ରାଜାରାଜୁଡ଼ା ସମୟର କଥା। ଥରେ ଜଣେ ଲୋକ କହୁ କହୁ କହିଦେଲା ‘ଆମ ଦେଶର ରାଜା ଗୋଟେ ମୂର୍ଖ।’ କଥାଟି ଗୁପ୍ତଚରମାନଙ୍କ କାନରେ ପଡ଼ିଗଲା। ତାକୁ ତୁରନ୍ତ ନେଇଗଲେ। ଦିୱାନ ସାହେବ ବିଚାର କରି ତାକୁ ଏକୋଇଶ ବର୍ଷ ସଶ୍ରମ କାରାଦଣ୍ଡ ଘୋଷଣା କଲେ। ଲୋକଟି ଦିୱାନ ସାହେବଙ୍କୁ ହାତ ଯୋଡ଼ି ପ୍ରଶ୍ନ କଲା, ‘ହଜୁର, ମୁଁ ମାନୁଛି ଯେ ରାଜା ଜଣେ ମୂର୍ଖ ବୋଲି ମୁଁ କହିଦେଇଛି, କିନ୍ତୁ ଏହି ସାମାନ୍ୟ କଥାଟିଏ ପାଇଁ ଏକୋଇଶ ବର୍ଷ ସଶ୍ରମ କାରାଦଣ୍ଡ ମୋ ପ୍ରତି ଅନ୍ୟାୟ ହେଉ ନାହିଁ କି?’ ଦିୱାନ ସାହେବ ଉତ୍ତର ଦେଇ କହିଲେ ‘ତୁମେ ରାଜାଙ୍କୁ ମୂର୍ଖ କହିଥିବାରୁ ତୁମକୁ ମାତ୍ର ବର୍ଷଟିଏ କାରାଦଣ୍ଡ ମିଳିଛି। କିନ୍ତୁ ତୁମେ ଏ କଥା କହି ଆମ ରାଜ୍ୟର ଏକ ଅତ୍ୟନ୍ତ ଗୋପନୀୟ ତଥ୍ୟ ପ୍ରକାଶ କରି ଦେଇଥିବାରୁ ତୁମକୁ ବାକି କୋଡ଼ିଏ ବର୍ଷ କାରାଦଣ୍ଡ ମିଳିଛି।’ ଦିୱାନଙ୍କର ଏହି ରାୟ ତତ୍‌କ୍ଷଣାତ୍ ଦେଶ ବିଦେଶରେ ପ୍ରଚାରିତ ହୋଇଗଲା ଓ ରାଜା ଯେ ଜଣେ ମୂର୍ଖ ପ୍ରମାଣିତ ମଧ୍ୟ ହୋଇଗଲା ।

Advertisment

ବନ୍ଧୁଗଣ, ଆମ ଭାରତବର୍ଷ ଭଳି ଶହେ ଚାଳିଶ କୋଟି ଜନସଂଖ୍ୟା ବିଶିଷ୍ଟ ସର୍ବବୃହତ୍‌ ଗଣତନ୍ତ୍ରରେ କିଏ, କ’ଣ, କେଉଁଠି କହିଦେଲା, କି ଲେଖିଦେଲା, ତାକୁ ଯଦି ଅତ୍ୟଧିକ ପ୍ରାଧାନ୍ୟ ଦିଆଯାଏ, ତେବେ ସେମାନଙ୍କର ସେହି କଥାଗୁଡ଼ିକ ଓ ଲେଖାଗୁଡ଼ିକ ଅଧିକରୁ ଅଧିକ ପ୍ରଚାର ପାଏ ନାହିଁ କି? ଥରେ ଜଣେ ଗବେଷକ କୌଣସି ଏକ ରାଜ୍ୟ ଉପରେ ଗବେଷଣା କରି ଲେଖିଦେଲେ ଯେ ସେହି ରାଜ୍ୟର ଅଧିବାସୀମାନେ ଅତ୍ୟନ୍ତ ଅସହିଷ୍ଣୁ ଅଟନ୍ତି। ଏ କଥା ପ୍ରକାଶ ହୋଇଗଲା ମାତ୍ରେ ସମଗ୍ର ରାଜ୍ୟରେ ନିଆଁ ଲାଗିଗଲା। ଦୋକାନ ବଜାର ସବୁ ବନ୍ଦ ହୋଇଗଲା। ଗବେଷକଙ୍କ ବିରୋଧରେ ମାନହାନି ମକଦ୍ଦମା ଠୁ ନେଇ ହତ୍ୟା ଧମକ ଏମିତି ଦିଆଗଲା ଯେ ସେ ତୁରନ୍ତ କ୍ଷମା ପ୍ରାର୍ଥନା କରି ତାଙ୍କ ମତାମତକୁ ଫେରସ୍ତ ନେବାକୁ ବାଧ୍ୟ ହୋଇଥିଲେ। ଏହା ଦ୍ବାରା ରାଜ୍ୟର କି ଉଦ୍ଦେଶ୍ୟ ସାଧିତ ହେଲା? ଗବେଷକଙ୍କ ନିଷ୍କର୍ଷ ଠିକ୍ ଥିଲା କି ଭୁଲ ଥିଲା? ଅାମେମାନେ ବର୍ତ୍ତମାନ ଟିକେ ଟିକେ କଥାରେ ସେମିତି ବ୍ୟବହାର କରୁନାହେଁ କି? କିଏ କ’ଣ ଟିକେ କହିଦେଲା ତାକୁ ଧରି ଆଣ, କିଏ କ’ଣ ଲେଖିଦେଲା, ତାକୁ ବାନ୍ଧି ଆଣ। ଏହା ଦ୍ବାରା ସେମାନଙ୍କୁ ଆମେ ଅଧିକରୁ ଅଧିକ ମହତ୍ତ୍ବ ଦେଇ ସେମାନଙ୍କର ଚୁଁ ଚୁଁ ରାବକୁ (ଟୁଇଟ୍) ଅଧିକରୁ ଅଧିକ ପ୍ରଚାର କରୁ ନାହୁଁ କି?

ଊଣେଇଶହ ଅଣଚାଶ ମସିହାର କଥା। ଭାରତୀୟ ସମ୍ବିଧାନ ଚିଠା ପ୍ରସ୍ତୁତି କମିଟିର ଚେୟାରମ୍ୟାନ ଥାଆନ୍ତି ଡକ୍ଟର ବାବାସାହେବ ଆମ୍ବେଦକର। ପଣ୍ଡିତ ନେହରୁଙ୍କ ତାଗିଦ୍ ସତ୍ତ୍ୱେ ସମ୍ବିଧାନ ଚିଠା ପ୍ରସ୍ତୁତିରେ ଅହେତୁକ ବିଳମ୍ବ ହେଉଥିବାରୁ ସେ ସମୟରେ ପ୍ରସିଦ୍ଧ କାର୍ଟୁନିଷ୍ଟ ଶଙ୍କର ପିଲେଇ ଆ‌େମ୍ବଦକରଙ୍କୁ ଗୋଟିଏ ଗେଣ୍ଡା ପିଠିରେ ବସେଇ ଦେଇ ନେହରୁଙ୍କ ହାତରେ ଗୋଟେ ଚାବୁକ ଧରେଇ ଦେଇଥିଲେ ଓ ସମ୍ବିଧାନ ପ୍ରସ୍ତୁତିର ‘ଗେଣ୍ଡା ଗତି’ ଉପରେ ହାସ୍ୟାସ୍ପଦ ଟିପ୍ପଣି ଦେଇଥିଲେ। ଆଶ୍ଚର୍ଯ୍ୟର କଥା ଯେ ଏହି କାର୍ଟୁନଟି ପଣ୍ଡିତ ନେହରୁ ଓ ବାବାସାହେବଙ୍କ ପରି ତତ୍କାଳୀନ ପ୍ରବୀଣ ନେତୃବୃନ୍ଦ ଓ ଜନସାଧାରଣଙ୍କ ଉପରେ କୌଣସି ନକାରାତ୍ମକ ପ୍ରଭାବ ପକେଇ ନ ଥିଲା। ହେଲେ, ତାର ତେଷଠି ବର୍ଷ ପରେ ଅର୍ଥାତ୍‌ ଦୁଇହଜାର ବାର ମସିହାରେ ପାର୍ଲିଆମେଣ୍ଟ ଭିତରେ ଏହି କାର୍ଟୁନକୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଫଳରେ କ’ଣ ହେଲା ଯେଉଁମାନେ ଏହି କାର୍ଟୁନଟି ଦେଖିନଥିଲେ, ସେମାନେ ଗୁଗୁଲରେ ସର୍ଚ୍ଚ କରି ଦେଖିବାକୁ ଲାଗିଲେ। ଯାହା ୧୯୪୯ ମସିହାରେ ହସିବାର ଖୋରାକ ଯୋଗେଇଥିଲା, ତାହା ୨୦୧୨ ମସିହାରେ ସମଗ୍ର ଭାରତବର୍ଷରେ ଜାତିଆଣ ଭେଦଭାବର ମଞ୍ଜି ବୁଣିଥିଲା।

୧୯୬୨ ମସିହାରେ ଭାରତ ଚୀନ ସହିତ ଯୁଦ୍ଧରେ ହାରିଯିବା ପରେ ପ୍ରସିଦ୍ଧ କାର୍ଟୁନିଷ୍ଟ ଆର୍‌.କେ. ଲକ୍ଷ୍ମଣ ପଣ୍ଡିତ ନେହରୁଙ୍କୁ ଗୋଟିଏ ବଗିଚ‌ାରେ ବସେଇ ହାତରେ ବହି ଖଣ୍ଡେ ଧରେଇ ଗୋଲାପ ଫୁଲଟିଏକୁ ଶୁଂଘୁ ଥିବାର ଦୃଶ୍ୟ ଆଙ୍କିଥିଲେ। ପଣ୍ଡିତ ନେହରୁଙ୍କ ଅହେତୁକ ଚୀନ ପ୍ରେମ ଓ ହିନ୍ଦୀ-ଚୀନ ଭାଇ ଭାଇ ନୀତିର ପ୍ରତିଫଳନ ଏହି କାର୍ଟୁନରେ ଦର୍ଶାଯାଇଥିଲା। ଏହି କାର୍ଟୁନ ପ୍ରକାଶ ପାଇବା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତୁରନ୍ତ ଏକ ଫୋନ୍‌ ‘ଟାଇମ୍‌ସ ଅଫ ଇଣ୍ଡିଆ’ ଅଫିସକୁ ଆସିଥିଲା ଓ ଲକ୍ଷ୍ମଣଙ୍କ ସହିତ କଥା ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ପ୍ରଧାନମନ୍ତ୍ରୀଙ୍କ କ୍ରୋଧର ଶିକାର ହେବା ପାଇଁ ପ୍ରସ୍ତୁତ ହେଉଥିବା ଲକ୍ଷ୍ମଣଙ୍କୁ ପଣ୍ଡିତ ନେହରୁ ସେହି କାର୍ଟୁନର ପ୍ରଶଂସା କରି ତାହାର ଏକ ବର୍ଦ୍ଧିତ ନକଲ ଫ୍ରେମ୍‌ ବାନ୍ଧି ତାଙ୍କୁ ଦେବା ପାଇଁ ଅନୁରୋଧ କରିଥିଲେ। ଏଥିରେ ଦ୍ବିମତ ନାହିଁ ଯେ ପଣ୍ଡିତ ନେହରୁଙ୍କ ଅପରିଣାମଦର୍ଶୀ ଚୀନ ନୀତି ଯୋଗୁ ଭାରତ ପରାଜୟ ଲାଭ କରିଥିଲା କିନ୍ତୁ ଏ କଥା ସ୍ବୀକାର ନ କରି ଯଦି ପ୍ରଧାନମନ୍ତ୍ରୀ ଆର୍‌.କେ. ଲକ୍ଷ୍ମଣଙ୍କୁ ଗିରଫ କରିଥାନ୍ତେ ତେବେ ଦେଶ ବିଦେଶରେ ସମସ୍ତେ ସେହି କାର୍ଟୁନ୍‌ଟିକୁ ଦେଖିଥା‌ନ୍ତେ ଓ ଚର୍ଚ୍ଚା ମଧ୍ୟ କରିଥାନ୍ତେ।

କେବଳ ଇତିହାସ ନୁହେଁ, କିମ୍ବଦନ୍ତି ମଧ୍ୟ ଅନେକ ରାଜା ମହାରାଜାମାନଙ୍କ ସହିଷ୍ଣୁତାର ସାକ୍ଷ୍ୟ ଦେଉଛି। ହିନ୍ଦୁ ଧର୍ମର ମହାନ ଗ୍ରନ୍ଥ ରାମାୟଣରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ରାଜ୍ୟରେ କୌଣସି ଏକ ଧୋବଣୀ ରାଜା ରାମଙ୍କୁ ଲକ୍ଷ୍ୟ କରି ତା’ର ସ୍ବାମୀକୁ ପ୍ରଶ୍ନ କରୁଛି ଯେ ଯଦି ବର୍ଷାଧିକ କାଳ ରାଜାଙ୍କ ପତ୍ନୀ ପରପୁରୁଷ ଘରେ ରହି ସତୀ ବୋଲାଉଛନ୍ତି, ତେବେ ମାତ୍ର ଦୁଇ ଦିନ ଅନୁପସ୍ଥିତିରେ ସେ କାହିଁକି ଅସତୀ ହୋଇଯିବ? ଏହି ପ୍ରଶ୍ନ କେବଳ ମହାରାଣୀ ସୀତାଙ୍କ ଚରିତ୍ର ପ୍ରତି ନୁହେଁ, ସ୍ବୟଂ ମହାରାଜ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବିଚାର ବୋଧକୁ ମଧ୍ୟ ଆକ୍ଷେପ କରୁଛି। ରାଜଦ୍ରୋହ ଅପରାଧରେ ମୃତ୍ୟୁଦଣ୍ଡ ମଧ୍ୟ ଏଥି ପାଇଁ କମ ହେବ। ପ୍ରଭୁ ରାମଚନ୍ଦ୍ର କିନ୍ତୁ ଧୋବଣୀକୁ ବନ୍ଦୀ କରି ନ ଥିଲେ କି ତାକୁ କୌଣସି ଦଣ୍ଡ ଦେଇ ନ ଥିଲେ।
ବନ୍ଧୁଗଣ, ଏବେ ଯଦି ସେମିତି ହୋଇଥାନ୍ତା, ଆଉ ଧୋବଣୀ ତା’ କଥାକୁ ଟୁଇଟ୍ କରିଦେଇଥାନ୍ତା, ତେବେ କ’ଣ ହୋଇଥାନ୍ତା ଭାବିପାରୁଛନ୍ତି କି?

୯୭, ଜନପଥ, ଭୁବନେଶ୍ବର
ମୋ- ୯୪୩୭୦୬୭୫୬୭