ଓଡ଼ିଶାରେ କସ୍ତୁରବା
ବିଜୟ ନାୟକ
ବାପୁ ଓ ବା’ଙ୍କର ପ୍ରଥମ ଓଡ଼ିଶା ଆଗମନ ଏକା ଦିନରେ। ୧୯୨୧ ମସିହା ମାର୍ଚ୍ଚ ମାସ ୨୩ ତାରିଖ ସକାଳେ ଗାନ୍ଧୀଜୀଙ୍କ ସହିତ କସ୍ତୁରବା ପ୍ରଥମ କରି କଟକ ରେଳ ଷ୍ଟେସନରେ ପାଦଦେଲେ। ସାଥିରେ ଥିଲେ ସାନପୁଅ ଦେବଦାସ। ଏହି ପ୍ରଥମ ଆଗମନକୁ ମିଶାଇ ମହାତ୍ମା ଗାନ୍ଧୀ ମୋଟ ଆଠ ଥର ଓଡ଼ିଶା ଆସିଥିଲେ ଏବଂ ୬୯ ଦିନ ବିତାଇଥିଲେ ଓଡ଼ିଶା ମାଟିରେ। ବା’ ଓଡ଼ିଶା ଆସିଥିଲେ ତିନି ଥର ଏବଂ ଦୁଇ ସପ୍ତାହରୁ ଅଧିକ ସମୟ ସେ ଅବସ୍ଥାନ କରିଥିଲେ ଓଡ଼ିଶାରେ।
Sambad is now on WhatsApp
Join and get latest news updates delivered to you via WhatsApp
ମହାତ୍ମା ଗାନ୍ଧୀଙ୍କ ଧର୍ମପତ୍ନୀ ଭାବରେ ବା’ କେବଳ ସାରା ଭାରତରେ ଜଣାଶୁଣା ନଥିଲେ, ନାରୀ ଜାଗରଣର ଅଗ୍ରଗଣ୍ୟା ନେତ୍ରୀ ଭାବରେ ଥିଲେ ମଧ୍ୟ ବନ୍ଦନୀୟା। ମହାତ୍ମାଙ୍କ ସଂସ୍ପର୍ଶରେ ଆସି ଯେ ଏହି ନିରକ୍ଷରା ନାରୀ ଆତ୍ମଜ୍ଞାନର ଶୀର୍ଷ ସୋପାନରେ ପହଞ୍ଚିଥିଲେ ତା’ ନୁହେଁ, ତାଙ୍କ ଭିତରେ ଏକ ସ୍ବତଃସ୍ଫୂର୍ତ୍ତ ନେତୃତ୍ବ ମଧ୍ୟ ଲୁକ୍କାୟିତ ଭାବରେ ରହିଥିଲା। ବାପୁ ବା’କୁ ଗଢ଼ିବାରେ ଯେମିତି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ବା’ ସେମିତି ବାପୁଙ୍କୁ ମହାତ୍ମା କରିବାରେ ତତୋଧିକ ଯତ୍ନ ନେଇଥିଲେ।
ପରାଧୀନ ଭାରତର ଲୋକ ସଂଖ୍ୟାର ଅର୍ଧାଂଶ ଜନଜାଗରଣଠାରୁ ଦୂରେଇ ରହିବା ସପକ୍ଷରେ ନଥିଲେ ଗାନ୍ଧୀଜୀ। ତେଣୁ ସତ୍ୟର ପ୍ରୟୋଗଠାରୁ ସତ୍ୟାଗ୍ରହ ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ଭାରତୀୟ ନାରୀମାନଙ୍କର ଅଂଶ ଗ୍ରହଣ ଥିଲା ତାଙ୍କ ଆନ୍ତରିକ କାମନା। ଏ କ୍ଷେତ୍ରରେ ତାଙ୍କୁ ସହାୟ ହୋଇଥିଲେ କସ୍ତୁରବା। ୧୯୧୩ ମସିହାରେ ଦକ୍ଷିଣ ଆଫ୍ରିକାରେ ମହାତ୍ମା ଗାନ୍ଧୀ ଗୋରା ସରକାରର ମର୍ଯ୍ୟାଦାହୀନ ଆଇନ୍ ବିରୁଦ୍ଧରେ ଯେଉଁ ସତ୍ୟାଗ୍ରହ ଆରମ୍ଭ କରିଥଲେ, ସେଥିରେ ଅଂଶ ଗ୍ରହଣ କରିବା ପାଇଁ ସ୍ବତଃପ୍ରବୃତ୍ତ ଭାବରେ ଆଗଭର ହୋଇ କାରାବରଣ କରିଥିଲେ କସ୍ତୁରବା। ଏହା ଗାନ୍ଧୀଜୀଙ୍କୁ ମୁଗ୍ଧ କରିଥିଲା। ମହାତ୍ମାଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପରେ ବିହାରର ଚମ୍ପାରଣ ଓ ଗୁଜରାଟର ଖେଡ଼ା ସତ୍ୟାଗ୍ରହରେ ମହିଳାମାନଙ୍କୁ ନେତୃତ୍ବ ଦେଇଥିଲେ ବା’। ନିଶା ନିବାରଣ ଓ ବିଦେଶୀ ବର୍ଜନ କାର୍ଯ୍ୟକ୍ରମରେ ମଧ୍ୟ ସେ ସକ୍ରିୟ ଅଂଶଗ୍ରହଣ କରୁଥିଲେ।
ପରବର୍ତ୍ତୀ ସମୟରେ ଗାନ୍ଧୀଜୀଙ୍କ ସହିତ ସାରା ଭାରତ ଗସ୍ତ କରି ନାରୀ ଜାଗରଣ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମର ମଙ୍ଗ ଧରିବା ପାଇଁ କସ୍ତୁରବା ପଣ କରିଥିଲେ ଯେମିତି। ସେହି କ୍ରମରେ ହାୱଡ଼ା-ପୁରୀ ରେଳ ଯୋଗେ ଆସି ଗାନ୍ଧୀ ଦଂପତି କଟକରେ ପହଞ୍ଚିଥିଲେ। ସେହିଦିନ ଅର୍ଥାତ୍ ମାର୍ଚ୍ଚ ମାସ ୨୩ ତାରିଖ ଅପରାହ୍ଣରେ କାଠଯୋଡ଼ି ନଈବାଲିରେ ଅନୁଷ୍ଠିତ ଏକ ବିଶାଳ ସଭାରେ ଗାନ୍ଧୀଜୀ ଓ ଉତ୍କଳମଣି ଗୋପବନ୍ଧୁଙ୍କ ସହିତ ମଞ୍ଚ ମଣ୍ଡନ କରିଥିଲେ କସ୍ତୁରବା। ତା’ ପର ଦିନ ଅର୍ଥାତ୍ ମାର୍ଚ୍ଚ ୨୪ ତାରିଖ ଅପରାହ୍ଣରେ ମହିଳାମାନଙ୍କୁ ସମ୍ବୋଧିତ କରିଥିଲେ ଗାନ୍ଧୀଜୀ। ପ୍ରାୟ ସବୁ ସଭାରେ ଉପସ୍ଥିତ ରହୁଥିଲେ କସ୍ତୁରବା। ସେହି ଆଗମନ ସମୟରେ ଗାନ୍ଧୀଜୀ ମାର୍ଚ୍ଚ ୨୫ ତାରିଖ ଦିନ ସକାଳେ ଭଦ୍ରକରେ ପହଞ୍ଚିଥିଲେ ଏବଂ ସଂଧ୍ୟାରେ ଏକ ବିରାଟ ଜନସଭାରେ ଯୋଗ ଦେଇଥିବା ବେଳେ, ୨୬ ତାରିଖ ସକାଳେ ସତ୍ୟବାଦୀରେ ପହଞ୍ଚି ଅପରାହ୍ଣରେ ବକୁଳବନରେ ସଭା କରିଥିଲେ। ସଂଧ୍ୟାରେ ପୁରୀଠାରେ ଅନୁଷ୍ଠିତ ସଭାରେ ଉଦ୍ବୋଧନ ଦେଇଥିଲେ ଏବଂ ଉତ୍କଳମଣିଙ୍କ ସହିତ ସସ୍ତ୍ରୀକ ଶ୍ରୀମନ୍ଦିର ଯାଇ ଶ୍ରୀଜିଉମାନଙ୍କୁ ଦର୍ଶନ କରିଥିଲେ। ୨୭ ତାରିଖ ଅପରାହ୍ଣରେ ମହିଳାମାନଙ୍କୁ ସମ୍ବୋଧିତ କରିଥିଲେ ବାପୁ। ୨୯ ତାରିଖରେ ସେ ବ୍ରହ୍ମପୁର ଗସ୍ତ କରିଥିଲେ।
ଗାନ୍ଧୀଜୀ ୧୯୨୫ ମସିହା ଅଗଷ୍ଟ ମାସରେ କଟକ ଆସି ମଧୁବାବୁଙ୍କ ଆତିଥେୟତା ଗ୍ରହଣ କରିଥିଲେ ଏବଂ ୧୯୨୭ ମସିହା ଡିସେମ୍ବର ମାସରେ ପାରଳାଖେମୁଣ୍ଡିରୁ ଗସ୍ତ ଆରମ୍ଭ କରି ଭଦ୍ରକ ଏବଂ ସେଠାରୁ ଫେରି କଟକରେ ଗସ୍ତ କର୍ମ ଶେଷ କରିଥିଲେ। ଗାନ୍ଧୀଜୀଙ୍କର ଏହି ଦ୍ବିତୀୟ ଓ ତୃତୀୟ ଗସ୍ତ ସମୟରେ ବା’ ଓଡ଼ିଶା ଆସି ନଥିଲେ। ଗାନ୍ଧୀଜୀଙ୍କ ଚତୁର୍ଥ ଓଡ଼ିଶା ଗସ୍ତ ଥିଲା ସଂକ୍ଷିପ୍ତ ଅଥଚ ଗୁରୁତ୍ବପୂର୍ଣ୍ଣ। ଓଡ଼ିଶାର ପଶ୍ଚିମ ଭାଗକୁ ତାହା ଥିଲା ମହାତ୍ମାଙ୍କ ପ୍ରଥମ ଆଗମନ। ବମ୍ବେରୁ କଲିକତା ଯିବା ବାଟରେ ୧୯୨୮ ମସିହା ଡିସେମ୍ବର ୨୧ ତାରିଖ ବିଳମ୍ବିତ ରାତିରେ ସେ ଝାରସୁଗୁଡ଼ାରେ ଓହ୍ଲାଇ ୨୨ ତାରିଖରେ ସମ୍ବଲପୁରରେ ପହଞ୍ଚିଥିଲେ। ସାଙ୍ଗରେ ଥିଲେ କସ୍ତୁରବା। ଦିବସ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମରେ ବାପୁଙ୍କ ସହିତ ବା’ ଯୋଗ ଦେଇଥିଲେ। ସକାଳେ ମହାନଦୀ ବାଲିରେ ସଭା ହୋଇଥିବା ବେଳେ ସଂଧ୍ୟାରେ ନାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ସଭା ଆୟୋଜିତ ହୋଇଥିଲା। ସାଂଧ୍ୟ ସଭାରେ ଅଭୂତପୂର୍ବ ସମାଗମ ହୋଇଥିଲା। ଓଡ଼ିଶାର ପଶ୍ଚିମ ଦିଗନ୍ତରେ ନାରୀ ଜାଗୃତି ଥିଲା ଅନନ୍ୟ। ରାତିରେ ବାପୁ ଓ ବା’ ଫେରିଥିଲେ କଲିକତା।
ଗାନ୍ଧୀଜୀଙ୍କ ପଞ୍ଚମ ଓ ଷଷ୍ଠ ଓଡ଼ିଶା ଆଗମନ ହରିଜନ ପଦଯାତ୍ରା ସହିତ ଜଡ଼ିତ। ଏହି ସମୟ ମଧ୍ୟରେ କସ୍ତୁରବା ଜେଲ୍ରେ ଥିଲେ ଏବଂ ପରେ ଜେଲ୍ରୁ ମୁକୁଳି ଥିଲେ ମଧ୍ୟ ଭଗ୍ନ ସ୍ବାସ୍ଥ୍ୟ ଯୋଗୁଁ ବାପୁଙ୍କ ସାଙ୍ଗରେ ଓଡ଼ିଶା ଆସି ପାରିନଥିଲେ। ମହାତ୍ମାଙ୍କ ସପ୍ତମ ଓଡ଼ିଶା ଆଗମନ ଖୁବ୍ ଗୁରୁତ୍ବପୂର୍ଣ୍ଣ। ପୁରୀ ଜିଲ୍ଲା ଡେଲାଙ୍ଗର ବେରବୋଇଠାରେ ଗାନ୍ଧୀ ସେବାସଂଘର ଅଧିବେଶନ ଏକ ସପ୍ତାହ ଧରି ଅନୁଷ୍ଠିତ ହୋଇଥିଲା। ପ୍ରଥମ ଥର ପାଇଁ ଗାନ୍ଧୀଜୀ ଓଡ଼ିଶାର ଗୋଟିଏ ସ୍ଥାନରେ ସାତ ଦିନ (୧୯୩୮ ମାର୍ଚ୍ଚ ୨୫ରୁ ୩୧ ତାରିଖ) ଧରି ରହିଥିଲେ। କଂଗ୍ରେସ୍ର ତୁଙ୍ଗନେତା ରାଜେନ୍ଦ୍ର ପ୍ରସାଦ, କୃପାଳିନୀ, ପଟେଲ ଓ ମୌଲାନା ତ ଏହି ସମୟ ମଧ୍ୟରେ ବେରବୋଇରେ ରହିଥିଲେ। ଗାନ୍ଧୀଜୀଙ୍କ ସହିତ କସ୍ତୁରବା, ପୁତ୍ର ମଣିଲାଲ, ପୁତ୍ରବଧୂ ସୁଶୀଳା ଏବଂ ପାଞ୍ଚବର୍ଷ ବୟସ୍କ ପୌତ୍ର ଅରୁଣ ମଧ୍ୟ ଡେଲାଙ୍ଗରେ ସାତଦିନ ବିତାଇଥିଲେ।
କଥା ହେଲା ଗାନ୍ଧୀ ସେବା ସଂଘ ଅଧିବେଶନର ଚତୁର୍ଥ ଦିନ ଅର୍ଥାତ୍ ମାର୍ଚ୍ଚ ୨୮ ତାରିଖ ଦିନ କସ୍ତୁରବା, ଦୁର୍ଗାବେନ୍ ପ୍ରମୁଖ ପୁରୀ ଯାଇଥିଲେ। ତେବେ ପୁରୀ ଯିବା ପାଇଁ ଗାନ୍ଧୀଜୀଙ୍କର ଆପତ୍ତି ନ ଥିଲା, ଆପତ୍ତି ଥିଲା କିନ୍ତୁ ଶ୍ରୀମନ୍ଦିର ଯିବା ପାଇଁ। ଦଳିତମାନଙ୍କ ପାଇଁ ସେତେବେଳେ ପ୍ରବେଶ ନିଷିଦ୍ଧ ଥିବା ମନ୍ଦିରକୁ ରଚନାତ୍ମକକର୍ମୀମାନେ ନଯାଆନ୍ତୁ ବୋଲି ଗାନ୍ଧୀଜୀ ଚାହୁଁଥିଲେ। କିନ୍ତୁ ମନ୍ଦିରକୁ ଯାଇଥିବାରୁ ବା’ ଓ ଦୁର୍ଗାବେନ୍ଙ୍କୁ ଅନୁତାପ କରିବାକୁ ପଡ଼ିଥିଲା।
ବାପୁ ଓ ବା’ଙ୍କ ବାରମ୍ବାର ଓଡ଼ିଶା ଆଗମନ ଫଳରେ ଓଡ଼ିଶାରେ ଜନଜାଗରଣ ବିଶେଷ କରି ନାରୀ ଜାଗରଣ ତୀବ୍ର ହୋଇଥିଲା। ତଥାକଥିତ ଅନଗ୍ରସର ଓଡ଼ିଶାର ନାରୀମାନେ ସ୍ବାଧୀନତା ସଂଗ୍ରାମ ଓ ଅନ୍ୟାନ୍ୟ କ୍ଷେତ୍ରରେ ଅଗ୍ରଣୀ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ରମାଦେବୀ, ସରଳା ଦେବୀ, ମାଳତୀ ଦେବୀ, ରମ୍ଭା ଦେବୀ, ଅନ୍ନପୂର୍ଣ୍ଣା ଦାସ, ପାର୍ବତୀ ଗିରି, ଗୋଦାବରୀ ଦେବୀ ଏବଂ ଅନ୍ୟ ଅନେକ ମହିଳା ଦେଶ ପାଇଁ ନିଜ ନିଜକୁ ସଂପୂର୍ଣ୍ଣ ସମର୍ପଣ କରିଥିଲେ। କସ୍ତୁରବାଙ୍କ ତ୍ୟାଗ, ତିତିକ୍ଷା ଓ ନେତୃତ୍ବର ଦୃଢ଼ତା ସାରା ଭାରତର ନାରୀମାନଙ୍କ ପାଇଁ ଉଦାହରଣ ପାଲଟିଥିଲା। ବାପୁଙ୍କ ନୀତି ଓ ବା’ଙ୍କ ନିଷ୍ଠା ପିଢ଼ିପିଢ଼ିର ମହିଳାମାନଙ୍କୁ ପ୍ରଚୋଦିତ କରିଥିଲା। ଫଳରେ ସ୍ବାଧୀନତା ସଂଗ୍ରାମ ପଛରେ ଆରମ୍ଭ କରି ମଧ୍ୟ ଆଗରେ ପହଞ୍ଚି ପାରିଥିଲା ଓଡ଼ିଶା।