ଆଜିକୁ ଆଠ ଦିନ ହେଇଗଲା ଘର ଭିତରେ ରହିବା। ଟିଭି, ଇଣ୍ଟରନେଟ ଯାହା କେବଳ ସମୟ କାଟିବାର ମାଧୢମ। ମୁଁ ନୁହେଁ ପ୍ରାୟ ସମସ୍ତଙ୍କ ଘରେ ସମାନ ଅବସ୍ଥା। ଦ୍ବନ୍ଦ୍ବ ଆଶଙ୍କା ଭିତରେ ସମୟ କାଟିବାଠୁ କଷ୍ଟକର କଥା ଆଉ ଜୀବନରେ କ’ଣ ଥାଇପାରେ? ଇଣ୍ଟରନେଟରେ ଅସଂଖ୍ୟ ଗୁଜବ ଛାତି ଥରେଇ ଦେଉଛି। ତା’ ସାଙ୍ଗକୁ ପ୍ରିୟଜନଙ୍କର ହ୍ବାଟ୍ସଆପ୍ ମେସେଞ୍ଜରରେ ବେଳେ ବେଳେ ଆକୁଳ ଅଭିବ୍ୟକ୍ତି! କିଏ ଲେଖିଲାଣି ‘ଫାଶୀ ପାଇବା ପାଇଁ କାରାରୁଦ୍ଧ ହେଇ ବ˚ଚିବା ଭଳି ଲାଗୁଛି’ ତ ଆଉ କିଏ ଲେଖିଲାଣି ‘ବର˚ ନିବାସ ଭଲ ରଣକ୍ଷେତ୍ରରେ’ ଆଉ ପୁଣି କିଏ ଲେଖିଲାଣି ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ’ ଇତ୍ୟାଦି ଇତ୍ୟାଦି। ଆଜିକୁ ଦଶ ଦିନ ହେଇଗଲା ସମ୍ପୂର୍ଣ୍ଣ ଘରେ ରହିବା। ଏଇଭଳି ସ˚ଶୟ ଓ ଆଶଙ୍କା ଭିତରେ ଦିନ କଟୁଥିବା ବେଳେ କାଲି ହଠାତ୍ ଏକ ନୂଆ ସକାଳକୁ ଅନୁଭବ କଲି। ଏବେ ସାରା ଦିନ ଘରେ ରହୁଥିବାରୁ ରାତି ୧୧ଟା ସୁଦ୍ଧା ଶୋଇବା ଆଉ ସକାଳୁ ସକାଳୁ ଉଠି ପଡ଼ିବା ପ୍ରାୟ ଅଭ୍ୟାସରେ ପଡ଼ିଗଲାଣି। ଠାକୁର ଘରୁ ଘଣ୍ଟଘଣ୍ଟି ଶଙ୍ଖର ନିନାଦ ଆଉ ପାଖ କୋଠରିରୁ ମୋ ଝିଅର ତାନପୁରାର ରାଗ ମାଲକୋଶ୍ର ରିଆଜ। ଘର ସାରା ମହକୁଛି ଝୁଣା, କର୍ପୂର, ଅଗୁରୁ, ଚନ୍ଦନର ବାସ୍ନା। ସକାଳର ପ୍ରତିଟି ନିଃଶ୍ବାସ ମୋର ସମଗ୍ର ସତ୍ତା ଯେମିତି ମନ୍ତ୍ରମୟ କରିଦେଲା। ମୁଁ ମୁହଁ ଧୋଇ ପାଣି ଗ୍ଲାସ୍ଟିଏ ପିଇ ଉଠିଗଲି ଛାତ ଉପରକୁ ଟିକେ ଚଲାବୁଲା କରିବାକୁ। ସକାଳ ଚଇତାଳିରେ ମଧ୍ୟ ଗୋଟେ ମୃଦୁ ଆହ୍ଲାଦ; ନା ରାସ୍ତାରେ ଗାଡି ମଟର, ନା ରାସ୍ତା ସେପଟ ଅଟାକଳର ଘର୍ଘର ନାଦ, ନା କୋଳାହଳ। ଖାଲି କୋଇଲି ନୁହେଁ, କିଚିରିମିଚିରି ହେଉଥିବା ଅନେକ ପ୍ରକାର ଚଢ଼େଇଙ୍କ କାକଳି ସୁଲଳିତ ଓ ମଧୁର ବୋଧ ହେଉଥିଲା। କେବଳ ଗଛ ଡାଳ ନୁହେ; ପାରାପେଟ୍, ଟେଲିଫୋନ୍ ଖୁଣ୍ଟି, ଲୁଗା ଶୁଖା ତାର ସବୁରି ଉପରେ ସେମାନେ ବସିଛନ୍ତି। ଭାରି ସୁନ୍ଦର ଲାଗିଲା ସକାଳଟା। ଏମିତି ସକାଳଟେ ବୋଧେ କେବେ ଠୁ ଦେଖିନି ମୁଁ।
ନିୟମିତ ଡେରି ରାତିରେ ଶୋଉଥିବାରୁ ପର ଦିନ ସକାଳୁ ମୁଁ ଉଠିବାରେ ଡେରି ହୁଏ। ସେତେବେଳକୁ ଧର୍ମପତ୍ନୀଙ୍କର ସରିଯାଇଥାଏ ଠାକୁର ପୂଜା, ଝିଅ ତରବର ହେଉଥାଏ ସ୍କୁଲ୍ ଯିବାକୁ, ପୁଅ ବାହାରି ଯାଇଥାଏ କୋଚି˚ କ୍ଲାସ୍ ଆଉ ଏ ପଟେ ଛାତ ଉପରର ଖରା ବେଶ୍ ଟାଣ ହୋଇସାରିଥାଏ ଏବ˚ କାକଳି ସବୁ ହଜିସାରିଥା’ନ୍ତି ରାସ୍ତାର ଗାଡି ମଟର, ଅଟାକଳ ଆଉ ସହରର କର୍କଶ କୋଳାହଳ ଭିତରେ। କିନ୍ତୁ ଆଜିର ସକାଳ ଏକ ବିଭୋର କରିଦେଲା ଭଳି ସକାଳ ଥିଲା। ଛାତ ଉପରେ ଏତେ ଜାତିର ରଙ୍ଗବେର˚ଗ ଫୁଲ ଫୁଟିଛି – ମୁଁ ତ କେବେ ଦେଖିନଥିଲି! କେମିତି ବା ଦେଖନ୍ତି? ସକାଳ ଦଶରୁ ତରବରରେ ଘରୁ ବାହାରି ଯାଇ ଗୋଟେ କ୍ଳାନ୍ତ ଦେହ ଏବଂ ଅବସନ୍ନ ମନକୁ ନେଇ ରାତି ଦଶଟାରେ ଘରକୁ ଫେରୁଥିବା ମୋ ଭଳି ଜଣେ ବୋଧେ ଶେଷ ଥର ଫନି ବାତ୍ୟା ପରେ ଛାତ ଉପରକୁ ଯାଇଥିଲା।
ଛାତରୁ ଓହ୍ଲେଇ ଆସି ନିତ୍ୟକର୍ମ ସାରି ଜଳଖିଆ ଖାଇ ବସିଛି ଝିଅ ପଚାରିଲା, ‘ବାପା, ଆଜି ମୋ ରିଆଜ୍ ଶୁଣିଲ, କେମିତି ଲାଗିଲା?’
ପତ୍ନୀ ପଚାରିଲେ, ‘ଡାଲି, ପୋଟଳ, ଆଳୁ ତରକାରି, ବାଇଗଣ ଚଟଣି, ସାଲାଡ୍ କରୁଛି। ତୁମ ପାଇଁ ବିଲାତି ଗୋଟିଏ ପୋଡ଼ିଦେବି?’
ପୁଅ ପଚାରିଲା, ‘ବାପା ଏଇ କେତେଦିନ ଭିତରେ ତମ ମୁହଁରେ ଦାଢ଼ିଗୁଡ଼ା ବହୁତ ବଢ଼ିଗଲାଣି। ଅଫିସ୍ ଯିବନି ବୋଲି କ’ଣ ଦାଢ଼ି କାଟିବନି?’
ପୁଅର କଥା ନସରୁଣୁ ପତ୍ନୀ ପୁଣି କହିଲେ, ‘ଦେଖିଲ ଛାତ ଉପର ଫୁଲସବୁ?’
ପୁଣି ଝିଅର ପ୍ରଶ୍ନ, ‘ବାପା, ବୁକ୍ ଫେୟାର୍ ପୁଣି କେବେ ହେବ?’
ଓଃ…. କେଜାଣି କାହିଁକି ପ୍ରାଣ ପୂରି ଉଠୁଥିଲା। ଏତେ ସବୁ ପ୍ରଶ୍ନ ଭିତରେ ମୋ ପାଇଁ ଯୋଉ ମାର୍ମିକ ମିଠା ଅନୁରାଗ ଏମାନେ ଅଜାଡ଼ି ଦେଉଥିଲେ, ତାହା କ’ଣ ସମ୍ଭବ ହୁଅନ୍ତା ଯଦି ମୁଁ ଆଜି ବି ଅନ୍ୟ ଦିନ ପରି ମୋ କାମକୁ ବାହାରିବାକୁ ତରତର ହେଉଥାଆନ୍ତି! ଏ ସବୁ ପ୍ରକୃତରେ ଥିଲା ମୋ ହୃଦୟକୁ ରସାଣିତ କରିଦେବା ଲାଗି ମିଠା ଅନୁରାଗର ଗୋଟେ ଗୋଟେ କୋମଳ ତୀର। ମୋ ଅନୁପସ୍ଥିତିରେ ଏମାନେ କ’ଣ କରନ୍ତି ସେମାନଙ୍କର ଏଭଳି ଭାବନାକୁ ନେଇ?
ମୁଁ କାହାର ପ୍ରଶ୍ନର ଉତ୍ତର ଦେଇପାରିଲିନି। କିନ୍ତୁ ଛ’ଟି ଆଖି ମୋ ଆଖିରେ କ’ଣ ଦେଖିଲେ କେଜାଣି ସେମାନେ ବି ପ୍ଳାବିତ ହେଇ ଛଳ ଛଳ ହେଇ ଉଠିଲେ।
ମୁଁ ଆସି ବସିଗଲି ସୋଫା ଉପରେ ଓ ମୋବାଇଲଟା ହାତକୁ ନେଇ ହ୍ବାଟ୍ସଆପ୍ ଖୋଲିଲା ବେଳକୁ ମୋ ଅନ୍ତରଙ୍ଗ ବନ୍ଧୁ ମନୋଜର ମେସେଜ୍, ‘ହେ ଭଗବାନ, କେବେ ପୂରିବ ଏ ଏକୋଇଶ ଦିନ, ଲକ୍ଡାଉନ୍?’ ମୁଁ ଉତ୍ତରରେ ଲେଖିଲି, ‘କାଲି ସକାଳୁ ତୋ’ ଛାତ ଉପରୁ ଯାଇ ଥରେ ବୁଲି ଆ’, ଦେଖିଆ’ ଚଇତି ପବନରେ ବିଷ ନାହିଁ, କାକଳିରେ କେତେ ମିଠା ପଣ, ସାରା ପରିବେଶ କେତେ ଶାନ୍ତ ଆଉ ସ୍ନିଗ୍ଧ। ପିଲାମାନଙ୍କ ମନ କଥା ଟିକେ ଶୁଣ, ତା’ ପରେ ହୁଏତ ତୁ କହିବୁ ଧନ୍ୟବାଦ ଲକ୍ଡାଉନ୍।’
ଏଇ ଭିତରେ ମୋ ଅଲକ୍ଷ୍ୟରେ ଆମ ଆକ୍ବାରିଅମର ମାଛଗୁଡ଼ା ଏତେ ବଡ଼ ହୋଇଯାଇଥିବା ଲକ୍ଷ୍ୟ କଲି। ରୋଷେଇ ଘରୁ ପ୍ରେସର କୁକର୍ର ସିଟି ଶୁଭୁଥିଲା। ପାଖ ଘରୁ ପତ୍ନୀ ଚଳଉଥିବା ସିଲେଇ ମେସିନ୍ର ଲୟବଦ୍ଧ ଶବ୍ଦ, ଝିଅର ଗୁଣୁଗୁଣୁ ଗୀତ ଏବଂ ପୁଅ ଦେଖୁଥିବା ଟିଭିରେ ଇ˚ରେଜୀ ଖବର- ଏ ସବୁ ମିଶି ଲାଗୁଥିଲା ସତେ ଯେମିତି ସକାଳର ରାଗିଣୀ ଶୁଣୁଛି।
ଅଜାଣତରେ ମୋ ପାଟିରୁ ବାହାରିଗଲା ‘ଧନ୍ୟବାଦ ଲକ୍ଡାଉନ୍।’
ସ୍ବାହା, କେନାଲ ରୋଡ୍, ଛତ୍ର ବଜାର, କଟକ
ମୋ-୯୪୩୭୨୭୪୮୫୭