ଅଳିଆ ପ୍ରକ୍ଷେପର ପରିଷ୍କରଣ ଜରୁରୀ

ରାଧାମୋହନ

ମନୁସ୍ମୃତିକୁ ଚିରି ଫୋପାଡ଼ି ଦେବା ବା ପୋଡ଼ି ଦେବା ପାଇଁ ବିଭିନ୍ନ ସମୟରେ ଆହ୍ବାନ ଦିଆଯାଉଛି। ତାର କାରଣ ହେଲା ସେଥିରେ ଥିବା ଉଗ୍ର ଜାତିଆଣ ଭାବ, ବାଛ ବିଚାର ଓ ପକ୍ଷପାତମୂଳକ, ଅପମାନଜନକ ବ୍ୟବସ୍ଥା ବିଶେଷତଃ ଶୁଦ୍ରମାନଙ୍କ ପାଇଁ। ସେଥିରେ କେବଳ ଅସ୍ପୃଶ୍ୟତାକୁ ସମର୍ଥନ କରାଯାଇନାହିଁ, ବର˚ କେତେକ ଲୋକଙ୍କୁ ଅସ୍ପୃଶ୍ୟ କହି ସେମାନଙ୍କ ପ୍ରତି ଅତି କଠୋର, ନିର୍ଦ୍ଦୟ ଓ ଅମାନୁଷିକ ବିଚାର କରାଯାଇଛି। କେତୋଟି ଉଦାହରଣ ଦେବା।

ଅଗ୍ନି ଶ୍ମଶାନରେ ଥାଉ ବା ଯଜ୍ଞ ସ୍ଥଳରେ ଥାଉ, ସେ ଯେପରି ମହାନ ଦେବତା, ସେହିିପରି ବ୍ରାହ୍ମଣ ବିଦ୍ବାନ୍‌ ହେଉ ବା ମୂର୍ଖ ହେଉ, ସେ କୁତ୍ସିତ କାର୍ଯ୍ୟରେ ଲିପ୍ତ ଥାଉ, ସେ ସର୍ବପୂଜ୍ୟ, ସେ ମହାନ୍‌ ଦେବତା (୯, ୩୧୭, ୩୧୮, ୩୧୯) ଯଦି ଶୁଦ୍ର ବ୍ରାହ୍ମଣକୁ କଠୋର ବାକ୍ୟରେ ଗାଳି ଦିଏ, ତାହାର ଜିଭ କଟାଯିବ, ଆଉ ଯଦି ଅହ˚କାର ବଶତଃ ବ୍ରାହ୍ମଣକୁ ଧର୍ମୋପଦେଶ ଦେବାକୁ ସାହାସ କରେ, ତେବେ ରାଜା ତାହାର ମୁହଁରେ ଓ କାନରେ ଗରମ ତେଲ ଢ଼ାଳି ଦେବେ। ପୁଣି ଯେଉଁ ବ୍ୟକ୍ତି ଶୁଦ୍ରକୁ ଧର୍ମୋପଦେଶ ଦେବ, ସେ ଶୁଦ୍ର ସହ ଅସ˚ବୃତ ନାମକ ନରକରେ ପଡ଼ିବ। (୪, ୮୧) ଶୁଦ୍ରକୁ ଘୁଷୁରି ସହ ତୁଳନା କରି କୁହାଗଲା- କୁକୁର ଖାଇ ଦେଲେ, ଘୁଷୁରୀ ମୁହଁ ମାରି ଦେଲେ ଖାଦ୍ୟ ଯେପରି ଅଭୋଜ୍ୟ ହୋଇଯାଏ, ସେହିପରି ଶୁଦ୍ର ଯଦି ଛୁଇଁ ଦେବେ, ତେବେ ତାହା ମାରା ହୋଇଯିବ। (୩, ୨୪୧) କ୍ଷତ୍ରିୟମାନେ ଯଦି ବ୍ରାହ୍ମଣକୁ ପୂଜା କରିବାରେ ହେଳା କରନ୍ତି, ତେବେ ସେମାନେ ଶୁଦ୍ର ହୋଇଯିବେ। (୧୦, ୪୩) ଯେଉଁ ଶୁଦ୍ର ଯଜ୍ଞ ପାଇଁ ଖର୍ଚ୍ଚ ନ କରିବ, ତା’ର ସମସ୍ତ ସମ୍ପତ୍ତି ଲୁଟ୍‌ କରାଯିବ। (୭, ୨୪୮) ଶୁଦ୍ର ଠାରୁ ସ˚ପତ୍ତି ଜବରଦସ୍ତି ବିନା ଦ୍ବିଧାରେ ନେଇ ନିଆଯିବ, ସେଥିପାଇଁ ଶୁଦ୍ରର ସମ୍ମତିର ଆବଶ୍ୟକତା ନାହିଁ। (୧୧, ୨୩) ବ୍ରାହ୍ମଣ ବସିଥିବା ସ୍ଥାନରେ ଯଦି ଶୁଦ୍ର ବସେ, ତେବେ ତା’ର ପିଚାରେ ଗରମ ଚେଙ୍କ ଦିଆଯିବ ଓ ଗ୍ରାମରୁ ବିତାଡ଼ିତ କରାଯିବ। (୮, ୨୮୧) ଯଦି ଜଣେ ଶୁଦ୍ର ନିଜର କୌଳିକ ବୃତ୍ତି ଛାଡ଼ି ଅନ୍ୟ ବୃତ୍ତି କରିବାକୁ ଚେଷ୍ଟା କରେ, ତା’ର ସମସ୍ତ ସ˚ପତ୍ତି ବାଜ୍ୟାପ୍ତ କରାଯିବ ଓ ରାଜ୍ୟରୁ ବିତାଡ଼ିତ କରାଯିବ। ଯଦି ଶୁଦ୍ର ବ୍ରାହ୍ମଣ ମହିଳାଙ୍କୁ ବଳାତ୍କାର କରେ, ତା’କୁ ମୃତ୍ୟୁଦଣ୍ତ ଦିଆଯିବ, ତା’ର ଶରୀରକୁ ଖଣ୍ତ ଖଣ୍ତ କରି କାଟି ଦିଆଯିବ ଓ ତା’ର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ କରାଯିବ। (୮, ୩୭୪) ଶୁଦ୍ର ମୁହଁରୁ ସତ୍ୟ ବାହାର କରିବାକୁ ହେଲେ ତା’ର ହାତରେ ତତଲା ଲୁହା ଧରାଇ ଦିଆଯିବ ବା ତା’କୁ ପାଣିରେ ବୁଡ଼ାଯିବ। ଯଦି ହାତ ନ ପୋଡ଼େ ବା ପାଣିରେ ବୁଡ଼ି ନ ମରେ, ତେବେ ସେ ସତ କହୁଛି ବୋଲି ଜାଣିବ। (୮, ୧୧୪, ୧୧୫)

ଯେଉଁଠି ଶୁଦ୍ର ଶାସନ କରେ, ସେଠାରେ ବ୍ରାହ୍ମଣ ବାସ କରିବ ନାହିଁ ଓ ସେହିପରି ଚଣ୍ତାଳମାନଙ୍କ ବାସସ୍ଥାନ ନିକଟରେ ବ୍ରାହ୍ମଣ ରହିବ ନାହିଁ। (୪, ୭୧) ଜୀବନରେ ବା ବଞ୍ଚିଥିଲା ବେଳେ ଯେପରି ଶୁଦ୍ର ବାଛ ବିଚାରର ସମ୍ମୁଖୀନ ହୁଏ ମୃତ୍ୟୁରେ ମଧୢ ସେହିଭଳି ହୁଏ। ଯଥା ଶୁଦ୍ରର ଶବକୁ ଦକ୍ଷିଣ ଦିଗ ଦେଇ ନିଆଯିବ, କ୍ଷତ୍ରିୟର ଶବକୁ ଉତ୍ତର ଦିଗ, ବୈଶ୍ୟର ଶବକୁ ପଶ୍ଚିମ ଦିଗ ଓ କେବଳ ବ୍ରାହ୍ମଣଙ୍କ ଶବକୁ ପୂର୍ବ ଦିଗ ଦେଇ ନିଆଯିବ। (୫, ୯୧)

ବ୍ରାହ୍ମଣମାନଙ୍କ କ୍ଷେତ୍ରରେ ନିୟମ ଅଲଗା ହୋଇଗଲା। ବ୍ରାହ୍ମଣ ଯେତେ ପାପ କଲେ ମଧୢ ବ୍ରାହ୍ମଣଙ୍କୁୁ ହତ୍ୟା କରିବ ନାହିଁ ବା ମୃତ୍ୟୁଦଣ୍ତ ଦେବ ନାହିଁ। ସେ ତାଙ୍କର ଅସ୍ଥାବର ସ˚ପତ୍ତି ସହ ଅନ୍ୟ ଦେଶକୁ ଚାଲିଯିବେ।

ଧାର୍ମିକ ରାଜା ଅନ୍ୟ ତିନିବର୍ଣ୍ଣର ମିଥ୍ୟା ସାକ୍ଷୀଙ୍କୁ ଦେଶରୁ ଦଣ୍ତ ସହ ନିର୍ବାସିତ କରିବେ, କିନ୍ତୁ ବ୍ରାହ୍ମଣ କେବଳ ନିର୍ବାସିତ ହେବେ। (୮, ୧୨୩) ଯଦି ରାଜା କୌଣସି ସ୍ଥାନରେ ଧନ ପାଆନ୍ତି, ତେବେ ସେଥିରୁ ଅଧା ବ୍ରାହ୍ମଣକୁ ଦେବେ ଓ ବାକି ଧନ ନିଜର ଭଣ୍ତାରକୁ ନେବେ।

କିନ୍ତୁ ମୂଳ ମନୁସ୍ମୃତିରେ ଜନ୍ମ ଅନୁଯାୟୀ ନୁହେଁ ବର˚ କର୍ମ ଅନୁଯାୟୀ ବର୍ଣ୍ଣ ବ୍ୟବସ୍ଥା ରହିଥିଲା। ପ୍ରଥମ ଅଧୢାୟରେ ଚାରି ବର୍ଣ୍ଣର କର୍ତ୍ତବ୍ୟ ନିର୍ଦ୍ଧାରଣ କରି କୁହାଗଲା- ବ୍ରାହ୍ମଣ ଅଧୢୟନ, ଅଧୢାପନ କରିବେ, ଦାନ ନେବେ, ଦାନ ଦେବେ; କ୍ଷତ୍ରିୟ ଅଧୢୟନ କରିବେ, ପ୍ରଜା ରକ୍ଷଣ ଓ ସ˚ଯମ ଆଚରଣ କରିବେ; ଦାନ, ବାଣିଜ୍ୟ, ପଶୁରକ୍ଷା ଋଣ ପ୍ରଦାନ ଓ କୃଷି ବୈଶ୍ୟ କରିବେ; ଯେ ବିଦ୍ୟାହୀନ ସେ ଶୁଦ୍ର ଓ ସେମାନେ ବିଦ୍ବାନମାନଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିବେ। (୨) ତେଣୁ ବ୍ରାହ୍ମଣ ବିଦ୍ୟାହୀନ ହେଲେ ଶୁଦ୍ର ହେବେ, ଶୁଦ୍ର ଅଧୢୟନ, ଅଧୢାପନା ଇତ୍ୟାଦି କାର୍ଯ୍ୟ କଲେ ବ୍ରାହ୍ମଣ ହେବେ। ବୈଶ୍ୟମାନଙ୍କ ଓ କ୍ଷତ୍ରିୟମାନଙ୍କ କ୍ଷେତ୍ରରେ ମଧୢ ସେୟା। ଯେପରି କାଠ ତିଆରି ହାତୀ, ଚର୍ମ ତିଆରି ମୁଖ, ସେହିପରି ବିଦ୍ୟାହୀନ ବ୍ରାହ୍ମଣ ନାମକୁ ମାତ୍ର ବ୍ରାହ୍ମଣ। (୩) ଆମର ଶାସ୍ତ୍ରମାନଙ୍କରେ ଏହାର ଭୁରି ଭୁରି ପ୍ରମାଣ ରହିଛି। ଋଷି ଉଦ୍ଦାଳକ କିଛି ଗୃହସ୍ଥଙ୍କ ସହ ରାଜା ଅଶ୍ବପତିଙ୍କ ଠାରେ ପହଞ୍ଚିଲେ ଆତ୍ମଜ୍ଞାନ ପ୍ରାପ୍ତି ନିମନ୍ତେ। ଅଶ୍ବପତିଙ୍କ ଠାରୁ ବୈଶ୍ବାନର ଆତ୍ମା ବା କସ୍‌ମିକ୍‌ ସେଲ୍‌ଫ ବିଷୟରେ ଜାଣିବା ପରେ ଉଦ୍ଦାଳକ ତାଙ୍କ ପୁତ୍ର ଶ୍ବେତକେତୁଙ୍କୁ ବୁଝାଇଲେ ଯେ ଆତ୍ମା ବ୍ରହ୍ମଠାରୁ ଭିନ୍ନ ନୁହେଁ। ସେହିପରି ଶିକ୍ଷା ସମାପ୍ତି ପାଇଁ ମହର୍ଷି ବ୍ୟାସ ମହାମୁନି ଶୁକଙ୍କୁ ରାଜା ଜନକଙ୍କ ପାଖକୁ ପଠାଇଲେ। ବ୍ରାହ୍ମଣ ଗୌତମ କ୍ଷତ୍ରିୟ ରାଜା ପ୍ରବାହଣଙ୍କର ଶିଷ୍ୟତ୍ବ ଗ୍ରହଣ କଲେ, କାରଣ ଯେଉଁ ଆଧୢାତ୍ମିକ ଜ୍ଞାନ କ୍ଷତ୍ରିୟକୁ ଜଣା ଥିଲା, ତାହା ବ୍ରାହ୍ମଣଙ୍କୁ ଜଣା ନ ଥିଲା। ବିଶ୍ବାମିତ୍ର କ୍ଷତ୍ରିୟ ଥିଲେ କିନ୍ତୁ ଗାୟତ୍ରୀ ମନ୍ତ୍ର ସହ ଅନେକ ବୈଦିକ ମନ୍ତ୍ରରେ ଦ୍ରଷ୍ଟା ହୋଇଗଲେ। ଗୃତ୍ସମଦ କପା ଚାଷ କଲେ, ସୂତା କାଟିଲେ ଲୁଗା ବୁଣିଲେ, ଋକ୍‌ ବେଦର ଅନେକ ମନ୍ତ୍ରର ଦ୍ରଷ୍ଟା ମଧୢ ହେଲେ। ଗର୍ଗ ଗୋତ୍ରୀୟ ବ୍ରାହ୍ମଣ ବାଲାକି ରାଜା ଅଜାତ ଶତ୍ରୁଙ୍କୁ ବ୍ରହ୍ମଜ୍ଞାନ ଶିକ୍ଷା ଦେବା ପାଇଁ ଗଲେ, କିନ୍ତୁ ତାଙ୍କଠାରୁ ଅସଲ ବ୍ରହ୍ମଜ୍ଞାନ ଶିଖି କରି ଆସିଲେ। ଶୁଦ୍ର ପୁଣ୍ତରିକ ଓ ଚମାର ରୋହିଦାସଙ୍କ ପାଖକୁ ଭଗବାନ ଯାଇ ପହଞ୍ଚିଗଲେ।

ଏସବୁ ବ୍ୟତୀତ ଯଦି ମନୁସ୍ମୃତିକୁ ମାନବ ଧର୍ମଶାସ୍ତ୍ର ଓ ତାହା ବେଦ ଆଧାରିତ ବୋଲି କୁହାଯାଏ, ତା’ହେଲେ ବେଦ ତ ବିଶ୍ବ ମାନବ କଥା କହିଛି। ‘‘ମୁଁ ପୃଥିବୀର ପୁତ୍ର ଓ ପୃଥିବୀ ମୋର ମାତା’’। ‘‘ବିଶ୍ବର ଅମର/ଦିବ୍ୟ ସନ୍ତାନମାନେ ଶୁଣୁନ୍ତୁ।’’ ‘‘ବିଶ୍ବର ଚତୁର୍ଦ୍ଦିଗରୁ ମହତ ଚିନ୍ତା ଆମ ପାଖକୁ ପ୍ରବାହିତ ହେଉ।’’ ‘‘ସାରା ବିଶ୍ବ ଗୋଟିଏ କୁଟୁମ୍ବ ପରି ଓ ସମସ୍ତେ ସୁଖରେ ରହନ୍ତୁ।’’ ‘‘ଯେଉଁ ପୃଥିବୀରେ ଅନେକ ଧର୍ମ ଅଛି, ଅନେକ ବାଣୀ, ଅନେକ ଭାଷା ଅଛି, ସେ ପୃଥିବୀକୁ ଆମେ ବନ୍ଦନା କରୁଛୁ।’’ ‘‘ମାନବକୁ ମାନବ ଭାବରେ ଗ୍ରହଣ କରିବା। ‘‘ମୁଁ ଯଦି ଚାହେଁ ଯେ ମୋ ଆଖ ପାଖର ଦୁନିଆ ମୋତେ ମିତ୍ର ଦୃଷ୍ଟିରେ ଦେଖୁ, ତେବେ ମୁଁ ସାରା ଦୁନିଆକୁ ମିତ୍ର ଦୃଷ୍ଟିରେ ଦେଖିବି। ମୈତ୍ରୀରେ ଅଧିକାର ନ ଥାଏ, କେବଳ କର୍ତ୍ତବ୍ୟ ହିଁ ଥାଏ।’’ ମୁଁ ବ୍ରହ୍ମ! ତୁମେ ମଧୢ ସେୟା, ଏ ସମସ୍ତରେ ବ୍ରହ୍ମ ପରିବ୍ୟାପ୍ତ, ଆମମାନଙ୍କ ମଧୢରେ ଯେ ପ୍ରଭେଦ ଖୋଜେ, ଭିନ୍ନତା ଦେଖେ ଓ ଆମେ ସମସ୍ତେ ଯେ ଏକ- ଏକଥା ସ୍ବୀକାର ନ କରେ ସେ କେବେ ମୁକ୍ତି ଲାଭ କରିପାରେ ନାହିଁ, ଜନ୍ମ ମୃତ୍ୟୁ ଚକ୍ରରେ ଘୂରି ବୁଲିଯାଏ। ଏଇ ହେଲା ବୃହଦାରଣ୍ୟକ, ଛାଳୋଗ୍ୟ, ମାଣ୍ତୁକ୍ୟ ଓ କଠୋପନିଷମାନଙ୍କର ମଣିଷ ପାଇଁ ବାର୍ତ୍ତା।

ଏସବୁ ବେଦ ଓ ଉପନିଷଦ ବାଣୀ, ଏଥିରେ ଜାତି ବିଦ୍ବେଷ ବା ସ˚କୀର୍ଣ୍ଣ ଦୃଷ୍ଟିକୋଣ ଆସିଲା କେଉଁଠୁ? ମୂଳ ମନୁସ୍ମୃତିରେ ମଧୢ ତାହା ନ ଥିଲା। ତେଣୁ କୌଶଳକ୍ରମେ ପରବର୍ତ୍ତୀ ସମୟରେ ପ୍ରକ୍ଷେପ ବା ଯୋଡ଼ି ଦିଆଯାଇଥିବା ନାରୀ ଓ ଜାତି ବିଦ୍ବେଷ ଓ ଘୃଣା ସୃଷ୍ଟିକାରୀ ଶ୍ଳୋକଗୁଡ଼ିକୁ ଅନୁଧୢାନ କରି ସଫେଇ କର୍ମୀମାନେ ସଫା କରିବା ଆବଶ୍ୟକ।

ମନୁସ୍ମୃତି ଅନେକ ଦିନ ଧରି ଆମର ବିଚାର ବ୍ୟବସ୍ଥାକୁ ମଧୢ ପ୍ରଭାବିତ କରିଥିଲା। ଏହା ସର୍ବାଧିକ ପଠିତ ହୋଇଥିବାରୁ ଏହାର ଗୁରୁତ୍ବ ଅଧିକ, କିନ୍ତୁ ଅନ୍ୟ ଶାସ୍ତ୍ର ଓ ସ˚ହିତାରୁ ମଧୢ ଅନେକ ପକ୍ଷପାତ ବିଚାର ଓ ସର୍ବାଦୌ ଅସମୀଚୀନ ତଥା ଯୁକ୍ତିହୀନ ଚିନ୍ତା ସବୁକୁ ସଫା କରିବାକୁ ହେବ। ଉଦାହରଣ ସ୍ବରୂପ- ‘‘ବ୍ରାହ୍ମଣମାନଙ୍କର ଦାନ୍ତକାଠି ବାର ଅଙ୍ଗୁଳି, କ୍ଷତ୍ରିୟଙ୍କର ନଅ ଅଙ୍ଗୁଳି ଓ ସ୍ତ୍ରୀମାନଙ୍କର ଦାନ୍ତକାଠି ଚାରି ଅଙ୍ଗୁଳିିର ହେବା ବିଧେୟ।’’ ‘‘କନ୍ୟାମାନଙ୍କର କୁଚୋଦ୍‌ଗମ ବା ଛାତିରେ ଝିଅର ଲକ୍ଷଣ ଦେଖିବା କ୍ଷଣି ତା’ର ପାଠ ପଢ଼ା ବନ୍ଦ କରିବ, ତା’ର ବିବାହ ମଧୢ କରିଦେବ।’’ ‘‘କନ୍ୟା ରଜସ୍ବଳା ହେବା ପୂର୍ବରୁ ବା ହେବା କ୍ଷଣି ବିବାହ ଯୋଗ୍ୟା ହୋଇଯାଏ, ଋତୁମତି ହେବାପରେ ମଧୢ ପିତାମାତା ଯଦି ବିବାହ ନ କରାନ୍ତି, ସେମାନେ ନର୍କଗାମୀ ହେବେ ଓ ପ୍ରତି ମାସର ଋତୁକାଳୀନ ସ୍ରାବକୁ ସେମାନେ ପିଇବା ଭଳି ହେବ।’’ ‘‘ସ୍ତ୍ରୀ ପାଣି କଖାରୁ କାଟିବ ତ ସେ ବ˚ଶହୀନ ହୋଇଯିବ। ଜଳୁଥିବା ଦୀପ ଲିଭାଇ ଦେଲେ ସାତଜନ୍ମ ଯାଏଁ ଜୁଳୁଜୁଳିଆ ପୋକ ହୋଇ ଜନ୍ମ ହେବ।’’

ଏବେ ପୁରାଣକୁ ଆସିବା। କୁହାଯାଏ ମୂଳ ଭାରତରେ ରାଧାଙ୍କ କଥା ନ ଥିଲା। ପ୍ରଥମ କରି ବ୍ରହ୍ମ-ବୈବର୍ତ୍ତ ପୁରାଣର ରଚୟିତା ମୋହନଙ୍କ ସହ ରାଧାଙ୍କୁ ଯୋଡ଼ିଦେଲେ। ତା’ପରେ ଆରମ୍ଭ ହେଲା ‘ଦେହି ପଦପଲ୍ଲବ ମୁଦାରମ୍‌… ‘‘ଯୋଷାବରରେ ଯଥାର୍ଥରେ ଜାଣ ମୁଁ ତୋହରରେ…’’, ‘‘ଆଲୋ ଆଲୋ ରାଧା…’, ପାଖିରେ ପଶିଚି ରାଧା, କହ୍ନେଇ ହସୁଚି ଅ…ଧା’’, ଇତ୍ୟାଦି। ଦୂରଦୃଷ୍ଟି-ସ˚ପନ୍ନ, ରଣକୌଶଳ ନିପୁଣ, ଚକ୍ରଧାରୀ, ଯୋଗେଶ୍ବର କୃଷ୍ଣ ହୋଇଗଲେ ‘‘ଯୁବତୀ ରସିଆ କାମିନୀ ର˚କା’’। ରାଧାପାଦ ଦର୍ଶନ ଓ ଝୁଲଣ ପର୍ବ ପାଳିତ ହେଲା। ରାସଲୀଳା, ରାଧାପ୍ରେମ ଲୀଳା ଗୀତିନାଟ୍ୟ ରଚିତ ହେଲା। ମହାଭାରତ ଭଳି ମହାସମୁଦ୍ରରେ ପର୍ବତ ପ୍ରମାଣ ଅଳିଆ ପ୍ରକ୍ଷେପ/ଅପମିଶ୍ରଣ ଜମିଗଲା।

ଆମର ପୁରାଣ ତଥା ଶାସ୍ତ୍ରମାନଙ୍କରେ ମଣିଷ ସମାଜ ପାଇଁ, ବିଶ୍ବର କଲ୍ୟାଣ ପାଇଁ ଅନେକ ମହତ୍ତ୍ବପୂର୍ଣ୍ଣ କଥା ରହିଛି। ତା’ ସହ ଅନେକ ନିରାଧାର, ଅଯୌକ୍ତିକ ତଥା ହାସ୍ୟାସ୍ପଦ କଥା ମଧୢ ରହିଛି, ଯେମିତିକି ଶତଭିଷା ନକ୍ଷତ୍ରରେ ଯଦି ସ୍ତ୍ରୀମାନେ ସ୍ନାନ କରନ୍ତି ତାହାହେଲେ ସେମାନେ ସାତଜନ୍ମ ଯାଏ ବିଧବା ହେବେ (ସ୍କନ୍ଧ ପୁରାଣ) ବା ଯଦି ସ୍ତ୍ରୀ ନବମୀରେ ସ୍ନାନ କରନ୍ତି, ତେବେ ତା’ର ପୁତ୍ରନାଶ ହେବ, ତ୍ରୟୋଦଶୀରେ ନିଜେ ମୃତ୍ୟୁବରଣ କରିବ ଓ ତୃତୀୟାରେ ବିଧବା ହେବ (କାଳ ବିବେକ) ବା ତ୍ରୟୋଦଶୀରେ ବାଇଗଣ ଖାଇଲେ ପୁତ୍ରନାଶ ହୁଏ ଓ ଅଷ୍ଟମୀରେ ନଡ଼ିଆ ଖାଇଲେ ବୁଦ୍ଧି ନାଶ ହୁଏ ଇତ୍ୟାଦି (ବ୍ରହ୍ମବୈବର୍ତ୍ତ)। ଅଥବା, ଯେଉଁ ସ୍ତ୍ରୀ ସ୍ବାମୀ ଖାଇବା ପୂର୍ବରୁ ଖାଇଦିଏ ସେ ନିଶ୍ଚିତ ନର୍କରେ ପଡ଼ି ଅନେକ ଦୁଃଖ ପାଏ। (କୁର୍ମ ପୁରାଣ)।

ଏବେ ଲକ୍ଷ୍ମୀ ପୁରାଣ ଉପରେ ଆଖି ପକାଇବା। ଯେଉଁଠି ପରିଶ୍ରମ, ସ୍ବଚ୍ଛତା, ପରିଷ୍କାର ପରିଚ୍ଛନ୍ନତା ଲକ୍ଷ୍ମୀ ଠାକୁରାଣୀ ସେଇଠିକି ଗଲେ। ତା’କୁ ବିରୋଧ କରି ପତି ଜଗନ୍ନାଥ ଓ ତା’ଙ୍କ ବଡ଼ ଭାଇ କେତେ ଯେ ଦୁଃଖ ପାଇଲେ ଭାବି ହେଉନି। ପତ୍ମୀଙ୍କୁ ଛାଡ଼ିଲେ ବହୁତ ଦୁଃଖ ହେଲା, କିନ୍ତୁ ଲକ୍ଷ୍ମୀ ପୁରାଣରେ ଲେଖି ଦିଆଗଲା ପତି ବିନା ନାହିଁ ଗତି। ଏଥିରେ ସ˚ଗତି ରହୁନାହିଁ। ଅପମିଶ୍ରଣ ବା ପ୍ରକ୍ଷେପ ନିଶ୍ଚୟ।

ସ˚ସ୍କୃତରେ ଲେଖା ହୋଇଥିବା ମୂଳ ଗ୍ରନ୍ଥଗୁଡ଼ିକରେ ମୋର ପ୍ରବେଶ ନାହିଁ, ଜଣେ ସାଧାରଣ ନାଗରିକ ହିସାବରେ ଯାହା ଜାଣେ, ଭୁବନେଶ୍ବରସ୍ଥିତ ଆର୍ଯ୍ୟ ସମାଜ ଦ୍ବାରା ପ୍ରକାଶିତ ପୁସ୍ତକ ସବୁ, କଲ୍‌ଚରାଲ ହେରିଟେଜ୍‌ ଅଫ୍‌ ଇଣ୍ତିଆ- ନାମରେ ରାମକୃଷ୍ଣ ମିଶନ ଓ ଭାରତୀୟ ବିଦ୍ୟାଭବନ ଦ୍ବାରା ଅଲଗା ଅଲଗା ପ୍ରକାଶିତ ଗ୍ରନ୍ଥ ସମୂହ, ଜଗନ୍ନାଥ ଦାସଙ୍କର ଓଡ଼ିଆ ଭାଗବତ, ହରିମୋହନ ଝାଙ୍କ ଦ୍ବାରା ଲିଖିତ ଓ ଓଡ଼ିଆରେ ଶତ୍ରୁଘ୍ନ ଭୂତିଆଙ୍କ ଦ୍ବାରା ଅନୁବାଦିତ ଥଣ୍ଟିଆ କକା, ଡ. ଧନେଶ୍ବର ମହାପାତ୍ରଙ୍କ ଲିଖିତ ବୁଲ ମୁକ୍ତ ବିହଙ୍ଗ ପରି, ବସୁଦେବ ସାମଲଙ୍କ ରଚିତ କୃଷ୍ଣ ଚରିତ ବହି ସବୁକୁ ଆଧାର କରି ପ୍ରବନ୍ଧଗୁଡ଼ିକ ଲେଖାଯାଇଛି ଓ ମାତ୍ର କେତୋଟି ଉଦାହରଣ ଦିଆଯାଇଛି। ବିଦ୍ବାନ ପାଠକ/ପାଠିକାମାନେ ଅଧିକ ଅନୁଧୢାନ କରି ସଫେଇ କର୍ମୀମାନଙ୍କୁ ସାହାଯ୍ୟ କଲେ ଆମର ଗ୍ରନ୍ଥଗୁଡ଼ିକ ଅଧିକ ମହାନ୍‌ ହେବ ଓ ସମାଜର ଅଶେଷ ମଙ୍ଗଳ ହେବ।

ମୋ- ୯୪୩୮୫୦୬୭୮୦

ସମ୍ବନ୍ଧିତ ଖବର