‘‘ଗାନ୍ଧୀ’’ ନାଆଁ ଓ ସାଙ୍ଗିଆର ଗୋଟେ ବଡ଼ ତାତ୍ପର୍ଯ୍ୟ ଅଛି। ସମୟ ଥିଲା ଯେତେବେଳେ ଗାନ୍ଧୀ-ଧାରାରେ ରହି କେହି କେହି ଗାନ୍ଧୀ ବୋଲାଇବାରେ ଖୁବ୍ ଗୋଟାଏ ଗୌରବ ଅନୁଭବ କରୁଥିଲେ। ଅମୁକ ଗାନ୍ଧୀ, ସମୁକ ଗାନ୍ଧୀ। ପରବର୍ତ୍ତୀ କାଳରେ ଗାନ୍ଧୀ ସାଙ୍ଗିଆ ମଧୢ ଲୋକପ୍ରିୟତା ଅର୍ଜନ କରିବା ଦ୍ବାରା ତାହା କିଛି ବ୍ୟକ୍ତିଙ୍କ ଲାଗି ଖୁବ୍ ସହାୟକ ହୋଇଛି।
‘‘ଗାନ୍ଧୀ’’ ଗୋଟେ ଆଇକନ୍ ବା କୀର୍ତ୍ତିଚିହ୍ନ। ଗାନ୍ଧୀ ଚଷମା ଗୋଟେ ମାସ୍କଟ୍ ବା ପ୍ରଚାର-ସନ୍ତକ। ହେଲେ ଅବସ୍ଥା ଏମିତି ହୋଇଛି ଯେ ଆଜି ‘‘ଗାନ୍ଧୀ’’ କହିଲେ ଲୋକେ ନେହରୁଙ୍କ ସମ୍ପର୍କୀୟ ବୋଲି ବୁଝୁଛନ୍ତି। ବିଦେଶରେ ତ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଗାନ୍ଧୀଜୀଙ୍କର ନାତି ବୋଲି କେହି କେହି କହିବାର ଏ ଲେଖକ କେତେ ଥର ଶୁଣିଛି।
ଆଜି ଗାନ୍ଧୀଜୀ ଓରଫ୍ ମୋହନ ଦାସ କରମଚାନ୍ଦ୍ ଗାନ୍ଧୀ ଭାରତରେ ବୋଧହୁଏ ସବୁଠାରୁ ଅଧିକ ଚର୍ଚ୍ଚିତ ଦିବ˚ଗତ ବ୍ୟକ୍ତି। ଭଲରେ ହେଉ ବା ମନ୍ଦରେ, ଗାନ୍ଧୀଜୀଙ୍କୁ ନେଇ ସ˚ପ୍ରତି ଖୁବ୍ ବେଶି ଆଲୋଚନା ହେଉଛି। ବିରୋଧୀ ମନୋଭାବ ଯେତେ ତୀବ୍ର ହେଉଛି ସେତେସେତେ ଗାନ୍ଧୀ-ଜୟଗାନ ବି ବଢ଼ୁଛି। ତା’ଙ୍କ ଜନ୍ମର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଯେଉଁସବୁ ବିସ୍ତୃତ କାର୍ଯ୍ୟକ୍ରମ ଚାଲିଲା ତାହା ଆଉ କାହା ପାଇଁ ଭାରତବର୍ଷରେ କେବେ ହୋଇ ନ ଥିଲା। ସେମିତି ଗାନ୍ଧୀ-ମୁହଁ, ମୂର୍ତ୍ତି ଓ ମୁଦ୍ରାକୁ ନେଇ ଯେତେ କନ୍ଦଳ ଉପୁଜିଲା ସେମିତି ବି ଆଉ କେବେ ହୋଇ ନ ଥିଲା। ଏବେ ଓଡ଼ିଶାରେ ଗାନ୍ଧୀଜୀଙ୍କର ପ୍ରଥମ ଉତ୍କଳ ଆଗମନ ମାର୍ଚ୍ଚ ୨୩, ୧୯୨୧ର ଶତକ ପୂର୍ତ୍ତି ସ୍ମୃତିକୁ ଅଧିକ ସ୍ମରଣୀୟ କରିବା ଲାଗି ନାନା ପଦକ୍ଷେପ ନିଆଯାଉଛି। ସଭାରେ ଗାନ୍ଧୀ, ବହିରେ ଗାନ୍ଧୀ, ଛବିରେ ଗାନ୍ଧୀ, କାର୍ଯ୍ୟକ୍ରମରେ ଗାନ୍ଧୀ। ଗାନ୍ଧୀଜୀ ଓଡ଼ିଶା ଆସି କେଉଁବାଟେ କେଉଁଆଡ଼େ ଯାଇଥିଲେ ତା’ ଭିତରୁ କେତେ ସଡ଼କ ହଜି ଯାଇଥିଲେ ମଧୢ ତାହା ଠାବ କରିବା ଲାଗି କସରତ ଚାଲିଛି।
ମାତ୍ର ମୂଳକଥା ହେଲା ଗାନ୍ଧୀଜୀ ପ୍ରକୃତରେ କ’ଣ? ଗୋଟେ ବାଦ ନା ଗୋଟେ ମୂର୍ତ୍ତି? ଗୋଟେ ଅନୁକରଣୀୟ ଜୀବନ ନା ଗୋଟେ ବିଚାର? ଗାନ୍ଧୀପଣ ବୋଲି କହିଲେ ଆଜିର ଯୁବ ପିଢ଼ି ବିଶେଷ କରି ପିଲାମାନେ କ’ଣ ବୁଝନ୍ତି? ଗାନ୍ଧୀଜୀଙ୍କ ପରଲୋକ-ଗମନଠାରୁ ‘‘ଗାନ୍ଧୀ ଆଜି ପ୍ରାସଙ୍ଗିକ’’ କି ନାହିଁ ବୋଲି ପ୍ରଶ୍ନ ଉଠାଇ ଏତେ ସଭା ଓ ସ˚ପାନ କରାଗଲାଣି ଯେ ତା’ର ଇୟତ୍ତା ନାହିଁ। ଅଥଚ ଗାନ୍ଧୀ-ପ୍ରସଙ୍ଗ ଏତେବର୍ଷ ପରେ ବି ସେମିତି ପ୍ରାସଙ୍ଗିକ ହୋଇ ରହିଛି। ବାମ, ଦକ୍ଷିଣ ଓ ମଧ୍ୟମପନ୍ଥୀ ସବୁ ଦଳ ଏବେ ଗାନ୍ଧୀଜୀଙ୍କ କଥା କହୁଛନ୍ତି।
ଗାନ୍ଧୀ, ଅସଲରେ ଗୋଟେ ବିଚାର, ଯାହାର ପ୍ରାସଙ୍ଗିକତା ଚିରନ୍ତନ। ‘ସତ୍ୟ’ ଓ ‘ଅହି˚ସା’ ତ ମାନବ ସଭ୍ୟତାର ବିଚାରଧାରାରେ ସବୁଠାରୁ ଅଧିକ ମୂଲ୍ୟବାନ ପ୍ରାପ୍ତି! ଏ ଦୁଇ ଆଦର୍ଶ ସହିତ ‘ବୁଦ୍ଧ’ ଓ ‘ଗାନ୍ଧୀ’ଙ୍କୁ ଆମେ ଆଜି ଯୋଡ଼ୁଛେ। ମାତ୍ର ସେ ସବୁ ବହୁ ଆଗରୁ ମାନବ ସ˚ସ୍କୃତିରେ ପ୍ରତିଭାତ।
ଗାନ୍ଧୀଜୀଙ୍କର ଲଢ଼େଇ ଥିଲା ଗୋଟେ ଆତ୍ମିକ ଲଢ଼େଇ। ଏହା ମୋଟେ ଶାରୀରିକ ଲଢ଼େଇ ନୁହେଁ। ଏବ˚ ସେଇ ଆତ୍ମିକ ଲଢ଼େଇରେ ସେ ଯେଉଁ କେତୋଟି ଅମୂଲ୍ୟ ବିଚାର ଆମକୁ ଦେଇଛନ୍ତି ତହିଁର ଆଲୋଚନା ଓ ବାସ୍ତବ ପ୍ରତିଫଳନ ନ ଘଟାଇ ମୂର୍ତ୍ତି, ମୁଦ୍ରା, ମହୋତ୍ସବର ରୂପାୟନ କେବଳ ଆତ୍ମପ୍ରବଞ୍ଚନା ମାତ୍ର। ଗୋଟାଏ ଦେଶର ସ୍ବରାଜ ଯେ ତା’ର ସ୍ବଦେଶପଣରେ ନିହିତ ସେ କଥା ଗାନ୍ଧୀଜୀଙ୍କ ଠାରୁ ଆଉ କିଏ ଅଧିକ ବୁଝିଥିଲା? ଏଇ ବିଚାରର ପରିଧାନ ହେଉଛି ଖଦଡ଼। ଖଦଡ଼ କେବଳ ଲୁଗା ନୁହେଁ, ସ୍ବଦେଶୀ ଓ ସ୍ବନିର୍ଭରଶୀଳତାର ଏକ ଯଜ୍ଞବସ୍ତ୍ର। ଆମେ ଯେମିତି ପାଟ ମଠାକୁ ପୂଜା-ପରିଧାନ କହି ପବିତ୍ର ମଣୁଛେ ସେମିତି ଖଦଡ଼କୁ ସେ କରିିଥିଲେ ସ୍ବନିର୍ଭରଶୀଳତାର ପବିତ୍ର-ପୋଷାକ।
‘‘ନିଜ କାମ ନିଜେ କର’’, ‘‘ନିଜ ଉଦ୍ଭୁତ ପଦାର୍ଥ ହିଁ ବ୍ୟବହାର କର’’, ‘‘କାମ ନ କରି ଖାଇବା ଚୋରି ସହ ସମାନ’’, ‘‘ଅନ୍ୟାୟକୁ ବିନା ହି˚ସାରେ ସାମନା କର’’, ‘‘ଜାତି ବା ଧର୍ମ ଆଧାରରେ ଭେଦାଭେଦ ରଖନାହିଁ’’, ‘‘ନିଶା ଓ ଆଳସ୍ୟଠାରୁ ଦୂରରେ ରହ’’, ‘‘ତୁମ ଧନ ପ୍ରକୃତରେ ସମୂହ ଧନର ଅ˚ଶ ବୋଲି ସବୁବେଳେ ବିବେଚନା କର’’, ‘‘ଯେତିକି ଦରକାର ସେତିକି ନିଅ ବା ନିଜ ପାଖରେ ରଖ’’, ‘‘ସମୂହର ବିକାଶ ସକାଶେ ବ୍ରତ ଆଚରଣ କର’’, ‘‘ସତ୍ୟ ହିଁ ଈଶ୍ବର’’ ଓ ‘‘ସ˚ଶୟରେ ପଡ଼ିଲେ ଭାବି ଦେଖ ଯେ ମୋ କାମ ସମାଜର ସବୁଠାରୁ ତଳେ ଥିବା ଲୋକର ଉପକାର କରୁଛି ନା ନାହିଁ’’ ଭଳି କେତେକ ଉପାଦେୟ ମୂଲ୍ୟବୋଧ ହିଁ ଗାନ୍ଧୀ-ବିଚାର ବା ଗାନ୍ଧୀପଣର ମୂଳ କଥା।
ଉପରୋକ୍ତ ଏ ଯେଉଁ ଭାବନା, ସେ ସବୁକୁ କାର୍ଯ୍ୟକାରୀ ନ କରିବା ହିଁ ଗାନ୍ଧୀପଣକୁ ଅନାଦର କରିବା। ଗାନ୍ଧୀଜୀଙ୍କୁ ହତ୍ୟାକରି ଆତତାୟୀ ତା’ଙ୍କ ବୁଢ଼ାଦେହଟାକୁ ଉଡ଼ାଇଦେଲେ, ହେଲେ ଗାନ୍ଧୀ-ବିଚାରକୁ ଉଡ଼େଇ ପାରିଲେ ନାହିଁ। ଗାନ୍ଧୀଜୀ ଯାହା ଅନୁଶୀଳନ ରଖିଛନ୍ତି ତାହା ଯେ କୌଣସି ଦେଶର ନାଗରିକଙ୍କ ପାଇଁ ଚିରକାଳ ମୂଲ୍ୟବାନ। ତେଣୁ ଗାନ୍ଧୀ ମୂର୍ତ୍ତି ଭାଙ୍ଗିବା ବା ଗାନ୍ଧୀ ହତ୍ୟାକାରୀଙ୍କୁ ପୂଜା କରିବାଠାରୁ ଗାନ୍ଧୀ ବିଚାରକୁ କାର୍ଯ୍ୟକାରୀ ନ କରି ମିଛ ମହୋତ୍ସବ କରିବା ଗାନ୍ଧୀ ମହାତ୍ମାଙ୍କ ପ୍ରତି ସବୁଠାରୁ ବଡ଼ ଅପମାନ।
ଭାରତ ଗାନ୍ଧୀର ଦେଶ ବୋଲି ପୃଥିବୀ ଜାଣେ। ଗାନ୍ଧୀପଣର ଦୁଇଟି ବଡ଼ କଥା ହେଲା ସାମ୍ପ୍ରଦାୟିକ ସଦ୍ଭାବ ଓ ନିଶା ନିବାରଣ। ଭାରତ ‘ଗାନ୍ଧୀ-୧୫୦’ ଉତ୍ସବ ପାଳିଲା ଧୁମ୍ଧାମ୍ରେ। ଓଡ଼ିଶା ବି ଡିଆଁକୁଦା କଲା। ଅଥଚ ସାମ୍ପ୍ରଦାୟିକ ସଦ୍ଭାବର କୀର୍ତ୍ତିମାନଟିଏ ଠିଆ କରାଇପାରିଲା ନାହିଁ। ସତ୍ୟପୀର-ଆଲ୍ଲା-ପୀଠଗୁଡ଼ିକର ଔଜଲ୍ୟ ଏତିକିବେଳେ ବଢ଼ିବାର କଥା। ଭାଇଚାରାର ପତାକା ଉପରକୁ ଉଠିବା ଆବଶ୍ୟକ।
ନିଜକୁ ଆମେ ପଚାରିବା ଦରକାର ଇଦାନି˚ ଆମେ ଗାନ୍ଧୀନାଆଁ ନେଇ ଜରି-ଝାଲର ବାନ୍ଧୁଥିବା ବେଳେ ଧର୍ମ ଧର୍ମ ଭିତରେ ସଦ୍ଭାବ ବଢ଼ାଇବାର ଚେଷ୍ଟା କରିଛୁ ନା’ ଅସ˚ଖ୍ୟ ମଣିଷଙ୍କ ଛାତିରେ ଅସଦ୍ଭାବର ବିଷ ଭରି ଦେଇଛୁ? ନିଶା ନିବାରଣ କରିଛୁ ନା ନିଶା ସେବନ-ଅଭିଯାନ ଆରମ୍ଭ କରିଛୁ? ଏ ପ୍ରବଞ୍ଚନା କାହିଁକି?
କିଏ ଦରଖାସ୍ତ କରି ସରକାରଙ୍କୁ ଏ ମହୋତ୍ସବ କରିବାକୁ ନିବେଦନ କରିଛି କି? ଯଦି ଆନ୍ତରିକତା ନାହିଁ ତେବେ ଏହା କରାଯାଉଛି କାହିଁକି?
ଗାନ୍ଧୀଜୀଙ୍କ ବିରୋଧୀଙ୍କୁ ଛାଡ଼ି ଦିଅନ୍ତୁ। ସେ ତା’ଙ୍କ ବାଟରେ ଚାଲିବାର ଅଧିକାର ଅଛି ହେଲେ ଯେଉଁମାନେ ଗାନ୍ଧୀଜୀଙ୍କ ଆଦର୍ଶ ପ୍ରତି ଅନୁରକ୍ତ, ଗାନ୍ଧୀ ବିଚାରର ଅନୁବ୍ରତୀ, ସେମାନେ ନିଜକୁ ପଚାରନ୍ତୁ। ଏ ପଚାରିବା ହିଁ ଅନେକ ଉତ୍ତରର ପୃଷ୍ଠା ଖୋଲିଦେବ। କେହି ଅଭିଭାବକ ଆଜି କ’ଣ ଚାହାନ୍ତି ତାଙ୍କର ପିଲାଟି ଭବିଷ୍ୟତରେ ଗୋଟିଏ ‘ଗାନ୍ଧୀ’ ହେଉ? ଗାନ୍ଧୀଜୀଙ୍କର ଯେ ଜୀବନାଦର୍ଶ ତାହା ତାଙ୍କ ପରିବାରକୁ ବ୍ୟାପୁ? ଯେଉଁ ନେତା, ଆୟୋଜକ ବା ଭାଷକ ଆଜି ଗାନ୍ଧୀଚର୍ଚ୍ଚା କରୁଛନ୍ତି ସେମାନେ ସତକୁ ସତ କ’ଣ ଗାନ୍ଧୀ ବିଚାରରେ ଅଛନ୍ତି? ଗାନ୍ଧୀ-ନୀତି ବିରୋଧୀ କାମ ଓ କାର୍ଯ୍ୟକ୍ରମ କରୁଥିଲା ବେଳେ ଏ ଅନୁପାଳନା କ’ଣ ପାଇଁ?
ଆମକୁ ଗାନ୍ଧୀ-ପ୍ରଚୋଦିତ ସ୍ବଚ୍ଛ-ଭାରତର କାର୍ଯ୍ୟକ୍ରମ ଦିଶୁଛି ଅଥଚ ନିଶାମୁକ୍ତି ଅଭିଯାନର ରୂପାୟନ ଦିଶୁନାହିଁ। ନିଶା ଯେ ସଭ୍ୟ-ସମାଜର ପାପ-ପ୍ରଚୋଦନକାରୀ ସବୁଠାରୁ ବଡ଼ ଏକ ଗର୍ହିତ କଳଙ୍କ ଏ କଥା ଜାଣି ସୁଦ୍ଧା ସରକାର ପରେ ସରକାର ସେ ଦିଗ ପ୍ରତି ଉଦାସୀନ। ଯେଉଁ ଶାସନ ବ୍ୟବସ୍ଥା ସାମ୍ପ୍ରଦାୟିକ ହି˚ସା ବଢ଼ାଏ; ମଦ, ଗଞ୍ଜେଇ ବେପାରର ବିଜ୍ଞାପନ ଦିଏ, କର୍ମ-ସ˚ସ୍କୃତିକୁ ପ୍ରାଧାନ୍ୟ ନ ଦେଇ ହାତଟେକା ଦାନ-ସ˚ସ୍କୃତିକୁ ପ୍ରୋତ୍ସାହିତ କରେ ଓ ସର୍ବୋପରି ପୁଞ୍ଜିବାଦୀ ଅର୍ଥନୀତିକୁ ବାହାବା ଦିଏ ତାହା କେଉଁ ମନରେ ବା ମୁହଁରେ ଗାନ୍ଧୀଜୀଙ୍କ କଥା କହୁଛି?
ଗାନ୍ଧୀଜୀଙ୍କୁ ଜଣେ ଲୋକ କହି ମାରି ଦିଆ ସରିଛି। ଆତତାୟୀ ହାତରେ ନ ହେଲେ ମଧୢ କାଳ ହସ୍ତରେ ସେ ଦେହ ଦିନେ ନା ଦିନେ କୁଆଡ଼େ ହଜିଯାଇଥାଆନ୍ତା ହେଲେ ଏବେ ଯେ ପ୍ରତିନିୟତ ଉତ୍ସବ ନାମରେ ଗାନ୍ଧୀ ବିଚାର-ଆହୁତି ଚାଲିଛି ତା’ର ଉତ୍ତର କାହା ପାଖରେ ଅଛି?
ଦେଶକୁ ସ୍ବଚ୍ଛ କରିବା, ଆତ୍ମନିର୍ଭର କରିବା। ବେଶ୍ ଭଲ କଥା। ସେ ବିଚାର ଗାନ୍ଧୀଜୀଙ୍କର ଥିଲା। ଗାନ୍ଧୀଜୀଙ୍କ ନାମରେ ବେଶ୍ ମୋଟା ଅଙ୍କର ଗବେଷଣାକାମୀ ଅର୍ଥ ମଞ୍ଜୁର କରିବା ମଧୢ ଖୁବ୍ ସ୍ବାଗତଯୋଗ୍ୟ। ହେଲେ ଦେଶରେ ହି˚ସା ରହିଲେ, ପୁଞ୍ଜିବାଦୀ ବ୍ୟବସ୍ଥାର ଅସତ୍ୟ ରହିଲେ ଗାନ୍ଧୀପଣର କଥା କହି ଲାଭ କ’ଣ? ନିଶାର କାରବାର ଥିବାଯାଏ ହି˚ସା ହଟିବ ନାହିଁ। ହି˚ସା ହିଁ ମନକୁ ସବୁଠାରୁ ଅଧିକ ଅସ୍ବଚ୍ଛ କରେ। ମନକୁ ଅସ୍ବଚ୍ଛ ରଖି ରାସ୍ତା ଓଳାଇ ଆମେ କେଉଁ ସ୍ବଚ୍ଛତାର କଥା ପ୍ରକୃତରେ କହୁଛେ? ମନେ ରଖିବା ଆବଶ୍ୟକ ଯେ ସାରା ଦେଶରେ ନିଶାମୁକ୍ତି ସଫଳ ନ ହେବାଯାଏ ଓ ସାମ୍ପ୍ରଦାୟିକ ସଦ୍ଭାବ ନ ଆସିବାଯାଏ ମନ ଅସ୍ବଚ୍ଛ ରହିବ ହିଁ ରହିବ। ମନ ଅସ୍ବଚ୍ଛ ରହିଲେ କେଉଁ ପରିବେଶକୁ ଆମେ ସ୍ବଚ୍ଛ ରଖିବା?
ଏ କଥା ସର୍ବଜନବିଦିତ ଯେ ଧୀରେ ଧୀରେ ଆମ ବ୍ୟବସ୍ଥା ପୁଞ୍ଜିବାଦୀ ଅର୍ଥନୀତି ଭିତରକୁ ଟାଣି ହୋଇଯାଉଛି। ଫ୍ରି ଇକନମି ବା ଲେସେ ଫେୟାର୍ ବା ଆର୍ଥିକ-ଅବାଧ-ଉଦ୍ୟମ ଭଲ କଥା ମାତ୍ର ତାହା ଯେପରି ଅନ୍ୟାୟପୂର୍ଣ୍ଣ ଭାବେ ସମ୍ପତ୍ତିର ଠୁଳୀକରଣ ନ କରେ ସେଥିପ୍ରତି ସମସ୍ତେ ସଚେତନ ରହିବା ଆବଶ୍ୟକ। ଅର୍ଥ ହିଁ ଅନର୍ଥର ମୂଳ। ଅର୍ଥ, ଜଣକ ହାତରେ ଠୁଳ ହେବା ଅର୍ଥ, ଅନର୍ଥକୁ ଠୁଳ କରିବା।
ସତ କଥା ହେଲା ଦେଶର ସମ୍ପତ୍ତି ସମସ୍ତଙ୍କର। ତାହା କେତେଜଣଙ୍କର ହେବା ହିଁ ସବୁଠାରୁ ବଡ଼ ଅସତ୍ୟ। ସେଇଥିପାଇଁ ତ ଗାନ୍ଧୀଜୀ ସମାଧାନର ସୂତ୍ର ଆକାରରେ ବାହାର କରିଥିଲେ- ନ୍ୟାସ ବ୍ୟବସ୍ଥା। ଆମେ ସେ ତତ୍ତ୍ବର ଅଧିକ ଅନୁଶୀଳନ କରିବା ଦରକାର।
ଅହି˚ସା ଓ ସତ୍ୟର ପୂଜାରୀ ଗାନ୍ଧୀଜୀଙ୍କର ଉତ୍ସବ କଲାବେଳେ ହି˚ସା ଓ ଅସତ୍ୟର ପ୍ରଚୋଦକ, ନିଶା ଓ ପୁଞ୍ଜିବାଦକୁ ଆମେ ସମର୍ଥନ କରିବା କେମିତି?
କେହି ହୁଏ’ତ ଭାବୁଥାଇ ପାରନ୍ତି ଏମିତି କରି ସେମାନେ ଗାନ୍ଧୀପଣକୁ ବିଲୀନ କରିଦେବେ। କହିବାର ଅଛି ଯେ ଏଭଳି ମନୋଭାବ ଏକ ହାସ୍ୟାସ୍ପଦ କଥା। ଗାନ୍ଧୀପଣର ବିଲୟ ନାହିଁ। ଯାହା ଚିରନ୍ତନ ତାହା ହଜିବ କେମିତି?
ବର୍ତ୍ତମାନର ସମୟ ହିଁ ନିଶାମୁକ୍ତି ଓ ସର୍ବୋଦୟୀ ବ୍ୟବସ୍ଥା ପାଇଁ ଅସଲ ବେଳ କାରଣ ଆମେ ଭଲରେ ବା ମନ୍ଦରେ ଏବେ ଗାନ୍ଧୀ କଥା ଅଧିକ କହିବାକୁ ଆରମ୍ଭ କରିଛେ। ‘‘ଗାନ୍ଧୀ’’ ନାମରେ ଭାରତ ଏକ ମୋତି ପାଇଥିଲା। ତା’କୁ ଛାଡ଼ି ‘ଗୁଞ୍ଜ’କୁ ଆଦର କଲେ ତା’ର ପରିଣତି ଆମକୁ ହିଁ ଭୋଗିବାକୁ ପଡ଼ିବ।