କ୍ରୀଡ଼ାର ଭୂମି ଓଡ଼ିଶା

ତୁଷାରକାନ୍ତି ବେହେରା

ବିଶ୍ବରେ ଯେମିତି ଫୁଟ୍‍ବଲ୍ ବ୍ରାଜିଲକୁ ବା ବକ୍ସିଂ କ୍ୟୁବାକୁ ଅଥବା ଦୌଡ଼କୁଦ ଯୁକ୍ତରାଷ୍ଟ୍ର ଆମେରିକାକୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି; ସେମିତି ହକି ଆମ ରାଜ୍ୟ ଓଡ଼ିଶାକୁ ପ୍ରସିଦ୍ଧି ଆଣି ଦେଇଛି। ସେଥି ଲାଗି ଓଡ଼ିଶାକୁ ହକିର ଏନ୍ତୁଡ଼ିଶାଳ ବୋଲି କୁହାଯାଇଥାଏ। ଏହା ସମସ୍ତେ ଜାଣନ୍ତି ଯେ ଆମ ରାଜ୍ୟର ସୁନ୍ଦରଗଡ଼ ଜିଲ୍ଲାର କୋଣ-ଅନୁକୋଣରେ ହକି ପ୍ରତିଭାମାନେ ପ୍ରସ୍ଫୁଟିତ ହେବାକୁ ଅପେକ୍ଷା କରି ରହିଛନ୍ତି। ତେବେ, କେବଳ ହକି ନୁହେଁ ବିଭିନ୍ନ କ୍ରୀଡ଼ା କ୍ଷେତ୍ରରେ ଅନେକ ଓଡ଼ିଆ ତାରକା ସୃଷ୍ଟି ହୋଇଛନ୍ତି ଏବଂ କ୍ରୀଡ଼ା କ୍ଷେତ୍ର ଲାଗି ସଂପ୍ରତି ଆମ ରାଜ୍ୟରେ ଅତ୍ୟନ୍ତ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି। ଗତ କିଛି ବର୍ଷ ମଧ୍ୟରେ ଆମ ରାଜ୍ୟ ଅନେକ ବିଶ୍ବ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଦେଖିଲାଣି ଏବଂ ଏହା ଦ୍ବାରା ଆମର ତରୁଣ ବର୍ଗ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି। ଅନେକ ପ୍ରତିଭାଶାଳୀ ଖେଳାଳି ‘ଯୁବ ଆଇକନ୍‌’ରେ ପରିଣତ ହେଲେଣି; ଉଦାହରଣ ସ୍ବରୂପ ଦୂତୀ ଚାନ୍ଦ, ରବି କୁମାର, ଶ୍ରାବଣୀ ନନ୍ଦ, ଅମିୟ ମଲିକ, ପୂର୍ଣ୍ଣିମା ହେମ୍ବ୍ରମ, ସୁନୀତା ଲାକ୍ରା, ଲିଲିମା ମିଞ୍ଜ, ଦିପ୍‌ସାନ ତିର୍କି, ଅମିତ ରୋହି-ଦାସ, ପ୍ରମୋଦ ଭଗତ ଏବଂ ପଦ୍ମିନୀ ରାଉତ ଇତ୍ୟାଦି। ଏମାନେ ଏବେ ଓଡ଼ିଶାର ଘରେ ଘରେ ପରିଚିତ। ସଂପ୍ରତିି କ୍ରୀଡ଼ାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବା ପାଇଁ ମଧ୍ୟ ଯୁବବର୍ଗଙ୍କ ମଧ୍ୟରେ ସାହସ, ଉତ୍ସାହ ଏବଂ ଆଗ୍ରହ ପରିଲକ୍ଷିତ ହେଉଛି, ଯାହା ଅତ୍ୟନ୍ତ ସ୍ବାଗତଯୋଗ୍ୟ।
ଏହା ମୂଳରେ ରହିଛି ରାଜ୍ୟ ସରକାରଙ୍କ ଅବିରତ ଉଦ୍ୟମ। ରାଜ୍ୟର ସମସ୍ତ ପ୍ରାନ୍ତରେ ନୂତନ କ୍ରୀଡ଼ା ଭିତ୍ତିଭୂମିର ନିର୍ମାଣ କରାଯାଉଛି। ଖେଳାଳିମାନଙ୍କ ପାଇଁ ବିଶ୍ବ ସ୍ତରୀୟ ପ୍ରଶିକ୍ଷଣର ବ୍ୟବସ୍ଥା ହେଉଛି। ଭିନ୍ନ ଭିନ୍ନ ପ୍ରକାରର ପ୍ରୋତ୍ସାହନ ପ୍ରଦାନ ସହିତ ତୃଣମୂଳ ସ୍ତରରୁ ପ୍ରତିଭା ଚିହ୍ନଟ କରାଯାଉଛି। ଏହା ସହିତ କ୍ରୀଡ଼ା କ୍ଷେତ୍ରକୁ ସଂଗଠିତ କରିବା ଓ ଉଚ୍ଚ ସ୍ତରୀୟ କ୍ରୀଡ଼ା ଶୃଙ୍ଖଳା ଲାଗି ପରିବେଶ ତିଆରି କରିବା ଦିଗରେ ଉଦ୍ୟମ କରାଯାଉଛି।

ଓଡ଼ିଶା ଯେ ଅତି ଶୀଘ୍ର କ୍ରୀଡ଼ା କ୍ଷେତ୍ରର ପ୍ରାଣକେନ୍ଦ୍ରରେ ପରିଣତ ହେବାକୁ ଯାଉଛି, ଏ ନେଇ ଆଶା ଅତ୍ୟନ୍ତ ଉଜ୍ଜ୍ବଳ। ବିଶ୍ବ ହକି ମାନଚିତ୍ରରେ ଭୁବନେଶ୍ବର ଅନ୍ୟତମ ପ୍ରମୁଖ କେନ୍ଦ୍ର ଭାବେ ଉଭା ହୋଇଛି। ପରଂପରାଗତ ଭାବେ ଓଡ଼ିଶା ଦେଶକୁ ବହୁ ଅନ୍ତର୍ଜାତୀୟ ହକି ତାରକା ଖେଳାଳି ଉପହାର ଭାବେ ଦେଇ ସାରିଛି। ପାଞ୍ଚ ଜଣ ଓଡ଼ିଆ ହକି ଖେଳାଳି ଜାତୀୟ ଦଳର ଅଧିନାୟକ ହୋଇଛନ୍ତି ଏବଂ ୯ ଜଣ ଅଲମ୍ପିକ୍‌ସରେ ଭାରତର ପ୍ରତିନିଧିତ୍ବ କରିଛନ୍ତି। ୨୦୧୭ ମସିହାରେ ବିଶ୍ୱ ହକି ଲିଗ୍‌ ଫାଇନାଲ ଏବଂ ୨୦୧୮ରେ ବିଶ୍ବକପ୍ ହକି ପ୍ରତିଯୋଗିତା ଆମ ରାଜଧାନୀରେ ଆୟୋଜିତ ହୋଇ ରାଜ୍ୟ ଲାଗି ଗୌରବ ଆଣି ଦେଇଛି। ଏହି ବିଶ୍ବ ସ୍ତରୀୟ ମର୍ଯ୍ୟାଦାଜନକ ପ୍ରତିଯୋଗିତା ଦ୍ବୟକୁ ଆୟୋଜନ କରିବାରେ ଓଡ଼ିଶା ସରକାରଙ୍କ ସାଫଲ୍ୟ ସର୍ବତ୍ର ପ୍ରଶଂସାର ପାତ୍ର ହୋଇଛି। ଉଲ୍ଲେଖନୀୟ ଯେ ଉଭୟ ପ୍ରତିଯୋଗିତାର ମୁଖ୍ୟ ପ୍ରାୟୋଜକ ଥିଲେ ଓଡ଼ିଶା ସରକାର। ସେହିଭଳି ୨୨ତମ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜନ କରିବା ଥିଲା ରାଜ୍ୟ ପାଇଁ ଏକ ବୃହତ୍‌ ଉପଲବ୍‌ଧି। ମାତ୍ର ନବେ ଦିନ ମଧ୍ୟରେ ଏହି ଦୌଡ଼କୁଦର ମହାକୁମ୍ଭ ଲାଗି ପ୍ରସ୍ତୁତିର ସମୟ ମିଳିଥିଲା। ଅନେକ ରାଜ୍ୟ ଏ ଦାୟିତ୍ବ ନେବାକୁ ସାହସ କରିପାରି ନ ଥିଲେ। କିନ୍ତୁ ଏହି ଅତି ସ୍ବଳ୍ପ ସମୟ ମଧ୍ୟରେ ବିଶ୍ବସ୍ତରୀୟ ଭିତ୍ତିଭୂମି ବିକଶିତ କରିବାର ସାମର୍ଥ୍ୟ ଓଡ଼ିଶା ଲାଗି ଏକ ଚମତ୍କାର ଉପଲବ୍‌ଧି ଥିଲା। ଏହା ସହିତ ଆମ ରାଜ୍ୟରେ ଅଧିକ ଅନ୍ତର୍ଜାତୀୟ କ୍ରୀଡ଼ା ଶୃଙ୍ଖଳାର ଆୟୋଜନ ଲାଗି ମାର୍ଗ ଉନ୍ମୁକ୍ତ ହୋଇଛି।

ଏଭଳି ବିଶ୍ବ ସ୍ତରୀୟ ଟୁର୍ନାମେଣ୍ଟର ଆୟୋଜନ ପ୍ରମାଣ କରିପାରିଛି ଯେ ଆମ ନିକଟରେ ଆଧୁନିକ ଓ ପ୍ରଗତିଶୀଳ ଆଭିମୁଖ୍ୟ ରହିଛି। ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ଦଶ ଦିନ ଧରି ଚାଲିଥିଲା ଏବଂ ଷ୍ଟାଡିୟମର ସମସ୍ତ ଗ୍ୟାଲେରି ଦର୍ଶକମାନଙ୍କ ଦ୍ବାରା ଭରପୁର ଥିଲା। ଏହି ସବୁ ବିଶ୍ବ ସ୍ତରୀୟ କ୍ରୀଡ଼ା ଶୃଙ୍ଖଳାଗୁଡ଼ିକୁ ଉପଭୋଗ କରିବା ଲାଗି ଦେଶର ବିଭିନ୍ନ ପ୍ରାନ୍ତରୁ କ୍ରୀଡ଼ାପ୍ରେମୀମାନେ ଭୁବନେଶ୍ବରକୁ ଆସିଥିଲେ। ଆମ ରାଜ୍ୟରେ ଆହୁରି ଅନେକ ଆନ୍ତର୍ଜାତିକ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଛି। FIH ପୁରୁଷ ହକି ସିରିଜ୍, FIH ପୁରୁଷ ଓ ମହିଳା ହକି ଅଲମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ-୨୦୧୯, FIH ହକି ପ୍ରୋ-ଲିଗ୍, ହିରୋ AIFF ଚତୁର୍ଦେଶୀୟ ମହିଳା ଗୋଲ୍‍ଡ କପ୍ ଫୁଟ୍‍ବଲ୍ ଟୁର୍ନାମେଣ୍ଟ, ହିରୋ ସୁପର କପ୍, ୨୧ତମ କମନ୍ ୱେଲ୍‍ଥ ଟେବୁଲ୍‍ ଟେନିସ୍ ଚମ୍ପିଅନ୍‍ସିପ୍, ୨୫ତମ ଜାତୀୟ ସ୍ପୋର୍ଟସ୍ କ୍ଲାଇମ୍ବିଙ୍ଗ୍ ପ୍ରତିଯୋଗିତା ଏହାର ଅନ୍ତର୍ଭୁକ୍ତ। ସେମିତି କିଛି ଜାତୀୟ ସ୍ତରୀୟ ପ୍ରତିଯୋଗିତା ଯେପରିକି ୨୦୨୦ରେ ‘ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଶୃଙ୍ଖଳା’ର ପ୍ରଥମ ସଂସ୍କରଣକୁ ସଫଳତାର ସହ ଆୟୋଜନ କରାଯାଇପାରିଥିଲା। ତେବେ, କରୋନା ମହାମାରୀ କାରଣରୁ ଆମ ରାଜ୍ୟରେ ୧୭ ବର୍ଷରୁ କମ୍ ବୟସ ବର୍ଗର ମହିଳା ବିଶ୍ବକପ୍ ଫୁଟ୍‍ବଲ୍, FIH ହକି ପ୍ରୋ-ଲିଗ୍‌ ଇତ୍ୟାଦିର ଆୟୋଜନ ସମ୍ଭବ ହୋଇପାରିନାହିଁ। ଯାହା ହେଉ, ସୁଖର କଥା ଯେ ଆଗାମୀ ବର୍ଷଗୁଡ଼ିକରେ ସେ ସବୁର ଆୟୋଜନ କରାଯିବ। ଭୁବନେଶ୍ବର ଓ ରାଉରକେଲା FIH ପୁରୁଷ ହକି ବିଶ୍ବକପ୍ ଆୟୋଜନ କରିବା ନିମନ୍ତେ ସ୍ବୀକୃତି ପାଇଅଛି ଏବଂ ଓଡ଼ିଶା ମଧ୍ୟ ଏସୀୟ ଫୁଟ୍‍ବଲ୍ କପ୍- ୨୦୨୭କୁ ଆୟୋଜନ କରିବାକୁ ଯାଉଛି।

କହିବା ନିଷ୍ପ୍ରୟୋଜନ ଯେ ଆମ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ରାଜ୍ୟ ଦେଶର କ୍ରୀଡ଼ା ରାଜଧାନୀ ରୂପେ ବିକଶିତ ହେବାକୁ ଯାଉଛି। ଏଥି ନିମନ୍ତେ ଭୁବନେଶ୍ବର ସମେତ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଉପ‌େର ସରକାର ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି। ସେଥି ପାଇଁ ଅନେକଗୁଡ଼ିଏ ପ୍ରକଳ୍ପ ହାତକୁ ନିଆଯାଇଛି। ତନ୍ମଧ୍ୟରୁ ରାଉରକେଲାଠାରେ ଏକ ବିଶ୍ବସ୍ତରୀୟ ହକି ଷ୍ଟାଡିୟମ୍‌ର ନିର୍ମାଣ, କଳିଙ୍ଗ ଷ୍ଟାଡିୟମ୍ ସମ୍ପ୍ରସାରଣ ପ୍ରକଳ୍ପ, ସହରାଞ୍ଚଳରେ କ୍ରୀଡ଼ା ଭିତ୍ତିଭୂମି ଦୃଢ଼ୀକରଣ ଯୋଜନା ଏବଂ ସମସ୍ତ ସହରରେ ମଲଟି ପର୍‍ପଜ୍ କ୍ରୀଡ଼ା ପ୍ରାଙ୍ଗଣ ପ୍ରତିଷ୍ଠା ଅନ୍ୟତମ। ସେହିଭଳି ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ବ୍ଲକ୍‌ରେ ହକି ତାଲିମ ନିମନ୍ତେ ସିନ୍ଥେଟିକ୍ ଟର୍ଫ‌୍ର ବ୍ୟବସ୍ଥା ବିଶେଷ ପ୍ରଣିଧାନଯୋଗ୍ୟ। କ୍ରୀଡ଼ା ବାତାବରଣକୁ ଅଧିକ ବ୍ୟବସ୍ଥିତ ଓ ଉତ୍ସାହପ୍ରଦ କରିବା ଲାଗି ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା ଏବଂ କଟକ ଭଳି ସହରରେ ସାଟେଲାଇଟ୍ ଷ୍ଟାଡିୟମ୍ ପ୍ରତିଷ୍ଠା ସହିତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସନ୍ତରଣାଗାରମାନ ପ୍ରତିଷ୍ଠା କରିବା ଦିଗରେ ସରକାର ପଦକ୍ଷେପ ନେଇଛନ୍ତି।

କେବଳ ସେତିକି ନୁହେଁ, ରାଜ୍ୟ ସରକାର ବିଭିନ୍ନ କ୍ରୀଡ଼ା ସଂଗଠନ ଓ ଆସୋସିଏସନ୍‌କୁ କ୍ରୀଡ଼ା ପ୍ରତିଯୋଗିତାମାନ ଆୟୋଜନ କରିବା ନିମନ୍ତେ ସାହାଯ୍ୟ କରୁଛନ୍ତି। ସର୍ବଭାରତୀୟ ବନ ବିଭାଗ କ୍ରୀଡ଼ା ପ୍ରତିଯୋଗିତା-୨୦୨୦, ସର୍ବଭାରତୀୟ ପୁଲିସ୍ ହକି ଟୁର୍ନାମେଣ୍ଟ, ସର୍ବଭାରତୀୟ ସିନିୟର ଓପନ୍ ଭଲିବଲ୍‌ ପ୍ରତିଯୋଗିତା, ସର୍ବଭାରତୀୟ ସବ୍‌-ଜୁନିଅର୍ ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗିତା, ସର୍ବଭାରତୀୟ ସିନିଅର୍ ତୀରନ୍ଦାଜୀ ପ୍ରତିଯୋଗିତା, ସର୍ବଭାରତୀୟ ଜୁନିଅର୍ ବାସ୍କେଟ୍‍ବଲ୍ ପ୍ରତିଯୋଗିତା, ସର୍ବଭାରତୀୟ କୁସ୍ତି ପ୍ରତିଯୋଗିତା ଏବଂ IFT ପୁରୁଷ ସର୍କିଟ୍ ଟେନିସ୍ ଟୁର୍ନାମେଣ୍ଟ ଭଳି ପ୍ରତିଯୋଗିତା ଗତ କିଛି ବର୍ଷ ଭିତରେ ଆୟୋଜିତ ହୋଇ ଏ ଦିଗରେ ସାଫଲ୍ୟକୁ ସିଦ୍ଧ କରିଛି।

ତୃଣମୂଳ ସ୍ତରରୁ କ୍ରୀଡ଼ା ପ୍ରତିଭାମାନଙ୍କୁ ଖୋଜିବା, ସେମାନଙ୍କୁ କ୍ରୀଡ଼ା ଛାତ୍ରାବାସକୁ ନେବା ଏବଂ ଉଚ୍ଚ ମାନର ତାଲିମ କେନ୍ଦ୍ରମାନଙ୍କରେ ପ୍ରଶିକ୍ଷଣ ଦେବା ଉପରେ ସଦାସର୍ବଦା ସରକାରଙ୍କ ଧ୍ୟାନର ରହି ଆସିଛି। ଏବେ ରାଜ୍ୟରେ ୧୬ଟି କ୍ରୀଡ଼ା ଛାତ୍ରାବାସରେ ୧୧ଟି କ୍ରୀଡ଼ା ବିଭାଗରେ ୧,୦୫୦ ଅନ୍ତେବାସୀ ପ୍ରଶିକ୍ଷଣ ନେଉଛନ୍ତି। ରାଜ୍ୟରେ ଏକ ଅନୁକୂଳ କ୍ରୀଡ଼ା ପରିବେଶ ସୃଷ୍ଟି ଦିଗରେ ସରକାର ସର୍ବଦା ପ୍ରାଥମିକତା ଦେଇ ଆସୁଛନ୍ତି ଏବଂ ଏଥି ନିମନ୍ତେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ, ଆଦିବାସୀ, ହରିଜନ, ଅନ୍ୟ ପଛୁଆବର୍ଗ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ବିଭାଗ ଅଧୀନରେ ଥିବା ‘ଶାରୀରିକ-ଶିକ୍ଷା’ର ପ୍ରଶିକ୍ଷକମାନଙ୍କୁ ତାଲିମ ପ୍ରଦାନ କରାଯାଉଛି।

ଆମ ରାଜ୍ୟ ଓଡ଼ିଶା ଗତ ଦୁଇ ବର୍ଷ ଧରି ଲଗାତାର ଭାବେ ଦେଶର ବିଶିଷ୍ଟ କ୍ରୀଡ଼ା ଉତ୍କର୍ଷ ସମ୍ମାନ ‘Sports Star Ace’ ଜିଣି ଆସୁଛି। ରାଜ୍ୟରେ କ୍ରୀଡ଼ାକୁ ଏକ ନୂତନ ସ୍ତରକୁ ନେବା ସହ କ୍ରୀଡ଼ାରେ ଉତ୍କର୍ଷ ସକା‌େଶ ଉଦ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଭୂମିକା ସର୍ବାଧିକ ଗୁରୁତ୍ବପୂର୍ଣ୍ଣ। ଏହି ମର୍ମରେ ଆମ ରାଜ୍ୟ ‘Sports for youth, Youth for future vision’ ଦ୍ବାରା ଅନୁପ୍ରାଣିତ ହୋଇ ଖୁବ୍ ଶୀଘ୍ର ଏକ ବହୁ ଆୟାମୀ ‘କ୍ରୀଡ଼ା ନୀତି’ ପ୍ରଣୟନ କରିବାକୁ ଯାଉଛି, ଯାହା ଦ୍ବାରା କ୍ରୀଡ଼ାର ଆହୁରି ଅଧିକ ବିକାଶ ସମ୍ଭବ ହେବ। କ୍ରୀଡ଼ାର ବିକାଶ ଓ ପ୍ରତିଭା ଚିହ୍ନଟ ସକାଶେ ରାଜ୍ୟରେ ସ୍କୁଲ ସ୍ତରରୁ ହିଁ ଉଦ୍ୟମ କରାଯାଉଛି। ଖେଲାଳିମାନଙ୍କୁ ମାରାତ୍ମକ ଆଘାତଜନିତ ସମସ୍ୟାରୁ ରକ୍ଷା କରିବା ଲାଗି ରାଜ୍ୟରେ ଏକ ଅତ୍ୟାଧୁନିକ ଗବେଷଣା କେନ୍ଦ୍ର କାମ କରୁଛି। ଅଲମ୍ପିଆନ୍ ଅଭିନବ ବିନ୍ଦ୍ରାଙ୍କ ସହଯୋଗରେ ଭୁବନେଶ୍ବରଠାରେ ଏହା ସ୍ଥାପିତ ହୋଇଛି। ସେମିତି ଖେଳାଳିମାନେ ବ୍ୟବହାର କରୁଥିବା ଔଷଧ ବିଷୟରେ ସଚେତନ କରିବା ଳାଗି ଏକ ବୈଷୟିକ କେନ୍ଦ୍ର କାମ କରୁଛି। ଏହା ଦ୍ବାରା ଖେଳାଳିମାନେ ସେମାନଙ୍କ ଅଜାଣତରେ ମନା କରାଯାଇଥିବା ଔଷଧ ‌େସବନରୁ ଦୂରେଇ ରହି ପାରୁଛନ୍ତି, ଯାହା ପ୍ରକାରାନ୍ତରେ କ୍ରୀଡ଼ା କ୍ଷେତ୍ର ଲାଗି ବରଦାନ ସଦୃଶ ହୋଇଛି।

କହିବା ଅନାବଶ୍ୟକ ଯେ ଏହି ପ୍ରେରଣାଦାୟୀ ଓ ଉତ୍ସାହପୂର୍ଣ୍ଣ କ୍ରୀଡ଼ା ଅନୁକୂଳ ବାତାବରଣ ଭବିଷ୍ୟତର କ୍ରୀଡ଼ା ମହାରଥୀମାନଙ୍କୁ ତିଆରି କରିବ। ଏହି ଲକ୍ଷ୍ୟ ସରକାରଙ୍କର ରହିଛି ଏବଂ ଏହା ପୂରଣ ହେବା ଆଦୌ ଅସମ୍ଭବ ନ‌ୁହେଁ।
କ୍ରୀଡ଼ା, ଯୁବସେବା ଓ ସୂଚନା ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ), ଓଡ଼ିଶା ସରକାର

ସମ୍ବନ୍ଧିତ ଖବର