ଭରଶୀଳ ଭାରତ’ ପରିକଳ୍ପନା ଏବଂ ସେଥି ଲାଗି ୨୦ ଲକ୍ଷ କୋଟିର ପ୍ୟାକେଜର ସୁଯୋଗର ସଦ୍ବ୍ୟବହାର ଆମ ସରକାର କରିବା ସହିତ ଆମ ରାଜ୍ୟର ବିପୁଳ ପ୍ରାକୃତିକ ସମ୍ବଳ ଓ ମାନବ ସମ୍ବଳର ଉପଯୋଗ ପ୍ରତି ବିଶେଷ ଆଗ୍ରହ ପ୍ରକାଶ ପାଇବା ଉଚିତ। ଏହି ଆଭିମୁଖ୍ୟ ବଜେଟ୍ର ବ୍ୟୟ ବରାଦରେ ଦୃଶ୍ୟମାନ ହେଲେ ତାହା ରାଜ୍ୟ ଲାଗି ଏକ ଉଜ୍ଜ୍ବଳ ଭବିଷ୍ୟତ୍ର ପ୍ରତିଶ୍ରୁତି ବହନ କରିବ। ଚୌଦ୍ବାରର ଓଡିଶା ଟେକ୍ସଟାଇଲ ମିଲ୍, ଝାରସୁଗୁଡ଼ାର ଭାସ୍କର ଟେକ୍ସଟାଇଲ ମିଲ୍ ଏବଂ ବାରିପଦାର ମୟୂରଭ˚ଜ ଟେକ୍ସଟାଇଲ ମିଲ୍ ବର୍ତ୍ତମାନ ପୂରା ବନ୍ଦ। ସେହିପରି ରାଜ୍ୟର ୭ଟି କୋଅପରେଟିଭ୍ ସ୍ପିନିଙ୍ଗ ମିଲ୍ରୁ ୬ଟି ଓ ୧୧ଟି ପାଵାରଲୁମ୍ରୁ ଏବେ ସବୁଗୁଡ଼ିକ ବନ୍ଦ। ତେଣୁ ଆମ ରାଜ୍ୟରେ ଉତ୍ପାଦିତ କପା ଏବେ ବାହାରକୁ ଯାଉଛି। ଏ ସବୁ ଚାଲିଲେ ନିଶ୍ଚୟ ରାଜ୍ୟର ଆର୍ଥିକ ଲାଭ ହେବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି ହୁଅନ୍ତା। ଗୁଜୁରାଟରେ ସୂତା କଳକୁ ଆମ ଶ୍ରମିକମାେନ ଚଳାଇ ରଖିଛନ୍ତି। ନିଜ ରାଜ୍ୟରେ ସୁେଯାଗ ସେମାନଙ୍କୁ ଘର ମୁହାଁ କରନ୍ତା। ସେମିତି ଓଡ଼ିଶାରେ ଥିବା ୮ଟି ବଡ଼ ଚିନି କଳରୁ ୬ଟି ବନ୍ଦ ପଡ଼ିଛି ଏବଂ ୫ଟି କାଗଜ କଳରୁ ମାତ୍ର ୨ଟି ଚାଲୁଛି। ସରକାର ଏ ସବୁର ପୁନରୁଦ୍ଧାର ଲାଗି ଉଦ୍ୟମ କରିବା ଉଚିତ ଯାହା ଏହି ବଜେଟ୍ରେ ପ୍ରତିଫଳିତ ହେବା ଦରକାର। କରୋନା ସଂକ୍ରମଣ ଦେଇଥିବା ଏକ ବଡ଼ ଶିକ୍ଷା େହଉଛି ଏହା ଯେ ଆମ ମାନବ ସମ୍ବଳ ଆମ ରାଜ୍ୟରେ ଓ ରାଜ୍ୟର ବିକାଶ ଲାଗି ନିୟୋଜିତ ହେବା ଜରୁରୀ।
ସେହିଭଳି ଖଣିଜ ପଦାର୍ଥର ପରିଚାଳନା ପ୍ରସଙ୍ଗ ଆସେ। ଉଦାହରଣ ସ୍ବରୂପ ଯୋଡ଼ା ମାଇନିଙ୍ଗ ସର୍କଲରେ ଉନ୍ନତ ମାନର ଲୁହାପଥର ମିଳେ। କିନ୍ତୁ ସେଠାକାର ୧୦୬ଟି ଖଣିରୁ ମାତ୍ର ୬ଟି ଖଣିର ଲୁହାପଥରରୁ ଆମ କାରଖାନାରେ ଲୁହା ବାହାରେ, ବାକି ୯୮ଟି ଖଣିର ଲୁହାପଥର ବାହାରେ ବିକ୍ରି ହୁଏ। କିନ୍ତୁ ଖଣିଜ ପଥରରେ ଯଦି ମୂଲ୍ୟ ଯୁକ୍ତ କରାଯାଇ ନ ପାରିଲା, ତେବେ ଲାଭ ନାହିଁ।
ଏ ସଂଦର୍ଭରେ ରାଜ୍ୟ ସରକାରଙ୍କ ଆୟର ସ୍ରୋତ ଏକ ପ୍ରତିବନ୍ଧ ହୋଇପାରେ। କାରଣ ଏହାର ଉତ୍ସ ସୀମିତ ଏବଂ କରୋନା କାଳରେ ଏହା କ୍ଷୀଣତା ଲାଭ କରିଛି। ତେବେ ଆୟର ସ୍ରୋତ ଅନୁସାରେ ସାଧ୍ୟ ମୁତାବକ ବ୍ୟୟ କରାଯିବା ସକାଶେ ଅଗ୍ରାଧିକାର କ୍ଷେତ୍ରର ତାଲିକା ପ୍ରସ୍ତୁତ କଲା ବେଳେ ଉପରୋକ୍ତ ବିଷୟଗୁଡ଼ିକ ପ୍ରତି ଦୃଷ୍ଟି ଦିଆଯିବା ଉଚିତ।
ହରିରାଜପୁର, ପୁରୀ
ମୋ- ୮୨୪୯୮୬୮୯୬୧