ମାନବବାଦୀ ଟିକା କୂଟନୀତି

ବିବିଧ ବିଚାର - ଗୌତମବୁଦ୍ଧ ଦାସ

ଠିକ୍ ବର୍ଷକ ତଳେ ଯେତେବେଳେ ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶ ଭାରତରେ କରୋନା ମହାମାରୀ ପଞ୍ଝା ମେଲାଇବା ଅାରମ୍ଭ କଲା, ସିଏନ୍‌ଏନ୍, ବିବିସି ଭଳି ପାଶ୍ଚ‌ାତ୍ୟ ଗଣମାଧ୍ୟମମାନେ ଆମକୁ ଖୁବ୍ ଡରାଇଥିଲେ। ଭବିଷ୍ୟବାଣୀ କରିଥିଲେ ଯେ ଭାରତ କରୋନାର ମୁକାବିଲା କରିପାରିବ ନାହିଁ। କୋଟି କୋଟି ଲୋକ ପୋକମାଛି ପରି ମରିଯିବେ। ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ ଭଳି ଅନୁଷ୍ଠାନ ମଧ୍ୟ ଭାରତକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଥିଲେ। କାରଣ ଭାରତରେ ସ୍ବାସ୍ଥ୍ୟ ଭିତ୍ତିଭୂମି ଦୁର୍ବଳ ଏବଂ ଜନସଂଖ୍ୟାର ଘନତ୍ବ ଅଧିକ; ଯାହା କରୋନାର ଅତି ଦ୍ରୁତ ସଂକ୍ରମଣ ଓ ଉଚ୍ଚ ମୃତ୍ୟୁ ସଂଖ୍ୟା ନେଇ ସ୍ବାଭାବିକ ଭାବେ ଭୟ ସୃଷ୍ଟି କରିଥିଲା।

କିନ୍ତୁ ଆଜି ବ‌ର୍ଷକ ପରେ ଆମେରିକା, ଇଂଲଣ୍ଡ ଭଳି ତଥାକଥିତ ଉନ୍ନତ ଦେଶମାନେ କରୋନା ଦ୍ବାରା କଲବଲ ହେଉଥିବା ବେଳେ ଭାରତ କ୍ରମେ କରୋନା ମୁକ୍ତ ହେବା ପଥରେ ଅଗ୍ରସର ହେଉଛି।

ଭାରତରେ ଏ ପର୍ଯ୍ୟନ୍ତ ୧ କୋଟି ୮ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଥିବାବେଳେ ସେଥିରୁ ୯୯% (୧ କୋଟି ୫ ଲକ୍ଷରୁ ଅଧିକ) ସୁସ୍ଥ ହୋଇ ସାରିଲେଣି। ସେହିଭଳି ପ୍ରାଣ ହରାଇଥିବା ଲୋକଙ୍କ ହାର ମୋଟ ସଂକ୍ରମଣର କେବଳ ୧ ପ୍ରତିଶତ।

ଆମେରିକା, ଇଂଲଣ୍ଡ, ଜର୍ମାନି, ଇଟାଲି ଭଳି ଦେଶ ସହ ତୁଳନା କଲେ କରୋନା ମୁକାବିଲାରେ ଭାରତର ସଫଳତା ସ୍ପଷ୍ଟ ହୋଇଥାଏ। ତେବେ କେବଳ ସେତିକି ନୁହେଁ, ସବୁଠାରୁ ବଡ଼ କଥା ହେଉଛି, ଇତିମଧ୍ୟରେ ଭାରତ ସଫଳତାର ସହ ଦୁଇଟି କରୋନା ଟିକା ସହିତ ଆବିର୍ଭୂତ ହୋଇ ବିଶ୍ବକୁ ଚକିତ କରିଦେଇଛି। ‌ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା ସହ ମିଶି ସିରମ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଦ୍ବାରା ପ୍ରସ୍ତୁତ କୋଭିସିଲ୍‌ଡ ଏବଂ ଭାରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ ସଂପୂର୍ଣ୍ଣ ସ୍ବଦେଶୀ କୋଭାକ୍‌ସିନ୍ ଭାରତରେ ଅମୃତ ସିଞ୍ଚନ ପ୍ରକ୍ରିୟା ଆରମ୍ଭ କରି ଦେଇଛି।

ଏହି ପ୍ରତିଷେଧକ ଟିକାକରଣ କ୍ରମରେ ଜୁଲାଇ ମାସ ‌ସୁଦ୍ଧା ଦେଶର ୩୦ କୋଟି ଲୋକଙ୍କୁ ଟିକା ଦେବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। କିନ୍ତୁ ଯାହା ଏ ପ୍ରସଙ୍ଗରେ ଭାରତର ଭାବମୂର୍ତ୍ତିକୁ ଅଧିକ ଭାସ୍ବର କରିଛି, ତାହା ହେଲା ଅନ୍ୟାନ୍ୟ ରାଷ୍ଟ୍ରଙ୍କୁ ମାଗଣାରେ ଟିକା ଉପଲବ୍‌ଧ କରାଇବାର ପ୍ରୟାସ। ଏହାକୁ କୁହାଯାଉଛି ‘ଭାକ୍‌ସିନ୍ ମୈତ୍ରୀ’। ଏହା ଭାରତର ଏକ ମାନବବାଦୀ କୂଟନୀତି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଏହି ‘ଭାକ୍‌ସିନ୍ ମୈତ୍ରୀ’ ଅଭିଯାନରେ ନେପାଳ, ଭୁଟାନ, ବାଂଲାଦେଶ, ଆଫଗାନିସ୍ତାନ, ମାଳଦ୍ବୀପ, ମିଆଁମାର, ମରିସସ୍‌, ମରୋ‌କ୍କୋ, ବ୍ରାଜିଲ, ବାର୍ବାଡୋସ, ଡୋମିନିକା ଆଦି ଦେଶକୁ କରୋନା ଟିକା ଦିଆ ସରିଲାଣି। ଏହି ଅଭିଯାନରେ ଭାରତ ସ୍ବଳ୍ପ ବିକଶିତ ବିଭିନ୍ନ ଦେଶକୁ ୧ କୋଟି ଟିକା ମାଗଣାରେ ଦେବାକୁ ଯୋଜନା କରିଛି। ଏଥିରୁ ଦେଖିବାକୁ ମିଳିଲାଣି ଯେ ୨୦୧୯-୨୦ ବେଳକୁ ଚୀନ୍‌ର କୁଟିଳ କୂଟନୀତି ଯୋଗୁଁ ବାଂଲାଦେଶ, ନେପାଳ, ଶ୍ରୀଲଙ୍କା, ମିଆଁମାର ଓ ମାଳଦ୍ବୀପ ଭଳି ଯେଉଁ ପଡ଼ୋଶୀ ଦେଶଗୁଡ଼ିକ ଭାରତ ଠାରୁ ଦୂରେଇବା ଆରମ୍ଭ କରିଥିଲେ, ସେମାନେ ଏବେ ଭାରତ ପକ୍ଷକୁ ଫେରିବାର ସଂକେତ ମଧ୍ୟ ଦେଲେଣି।

ଖାଲି ମାଗଣାରେ ଟିକା ବିତରଣ କରି ନୁହେଁ; ଭାରତୀୟ ଟିକାର ସଫଳତାକୁ ଦେଖି ବ୍ରାଜିଲ ଭଳି ପୃଥିବୀର ୯୨ଟି ଦେଶ ଭାରତରୁ ଟିକା କିଣିବା ପାଇଁ ଆଗ୍ରହ ପ୍ରକାଶ କଲେଣି। ଟିକା ବ୍ୟବସାୟରେ ଭାରତର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ହେଉଛି ଚୀନ୍‌। ହେଲେ ବିଶ୍ବ ସ୍ତରରେ ଚୀନ୍ ପ୍ରସ୍ତୁତ ସିନୋଭାକ୍ ବଦଳରେ ଭାରତର କୋଭିସିଲ୍‌ଡ ପ୍ରତି ଅଧିକ ଆଗ୍ରହ ପ୍ରକାଶ ପାଉଛି। କାମ୍ବୋଡ଼ିଆ, ମିଆଁମାର ଓ ଫିଲିପାଇନ୍‌ସ ଭଳି ଚୀନ୍‌ର ମିତ୍ର ରାଷ୍ଟ୍ରମାନେ ମଧ୍ୟ ଚୀନା ଟିକାକୁ ମୁହଁ ମୋଡ଼ୁଛନ୍ତି। ଅପର ପକ୍ଷରେ ବ୍ରାଜିଲ, ମରୋକ୍କୋ, ଦକ୍ଷିଣ ଆଫ୍ରିକା, କେନିଆ, ନାଇ‌େଜରିଆ, ସାଉଦି ଆରବ, ୟୁଏଇ ଭଳି ଦେଶ ଭାରତରୁ ଟିକା ନେବା ପାଇଁ ଚାହିଁ ବସିଛନ୍ତି।

ଭାରତୀୟ ଟିକା ଆକର୍ଷଣର କେନ୍ଦ୍ର ହେବାର କାରଣ ହେଲା ଏହାର ଦାମ୍, ଯାହା ସବୁଠାରୁ କମ୍। ମଡର୍ଣ୍ଣା ଟିକା ୩୦ ଡଲାରରେ ଏବଂ ସ୍ପୁଟନିକ୍ ୧୦ ଡଲାରରେ ବିକ୍ରି ହେଉଥିବା ବେଳେ କୋଭିସିଲ୍‌ଡ ପାଇଁ ଭାରତ ମାତ୍ର ୬ ଡଲାର ନେଉଛି। ତା’ ଛଡ଼ା ମଡର୍ଣ୍ଣା, ସ୍ପୁଟନିକ ଭଳି ଟିକାକୁ ସଂରକ୍ଷଣ କରି ରଖିବାକୁ ହେଲେ ଅତ୍ୟଧିକ କମ୍‌ ତାପମାତ୍ରା ସଂପନ୍ନ ସ୍ବତନ୍ତ୍ର ଫ୍ରିଜରର ଆବଶ୍ୟକତା ପଡ଼ିଥାଏ, ଯେତେବେଳେ କି ଭାରତୀୟ ଟିକା ସାଧାରଣ ରେଫ୍ରିଜରେଟର୍‌ରେ ରହିଯାଇପାରିବ।

ଏହା ପୂର୍ବରୁ ମଧ୍ୟ ସାରା ବିଶ୍ବକୁ ଔଷଧ ଓ ଟିକା ଯୋଗାଣରେ ଭାରତର ଆଧିପତ୍ୟ, ସୁନାମ ଓ ବିଶ୍ବସନୀୟତା ରହିଛି। ଫାର୍ମାସିରେ ଅଗ୍ରଣୀ ଭାରତକୁ ବିଶ୍ବର ଟିକା ରାଜଧାନୀ ବୋଲି ମଧ୍ୟ କୁହାଯାଏ। କାରଣ ଭାରତ ହେଉଛି ବିଶ୍ବର ସର୍ବାଧିକ ଟିକା ପ୍ରସ୍ତୁତକାରୀ ଦେଶ। ପ୍ରତି ବର୍ଷ ଏଠାରେ ବିଭିନ୍ନ ରୋଗ ପାଇଁ ୧.୫ ବିଲିଅନ୍ ଟିକା ତିଆରି କରାଯାଇଥାଏ। ଆମେରିକା ପରେ ଭାରତରେ ସବୁଠାରୁ ଅଧିକ ଟିକା ପ୍ରସ୍ତୁତକାରୀ କାରଖାନା ରହିଛି। ବିଶ୍ବକୁ ୫୦% ଟିକା ଭାରତରୁ ହିଁ ଯାଇଥାଏ।

ଏହାଛଡ଼ା ଭାରତ ବିଶ୍ବର ୧୭୦ ଦେଶକୁ ଔଷଧ ରପ୍ତାନି କରେ। ଇଂଲଣ୍ଡ ଓ ଆମେରିକା ହେଉଛନ୍ତି ଭାରତର ବଡ଼ ଗ୍ରାହକ। ଭୁଲିଗଲେ ହେବ ନାହିଁ ଯେ କରୋନା ସଂକ୍ରମଣର ପ୍ରାରମ୍ଭ କାଳରେ ମଧ୍ୟ ଭାରତ ଆମେରିକା ସମେତ ବିଶ୍ବର ଅନେକ ଦେଶକୁ ବିପୁଳ ପରିମାଣରେ ‘ହାଇଡ୍ରୋକ୍ସି କ୍ଲୋରୋକୁଇନ୍’, ରାମ୍‌ଡିସିଭିର୍, ପାରାସିଟାମଲ ଭଳି ଔଷଧ ଯୋଗାଇଥିଲା।

ସ୍ବାଭାବିକ ଭାବେ ବିଲ୍ ଗେଟ୍‌ସ, ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ର ମୁଖ୍ୟ ଡ.ଟେଡ୍ରସ୍‌ଙ୍କ ଭଳି ବ୍ୟକ୍ତିମାନେ ଭାରତର ଏଭଳି ସେବାମୂଳକ ଓ କରୁଣାପୂର୍ଣ୍ଣ ମନୋଭାବ ପାଇଁ ଉଚ୍ଛ୍ବସିତ ପ୍ରଶଂସା କରିଛନ୍ତି। ଅବଶ୍ୟ, ଭାରତ ଦେଖାଦେଖି ଚୀନ୍ ମଧ୍ୟ କିଛି ଦେଶକୁ ମାଗଣାରେ ଟିକା ଦେବା ଆରମ୍ଭ କରିଛି। କିନ୍ତୁ ବିଭିନ୍ନ ସମୟରେ ଓ ବିଶେଷ କରି କରୋନା ପାନ୍‌ଡେମିକ୍‌ କାଳରେ ଚୀନ୍‌ର ରାଷ୍ଟ୍ରୀୟ ଓ ରାଜନୈତିକ ଆଭିମୁଖ୍ୟ ଯେଉଁ ବିଶ୍ବାସ ସଂକଟ ସୃଷ୍ଟି କରିଛି, ସେହି କାରଣରୁ ଟିକା କୂଟନୀତିରେ ଚୀନ୍ ଭାରତଠାରୁ ସ୍ବାଭାବିକ ଭାବେ ପଛରେ ପଡ଼ିଯାଇଛି। ଏହା ସହିତ ଭାରତର ବ‌ାଣିଜ୍ୟ, ବୈଦେଶିକ, ଅର୍ଥ‌େନୖତିକ ଓ କୂଟନୈତିକ କ୍ଷେତ୍ର ପାଇଁ ନୂଆ ସମ୍ଭାବନା ସୃଷ୍ଟି ହୋଇଛି।

କରୋନା ଭାରତକୁ ଅନେକ କଷଣ ଦେଇଛି। ଦେଶର ଅର୍ଥନୀତିକୁ ଧ୍ବସ୍ତବିଧ୍ବସ୍ତ କରିଦେଇଛି। ସଂକଟକୁ ସୁଯୋଗରେ ପରିଣତ କରିବାର ଉପାୟ ଭାରତ ଲାଗି ମଧ୍ୟ ନୂଆ ସୂର୍ଯ୍ୟୋଦୟ ସମ୍ଭବ କରିବାର ଆଶା ଜାଗ୍ରତ କରିଛି।

ମୋ: ୯୪୩୭୦୮୨୫୨୬
[email protected]

ସମ୍ବନ୍ଧିତ ଖବର