ଚାଷରୁ ଆୟ ଲାଗି କର ଦେବାକୁ ହେବ କି?

ସରଳ ବିଚାର - ସରଳ କୁମାର ଦାସ

ତିନିଟି କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଚାଷୀଙ୍କ ଆନ୍ଦୋଳନ ଚାଲିଥିବା ବେଳେ ଏହାକୁ କଟାକ୍ଷ କରି ବିରୋଧ କରୁଥିବା କେହି କେହି କହିଥାଆନ୍ତି ଯେ ଚାଷୀମାନେ ସେମାନଙ୍କ କୃଷି ଆୟ ଉପରେ କୌଣସି ଆୟକର ନ ଦେଇ ଏମିତିରେ ଲାଭରେ ଅଛନ୍ତି। ହଁ, ଏହା ସତ ଯେ ବର୍ତ୍ତମାନ ଦେଶରେ କୃଷି ଆୟ ଆୟକର ପରିସରଭୁକ୍ତ ନୁହେଁ। ଅବଶ୍ୟ ଦେଶର ପ୍ରାୟ ୮୭% ଚାଷୀ କ୍ଷୁଦ୍ର ବା ନାମମାତ୍ର ଚାଷୀ ହୋଇଥିବାରୁ ସେମାନଙ୍କ ଆୟ ଏତେ ନଗଣ୍ୟ ଯେ ତାହା କୌଣସିମତେ କର ପରିସରଭୁକ୍ତ ହୁଅନ୍ତା ନାହିଁ। ତେଣୁ କୃଷି ଆୟ ଉପରେ ଆୟକର ବ୍ୟବସ୍ଥା ଥିଲେ ହୁଏତ ମୁଷ୍ଟିମେୟ ବଡ଼ ଚାଷୀଙ୍କୁ ଆୟକର ଦେବାକୁ ପଡୁଥାଆନ୍ତା। ତେବେ ନୂଆ କୃଷି ଆଇନ ପ୍ରଣୟନ ପରେ କୃଷି ଆୟକର ପରିସରଭୁକ୍ତ ହେବାର ଆଶଙ୍କା ଦେଖା ଦେଲାଣି, ଅଥଚ ତାହାକୁ ନେଇ ସାଧାରଣରେ ବିଶେଷ ଆଲୋଚନା ପରିଲକ୍ଷିତ ହେଉନାହିଁ।

ଚାଷୀମାନେ ସେମାନଙ୍କ କୃଷି ଆୟ ଉପରେ ଆୟକର ଦେଉ ନ ଥିଲେ ବି ସେମାନେ ଯେ ସମ୍ପୂର୍ଣ୍ଣ ରୂପେ କର ପରିସର ବାହାରେ ରହି କୌଣସି କର ଦିଅନ୍ତି ନାହିଁ, ତାହା କହିବା ଠିକ ନୁହେଁ। କେବଳ ବିହନ, ପଶୁ ଖାଦ୍ୟ ଓ କୁକୁଡ଼ା ଖାଦ୍ୟକୁ ବାଦ ଦେଇ କୃଷି ପାଇଁ ଆବଶ୍ୟକ ଅଧିକାଂଶ ଉପାଦାନ ପାଇଁ ସେମାନଙ୍କୁ ଜିଏସ୍‌ଟି ଦେବାକୁ ହୋଇଥାଏ। ସେମାନଙ୍କୁ ବିଭିନ୍ନ ପ୍ରକାର ସାର ଉପରେ ୫% ଜିଏସ୍‌ଟି ଦେବାକୁ ପଡୁଥିବା ବେଳେ ଟ୍ରାକ୍ଟର, ଅନ୍ୟାନ୍ୟ କୃଷି ଯନ୍ତ୍ରପାତି, ପମ୍ପ୍‌, ଡ୍ରିପ୍‌, ସ୍ପ୍ରିଙ୍କଲର ଆଦି ଉପରେ ୧୨% ଜିଏସ୍‌ଟି ଦେବାକୁ ହୋଇଥାଏ। ଏପରିକି ରୋଗପୋକ ନିୟନ୍ତ୍ରଣ କରିବାକୁ ଆବଶ୍ୟକ ହେଉଥିବା କୀଟନାଶକ ଉପରେ ସର୍ବାଧିକ ୧୮% ଜିଏସ୍‌ଟି ଦେବାକୁ ହୋଇଥାଏ। ‘ସାଉଥ ଏସିଆ ବାଇଓଟେକ୍ନୋଲୋଜି ସେଣ୍ଟର’ ନାମକ ସଂସ୍ଥାର ଆକଳନ ଅନୁସାରେ କୃଷି ଉପାଦାନ ଉପରେ ଦେଶରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଠାରୁ ବାର୍ଷିକ ୧୪୫୦୦ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥାଏ। ଏହି ଉପାଦାନଗୁଡ଼ିକ କୃଷି କାର୍ଯ୍ୟ ପାଇଁ ଆବଶ୍ୟକ କଞ୍ଚାମାଲ ହୋଇଥିଲେ ବି ଚାଷୀମାନେ ହେଉଛନ୍ତି ଏହି ଭଳି ଏକ ମାତ୍ର ଶ୍ରେଣୀର ବ୍ୟବସାୟୀ ଯେଉଁମାନେ ଅନ୍ୟମାନଙ୍କ ପରି ‘ଇନପୁଟ ଟ୍ୟାକ୍‌ସ କ୍ରେଡିଟ’ ଦାବି କରି ପାରି ନ ଥାଆନ୍ତି; ଅର୍ଥାତ୍, ସେମାନେ କଞ୍ଚାମାଲ ଉପରେ ଦେଇଥିବା ଟିକସକୁ ଫେରସ୍ତ ପାଇ ପାରି ନ ଥାଆନ୍ତି। ଏହାର କାରଣ କୃଷି ଉତ୍ପାଦଗୁଡ଼ିକ ଉପରେ କୌଣସି ଜିଏସ୍‌ଟି ନ ଲାଗିବା। ଦେଶର ରାଜକୋଷକୁ ଏହି ବିପୁଳ ପରିମାଣର କର ପ୍ରଦାନ ମାଧ୍ୟମରେ ଚାଷୀମାନଙ୍କ ସହଯୋଗକୁ ଅଣଦେଖା କରିବା ସର୍ବାଦୌ ଅନୁଚିତ।

ଆୟକର ଆଇନ, ୧୯୬୧ର ଧାରା ୨(୧କ)ରେ କୃଷି ଆୟର ସଂଜ୍ଞା ନିରୂପିତ ହୋଇଛି। ତଦନୁଯାୟୀ, (କ) ଭାରତରେ ଥିବା କୌଣସି ଜମି କୃଷି କ୍ଷେତ୍ରରେ ନିୟୋଜିତ ହୋଇ ସେଥିରୁ ମିଳୁଥିବା ଭଡ଼ା ବା ଆୟ, (ଖ) ଏ ଭଳି ଜମିରେ କୃଷି କାର୍ଯ୍ୟ ଦ୍ୱାରା ହେଉଥିବା ଉତ୍ପାଦ ଓ ସେହି କୃଷି ଉତ୍ପାଦକୁ ବିକ୍ରିଯୋଗ୍ୟ କରିବା ପାଇଁ ତାହାର ପ୍ରକ୍ରିୟାକରଣ, (ଗ) ଏହି ଧାରାର ସର୍ତ୍ତକୁ ପୂରଣ କରି ଫାର୍ମ‌୍ ହାଉସ୍‌ରୁ ହେଉଥିବା ଆୟ, (ଘ) ନର୍ସରିରେ ଚାରା, ପୁଆ ଆଦି ବିକ୍ରି ଲବ୍‌ଧ ଆୟକୁ କୃଷି ଆୟ ଭାବେ ଗ୍ରହଣ କରାଯାଇଥାଏ। ଅର୍ଥାତ୍, କୌଣସି ଜମିରୁ ଉତ୍ପାଦିତ ରୋପିତ ବୃକ୍ଷ ଏବଂ କୃଷିଜାତ ଦ୍ରବ୍ୟର ବିକ୍ରି ଲବ୍‌ଧ ଆୟ, ବିହନ, ଚାରା ଆଦିରୁ ଆୟ, କୃଷି କାର୍ଯ୍ୟରେ ବ୍ୟବହୃତ ଚାଷଜମିର ଭଡ଼ା, ଫୁଲ ଚାଷ, ଲତା ଜାତୀୟ ଚାଷରୁ ଆୟ, କୃଷି କାର୍ଯ୍ୟ ଓ ଉତ୍ପାଦରେ ନିୟୋଜିତ ଅଂଶୀଦାରଠାରୁ ମିଳୁଥିବା ଲାଭ ଓ ପୁଞ୍ଜି ଉପରେ ସୁଧ ଆଦି କୃଷି ଆୟ ଭାବେ ବିବେଚିତ। ଅନ୍ୟ ପକ୍ଷରେ ଗୋପାଳନ ଓ ଦୁଗ୍‌ଧଜାତ ଦ୍ରବ୍ୟ, କୁକୁଡ଼ା ଚାଷ, ମହୁ ଚାଷ, କୌଣସି ସଂସ୍ଥା ବା କମ୍ପାନିରୁ କୃଷି ଆୟରୁ ମିଳୁଥିବା ଲାଭାଂଶ, ଜମିରେ ଥିବା ବା ଆପେ ଆପେ ଉଠିଥିବା ଗଛର ବିକ୍ରି ଲବ୍‌ଧ ଅର୍ଥ, ଲୁଣ ଚାଷ, ଠିଆ ଫସଲର କ୍ରୟ ଜନିତ ଲାଭ, ଜମିରେ ଥିବା ଖଣିଜ ସମ୍ପଦରୁ ମିଳୁଥିବା ରୟାଲଟି ଆଦି ଅଣ କୃଷି ଆୟ ଭାବେ ବିବେଚିତ। ଆୟକର ଆଇନ, ୧୯୬୧ର ଧାରା ୧୦(୧) ଅନୁଯାୟୀ କୃଷି ଆୟ ଆୟକରମୁକ୍ତ ଅଟେ।

୧୯୫୭ ମସିହାରେ ଆୟକର କମିସନର ବନାମ ରାଜା ବିନୟ କୁମାର ସାହସ ରାୟ ମାମଲାରେ ସୁପ୍ରିମ କୋର୍ଟ କୃଷି ଆୟକୁ ବ୍ୟାଖ୍ୟା କରି ଅଧିକ ସ୍ପଷ୍ଟ କରିଛନ୍ତି। ରାଜା ବିନୟ କୁମାର ସାହସ ରାୟଙ୍କର ୬୦୦୦ ଏକର ପରିମିତ ଜଙ୍ଗଲ ଜମିରେ ଥିବା ଶାଳ, ପିଆଶାଳ ଆଦି ଗଛରୁ ହେଉଥିବା ଆୟକୁ ସେ କୃଷି ଆୟ ବୋଲି ଦର୍ଶାଇ ତାହା ଆୟକରମୁକ୍ତ ବୋଲି ଦାବି କରିଥିବାରୁ ଏହି ମାମଲାଟି ସୁପ୍ରିମ କୋର୍ଟଙ୍କ ପର୍ଯ୍ୟନ୍ତ ପହଞ୍ଚିଥିଲା। ସୁପ୍ରିମ କୋର୍ଟଙ୍କ ତର୍ଜମା ଅନୁଯାୟୀ ଶ୍ରମ ଓ କୌଶଳର ବିନିଯୋଗ କରି ଜମିରେ ଚାଷ କରିବାକୁ ମୋଟାମୋଟି ଭାବେ କୃଷି ବୋଲି ଗ୍ରହଣ କରାଯାଉଥିଲେ ବି ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ କୃଷି ଭାବେ ବିବେଚିତ ହେବା ପାଇଁ ସେଥିରେ ଅନ୍ତତଃ ଦୁଇ ପ୍ରକାର କାର୍ଯ୍ୟ–ମୌଳିକ କାର୍ଯ୍ୟ ଓ ପରବର୍ତ୍ତୀ କାର୍ଯ୍ୟ- ସନ୍ନିବେଶିତ ଥିବା ନିହାତି ଆବଶ୍ୟକ। ଜମି ହଳ କରିବା, ବିହନ ବୁଣିବା, ତଳି ବା ଚାରା ରୋପଣ କରିବା ଓ ଜମିରେ ହେଉଥିବା ଏହି ଧରଣର ସମସ୍ତ ଆନୁଷଙ୍ଗିକ କାର୍ଯ୍ୟକୁ ମୌଳିକ କାର୍ଯ୍ୟ ଭାବେ ଗ୍ରହଣ କରାଯାଇଥାଏ। ଅବଶ୍ୟ ଜମିରେ ବିହନ ଗଜା ବା ଅଙ୍କୁରୋଦ୍‌ଗମ ହେବା ପରେ ଫସଲରୁ ଉପଯୁକ୍ତ ଅମଳ ପାଇବା ପାଇଁ ଚାଷୀକୁ ଅନ୍ୟାନ୍ୟ ଅନେକ ପ୍ରକାର କୃଷି ପାଇଁ ଅପରିହାର୍ଯ୍ୟ କାର୍ଯ୍ୟ କରିବାକୁ ହୋଇଥାଏ। ଅଙ୍କୁରୋଦ୍‌ଗମ ପରେ ବଛାବଛି ଠାରୁ ଆରମ୍ଭ କରି ରୋଗପୋକ ନିୟନ୍ତ୍ରଣ, ଫସଲକୁ ଛେଳି ବା ଗାଈଗୋରୁଙ୍କ ଦାଉରୁ ରକ୍ଷା କରିବା ପାଇଁ ବାଡ଼ ବୁଜିବା, କଟାକଟି (ପ୍ରୁନିଂ, କଟିଂ, ଫେଲିଂ), ଅମଳ, ଉତ୍ପାଦକୁ ବିକ୍ରିଯୋଗ୍ୟ କରିବା ଭଳି ସମସ୍ତ କାର୍ଯ୍ୟ ପରବର୍ତ୍ତୀ କାର୍ଯ୍ୟ ପର୍ଯ୍ୟାୟବାଚୀ। ଉଭୟ ମୌଳିକ କାର୍ଯ୍ୟ ଓ ପରବର୍ତ୍ତୀ କାର୍ଯ୍ୟ କରା ହୋଇଥିଲେ ଯାଇ ତାହା କୃଷି କାର୍ଯ୍ୟ ବୋଲି ବିବେଚିତ ହେବ। ଅର୍ଥାତ୍, ମୌଳିକ କାର୍ଯ୍ୟ ନ କରି କେବଳ ପରବର୍ତ୍ତୀ କାର୍ଯ୍ୟ କରାଯାଇଥିଲେ ତାହା କୃଷି କାର୍ଯ୍ୟ ବୋଲି ଗ୍ରହଣୀୟ ହେବ ନାହିଁ। ଉଦାହରଣ ସ୍ୱରୂପ, ଜମିରେ ପୂର୍ବରୁ ଥିବା ଗଛର ରକ୍ଷଣାବେକ୍ଷଣ ‘ପରବର୍ତ୍ତୀ କାର୍ଯ୍ୟ’ ହୋଇଥିଲେ ବି ତାହା କୃଷି କାର୍ଯ୍ୟ ନୁହେଁ। କେବଳ ମୌଳିକ କାର୍ଯ୍ୟ କରି ବିହନ ଅଙ୍କୁରୋଦ୍‌ଗମ ପରେ କରାଯାଉଥିବା ‘ପରବର୍ତ୍ତୀ କାର୍ଯ୍ୟ’ ହିଁ କୃଷି କାର୍ଯ୍ୟ ଅନ୍ତର୍ଭୁକ୍ତ।

ସିଜିଏସ୍‌ଟି ଆଇନ, ୨୦୧୭ର ଧାରା ୨ର ଉପଧାରା ୭ ଅନୁଯାୟୀ ଜଣେ ବ୍ୟକ୍ତିବିଶେଷ ବା ଅବିଭକ୍ତ ହିନ୍ଦୁ ପରିବାରକୁ କୃଷକ ବୋଲି କହି ହେବ, ଯଦି ନିଜ ଶ୍ରମ, ପରିବାର ଶ୍ରମ, ମୂଲିଆଙ୍କୁ ପାରିଶ୍ରମିକ ଦେଇ ବା ଶ୍ରମିକଙ୍କୁ ଭଡ଼ାରେ ଆଣି ଜମି ଚାଷ କରାଯାଉଥିବ। ପରବର୍ତ୍ତୀ ସମୟରେ ଅନ୍ୟ ଏକ ବିଜ୍ଞପ୍ତି ଜରିଆରେ ‘କୃଷି ଉତ୍ପାଦ’ର ସଂଜ୍ଞା ନିରୂପିତ ହେଲା। ତଦନୁସାରେ ଫସଲ ଚାଷ, ବିଭିନ୍ନ ପ୍ରଜାତିର ପଶୁପାଳନ (ଅଶ୍ୱ ପାଳନ ବ୍ୟତୀତ)ରୁ ଖାଦ୍ୟ, ତନ୍ତୁ, ଜାଳେଣି, କଞ୍ଚା ମାଲ ବା ଅନ୍ୟ ଅନୁରୂପ ଦ୍ରବ୍ୟ ଉଦ୍ଦେଶ୍ୟରେ ପ୍ରସ୍ତୁତ ଯେ କୌଣସି ଉତ୍ପାଦକୁ କୃଷି ଉତ୍ପାଦ ବୋଲି କହି ହେବ। ଅବଶ୍ୟ ଚାଷୀ ବା ଉତ୍ପାଦକ ଦ୍ୱାରା ଉତ୍ପାଦିତ ସାମଗ୍ରୀର ଯେମିତି କୌଣସି ପ୍ରକ୍ରିୟାକରଣ ହୋଇ ନ ଥିବ ବା ଏହାକୁ ପ୍ରାଥମିକ ବଜାରରେ ବିକ୍ରିଯୋଗ୍ୟ କରିବା ପାଇଁ ସର୍ବନିମ୍ନ ପ୍ରକ୍ରିୟାକରଣ ହୋଇଥିବ; ଯହିଁରେ ଏହାର ଅପରିହାର୍ଯ୍ୟ ବୈଶିଷ୍ଟ୍ୟର ପରିବର୍ତ୍ତନ ହୋଇ ନ ଥିବ। ଉଦାହରଣ ସ୍ୱରୂପ ଚାଷୀ ଦ୍ୱାରା ଉତ୍ପାଦିତ ଅଦାକୁ କୃଷି ଉତ୍ପାଦ ଭାବେ ଗ୍ରହଣ କରାଯାଉଥିଲେ ବି ତାହାର ଚୋପା ଛଡ଼ାଇ ତାକୁ ଶୁଖାଇ ପ୍ରସ୍ତୁତ ହେଉଥିବା ଶୁଣ୍ଠିକୁ କୃଷି ଉତ୍ପାଦ ଭାବେ ଗ୍ରହଣ କରା ଯାଇ ନ ଥାଏ। ଚାଷୀ ଦ୍ୱାରା ଉତ୍ପାଦିତ କଞ୍ଚା ହଳଦୀ କୃଷି ଉତ୍ପାଦ ହୋଇଥିବା ବେଳେ ସେହି ହଳଦୀର ପ୍ରକ୍ରିୟାକରଣ ପରେ ପ୍ରସ୍ତୁତ ଶୁଖିଲା ହଳଦୀ ବା ହଳଦୀ ଗୁଣ୍ଡକୁ କୃଷି ଉତ୍ପାଦ ଭାବେ ଗ୍ରହଣ କରା ଯାଇ ନ ଥାଏ। କାରଣ ଏହି ପ୍ରକ୍ରିୟାକରଣ ଦ୍ୱାରା ଉତ୍ପାଦଟିର ଅପରିହାର୍ଯ୍ୟ ବୈଶିଷ୍ଟ୍ୟରେ ପରିବର୍ତ୍ତନ ହେବା ସହ ଏହି କାର୍ଯ୍ୟ ପାଇଁ କୁଶଳୀ ଶ୍ରମଶକ୍ତିର ଆବଶ୍ୟକତା ଉପୁଜିଥାଏ। ଜିଏସ୍‌ଟି ଆଇନରେ କୃଷି ଉତ୍ପାଦ ଉପରେ କୌଣସି କର ବ୍ୟବସ୍ଥା ନ ଥିଲେ ବି ସେଗୁଡ଼ିକର ପ୍ରକ୍ରିୟାକରଣ ପରେ ପ୍ରସ୍ତୁତ ଉତ୍ପାଦକୁ କୃଷି ଉତ୍ପାଦ ଶ୍ରେଣୀଭୁକ୍ତ କରାଯାଉ ନ ଥିବାରୁ ସେହି ଦ୍ରବ୍ୟଗୁଡ଼ିକ ଉପରେ କରର ପ୍ରାବଧାନ ରହିଛି, ଯାହା ଜିଏସ୍‌ଟି ଆଇନ ପ୍ରଣୟନ ପୂର୍ବରୁ ନ ଥିଲା। କୃଷି, ବନୀକରଣ, ମତ୍ସ୍ୟ, ପଶୁପାଳନ ଲାଗି ଯେଉଁ ସହାୟକ ସେବାଗୁଡ଼ିକୁ ଜିଏସ୍‌ଟିରେ କରମୁକ୍ତ କରାଯାଇଛି, ସେଗୁଡ଼ିକ ହେଲା କମିସନ ଏଜେଣ୍ଟ ସେବା, ଗୋଦାମ ଓ ଭଣ୍ଡାରଣ ସେବା, ଠିକା କାମ (ଜବ୍‌ ୱାର୍କ) ସେବା, ମାଲ ବୋଝେଇ ଓ ଖଲାସ ସେବା, ପରିବହନ ସେବା, କୃଷିଭିତ୍ତିକ ଯନ୍ତ୍ରପାତି ଓ ଖାଲି ଜମି ଭଡ଼ା ଲଗାଣ ଇତ୍ୟାଦି। ଉଲ୍ଲେଖଯୋଗ୍ୟ, ଜିଏସ୍‌ଟି ଆଇନରେ ଯନ୍ତ୍ରପାତିର ଭଡ଼ା ପ୍ରଦାନ କର ପରିସରଭୁକ୍ତ ହୋଇ ନ ଥିଲେ ବି ‘କଣ୍ଟ୍ରାକ୍ଟ ଫାର୍ମିଂ’ ଲାଗି ଚାଷୀ ଲିଜ୍‌ ବା ଭଡ଼ା ଆକାରରେ ଦେଉଥବା ତାର ଚାଷ ଜମି ଜିଏସ୍‌ଟି କର ପରିସର ବାହାରେ ରହିବ କି ନାହିଁ, ସେ ସମ୍ପର୍କରେ ଜିଏସ୍‌ଟି ଆଇନରେ ସ୍ପଷ୍ଟ ଭାବେ କୌଣସି ଉଲ୍ଲେଖ ନାହିଁ।

ସିଜିଏସ୍‌ଟି ଆଇନ, ୨୦୧୭ର ସିଡ୍ୟୁଲ ୨ର ପାରା ୨ ଅନୁଯାୟୀ ଜମିକୁ କୌଣସି ପ୍ରକାର ଲିଜ୍‌, ଭଡ଼ା ସୂତ୍ରରେ ପ୍ରଦାନ (ଟେନାନ୍‌ସି), ସୁବିଧାଧିକାର (ଇଜମେଣ୍ଟ), ଜମି ଦଖଲର ଲାଇସେନ୍‌ସ ଆଦି ଏକ ପ୍ରକାର ସେବା ହୋଇଥିବାରୁ ଏହି ସେବା ଉପରେ ୧୮% ଜିଏସ୍‌ଟି କରର ପ୍ରାବଧାନ ରହିଛି। ତେଣୁ ‘କଣ୍ଟ୍ରାକ୍ଟ ଫାର୍ମିଂ’ରେ ଚାଷୀ କମ୍ପାନିକୁ ନିଜ ଚାଷ ଜମିକୁ ଲିଜ୍‌ରେ ଦେବା ପରେ ସେ ତା’ ଜମିରେ ନିଜେ ଆଉ କୃଷି ସଂକ୍ରାନ୍ତ ମୌଳିକ କାର୍ଯ୍ୟ ବା ପରବର୍ତ୍ତୀ କାର୍ଯ୍ୟ କରି ପାରିବ ନାହିଁ ଓ ସେ ମଧ୍ୟ ଚାଷୀ ବୋଲି ପରିଗଣିତ ହେବ ନାହିଁ। ସେ କ୍ଷେତ୍ରରେ ତାର ଆୟ ଚାଷ ଜମିର ଭଡ଼ା ବାବଦକୁ ମିଳୁଥିବାରୁ, ଏ ସମ୍ପର୍କରେ ଆଇନରେ ସ୍ପଷ୍ଟତାର ଅଭାବରୁ, ତାକୁ ୧୮% ଜିଏସ୍‌ଟି ଦେବାକୁ ପଡ଼ିପାରେ। ତାହା ହେଲେ ଚାଷୀ ଅତି ଅସୁବିଧାରେ ପଡ଼ିବାର ଆଶଙ୍କା ଦେଖା ଦେବ। କାରଣ ସେଥିପାଇଁ ତାକୁ ଜିଏସ୍‌ଟିରେ ପଞ୍ଜୀକରଣ କରିବା ସହ ପ୍ରତି ବର୍ଷ ୩୭ ପ୍ରକାର ରିଟର୍ନ ଦାଖଲ କରିବାକୁ ହେବ। ପୁନଶ୍ଚ, ତାର ଆୟ କୃଷି କ୍ଷେତ୍ରରେ ମୌଳିକ କାର୍ଯ୍ୟ ଓ ପରବର୍ତ୍ତୀ କାର୍ଯ୍ୟ ନ କରି ଜମି ଲିଜ୍‌ରୁ ହେଉଥିବାରୁ ଏହା ଆଉ କୃଷି ଆୟ ଭାବେ ବିବେଚିତ ହୋଇ ନ ପାରେ। ପରବର୍ତ୍ତୀ ସମୟରେ ସମାନ କାରଣରୁ ଆୟକର ଆଇନ ଅନୁଯାୟୀ ଚାଷୀର ଏହି ଆୟ ମଧ୍ୟ ଆୟକର ପରିସରଭୁକ୍ତ ହେବାର ଆଶଙ୍କା ଦେଖା ଦେଇପାରେ। ତେଣୁ ଚାଷୀଟିଏ କମ୍ପାନିକୁ ‘କଣ୍ଟ୍ରାକ୍ଟ ଫାର୍ମିଂ’ ପାଇଁ ଜମି ପ୍ରଦାନ କଲେ ସେଥିରୁ ହେଉଥିବା ଆୟ ଉପରେ ତାକୁ କର ପ୍ରଦାନ କରିବାକୁ ହେବ କି ନାହିଁ, ତାହା ଅର୍ଥ ମନ୍ତ୍ରାଳୟ ବିଜ୍ଞପ୍ତି ଜରିଆରେ ସ୍ପଷ୍ଟ କରିବା ଉଚିତ। ନୂଆ କୃଷି ଆଇନରେ ‘କଣ୍ଟ୍ରାକ୍ଟ ଫାର୍ମିଂ’ ସାରା ଦେଶରେ ଲାଗୁ ହୋଇଥିବାରୁ କୃଷି ଆୟକର ପରିସରଭୁକ୍ତ ହେଲେ କେବଳ ପଞ୍ଜାବ, ହରିଆଣାର ଚାଷୀ ନୁହନ୍ତି, ବରଂ ଦେଶଯାକର ସାନ ବଡ଼ ଚାଷୀ ଏହା ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ଦେଖା ଦେବ। ତଦ୍ଦ୍ୱାରା କୃଷିଜାତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଘଟି ଖାଉଟି ମଧ୍ୟ ପ୍ରଭାବିତ ହୋଇପାରେ। ତେଣୁ ସ୍ଥିତିକୁ ସ୍ପଷ୍ଟ କରିବା ପାଇଁ ସରକାରୀ ସ୍ତରରେ ତୁରନ୍ତ ପଦକ୍ଷେପ ନିଆଗଲେ, ତାହା ଚାଷୀଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତ କରିବାରେ ସହାୟକ ହୋଇପାରେ।

ଭୁବନେଶ୍ବର
ମୋ: ୯୪୩୭୦୩୮୦୧୫
www.SaralJatil.com

ସମ୍ବନ୍ଧିତ ଖବର