ମୁଁ ସମୟ କହୁଛି

ସରସ ରସ

ବେଳେ ବେଳେ ପୁରୁଣା ଆଲବମ ଖୋଲିଦେଲେ ଫଟୋଟିଏ ପାଖରେ ଆଖି ଅଟକିଯାଏ। ଅତୀତ ଜୀବନର ଏକ ବଣଭୋଜିର ଦୃଶ୍ୟ। ଆପଣ ଦୁହେଁ ଏକ ପଥର ଉପରେ ବସି ଗପୁଛନ୍ତି, ପିଲାମାନେ ଆପଣଙ୍କର ଅଦୂରରେ ଖେଳୁଛନ୍ତି ଓ ଚୁଲିରେ ରୋଷେଇ ବସିଛି। ଦୀର୍ଘଶ୍ବାସ ପକାଇ ଆପଣ ଫଟୋଟି ଉପରେ ହାତ ବୁଲାଇ ଆଣନ୍ତି। “ଓଃ, କେଡ଼େ ଶୀଘ୍ର ସମୟଟା ଚାଲିଗଲା”! ଏବେ ପିଲାମାନେ ବିଦେଶରେ। କାନ୍ଥରେ ଫୁଲମାଳ ମଝିରେ ଝୁଲୁଥିବା ଫଟୋ ଅନେକ କିଛି ବିତିଲା ଦିନର ସ୍ମୃତିକୁ ତାଜା କରିଦିଏ। ସେ ସମୟ ଆଉ ନାହିଁ। ଇଚ୍ଛା ହୁଏ ସମୟଟା ସେଇଠି ଅଟକି ଯାଇଥାନ୍ତା କି! କିନ୍ତୁ ସମୟ ନା’ ଅଟକିପାରିବ ନା’ ଏହାର ଗତି ମନ୍ଥର ହୋଇପାରିବ। ଏବେ ଇଂରେଜୀ ସିନେମାଟିଏ ଆସିଥିଲା, ‘ଡକ୍ଟର ଷ୍ଟ୍ରେଞ୍ଜ’। ସିନେମାରେ ମୁଖ୍ୟ ଚରିତ୍ର ଜଣକ ଘଟଣାକ୍ରମେ ‘ଡାର୍କ ଡାଇମେ୍‌ନସନ୍’ ନାମକ ଅନ୍ୟ ଏକ ଜଗତ୍‌କୁ ଚାଲିଯାଇଛନ୍ତି, ଯେଉଁଠି ସମୟ ଆଗକୁ ନବଢ଼ି ସ୍ଥିର ହୋଇଯାଇଛି, ଫଳରେ ସେଠାରେ ମୃତ୍ୟୁ ନାହିଁ। ଇଏ ତ ସିନେମାର କଳ୍ପନା। ପ୍ରକୃତରେ କ’ଣ ସମୟକୁ ଅଟକାଇ ହେବ? ଏହା ଅସମ୍ଭବ। ଜଗତ୍‌ ସମୟ ବିନା ତିଷ୍ଠି ରହିବା କଷ୍ଟକର। ଆମର କାର୍ଯ୍ୟ, ଜୀବନର ଗତି; ସବୁ କିଛିର ସମୟ ହେଉଛି ସଂକେତ ସାରଣୀ। ସମୟର ସଂକଳନା ନଥିଲେ ଜୀବନର ରୂପରେଖ କ’ଣ ହୋଇଥାନ୍ତା, ଜାଣିବା କଷ୍ଟକର।

ଏ ସମୟଟି କ’ଣ? ପାଶ୍ଚାତ୍ୟ ଦାର୍ଶନିକମାନଙ୍କ ମଧ୍ୟରୁ ସର୍ବ ପ୍ରଥମେ ସମୟ ସଂପର୍କରେ ଚିନ୍ତନ ଆରମ୍ଭ କରିଥିଲେ ଦାର୍ଶନିକ ଆଣ୍ଟିଫୋନ ଓ ପାରମେନିଣ୍ଡିସ୍। ତାଙ୍କ ମତରେ ସମୟ ବାସ୍ତବ ନୁହେଁ, ଏକ ଅବବୋଧ। ଏକ ପ୍ରହେଳିକା। ଦାର୍ଶନିକ ହେରକ୍ଳାଇଟସ୍ ଏହା ପରେ ମତ ଦେଲେ ଯେ, ସମୟର ପ୍ଳାବନ ସତ୍ୟ ଓ ବାସ୍ତବ। ଏମାନଙ୍କ ପରେ ଆରିଷ୍ଟୋଟଲ ସମୟକୁ ଗତିଶୀଳତାର ହିସାବ ଫର୍ଦ୍ଦ କହି ଏହାର ବ୍ୟାଖ୍ୟା କଲେ। କିନ୍ତୁ ଆମେ ଭାରତୀୟମାନେ ବହୁ ପ୍ରାଚୀନ କାଳରୁ ସମୟର ପ୍ରକୃତ ରୂପ ଜାଣି ଯାଇଥିଲେ। ପାଶ୍ଚାତ୍ୟ ଚିନ୍ତକମାନେ ସମୟ ଏକ ସରଳରେଖାରେ ଗତି କରୁଥିବା ଏବଂ ଏହାର ପ୍ରାରମ୍ଭ ଓ ଅନ୍ତିମ ବିନ୍ଦୁ ଥିବା ବିଶ୍ୱାସ କଲା ବେଳେ ଭାରତୀୟମାନେ ପ୍ରାୟ ସାତ ହଜାର ବର୍ଷ ପୂର୍ବରୁ ସମୟ ଅନନ୍ତ ଓ ଏହା ଚକ୍ରାକାର ପଥରେ ଗତି କରିବା କଥା ଜାଣିଥିଲେ। ଏହା ହେଉଛି ‘କାଳଚକ୍ର’। ରାବଣର ଶ୍ବଶୁର ମୟ ଦାନବ ପ୍ରଥମେ ସମୟକୁ ବ୍ୟାଖ୍ୟା କରି ରଚନା କରିଥିଲେ ‘ସୂର୍ଯ୍ୟ ସିଦ୍ଧାନ୍ତ’। ପରଂବ୍ରହ୍ମ ଯଦି ଏକ ଚୁମ୍ବକ ହୁଅନ୍ତି ସମୟ ତାଙ୍କର ଚୁମ୍ବକୀୟ କ୍ଷେତ୍ର। ଏହାରି ମଧ୍ୟରେ ସୃଷ୍ଟି, ସ୍ଥିତି ଓ ବିଲୟର ସମାହାର। ପରଂବ୍ରହ୍ମଙ୍କ ଇଚ୍ଛାରେ କାଳ ଚକ୍ର ଘୂରୁଥାଏ। ପଙ୍ଖା ଯେପରି ଏକ ସ୍ଥାନରେ ରହି ବାୟୁ ବିଚ୍ଛୁରିତ କରେ, ପରଂବ୍ରହ୍ମ ଏକ ସ୍ଥାନରେ ରହି ସେହିପରି ଜନ୍ମ, ଜୀବନ ଓ ମୃତ୍ୟୁର କାଳ ଚକ୍ରକୁ ଘୂରାଉଥାନ୍ତି। ଏହି ମାୟା ଚକ୍ର ହେଉଛି ସୃଷ୍ଟିର ଚେହେରା। ଚେତନା ଜାଗ୍ରତ ଥିବା ପର୍ଯ୍ୟନ୍ତ ସମୟ ରହିଥାଏ। ଚୈତନ୍ୟ ଅବଲୁପ୍ତ ହେଲେ ତା’ପାଇଁ ସମୟ ମଧ୍ୟ ସ୍ଥିର ହୋଇଯାଏ। “ଜନାନାଂ ଜନକଃ କାଳୋ, ଜଗତାଂ ଆଶ୍ରୟେ ମତଃ।’’ ସମୟ ହେଉଛି ସୃଷ୍ଟିର ଆଦି ପୁରୁଷ। ଏହି ମୂଳାଧାର ଉପରେ ଜଗତ୍‌ ତିଷ୍ଠି ରହିଛି। ଶ୍ରୀକୃଷ୍ଣ କହିଛନ୍ତି, ମୁଁ ହିଁ ସମୟ। “କାଳଃ କଳୟତାମହଂ”।

ବୈଜ୍ଞାନିକ ଦୃଷ୍ଟିକୋଣରୁ ସମୟ ତିନି ପ୍ରକାର। ଭୌତିକ, ଜୈବିକ ଓ ମନସ୍ତାତ୍ତ୍ବିକ। ଭୌତିକ ସମୟ ହେଲା ଘଣ୍ଟାର ଟିକ୍ ଟିକ୍, ଜୈବିକ ସମୟ ହେଉଛି ହୃଦ୍ ସ୍ପନ୍ଦନ, ନାଡ଼ୀର ଗତି, ଋତୁଚକ୍ର ଓ ଆମ ନିଃଶ୍ବାସ ପ୍ରଶ୍ବାସ। ଏ ସବୁ ଅପରିବର୍ତ୍ତନୀୟ। ଯାହା ଆମ ହାତରେ ଅଛି ତାହା ହେଉଛି ଆମର ମନସ୍ତାତ୍ତ୍ବିକ ସମୟ। ଆମର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ; ଯେଉଁଥିରେ ଚାହିଁଲେ ଆମେ କିଛି ପରିବର୍ତ୍ତନ ଆଣିପାରିବା। ଲୋକେ କୁହନ୍ତି, ସମୟ କୁଆଡ଼େ ଚାଲିଯାଉଛି ଜଣାପଡୁନି। ସମୟ କାହାରିକୁ ଅଣ୍ଟୁନି। ସମୟ ନ ଅଣ୍ଟିବା ମନର ଏକ ଭାବନା।

ଲସି ଗ୍ଲାସ୍‌ଟେ ପିଇଲେ ଦଶ ମିନିଟ୍‌ ସମୟ ଗୋଟିଏ ମିନିଟ୍‌ ପରି ଲାଗେ କିନ୍ତୁ ସେଇ ଦଶ ମିନିଟ୍‌ ଟ୍ରେନ୍‌କୁ ଅପେକ୍ଷା କଲେ ଘଣ୍ଟାଏ ପରି ଲାଗେ। ଆମ ସମୟ ସାରଣୀରେ ଟିକିଏ ନୂତନତ୍ବ, ସମୟର ଅର୍ଥପୂର୍ଣ୍ଣ ବିନିଯୋଗ ଓ ଉଦ୍‌ବିଗ୍ନତା ରହିତ ଜୀବନ ଜିଇବା ଅଭ୍ୟାସ କଲେ ସମୟର ଗତି ଧୀର ହେବା ପରି ଲାଗିବ।

ସମୟ ହେଉଛି ଶ୍ରେଷ୍ଠ ବିଚାରପତି ମଧ୍ୟ। ସମୟ ହିଁ ଆମର କୃତ କର୍ମର ହିସାବ କରେ। ସମୟ ମଧ୍ୟ ଆମର ପରୀକ୍ଷା ନିଏ। ବିନା ମୂଲ୍ୟରେ ମିଳିଲେ ମଧ୍ୟ ସମୟ ବଡ଼ ମୂଲ୍ୟବାନ। ଏହାରି ଉପରେ ସନାତନତ୍ବ ନିର୍ଭର କରେ। କ୍ଷଣସ୍ଥାୟୀ ସମୟ ଆମ ହାତରେ କେତେ ବାକି ଅଛି ଆମେ ଜାଣୁନା। ଥରେ ହଜି ଗଲେ ଏହା ଆଉ ମିଳେନାହିଁ।

ଜୀବନର ପ୍ରତିଟି ମୁହୂର୍ତ୍ତ ଏକ ଏକ ସ୍ଥିରଚିତ୍ର। ସିନେମାରେ ଯେପରି ରିଲ୍ ଘୂରିଲେ ସ୍ଥିରଚିତ୍ର ଗୁଡ଼ିକ ଗତିଶୀଳ ମନେହୁଅନ୍ତି, ଜୀବନର ସ୍ଥିରଚିତ୍ର ଗୁଡ଼ିକ ସମୟର ଗତି ସହିତ ଆମକୁ ଗତିଶୀଳ ହେବା ପରି ଲାଗେ। ଆଲବମର ସେଇ ଚିତ୍ରଟି ଜୀବନର ଏକ ସ୍ଥିରଚିତ୍ର ମାତ୍ର। ଜୀବନ ଯାତ୍ରା ପାଇଁ ସମୟ ଖୁବ୍ ମୂଲ୍ୟବାନ, ସମୟ ପାଇଁ ଜୀବନ ନୁହେଁ। ତେଣୁ ଜୀବନର ସ୍ବଳ୍ପତା ମଧ୍ୟରେ ସମୟକୁ ଖର୍ଚ୍ଚ କରିଦେବା ବଦଳରେ ସଦ୍ ବିନିଯୋଗ କରିବା ଆବଶ୍ୟକ। ଜୀବନ ଆମକୁ ସମୟର ସଦ୍ ବ୍ୟବହାର ଶିଖାଏ ଓ ସମୟ ଜୀବନର ମୂଲ୍ୟବୋଧ ବୁଝାଏ। ମନୁଷ୍ୟର ସବୁଠାରୁ ବଡ଼ ଭୁଲ୍‌ କ’ଣ; ପ୍ରଶ୍ନର ଉତ୍ତରରେ ବୁଦ୍ଧଦେବ କହିଥିଲେ, “ମନୁଷ୍ୟ ଭାବିଥାଏ ଯେ, ତା’ ପାଖରେ ସମୟର ଅଭାବ ନାହିଁ”।

ସମୟ ସହିତ ଗୁନ୍ଥା ନିଜ ଜୀବନର ଚିତ୍ରାବଳୀଗୁଡ଼ିକୁ ଜଣେ ଚାହିଁଲେ ବଦଳାଇ ପାରିବ। ସେଥିପାଇଁ ଏକ ଚିର ସବୁଜ ମନ ଦରକାର। କବିତାଟିଏ ଅଛି, “ୱକ୍ତ୍ ସବକୋ ମିଲତା ହୈ ଜୀନ୍ଦେଗୀ ବଦଲନେକେ ଲିୟେ, ପର୍ ଜୀନ୍ଦେଗୀ ଦୋବାରା ନେହିଁ ମିଲତି ୱକ୍ତ୍ ବଦଲନେକେଲିୟେ”।

ଏବେ ବିତିଯାଇଥିବା ସମୟ ସେଇ ଆଲବମ ଭିତରେ ଥାଉ, କାନ୍ଥରେ ସ୍ମୃତିହୋଇ ଝୁଲୁଥାଉ। ମନେରଖନ୍ତୁ ସ୍ମୃତିର କ୍ଷତକୁ ସମୟ ଶୁଖାଏ ନାହିଁ, ପରନ୍ତୁ ଆମର ମନ ସମୟର ଚାଦରକୁ କ୍ଷତ ଉପରେ ଢାଙ୍କି ଦେଇଥାଏ। ବ୍ୟଥା ସିନା କମିଯାଏ, କ୍ଷତ ସେଇମିତି ତାଜା ରହିଥାଏ। ଚାଲିଯାଇଥିବା ସମୟକୁ ଖୋଜିବା ନିରର୍ଥକ। ଏଥର ଆଲବମ ବନ୍ଦ କରି ଉଠନ୍ତୁ। ଆମେ ଆମର ମିନିଟ୍‌ ଗୁଡ଼ିକର କଥା ବୁଝିବା, ଘଣ୍ଟା ତା’ କଥା ନିଜେ ବୁଝୁଥାଉ।

ମୋ: ୯୩୩୭୬୪୮୬୩୮

ସମ୍ବନ୍ଧିତ ଖବର