କଳ୍ପନାର ପ୍ରକଳ୍ପ ଓ ଦୂରଦୃଷ୍ଟି

ସୃଜନ ପ୍ରକାଶ ଦାସ

ଆମ ଜୀବନ ଯେ ଅନିଶ୍ଚିତତା ଭରା- ଏଥିରେ ଦ୍ୱିରୁକ୍ତି ନାହିଁ। ସମସ୍ତ ପ୍ରକାର କଳ୍ପନା ଜଳ୍ପନା, ହିସାବ ନିକାଶ ସତ୍ତ୍ବେ, ଅନେକ କ୍ଷେତ୍ରରେ ଆଶାନୁରୂପକ ଫଳ ମିଳେ ନାହିଁ। ବହୁ ଯୋଜନା ଫେଲ୍ ମାରିଯାଏ। ମଣିଷ ଭାବିଥାଏ ଗୋଟାଏ, ହେଲେ ଈଶ୍ୱର କରନ୍ତି ଆଉ ଗୋଟାଏ। କିଛି କିଛି ଘଟଣାରେ ଆମର କିଛି କରିବାର ନ ଥାଏ। ମାତ୍ର, ଏହା ମଧ୍ୟ ସତ୍ୟ ଯେ ଆମେ କୌଣସି ନୂଆ କାର୍ଯ୍ୟ ହାତକୁ ନେବା ପୂର୍ବରୁ ତା’ର ପରିଣାମକୁ ଥରୁଟିଏ କଳ୍ପନା ଚକ୍ଷୁରେ ଦେଖି ପାରିଲେ, ଅନେକ କ୍ଷେତ୍ରରେ ହୁଏ’ତ ଆମେ ଅସଫଳ ହୁଅନ୍ତେ ନାହିଁ। ମଣିଷ ସେହି ସେହି କ୍ଷେତ୍ରରେ ଅପରିଣାମଦର୍ଶୀ ପ୍ରମାଣିତ ହୋଇଛି, ଯେଉଁଠି ଫଳାଫଳକୁ ଆକଳନ କରି ନାହିଁ ବା କରିବା ବେଳେ ଏତେ ଭାବପ୍ରବଣର ବଶବର୍ତ୍ତୀ ହୋଇଛି ଯେ ଭୁଲ୍ ସିଦ୍ଧାନ୍ତରେ ଉପନୀତ ହୋଇଛି।

ଉଦାହରଣଟିଏ ଦେଖନ୍ତୁ। ଧରି ନିଅନ୍ତୁ ଯେ ସିନେ ଜଗତର ଜଣେ ସୁନାମଧନ୍ୟ କଳାକାରଙ୍କ ସହିତ ଅଭିନୟ କରୁକରୁ ଜଣେ ଅବିବାହିତା ଯୁବତୀଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଲା। କଳାକାର ଜଣକ ବିବାହିତ, ତାଙ୍କର ପରିବାର ଅଛି, ବୟସରେ ଯୁବତୀଙ୍କ ଠାରୁ ଅନେକ ବଡ଼। ତାହା ଜାଣି ମଧ୍ୟ ଯୁବତୀ ଜଣକ ତାଙ୍କୁ ବିବାହ କରିବା ପାଇଁ ଜିଦ ଧରିଲେ। ବର୍ତ୍ତମାନରେ ଭାସି ଯାଇଥିବା ଯୁବତୀ ଜଣକ ଏହି ସମ୍ପର୍କର ଭବିଷ୍ୟତ ପରିଣତି ସମ୍ପର୍କରେ ଆଖି ବୁଜି ଦେଲେ। ପରିବାର ପାଇଁ ଏହା ଥିଲା ଏକ କଠିନ ସମୟ। ସମସ୍ତ ପରାମର୍ଶ, ଆଲୋଚନା ବିଫଳ ହେବା ପରେ ଯୁବତୀଙ୍କୁ ଏକ ଛୋଟ କାମଟିଏ କରିବା ପାଇଁ କୁହାଗଲା। ଗୋଟିଏ ସାଧା କାଗଜରେ ଦୁଇଟି ସ୍ତମ୍ଭ କରି, ପ୍ରଥମଟିରେ କଳାକାରଙ୍କୁ ବିବାହ କରିବାର ଲାଭ ଏବଂ ଦ୍ବିତୀୟ ସ୍ତମ୍ଭରେ କଳାକାରଙ୍କୁ ବିବାହ କରିବାର କ୍ଷତି ବିଷୟରେ ଲେଖିବା ପାଇଁ କୁହାଗଲା। କଳାକାରଙ୍କୁ ବିବାହ କରିବାରେ ଲାଭର ସଂଖ୍ୟା ଅଧିକ ଥିବା ବିଷୟରେ ସ୍ଥିର ନିଶ୍ଚିତ ଥିବା ଯୁବତୀ ଜଣକ ଯେତେବେଳେ ଲେଖି ବସିଲେ, ସେତେବେଳେ ସମସ୍ୟା ଉପୁଜିଲା। କାରଣ, ଦେଖାଗଲା ‌େଯ ଲାଭ ତୁଳନାରେ କ୍ଷତିର ତାଲିକା ଖୁବ ଲମ୍ବା। ଏହା ପରେ ଯୁବତୀ ଜଣଙ୍କୁ ଆଉ ଅଧିକ ବୁଝାଇବାକୁ ପଡ଼ି ନ ଥିଲା। ସେ ନିଜେ ହୃଦୟଙ୍ଗମ କରିପାରିଥିଲେ ଯେ ଏହି କ୍ଷେତ୍ରରେ ସେ କେତେ ପରିମାଣର ଭାବପ୍ରବଣ ହୋଇ ଅପରିଣାମଦର୍ଶୀ ହୋଇ ପଡ଼ିଥିଲେ। ଜଣେ କଳାକାରଙ୍କୁ ବିବାହ କରିବା ହିଁ ଥିଲା ଏକମାତ୍ର ସକାରାତ୍ମକ ଦିଗ। ଅଥଚ, ସେ ଜଣେ ବୟସ୍କ ବିବାହିତ ପୁରୁଷ, ଯିଏ ଆଜି ନିଜ ପରିବାରକୁ ଉପେକ୍ଷା କରିବାକୁ ପଛାଉନାହିଁ। ସୁତରାଂ, ଭବିଷ୍ୟତରେ ତାର ପୁନରାବୃତ୍ତି ମଧ୍ୟ ହୋଇପାରେ, ଯୁବତୀ ଜଣକ ତାହା ବୁଝି ପାରିଲେ। ସେମିତି ସେ କଳାକାରଂକର ଦ୍ବିତୀୟ ପତ୍ନୀର ମାନ୍ୟତା ପାଇବା ମଧ୍ୟ ଥିଲା ଏକ ନକାରାତ୍ମକ ଦିଗ। ଯୁବତୀଙ୍କର ଆଖି ଖୋଲି ଯାଇଥିଲା। ସ୍ୱାଭାବିକ ଭାବରେ ଅପରିଣାମଦର୍ଶିତା ଜନିତ ହତାଶା, ଗ୍ଲାନି, ନୈରାଶ୍ୟ, ଅବସାଦରୁ ସେ ନିଜକୁ ତଥା ନିଜ ପରିବାରକୁ ବଞ୍ଚାଇପାରିଲେ।

ଉପରୋକ୍ତ ଘଟଣା ଭଳି ଆମ ଜୀବନରେ ଅନେକ କ୍ଷେତ୍ରରେ ଆମେ ଭାବପ୍ରବଣତାର ଶିକାର ହୋଇଥାଉ। ଥରୁଟିଏ ଭାବାବେଗର ଆବର୍ତ୍ତ ମଧ୍ୟକୁ ଆସିଗଲେ, ତାହାର ପରିଣାମ ବିଷୟରେ ଆମେ ଅନ୍ଧ ହୋଇଯାଉ। ସ୍ୱାଭାବିକ ଭାବରେ କେବଳ ଗୋଟିଏ ପାର୍ଶ୍ୱ ଆମ ନଜରକୁ ହିଁ ଆସିଥାଏ। ଭଲ ମନ୍ଦ ଆକଳନ କରିବାର ମାନସିକତା ଆମେ ହଜାଇ ଦେଉ। ବାସ୍ତବବାଦୀ ହେବା ତ ଦୂରର କଥା, କେହି ଶୁଭେଚ୍ଛୁ ଆମକୁ ସତର୍କ ଓ ସଚେତନ କରିବାର ପ୍ରୟାସ କଲେ ମଧ୍ୟ ଆମେ ସହଜରେ ତାହା ଗ୍ରହଣ କରୁନା। ଏପରି କି ଶୁଭ ଚିନ୍ତକଙ୍କ ସହିତ ସମ୍ପର୍କକୁ ମଧ୍ୟ ସନ୍ଦେହ ଦୃଷ୍ଟିରେ ଦେଖୁ। ଭୁଲ୍ ବୁଝାମଣା ବଢ଼ିଚାଲେ। ଶେଷରେ କିନ୍ତୁ ଅପରିଣାମଦର୍ଶିତାର ଫଳ ଭୋଗିବାକୁ ହୁଏ। ହାସ୍ୟାସ୍ପଦ ହେବାଟା ସାର ହୁଏ।

ତେଣୁ ଯଦି କେବେ ନିଜ ମନରେ ଦ୍ବନ୍ଦ୍ବ ଉପୁଜେ, କଳ୍ପନାର କୌଣସି ନୂଆ ପ୍ରକଳ୍ପର ଫଳାଫଳ ସମ୍ବନ୍ଧରେ ସନ୍ଦିହାନ ଥା’ନ୍ତି, ସମ୍ଭାବ୍ୟ ପରିଣାମକୁ ଆକଳନ କରନ୍ତୁ। କିନ୍ତୁ ନିରାସକ୍ତ ଭାବେ। ତଦ୍ଦ୍ବାରା ମଧ୍ୟ ଯଦି ସମସ୍ୟା ସମାଧାନ ନ ହେଲା, ଅଭିଜ୍ଞମାନଙ୍କ ପରାମର୍ଶ ଲୋଡ଼ନ୍ତୁ। ଉପରୋକ୍ତ ଯୁବତୀଙ୍କ ଭଳି ଗୋଟିଏ ସାଧା କାଗଜର ଦୁଇଟି ସ୍ତମ୍ଭ କରନ୍ତୁ, ଦୁଇ ସ୍ତମ୍ଭରେ ପ୍ରକଳ୍ପର ଭଲ, ମନ୍ଦ ଦିଗକୁ ଲେଖି ପକାନ୍ତୁ। ଲେଖା ସାରିବା ବେଳକୁ ଆପଣ ନିଜେ ନିଜ ନିଷ୍କର୍ଷରେ ହୁଏ’ତ ପହଂଚି ଯାଇଥିବେ- ଭଲ କେଉଁଟି, ମନ୍ଦ କେଉଁଟି? ଉଚିତ କ’ଣ, ଅନୁଚିତ କ’ଣ? ସବୁ କିଛି ପରିଷ୍କାର ହୋଇଯାଇପାରେ। କୌଣସି କାମ ହାତକୁ ନେବା ପୂର୍ବରୁ ସମ୍ଭାବ୍ୟ ପରିଣାମର ଆକଳନ କରିବା ହିଁ ହେଉଛି ଦୂରଦର୍ଶତା; ବିଚାରବନ୍ତ ଲୋକେ ଏହି ଗୁଣର ପ୍ରଦର୍ଶନ କରିଥାଆନ୍ତି।

ମୋ- ୯୪୩୮୧ ୪୯୭୬୧
[email protected]

ସମ୍ବନ୍ଧିତ ଖବର