ଅମର ‘ଏକୁଶେ ଫେବ୍ରୁଆରି’

ଅଜିତ ମହାନ୍ତି

‘ଆମାର ଭାଇୟେର ରକ୍ତେ ରଙ୍ଗାନେ ଏକୁଶେ ଫେବ୍ରୁଆରି…’ ଏଇ ସମବେତ ଗାନର କୋଳାହଳରେ ନିଦ ଭାଙ୍ଗିଗଲା; ଭୋର ପାଞ୍ଚଟା ମଧୢ ବାଜି ନ ଥାଏ। ବାଲ୍‌କୋନିକୁ ଯାଇ ତଳେ ଛୋଟ ଗଳି ରାସ୍ତାକୁ ଚାହିଁଲି। ଦଳଦଳ ହୋଇ ଆବାଳ ବୃଦ୍ଧ ବନିତାଙ୍କର ସ୍ରୋତ ମାଡ଼ି ଚାଲିଥିଲା। ସମସ୍ତଙ୍କ ହାତରେ କିଛି ନା କିଛି ଫୁଲ ଓ ମୁହଁରେ ଏଇ ଗୀତ ଯାହା ବା˚ଲାଦେଶର ଭାଷା-ଜାତୀୟତାର ପ୍ରତୀକ, ଅମର ଏକୁଶେର ସ˚ଗୀତ। ବା˚ଲାଦେଶ ପୃଥିବୀର ପ୍ରଥମ ରାଷ୍ଟ୍ର ଯାହାର ସୃଷ୍ଟି ଭାଷା ଆନ୍ଦୋଳନ ଓ ଭାଷା-ଜାତୀୟତାର ଭିତ୍ତିଭୂମିରେ। ପୂର୍ବ ଓ ପଶ୍ଚିମ ପାକିସ୍ତାନ ମଧୢରେ ଭାଷାଗତ ପାର୍ଥକ୍ୟ ଓ ପୂର୍ବ ଉପରେ ପଶ୍ଚିମ ପାକିସ୍ତାନର ପ୍ରାଧାନ୍ୟ ଫଳରେ ଭାଷା-ଜାତୀୟତାର ବିଭେଦ ସୃଷ୍ଟି ହେଲା। ପଶ୍ଚିମ ପାକିସ୍ତାନୀ ଶାସକମାନେ ଇସ୍‌ଲାମ ଧର୍ମ ଓ ଉର୍ଦ୍ଦୁ ଭାଷାର ପ୍ରାଧାନ୍ୟ ପ୍ରତିଷ୍ଠା କରି ଏକ ପାକିସ୍ତାନୀ ଜାତୀୟତାରେ ଦୁଇ ଭୂଖଣ୍ତକୁ ଯୋଡ଼ିବାକୁ ପ୍ରୟାସ କଲେ, ଯାହା ବଙ୍ଗଳା ଭାଷାଭାଷୀ ପୂର୍ବ ପାକିସ୍ତାନୀମାନେ ଗ୍ରହଣ କରିପାରିଲେ ନାହିଁ। ଉର୍ଦ୍ଦୁ ଓ ପଶ୍ଚିମ ପାକିସ୍ତାନୀ ଆଧିପତ୍ୟ ପୂର୍ବ ପାକିସ୍ତାନର ବଙ୍ଗଳା ଆତ୍ମ-ସତ୍ତାକୁ ବାଧିଲା। କେବଳ ଉର୍ଦ୍ଦୁ ଭାଷାକୁ ଜାତୀୟ ଭାଷାର ମାନ୍ୟତା ବିରୋଧରେ ପୂର୍ବ ପାକିସ୍ତାନୀମାନେ ସ୍ବର ଉଠାଇଲେ। ବଙ୍ଗଳା ଭାଷାର ବ୍ୟବହାର, ଶିକ୍ଷା ଓ ପ୍ରସାର ଉପରେ ଅନେକ ପ୍ରତିବନ୍ଧ ଲାଗିଲା। ବଙ୍ଗଳା ଭାଷାକୁ ଉର୍ଦ୍ଦୁ ଲିପିରେ ଲେଖିବାର ସରକାରୀ ପ୍ରସ୍ତାବ ହେଲା; କୁହାଗଲା ଯେ ଉର୍ଦ୍ଦୁ ଲିପିରେ ଲିଖିତ ବଙ୍ଗଳାକୁ କେବଳ ଇସ୍‌ଲାମ ଧର୍ମ ଶିକ୍ଷାରେ ବ୍ୟବହାର କରାଯିବ। ଏପରିକି ରବୀନ୍ଦ୍ର-ସାହିତ୍ୟ ଚର୍ଚ୍ଚା ଉପରେ ପ୍ରତିବନ୍ଧ ଲାଗିଲା। ଏ ସବୁ ବିରୋଧରେ ପୂର୍ବ ପାକିସ୍ତାନରେ ସ୍ବର ଉଠିଲା। ୧୯୫୨, ଜାନୁଆରି ମାସରେ ଢାକା ବିଶ୍ବବିଦ୍ୟାଳୟ ପରିସରରେ ଉର୍ଦ୍ଦୁ ଭାଷାର ପ୍ରାଧାନ୍ୟ ବିରୋଧରେ ଓ ବଙ୍ଗଳା ଭାଷାର ଜାତୀୟ ସ୍ବୀକୃତି ପାଇଁ ଆନ୍ଦୋଳନର ନିଷ୍ପତ୍ତି ନିଆଗଲା ଏବ˚ ଫେବ୍ରୁଆରି ୨୧ ତାରିଖ ଦିନ ଢାକା ବିଶ୍ବବିଦ୍ୟାଳୟ, ଢାକା ମେଡିକାଲ କଲେଜ ଓ ଢାକାସ୍ଥିତ ଜଗନ୍ନାଥ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବଙ୍ଗଳା ଭାଷାର ସରକାରୀ ମାନ୍ୟତା ଦାବିରେ ବିକ୍ଷୋଭ କଲେ ଏବ˚ ଏହି ବିକ୍ଷୋଭ ଦମନ ପାଇଁ ପାକିସ୍ତାନୀ ପୁଲିସର ଗୁଳି ଚାଳନାରେ ଛଅ ଜଣ ଛାତ୍ର ସହିଦ ହେଲେ। ଏହି ଘଟଣାରୁ ଆରମ୍ଭ ହେଲା ବଙ୍ଗଳା-ଜାତୀୟବାଦୀ ସ˚ଗ୍ରାମ ଓ ସ୍ବାଧୀନ ବା˚ଲାଦେଶର ପ୍ରଥମ ପରିକଳ୍ପନା।

୧୯୫୨ ଏକୁଶେ ଫେବ୍ରୁଆରି ବା˚ଲାଦେଶ ଭାଷା-ଜାତୀୟତାର ମୁଖ୍ୟ ପ୍ରତୀକ। ଛଅ ଜଣ ସହିଦଙ୍କ ସ୍ମୃତିରେ ଛାତ୍ରମାନେ ଢାକା ବିଶ୍ବବିଦ୍ୟାଳୟ ପରିସରରେ ଅଳ୍ପ କେଇ ଦିନ ମଧୢରେ ଠିଆ କଲେ ସହିଦ ମିନାର ଯାହାର ସ୍ଥାପତ୍ୟ ଓ ବିନ୍ୟାସ ଆସ୍ତେ ଆସ୍ତେ ପରିମାର୍ଜିତ ହେଲା ଏବ˚ ୧୯୬୩ ଫେବ୍ରୁଆରି ୨୧ ଦିନ ବା˚ଲାଦେଶ ଜାତୀୟତା ସ˚ଗ୍ରାମର ମୁଖ୍ୟ ପ୍ରତୀକ ଭାବରେ ଅନ୍ୟତମ ସହିଦ ଛାତ୍ର ବର୍କତର ମାଆ ହାସିନା ବେଗମ୍‌ଙ୍କ ଦ୍ବାରା ଉନ୍ମୋଚିତ ହେଲା ସ୍ଥାୟୀ ସହିଦ ମିନାର। ୧୯୭୧ ସ୍ବାଧୀନତା ସ˚ଗ୍ରାମ ସମୟରେ ପଶ୍ଚିମ ପାକିସ୍ତାନୀ ସୈନ୍ୟବାହିନୀ ଢାକା ବିଶ୍ବବିଦ୍ୟାଳୟର ଏହି ସହିଦ ମିନାର ଧ୍ବ˚ସ କରି ସେଠାରେ ମସ୍‌ଜିଦ୍‌ର ଫଳକ ଲଗାଇ ଦେଲେ। ସ୍ବାଧୀନତା ପରେ ବା˚ଲାଦେଶ ସରକାର ଓ ନାଗରିକମାନଙ୍କ ଦ୍ବାରା ସହିଦ ମିନାର ପୁନଃ ନିର୍ମିତ ହେଲା। ଢାକା ବିଶ୍ବବିଦ୍ୟାଳୟ ପରିସର ସନ୍ନିକଟ ପ୍ରାୟ ୧୫ ଏକରର ପ୍ରାଙ୍ଗଣରେ ଏହି ସହିଦ ମିନାର‌ ଏବେ ବା˚ଲାଦେଶ ଜାତୀୟତାର ମୁଖ୍ୟ ପ୍ରତୀକ। ଭାଷା ଭିତ୍ତିକ ରାଷ୍ଟ୍ର ପରିଚୟର ସ୍ବୀକୃତିରେ ଏବ˚ ବା˚ଲାଦେଶ ସରକାରଙ୍କ ପ୍ରସ୍ତାବରେ ୟୁନେସ୍କୋ ୧୯୯୯ ନଭେମ୍ବର ୧୭ ତାରିଖ ଦିନ ଏକୁଶେ ଫେବ୍ରୁଆରିକୁ ଆନ୍ତର୍ଜାତିକ ମାତୃଭାଷା ଦିବସ ଭାବରେ ଘୋଷଣା କଲେ। ସେବେ ଠାରୁ ପୃଥିବୀ ସାରା ପାଳିତ ହୁଏ ଭାଷା ବିବିଧତା ଓ ସ˚ରକ୍ଷଣର ସ୍ବତନ୍ତ୍ର ଦିବସ, ଏକୁଶେ ଫେବ୍ରୁଆରି ଆନ୍ତର୍ଜାତିକ ମାତୃଭାଷା ଦିବସ। ଢାକା ସହରରେ ୟୁନେସ୍କୋ ଦ୍ବାରା ସ୍ବୀକୃତ ଅନୁଷ୍ଠାନ, International Mother Language Institute (IMLI)- ଭାଷା ଗବେଷଣା, ସ˚ରକ୍ଷଣ ଓ ମାତୃଭାଷାଗୁଡ଼ିକର ବିକାଶ ପାଇଁ ପ୍ରମୁଖ ଅନୁଷ୍ଠାନ ଯିଏ ପ୍ରତ୍ୟେକ ବର୍ଷ ମାତୃଭାଷା ଦିବସରୁ ଆରମ୍ଭ କରି ଏକ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରନ୍ତି। ପୃଥିବୀର ବିଭିନ୍ନ ପ୍ରାନ୍ତରୁ ଏବ˚ ବା˚ଲାଦେଶର ଭାଷାପ୍ରେମୀ ଗବେଷକ ଓ ଭାଷା କର୍ମୀମାନଙ୍କର ସମ୍ମିଳନୀ ଆରମ୍ଭ ହୁଏ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟନ ପରେ। ୨୦୧୬ ମସିହାର କାର୍ଯ୍ୟକ୍ରମରେ ଏକ ମୁଖ୍ୟ ବକ୍ତା ଭାବେ ମୁଁ ନିମନ୍ତ୍ରିତ ହୋଇ ଯୋଗ ଦେଇଥିଲି। ବିଶ୍ବର ପ୍ରମୁଖ ଭାଷା ମନ୍ଦିର- ଢାକାର ସହିଦ ମିନାର ମୋ ପାଇଁ ଥିଲା ଶ୍ରଦ୍ଧାର ଭାଷା ପୀଠ।

ମୋର ଅଳ୍ପ ଦିନର ରହଣି ଭିତରେ ଓ ତିନି ଦିନର ଅନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀର ଅନୁଭବରେ ବା˚ଲାଦେଶରେ ଭାଷା-ମାନସିକତା ମୋତେ ଖୁବ୍‌ ପ୍ରଭାବିତ କରିଥିଲା। ପୃଥିବୀର ବିଭିନ୍ନ ଦେଶରୁ ଏବ˚ ୟୁନେସ୍କୋର ଅନେକ ପ୍ରତିନିଧି ବହୁ ସ˚ଖ୍ୟାରେ ଥିଲେ ମଧୢ କାର୍ଯ୍ୟକ୍ରମ ବଙ୍ଗଳାରେ ହିଁ ହେଉଥିଲା। ଇ˚ରେଜୀରେ ବକ୍ତବ୍ୟ ରଖୁଥିବା ବିଦେଶୀମାନଙ୍କ ଆଲୋଚନାର ସାରା˚ଶ ବଙ୍ଗଳାରେ କହି ଦିଆଯାଉଥିଲା। ଆଶ୍ଚର୍ଯ୍ୟ ହେଲି ଯେ ବା˚ଲାଦେଶର ବିଶିଷ୍ଟ ଗବେଷକ, ଶିକ୍ଷାବିତ୍‌, ବୁଦ୍ଧିଜୀବୀ ଏବ˚ ଛାତ୍ରଛାତ୍ରୀ, ଯୁବ ଗବେଷକମାନେ ସମସ୍ତେ ଇ˚ରେଜୀ ଅଧୢୟନ କରିଥିବା ଏବ˚ ଇ˚ରେଜୀରେ ଦକ୍ଷତା ରଖିଥିବା ସତ୍ତ୍ବେ କୌଣସି ବ୍ୟତିକ୍ରମ ବିନା ଶୁଦ୍ଧ ଓ ସୁନ୍ଦର ବଙ୍ଗଳାରେ ନିଜ ନିଜର ମନ୍ତବ୍ୟ ରଖୁଥିଲେ ଓ ପ୍ରଶ୍ନମାନ ପଚାରୁଥିଲେ। ଆବଶ୍ୟକ ସ୍ଥଳେ ସଭା ମଞ୍ଚର ସ˚ଯୋଜକ ଏହାର ଇ˚ରେଜୀ ସାରା˚ଶ କହି ଦେଉଥିଲେ। ଇ˚ରେଜୀ ଭାଷାର ପ୍ରୟୋଗ ନେଇ କାହା ମନରେ ହୀନମନ୍ୟତା ଲକ୍ଷ୍ୟ କଲି ନାହିଁ। ନିଜ ଭାଷା ପ୍ରତି ନିଷ୍ଠା, ଆନ୍ତରିକତା ଏବ˚ ଭାଷା ନେଇ ଆତ୍ମ-ପରିଚୟର ଗୌରବ ଭାଷାର ବ୍ୟବହାର, ବିକାଶ ଓ ସ˚ରକ୍ଷଣରେ ପ୍ରତିଫଳିତ ହୁଏ। ପୃଥିବୀ ସାରା ଭାଷା କନ୍ଦଳ ରହିଛି; ଭାଷା-ଭାଷା ମଧୢରେ ଠେଲାପେଲା, କ୍ଷମତାର ଦ୍ବନ୍ଦ୍ବ ଯାହା ହଜାର ହଜାର ଉପେକ୍ଷିତ ଭାଷାମାନଙ୍କୁ ବିପନ୍ନ କରୁଛି। ୨୦୦୯ ମସିହା ଠାରୁ ୟୁନେସ୍କୋ ବିଶ୍ବର ବିଭିନ୍ନ ଭାଷାମାନଙ୍କର ଏକ ସାରଣୀ ପ୍ରକାଶିତ କରୁଛନ୍ତି ଯାହା ସାମୟିକ ଭାବରେ ଭାଷାମାନଙ୍କର ଅନୁଧୢାନ ଓ ପରିସ˚ଖ୍ୟାନ ଭିତ୍ତିରେ ପରିମାର୍ଜିତ ହୁଏ। ସା˚ପ୍ରତିକ ବିଶ୍ବର ପ୍ରାୟ ୬,୯୦୦ଟି ଭାଷା ମଧୢରୁ ଅଧିକା˚ଶ ବିପନ୍ନତାର ବିଭିନ୍ନ ସ୍ତରରେ ଅଛନ୍ତି। ଆମ ଦେଶରେ ୧୯୭ଟି ଭାଷା ବିପନ୍ନ ଅବସ୍ଥାରେ ଥିବା କଥା ୟୁନେସ୍କୋ ମାନଚିତ୍ରରେ ଦର୍ଶିତ। ଭାଷା ସ˚ଖ୍ୟା ଓ ଭାଷାଗତ ବିବିଧତାରେ ଭାରତ ପୃଥିବୀରେ ଚତୁର୍ଥ ରାଷ୍ଟ୍ର ଏବ˚ ପ୍ରାୟ ୭୮୦ଟି ମୁଖ୍ୟ ଭାଷା ଆମ ଦେଶରେ ଅଛି। ତଥାପି ବିପନ୍ନ ଭାଷା ସ˚ଖ୍ୟା ଅନୁସାରେ ଆମ ଦେଶ ପୃଥିବୀରେ ପ୍ରଥମ। ଭାଷାର ବ୍ୟବହାର, ଶିକ୍ଷା ଓ ସରକାରୀ କ୍ଷେତ୍ରରେ ପ୍ରୟୋଗ ଯୋଗେ ହିଁ ଭାଷାମାନେ ବିକଶିତ ଓ ପରିମାର୍ଜିତ ହୁଅନ୍ତି। ବ୍ୟବହାର ବିନା ଭାଷା ସ˚କୁଚିତ ହୁଏ, ଲୋପ ପାଏ। ଲାଟିନ ଓ ସ˚ସ୍କୃତ ଭାଷା ଭଳି ଅନେକ ପ୍ରଭାବଶାଳୀ ଓ ବିକଶିତ ଭାଷା ବ୍ୟବହାରିକ ସ୍ତରରେ ଖୁବ୍‌ ସ˚କୁଚିତ। ତେଣୁ ଭାଷା ବଞ୍ଚିବା ପାଇଁ ଅନେକ ସଚେତନତା ଓ ବ୍ୟବହାରିକ ପ୍ରସାରଣ ଜରୁରୀ।

‘ମୁଁ ମୋ ଭାଷାକୁ ଭଲପାଏ’ ଏକଥା କେବଳ ଘୋଷଣାର କଥା ନୁହେଁ। ଭାଷା ପ୍ରୀତି ଓ ଭାଷା ପ୍ରତି ନିଷ୍ଠା ପ୍ରକାଶିତ ହୁଏ ଦୈନନ୍ଦିନ ଜୀବନରେ ଭାଷାର ପ୍ରୟୋଗରେ ଏବ˚ ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ ଭାଷାର ସ୍ବାଭାବିକ ସ˚ପ୍ରସାରଣରେ। ଆମ ରାଜ୍ୟରେ ଛଅରୁ ଅଠର ବର୍ଷର ପିଲାଙ୍କ ମଧୢରୁ ପ୍ରାୟ ୪୯ ଲକ୍ଷ ପିଲା ଇ˚ରେଜୀ-ମାଧୢମ ବିଦ୍ୟାଳୟରେ। ଲକ୍ଷ ଲକ୍ଷ କୁନି ପିଲା ୬ ବର୍ଷ ପୂର୍ବରୁ ଅନେକ ଇ˚ରେଜୀ ମାଧୢମ ପ୍ରାକ୍‌ ବିଦ୍ୟାଳୟରେ ଅବୋଧୢ ଇ˚ରେଜୀ ନର୍ସରୀ ରାଇମ୍‌ ଘୋଷୁଛନ୍ତି। ଗତ ୧୫ ବର୍ଷ ଭିତରେ ଇ˚ରେଜୀ ବିଦ୍ୟାଳୟମାନଙ୍କରୁ ଉତ୍ତୀର୍ଣ୍ଣ ହୋଇଥିବା ରାଜ୍ୟ ଓ ରାଜ୍ୟ ବାହାରେ କର୍ମରତ ବୟସ୍କ ଓଡ଼ିଆମାନଙ୍କ ମଧୢରୁ ପ୍ରାୟ ୨୨ ଲକ୍ଷ ହୁଏତ ଓଡ଼ିଆ କହିପାରନ୍ତି, କିନ୍ତୁ ଲେଖିପଢ଼ି ଜାଣନ୍ତି ନାହିଁ। କେତେକ ଆକଳନ ଅନୁସାରେ ନିରକ୍ଷର ଓଡ଼ିଆଙ୍କୁ ବାଦ ଦେଇ ସାତ ବର୍ଷରୁ ଅଧିକ ବୟସ୍କଙ୍କ ଭିତରେ ପ୍ରାୟ ୭୧ ଲକ୍ଷ ଶିକ୍ଷିତ ଓଡ଼ିଆ, ନିଜ ଭାଷା ପଢ଼ିବାକୁ ଅସମର୍ଥ। ସ୍ବତନ୍ତ୍ର ଓଡ଼ିଶାର ଶହେ ବର୍ଷ ପରେ ଜନସ˚ଖ୍ୟା ପ୍ରାୟ ପାଞ୍ଚ କୋଟି ସତସ୍ତରି ଲକ୍ଷ ହେବ। ତହିଁରୁ ବିଦ୍ୟାଳୟରେ ଅଧୢୟନ ବୟସର ପିଲା ଥିବେ ପ୍ରାୟ ଏକ କୋଟି ଛପନ ଲକ୍ଷରୁ ଅଧିକ। ବର୍ତ୍ତମାନ ଯେଉଁ ହାରରେ ଇ˚ରେଜୀ-ମାଧୢମରେ ପିଲା ସ˚ଖ୍ୟାର ବୃଦ୍ଧି ହେଉଛି, ସେଇ ହାରରେ ଆକଳନ କଲେ ଏହା ସ୍ପଷ୍ଟ ସେ ୨୦୩୧-୩୨ ମସିହା ବେଳକୁ କେବଳ ଦୂରଦୂରାନ୍ତର ମଫସଲ ଅଞ୍ଚଳର ଅଳ୍ପ କେତେକ ଓଡ଼ିଆ ବିଦ୍ୟାଳୟକୁ ଛାଡ଼ି ଦେଲେ, ଓଡ଼ିଆ-ମାଧୢମ ମୁଖ୍ୟ ସ୍ରୋତରେ ଓଡ଼ିଆ ପିଲା ନ ଥିବେ। ବର୍ତ୍ତମାନ ଶାସ୍ତ୍ରୀୟ ଓଡ଼ିଆର ଗୌରବରେ ରହି, ଭାଷାର ଏ ଭବିଷ୍ୟତ ହୁଏତ ଏକ ଅବାସ୍ତବ ଦୁଃସ୍ବପ୍ନ ଭଳି ମନେ ହୋଇପାରେ, କିନ୍ତୁ ଭାଷାର ସ˚ରକ୍ଷଣ ପାଇଁ ବିଧିବଦ୍ଧ ଚିନ୍ତା ଓ ପ୍ରୟାସ ଯେ ଅନିବାର୍ଯ୍ୟ, ଏହା ଅସ୍ବୀକାର କରି ହେବ ନାହିଁ।

ଭାଷାର ସରକାରୀ ଓ ବେସରକାରୀ ବ୍ୟବହାରରେ ହ୍ରାସ ମଧୢ ଚିନ୍ତାର ବିଷୟ। ଭାଷା ଆଇନ କରି ଦେଇ ଭାଷା ବ୍ୟବହାର ପ୍ରଭାବିତ କରି ହେବ ନାହିଁ। ଏକଥା ଖୁବ୍‌ ସ୍ପଷ୍ଟ, କାରଣ ଆଇନ ପ୍ରଣୟନ କରିଥିବା ସରକାର ଓ ସରକାରୀ କଳର ଅମଲାମାନେ ଓଡ଼ିଆରେ ସରକାରୀ ନଥିପତ୍ର ଓ ଚିଠି ଲେଖିବା ପ୍ରାୟ ନାହିଁ। ଏଣେ ଲକ୍ଷ ଲକ୍ଷ ଓଡ଼ିଆ ବାପା ମାଆ କୁନି କୁନି ପିଲାଙ୍କୁ ଇ˚ରେଜୀରେ କଥା କହିବା ଆରମ୍ଭ କଲେଣି। ‘‘ଆ ଜହ୍ନମାମୁଁ ସରଗ ଶଶୀ’’, ‘‘ଟ୍ବିଙ୍କିଲ୍‌ ଟ୍ବିଙ୍କିଲ୍‌ ଲିଟିଲ୍‌ ଷ୍ଟାର’’ ଦ୍ବାରା ବିସ୍ଥାପିତ। ପିଲାଙ୍କ ପରିବାରରେ ଜେଜେମା’, ଜେଜେବାପାଙ୍କ ସହିତ ଓଡ଼ିଆ କାହାଣୀ, ଢଗଢମାଳି, ପୁରାଣ କଥାମାନ, ଗଛଲତା, ନିତ୍ୟ ବ୍ୟବହୃତ ସାମଗ୍ରୀମାନଙ୍କ ଓଡ଼ିଆ ନାଆଁମାନେ ମଧୢ ଅପସରି ଗଲେଣି। ଓଡ଼ିଆରେ ନାମ ଫଳକ ଓ ନିମନ୍ତ୍ରଣ ପତ୍ର ଇତ୍ୟାଦି ଆସ୍ତେ ଆସ୍ତେ ଅଦୃଶ୍ୟ। ଓଡ଼ିଆ ବହି, ଖବରକାଗଜ ଓ ଅନ୍ୟାନ୍ୟ ପ୍ରକାଶନମାନଙ୍କର ପାଠକ ସ˚ଖ୍ୟା ମଧୢ କମିବାରେ ଲାଗିଛି, ଅନ୍ତତଃ ଜନସ˚ଖ୍ୟା ଅନୁପାତରେ ପାଠକ ସ˚ଖ୍ୟାର ହାର ଅନେକ ହ୍ରାସ ପାଇଛି। କେବଳ ସାନ, ମଧୢମ ଓ ବଡ଼ ସମ୍ବାଦପତ୍ରର ରାଜ୍ୟସ୍ତରୀୟ ପ୍ରକାଶନ ସ˚ଖ୍ୟା ପ୍ରାୟ ୪୪ ଲକ୍ଷ ୫୦ ହଜାର ଖଣ୍ତ ଏବ˚ ଏଗୁଡ଼ିକର ହାରାହାରି ପାଠକ ସ˚ଖ୍ୟା ଅନୁସାରେ ରାଜ୍ୟରେ ପ୍ରାୟ ଷାଠିଏରୁ ଅଶୀ ଲକ୍ଷ ପାଠକ ଓଡ଼ିଆ ଖବରକାଗଜ ପଢ଼ନ୍ତି। ଅର୍ଥାତ୍‌ ସ୍ବାକ୍ଷର ଏବ˚ ସାତ ବର୍ଷରୁ ଅଧିକ ବୟସ୍କ ଜନସ˚ଖ୍ୟାର ମାତ୍ର ୨୭ ପ୍ରତିଶତ ଦୈନିକ ସମ୍ବାଦପତ୍ର ପାଠ କରନ୍ତି। ଓଡ଼ିଆ ପୁସ୍ତକମାନ ମଧୢ ସେଇଭଳି ଅନାଦୃତ। ମନେହୁଏ, ଏହା ଫଳରେ ଲିଖିତ ଓ କଥିତ ଓଡ଼ିଆ ଭାଷା କ୍ରମଶଃ ପରସ୍ପରଠାରୁ ବିଚ୍ଛିନ୍ନ ହେବାକୁ ଲାଗିବେ। ଭାଷାମାନ ବିପନ୍ନ ହେବାର ଏହା ପ୍ରଥମ ଲକ୍ଷଣ। ଯଦି ଓଡ଼ିଆ ଶିକ୍ଷାର ମାନ ଓ ପରିସରର ଦ୍ରୁତ ଅଭିବୃଦ୍ଧି ନ ହୁଏ ଏବ˚ ସରକାରୀ ସ୍ତରରେ ପ୍ରଶାସନିକ ଓ ଆଇନ ବ୍ୟବସ୍ଥାରେ ଏବ˚ ଜନଜୀବନର ବିଭିନ୍ନ କ୍ଷେତ୍ରରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର ନ ହୁଏ, ତେବେ ଓଡ଼ିଆ ଲୋକଙ୍କ ପାଇଁ ମାତୃଭାଷା ତାର ଉପାଦେୟତା ହରେଇବ। ସୁତରାଂ, ସାମଗ୍ରିକ ଭାବରେ ଭାଷା ବ୍ୟବହାରରେ ଏବ˚ ପ୍ରଶାସନର ସବୁ କ୍ଷେତ୍ରରେ ତଥା ଶିକ୍ଷାରେ ଓଡ଼ିଆ କେବଳ ଏକ କଥିତ ଭାଷା ଭାବରେ ରହି ଯାଇପାରେ। ତାହା ହେଲେ ସ୍ବତନ୍ତ୍ର ଓଡ଼ିଶାର ଦ୍ବିତୀୟ ଶତାବ୍ଦୀ ହୁଏ’ତ ହୋଇପାରେ ଓଡ଼ିଆର ଶେଷ ଶତାବ୍ଦୀ। ଏହା ଏକ କ୍ରୂର ଓ ଅପ୍ରୀତିକର ସମ୍ଭାବନା ମାତ୍ର ନୁହେଁ; ଆମେ ସତର୍କ ନ ହେଲେ ଏହା ଏକ ବାସ୍ତବତା ହୋଇ ଯାଇପାରେ। ସୁତରାଂ, ବା˚ଲାଦେଶୀଙ୍କ ପରି ଓଡ଼ିଆମାନଙ୍କ ମନରେ ଭାଷା ପ୍ରୀତି ଜାଗ୍ରତ ହେଉ। ମାତୃଭାଷା ଦିବସର ଅବ୍ୟବହିତ ପୂର୍ବରୁ ଓଡ଼ିଆ ଜାତି ଓ ଓଡ଼ିଆ ଭାଷା ଲାଗି ଏତିକି ପ୍ରାର୍ଥନା।
(ବିଶ୍ବ ମାତୃଭାଷା ଦିବସ ଅବ୍ୟବହିତ ପୂର୍ବରୁ)

ପ୍ରାକ୍ତନ ପ୍ରଫେସର, ଜେଏନ୍‌ୟୁ
[email protected]

ସମ୍ବନ୍ଧିତ ଖବର