ନେତାଜୀଙ୍କ ଭିନ୍ନ ପଥ

ଇତିହାସର ଅଳିନ୍ଦ - ଅନାଦି ନାୟକ

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ତମ ଜନ୍ମ ଜୟନ୍ତୀ ବର୍ଷ ଦେଶ ସାରା ବିଭିନ୍ନ ଭାବରେ ପାଳିତ ହେଉଛି। ସୁଭାଷ ଚନ୍ଦ୍ର ବୋଷ କଟକରେ ଜନ୍ମ ହୋଇଥିଲେ। ତାଙ୍କ ବାପା ଜାନଙ୍କୀନାଥ ବୋଷ ଥିଲେ ଜଣେ ଜଣାଶୁଣା ଓକିଲ ଓ ବୟସରେ ସାନ ହେଲେ ବି ସେ ମଧୁବାବୁଙ୍କର ପ୍ରତିଯୋଗୀ ଥିଲେ। କଥିତ ଅଛି ଯେ ମଧୁବାବୁଙ୍କୁ ସ୍ଥାନୀୟ କଲେକ୍ଟର ତାଙ୍କ କୋଠିକୁ ଡାକିଲେ। ଅନେକ ସମୟ ଧରି ମଧୁବାବୁ କୋଠି ଭିତରେ ଥିବା ଦେଖାଗଲା। ଇତି ମଧ୍ୟରେ ଜାନକୀନାଥ ପ୍ରଚାର କରିଦେଲେ ଯେ ମଧୁବାବୁ କ’ଣ ଗୋଟାଏ ବଡ଼ ଭୁଲ୍ କରିଛନ୍ତି। ସେଥିପାଇଁ ତାଙ୍କୁ କଲେକ୍ଟର ଗାଳି ଦେବାକୁ ଡାକିଛନ୍ତି। ପ୍ରକୃତରେ ଗଭର୍ଣ୍ଣରଙ୍କ ପ୍ରଶାସନ କାଉନସିଲର ସଭ୍ୟ ହେବା ପାଇଁ ପାଟଣାରୁ ତାଙ୍କ ପାଇଁ ନିମନ୍ତ୍ରଣ ଆସିଥିଲା। ସେଥିପାଇଁ ଏତେ ସମୟ ଧରି କଲେକ୍ଟରଙ୍କ ସାଙ୍ଗରେ ତାଙ୍କର କଥାବାର୍ତ୍ତା ହେଲା। ଜାନକୀନାଥଙ୍କ ବର୍ଣ୍ଣନା ମଧୁବାବୁଙ୍କ କାନରେ ପଡ଼ିଲା ତ ମଧୁବାବୁ ତାଙ୍କୁ ଡାକି କହିଲେ ‘ଓ ହେ ଜାନକୀ! ତୁମି ଜାନ କି? ତୁମି ଛେଲେ ମାନୁଷ, ତୁମି ବୁଝ୍ କି?’ ଏହାର ଓଡ଼ିଆ‌ ହେଲା ‘ହେ ଜାନକୀ, ତୁମେ କି ଜାଣ? ତୁମେ ପିଲା ଲୋକ, ତୁମେ କି ବା ବୁଝ।’

ଜାନକୀନାଥ କଟକରେ ଓକିଲାତି କରୁଥିଲେ। ଓଡ଼ିଆ ବଜାରରେ ତାଙ୍କର ଘର ଥିଲା। ସେଇଠି ସୁଭାଷ ବୋଷ ଜନ୍ମ ହୋଇଥିଲେ ଓ କଲେଜିଏଟ ସ୍କୁଲରେ ପାଠ ପଢ଼ିଥିଲେ। ପରେ କଲିକତା ସହିତ ତାଙ୍କ ନାଆଁଟି ଯୋଡ଼ି ହେଲା। ଆନନ୍ଦ ବଜାର ପତ୍ରିକା, ସ୍କଟିସ୍ ଚର୍ଚ୍ଚ କଲେଜ, କଲେଜ ଷ୍ଟ୍ରିଟ୍‌ ସହିତ ସେ ସଂଯୁକ୍ତ। ତଥାପି ନେତାଜୀ ଓଡ଼ିଆ ଭୁଲି ନଥିଲେ। ୧୯୩୮ ମସିହାରେ ବିଶ୍ୱନାଥ ଦାସଙ୍କ କଂଗ୍ରେସ ସରକାର ତରଫରୁ କେତେକ ଶିକ୍ଷା ବିଭାଗୀୟ କର୍ମଚାରୀ ଦେଶରେ ନୂଆ କରି ଚଳିବାକୁ ଯାଉଥିବା ମୌଳିକ ଶିକ୍ଷା ବିଷୟରେ ଟ୍ରେନିଂ ପାଇବାକୁ ୱାର୍ଦ୍ଧା ଯାଇଥାଆନ୍ତି। ଗାନ୍ଧୀଜୀଙ୍କ ଆଶ୍ରମ ସେବାଗ୍ରାମ ସେଠୁ ଅଳ୍ପ ବାଟ। ସୁଭାଷ ବୋଷ ଗାନ୍ଧୀଜୀଙ୍କ ପାଖକୁ ସେବାଗ୍ରାମ ଆସିଥିଲେ। ନୂଆ ଧରଣର ଶିକ୍ଷା ପାଇଁ ଟ୍ରେନିଂ ନେଉଥିବା ଛାତ୍ରମାନଙ୍କ ସହିତ ବାର୍ତ୍ତାଳାପ କରିବାକୁ ତାଙ୍କୁ ନିଆଗଲା। ସେଠାରେ ସେ ତାଙ୍କର ଜଣେ ପରିଚିତ ଲୋକଙ୍କୁ ଦେଖିଲେ- ମହେଶ ଚନ୍ଦ୍ର ପ୍ରଧାନ। ଅନେକ ସମୟ ଧରି ଉଭୟେ ଓଡ଼ିଆରେ କଥାବାର୍ତ୍ତା ହେଲେ। ସ୍ୱାଧୀନତା ପରେ ମହେଶ ବାବୁ ଓଡ଼ିଶାର ଶିକ୍ଷା ଓ ଅନ୍ୟାନ୍ୟ ବିଭାଗରେ ପଦସ୍ଥ କର୍ମଚାରୀ ଥିଲେ।

ବିଂଶ ଶତାବ୍ଦୀର ଆରମ୍ଭରେ ଦେଶରେ ପାଠ ପଢୁଆ ଲୋକଙ୍କର ସଂଖ୍ୟା ଥିଲା କମ୍। ଭାରତରୁ ଯାଇ ବିଲାତରେ ଶିକ୍ଷା ଲାଭ କରିବା ଲୋକଙ୍କର ସଂଖ୍ୟାକୁ ଆଙ୍ଗୁଳିରେ ଗଣି ଦେଇ ହେବ। ବିଦେଶରୁ ପାଠ ପଢ଼ି ଆସି ଏଠାରେ ଗୋଟାଏ ବଡ଼ ଚାକିରି କରିବା କଥା। ମାତ୍ର ସୁଭାଷ ଚନ୍ଦ୍ର ବୋଷ ଏଭଳି ନ କରି କଂଗ୍ରେସରେ ଯୋଗ ଦେଲେ। ତାଙ୍କ ପରି ଆଉ ଜଣେ ବିଲାତ ଫେରନ୍ତା କଂଗ୍ରେସ ନେତା ଥିଲେ ଜବାହାରଲାଲ୍ ନେହରୁ। ଜବାହାରଲାଲ ଓ ସୁଭାଷ- ଉଭୟେ ଥିଲେ କଂଗ୍ରେସର ଭବିଷ୍ୟତ। ଚେହେରା ସାଙ୍ଗକୁ ପାଠ ଓ ଆଭିଜାତ୍ୟ ସେମାନଙ୍କର ଥିଲା। ଦଳର ଅନ୍ୟମାନଙ୍କ ପାଖରେ ଦୁହେଁ ଥିଲେ ଶ୍ରଦ୍ଧାର ପାତ୍ର। ମାତ୍ର ଗାନ୍ଧୀଜୀଙ୍କର ଅହିଂସ ଅସହଯୋଗ ବା ସତ୍ୟାଗ୍ରହ କଥାରେ ଜବାହାରଲାଲ ନେହରୁଙ୍କ ପରି ସୁଭାଷ ଚନ୍ଦ୍ର ବୋଷ ସେତେ ବିଶ୍ୱାସ କରୁ ନ ଥିଲେ। ସୁଭାଷ ଜାଣିଥିଲେ ଯେ ଜର୍ମାନି ଓ ଇଂଲଣ୍ଡ ଭିତରେ ଯୁଦ୍ଧ ହେବ। ଏତିକି ବେଳେ ବିଲାତ ବାଲାଙ୍କୁ ଏଠୁ ବାହାର କରିବା ପାଇଁ କଂଗ୍ରେସ ଜର୍ମାନି ସହିତ ହାତ ମିଳାଇଲେ ସେମାନଙ୍କୁ ଏଠୁ ବିଦା କରିବା ସହଜ ହେବ। ଗାନ୍ଧୀଜୀ କି କଂଗ୍ରେସ ସୁଭାଷ ବୋଷଙ୍କର ଖଣ୍ଡାଧରା ନୀତିକୁ ଗ୍ରହଣ କରି ପାରୁ ନଥିଲା। ଖଣ୍ଡା କିମ୍ବା ବନ୍ଧୁକ ବଳରେ ସ୍ୱାଧୀନତା ଆଣିବାକୁ ହେଲେ ଏ କାମଟା ଅଳ୍ପ କେଇ ଜଣଙ୍କ ଉପରେ ନ୍ୟସ୍ତ ରହିବ। ସବୁ ଲୋକେ ଏଥିରେ ଭାଗ ନେଇ ପାରିବେ ନାହିଁ। ପୁଣି ଇଂଲଣ୍ଡ ଯଦି ଜର୍ମାନି ଦ୍ୱାରା ହାରିଯାଏ ତେବେ ଇଂଲଣ୍ଡର ଅଧୀନସ୍ଥ ଅଞ୍ଚଳଗୁଡ଼ାକ ଆପେ ଆପେ ସ୍ୱାଧୀନ ହୋଇ ଯିବେ ନାହିଁ। ସେମାନେ ରହିବେ ଜର୍ମାନିର ଅଧୀନରେ। ଭାରତବାସୀଙ୍କୁ ପୁଣି ଥରେ ନିଜ ସ୍ୱାଧୀନତା ଲାଗି ଜର୍ମାନମାନଙ୍କୁ ମାଗୁଣି କରିବାକୁ ପଡ଼ିବ।

ସ୍ୱାଧୀନତା ପ୍ରାପ୍ତି ଓ ସ୍ୱାଧୀନତାର ସଂରକ୍ଷଣ- ଏ ଦୁଇଟି କଥା ଉପରେ ଗାନ୍ଧୀଜୀଙ୍କର ଆଖି ରହିଥିଲା। ଭାରତର ଲୋକମାନେ ଯେ ସ୍ୱାଧୀନ ହେବେ- ଏଥିରେ ତାଙ୍କର ସନ୍ଦେହ ନଥିଲା। ସେଥିପାଇଁ ସ୍ୱାଧୀନତାର ସଂରକ୍ଷଣ ଲାଗି ସେମାନଙ୍କ ଭିତରେ ବଳ ବଢ଼‌ାଇବା ଓ ବଳ ସୃଷ୍ଟି କରିବା ସେ କାମ କରୁଥିଲେ। ସମାଜର ପ୍ରଚଳିତ ବ୍ୟବସ୍ଥା ଯଦି ଦଳେ ଲୋକଙ୍କୁ ସବୁ ଦିନ ପାଇଁ ‘ଅଛୁଆଁ’ କରି ରଖିଥିବ ଓ ଅବହେଳା କରୁଥିବ ତେବେ ସେମାନେ କାହିଁକି ସମାଜର ସୁରକ୍ଷା ଲାଗି ବା ଦେଶର ସ୍ୱାଧୀନତା ଲାଗି କାମ କରିବେ?

ଗାନ୍ଧୀଜୀଙ୍କ ଅହିଂସ ସତ୍ୟାଗ୍ରହ ପର୍ଯ୍ୟବସିତ ଥିଲା ଘରେ ଘରେ ସୂତା କଟା ଓ ବିଦେଶୀ ବର୍ଜନ ଉପରେ। ଲକ୍ଷ ଲକ୍ଷ ଭାରତୀୟ ଲୋକ ଯଦି ସିଧାସଳଖ ଖୋଲାଖୋଲି ଭାବରେ ଏ ଦେଶରେ ଘୋଷଣା କରିବେ ଯେ ସେମାନେ ଇଂରେଜ ସରକାରର ଉପସ୍ଥିତିକୁ ସ୍ୱୀକାର କରୁନାହାନ୍ତି ତେବେ ଇଂରେଜମାନଙ୍କର ସ୍ଥିତି ଭାରତରେ ଟଳମଳ ହୋଇଯିବ। ଏହାହିଁ ଥିଲା ‘‌ବାକ୍ ସ୍ୱାଧୀନତା’ର ଦାବି। ଗାନ୍ଧୀଜୀଙ୍କର ଏ କଥା ଉପରେ ସୁଭାଷଙ୍କର ଆସ୍ଥା ନ ଥିଲା। ଯେ କୌଣସି ଉପାୟରେ ଭାରତକୁ ସ୍ୱାଧୀନ କରିବା ଥିଲା ତାଙ୍କର ଲକ୍ଷ୍ୟ। ସେଥିପାଇଁ ସେ କଂଗ୍ରେସକୁ ଏକ ରାଜନୈତିକ ଅନୁଷ୍ଠାନ ଭାବରେ ଆୟତ୍ତକୁ ଆଣିବାକୁ ଚାହୁଁଥିଲେ। ସେଥିପାଇଁ ସେ ତାର ସଭାପତି ହେଲେ। ମାତ୍ର ଗାନ୍ଧୀଜୀ କିମ୍ବା କଂଗ୍ରେସ ଦଳର ଅନ୍ୟମାନେ ତାଙ୍କୁ ସଭାପତି କରିବାରେ ଉତ୍ସାହିତ ନଥିଲେ। ପ୍ରଜା ଆନ୍ଦୋଳନର ନେତା ପଟ୍ଟାଭି ସୀତାରାମାୟାଙ୍କୁ କଂଗ୍ରେସର ସଭାପତି କରିବା ଥିଲା ଗାନ୍ଧୀଜୀଙ୍କର ଇଚ୍ଛା।

କଂଗ୍ରେସ ଅଧିବେଶନ ଥିଲା ବଙ୍ଗଳାରେ। ସ୍ଥାନୀୟ ଅଞ୍ଚଳରୁ ବହୁତ କଂଗ୍ରେସ ସଭ୍ୟ ସେଠାରେ ଉପସ୍ଥିତ ଥିଲେ। ତାଙ୍କ ସଭାପତିତ୍ୱ ପାଇଁ ଓଡ଼ିଶାର ସଦସ୍ୟମାନେ ଖୁବ୍ କାମ କରିଥିଲେ। ନବକୃଷ୍ଣ ଚୌଧୁରୀ ଲକ୍ଷ୍ୟ କଲେ ଯେ କଲିକତାରେ, ସୁଭାଷ ବୋଷ ତାଙ୍କ ଘରୁ ସଭା ସ୍ଥଳକୁ ଯିବା ବାଟରେ ଫୁଲମାଳ ଦେଇ ଖୁବ୍ ସମ୍ବର୍ଦ୍ଧନା କରାଯାଉଛି। ‘ଆଗୁଆ ଦଳ’ ଏଥିପାଇଁ ଆୟୋଜନ କରୁଛନ୍ତି। ସୁଭାଷ ବୋଷ ତାଙ୍କ ବେକରେ ପଡୁଥିବା ଫୁଲମାଳ ଗୁଡ଼ାକୁ ପାଖରେ ଥିବା ଲୋକକୁ ଦେଇ ଦିଅନ୍ତି। ସେ ଲୋକ ତାକୁ ଧରି ପରବର୍ତ୍ତୀ ସ୍ଥାନକୁ ଯାଏ ଓ ସେହି ଫୁଲମାଳର ବ୍ୟବହାର ହୁଏ। ‘ଅଗ୍ରୀମ ଦଳ’ କଥାଟା ସେତେବେଳେ ପ୍ରଚଳିତ ନଥିଲା। ତଥାପି ଓଡ଼ିଶାର ସବୁ ପ୍ରତିନିଧି ତାଙ୍କୁ ଭୋଟ ଦେଇଥିଲେ। ଓଡ଼ିଶାର ତରୁଣ କର୍ମୀମାନଙ୍କ ଭିତରେ ବୟୋଜ୍ୟେଷ୍ଠ ହରେକୃଷ୍ଣ ମହତାବ ସୁଭାଷ ବୋଷଙ୍କ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଭ୍ୟ ହେଲେ। ସୁଭାଷଙ୍କ ଜିତିବାରେ ଗାନ୍ଧୀଜୀ କହିଲେ ‘ପଟ୍ଟାଭିି ହାରିଗଲେ ମାନେ ମୁଁ ହାରିଗଲି’। ଅହିଂସ ଅସହଯୋଗ ବା ସତ୍ୟାଗ୍ରହକୁ କଂଗ୍ରେସ ନିଜର କାର୍ଯ୍ୟ କରିବାର ମାଧ୍ୟମ ଭାବରେ ଗ୍ରହଣ କରିଥିବାରୁ ସୁଭାଷଙ୍କ ବେ‌ଳେ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଭ୍ୟ ଥିବା ସର୍ଦ୍ଦାର ପଟେଲ୍, ଆଚାର୍ଯ୍ୟ କୃପାଳିନୀ, ରାଜେନ୍ଦ୍ର ପ୍ରସାଦ, ମୌଲାନା ଆଜାଦ, ରାଜଗୋପାଳ ଆଚାରୀ ପ୍ରମୁଖ ଇସ୍ତଫା ଦେଇଦେଲେ। ସୁଭାଷଙ୍କ ନୀତି କଂଗ୍ରେସର ମୌଳିକ ନୀତିରୁ ଅଲଗା ଥିଲା। କଂଗ୍ରେସକୁ ନିଜ ବାଟରେ ଉପଯୋଗ କରିବା ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ହୋଇ ପାରିଲା ନାହିଁ। ସେ ଅଲଗା ବାଟ ଧରିଲେ।

ଗୁଳି ବାରୁଦର ବ୍ୟବହାର କରି ଭାରତରୁ ଇଂରେଜମାନଙ୍କୁ ବାହାର କରିବା ପାଇଁ ସୁଭାଷଙ୍କ ଉଦ୍ୟମଟା କିଛି ନୂଆ କଥା ନଥିଲା। ଶତାବ୍ଦୀର ଆରମ୍ଭରୁ, ଖାସ କରି ବଙ୍ଗ ଭଙ୍ଗ ପରେ ସନ୍ତ୍ରାସବାଦୀମାନେ ଏଥିପାଇଁ ଉଦ୍ୟମ କରି କାଁ ଭାଁ ଗୁଳି କରିଥିଲେ ଓ ବୋମା ଫୁଟେଇଥିଲେ। ଜଣେ ଅଧେ ଗୋରା ଲୋକଙ୍କୁ ମାରିଥିଲେ। ପ୍ରଥମ ମହାଯୁଦ୍ଧ ପରେ ଗଦ୍ଦାର ପାର୍ଟିର ସଭ୍ୟମାନେ ଭାରତକୁ ସ୍ୱାଧୀନ କରିବା ପାଇଁ ‘‘ବିଦେଶରେ ସ୍ୱାଧୀନ ସରକାର” ଗଠନ କରି ଦେଶ ବାହାରେ ସୈନ୍ୟ ଓ ଅର୍ଥ ସଂଗ୍ରହ କରୁଥିଲେ। ସେମାନଙ୍କର ହେଡ୍‌କ୍ୱାର୍ଟର ଥିଲା କାବୁଲ। ଅର୍ଥନୀତିଜ୍ଞ ତାରକା ନାଥ ଦାସ, ଦେବାନ ଚମନଲାଲ, ସାମ୍ୟବାଦୀ ମାନବେନ୍ଦ୍ର ନାଥ ରାୟ ପ୍ରମୁଖ ସୁଭାଷ ବୋଷଙ୍କୁ ଜଣେ ଶ୍ମଶ୍ରୁଳ, ପଗଡ଼ିଧାରୀ ଶିଖ ଭାବରେ କଲିକତାରୁ ପେଶାୱାର ଓ ସେଇଠୁ କାବୁଲକୁ ଆସିବାର ବ୍ୟବସ୍ଥା କରିଥିଲେ। କାବୁଲରୁ ସେ ଯାଇଥିଲେ ଜର୍ମାନି ଓ ଜର୍ମାନିରୁ ଜାପାନ।

ଇଂରେଜମାନଙ୍କ ତରଫରୁ ଜାପାନ ବିରୋଧରେ ଲଢ଼ିବାକୁ ଅନେକ ଭାରତୀୟ ସୈନିକ ବ୍ରହ୍ମଦେଶ ଓ ଆଖପାଖ ଅଞ୍ଚଳକୁ ଯାଇଥିଲେ। ସେମାନଙ୍କ ଭିତରୁ ଅନେକେ ଜାପାନ ପାଖରେ ବନ୍ଦୀ ହୋଇଥିଲେ। ଏହି ବନ୍ଦୀମାନଙ୍କୁ ଧରି ଜାପାନ ତରଫରୁ ଗୋଳା ବାରୁଦ ଆଣି ଆରମ୍ଭ ହେଲା ନେତାଜୀଙ୍କର “ଭାରତୀୟ ଜାତୀୟ ବାହିନୀ”ର “ଦିଲ୍ଲୀ ଚଲୋ’’ ଅଭିଯାନ। ଦ୍ୱିତୀୟ ମହାଯୁଦ୍ଧ ଚାଲିଥାଏ। ଦୁର୍ଭାଗ୍ୟ ବଶତଃ ଜାପାନରୁ କୋହିମା ଆସୁଥିବା ଏକ ମିଲିଟାରି ଉଡ଼ାଜାହାଜରେ ନେତାଜୀ ଆସୁଥିଲେ। ଉଡ଼ାଜାହାଜଟି ଖସି ପଡ଼ିଲା। ସେଥିରେ ନେତାଜୀଙ୍କର ମୃତ୍ୟୁ ହେଲା ବୋଲି ବିଭିନ୍ନ ସୂତ୍ରରୁ କୁହାଯାଏ। ମାତ୍ର ଏ କଥା ସମସ୍ତେ ବିଶ୍ୱାସ କରନ୍ତି ନାହିଁ। ଅନେକ ଦିନ ଧରି ଅନେକଙ୍କର ବିଶ୍ୱାସ ଥିଲା ଯେ ସେ ବଞ୍ଚିଛନ୍ତି। ୧୨୫ ବର୍ଷ ପରେ ତାହା ଆଉ ସମ୍ଭବ ନୁହେଁ I ତେବେ କହିବାରେ ଦ୍ବିଧା ନାହିଁ ଯେ ଭାରତର ସ୍ବାଧୀନତାରେ ସୁଭାଷଙ୍କ ଏକ ବଳିଷ୍ଠ ଅବଦାନ ରହିଛି।

ତେବେ, ଅନେକ ଭାବନ୍ତି ଯେ ସୈନ୍ୟ ବଳରେ ସ୍ବାଧୀନତା ଲାଭ କରିବାରେ ଅସଫଳତା ଭାରତ ପାଇଁ ଶୁଭକର ହୋଇଛି ବୋଲି ମାନିବାକୁ ହେବ। କାରଣ ସୈନ୍ୟ ବଳରେ କ୍ଷମତାକୁ ଆସିଥିବା ଲୋକ ବା ଗୋଷ୍ଠୀ ଅଧିକରୁ ଅଧିକ ପରିମାଣରେ ସୈନ୍ୟମାନଙ୍କର ଆଶ୍ରା ନିଅନ୍ତି। ତାର ପରିଣତି ଦେଶବାସୀଙ୍କ ପାଇଁ କଅଣ ହୁଏ ତାହା ଆମେ ଆମର ପଡ଼ୋଶୀ ଦେଶ ପାକିସ୍ତାନ, ବ୍ରହ୍ମଦେଶ, ଥାଇଲ୍ୟାଣ୍ଡ ଇତ୍ୟାଦିରୁ ପ୍ରତି ଦିନ ଦେଖୁଛୁ। ଗାନ୍ଧୀଜୀଙ୍କ ପ୍ରରୋଚନାରେ ସ୍ୱାଧୀନତା ପାଇଁ ଭାରତ ସାରା ସାଧାରଣ ଲୋକଙ୍କର ଉଦ୍ୟମ ହୋଇ ନ ଥିଲେ ଭାରତରେ ବି ସେହି ଅବସ୍ଥା ହୋଇ ଥାଆନ୍ତା। ସୈନିକ ଓ ସେନାପତିମାନେ କ୍ଷମତାରେ ରହିଥାଆନ୍ତେ। ସେମାନଙ୍କ ହାତରେ ଅସ୍ତ୍ର ଥିବାରୁ ସେମାନେ ନିଜ ଇଚ୍ଛାଟି ଅନ୍ୟମାନଙ୍କ ଉପରେ ଲଦିଲେ ଲୋକେ ତାଙ୍କୁ ବିରୋଧ କରି ପାରନ୍ତେ ନାହିଁ।

ଫ୍ରେଡେରିକ୍, ମେରିଲାଣ୍ଡ, ୟୁଏସ୍‌ଏ
[email protected]

ସମ୍ବନ୍ଧିତ ଖବର