ଜିଇବାର ଦର

ଚିନ୍ମୟ ଚିନ୍ତନ - ଚିନ୍ମୟ କୁମାର ହୋତା

ସମ୍ବାଦଟି ଥିଲା ଯେତିକି ରୋଚକ ତା’ଠୁ ଅଧିକ ବିଡ଼ମ୍ବନାଯୁକ୍ତ। ଯେଉଁ ରାଜ୍ୟର ବହୁ ସଂଖ୍ୟକ ଲୋକଙ୍କୁ ମାତ୍ର ଟଙ୍କେ ଦାମରେ ଚାଉଳ ମିଳି ଯାଉଛି, ପାଞ୍ଚ ଟଙ୍କାରେ ରନ୍ଧା ହୋଇଥିବା ଭାତ ତରକାରି ପରଷା ଯାଉଛି ଓ ମାଗଣାରେ ଆହୁରି ଅନେକ ଆବଶ୍ୟକ ଜିନିଷ ବିତରଣ କରାଯାଉଛି, ସେହି ରାଜ୍ୟର ରାଜଧାନୀରେ ବୁଲୁଥିବା ବେଳେ ଜଣକୁ ଯଦି ପରିସ୍ରା ଲାଗିଲା ତେବେ ଜାଣନ୍ତୁ ତା’ ପକେଟରୁ ଅତି କମରେ ଟଙ୍କେ ଖସିଲା। ପରିସ୍ରାଗାରର ଶ୍ରେଣୀ ବିଭାଗକୁ ଚାହିଁ ଏ ମୂଲ୍ୟ ଦୁଇ ଚାରିଗୁଣ ଅଧିକ ମଧ୍ୟ ହୋଇପାରେ। ଆଉ ଯଦି ଆପାତକାଳୀନ ପରିସ୍ଥିତି ‘ବଡ଼ ପାସ୍‌’ର ହୋଇଥାଏ, ତେବେ ଜାଣ ପାଞ୍ଚ କିଲୋ ଚାଉଳର ମୂଲ୍ୟ ହାତରୁ ଗଲା। ଅବଶ୍ୟ ଜାଣିବା ଲୋକେ ଜାଣନ୍ତି ଅତର୍ଚ୍ଛା ପରିସ୍ଥିତି ଆସି ପହଞ୍ଚିଗଲେ, ଏ ପାଞ୍ଚ ଟଙ୍କା କିଛି ବି ନୁହେଁ। କଥାରେ ଅଛି କୁଆଡ଼େ ମୋଗଲ ସମ୍ରାଟ ଆକବରଙ୍କୁ ଏହି କଥା ଥରେ ମର୍ମେ ମର୍ମେ ହୃଦୟଙ୍ଗମ କରାଇଥିଲେ ବିରବଲ।

ପିଲା ଦିନେ ଖାଲି ଦୁଇ ପାପୁଲିକୁ ଯୋଡ଼ି ଶିକ୍ଷକଙ୍କ ଉଦ୍ଦେଶ୍ୟରେ ସଂଖ୍ୟା ମାଳାର ପ୍ରଥମ ଦୁଇଟି ସଂଖ୍ୟାରୁ ଗୋଟିଏ ଉଚ୍ଚାରଣ କରି ଦେଲେ ପ୍ରକୃତିର ଡାକ ତୁଲାଇବା ପାଇଁ ଅନୁମତି ମିଳି ଯାଉଥିଲା। ଆଜି ପର୍ଯ୍ୟନ୍ତ ସେହି କାମଟି ପାଇଁ କେବଳ ନିଛାଟିଆ ସ୍ଥାନଟିଏ ଦରକାର ପଡୁଥିଲା, ମୁକ୍ତ ଆକାଶ ତଳେ ସୁଯୋଗ ବି ମିଳୁଥିଲା ପର୍ଯ୍ୟାପ୍ତ। ଫତୁରାନନ୍ଦଙ୍କ ଚରିତ୍ର ଜଗୁଲି (‘ଦି ପହରିଆ ଚଟିଘର’) ତ କଟକର ଖୋଲା କଂକ୍ରିଟ ନାଳ ବ୍ୟବସ୍ଥାକୁ ଦେଖି ତାହା ସରକାର ପ୍ରଦତ୍ତ ଫ୍ରି ପକ୍କା ଲମ୍ବା ପାଇଖାନା ବୋଲି ଧରି ନେଇଥିଲା। ସୁଲଭ ଶୌଚାଳୟ କାଳରେ ସୁ’କି ବା ଅଧୁଲିଟିଏ ଏ କାମ ପାଇଁ ଯଥେଷ୍ଟ ହେଉଥିଲା। ହେଲେ ତା’ ପାଇଁ ଆଜି ଏଇ ବର୍ଦ୍ଧିତ ମୂଲ୍ୟ ଦେବାକୁ ପଡ଼ିବ। ଆଗକୁ ପୁଣି ବଢ଼ିବ ବୋଲି ନିର୍ଦ୍ଦେଶ ହୋଇ ସାରିଛି। ହେଲେ ଦେଶ ଯଦି ସ୍ବଚ୍ଛ ହେବ ଓ ମହାନଗର ଯଦି ସ୍ମାର୍ଟ ହେବ ତେବେ ସାଧାରଣ ଜନତାକୁ କିଛି ମୂଲ୍ୟ ଦେବାକୁ ତ ପଡ଼ିବ।

ଆଜି ସିନା ନିଜର ଅଧିକାର ବୋଲି ଆମେ ଧରି ନେଇଥିବା ଏହି ପ୍ରକ୍ରିୟାଟି ସମ୍ପାଦନ କରିବା ପାଇଁ ମହାସୁଲ ଦେବାକୁ ପଡ଼ିବାରୁ ଆମକୁ ବେଦନାଦାୟକ ମନେ ହେଉଛି, ହେଲେ ମଣିଷ ତ ଧୀରେ ଧୀରେ ଅନେକ ତଥାକଥିତ ମୁକ୍ତ ସାମଗ୍ରୀ ପାଇଁ ମୂଲ୍ୟ ଦେବାକୁ ଆରମ୍ଭ କଲାଣି। ଯେମିତି କି ପାଣି ଓ ପବନ। ଆଜି ସହରର ଅଧେ ଲୋକ ପଇସା ଦେଇ ବୋତଲରେ ପିଇବା ପାଣି କିଣୁଛନ୍ତି। ପାଣି ଆଜି କୋଟି କୋଟି ଟଙ୍କାର ବ୍ୟବସାୟ। ଅବଶ୍ୟ ସେ ପାଣି ବି କେତେ ବିଶୁଦ୍ଧ ଓ କେଉଁ ସ୍ବାସ୍ଥ୍ୟବିଧି ପାଳନ କରି ତାହାକୁ ତିଆରି କରାଯାଉଛି ତାହା କହିବା ମୁସ୍କିଲ।

ପାଣି ଭଳି ଆଜିକାଲି ଶୁଦ୍ଧ ପବନ ବା ଅନ୍ୟ ଭାଷାରେ ଅମ୍ଳଜାନ ମଧ୍ୟ ଏକ କିଣାବିକାର ସାମଗ୍ରୀ ଭାବରେ ବଜାରରେ ଉପଲବ୍‌ଧ ହେଲାଣି। ଦିଲ୍ଲୀର ପ୍ରଦୂଷଣ ତୀବ୍ର ରୂପ ଧାରଣ କରିଥିବା ବେଳେ ସେଠାରେ ଭାରତର ପ୍ରଥମ ‘ଅମ୍ଳଜାନ ବାର’ ମଧ୍ୟ ଖୋଲି ଯାଇଛି, ଯେଉଁଠି ପଇସା ଖର୍ଚ୍ଚ କରି ଆପଣ ନିର୍ଦ୍ଦିଷ୍ଟ ସମୟ ପାଇଁ ଶୁଦ୍ଧ ବାୟୁ ସେବନ କରି ପାରିବେ ଏବଂ ତାଜା ମନ ଓ ଶରୀର ନେଇ କାର୍ଯ୍ୟସ୍ଥଳୀକୁ ବା ଘରକୁ ଫେରି ପାରିବେ। ‘ଅମ୍ଳଜାନ ବାର’ ବ୍ୟତୀତ ବଜାରରେ ଏମିତି ଅନେକ ତାଜା ହାୱାପୂର୍ଣ୍ଣ ଦ୍ରବ୍ୟ ମିଳିବା ଆରମ୍ଭ ହେଲାଣି ଯାହାକୁ ଆପଣଙ୍କ ସାଧାରଣ ଦିନଚର୍ଯ୍ୟା ଭିତରେ ଆପଣ ପ୍ରୟୋଗ କରି ନୂଆ ସ୍ଫୂର୍ତ୍ତି ପାଇ ପାରିବେ। ଏ ସବୁ କହିବାର ଅର୍ଥ ହେଲା ଆଜି ପାଣି ଓ ପବନକୁ ମଧ୍ୟ ଆପଣ ସମ୍ପୂର୍ଣ୍ଣ ମାଗଣାରେ ମିଳୁଥିବା ଜିନିଷ ବୋଲି ଭାବି ପାରିବେ ନାହିଁ।

ଊନବିଂଶ ଶତାବ୍ଦୀର ବିଶିଷ୍ଟ ଆମେରିକୀୟ ଦାର୍ଶନିକ, ଲେଖକ ଓ ପ୍ରକୃତିବାଦୀ ହେନରୀ ଡେଭିଡ ଥରୋ କର୍ତ୍ତୃପକ୍ଷଙ୍କ ଦ୍ବାରା ଲାଗୁ କରାଯାଇଥିବା କୌଣସି ପ୍ରକାରର ଟିକସ ବା ମହାସୁଲ ପଇଠ କରିବାର ଘୋର ବିରୋଧୀ ଥିଲେ। ଖଜଣା ନ ଦେବା ପାଇଁ ସେ ଜଙ୍ଗଲ ଭିତରକୁ ଯାଇ ଗୋଟେ କାଠର କୁଡ଼ିଆ ତିଆରି କରି ସେଠାରେ ବାସ କରିବାକୁ ଆରମ୍ଭ କରିଦେଲେ। ୱାଲଡେନ ନାମକ ଏକ ମନୋରମ ପୁଷ୍କରିଣୀ ନିକଟରେ ତିଆରି ହୋଇଥିବା ସେ କୁଡ଼ିଆରେ ରହି ଥରୋ ପ୍ରମାଣ କରିବାକୁ ଚାହିଁଥିଲେ ଯେ ମଣିଷ ପ୍ରକୃତିର ପ୍ରାଚୁର୍ଯ୍ୟ ଭିତରେ ବଞ୍ଚି ରହି ପାରିବ, ତାକୁ ସରକାରୀ ପ୍ରଦତ୍ତ ସୁବିଧା କିଛି ଦରକାର ନାହିଁ। ଥରୋଙ୍କ ଏହି ଆଇନ ଅମାନ୍ୟ ଶୈଳୀ ଓ ଦର୍ଶନ ମହାତ୍ମା ଗାନ୍ଧୀଙ୍କୁ ବିଶେଷ ଭାବରେ ପ୍ରଭାବିତ କରିଥିଲା।

ଥରୋଙ୍କ ଦର୍ଶନ ଭାରତର ମୁନି ଋଷିମାନଙ୍କର ବି ଥିଲା। ହେଲେ ଆଜି ସେ ସବୁଠୁ କେତେ ଦୂରରେ ଆମେ! ଆଜି ଯେ କୌଣସି ସାମାଜିକ ବା ଅର୍ଥନୈତିକ ସୁବିଧା ପାଇବାକୁ ହେଲେ କର, ଖଜଣା ବା ମହାସୁଲ ଦେବାକୁ ପଡୁଛି କିମ୍ବା ନିର୍ଦ୍ଧାରିତ ଦର ଦେଇ ବଜାରରୁ କିଣିବାକୁ ପଡୁଛି। ପାଶ୍ଚାତ୍ୟ ଦେଶମାନଙ୍କରେ ନିଦ ମଧ୍ୟ ଏକ ପଣ୍ୟ ବସ୍ତୁ ଭାବରେ ବିକ୍ରୟ ହେଲାଣି। ଦିନ ଦ୍ବିପ୍ରହରରେ ଥକା ମେଣ୍ଟାଇବା ପାଇଁ ମଣିଷକୁ ଶୋଇବାର ଅନୁକୂଳ ପରିବେଶ ଯୋଗାଇ ଦେବା ଲାଗି ଆଜି ‘ନାପ ବାର’ ମାନ ଉପଲବ୍‌ଧ ହେଲାଣି। ସେମିତି ଜାପାନରେ ‘କେପସୁଲ ହୋଟେଲ’ମାନ ଦେଖିବାକୁ ମିଳିଲାଣି। ତେଣୁ ଯଦି ଆଜିର ସମୟରେ ନିଦ ବି ବିକ୍ରି ହେଲାଣି ତେବେ ସହରର ସ୍ବଚ୍ଛତା ପାଇଁ ପାସ୍‌ ଯିବାକୁ ପଇସା ଦାବି କରାଯିବା ବା କି ବଡ଼ କଥା?

ସୌଭାଗ୍ୟ ନଗର, ଭୁବନେଶ୍ବର
ମୋ: ୯୪୩୭୦୮୯୬୫୫

 

 

 

 

 

 

 

 

 

 

 

 

 

 

 

 

 

 

ସମ୍ବନ୍ଧିତ ଖବର