ସାରଳା ଓ ସାରୋଳ, ମହାଭାରତ ଓ ମହାଭାରଥ

ସାହିତ୍ୟିକ ପାଣିପାଗ - ଅସିତ ମହାନ୍ତି

୨୦୨୧ ଇଂରେଜୀ ନୂଆବର୍ଷର ଗୋଟିଏ ନୂଆ ଖବର ଏହି ଯେ ଆଦିକବି ସାରଳା (ଶାରଳା) ଦାସଙ୍କ ମହାଭାରତର ଏକ ନୂଆ, ପାଠାଲୋଚନା ଆଧାରିତ (କ୍ରିଟିକାଲ୍‌) ସଂସ୍କରଣ ଏବେ ପ୍ରକାଶ ଅପେକ୍ଷାରେ। ଏହାର ଯେଉଁ ପାଣ୍ଡୁଲିପିଟି ସମୀକ୍ଷା ପାଇଁ ଏହି ଲେଖକର ହସ୍ତଗତ ହୋଇଛି, ସେଥିରୁ ଜଣାଯାଇଛି ଯେ ଏହି ସଂସ୍କରଣର ନାମ ରଖାଯାଇଛି ‘ସାରୋଳଦାସ ମହାଭାରଥ’। ଏ ପ୍ରସଙ୍ଗରେ ମନରେ ପ୍ରଶ୍ନ ଆସେ, ଓଡ଼ିଶାର ସାଧାରଣ ପାଠକ, ଆମ ଆଦିକବିଙ୍କ ନାମ ଭାବରେ ଦୁଇଟି ନାଆଁ- ‘ସାରଳା ଦାସ’ ଓ ‘ଶାରଳା ଦାସ’ ସହ ପରିଚିତ ଥିବାବେଳେ, ଏବଂ ଓଡ଼ିଆ ସାହିତ୍ୟର ସଂଖ୍ୟାଧିକ ସମାଲୋଚକ ମଧ୍ୟ ଏ ନାଆଁ ଦୁଇଟିକୁ ନିଜ ନିଜର ସମୀକ୍ଷା ବା ଆଲୋଚନାରେ ଗ୍ରହଣ କରିଥିବା ବେଳେ, ଏ ନୂଆ, ‘କ୍ରିଟିକାଲ’ ସଂସ୍କରଣର ନାଆଁ ‘ସାରୋଳଦାସ ମହାଭାରଥ’ କାହିଁକି?

ଓଡ଼ିଶାର ବିଶିଷ୍ଟ ଗବେଷକ ଗୌରାଙ୍ଗ ଚରଣ ଦାଶଙ୍କ ସହିତ ପ୍ରଦୀପ୍ତ କୁମାର ପଣ୍ଡା ଓ ଭାଗ୍ୟଲିପି ମଲ୍ଲ ଏହାର ସଂପାଦନା କରିଛନ୍ତି। ଅନେକ ବିଦ୍ୱାନ ଏଥିସହ ବିଭିନ୍ନ ସୂତ୍ରରେ ସଂପୃକ୍ତ ଅଛନ୍ତି। ଏହାର ଉତ୍ତରରେ ଶ୍ରୀ ଦାଶ କହିଛନ୍ତି, “ଓଡ଼ିଶାରୁ ମିଳୁଥିବା କୌଣସି ପୋଥିରେ ‘ସାରଳା’ ବା ‘ଶାରଳା’ ନାହିଁ; ‘ସାରୋଳ’ ଅଛି। ‘ଦାସ’ ମଧ୍ୟ ସାରଳା/ ଶାରଳା/ସାରୋଳଙ୍କର ସାଂଜ୍ଞା ନୁହେଁ। ସେ ସାରୋଳଦେବୀ ବା ସାରୋଳଚଣ୍ଡୀଙ୍କର ଦାସ; ତେଣୁ ସେ ‘ସାରୋଳଦାସ’। ଏହା ସେମିତି ଗୋଟିଏ ଶବ୍ଦ ବା ସେମିତି ଗୋଟିଏ ନାଆଁ- ଯେମିତି ‘ଚଣ୍ଡିଦାସ’, ‘ତୁଳସୀଦାସ’ ବା ‘ବିଷ୍ଣୁଦାସ’।” ସେହିପରି, ‘ମହାଭାରତ’ ପରିବର୍ତ୍ତେ, ଏ ସଂସ୍କରଣର ନାମ ‘ମହାଭାରଥ’ ରଖିବା ପ୍ରସଙ୍ଗରେ ସେ କହିଛନ୍ତି, “ଏବେ ଉପଲବ୍‌ଧ କୌଣସି ପୋଥିରେ ‘ମହାଭାରତ’ ନାହିଁ; ସବୁଥିରେ ‘ମହାଭାରଥ’ ହିଁ ଅଛି; ସେଇଥିପାଇଁ ଏହାର ନାମ ‘ସାରୋଳଦାସ ମହାଭାରଥ’ ରଖାଯାଇଛି।

ଏ ପ୍ରସଙ୍ଗରେ ସୂଚନାଯୋଗ୍ୟ ଯେ ଓଡ଼ିଶାର ଏହି ଆଦିକବିଙ୍କର ପ୍ରଥମ ଚର୍ଚ୍ଚାକାର ଥିଲେ ବ୍ୟାସକବି ଫକୀରମୋହନ ସେନାପତି। ‘ବାଲେଶ୍ୱର ସମ୍ବାଦବାହିକା’ର ୧୮୮୫ ମସିହା, ନଭେମ୍ବର ୨୪ ତାରିଖ ସଂଖ୍ୟାରେ ତାଙ୍କର ସେହି ପ୍ରଥମ ଆଲୋଚନା ପ୍ରକାଶ ପାଇଥିଲା। ପରେ ମନମୋହନ ଚକ୍ରବର୍ତ୍ତୀ ଓ ଶ୍ୟାମ ସୁନ୍ଦର ରାଜଗୁରୁ ତାଙ୍କ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏ ସଂପର୍କରେ ବିଶେଷ ଉଲ୍ଲେଖନୀୟ ଯେ ‘ଉତ୍କଳ ସାହିତ୍ୟ’ର ୭ମ ଭାଗ, ୪ର୍ଥ ସଂଖ୍ୟା, ୧୯୦୪, ଶ୍ରାବଣରେ ଶ୍ୟାମସୁନ୍ଦର ରାଜଗୁରୁଙ୍କର ‘ଶୂଦ୍ରମୁନି ଶାରଳା ଦାସ (ମହାଭାରତର ରଚୟିତା) ପ୍ରବନ୍ଧ ପ୍ରକାଶ ପାଇଥିଲା। ତାହାର ପ୍ରଥମ ବାକ୍ୟରେ ସେ ଲେଖିଥିଲେ, “ଓଡ଼ିଶାର ଭାଷାକବିମାନଙ୍କ ମଧ୍ୟରେ ଶୂଦ୍ରମୁନି ଶାରଳା ଦାସ ସର୍ବପ୍ରଥମ କବି। ଏହାଙ୍କ ପୂର୍ବେ କୌଣସି କୌଣସି କବି ଥାଇପାରନ୍ତି, ମାତ୍ର ସେମାନଙ୍କ ମଧ୍ୟରୁ କେହି ମହାଭାରତ ପରି ପ୍ରକାଣ୍ଡ ଗ୍ରନ୍ଥ ରଚନା କରିଥିଲା ପରି ବୋଧ ହୁଏ ନାହିଁ। … ଚାରିପତ୍ରିଆ ପୁସ୍ତକ ଖଣ୍ଡେ ଖଣ୍ଡେ ଲେଖି ଲୋକେ କବି, ମହାକବି ବୋଲାଉଥିବାଠାରେ, ଯେ ଅଠରଖଣ୍ଡ ଭାରତର ପଦ୍ୟାନୁବାଦ କରିଅଛନ୍ତି, ସେ ଆପଣାକୁ ‘କାଳିଦାସ’, ‘ଶୂଦ୍ରମୁନି’ କାହିଁକି, ‘ବ୍ରହ୍ମମୁନି’ କହିଲେ କି ଦୋଷ?”

‘ଉତ୍କଳ ସାହିତ୍ୟ’ରେ ସେଦିନ ଏହି ଯେଉଁ ଶାରଳା ଦାସ ସାହିତ୍ୟ ଚର୍ଚ୍ଚା ପ୍ରକାଶ ପାଇଥିଲା- ତାହା ଥିଲା ‘ଉତ୍କଳ ସାହିତ୍ୟ ସମାଜ’ର ଅଧିବେଶନରେ ପଠିତ ଏକ ପ୍ରବନ୍ଧ। “ଆଧୁନିକ ଲେଖକମାନଙ୍କ ମଧ୍ୟରେ ପ୍ରାଚୀନ ସାହିତ୍ୟ ଆଲୋଚନାର ଶୋଚନୀୟ ଅଭାବ ଦେଖାଯାଏ।” ବୋଲି ସେତେବେଳର ଏକ ଆଲୋଚନା ସଭାରେ ‘ଉତ୍କଳ ସାହିତ୍ୟ’ର ସଂପାଦକ ବିଶ୍ୱନାଥ କର କହିଥିଲେ। ଭକ୍ତକବି ମଧୁସୂଦନ ରାଓ ମଧ୍ୟ ସେହି ଆଲୋଚନା ସଭାରେ ସଭାପତିତ୍ୱ କରି, ନିଜର ଅଭିଭାଷଣରେ କହିଥିଲେ, “ଶ୍ରୀଯୁକ୍ତ ହଣ୍ଟର ସାହେବ କବିମାନଙ୍କ ମଧ୍ୟରେ ଯେଉଁ କାଳନିରୂପଣ କରିଛନ୍ତି, ସେଥିରେ ଆମ୍ଭେମାନେ ସନ୍ଦିହାନ। ଅନ୍ୟାନ୍ୟ କବିମାନଙ୍କ କଥା ଜଣା ନଥିବା ସ୍ଥଳେ, ମୋ ମତରେ ସାରଳା ଦାସଙ୍କୁ ଆଦିକବି ସ୍ୱରୂପ ଗ୍ରହଣ କରାଯାଇପାରେ। ତତ୍‌ପୂର୍ବରୁ କେହି କେହି କବି ଥାଇ ପାରନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ କେହି ଗୋଟିଏ ଭାଷାର ଆଦିକବି ରୂପେ ଗଣ୍ୟ ହେବାର ଯୋଗ୍ୟ ବୋଲି ବିବେଚନା କରାଯାଇ ନପାରେ।”

ଏଣୁ, ଏହିପରି ଭାବରେ, ‘ଉତ୍କଳ ସାହିତ୍ୟ ସମାଜ’ର ସାରଳା ଦାସ ସାହିତ୍ୟ ଚର୍ଚ୍ଚାରୁ ଓଡ଼ିଆ ଭାଷାରେ ପ୍ରଥମ ମହାକାବ୍ୟର ରଚୟିତା, ମହାଭାରତକାର ସାରଳା ଦାସଙ୍କୁ ମିଳିଥିଲା ‘ସର୍ବପ୍ରଥମ କବି’ ବା ‘ଆଦିକବି’ ଆଖ୍ୟା।

ଏ ସଂପର୍କରେ କବିବର ରାଧାନାଥ ରାୟଙ୍କର ଗୋଟିଏ ଉକ୍ତିର ଉଲ୍ଲେଖ ଆବଶ୍ୟକ। ୧୯୦୩, ଡିସେମ୍ବର ୨୯ ତାରିଖ ଦିନ, ‘ଉତ୍କଳ ସାହିତ୍ୟ ସମାଜ’ର ପ୍ରଥମ ବାର୍ଷିକ ଅଧିବେଶନରେ ସଭାପତିତ୍ୱ କରିଥିଲେ ସେ। କଟକର ଇଦ୍‌ଗା ପଡ଼ିଆଠାରେ ସେହି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ସେଦିନ, ତାଙ୍କର ଅଭିଭାଷଣରେ, ଉତ୍କଳ ସାହିତ୍ୟର ଉନ୍ନତି ପାଇଁ କେତେକ ମୂଲ୍ୟବାନ ପ୍ରସ୍ତାବ ଦେବା ସହିତ, ପ୍ରାଚୀନ ସାହିତ୍ୟର ଆଲୋଚନା ଉପରେ ସେ ଗୁରୁତ୍ୱ ଦେଇଥିଲେ। ସେ କହିଥିଲେ, “ଜାତିକୁ ଉନ୍ନତ କରିବାକୁ ହେଲେ ଉନ୍ନତ ଜାତୀୟ ସାହିତ୍ୟ ନିତାନ୍ତ ପ୍ରୟୋଜନୀୟ। … ବଙ୍ଗୀୟ ସାହିତ୍ୟର ତ କଥା ନାହିଁ, ହିନ୍ଦୀ ସାହିତ୍ୟ ମଧ୍ୟ ଯେପରି କ୍ଷିପ୍ରଗତିରେ ଅଗ୍ରସର ହେଉଅଛି, ତାହାର ତୁଳନାରେ ଓଡ଼ିଆ ସାହିତ୍ୟକୁ ଜଡ଼ବତ୍ ସ୍ଥାଣୁ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆମ୍ଭମାନଙ୍କର ସାହିତ୍ୟାନୁରାଗର ଅଭାବ ଏହାର ଏକମାତ୍ର କାରଣ ଅଟେ। … ପ୍ରାଚୀନ ଉତ୍କଳ ସାହିତ୍ୟ ଯେଉଁ ପରିମାଣରେ ଆମ୍ଭମାନଙ୍କର ଆଲୋଚନା କରିବାର ଉଚିତ, ଆମ୍ଭେମାନେ ତାହାର ଶତାଂଶ କରିନାହୁଁ। ଅନ୍ତତଃ ଏ ବିଷୟରେ ମୁଁ ମୋହର ନିଜର ତ୍ରୁଟି ଉତ୍ତମ ରୂପେ ଉପଲବ୍‌ଧି କରିଅଛି।”

ଆଜିଠୁଁ ପ୍ରାୟ ୧୧୮ ବର୍ଷ ପୂର୍ବର, ରାଧାନାଥ ରାୟଙ୍କର ଏହି ଅଭିଭାଷଣର ଦର୍ପଣରେ ଆଜି ଯଦି ଆମେ ଆମର ମୁହଁ ଦେଖୁଁ, ତେବେ ଆମେ ମଧ୍ୟ ଆଜି ଆମର ତ୍ରୁଟି ଉତ୍ତମ ରୂପେ ଉପଲବ୍‌ଧି କରିପାରିବା। ସେଦିନ, ଫକୀରମୋହନ, ମନମୋହନ ଚକ୍ରବର୍ତ୍ତୀ ଓ ଶ୍ୟାମସୁନ୍ଦର ରାଜଗୁରୁ ଯେଉଁ ମହାଭାରତ ଆଲୋଚନାର ଅୟମାରମ୍ଭ କରିଥିଲେ, ପରବର୍ତ୍ତୀ କାଳରେ ତାହାକୁ ଆଗେଇ ନେଇଥିଲେ ପଣ୍ଡିତ ଗୋପୀନାଥ ନନ୍ଦଶର୍ମା, ପଣ୍ଡିତ ମୃତ୍ୟୁଞ୍ଜୟ ରଥ, ପଣ୍ଡିତ ବିନାୟକ ମିଶ୍ର, ପଣ୍ଡିତ ନୀଳକଣ୍ଠ ଦାସ, ରାୟବାହାଦୁର ଆର୍ତ୍ତବଲ୍ଲଭ ମହାନ୍ତି, କବି ମାୟାଧର ମାନସିଂହ, କଥାକାର ସୁରେନ୍ଦ୍ର ମହାନ୍ତି ଓ ଗୋପୀନାଥ ମହାନ୍ତି, ଅଧ୍ୟାପକ କୃଷ୍ଣଚରଣ ସାହୁ, ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଓ ଆଲୋଚକ ସଚ୍ଚିଦାନନ୍ଦ ମିଶ୍ର ପ୍ରମୁଖ। କିନ୍ତୁ ସେସବୁ ଆଲୋଚନା ଆମର ଏହି ଆଦିକବି ଏବଂ ଆମ ସାହିତ୍ୟର ଏହି ଗୁରୁତ୍ୱପୂର୍ଣ୍ଣ ଆଦିକୃତିକୁ ଏଯାଏ ପ୍ରଶ୍ନାତୀତ ଓ ସଂଶୟମୁକ୍ତ କରିପାରି ନାହିଁ। କାରଣ, ଯାହାଙ୍କୁ ଆମେ ଆମର ‘ପ୍ରଥମ କବି’ ବା ‘ଆଦିକବି’ ବୋଲି କହିଆସୁଛୁ, ତାଙ୍କ ସଂପର୍କରେ ସ୍ପଷ୍ଟ ଚିତ୍ର ଆମ ପାଖରେ ନାହିଁ। ସେ ‘ସାରଳା’, ‘ଶାରଳା’ ନା ‘ସାରୋଳ’? ‘ଦାସ’ ତାଙ୍କର ସାଂଜ୍ଞା ନା ସାରୋଳଚଣ୍ଡୀଙ୍କର ଦାସ ବୋଲି ସେ ‘ସାରୋଳ ଦାସ’? ତାଙ୍କ ଭାଷାରେ ତାଙ୍କର ଏ ରଚନା ‘ମହାଭାରତ’ ନା ‘ମହାଭାରଥ’? ଅନ୍ତତଃ ଏ ପ୍ରଶ୍ନଗୁଡ଼ିକର ଏକ ଉତ୍ତର, ପ୍ରକାଶମୁଖୀ ଏ ‘ପାଠାଲୋଚନା ଆଧାରିତ’ ବା ‘କ୍ରିଟିକାଲ୍‌’ ସଂସ୍କରଣ ‘ସାରୋଳଦାସ ମହାଭାରଥ’ ଆମକୁ ଦେବ।

ଆମେ ଯେ ଆମର ଏଇ ଆଦିକବିଙ୍କ ସଂପର୍କରେ ଅକ୍ଷମଣୀୟ ଭାବରେ ଅଜ୍ଞ ବା ଏକଦେଶଦର୍ଶୀ- ଏହାର ଅନେକ ନିଦର୍ଶନ ମଧ୍ୟ ଆମ ନିକଟରେ ଉପଲବ୍‌ଧ। ଏ ସାରୋଳଦାସଙ୍କର ଜନ୍ମ କେଉଁଠି? ତାଙ୍କର ସମୟ କ’ଣ ବା ପ୍ରକୃତରେ ସେ କେଉଁ ଶତାବ୍ଦୀର? ସେ ଦେଖିବାକୁ କିପରି ଥିଲେ? କାରଣ, ଏସବୁକୁ ନେଇ ଏକାଧିକ ମତ, ତଥ୍ୟ ଓ ଚିତ୍ର ଆଜି ବି ପ୍ରଚଳିତ। ଏନେଇ କ୍ଷୁଦ୍ରାତିକ୍ଷୁଦ୍ର ଗୋଷ୍ଠୀମାନ ଗଢ଼ି ଉଠିଛି ଏବଂ ଏହି ଗୋଷ୍ଠୀମାନେ ନିଜ ନିଜର ମତ, ତଥ୍ୟ ବା ଚିତ୍ରକୁ ନେଇ ଅତିମାତ୍ରାରେ ଆବଦ୍ଧ। କୌଣସି ପ୍ରକାରର ଭିନ୍ନ ମତ ଗ୍ରହଣ କରିବାକୁ ସେମାନେ କୁଣ୍ଠିତ।

‘ସାରୋଳଦାସ’ଙ୍କ ଜନ୍ମସ୍ଥାନକୁ ନେଇ ଏକଦା ଏକ ଭିନ୍ନ ମତ ପୋଷଣ କରିଥିଲେ ଗୋପୀନାଥ ମହାନ୍ତି। ତାଙ୍କର ଗବେଷଣା ଓ ନିଷ୍କର୍ଷର ଆଧାର ଯେଉଁ ପୋଥି ଥିଲା, ‘ମହାଭାରତ’ର ସେହି ପୋଥିର ନାମ ସେ ଦେଇଥିଲେ ‘ବଳଙ୍ଗା ପୋଥି’। କାରଣ ସେ ପୋଥି ସେ ପାଇଥିଲେ ପୁରୀ ଜିଲା ବଳଙ୍ଗା ଗ୍ରାମର ଜମିଦାର ତଥା ଧନୀ ସାହୁକାର ୰ବନମାଳି ପତିଙ୍କ ଘରୁ। ସେ ଥିଲେ ପଣ୍ଡିତ, ଶାସ୍ତ୍ରଜ୍ଞ ଓ ପୋଥିପ୍ରେମୀ। ତାଙ୍କ ଘରେ ଥିବା ‘ମହାଭାରତ’ର ସେ ପ୍ରାଚୀନ ପୋଥି ତାଙ୍କର ସୁଯୋଗ୍ୟ ପୁତ୍ର ଭଗବାନ ପତି ତାଙ୍କୁ ଦେଇଥିଲେ। ସେ ନିଜର ସେହି ଗବେଷଣା ଓ ନିଷ୍କର୍ଷକୁ ନେଇ ଯେଉଁ ସାତଟି ଗଭୀର ଓ ଗମ୍ଭୀର ଆଲୋଚନା ଲେଖିଥିଲେ, ତାହା ଏବେ ‘ଗୋପୀନାଥଙ୍କ ଗବେଷଣାରେ ସାରୋଳ ମହାଭାରତ’ ନାମରେ ଏକ ନୂତନ ପୁସ୍ତକରୂପେ ପ୍ରକାଶ ପାଇଛି। କିନ୍ତୁ ତାହାର ‘ଭୂମିକା’ରେ ତାଙ୍କ ଗବେଷଣା ଓ ନିଷ୍କର୍ଷର ଯେଉଁ ପୃଷ୍ଠଭୂମି ଲିପିବଦ୍ଧ ହୋଇଛି, ତାହା ଅତ୍ୟନ୍ତ ଉଦ୍‌ବେଗଜନକ।

ସେହି ‘ଭୂମିକା’ରୁ ମଧ୍ୟ ଆମେ ପାଉ ଆର୍ତ୍ତବଲ୍ଲଭ ମହାନ୍ତି ପ୍ରସ୍ତୁତ କରିଥିବା ‘ସାରଳା ମହାଭାରତ’ର ‘ଶୁଦ୍ଧ ସଂସ୍କରଣ’ର ପୃଷ୍ଠଭୂମି।
ତେବେ, ତାହାର ଆଲୋଚନା ପୂର୍ବରୁ, ଏ ସଂପର୍କରେ ହୋଇଥିବା ଆଉ କେତୋଟି ଉଦ୍ୟମ ଏବଂ ସେ ସଂକ୍ରାନ୍ତ ଉଦ୍‌ବେଗ ଉପସ୍ଥାପନ କରିବା ଆବଶ୍ୟକ। ଉଲ୍ଲେଖନୀୟ ଯେ ଗୌରୀଶଙ୍କର ରାୟଙ୍କ ପ୍ରେରଣାରେ, କପିଳେଶ୍ୱର ନନ୍ଦ ଏବଂ ତାଙ୍କର ସହଯୋଗୀମାନେ ଦାଣ୍ଡିବୃତ୍ତରେ ରଚିତ ଏହି ‘ମହାଭାରତ’କୁ ୧୪ ଅକ୍ଷରୀରେ ଏବଂ ଆଧୁନିକ ଓଡ଼ିଆ ଭାଷାରେ ରୂପାନ୍ତରିତ କରି ପ୍ରକାଶ କରିଥିଲେ ୧୮୯୮ ମସିହାରେ। ତାହା ପ୍ରକାଶ ପାଇଥିଲା ଗୌରୀଶଙ୍କରଙ୍କ ଦ୍ବାରା ପ୍ରୋତ୍ସାହିତ ‘ପୁରାଣ ପ୍ରକାଶକ କଂପାନି’ ପକ୍ଷରୁ। ସେତେବେଳେ ବି ଆମେ ଥିଲୁ ବଙ୍ଗଳାର କାଶୀ ଦାସ ମହାଭାରତଠାରୁ ପ୍ରାୟ ୯୬ ବର୍ଷ ପଛୁଆ। କାରଣ, ବଙ୍ଗଳାର ସେ ମହାଭାରତ, ୧୮୦୨ରେ ପ୍ରକାଶ ପାଇଥିଲା। ପରବର୍ତ୍ତୀ କାଳରେ ୧୯୧୭ରେ ମନମୋହନ ପୁସ୍ତକାଳୟ ଓ ୧୯୨୭ରେ ରାଧାରମଣ ପୁସ୍ତକାଳୟ ଏବଂ ଆହୁରି ପରବର୍ତ୍ତୀ କାଳରେ ଧର୍ମଗ୍ରନ୍ଥ ଷ୍ଟୋର ‘ମହାଭାରତ’ ପ୍ରକାଶ କରିଛନ୍ତି। ଏସବୁ ହେଉଛି ‘ମହାଭାରତ’ର ଲୋକପ୍ରିୟ ସଂସ୍କରଣ।

ମାତ୍ର ରାଜଗୁରୁ, ଗୋପୀନାଥ, ନୀଳକଂଠ, ଗୋପୀନାଥ (ମହାନ୍ତି), କୃଷ୍ଣଚରଣ ଓ ସଚ୍ଚିଦାନନ୍ଦ ମହାଭାରତର ଏହିସବୁ ଲୋକପ୍ରିୟ ସଂସ୍କରଣକୁ ବିରୋଧ କରିଛନ୍ତି। କାରଣ, ସେମାନଙ୍କର ଯୁକ୍ତି ଯେ ଏହିସବୁ ଲୋକପ୍ରିୟ ସଂସ୍କରଣରେ ‘ସାରୋଳଦାସ’ ଓ ତାଙ୍କ ‘ମହାଭାରଥ’ ଅନୁପସ୍ଥିତ। ଏଣୁ ଲୋକପ୍ରିୟ ସଂସ୍କରଣଗୁଡ଼ିକୁ ଗ୍ରହଣ ନକରି, ସେମାନେ ‘ପୋଥିନିର୍ଭର’ ହୋଇଛନ୍ତି। ମହାଭାରତର ‘ଶୁଦ୍ଧ’ (ପାଠ ଆଧାରିତ) ସଂପାଦନାକୁ ସେମାନେ ଗୁରୁତ୍ୱ ଦେଇଛନ୍ତି। ଏପରି ‘ପାଠ ଆଧାରିତ’ ଆଲୋଚନା ଯେ ଅତ୍ୟାବଶ୍ୟକ, ଏ ମତ ନୀଳକଂଠ, ଆର୍ତ୍ତବଲ୍ଲଭ ଓ ଗୋପୀନାଥଙ୍କ ଆଲୋଚନାରେ ଶାଣିତ ହୋଇଛି। ଫଳରେ, ପରିଶେଷରେ ଏହାର ଶୁଦ୍ଧ ସଂପାଦନା ଦାୟିତ୍ୱ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଉପରେ ନ୍ୟସ୍ତ ହୋଇଛି। ଏହା ହୋଇଛି ହରେକୃଷ୍ଣ ମହତାବଙ୍କ ଉଦ୍ୟମରେ ଏବଂ ଭାରତ ସରକାରଙ୍କର ଆର୍ଥିକ ଅନୁଦାନରେ। ଫଳରେ, ୨୨ ଖଣ୍ଡ ପୋଥି, ୧୧ ଜଣ ପଣ୍ଡିତ ଏବଂ ତିନି-ଚାରିଜଣ ଛାତ୍ରଙ୍କ ସହଯୋଗରେ ଏ କାର୍ଯ୍ୟ ସଂପାଦିତ ହୋଇଛି ୧୯୫୯ରୁ ୧୯୬୪ ମଧ୍ୟରେ। ତାଙ୍କର ଏହି ‘ଶୁଦ୍ଧ ସଂପାଦିତ’ ଗ୍ରନ୍ଥ, ‘ସାରଳା ମହାଭାରତ’ ଶୀର୍ଷକରେ, ୧୯୬୪ରୁ ୧୯୭୩ ମଧ୍ୟରେ ପ୍ରକାଶ ପାଇଛି।

କିନ୍ତୁ ତାହା ପରେ ପରେ ହିଁ ଏହି ‘ଶୁଦ୍ଧ ସଂପାଦିତ’ ସଂସ୍କରଣକୁ ନେଇ ଆରମ୍ଭ ହୋଇଛି ବିତର୍କ। ଏହି ବିତର୍କର କେନ୍ଦ୍ରରେ ରହିଛନ୍ତି କୃଷ୍ଣଚରଣ, ଗୋପୀନାଥ ଓ ସଚ୍ଚିଦାନନ୍ଦ।

ସ୍ଥାନାଭାବରୁ, କେବଳ ଗୋପୀନାଥ ମହାନ୍ତିଙ୍କ ବକ୍ତବ୍ୟ ଏଠାରେ ଉଦ୍ଧୃତ। ଏ ପ୍ରସଙ୍ଗରେ ସେ ଲେଖିଛନ୍ତି, “ନିଜ ବୟସ ଓ ସ୍ୱାସ୍ଥ୍ୟର ଅବସ୍ଥାରେ ସାର୍ (ଆର୍ତ୍ତବଲ୍ଲଭ ମହାନ୍ତି) ବି ଆଉ କ’ଣ କରନ୍ତେ? ଏଡିଟିଂ କାର୍ଯ୍ୟରେ ସର୍ବସମ୍ମତ ବିଧି ଉପାୟ ଛାଡ଼ି ସେ ଧରିଲେ ଗୋଟିଏ ‘କାମଚଳା’ ବାଟ। ଗୁଡ଼ିଏ ପୋଥିକି ଏକା ସମୟରେ ଗୁଡ଼ିଏ ପଢ଼ାଳିଙ୍କି ବସାଇ ତାଙ୍କ ହାତରେ ଦିଅନ୍ତି। ଲେଖା ସମୟ, ଭାଷା ଓ ପ୍ରାପ୍ତିସ୍ଥାନ ଆଦି ଅନୁସାରେ ପୁରୁଣା କି ନୂଆ ପୋଥି ବିଚାରରେ ସେ ସବୁ ପୋଥିର ଶ୍ରେଣୀ ବିଭାଗ ସେ କରିନଥିଲେ। କହୁଥିଲେ, ‘ଜଣ ଜଣ କରି ଏକ ଅଂଶରୁ ପଢ଼’। ସେ ଶୁଣୁଥିଲେ। ଯେଉଁ ପୋଥିର ଯେଉଁ ଅଂଶ ତାଙ୍କ ମନକୁ ପାଇଲା, ଜଣେ ଲେଖାଲୋକ (ସ୍କ୍ରାଇବ୍‌) ସେଠି ବସିଥାନ୍ତି, ତାଙ୍କୁ କହୁଥିଲେ, ‘ଏଇଆକୁ ଲେଖିପକା’। କାହିଁକି ସେତକ ସେ ମୂଳଲେଖା ବୋଲି ଭାବିଲେ, କି କି କାରଣରୁ; ଅନ୍ୟାନ୍ୟ ପୋଥିରେ ତହିଁରୁ ଭିନେ ହୋଇ ବିକଳ୍ପ ଲେଖା କ’ଣ କ’ଣ ଅଛି, ସେଗୁଡ଼ିକ କେଉଁ କାରଣରୁ ସେ ଅଗ୍ରାହ୍ୟ କଲେ, ସେସବୁ କଥା ସେ ଲେଖିଲେ ନାହିଁ। ଏମିତି ଏମିତି ହୋଇ ମହାଭାରତ ଗୋଟାକ ଉତୁରା ହେଲା।”

ଶେଷରେ ଏ ସଂପର୍କରେ ନିଜର ମନ୍ତବ୍ୟ ଦେଇ ଗୋପୀନାଥ କହିଛନ୍ତି, “ଗଲା କଥା ଗଲା। ସେ ଟଙ୍କାତକ ପାଣିରେ ପଡ଼ିନାହିଁ। ଯାହା ଶେଷରେ ଓଡ଼ିଶା ସାହିତ୍ୟ ଏକାଡେମୀ (ସାଂସ୍କୃତିକ ବ୍ୟାପାର ବିଭାଗ) ଦ୍ୱାରା ଛାପା ହୋଇ ବାହାରିଛି, ତାହା ସମକାଳୀନ ଲେଖା ନହୋଇପାରେ। ନାନା ସମୟର ନାନା ପୋଥିରୁ ସଂଗୃହୀତ ଯେପରି ପଞ୍ଚୁବର୍ଣ୍ଣୀ ଚାଉଳ; କିନ୍ତୁ ଚାଉଳ ସେ; ଅରୁଣୋଦୟ ପ୍ରେସ୍‌ରୁ ବାହାରିଥିବା, ଚାଉଳ ଭଳି ଦିଶୁଥିବା ଗୋଡ଼ି ନୁହେଁ। ତହିଁରେ ପ୍ରକ୍ଷିପ୍ତ ଅଂଶ ଥାଇପାରେ; କିନ୍ତୁ ସାରୋଳ ଦାସଙ୍କ ମୂଳ ବିଷୟରୁ ବହୁତ ଥିବ। ଯଦିଓ ସେସବୁ ପ୍ରାୟ ନୂଆ ପୋଥିର ଭାଷା; ସେ କାଳର ଓଡ଼ିଆ ଭାଷା ତହିଁରେ ଅଳ୍ପ ଥିବ। ଚଳୁଛି, ଚଳୁ; ତା’ର କିଛି ବିକଳ୍ପ ଛାପା ହୋଇ ନାହିଁ ଯେ!”

ଏଣୁ, ଗୋପୀନାଥ ମହାନ୍ତିଙ୍କର ସେଦିନର ଏ ଖେଦ ପ୍ରସଙ୍ଗରେ ଏବେ ଅନ୍ତତଃ ଏତିକି ଆଶ୍ୱାସନାର କଥା ଯେ ଗୋଟିଏ ‘ବିକଳ୍ପ ଛାପା’ ଏବେ ଆମ ଆଗକୁ ଆସିବାପାଇଁ ପ୍ରସ୍ତୁତ। ପୁଣି ଅଧିକ ଆଶ୍ୱାସନାର କଥା ଯେ ଏହା “ଏଡିଟିଂ କାର୍ଯ୍ୟର ସର୍ବସମ୍ମତ ବିଧି ଉପାୟ” ଅନୁସାରେ ପ୍ରସ୍ତୁତ। ‘ଶିକ୍ଷା ଓ ଅନୁସନ୍ଧାନ’ ଡିମଡ୍‌ ବିଶ୍ୱବିଦ୍ୟାଳୟ ଯେ ଏପରି ଏକ ସାହସିକ ଓ ଐତିହାସିକ କାର୍ଯ୍ୟ ସଂପନ୍ନ କରିଛନ୍ତି, ସେଥିପାଇଁ ସେମାନେ ଓ ସମସ୍ତ ସଂପୃକ୍ତମାନେ ପ୍ରଶଂସନୀୟ।

ଏବେ ଏହି ସଂସ୍କରଣଟିକୁ ହିଁ ସମସ୍ତଙ୍କର ଅପେକ୍ଷା। ହୁଏତ, ଏହା ପ୍ରକାଶ ପାଇବା ପରେ ହିଁ, ‘ସାରୋଳଦାସ ମହାଭାରତ’ ସଂପର୍କରେ ଅସଲ ଆଲୋଚନାର ଆରମ୍ଭ ହେବ!

ମୋ: ୯୪୩୭୦ ୩୪୮୦୪
[email protected]

ସମ୍ବନ୍ଧିତ ଖବର