ଗଭୀର ଗଣତନ୍ତ୍ର

ଲୋକକ୍ଷେତ୍ର - ହରପ୍ରସାଦ ଦାସ

ପାଶ୍ଚାତ୍ୟ ସଭ୍ୟତାରେ ଗୁଡ଼ିଏ ଶବ୍ଦ ନିର୍ମିତ ହୋଇଥିଲେ, ଗ୍ରୀକ୍‌ ଓ ଲାଟିନ୍‌ ମୂଳରୁ, କିନ୍ତୁ ସେଗୁଡ଼ିକର ପରିଭାଷା ନିର୍ମାଣ ପାଇଁ ପାଶ୍ଚାତ୍ୟ ସଭ୍ୟତାକୁ ଶହ ଶହ ବର୍ଷ ଲାଗିଗଲା। ସାମ୍ରାଜ୍ୟବାଦୀ ବିଶ୍ବଦୃଷ୍ଟିରେ ଏ ଶବ୍ଦଗୁଡ଼ିକ ପଶ୍ଚିମରୁ ପୂର୍ବ, ଉତ୍ତର ଓ ଦକ୍ଷିଣକୁ ଯାଇ ଔପନିବେଶିକ ବ୍ୟବସ୍ଥା ନିର୍ମାଣରେ ସହାୟକ ହେବା ଜରୁରୀ ଥିଲା। କହିପାରନ୍ତି ପାଶ୍ଚାତ୍ୟ ଜ୍ଞାନ ବ୍ୟବସ୍ଥା ପଶ୍ଚିମରେ ନ ରହି ବିଶ୍ବବ୍ୟାପୀ ହେବାର ପ୍ରେରଣାରେ ହିଁ ଥିଲା ଜ୍ଞାନ ଭାଷା ନିର୍ମାଣର ସଫଳତା। ୟାକୁ ପାଶ୍ଚାତ୍ୟ ସଭ୍ୟତାର ‘ଜ୍ଞାନୋଦୟ’ ପ୍ରୋଜେକ୍ଟ ବା ଏନ୍‌ଲାଇଟେନ୍‌ମେଣ୍ଟ ପ୍ରୋଜେକ୍ଟ କହାଯାଇପାରେ। ସବୁ ‘ବୃହତ୍‌’ର ନିର୍ମାତା ଓ ବ୍ୟାପ୍ତି ପଛରେ ଅଭୀପ୍‌ସା ଏଇଆ ଥିଲା ଯେ ଆମେ ୟୁରୋପୀୟମାନେ ବିଶ୍ବର କେନ୍ଦ୍ରରେ ଓ ଆଉ ସମସ୍ତେ ଆମର ପ୍ରଭାବକ୍ଷେତ୍ର ଭିତରେ। ଏହି ଜ୍ଞାନୋଦୟ ପରିଯୋଜନାରେ ଗ୍ରୀକ୍‌ ଓ ଲାଟିନ୍‌ ମୂଳରୁ ଶବ୍ଦ ଆଣି ତତ୍ତ୍ବ ପ୍ରତିଷ୍ଠାର ପ୍ରୟାସ ହେଲା। ଆମେ ଆର୍ଯ୍ୟାବର୍ତ୍ତରେ ବା ଭାରତୀୟ ସଭ୍ୟତା ଏଭଳି ଉଦ୍ୟମ ଦେଖିଲେ ନାହିଁ, ଯଦିଓ ସ˚ସ୍କୃତ ଭାଷାରେ ଓ ବେଦ ସମେତ ସମଗ୍ର ଭାରତୀୟ ଜ୍ଞାନ ପ୍ରକରଣରେ ଅସ˚ଖ୍ୟ ଅର୍ଥପୂର୍ଣ୍ଣ ବ୍ୟାଖ୍ୟାନ ଥିଲେ। ଭାରତୀୟ ଜ୍ଞାନ ବ୍ୟବସ୍ଥା ସାମ୍ରାଜ୍ୟବାଦୀ ଅଭିଯାନର ଅସ୍ତ୍ରାଗାର ନ ଥିଲା। ଭାରତୀୟ ଜ୍ଞାନ ବ୍ୟବସ୍ଥାର ଉପପାଦ୍ୟ-କରଣ (ଥିଓରାଇଜେସନ୍‌) ନ ହେବା ଫଳରେ ସବୁ କ୍ଷେତ୍ରରେ ପ୍ରୟୋଗ ହେଲା ଭଳି ତର୍କସ˚ଭୂତ ନିଷ୍କର୍ଷ (ଡିଡକ୍‌ସନ୍‌) ସମ୍ଭବ ହେଲାନାହିଁ। ତେଣୁ ‘ଡିମୋକ୍ରାସି’କୁ ‘ଗଣତନ୍ତ୍ର’ ଅର୍ଥରେ ବୁଝାଯାଉଥିବା ଏକ ଶବ୍ଦ ଭାବରେ ଆମେ ଗ୍ରହଣ କରିନେଲେ। ପ୍ରକୃତରେ ‘ଗଣତନ୍ତ୍ର’ର ନୂଆ ଅର୍ଥ ବିକାଶ ଓ ବିସ୍ତାର ପାଇଁ ଏବେ ତିନିଟି କାରଣରୁ ବାଟ ଫିଟିଚି। ପ୍ରଥମ କାରଣ ଏଥେନିଆନ୍‌ ନଗର-ରାଷ୍ଟ୍ରର ଡିମୋକ୍ରାସି ଆମର ଚଳନ୍ତି ସମୟର ପ୍ରତିନିଧିମୂଳକ ଗଣତନ୍ତ୍ରର ଛାୟା ମଧୢ ନୁହଁ। ଏ ଶବ୍ଦକୁ ଅର୍ଥ ମିଳିଲା ମାନବିକ ଅଧିକାରର ପ୍ରତିଷ୍ଠାରେ ଓ ଯଥେଚ୍ଛାଚାରୀ ଶାସନ ବିରୋଧରେ ଘଟିଥିବା ଦୁଇଟି ପାଶ୍ଚାତ୍ୟ ଘଟନାକ୍ରମରୁ। ପ୍ରଥମଟି ଆମେରିକା ଅଧିକାର ପାଇଁ ୟୁରୋପୀୟଙ୍କ ଭାଇ-ଭାଇ ଯୁଦ୍ଧ ପରେ, ଭୟଙ୍କର କ୍ଷୟକ୍ଷତି ପରେ, ଆମେରିକା ସମ୍ବିଧାନରେ। ଦ୍ବିତୀୟଟି ଫରାସୀ ବିପ୍ଳବ ଫଳରେ ଫ୍ରାନ୍‌ସରେ ‘ସ୍ବାଧୀନତା, ସମାନତା ଓ ଭ୍ରାତୃତ୍ବ’ (ଲିବେର୍ଟି, ଇକ୍ବାଲିଟି, ଫ୍ରାଟରନିଟି) ଆଧାରରେ ନୂଆ ରାଜନୈତିକ ଆଦର୍ଶର ପ୍ରତିଷ୍ଠା ସହିତ ରାଜତନ୍ତ୍ରର ସମାପ୍ତିରେ। ଆମେରିକାନ୍‌ ଵାର ଅଫ୍‌ ଇଣ୍ତିପେଣ୍ତେନ୍‌ସ ଥିଲା ୧୭୭୫ରୁ ୧୭୮୩ର ଘଟନା। ଫରାସୀ ବିପ୍ଳବ ଥିଲା ୧୭୮୯ରୁ ୧୭୯୯ର ଘଟନା। ସମ୍ବିଧାନର ପ୍ରତିଷ୍ଠା, ମାନବାଧିକାର, ସ୍ବାଧୀନତା, ସମାନତା ଓ ଭ୍ରାତୃତ୍ବ ଏ ସବୁ ଥିଲା ଗଣତନ୍ତ୍ରର ଉପାଦାନ ବା ପାଶ୍ଚାତ୍ୟ ଗଣତନ୍ତ୍ରର ଉପାଦାନ।

୧୭୯୯ ବେଳକୁ ଭାରତର ସ୍ଥିତି କ’ଣ ଥିଲା? ଚାଲିଥିଲା ଆଙ୍ଗ୍ଲୋ-ମହୀଶୂର ଯୁଦ୍ଧ; ଯାହା ଥିଲା ବ୍ରିଟିସ ଇଷ୍ଟ ଇଣ୍ତିଆ କମ୍ପାନି ସହିତ ଟିପୁ ସୁଲ୍‌ତାନଙ୍କର। ଯୁଦ୍ଧଭୂମି ଥିଲା ଶ୍ରୀରଙ୍ଗପତ୍ତନମ୍‌! ପଶ୍ଚିମରେ ଗଣତନ୍ତ୍ରର ଆରମ୍ଭ, ମାନବାଧିକାରର ପ୍ରତିଷ୍ଠା, ଏଣେ ଭାରତରେ ଇ˚ରେଜଙ୍କ ପାର୍ଲିଆମେଣ୍ଟ ଦ୍ବାରା ରାଜ-ସନନ୍ଦ ପ୍ରାପ୍ତ ବେପାରୀ କମ୍ପାନି ଦ୍ବାରା ଶ୍ରୀ ରଙ୍ଗନାଥ ସ୍ବାମୀଙ୍କ ଭୂମିରେ କ୍ଷେତ୍ର-ଅଧିକାର ପାଇଁ ରକ୍ତପାତ! ଏଣୁ, ଶ୍ରୀରଙ୍ଗପତ୍ତନମ୍‌ରେ ଯୁଦ୍ଧ ଓ ସ˚ଘର୍ଷରୁ ଉପୁଜିଥିବା ଗଣତନ୍ତ୍ର ୟୁରୋପୀୟ ‘ଗଣ’ଙ୍କ ପାଇଁ ହୋଇପାରେ, କିନ୍ତୁ ୟାର ବିଶ୍ବଦୃଷ୍ଟି ଥିଲା ଖଣ୍ତିତ! ତାଙ୍କ ପାଇଁ ଗଣତନ୍ତ୍ର, କିନ୍ତୁ ଆମ ପାଇଁ ପରାଧୀନତାର ବେଡ଼ି! ଶ୍ରୀରଙ୍ଗନାଥସ୍ବାମୀଙ୍କ ଭବ୍ୟ ମନ୍ଦିର ଥିଲା ଅଷ୍ଟମ-ନବମ ଶତାବ୍ଦୀର ଦାକ୍ଷିଣାତ୍ୟରେ ପଞ୍ଚ ଭକ୍ତିପୀଠରୁ ଗୋଟିଏ। ସ୍ମରଣକୁ ବି ଆସୁ ଯେ ଓଡ଼ିଆଙ୍କ ‘ଦାର୍ଢ଼୍ୟତା ଭକ୍ତି’ର କାଳ ୧୭୯୯! ଅନ୍ୟ ଭାବରେ କହିଲେ ଭାରତରେ ଧର୍ମ ଓ ଅଧୢାତ୍ମର ଜୀବନଧାରା ଆସ୍ଥାର ସାମର୍ଥ୍ୟରେ ପ୍ରବାହିତ ହେଲାବେଳେ ଯୁଦ୍ଧରୁ ବାହାରିଥିଲା ପାଶ୍ଚାତ୍ୟ ଗଣତନ୍ତ୍ର। ଆମ ସଭ୍ୟତାରୁ ଗଣତନ୍ତ୍ରର ଉଦୟ କାହିଁକି ସେ ଯାଏଁ ହୋଇନଥିଲା? ତା’ର ଉତ୍ତର ଏହି ଯେ ଭାରତରେ ‘ଗଭୀର ଗଣତନ୍ତ୍ର’ର ସମାଜ କ୍ରିୟାଶୀଳ ଥିଲା। ଭାରତୀୟ ରାଜତନ୍ତ୍ରର ଇତିହାସ ଏବ˚ ପୌରାଣିକ ବ୍ୟାଖ୍ୟାନମାନଙ୍କରେ ସବୁ ରାଜା ଥିଲେ ଧାର୍ମିକ ଓ ପ୍ରଜାବତ୍ସଳ। ପାପିଷ୍ଠ ରାଜାମାନଙ୍କର ମର୍ମନ୍ତୁଦ ମରଣ ଓ ଅଭିଶପ୍ତ ଜୀବନର କାହାଣୀ ଅସ˚ଖ୍ୟ ବ୍ୟାଖ୍ୟାନରେ। ପୁରୁଣା ରାଜତନ୍ତ୍ରମାନଙ୍କର ରଚନାରେ ରାଜାଙ୍କୁ କେନ୍ଦ୍ର କରି ଗଢ଼ି ଉଠିଥିବା ସମାଜରେ ଶାସକୀୟ ଅତ୍ୟାଚାର ବା ବିଭେଦ ନ ଥିଲା। ସବୁ କୁସ˚ସ୍କାର, ଜାତିପ୍ରଥା ଓ ଅସମତା ଆସିଥିଲା ‘ଶାସ୍ତ୍ର ଅଧିକାର’ର ବୌଦ୍ଧିକ ସ˚ଘର୍ଷରୁ। ଉଚ୍ଚ-ନୀଚର ବିଚାର ଥିଲା ଶାସ୍ତ୍ରକୁ କରାୟତ୍ତ କରିଥିବା ନ୍ୟସ୍ତସ୍ବାର୍ଥ ଗୋଷ୍ଠୀର ସୃଷ୍ଟି। ୟାକୁ ପ୍ରତିହତ କରିବା ପାଇଁ ଭାରତୀୟ ଧର୍ମଶାସ୍ତ୍ରମାନଙ୍କରେ ପ୍ରଚୁର ଉପାଦାନ ଥିଲା, କିନ୍ତୁ ସେସବୁର ‘ଥିଓରାଇଜେସନ୍‌’ ବା ତତ୍ତ୍ବାୟନ ସମ୍ଭବ ହୋଇନଥିଲା, ଏହି ନ୍ୟସ୍ତସ୍ବାର୍ଥଙ୍କ ଯୋଗୁଁ। କହାଯାଇପାରେ ଯେ ଭାରତୀୟ ରାଜତନ୍ତ୍ର ଆଦୌ ପାଶ୍ଚାତ୍ୟ ରାଜତନ୍ତ୍ର ଭଳି ନଥିଲା। ଏଠି ଆମ ଦେଶରେ ରାଜନୀତି ଥିଲା ରାଜ୍ୟନୀତି, ଯାହାର ନିର୍ବାହ ଓ ନିର୍ମାଣ ଦୁଇଟା ଯାକ ଥିଲା ରାଜାଙ୍କ ବିବେକ-ରକ୍ଷକ ବିଦ୍ବାନଙ୍କ ହାତରେ। ‘ଗଭୀର ଗଣତନ୍ତ୍ର’ (ଡିପ୍‌ ଡିମୋକ୍ରାସି) କେବଳ ଭାରତରେ ନ ଥିଲା, ସବୁ ସଭ୍ୟତାରେ ଥିଲା। ଗ୍ରେକୋ-ରୋମାନ୍‌ ସଭ୍ୟତାର ଗଣତନ୍ତ୍ର ଥିଲା କ୍ଷୁବ୍‌ଧ ସମାଜ ସହିତ ଏକ ଚୁକ୍ତି! ଭାରତୀୟ ଗଭୀର ଗଣତନ୍ତ୍ର ଥିଲା ଧର୍ମଭୀରୁ ସମାଜରେ ମଣିଷ ଭିତରେ ବ୍ରହ୍ମ ଦର୍ଶନର ନୀତି। ଏଣୁ ଗଣତନ୍ତ୍ରର ପୁନଃ-ତତ୍ତ୍ବାୟନ ପାଇଁ ଆମର ଭୂମି ପ୍ରସ୍ତୁତ। ଭାରତୀୟ ରାଜତନ୍ତ୍ରର ନୈତିକ ଭୂମିକୁ ଅସିଦ୍ଧ ପ୍ରମାଣ କରିବା ପାଇଁ ଦୟା କରି ଓଡ଼ିଶାର ଗଡ଼ଜାତ ରାଜାଙ୍କ ଅତ୍ୟାଚାରର କାହାଣୀ କହନ୍ତୁ ନାହିଁ। ଓଡ଼ିଶାର ମୁଖ୍ୟ ରାଜତନ୍ତ୍ରୀୟ ପର˚ପରା ସୋମ ବ˚ଶୀ, ଗଙ୍ଗ ବ˚ଶୀ ଓ ସୂର୍ଯ୍ୟ ବ˚ଶୀ ଗଜ ପିଢ଼ିିଙ୍କର। ଅତ୍ୟାଚାରୀ ରାଜା ଓ ନିଜକୁ ରାଜା ବୋଲାଉଥିବା ଅସୁରକ୍ଷିତ ଜମିଦାରମାନେ ଭାରତୀୟ ରାଜତନ୍ତ୍ରର ପ୍ରତିମା-ପୁରୁଷ ନୁହନ୍ତି।

ହଁ, ଗଣତନ୍ତ୍ରର ପୁନର୍ବିଚାର ପାଇଁ ଦ୍ବିତୀୟ କାରଣ ପୁଞ୍ଜିବାଦୀ ଗଣତନ୍ତ୍ରର ବିଶ୍ବ-ଦୃଷ୍ଟିରେ ବିଷମତା। ଏକେତ ମୂଳରୁ ଦୋ ମୁହାଁ; ଏବେ ପୁଞ୍ଜିବାଦୀ ଗଣତନ୍ତ୍ର ତା’ର ଅନୁଷ୍ଠାନମାନଙ୍କ ଜରିଆରେ ଆମର ବୌଦ୍ଧିକ ବିଚାରଶୀଳତାକୁ ପ୍ରାୟ ନଷ୍ଟ କରି ଦେଇଚି। ବଡ଼ ବିଚିତ୍ର କଥା ଯେ ଆମେରିକା ଓ ୟୁରୋପରେ ଯେଉଁମାନେ ତାଙ୍କ ନିଜ ରାଷ୍ଟ୍ରକୁ ସନ୍ଦେହ କରନ୍ତି ନାହିଁ, ସେଇମାନେ ଆମର ଅନେକ ବୁଦ୍ଧିଜୀବୀଙ୍କୁ ରାଷ୍ଟ୍ରକୁ ସନ୍ଦେହ କରିବାର ପାଠ ପଢ଼ାନ୍ତି। ଲିବେରାଲ୍‌ ବା ଉଦାରବାଦୀ ଚିନ୍ତନର ସର୍ବଗ୍ରାହୀ ଆକ୍ଷରିକ ଅର୍ଥ ହେଲା ମୁକ୍ତଚିନ୍ତନ, ସହନଶୀଳ ବିଚାରଧାରା ଓ ବିଭେଦ ସତ୍ତ୍ବେ ସମସ୍ତଙ୍କୁ ଏକାଠି ନେଇ ଚାଲିବାର ଚିନ୍ତାଧାରା। କିନ୍ତୁ ଗଣତନ୍ତ୍ରର ଆଳରେ ଯେଉଁ ଉଦାରବାଦୀ ଚିନ୍ତାଧାରା ପାଶ୍ଚାତ୍ୟ ଗଣତନ୍ତ୍ରରୁ ଆମ ଉଦ୍ଦେଶ୍ୟରେ ବିଚ୍ଛୁରିତ ହେଉଚି, ତାହା ଦେଶ ଓ ରାଷ୍ଟ୍ର ଊର୍ଦ୍ଧ୍ବରେ ଆମେରିକା-ୟୁରୋପମୁଖୀ ବିଶ୍ବବାଦ, ସେହିମାନଙ୍କ ଦ୍ବାରା ପରିଚାଳିତ ଏକ ଷଡ୍‌ଯନ୍ତ୍ର। ଏବେ ‘ଟୁଲ୍‌କିଟ୍‌’ ଷଡ୍‌ଯନ୍ତ୍ରରେ ସାମିଲ୍‌ ଦିଶା ରବି କିଏ? କିଏ ଏ ଗ୍ରେଟା ଥୁନ୍‌ବର୍ଗ? ଏମାନେ ବାତାବରଣ ସୁରକ୍ଷା କର୍ମୀ, କିନ୍ତୁ ତା’ ଅନ୍ତରାଳରେ ଖଲିସ୍ତାନୀ ରାଷ୍ଟ୍ରଦୋହୀଙ୍କୁ ସମର୍ଥନ ଦେଇ ଭାରତର ପ୍ରତିଷ୍ଠା ଧ୍ବ˚ସ କରିବା ପାଇଁ କାର୍ଯ୍ୟରତ। ସ୍ବିଡିସ୍‌ କୁମାରୀ ଥୁନ୍‌ବର୍ଗ ତାଙ୍କ ନିଜ ଦେଶ ବିରୋଧରେ ଏପରି କରିବେ ନାହିଁ; କାରଣ ସେଠି ଲୁଚିବାର ସ୍ଥାନ ନାହିଁ ଓ ପରିଣତି ଭୟଙ୍କର। ନିଜେ ଭଲରେ ରୁହ, କିନ୍ତୁ ଭାରତକୁ ଧ୍ବ˚ସକରିବାର ଉପାୟ କର! ଏ ନିର୍ଦ୍ଦେଶିକା ଭାରତୀୟ ଗଣତନ୍ତ୍ର ସହିତ ଉଦାରବାଦୀ ଚିନ୍ତକ ଓ ରାଷ୍ଟ୍ରଙ୍କର ଧୋକା। ପୁରୁଣା ଗଣତନ୍ତ୍ର ଆଉ ପୁରୁଣା ହୋଇ ନାହିଁ। ବିଶ୍ବ ବିଜୟ ପାଇଁ ଏ ଏବେ ସାଇବର ଡେଣାରେ ସବାର ଗୋଟେ ବିକୃତ ନୂଆ ଚେହେରା।

ତୃତୀୟ କାରଣଟି ହେଲା ଆଫ୍ରିକା, ଲାଟିନ୍‌ ଆମେରିକା ଓ ଏସିଆ; ଏ ସବୁଠି ଗଣତନ୍ତ୍ର ଏଯାବତ୍‌ କୁହେଳିକାଚ୍ଛନ୍ନ। ଆରବ ଦେଶମାନଙ୍କରେ ତ ଗଣତନ୍ତ୍ରକୁ ଆସିବାକୁ ଦେଉନାହାନ୍ତି ସେମାନେ। ସେମାନେ କିଭଳି ଏତେ ସାହସ ପାଇଲେ ତାହା ହିଁ ଚିନ୍ତାର ବିଷୟ। ଶିଳ୍ପ ପାଇଁ ଅବିକଶିତ ଲୋକଙ୍କୁ ଅବିକଶିତ କରି ରଖିବା ଓ ତାଙ୍କର ଦେଶର ପ୍ରାଚୁର୍ଯ୍ୟମୟୀ ପ୍ରକୃତିକୁ ଲୁଣ୍ଠନ କରିବା କ’ଣ ଏକ ଗଣତାନ୍ତ୍ରିକ ନୀତି ହୋଇପାରେ?
ନୂଆ ଗଣତନ୍ତ୍ରର ଫଣ୍ତା ଭାରତରେ। ଏଥିପାଇଁ ନୂଆ ରାଜନୀତି ଶାସ୍ତ୍ରୀ ଭାରତରୁ ବାହାରିବେ। ଭାରତୀୟ ପଦ୍ଧତିରେ ଗଣତନ୍ତ୍ରର ‘ଥିଓରାଇଜେସନ୍‌’ ପାଇଁ ଲୋଡ଼ା ଚାରିଟି ଆଲୋଚନା କ୍ଷେତ୍ର: ସ୍ବଭାବ, ବିଭାବ, ଅଭାବ ଓ ପ୍ରଭାବ। ଗଣତନ୍ତ୍ରର ସ୍ବଭାବରେ ଆସିବ ବ୍ୟକ୍ତିରୁ ଗଣର ନିର୍ମାଣ, ଗଣ ଚରିତ୍ର, ଗଣ ସ୍ବୀକାର, ଗଣ ରୋଷ ଓ ଗଣ ବିଧାନ। ବିଭାବରେ ଆସିବ ସନ୍ଥ ଗଣତନ୍ତ୍ର, ସଭ୍ୟ ଗଣତନ୍ତ୍ର, ରାଜ୍ୟ ଓ ସ˚ଘ, ରାଷ୍ଟ୍ରୀୟ ଗଣତନ୍ତ୍ର ଓ ଗଭୀର ଗଣତନ୍ତ୍ର! ଅଭାବ ଏତିକି ଯେ ଗଣତନ୍ତ୍ରର ଯୋଗ୍ୟ ହେବା ପାଇଁ ନାଗରିକ ଶିକ୍ଷା ଏଯାଏଁ ଅବିକଶିତ। ପ୍ରଭାବ ଏକ ସୁସ˚ହତ ବିଶ୍ବ।
ଭାରତରେ ଏବେ ସବୁଠୁ ଜରୁରୀ ସାଧୁତା ଓ ସ˚ଭ୍ରମର ଗଣତନ୍ତ୍ର। ନିର୍ବାଚନୀ ରାଜନୀତିରେ ୟାର ମୂଳ ନାହିଁ। ସନ୍ଥତ୍ବର ମହାବାଣୀକୁ ରାଷ୍ଟ୍ରୀୟ ରାଜନୈତିକ ଚିନ୍ତନରେ ପ୍ରବେଶ କରାଇ ମନ୍ତ୍ରୀ ଓ ରାଜନେତା ଧର୍ମେନ୍ଦ୍ର ପ୍ରଧାନ ଭାରତୀୟ ରାଜନୀତିରେ ଯେଉଁ ମହତ୍‌ କାର୍ଯ୍ୟ କଲେ ତାହା ସାଧୁତାର ଆଧାରରେ ଗଣତନ୍ତ୍ରକୁ ପୁନର୍ଭାଷିତ କରିବାର ପୃଷ୍ଠପଟ ହେବ ଭବିଷ୍ୟତରେ। ଏଇ କିଛିଦିନ ତଳେ ତିରୁଚିରାପଲ୍ଲୀରୁ ଜଣେ ଓଡ଼ିଆ ସନ୍ଥ ମୋ ସହିତ ସ˚ଯୋଗ ସ୍ଥାପନ କରି ଏ ବାର୍ତ୍ତା ଦେଲେ ଯେ ଭାରତର ସନ୍ଥ ସମାଜ ଭିତରେ ଧର୍ମେନ୍ଦ୍ରଜୀଙ୍କ ଘୋଷଣା ଓ ମହାନ୍‌ ଓଡ଼ିଆ ସନ୍ଥ ଭୀମଭୋଇ ଚର୍ଚ୍ଚାର ବିଷୟ ହୋଇଚନ୍ତି ଓ ସନ୍ଥମାନେ ରାଷ୍ଟ୍ରମଙ୍ଗଳ ବିଷୟରେ ଆଲୋଚନା ଓ ଅନୁଷ୍ଠାନ କରିବା କଥା ଭାବୁଚନ୍ତି। ଏଇ କିଛି ଦିନ ତଳେ ପ୍ରଧାନମନ୍ତ୍ରୀଙ୍କ ଅଧୢକ୍ଷତାରେ ଅନୁଷ୍ଠିତ ‘ନୀତି ଆୟୋଗ’ର ବୈଠକରେ େଵବ୍‌ ମାଧୢମରେ ଯୋଗ ଦେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଚନ୍ତି ଯେ ଭାରତର ସ˚ଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ବିପଦ କାଳରେ ଯେଉଁ ଭଳି ଏକୀକୃତ ସ˚କଳ୍ପର ସହିତ କାର୍ଯ୍ୟ କରିପାରୁଚନ୍ତି, ତାହା ଆମେରିକା ବା ୟୁରୋପରେ ସ˚ଭବ ନୁହେଁ। ନବୀନଙ୍କ ଭାଷଣ ସଭ୍ୟ ଗଣତନ୍ତ୍ରର ଚର୍ଚ୍ଚା ପାଇଁ ପରିବେଶ ନିର୍ମାଣ କରିଦେଲା।

ସଭ୍ୟ ଗଣତନ୍ତ୍ରର ଅର୍ଥ ଏଠି ସ˚ଘୀୟ ଗଣତନ୍ତ୍ରରେ ରାଜ୍ୟ-କେନ୍ଦ୍ର ସ˚ପର୍କରେ ଶାଳୀନତା ଓ ଗରିମା। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚାପୁଡ଼ା ମାରିବା କଥା ଉଚ୍ଚାରଣ ବି କଲେ କେମିତି? କଥା ରାଜନୀତିରୁ ବ୍ୟକ୍ତିଗତ ଆକ୍ରୋଶ ସ୍ତରକୁ ଉଠିଯାଇଚି। ପ୍ରଧାନମନ୍ତ୍ରୀ ଏଇଥିପାଇଁ ପ୍ରଶ˚ସାଯୋଗ୍ୟ ଯେ ସେ ତାଙ୍କ ବିରୋଧରେ ବିଷୋଦ୍‌ଗାର ଓ କେନ୍ଦ୍ର ବିରୋଧରେ କିଛି ମନ୍ତବ୍ୟକୁ ବ୍ୟକ୍ତିଗତ ସ୍ତରକୁ ନେଇନାହାନ୍ତି। ଲୋକେ ବୁଝୁଚନ୍ତି ଯେ ମୋଦୀଜୀ ରାଷ୍ଟ୍ରନାୟକର ଭୂମିକାରେ କରୁଣା, ସ୍ପର୍ଶକାତରତା ଓ ଗାମ୍ଭୀର୍ଯ୍ୟର ଭୂୟସୀ ପରିଚୟ ଦେଇ ଚାଲିଚନ୍ତି। ଲୋକଙ୍କୁ ମନର କଥା କହିବା ଠାରୁ ନିର୍ବାଚନୀ ସଭାରେ ଆକ୍ରାମକ ଭାଷଣ ପର୍ଯ୍ୟନ୍ତ ସବୁଥିରେ ସ୍ଥିରତା, ଦୃଢ଼ତା ଓ ଭାରତୀୟ ଦୃଷ୍ଟିକୋଣ ପ୍ରତିଷ୍ଠିତ କରିଚନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନଜୀଙ୍କ ସହିତ ମୋଦୀଜୀଙ୍କ ସୁସ˚ପର୍କର ଗୋଟିଏ ବଡ଼ କାରଣ ଦୁହିଁଙ୍କର ପରସ୍ପର ପ୍ରତି ସଭ୍ୟ ବ୍ୟବହାର। ସ୍ମରଣରେ ରହୁ ଯେ ଭାରତ ଏକ କେନ୍ଦ୍ରମୁଖୀ (ସେଣ୍ଟ୍ରିଫ୍ୟୁଗଲ୍‌) ସ˚ଘୀୟ ଗଣତନ୍ତ୍ର। ଆମେରିକାର ଗଣତନ୍ତ୍ର କେନ୍ଦ୍ରତ୍ୟାଗୀ (ସେଣ୍ଟ୍ରିପେଟାଲ୍‌)। ସେଠି ରାଜ୍ୟମାନେ ସ୍ବାୟତ୍ତ। ସମ୍ବିଧାନ ନିର୍ମାଣ କାଳରେ ଆ‌େମ୍ବଦକର ଓ ଅନ୍ୟ ବିଶିଷ୍ଟ ସଦସ୍ୟଙ୍କର ବକ୍ତବ୍ୟରେ ଭାରତୀୟ ସ˚ଘୀୟ ଗଣତନ୍ତ୍ରରେ ସହାବସ୍ଥାନ ଓ ସ୍ବାୟତ୍ତତାର ରୂପ କି ମର୍ଯ୍ୟାଦାର ସହିତ ରେଖାଙ୍କିତ କରାଯାଇଥିଲା ତାହା ସ୍ମରଣୀୟ। ଆନ୍ଧ୍ର ଓ ଓଡ଼ିଶା ଭିତରେ କୋଟିଆ ଗ୍ରାମପୁ˚ଜକୁ ନେଇ ଯେଉଁ ସୀମା ବିବାଦ ଚାଲିଚି, ତାହା ଦୁର୍ଭାଗ୍ୟଜନକ। ଆନ୍ଧ୍ର ସରକାର କୋଟିଆ ଗ୍ରାମପୁ˚ଜ ଅକ୍ତିଆର କରିବାକୁ ଚାହିବା ସ˚ଘୀୟ ମର୍ଯ୍ୟାଦାର ଉଲ୍ଲ˚ଘନ; ଓଡ଼ିଶା ସରକାର କୋଟିଆ ଗ୍ରାମପୁ˚ଜକୁ ମାଡ଼ିବସିବା ପାଇଁ ବା ନିୟମିତ ଲୋକ ର˚ଜନ କରି ଅଧିକାର ବ˚ଚେଇବାର ପ୍ରୟାସ କରି ନ ଥିବା ମଧୢ ସତ; କିନ୍ତୁ ଏକଥା ମଧୢ ସତ୍ୟ ଯେ ରାଜ୍ୟ-ରାଜ୍ୟ ମଧୢରେ ସୀମା ବିବାଦ ଓ ଏଥିପାଇଁ ଜୋର-ଜବର; ସ˚ଘୀୟ ଗଣତନ୍ତ୍ରରେ ଏକ ଲଜ୍ଜାକର ବ୍ୟାପାର। ଆନ୍ଧ୍ର ସରକାରଙ୍କ ଅସଭ୍ୟ ଆଚରଣ ବିରୋଧରେ ମାମଲା ସର୍ବୋଚ୍ଚ ବିଚାରାଳୟରେ, କିନ୍ତୁ ସମାଧାନ ପାଇଁ କେନ୍ଦ୍ରର ହସ୍ତକ୍ଷେପ ତ ଆମ ସ˚ଘୀୟ ଗଣତନ୍ତ୍ରରେ ଏକ ସ୍ବାଭାବିକ ଆବଶ୍ୟକତା! ସଭ୍ୟ ଗଣତନ୍ତ୍ରରେ ସ˚ଘୀୟ ରାଷ୍ଟ୍ର ପାଇଁ ତାହା ହିଁ ଅନୁକୂଳ। ଭାରତୀୟ ବୌଦ୍ଧିକ ରଚନାରେ ‘ସ˚ଘ’ର ଏକ ଜାତୀୟ ସ୍ମୃତି ଏଯାବତ୍‌ ବିଦ୍ୟମାନ। ଗଣତନ୍ତ୍ରର ପୁନର୍ବିଚାର ପାଇଁ ଭାରତୀୟ ପର˚ପରାରେ ଉପାଦାନ ଅନେକ। ଭାରତୀୟ ସଭ୍ୟତାରେ ଗଭୀର ଗଣତନ୍ତ୍ର ଲୋକଜୀବନ, ନୀତିଶାସ୍ତ୍ର ଓ ରାଜଧର୍ମ ସବୁଥିରେ ଏ ଉପାଦାନ ଉପଲବ୍‌ଧ।

ସନ୍ଥ ପୁରୁଷମାନେ ରାଷ୍ଟ୍ରମଙ୍ଗଳ ପାଇଁ ଚିନ୍ତା କରିବେ, ଲୋକେ ଦେଶଭକ୍ତ ହେବେ, ରାଜନୀତି ଦଳୀୟ ସ୍ବାର୍ଥ ଊର୍ଦ୍ଧ୍ବକୁ ଯାଇ ଏକ ସମାବେଶୀ ସର୍ବମୟତାର କଳ୍ପନାକୁ ରୂପାୟିତ କରିବ, ଶାସନ ସ୍ବୟ˚ ଏକ ବନ୍ଧନମୁକ୍ତ ନୈତିକ ଆଚରଣ ହେବ; ଏ ବିଚାର ନୂଆ ଗଣତନ୍ତ୍ରରେ ହିଁ ସମ୍ଭବ ହେବ। ନୂଆ ଗଣତନ୍ତ୍ର ଭାରତରେ ହିଁ ସମ୍ଭବ ହେବ। ସଭ୍ୟତା ଓ ଲୋକଜୀବନରୁ ଗଭୀର ଗଣତନ୍ତ୍ରର ଉପାଦାନ ମାନ ମିଳିବେ, ତାର ତତ୍ତ୍ବାୟନ ଭାରତୀୟ ଶାସ୍ତ୍ରୀମାନେ ହିଁ କରିବେ। ଗଣତନ୍ତ୍ର ସତ୍ତାର ଖେଳ ନୁହେଁ, ଏ ଏକ ଜୀବନଧାରା! ୟାକୁ ବୁଝିବାର ଭାଷା ଆମ ସଭ୍ୟତାରେ ଓ ସ˚ସ୍କାରରେ ଅଛି। ଭାରତୀୟତାକୁ ବୁଝିଲେ ହିଁ ତାର ଅନୁମାନ ସମ୍ଭବ। ହଁ, ଗଣତନ୍ତ୍ର ଗୋଟିଏ ପ୍ରକୃତ ସଭ୍ୟ ଦେଶ ପାଇଁ ଆବେଗର ବିଷୟ, ସତ୍ତାଧିକାରର କୂଟ ନୁହେଁ। ନୂଆ ଗଣତନ୍ତ୍ର ତାହାହିଁ ପ୍ରମାଣ କରିବ। ତାହା ଦେଖାଇବ ଯେ ଲୋକେ କେବଳ ଭୋଟଦାତା ନୁହନ୍ତି, ସେମାନେ ବିଶ୍ବର ‘ନୂଆ ସାଧାରଣ’, ନୂଆ ମାନବ!

ବାଗର୍ଥ, ଏନ୍ ୨/୨୬
ଆଇଆର୍‌ସି ଭିଲେଜ୍, ଭୁବନେଶ୍ବର
ମୋ-୯୪୩୭୦୩୯୮୫୮

ସମ୍ବନ୍ଧିତ ଖବର