‘ଲକ୍‌ଡାଉନ୍‌’ ସମୟରେ ପଠିତ ଦୁଇ ଚମତ୍କାର ପୁସ୍ତକ

ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା

ଊନବି˚ଶ ଶତାବ୍ଦୀର ଇତାଲୀୟ ଲେଖକ ଏମିଲିଓ ସାଲ୍‌ଗାରି ଏକଦା ମନ୍ତବ୍ୟ ଦେଇଥିଲେ, ‘ପଠନ ହେଉଛି ନିଶ୍ଚିନ୍ତରେ ଭ୍ରମଣ କରିବା ଭଳି।’ ଏହା ଏକ ମୂଲ୍ୟବାନ୍‌ ପରାମର୍ଶ, ବିଶେଷତଃ ଏହି ‘କୋଭିଡ୍‌-୧୯’ କାଳରେ। ଏବେ ଜଣେ ବାଧ୍ୟ ହୋଇ ଘରେ ଅଟକିଛି। ସାହିତ୍ୟ ଏବ˚ ଅନ୍ୟ କୌଣସି ବିଷୟରେ ଶିକ୍ଷା ବା ଜ୍ଞାନ ଆହରଣ ଏହି ସମୟରେ ଆମର ବିଶେଷ ସହାୟତା କରିବ। ଆମେ ଘର ଭିତରେ ରହି ବିଭିନ୍ନ ସ୍ଥାନ ଭ୍ରମଣ କରିପାରିବା। ଏହା ଚେତନାକୁ ଉଦ୍ଦୀପିତ ଏବ˚ ହୃଦୟକୁ ଉନ୍ମୁକ୍ତ-ପ୍ରଶସ୍ତ-ବିକଶିତ କରିବ।

ମାନବ ଜାତି ଆଉ ଏକ ବ୍ୟାପକ ମହାମାରୀର ସାମନା କରୁଛି ବୋଲି ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ର ଘୋଷଣାର ଅଳ୍ପ କିଛିି କାଳ ପୂର୍ବରୁ ପ୍ରଥମ ପିଢ଼ିର ନାରୀ ସକ୍ରିୟତାବାଦୀ ତଥା ନାଗରିକ ଅଧିକାର କର୍ମୀ ପଉଲି ମରେଙ୍କ ଆତ୍ମଚରିତ ପଠନ ଆରମ୍ଭ କରିଥିଲି। ୧୯୧୦ରେ ଆମେରିକାର ଦକ୍ଷିଣାଞ୍ଚଳରେ ଜନ୍ମ ହୋଇଥିବା ପଉଲି ପୃଥିବୀରେ ଭୂମିଷ୍ଠ ହେଲା ବେଳକୁ ତିନି ପ୍ରକାରର ପକ୍ଷପାତିତାର ଶିକାର ହୋଇ ସାରିଥିଲେ- ଶ୍ରେଣୀ, ବର୍ଣ୍ଣ ଓ ଲିଙ୍ଗ। ଏହା ସହ ଯୋଡ଼ିହୋଇଥିଲା ଅନାଥ ହେବାର ବୋଝ। ଆଦ୍ୟ ଶୈଶବରେ ମାଆଙ୍କୁ ହରାଇଥିଲେ ଏବ˚ ରୁଗ୍‌ଣ ପିତା ଏକ ମାନସିକ ଚିକିତ୍ସାନୁଷ୍ଠାନରେ ଭର୍ତ୍ତିହୋଇଥିଲେ। ମାଉସୀ ପଉଲାଇନ୍‌, ତାଙ୍କର ଲାଳନ-ପାଳନର ଭାର ଗ୍ରହଣ କରିଥିଲେ। ସେ ଥିଲେ ମହିୟସୀ। ଆଜୀବନ ବିବାହ କରି ନ ଥିଲେ। କାରଣ ଭାଇ-ଭଉଣୀଙ୍କ ସମେତ ଝିଆରୀ-ପୁତୁରାଙ୍କ ଯତ୍ନ ନେବାର ଗୁରୁ ଦାୟିତ୍ବ ତାଙ୍କ ଉପରେ ଥିଲା। ପଉଲିଙ୍କ ଲିଖିତ ସ୍ମୃତିଚାରଣରୁ ମାଉସୀ ପଉଲାଇନଙ୍କର ମହାନତା, ତାଙ୍କର ସାହସ, ତ୍ୟାଗ ଏବ˚ ଉତ୍ସର୍ଗୀକୃତ କାର୍ମିକ ଜୀବନର ପରିଚୟ ମିଳେ। ସେ ଥିଲେ ଜଣେ ସ୍କୁଲ୍‌ ଶିକ୍ଷୟିତ୍ରୀ।

ମାଉସୀଙ୍କ ଦ୍ବାରା ଅନୁପ୍ରାଣିତ-ପ୍ରୋତ୍ସାହିତ ହୋଇ ପରିବାରର ପ୍ରଥମ ସଦସ୍ୟ ଭାବେ ବିଶ୍ବବିଦ୍ୟାଳୟରେ ପଢ଼ିବା ପାଇଁ ପଉଲି ଦୃଢ଼ ସ˚କଳ୍ପ ହୋଇଥିଲେ। କଠିନ ସ˚ଘର୍ଷ କରି ସେ ପ୍ରଥମେ ନିଉୟର୍କ‌୍‌ସ୍ଥିତ ବର୍ନାଡ୍‌ କଲେଜରେ ନାମ ଲେଖାଇଥିଲେ। ଏହି ସହରରେ ସେ ସର୍ଜନାତ୍ମକ ରଚନା ପ୍ରତି ଆଗ୍ରହୀ ହୋଇଥିଲେ। କବିତା ଓ ଗଳ୍ପ ରଚନାକୁ ନେଇ ପରୀକ୍ଷା-ନିରୀକ୍ଷା କରିଥିଲେ। ସକ୍ରିୟତାବାଦୀ ସାଜିଥିଲେ ଏବ˚ ନୂଆ କରି ଅଭ୍ୟୁଦୟ ହେଉଥିବା ନାଗରିକ ଅଧିକାର ଆନ୍ଦୋଳନରେ ନିଜକୁ ସାମିଲ କରିଥିଲେ।

୧୯୩୦ରେ ଆମେରିକାର ଉତ୍ତରାଞ୍ଚଳରେ ବର୍ଣ୍ଣବୈଷମ୍ୟ ଯଦିଓ ଥିଲା, ତାହା ଏତେଟା ଉତ୍କଟ ନ ଥିଲା। ତୁଳନୀୟ ଭାବେ ଦେଖିଲେ ତାହା ଦକ୍ଷିଣରେ ବ୍ୟାପକ ଥିଲା। ଉତ୍ତରାଞ୍ଚଳରେ ପଢ଼ୁଥିବା ପଉଲି ଦକ୍ଷିଣାଞ୍ଚଳସ୍ଥିତ ନିଜ ଜନ୍ମ ସ୍ଥାନକୁ ଫେରିଲେ ବସ୍‌, ରେଳ ଓ ହୋଟେଲ୍‌ ଆଦିରେ ମାଉସୀ ଭୋଗୁଥିବା ପକ୍ଷପାତିତା ପ୍ରତ୍ୟକ୍ଷ କରୁଥିଲେ। ପୁଣି, ସେ କିପରି ତାହାର ସାମନା କରୁଥିଲେ, ତାହା ମଧ୍ୟ ଦେଖୁଥିଲେ। ଏହା ପଉଲିଙ୍କର ସ˚କଳ୍ପକୁ ଅଧିକ ଦୃଢ଼ କରିଥିଲା ଏବ˚ ସେ ନିଜ ପ୍ରଦେଶ ନର୍ଥ‌୍‌ କାରୋଲିନାର ମୁଖ୍ୟ ବିଶ୍ବବିଦ୍ୟାଳୟରେ ଆଗକୁ ପଢ଼ିବା ପାଇଁ ଆବେଦନ କରିଥିଲେ। ପଢ଼ିବା ପାଇଁ ତାଙ୍କର ଆବଶ୍ୟକ ଯୋଗ୍ୟତା ଥିବା ସତ୍ତ୍ବେ କୃଷ୍ଣକାୟ ହୋଇଥିବାରୁ, ତାଙ୍କୁ ଅନୁମତି ମିଳି ନ ଥିଲା।

ବର୍ଣ୍ଣବୈଷମର ପ୍ରତ୍ୟକ୍ଷ ଅଭିଜ୍ଞତା ପରେ ପଉଲି ଓକିଲ ହେବାକୁ ଚିନ୍ତା କଲେ। ଏହା ମାଧ୍ୟମରେ ବର୍ଣ୍ଣବୈଷମ୍ୟ ବିରୋଧରେ ଲଢ଼ି ତ ପାରିବେ। ଵାସି˚ଟନ୍‌ ଡିସିରେ ଥିବା କେବଳ କୃଷ୍ଣକାୟଙ୍କ ପାଇଁ ଉଦ୍ଦିଷ୍ଟ ହାର୍ଭାର୍ଡ ବିଶ୍ବବିଦ୍ୟାଳୟରେ ଆଇନ ପଢ଼ିବା ନିମନ୍ତେ ଭର୍ତ୍ତି ହେଲେ। ସେଠାରେ କେତେ ଜଣ ବିଦ୍ବାନ୍‌ ପ୍ରଫେସର‌୍‌ଙ୍କ ସ˚ସ୍ପର୍ଶରେ ଆସିଲେ, ଯେଉଁମାନେ କୃଷ୍ଣକାୟଙ୍କ ଉପରେ ଥିବା କେତେକ ପ୍ରତିବନ୍ଧ ହଟାଇବା ପାଇଁ ସୁପ୍ରିମ୍‌ କୋର୍ଟ‌୍‌ରେ ଆବଦେନ କରିବା ନିମନ୍ତେ ସେତେବେଳେ ଏକ ଆବେଦନ ପତ୍ର ପ୍ରସ୍ତୁତ କରୁଥିଲେ। ଅଧ୍ୟୟନରେ ବିଶେଷ ଧ୍ୟାନ ଦେଉଥିବା ପଉଲି ସେମାନଙ୍କ ଦୃଷ୍ଟିକୁ ମଧ୍ୟ ଆସିଥିଲେ। ସେଠାରୁ ଉତ୍ତୀର୍ଣ୍ଣ ହେବା ପରେ ଆଉ ଏକ ଡିଗ୍ରି ପାଇଁ ହାର୍ଭାର୍ଡ‌୍‌ ଲ ସ୍କୁଲ୍‌ରେ ସେ ଆବେଦନ କଲେ। ହାର୍ଭାର୍ଡ‌୍‌ ପୂର୍ବରୁ ହାଵାର୍ଡ‌୍‌ର କିଛି ପ୍ରାକ୍ତନ ଛାତ୍ରଙ୍କୁ ଗ୍ରହଣ କରିଥିଲା। ତେବେ, ଉଲ୍ଲେଖନୀୟ ଯୋଗ୍ୟତା ଥିବା ସତ୍ତ୍ବେ ପଉଲିଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଦିଆଗଲା।

ଅବିଚଳିତ ପଉଲି ନିଉୟର୍କ‌୍‌ ଆସି ବର୍ଣ୍ଣ-ଶ୍ରେଣୀ-ଲିଙ୍ଗଗତ ସମସ୍ତ ପ୍ରତିବନ୍ଧ ବିରୋଧରେ ଯାଇ ଆଇନ ବ୍ୟବସାୟ ଆରମ୍ଭ କଲେ। ତାଙ୍କୁ ସଫଳତା ମଧ୍ୟ ଶୀଘ୍ର ମିଳିଲା। ସେ ମହାତ୍ମା ଗାନ୍ଧୀଙ୍କର ଜଣେ ବଡ଼ ପ୍ରଶ˚ସିକା ଥିଲେ। ଏସିଆ ଓ ଆଫ୍ରିକାର ଉପନିବେଶବାଦ-ବିରୋଧୀ ଆନ୍ଦୋଳନ ଦ୍ବାରା ଅନୁପ୍ରାଣିତ ହୋଇ ସେ ଘାନା ଗଲେ। ସେତେବେଳେ ଘାନା ସଦ୍ୟ ସ୍ବାଧୀନତା ଲାଭ କରିଥାଏ। ସେ ଏକ ଆଇନ ଶିକ୍ଷାନୁଷ୍ଠାନରେ ଶିକ୍ଷା ଦାନ ଆରମ୍ଭ କଲେ। ନିଜର ଆଦର୍ଶ ଓ ଜ୍ଞାନ ଘାନାର ଯୁବା ଛାତ୍ର-ଛାତ୍ରୀଙ୍କୁ ବାଣ୍ଟିଲେ। କିଛି କାଳ ପରେ ସ୍ବଦେଶକୁ ବାହୁଡ଼ି ଡକ୍‌ଟରେଟ୍‌ କରିବା ପାଇଁ ୟେଲ୍‌ ବିଶ୍ବବିଦ୍ୟାଳୟକୁ ବାଛିଲେ। ସେ ସଫଳତାର ସହ ଡକ୍‌ଟରେଟ୍‌ ହାସଲ ମଧ୍ୟ କଲେ। ତାହା ପରେ ଆଉ ଏକ ଉଲ୍ଲେଖନୀୟ ସଫଳତା। ପ୍ରଥମ ଆଫ୍ରିକାନ୍‌-ଆମେରିକାନ୍‌ ମହିଳା ଭାବେ ସେ ଏପିସ୍କୋପାଲ୍‌ ଗୀର୍ଜା ବ୍ୟବସ୍ଥାର ଧର୍ମଯାଜିକା ନିଯୁକ୍ତ ହେଲେ।

ଏକ ବିସ୍ମୟକର ଜୀବନର କାହାଣୀ, ଅତି ସୁନ୍ଦର ଭାବେ ପଉଲିଙ୍କ ଦ୍ବାରା ବର୍ଣ୍ଣିତ। ମୁଁ ଅନେକ ଆତ୍ମଚରିତ ଓ ସ୍ମୃତିକଥା ପଢ଼ିଛି। ଏସବୁରେ ମୋ’ର ସ୍ବତନ୍ତ୍ର ରୁଚି ଅଛି। ମୁଁ ପଢ଼ିଥିବା ସର୍ବଶ୍ରେଷ୍ଠ ତିନି-ଚାରିଟି ଆତ୍ମଚରିତ ମଧ୍ୟରେ ଏଇଟି ଅନ୍ୟତମ। ପଉଲି ସ୍ନେହ-ଶ୍ରଦ୍ଧା ଓ ଭାବପ୍ରବଣତାର ସହ ଏହା ଲେଖିଛନ୍ତି। ତାଙ୍କ ବନ୍ଧୁ, ଶିକ୍ଷକ, ସାଥୀ ସମସ୍ତେ ଆଶ୍ଚର୍ଯ୍ୟଜନକ ଭାବେ ସରଳ ଓ ସ୍ପଷ୍ଟ। ବର୍ଣ୍ଣ-ବୈଷମ୍ୟ ଓ ଲିଙ୍ଗ-ବୈଷମ୍ୟର ଭୟାବହତା ତାଙ୍କ ଦ୍ବାରା ନିର୍ଭୟ ଭାବେ ବର୍ଣ୍ଣିତ। ଏହାର ସେ ନିନ୍ଦା କରିଛନ୍ତି; କିନ୍ତୁ, ତହିଁରେ କ୍ରୋଧ ନାହିଁ।

ପଉଲି ମରେଙ୍କ ଆତ୍ମଚରିତ ପଢ଼ି ସାରିବାର ଠିକ୍‌ ପରେ ପରେ ମୁଁ ଆମ ଦେଶର ପ୍ରଥମ ପିଢ଼ିର ମହିଳା ବିଜ୍ଞାନୀ ଇ.କେ. ଜାନକୀ ଅମ୍ମାଲଙ୍କ ଏକ ଜୀବନୀର ପାଣ୍ତୁଲିପି ପଢ଼ିବା ଆରମ୍ଭ କଲି। ଲେଖିକା ହେଉଛନ୍ତି ବିଜ୍ଞାନ ବିଷୟର ଐତିହାସିକା ସାବିତ୍ରୀ ପ୍ରୀତ ନାୟାର। ତାଙ୍କ ପାଣ୍ତୁଲିପି ଆସନ୍ତା ବର୍ଷର ଆଦ୍ୟ ଭାଗରେ ପ୍ରକାଶିତ ହେବା କଥା। ଜାନକୀ ଅମ୍ମାଲ, ପଉଲିଙ୍କ ଠାରୁ ସାମାନ୍ୟ ଅଧିକ ଭାଗ୍ୟବତୀ। ଲିଙ୍ଗ ଓ ତ୍ବଚାର ବର୍ଣ୍ଣକୁ ନେଇ ସେ ପୂର୍ବାଗ୍ରହର ସାମନା କରିଥିଲେ ହେଁ ଅପେକ୍ଷାକୃତ ସ୍ବଚ୍ଛଳ ପରିବାରର ଥିଲେ। ସେ ଜନ୍ମ ଲାଭ କରିଥିଲେ ଗୋଟିଏ ପୁରୁଷତାନ୍ତ୍ରିକ ଔପନିବେଶିକ ଭାରତରେ। ବହୁ ସାମାଜିକ ପ୍ରତିବନ୍ଧର ସାମନା କରିଥିଲେ। ତେବେ, ସାହସ ଓ ସ˚କଳ୍ପ ସହିତ ସେ ସବୁର ମୁକାବିଲା କରି ଶେଷରେ ସେ ବିଜୟୀ ହୋଇଥିଲେ।

୧୮୯୭ରେ ମାଲାବାରରେ ସେ ଜନ୍ମ ହୋଇଥିଲେ। ପଢ଼ିଥିଲେ ମାଡ୍ରାସରେ। ପଢ଼ିବା ପାଇଁ ବାଛିଥିଲେ ବିଜ୍ଞାନକୁ, ଯାହା ସେତେବେଳେ ଯେକୌଣସି ଭାରତୀୟ ମହିଳାଙ୍କ ନିମନ୍ତେ ଅସାଧାରଣ ଥିଲା। ସ୍ନାତକ ଉତ୍ତୀର୍ଣ୍ଣ ହେବା ପରେ ଏକ ସ୍ଥାନୀୟ ମହାବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନ ପଢ଼ାଉଥିଲେ। ତାହା ପରେ ଆନ୍‌ ଆର୍ବର‌୍‌ସ୍ଥିତ ୟୁନିଭର୍ସିଟି ଅଫ୍‌ ମିଚିଗାନ୍‌ରେ ପଢ଼ିବା ପାଇଁ ଛାତ୍ରବୃତ୍ତି ଲାଭକରିଥିଲେ। ୧୯୨୪ରେ ଏହି ପତଳୀ ମଲୟାଲୀ ମହିଳା, ଶାଢ଼ି ପରିଧାନ କରି, ଏକ ଜଳଜାହାଜରେ, ପୂର୍ବରୁ କେବେ ଦେଖି ନ ଥିବା ଅଞ୍ଚଳକୁ ବାହାରିଲେ। ଏକା ସଙ୍ଗେ ଆନ୍‌ ଆର୍ବର‌୍‌ରେ ସ୍ନାତକୋତ୍ତର ଏବ˚ ପିଏଚ୍‌ଡି କରିବାର ଥିଲା। ସେ ନିଜ ଉଦ୍ୟମରେ ସଫଳ ହୋଇଥିଲେ। ସେ ବିଜ୍ଞାନରେ ଡକ୍‌ଟରେଟ୍‌ କରିଥିବା ଆମ ଦେଶର ପ୍ରଥମ ମହିଳା ଏବ˚ ଏକ ମାର୍କିନ୍‌ ବିଶ୍ବବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନରେ ପିଏଚ୍‌ଡି ଲାଭକରିଥିବା ପ୍ରଥମ ଭାରତୀୟ ମହିଳା।

ଜାନକୀ ଅମ୍ମାଲଙ୍କ ଅଧିକା˚ଶ ଆଦ୍ୟ ଗବେଷଣା ଘାସ ଉପରେ ହୋଇଥିଲା। ପିଏଚ୍‌ଡି ପରେ ସେ ଇ˚ଲଣ୍ତ୍‌ ଆସିଥିଲେ। ସେଠାକାର ସରେସ୍ଥିତ ଜନ୍‌ସ ଇନେଜ୍ ହର୍ଟିକଲ୍‌ଚରାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ଯୋଗ ଦେଇଥିଲେ। ସେଠାରେ ମହାନ ଜୀବବିଜ୍ଞାନୀ ସାଇରିଲ୍‌ ଡାର୍ଲି˚ଟନ୍‌ଙ୍କ ସହ କାମ କରିଥିଲେ। ପ୍ରସିଦ୍ଧ ବ୍ରିଟିସ୍‌ ବିଜ୍ଞାନୀ ଜଣକ, ତାଙ୍କର ଯୁବ ସହକର୍ମୀଙ୍କ ପ୍ରତିଭାର ପରିଚୟ ପାଇ ବେଶ୍‌ ପ୍ରଭାବିତ ହୋଇଥିଲେ। ‘ଏ କ୍ରୋମୋଜୋମ୍‌ ଆଟ୍‌ଲାସ୍‌ ଅଫ୍‌ କଲ୍‌ଟିଭେଟେଡ୍‌ ପ୍ଲାଣ୍ଟ୍‌ସ’ର ରଚନା କାର୍ଯ୍ୟରେ ତାଙ୍କୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ। ଉକ୍ତ ଗବେଷଣାତ୍ମକ ଗ୍ରନ୍ଥ ୧୯୪୫ରେ ପ୍ରକାଶ ପାଇବା ସହ ସେହି କ୍ଷେତ୍ରକୁ ଏକ ନବ-ରୂପ ଦେଇଥିଲା।

ଜାନକୀ ଅମ୍ମାଲ ନିଜ ବିଦେଶ ରହଣି କାଳରେ ଜନ୍‌ ଇନେଜ୍‌ ସେଣ୍ଟର‌୍‌ରେ ନିଜର ଗବେଷଣା ଉପଭୋଗ କରୁଥିଲେ। ଇ˚ଲଣ୍ତ୍‌ରେ ଅନେକ ଅନ୍ତରଙ୍ଗ ବନ୍ଧୁ ଓ ବାନ୍ଧବୀ ପାଇଥିଲେ। ତେବେ, ଭାରତ ସ୍ବାଧୀନତା ପାଇବା ପରେ ନିଜ ମାତୃଭୂମିର ସେବା ପାଇଁ ଫେରିଆସିଥିଲେ। ଲଣ୍ତନ୍‌ରେ ଜଵାହରଲାଲ ନେହରୁଙ୍କୁ ଭେଟିବା ପରେ ସେ ଭାରତ ଫେରିଆସିବା ପାଇଁ ଅନୁପ୍ରାଣିତ ହୋଇଥିଲେ। ଭାରତର ବିଜ୍ଞାନକୁ ତାଙ୍କର ଅବଦାନ ଉଲ୍ଲେଖନୀୟ। ଭାରତର ଉଦ୍ଭିଦ ବିଜ୍ଞାନ ସମ୍ବନ୍ଧୀୟ ସର୍ବେକ୍ଷଣକୁ ସେ ନବ-ରୂପ ଦେଇଥିଲେ। ଯୁବତୀମାନଙ୍କୁ ଗବେଷଣା କ୍ଷେତ୍ରକୁ ଆସିବା ପାଇଁ ଉତ୍ସାହିତ କରିଥିଲେ। ପ୍ରଶାସନିକ ଓ ତଦାରଖ କାର୍ଯ୍ୟ ସହ ସେ ବ୍ୟକ୍ତିଗତ ଭାବେ ସର୍ବଦା ସକ୍ରିୟ ଗବେଷଣା ଜାରି ରଖିଥିଲେ। ନିଜର ଗବେଷଣା ଫଳାଫଳ ବିଭିନ୍ନ ପ୍ରସିଦ୍ଧ ଜର୍ନାଲ୍‌ରେ ପ୍ରକାଶ କରୁଥିଲେ। ଭାରତରେ ସେ ‘ଏଥ୍‌ନୋ-ବଟାନି’ର ମୂଳଦୁଆ ପକାଇଥିଲେ। ଜ୍ଞାନଲାଭ ପାଇଁ ତାଙ୍କର ତୃଷ୍ଣା କେବେ ବି ମେଣ୍ଟୁ ନ ଥିଲା। ସତୁରି ବର୍ଷ ବୟସରେ ଶାଢ଼ି ଓ ବୁଟ୍‌ ପିନ୍ଧି ସେ ତିବ୍ବତର ଉଦ୍ଭିଦ ଉପରେ କ୍ଷେତ୍ରୀୟ ଗବେଷଣା କରିଥିଲେ। ଅନେକ ସମୟରେ ସହକର୍ମୀମାନଙ୍କ ବିଭିନ୍ନ ପ୍ରକାରର ପୂର୍ବାଗ୍ରହର ଶିକାର ମଧ୍ୟ ହୋଇଥିଲେ। ଅମଲାତନ୍ତ୍ର ଓ ରାଜନୈତିକ ଶ୍ରେଣୀ ଆଡ଼ୁ ମଧ୍ୟ ଚୋଟ ଖାଇଥିଲେ। ତାଙ୍କୁ ଜାଣିଶୁଣି ଅଣଦେଖା କରାଯାଇଥିଲା। ତା’ଠାରୁ ଉଲ୍ଲେଖନୀୟ ଭାବେ ନିକୃଷ୍ଟ ପୁରୁଷ ବିଜ୍ଞାନୀଙ୍କୁ ପୁରସ୍କାର ଓ ପଦୋନ୍ନତି ମିଳିଥିଲା, ଯାହା ତାଙ୍କୁ ମିଳି ନ ଥିଲା।

ଜାନକୀ ଅମ୍ମାଲ ଏକ ଦୃଷ୍ଟାନ୍ତମୂଳକ ଜୀବନ ବଞ୍ଚିଥିଲେ। ପ୍ରୀତ ନାୟାରଙ୍କ ଭଳି ଜଣେ ଜୀବନୀ ଲେଖିକା ପାଇ ସେ ମଧ୍ୟ ଭାଗ୍ୟବତୀ। ଜାନକୀଙ୍କ ଭଳି ପ୍ରୀତ ମଧ୍ୟ ଶକ୍ତିମତୀ ଓ ଅଗ୍ରଣୀ। ଜାନକୀଙ୍କ ବାବଦରେ ଅଧିକ ଜାଣିବା ପାଇଁ ସେ ଯୁକ୍ତରାଷ୍ଟ୍ର ଆମେରିକା, ଇ˚ଲଣ୍ତ୍‌ ଓ ଭାରତରେ ଥିବା ବିଭିନ୍ନ ଅଭିଲେଖାଗାରରେ ତାଙ୍କର ପଦ-ଚିହ୍ନ ଖୋଜିଥିଲେ। ତାଙ୍କର ସ˚ପ୍ରସାରିତ ପରିବାର ଅର୍ଥାତ୍‌ ଅନ୍ତରଙ୍ଗ ବିଜ୍ଞାନୀ ବନ୍ଧୁମାନଙ୍କଠାରୁ ତାଙ୍କ ବାବଦରେ ଖବର ସ˚ଗ୍ରହ କରିଥିଲେ। ଜାନକୀଙ୍କ ବୈଜ୍ଞାନିକ ଗବେଷଣା ଓ କୃତିତ୍ବ ପ୍ରୀତଙ୍କ ପାଣ୍ତୁଲିପିରେ ବିଶେଷ ଭାବେ ବର୍ଣ୍ଣିତ। ଏହାର ଭାଷା ସରଳ-ସାବଲୀଳ; ସମସ୍ତେ ବୁଝିପାରିବା ଭଳି। ପ୍ରକାଶ ପାଇବା ପରେ ଏ ପର୍ଯ୍ୟନ୍ତ ଭାରତୀୟ ବିଜ୍ଞାନୀଙ୍କ ଉପରେ ଲିଖିତ ଜୀବନୀ ମଧ୍ୟରେ ଏହା ସର୍ବଶ୍ରେଷ୍ଠ ବିବେଚିତ ହେବ। ଗବେେଷଣାତ୍ମକ କର୍ତ୍ତୃତ୍ବ ଏବ˚ ସମ୍ବେଦନାଶୀଳତା ସହ ଏହାକୁ ପ୍ରସ୍ତୁତ କରାଯାଇଛି। ଏହା ସି.ଭି ରମଣ, ହୋମି ଭାବା ଓ ମେଘନାଦ ଶାହ ଆଦିଙ୍କ ଭଳି ତାରକା ସ୍ତରୀୟ ବିଜ୍ଞାନୀଙ୍କ ଉପରେ ଲେଖାଯାଇଥିବା ଜୀବନୀଗୁଡ଼ିକୁ ପଛରେ ପକାଇଦେବ।

ଏହି ଦୁଇଟି ପୁସ୍ତକ ପଢ଼ିବାର ସୁଯୋଗ ପାଇ ମୁଁ ଚମତ୍କୃତ। ପଢ଼ିବା ବେଳେ ମୋର ନିଜର ଲିଖନ ଜନିତ ଦୁର୍ବଳତା ବାବଦରେ କ୍ରମାଗତ ସଚେତନ ହେଉଥିଲି। ପଉଲି ମରେ ବା ଜାନକୀ ଅମ୍ମାଲଙ୍କ ପରି ମୋ ଭଳି ଜଣେ ପୁରୁଷ ଲେଖକ ନିଜ ଜୀବନରେ କେବେ ହେଲେ ପକ୍ଷପାତିତାର ଶିକାର ହୋଇନାହିଁ। ସେମାନେ ଥରେ ବା ଦୁଇ ଥର ନୁହେଁ, ଆଜୀବନ ପକ୍ଷପାତିତାର ଶିକାର ହୋଇଥିଲେ। ତେବେ, ସ˚କଳ୍ପ ଓ ସମ୍ମାନର ସହ ସମସ୍ତ ପକ୍ଷପାତିତା ଓ ପ୍ରତିବନ୍ଧ ଅତିକ୍ରମ କରିଥିଲେ। ସମାଜ ଓ ଜ୍ଞାନର କ୍ଷେତ୍ରକୁ ସେମାନଙ୍କ ଅବଦାନ ମହତ୍ତ୍ବପୂର୍ଣ୍ଣ। ‘କୋଭିଡ୍‌-୧୯’ କାଳରେ ସେମାନଙ୍କ କାହାଣୀ ପଠନ ମୋ ପାଇଁ ବେଶ୍‌ ଉତ୍ସାହଜନକ ଥିଲା। ପଉଲି ମରେ ଓ ଜାନକୀ ଅମ୍ମାଲ ଏକଦା ଯେଉଁ ଅପୂର୍ବ ସାହସିକତାର ପରିଚୟ ଦେଇ, କ୍ରମାଗତ ଆଗକୁ ବଢ଼ିଥିଲେ, ତାହାର କାଣିଚାଏ ଯଦି ସୁଦ୍ଧା ଏବର ମାନବ ଜାତି ଦେଖାଇପାରିବ, ଆମ ପାଇଁ ତଥାପି ଆଶା ଓ ବିଶ୍ବାସ ବଞ୍ଚି ରହିଥିବ ବୋଲି ମୁଁ ଗ୍ରହଣ କରିବି।

ସମ୍ବନ୍ଧିତ ଖବର