ସ୍ମାର୍ଟ‌ଫୋନ୍‌‌ ପ୍ରିୟ ଭାରତ

ଦର୍ପଣ

ଟେଲିକମ୍ ଯନ୍ତ୍ରପାତି ନିର୍ମାଣକାରୀ ସଂସ୍ଥା ନୋକିଆ ଗତ ଗୁରୁବାର ଦିନ ଏହାର ବାର୍ଷିକ ‘ମୋବାଇଲ୍ ବ୍ରଡ୍‍ବ୍ୟାଣ୍ଡ୍ ଇଣ୍ଡିଆ ଟ୍ରାଫିକ୍ ଇନ୍‍ଡେକ୍‌ସ (ଏମ୍‍ବିଟ୍) ୨୦୨୧’ ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟ ଅନୁଯାୟୀ ଭାରତୀୟମାନେ ଦୈନିକ ହାରାହାରି ୪.୪୮ ଘଣ୍ଟା ସ୍ମାର୍ଟଫୋନ୍ ବ୍ୟବହାର କରିଥାନ୍ତି, ଯାହା ବିଶ୍ବରେ ସର୍ବାଧିକ। ସେହିପରି ମୋବାଇଲ୍ ଫୋନ୍‍ରେ ବ୍ରଡ୍‍ବ୍ୟାଣ୍ଡ୍ ବ୍ୟବହାର ହାର ଅନୁଯାୟୀ ଭାରତ ଫିନ୍‍ଲାଣ୍ଡ୍ ପଛକୁ ଦ୍ବିତୀୟ ସ୍ଥାନରେ ରହିଛି। ୨୦୧୫ ଡିସେମ୍ବର ମାସରେ ଭାରତୀୟମାନେ ୧୬୪ ପେଟାବାଇଟ୍ ଡାଟା ବ୍ୟବହାର କରିଥିବା ବେଳେ ୨୦୨୦ ଡିସେମ୍ବରରେ ଡାଟା ବ୍ୟବହାରର ପରିମାଣ ପ୍ରାୟ ୬୦ ଗୁଣ ବୃଦ୍ଧି ପାଇ ୧୦,୦୦୦ ପେଟାବାଇଟ୍‍ରେ ପହଞ୍ଚିଛି, ଯାହା ଏକ ଅବିଶ୍ବସନୀୟ ରେକର୍ଡ। ବିଗତ ପାଞ୍ଚ ବର୍ଷରେ ଜଣେ ମୋବାଇଲ୍ ଇଣ୍ଟର୍‍ନେଟ୍ ଗ୍ରାହକର ମାସିକ ଡାଟା ବ୍ୟୟ ପରିମାଣ ବାର୍ଷିକ ୭୬% ହାରରେ ବୃଦ୍ଧି ପାଇ ୧୩.୫ ଗିଗାବାଇଟ୍‍ରେ ପହଞ୍ଚିଛି। ସମୁଦାୟ ଡାଟା ବ୍ୟୟର ସର୍ବାଧିକ ୫୫% ପରିମାଣ ସ୍ବଳ୍ପ ଅବଧିର ଭିଡିଓ ଦେଖିବାରେ ବ୍ୟବହାର ହେଉଥିବା ବେଳେ ଅବଶିଷ୍ଟ ୪୫% ଫିନ୍‍ଟେକ୍, ଇ-କମର୍ସ ଓ ଅନ୍ୟାନ୍ୟ ବ୍ରାଉଜିଂ କାର୍ଯ୍ୟକଳାପରେ ବ୍ୟବହାର କରାଯାଉଛି। ମୁଖ୍ୟତଃ ୟୁଟ୍ୟୁବ୍, ସାମାଜିକ ଗଣମାଧ୍ୟମ ଓ ବିଭିନ୍ନ ଓଟିଟି ପ୍ଲାଟ୍‍ଫର୍ମଗୁଡ଼ିକର ବ୍ୟାପକ ଲୋକପ୍ରିୟତା ଯୋଗୁ ଗତ ବର୍ଷକ ମଧ୍ୟରେ ସ୍ମାର୍ଟଫୋନ୍ ବ୍ୟବହାର ସମୟ ଚାରି ଗୁଣ ବୃଦ୍ଧି ପାଇଛି। ଏହା ଆଗକୁ ଆହୁରି ଚାରି ଗୁଣ ବୃଦ୍ଧି ପାଇବ ବୋଲି ଏହି ରିପୋର୍ଟରେ ପୂର୍ବାନୁମାନ କରାଯାଇଛି। ସେହିପରି ୨୦୨୦ ମସିହାରେ ଵାର୍କ ଫ୍ରମ୍ ହୋମ୍‍‍ ଜରୁରୀ ହୋଇପଡ଼ିବାରୁ ସ୍ଥାୟୀ ବ୍ରଡ୍‍ବ୍ୟାଣ୍ଡ୍ ସଂଯୋଗ ସଂଖ୍ୟାରେ ବ୍ୟାପକ ବୃଦ୍ଧି ପରିଲକ୍ଷିତ ହୋଇଛି। ୨୦୧୪ ଡିସେମ୍ବରରେ ଦେଶର ମାତ୍ର ୬ ଲକ୍ଷ ୯୦ ହଜାର ଘର ଫାଇବର୍ ବ୍ରଡ୍‍ବ୍ୟାଣ୍ଡ୍ ଦ୍ବାରା ସଂଯୁକ୍ତ ହୋଇଥିବା ବେଳେ ୨୦୨୦ ଡିସେମ୍ବର ବେଳକୁ ଏହି ସଂଖ୍ୟା ୪୦ ଲକ୍ଷରେ ପହଞ୍ଚିଛି।

ସମ୍ବନ୍ଧିତ ଖବର