ଦେଶୀ ଗାଈ ଗବେଷଣା

ରମେଶ ପ୍ରଧାନ

ପିଲାଙ୍କ ପାଠ୍ୟ ସିଲାବସ୍‌ରେ କୁହାଯାଇଛି ଯେ, ଦେଶୀ ଗାଈର ଦୁଧରେ ଅଛି ସୁନା। ତେଣୁ ଗାଈ ଦୁଧର ରଙ୍ଗ ଈଷତ୍‌ ହଳଦିଆ ଦେଖାଯାଏ। ଆହୁରି କୁହାଯାଇଛି ଯେ, ଗୋରୁ ରଡ଼ି ସହ ଭୂମିକମ୍ପର ସିଧାସଳଖ ସମ୍ପର୍କ ରହିଛି। ଆହୁରି ମଧ୍ୟ କୁହାଯାଇଛି ଯେ ଭୋପାଳରେ ଗ୍ୟାସ୍‌ ଦୁର୍ଘଟଣା ସମୟରେ ଯେଉଁମାନେ ଗୋବର ଲିପା ହୋଇଥିବା କାନ୍ଥଘେରା ଘର ଭିତରେ ଥିଲେ, ସେମାନଙ୍କର କୌଣସି କ୍ଷତି ହୋଇ ନ ଥିଲା।

କେନ୍ଦ୍ର ସରକାର ଚାହାଁନ୍ତି ଗୋ ଅର୍ଥାତ୍‌ ଗାଈ ଓ ଏଷଣା (ସନ୍ଧାନ ବା ଖୋଜା) ଯାହାର ସନ୍ଧି ରୂପ ଗବେଷଣା, ମୂଳ ଅର୍ଥରେ ହେଉ। ତେଣୁ ଦେଶୀ ଗାଈଙ୍କ ବିଷୟରେ ଏକ ସର୍ବଭାରତୀୟ ପରୀକ୍ଷା ହେବ। ଏହା ଆଗାମୀ ୨୫ ତାରିଖ ଦିନ ଅନ୍‌ ଲାଇନ୍‌ରେ ହେବ। ଏଥିରେ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଭାଗ ନେଇପାରିବେ। ଉପରୋକ୍ତ ଧାଡ଼ିଗୁଡ଼ିକ ହେଉଛି ସେହି ପରୀକ୍ଷା ପାଇଁ ପ୍ରସ୍ତୁତି ନିମିତ୍ତ ପ୍ରକାଶିତ ପାଠ୍ୟକ୍ରମରୁ ଉଦ୍ଧୃତ। ଗୋ-କଲ୍ୟାଣ ଲକ୍ଷ୍ୟରେ ଗଠିତ ରାଷ୍ଟ୍ରୀୟ କାମଧେନୁ ଆୟୋଗର େୱବ୍‌ସାଇଟ୍‌ରେ ଏହା ରହିଛି।

ଗବେଷଣା ଶବ୍ଦର ଉତ୍ପତ୍ତିରେ ‘ଗୋ’ ବା ‘ଗୋରୁ’ ଶବ୍ଦ ଦ୍ବୟ ରହିଛି। ଅନେକ ଭାଷାତତ୍ତ୍ବବିତ୍‌ଙ୍କ ମତରେ ଅତୀତରେ ପ୍ରକୃତ ଧନ ଥିଲା ‘ଗୋ ଧନ’। ତେଣୁ ଗାଈଗୋରୁ ହଜିଗଲେ ତନ୍ନ ତନ୍ନ କରି ସର୍ବତ୍ର ଖୋଜା ଚାଲେ। ଏପରି ଭାବରେ ଗୋ ଏଷଣାରୁ ‘ଗବେଷଣା’ ଶବ୍ଦର ସୃଷ୍ଟି ହୋଇଛି। ତେଣୁ କାମଧେନୁ ଆୟୋଗ ଏହାର ଆକ୍ଷରିକ ଅର୍ଥଟିକୁ ଧରି ଗୋ-ଜ୍ଞାନର ପରୀକ୍ଷା କରିବାକୁ ଇଚ୍ଛୁକ। ‘ଗୋମାତା’ ସଂପର୍କରେ ଜନସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହା ଏକ ଉଦ୍ୟମ ବୋଲି ବୁଝି ହୁଏ। ଉଦାହରଣ ସ୍ବରୂପ କାମଧେନୁ ଆୟୋଗର ମୁଖ୍ୟ ବଲ୍ଲଭଭାଇ କଥୀରିୟା କହିଥିବା ଭଳି ଚାରିଟି ସହରରେ କରୋନାର ସାମାନ୍ୟ ଲକ୍ଷଣ ପ୍ରକାଶ କରିଥିବା ୮ଶହ ରୋଗୀଙ୍କ କ୍ଷେତ୍ରରେ ପରୀକ୍ଷାମୂଳକ ଭାବରେ ପଞ୍ଚଗବ୍ୟ (ଗୋ ଦୁଧ, ଗୋମୂତ୍ର, ଗୋବର, ଦହି ଓ ଘିଅର ମିଶ୍ରଣ) ପ୍ରୟୋଗ କରାଯାଇ ତହିଁରୁ ୯୬ ଶତା˚ଶ ସଫଳତା ମିଳିପାରିଛି। ଏ କଥା ସମସ୍ତେ ଜାଣିବା ଉଚିତ।

ଏହି ପରୀକ୍ଷାର ନାମ ଦିଆଯାଇଛି- ‘କାମଧେନୁ ଗୋ-ବିଜ୍ଞାନ ପ୍ରଚାର ଓ ପ୍ରସାର ପରୀକ୍ଷା’। ଏହା ଦ୍ବାରା ଯେ କେବଳ ଗୋମାତା ସମ୍ବନ୍ଧୀୟ ଜ୍ଞାନ ବୃଦ୍ଧି ପାଇବ ତାହା ନୁହେଁ, ଗାଈ ଦୁଧ ଦେବା ବନ୍ଦ ହୋଇଗଲା ପରେ ବ୍ୟବସାୟିକ ଓ ଅନ୍ୟାନ୍ୟ କ୍ଷେତ୍ରରେ ଗାଈର କ’ଣ ଉପଯୋଗିତା ଅଛି, ସେ ବିଷୟରେ ଲୋକେ ଜାଣି ଗାଈକୁ ଆଦର କରିବେ ଓ ପରିତ୍ୟଜ୍ୟ କରିଦେବେ ନାହିଁ। ସେମିତି ଗୋବର ବା ଗୋମୂତ୍ରର କିଭଳି ଲାଭଜନକ ବ୍ୟବହାର କରାଯାଇ ପାରିବ, ସେ ଦିଗରେ ସାଧାରଣ ଲୋକେ ଓ ଉଦ୍ୟୋଗୀମାନେ ଉଦ୍ୟମ କରିବେ। ଏହା ଅ‌େନକ ଲୋକଙ୍କ ଆୟ ବୃଦ୍ଧିରେ ସହାୟକ ହୋଇପାରେ ମଧ୍ୟ। ଇ˚ରେଜୀ ଓ ହିନ୍ଦୀ ଛଡ଼ା ୧୨ଟି ଆଞ୍ଚଳିକ ଭାଷାରେ ମଧ୍ୟ ଏଇ ପରୀକ୍ଷା ଦେଇହେବ। ସଫଳ ପରୀକ୍ଷାର୍ଥୀଙ୍କୁ ମିଳିବ ପୁରସ୍କାର ଓ ପ୍ରଶ˚ସାପତ୍ର।

ଏବେ ଏହାର ପାଠ୍ୟା˚ଶ ନେଇ ଚର୍ଚ୍ଚା ଚାଲିଛି। ସେଥିରେ କୁହାଯାଇଛି, ‘ଦେଶୀ ଗାଈର ସ୍ବାସ୍ଥ୍ୟ ଜର୍ସି ଗାଈର ସ୍ବାସ୍ଥ୍ୟ ଅପେକ୍ଷା ବହୁତ ଭଲ। ଦେଶୀ ଗାଈ କେବେହେଲେ ମଇଳା ଜାଗାରେ ବସେ ନାହିଁ। ଅଚିହ୍ନା ଲୋକ ପାଖକୁ ଆସିଲେ ଦୌଡ଼ି ପଳାଏ, କିନ୍ତୁ ଜର୍ସି ଗାଈ ସେଭଳି କରେ ନାହିଁ।’ ସେମିତି ଗାଈଗୋରୁ ଏବ˚ କରୋନା-ଚିକିତ୍ସା ମଧ୍ୟରେ ସମ୍ବନ୍ଧ ନେଇ ଆୟୋଗର ବକ୍ତବ୍ୟରେ ଅନେକ ଅବାକ୍‌ ହୋଇଯାଇଛନ୍ତି। ପୂର୍ବରୁ କୁହାଯାଇଥିବା ‘ପଞ୍ଚଗବ୍ୟ’ର ପରୀକ୍ଷାମୂଳକ ପ୍ରୟୋଗର ଫଳାଫଳ ବିଷୟରେ ଏକ ନିବନ୍ଧ କୌଣସି ଗୋଟିଏ ଜର୍ଣ୍ଣାଲ (ଗବେଷଣା ପତ୍ରିକା)ରେ ପ୍ରକାଶ କରିବା ଉଦ୍ଦେଶ୍ୟରେ ଆୟୁଷ ମନ୍ତ୍ରଣାଳୟ ସହିତ କାମଧେନୁ ଆୟୋଗ ଯୋଗାଯୋଗ କରିଛି। ‘ପଞ୍ଚଗବ୍ୟ’ର ଫଳପ୍ରଦତ୍ତା ପ୍ରମାଣିତ ହୋଇଗଲେ କୋଭିଡ୍ ଟିକା ନେବା ଇଚ୍ଛାଧୀନ ହେବ ବୋଲି କାମଧେନୁ ଆୟୋଗର ମୁଖ୍ୟ ବଲ୍ଲଭଭାଇ କଥୀରିୟା ମହାଶୟ କହନ୍ତି।

ମୋ: ୯୧୨୪୫୬୨୬୨୬
[email protected]

ସମ୍ବନ୍ଧିତ ଖବର