ପିଲା ହେବାକୁ ସାହସ ନାହିଁ

ଜୀବନ ତରଙ୍ଗ - ଅଞ୍ଜନ ଚାନ୍ଦ

ଏବେ ମୁଁ ସ୍କୁଲ୍‌କୁ ଯିବାକୁ ଗାଁ ଭିତରେ ରାସ୍ତାଟିଏ ପାଇ ଯାଇଛି। ମୋତେ ଆଉ ସବୁଦିନ ଚଳଚଞ୍ଚଳ ରାଜରାସ୍ତାକୁ ଯିବାକୁ ପଡୁନାହିଁ। ଯିବାଆସିବାରେ ପାଞ୍ଚ କିଲୋମିଟର ରାସ୍ତା ଓ ଦଶ ମିନିଟ୍‌ ସମୟ କମ୍‌ ପଡୁଛି। ଗାଁ ରାସ୍ତାରେ କେତେ ଅନ୍ତରଙ୍ଗ ଦୃଶ୍ୟ ସବୁଦିନ ଦେଖୁଛି। ନଈକୂଳରେ ଅଛି ଗୋଟେ ନିଛାଟିଆ ଶ୍ମଶାନ। ବଉଳଭରା ଆମ୍ବତୋଟା। କୁଡ଼ିଆଟିଏ କରି ସେଠାରେ ରହିଯିବାକୁ ମନ ହେଉଛି।

ଆଜି ଆସିବା ବେଳେ ତିନି ଚାରି ବର୍ଷର ଛୋଟ ପିଲାଟିଏ ହଠାତ୍‌ କାନ୍ଦି କାନ୍ଦି ରାସ୍ତା ଉପରକୁ ଧାଇଁ ଆସିଲା। ଅଣ୍ଟା ତଳକୁ ଲଙ୍ଗଳା। ଉପରେ ଖଣ୍ଡେ ନୀଳ ଜାମା। ମୁଣ୍ଡର ଟୋପି ଆଖି ଉପରେ ମାଡ଼ି ବସିଛି। ମୁଁ ହର୍ନ ବଜାଇଲି। ସେ ଚମକି ଯାଇ ଠିଆହେଲା। ରାସ୍ତା ଧାରକୁ ଯାଇ ପଛକୁ ଫେରି ଚାହିଁଲା। ମୋ ଆଡ଼କୁ ଅନାଇ ହସିଲା ଓ ହାତ ହଲାଇଲା। ମୁଁ ଭାବିଲି ତାର କାନ୍ଦ କୁଆଡ଼େ ଗଲା? ମୁଁ ହାତ ହଲାଇଲି ତ ସେ ଖୁସିରେ ତାଳି ମାରିଦେଲା।

ପିଲାମନ ଏମିତି। ଏହି ପ୍ରସଙ୍ଗରେ କଥାଟିଏ ମନେ ପଡୁଛି। ଛୋଟ ଏକ ପରିବାର। ବାପା, ମା’ ଓ ସାନ ପିଲାଟିଏ। ଘରେ ପୂଜା ହେଉଛି। ପୂଜକ ମନ୍ତ୍ର ପଢୁଛନ୍ତି। ବାପା ମା’ଙ୍କ ସହିତ ପିଲାଟି ବି ହାତ ଯୋଡ଼ି ଠାକୁରଙ୍କ ଆଗରେ ବସିଛି। ମା’ ଭାବୁଛନ୍ତି, ଅତୀତରେ ଅନେକ ଦୁଃଖ ଯାଇଛି ପ୍ରଭୁ, ଆଉ ସେପରି ଦୁଃଖ ଦିଅନାହିଁ। ବାପା ଭାବୁଛନ୍ତି, ଖେତରେ ଚାଷ ହେଇଛି। ହେ ପ୍ରଭୁ, ଏ ବର୍ଷ ପାଗ ଅନୁକୂଳ ହେଉ। କିନ୍ତୁ ପିଲାଟି ଭାବୁଛି, ପୂଜା କେତେବେଳେ ସରିବ? ଠାକୁରଙ୍କ ଆଗରେ ଥିବା ଲଡ଼ୁଟିକୁ ଖାଆନ୍ତି! ଓଃ କି ସରଳତା!

ବୟସରେ ବଡ଼ ହୋଇଯିବା ପରେ ଆମେମାନେ ପିଲାମାନଙ୍କୁ ବୋଧଶୂନ୍ୟ ବୋଲି ଭାବିଥାଉ। ସେମାନଙ୍କୁ ଶିକ୍ଷା ଦେଉ ଓ ମାର୍ଗ ଦେଖାଉ। କିନ୍ତୁ ଆମେମାନେ ତ ‎ଅତି ସହଜରେ ଭୁଲ୍‌ କାମମାନ ନିରଙ୍କୁଶ ଭାବେ କରି ଚାଲିଥାଉ; ଖୁବ୍‌ ଶୀଘ୍ର ମିଛ କହିପାରୁ, ଅନ୍ୟର କ୍ଷତି କରିବା କଥା ଚିନ୍ତା କରିପାରୁ, ସର୍ବସାଧାରଣ ଜାଗାରେ ବିନା କୌଣସି ବିବେକ ଦଂଶନରେ ସିଗାରେଟ୍‌ ଟାଣିପାରୁ। ସବୁ ପ୍ରକାର ନିୟମ ଉଲ୍ଲଂଘନର ଉପାୟ ଜାଣୁ ବା ଜାଣି ନ ଥିଲେ ତାର ଉଦ୍ଭାବନ କରିପାରୁ। କିନ୍ତୁ ପିଲାମାନଙ୍କ ଭଳି ନିର୍ମଳ ହସ ହସି ପାରୁନା। ଖୁସିରେ ତାଳି ମାରି ନାଚି ପାରୁନା। ବଡ଼ ପାଟିରେ କହି ପାରୁନା ଯେ ଏ ରାଜା ତ କିଛି ପୋଷାକ ପିନ୍ଧି ନାହାନ୍ତି! ୟେ ଲଙ୍ଗଳା ରାଜା!

କିନ୍ତୁ ପିଲାମାନଙ୍କୁ ଶିକ୍ଷା ଦେବାକୁ ସାରା ସଂସାର ଲାଗିଛି। ସ୍କୁଲ୍‌ରେ ଶିକ୍ଷକ, ଘରେ ବାପା, ମା’ ଓ ଗୁରୁଜନ। କୁଣିଆ ମଇତ୍ର ଯିଏ ଦେଖୁଛନ୍ତି, ପିଲାକୁ କୋଳରେ ବସାଇ ପଚାରୁଛନ୍ତି- କୋଉ ଶ୍ରେଣୀରେ ପଢୁଛୁ? ଧରନ୍ତୁ ପିଲାଟି କହିଲା- ଦ୍ବିତୀୟ ଶ୍ରେଣୀ। ତା’ ପରେ ବଡ଼ ଲୋକଙ୍କ ପ୍ରଶ୍ନ ଜାଣିଛୁ ତ ଦୁଇରେ ଦୁଇ ମିଶିଲେ କେତେ?

ଗପଟିଏ କହୁଛି। ଦୁଇଟି ପିଲା ଖେଳୁଥିଲେ। ସେମାନଙ୍କ ଭିତରେ କଳି ହେଲା। ଜଣେ ଆର ଜଣକୁ ଠେଲି ଦେଲା ତ ସେ ପଡ଼ିଗଲା ଓ କାନ୍ଦିଲା। ଏବେ କାନ୍ଦୁଥିବା ପିଲାର ବାପା ଘରୁ ବାହାରି ଆସି ବକିବା ଆରମ୍ଭ କଲା। ଏଥିରେ ଆର ପିଲାର ବାପା ବି ସମ୍ଭଳା ପଡ଼ିଲା ନାହିଁ। ସେ ବି ଠେଙ୍ଗାଟିଏ ଧରି ବାହାରକୁ ବାହାରି ଆସିଲା। ଦଶ ମିନିଟ୍‌ ଭିତରେ ଗୋଟିଏ ଗୋଷ୍ଠୀ ସଂଘର୍ଷ ହେବାର ବାଟ ଫିଟିଗଲା। ଏତିକି ବେଳେ ଜଣେ ବୁଦ୍ଧିଆ ଲୋକ ଟିକିଏ ଦୂରକୁ ଇସାରା କରିଦେଲେ। ଦେଖାଗଲା ଯେ ସେଇ ପିଲା ଦୁଇଟି ପୁଣି ମନ ଖୁସିରେ ନିଜ ନିଜ ଭିତରେ ଖେଳରେ ବ୍ୟସ୍ତ। ଏବେ କୁହନ୍ତୁ କିଏ କାହାଠାରୁ ଶିଖିବା କଥା?

ମୁଁ ଭାବୁଥିଲି ଆଉ ଥରେ ପିଲା ହୋଇ ଯାଆ‌ନ୍ତି କି? କିନ୍ତୁ ସତରେ କ’ଣ ମୁଁ ଆଉ ପିଲାଙ୍କ ଭଳି ଖୁସିରେ ନାଚି ପାରିବି? ମନ ଖୋଲା ହସି ପାରିବି? ବଡ଼ମାନେ କ’ଣ କହିବେ? ମୋ ଆଖିରେ ସବୁ କିଛି ଜାଣିବାର କୌତୂହଳ କାହିଁ? ବୁଝି ପାରୁଛି, ପିଲା ହେବା ଲାଗି ମୋ ମନରେ ଆଉ ସାହସ ନାହିଁ।

‎ବିକାଶ ନଗର, ବାଲେଶ୍ୱର
ମୋ- ୬୩୭୦୬୬୧୧୪୭

ସମ୍ବନ୍ଧିତ ଖବର