ନୂଆବର୍ଷ ଆରମ୍ଭରୁ କୋଭିଡ୍ କଟକଣା କୋହଳ ଓ କରୋନା ଟିକାର ପ୍ରଚଳନ ହେବା ଖୁସିରେ ଆମେ କେଇଜଣ ସାଙ୍ଗ ନିଜନିଜ ଗାଡ଼ିରେ ଏକ ପର୍ଯ୍ୟଟନସ୍ଥଳ ବୁଲିଯିବା ପାଇଁ ଆଲୋଚନା କଲୁ। ଜଣେ କହିଲା ଯେ ତା’ ଗାଡ଼ି କାମ ମାଗୁଛି, ବର୍ଷେ ହେଲା ଗ୍ୟାରେଜ ଯାଇନି। ପଚାଶ କିଲୋମିଟର ବାଟ ସୁରୁଖୁରୁରେ ଯାଇ ଫେରିଆସିବା ବିପଦମୁକ୍ତ ନୁହେଁ।
ସବୁ ବ୍ୟବହାର୍ଯ୍ୟ ଜିନିଷର ନିୟମିତ ଦେଖାରଖା ଓ ମରାମତି ଦରକାର। ଆମ ପିଲାଦିନେ କାରିଗରମାନେ ଗାଁ ଗାଁ ବୁଲି ହାଣ୍ଡି, ବାଲତି, ଲଣ୍ଠନ, ଟର୍ଚ୍ଚ ଓ ଛତା ଆଦି ମରାମତି କରନ୍ତି। ପୋଷାକପତ୍ର ଚିରିଗଲେ ଓ ଚପଲର ଫିତା ଛିଣ୍ଡିଗଲେ ହାଟପାଳି ଦିନ ବାପା ସେସବୁ ନେଇ ମରାମତି କରି ଆଣନ୍ତି। ପ୍ରତିବର୍ଷ ଘରଛପର ହୁଏ। କୂଅ ଉଝଳା ବି ହୁଏ।
ମଣିଷ ଶରୀର କ୍ଷେତ୍ରରେ ମଧ୍ୟ ଏହା ପ୍ରଯୁଜ୍ୟ। ବୟସ ପଚାଶ ଛୁଇଁଲେ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ଏବେ ଏକ ସାଧାରଣ କଥା। ରକ୍ତଶର୍କରା, ରକ୍ତଚାପ, କିଡନୀ ଓ ହୃଦ୍ଯନ୍ତ୍ର ଆଦି ଅଙ୍ଗପ୍ରତ୍ୟଙ୍ଗର କାର୍ଯ୍ୟକାରିତା ବର୍ଷ ଛ’ମାସରେ ଥରେ ଯାଞ୍ଚ କରିବା ଉଚିତ।
କହିବା ବାହୁଲ୍ୟ, ଆମ କାମକୁ ସହଜ କରୁଥିବା ଯନ୍ତ୍ରପାତି, ଯାନବାହନ, ଆସବାବପତ୍ର ଓ ସର୍ବୋପରି ନିଜ ଶରୀରର ନିୟମିତ ଯତ୍ନ ଓ ଆବଶ୍ୟକ ସ୍ଥଳେ ମରାମତି ଆବଶ୍ୟକ। ପରୀକ୍ଷା ପୂର୍ବରୁ କଲମର ନିବ୍ ଓ ପେନସିଲର ମୁନ ଆଗେ ଯାଞ୍ଚ କରାଯାଏ। ବାଟରେ ଗାଡ଼ି ଖରାପ ହେବାର ତିକ୍ତ ଅନୁଭୁତି ଆମ ସମସ୍ତଙ୍କର ଊଣାଅଧିକେ ଅଛି। ସେତେବେଳେ ରକ୍ଷଣାବେକ୍ଷଣରେ ଅବହେଳାକୁ ହିଁ ଦାୟୀ କରାଯାଏ।
ଶରୀର ଓ ସମ୍ପତ୍ତି ଭଳି ମଣିଷର ଆଶା, ଆଶଙ୍କା, ଭାବନା ଓ ଚେତନାର ଭୂମିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ। ଏହି ଅଦୃଶ୍ୟ କାରକଗୁଡ଼ିକ ମଣିଷର ଉଚ୍ଚାରଣ ଓ ଆଚରଣକୁ ନିୟନ୍ତ୍ରଣ କରନ୍ତି। ମନ ହିଁ ଏମାନଙ୍କ ସହ ମଣିଷର ପ୍ରମୁଖ ସଂଯୋଗ ସୂତ୍ର। “ମନର ମୂଳେ ଏ ଜଗତ୍ ....”, “ମନ ନିଜ ଗୁରୁ ..” ଭଳି ଭାଗବତ ବାଣୀ ଓ ‘ମନ ସ୍ବଚ୍ଛ ଥିଲେ ଗଡ଼ିଆ ଗଙ୍ଗା’ ଭଳି ପ୍ରଚଳିତ ଉକ୍ତିଗୁଡ଼ିକ ପ୍ରଭାବୀ ମନର ପ୍ରମାଣ।
କଂପ୍ୟୁଟର ପରିଚାଳନାରେ ଅଦୃଶ୍ୟ ସଫ୍ଟୱେର ଯେମିତି ମୁଖ୍ୟ ନିୟନ୍ତ୍ରକ, ସେମିତି ମଣିଷର କଥା ଓ କାର୍ଯ୍ୟର ନିୟନ୍ତ୍ରଣ କକ୍ଷ ହେଉଛି ମନ। ମନ ଭଲ ନ ଥିଲେ ଅମୃତ ବିଷ ପରି ଲାଗେ। ମନୋମାଳିନ୍ୟ ଯୋଗୁ ଯେତେସବୁ ଛାଡ଼ପତ୍ର, ଘରୋଇ ହିଂସା ଓ ପାରିବାରିକ କଳହର ସୂତ୍ରପାତ। ମନରେ ହିଁ କ୍ରୋଧ ଓ ପ୍ରତିଶୋଧର ନିଆଁ ଧରେ। ସ୍ୱର୍ଣ୍ଣଲଙ୍କା ପୋଡ଼ି ପାଉଁଶ ହୋଇଯାଏ।
ମନ ନିୟନ୍ତ୍ରଣରେ ନ ରହିଲେ କାର୍ଯ୍ୟସିଦ୍ଧି ଅସମ୍ଭବ। ଦୁର୍ବଳ ମନ ବିଷାଦ ଓ ଅବସାଦର ସ୍ୱର୍ଗ। ସେଥିଯୋଗୁ ହିଂସା, ଅପରାଧ ଓ ଆତ୍ମହତ୍ୟା ପ୍ରବଣତା ବଢ଼ିଥାଏ। ଧନଜୀବନ ହରେଇବା ଭୟ ମନକୁ ଆକ୍ରାନ୍ତ କରେ। ରବୀନ୍ଦ୍ରନାଥ ଗୀତାଞ୍ଜଳିରେ ଲେଖିଛନ୍ତି ‘where mind is without fear....’, ଅର୍ଥାତ୍ ଏକ ଭୟଶୂନ୍ୟ ମନ ହିଁ ଅର୍ଥପୂର୍ଣ୍ଣ ଜୀବନର ଚାବି। ଗାନ୍ଧୀଜୀ କହିଥିଲେ “ମୁଁ କାହାରିକୁ ମଇଳା ପାଦରେ ମୋ ମନ ଭିତରକୁ ପ୍ରବେଶ ଅନୁମତି ଦେବି ନାହିଁ।” ଶରୀର ଓ ଘରଦ୍ବାର ପରି ମନ ବି ଅସନା ହୁଏ, ଯାହାକୁ ନିୟମିତ ସଫା କରିବା ଦରକାର।
ବେକାନନ୍ଦଙ୍କ ଭାଷାରେ “ମନକୁ ନିୟନ୍ତ୍ରଣରେ ରଖିବା ପାଇଁ ସ୍ବଚ୍ଛତା ଓ ନୈତିକତା ଜରୁରୀ, ଯାହା ପ୍ରତ୍ୟେକ ଧର୍ମର ପ୍ରମୁଖ ଉପାଦାନ।”
ମନ ସଦା ଚଞ୍ଚଳ। ଧୋବାକୁଣ୍ଡରେ ପଡ଼ିଯାଇଥିବା ଶୃଗାଳଟି, ମୃତ୍ୟୁ ନିଶ୍ଚିତ ଜାଣି ପ୍ରାଣ ବିକଳରେ ଜଙ୍ଗଲକୁ ଧାଇଁଲା। ସେଠାରେ ବାଘ, ଭାଲୁ ଆଦି ଜନ୍ତୁଙ୍କର ସଂତ୍ରସ୍ତ ପ୍ରତିକ୍ରିୟା ଦେଖି ଜଙ୍ଗଲର ରାଜା ବୋଲେଇବାର ଲାଳସା ତା’ ମନକୁ ଗ୍ରାସ କଲା। କେତେ ଶୀଘ୍ର ମନ ନିଜର ଚରିତ୍ର ବଦଳେଇ ଦେଲା! ସେଥିପାଇଁ କୁହାଯାଏ ଚଞ୍ଚଳ ମନକୁ ଆୟତ୍ତ କରିବା ଭାରି କାଠିକର।
ଆମ ମନର ଅନେକ ବିକୃତି। କିନ୍ତୁ ତା ସତ୍ତ୍ବେ ମନର ସୌନ୍ଦର୍ଯ୍ୟ ବି ପ୍ରତିଭାତ ହୋଇ ବିମୋହିତ କରେ।
କରୋନା କାଳରେ ବଲିଉଡ୍ର ଜଣେ କ୍ଷୁଦ୍ର ତାରକା ସୋନୁ ସୁଦ ନିଃସ୍ବାର୍ଥପର ଭାବେ ଯାହା କଲେ, ତାହା ବଲିଉଡ୍ର ସୁପର ଷ୍ଟାରମାନେ ମଧ୍ୟ କରି ନ ଥିଲେ। ତାଙ୍କର ମନୋସ୍ଥିତି ଏକ ଉତ୍ତରଣର ପରିଚାୟକ। ନିକଟରେ ପରଲୋକ ଗମନ କରିଥିବା କଟକର ଚା’ ଦୋକାନୀ ଡି. ପ୍ରକାଶ ରାଓ ମଧ୍ୟ ଏଭଳି ସୁନ୍ଦର ମନର ଆଉ ଏକ ଦୃଷ୍ଟାନ୍ତ। ଦାରିଦ୍ର୍ୟ ସତ୍ତ୍ବେ ନିଜ ମନ ଓ ହୃଦୟକୁ ନିର୍ମଳ ଓ ସମ୍ବେଦନଶୀଳ କରି ସେ ରଖି ପାରିଥିଲେ ଓ ଅସଂଖ୍ୟ ଦରିଦ୍ର ପିଲାଙ୍କୁ ଶିକ୍ଷା ଦାନ କରି ଶିକ୍ଷିତ କରାଇଥିଲେ। ଏଭଳି ବ୍ୟକ୍ତିବିଶେଷଙ୍କ ମନର ସଂରଚନା ଓ ସାମର୍ଥ୍ୟ ଯେ ଅନେକ ଧନୀ, ଜ୍ଞାନୀ ଓ କ୍ଷମତାଶାଳୀଙ୍କ ମନଠାରୁ ମହତ୍ତର, ସେଥିରେ କୌଣସି ସନ୍ଦେହ ନାହିଁ।
“କଳ୍ପବଟ”
ଫକିରାବାଦ, ଠାକୁର ପାଟଣା, କେନ୍ଦ୍ରାପଡ଼ା