କୋଣାର୍କ କ’ଣ ଏକ ବୌଦ୍ଧ ମନ୍ଦିର? ଆଜି ଏ ପ୍ରଶ୍ନଟି ପୁଣିଥରେ ଆମ ପାଖକୁ ଫେରିଆସିଛି- କୋଣାର୍କକୁ ନେଇ ଏକ ନୂଆ ଇଂରେଜୀ ବହିପାଇଁ। ବହିଟିର ନାଆଁ ‘ଦି ରିୟଲ ହିଷ୍ଟ୍ରି ଅଫ୍ କୋଣାର୍କ’ ଏବଂ ସେ ସଂପର୍କରେ ଏହି ସ୍ତମ୍ଭରେ ପୂର୍ବରୁ (୨୨.୧ରେ) ଗୋଟିଏ ଆଲୋଚନା ହୋଇସାରିଛି। ତାହା ଥିଲା ‘କୋଣାର୍କ’ ମନ୍ଦିରର ନିର୍ମାଣ କାଳକୁ ନେଇ। ପୁସ୍ତକର ଲେଖକ ସଂଜୟ କୁମାର ବରାଳ ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ସଂପର୍କରେ ‘ନୂତନ ଆଲୋକ’ ଦେଖାଇବା ନାଆଁରେ କିପରି ନିଜେ ଅନ୍ଧାରରେ ରହିବା ସହିତ ପାଠକଙ୍କୁ ବିଭ୍ରାନ୍ତ କରିବାର ଅପଚେଷ୍ଟା କରିଛନ୍ତି, ସେଥିରେ ତାହା ସାବ୍ୟସ୍ତ କରାଯାଇଛି। ସେହି ଆଲୋଚନାର କୌଣସି ଅବକାଶ ନଥାନ୍ତା- ଯଦି ତାହା ରାଜ୍ୟର ଏକ ପୁରାତନ ଦୈନିକରେ ଏକ ପ୍ରମୁଖ ସମ୍ବାଦ ରୂପେ ଗୁରୁତ୍ୱର ସହ ପ୍ରକାଶ ପାଇନଥାନ୍ତା।
ଶ୍ରୀ ବରାଳଙ୍କର ସେହି ଆଲୋଚନା ଥିଲା- କୋଣାର୍କ ମନ୍ଦିରର ନିର୍ମାଣକାଳକୁ ନେଇ। ସେ ସାବ୍ୟସ୍ତ କରିବାକୁ ଚାହିଁଥିଲେ ଯେ ଏହି ମନ୍ଦିରର ନିର୍ମାଣକାଳ ତ୍ରୟୋଦଶ ଶତାବ୍ଦୀ ନୁହେଁ- ନବମ ଶତାବ୍ଦୀ। ତାଙ୍କର ଆଲୋଚନା ଥିଲା ‘ଆବୁଲ ଫାଜଲ’ଙ୍କର ଏକ ବିବରଣୀ ଆଧାରିତ- ଯାହା ନିରାଧାର ଏବଂ ତାହା ଗବେଷକ ଓ ଐତିହାସିକମାନଙ୍କ ଦ୍ୱାରା ଖଣ୍ଡିତ ହୋଇ କୋଣାର୍କ ଯେ ତ୍ରୟୋଦଶ ଶତାବ୍ଦୀର କୀର୍ତ୍ତି, ତାହା ବହୁ ପୂର୍ବରୁ ସୁପ୍ରତିଷ୍ଠିତ ହୋଇସାରିଛି।
କୋଣାର୍କ ମନ୍ଦିରର ନିର୍ମାଣକାଳ ସଂପର୍କରେ ସେହି ବିଭ୍ରାନ୍ତିପୂର୍ଣ୍ଣ ମତ ଥିଲା ଶ୍ରୀ ବରାଳଙ୍କ ପୁସ୍ତକର ପ୍ରଥମ ଭାଗ। ଏବେ ଆସିବା ଦ୍ୱିତୀୟ ଭାଗକୁ। ଦ୍ୱିତୀୟ ଭାଗର ଶୀର୍ଷକ ‘Konark: The Temple of Tantrayana Buddhism’। ଅର୍ଥାତ୍- କୋଣାର୍କ ‘ତନ୍ତ୍ରଯାନୀ ବୌଦ୍ଧଧର୍ମ’ ବା ‘ତାନ୍ତ୍ରିକ ବୌଦ୍ଧଧର୍ମ’ର ଏକ ମନ୍ଦିର। ଏ ସଂପର୍କରେ ସେହି ପୁରାତନ ଦୈନିକରେ ଯେଉଁ ସମ୍ବାଦ ପ୍ରକାଶପାଇଛି, ସେଥିରେ କୁହାଯାଇଛି- “ସେହି ସମୟରେ (ଅର୍ଥାତ୍ ନବମ ଶତାବ୍ଦୀରେ) ସର୍ବସାରଗ୍ରାହୀ ତନ୍ତ୍ରଯାନୀ ବୌଦ୍ଧଧର୍ମାବଲମ୍ବୀ ରାଜାମାନେ ଏହି ମନ୍ଦିର ନିର୍ମାଣ କରିଥିଲେ।”
ନିଜର ଏହି ମତକୁ ସାବ୍ୟସ୍ତ କରିବାପାଇଁ ଲେଖକ ଅନେକ କପୋଳ କଳ୍ପିତ ତଥ୍ୟର ଅବତାରଣା କରିଛନ୍ତି; ଯାହା ଇତିହାସ ସମର୍ଥିତ ନୁହେଁ ବା କୌଣସି ଗ୍ରହଣଯୋଗ୍ୟ ଐତିହାସିକ ବା ପ୍ରତ୍ନତାତ୍ତ୍ୱିକ ପ୍ରମାଣ ସେ ବାବଦରେ ମିଳେନାହିଁ। ତାଙ୍କର ଏହି ତଥ୍ୟର ଗୋଟିଏ ପ୍ରମୁଖ ଆଧାର ହେଉଛି- କୋଣାର୍କର ଉତ୍ତର, ଦକ୍ଷିଣ ଓ ପଶ୍ଚିମରେ ପାର୍ଶ୍ବଦେବତା ରୂପେ ପ୍ରତିଷ୍ଠିତ ତିନି ସୂର୍ଯ୍ୟମୂର୍ତ୍ତି। ଏହି ତିନି ସୂର୍ଯ୍ୟମୂର୍ତ୍ତିଙ୍କୁ ସେ ବୌଦ୍ଧ ତ୍ରିରତ୍ନ- ‘ବୁଦ୍ଧ’, ‘ଧର୍ମ’ ଓ ‘ସଂଘ’ର ପ୍ରତୀକ ବୋଲି କହିଛନ୍ତି। ପୁଣି ଏ ତିନିଙ୍କୁ ଅତୀତର ‘ଦୀପଙ୍କର’ବୁଦ୍ଧ, ବର୍ତ୍ତମାନର ‘ଗୌତମ’ବୁଦ୍ଧ ଓ ଭବିଷ୍ୟତର ‘ମୈତ୍ରେୟ’ବୁଦ୍ଧ ରୂପେ ସେ ଆଖ୍ୟାୟିତ କରିଛନ୍ତି। କିନ୍ତୁ କୌଣସି ବୌଦ୍ଧଧର୍ମଗ୍ରନ୍ଥରେ ଏ ସଂପର୍କରେ ଉଲ୍ଲେଖ ମିଳେ ନାହିଁ।
ଏ ତିନି ସୂର୍ଯ୍ୟମୂର୍ତ୍ତି ଯେ ବାଳସୂର୍ଯ୍ୟ, ମଧ୍ୟାହ୍ନସୂର୍ଯ୍ୟ ଓ ଅସ୍ତସୂର୍ଯ୍ୟଙ୍କର ବିଗ୍ରହ- ଏହା ସର୍ବସ୍ୱୀକୃତ। ଅନୁରୂପ ରୂପରେଖ ମଧ୍ୟ ଏ ତିନିମୂର୍ତ୍ତିରେ ବିଦ୍ୟମାନ। ବାଳସୂର୍ଯ୍ୟଙ୍କର ମୁଖାକୃତି ଅପେକ୍ଷାକୃତ ଶାନ୍ତ ଓ ବର୍ତ୍ତୁଳାକାର, ମଧ୍ୟାହ୍ନ ସୂର୍ଯ୍ୟଙ୍କର ମୁଖାକୃତି ‘ମାର୍ତ୍ତଣ୍ଡ’ଙ୍କ ପରି ଦେଦୀପ୍ୟମାନ ଏବଂ ଅସ୍ତସୂର୍ଯ୍ୟଙ୍କର ମୁଖାକୃତି ଅପେକ୍ଷାକୃତ ଶ୍ରାନ୍ତ ଓ ମ୍ଳାନ। ଏପରିକି ବିମାନର ପଶ୍ଚିମରେ ଅଧିଷ୍ଠିତ ଅସ୍ତସୂର୍ଯ୍ୟ ସାରାଦିନର ଶ୍ରାନ୍ତି ହେତୁ ନିଜର ରଥଟିକୁ ପରିତ୍ୟାଗ କରିଦେଇ, ଏକ ଏକାକୀ ଅଶ୍ୱପୃଷ୍ଠରେ ଆସୀନ ହୋଇ ଅସ୍ତାଚଳକୁ ଗମନ କରୁଥିବାର ଭାବ ଏହି ବିଗ୍ରହଙ୍କଠାରେ ଉତ୍କୀର୍ଣ୍ଣ। ଅଥଚ ନିଜର ପୁସ୍ତକରେ ଶ୍ରୀ ବରାଳ ଏହି ଅସ୍ତସୂର୍ଯ୍ୟ ମୂର୍ତ୍ତିଙ୍କୁ ଭଗବାନ ବିଷ୍ଣୁ ବା ଶ୍ରୀଜଗନ୍ନାଥଙ୍କ କଳ୍କୀ ଅବତାର ସହ ଅତ୍ୟନ୍ତ ହାସ୍ୟାସ୍ପଦ ଭାବରେ ଯୋଡ଼ିଛନ୍ତି। ପୁସ୍ତକର ପୃ. ୮୭-୮୮ରେ ସେ କହିଛନ୍ତି, “ଯେତେବେଳେ ବୁଦ୍ଧଙ୍କୁ ଭଗବାନ ଭାବରେ ସ୍ୱୀକାର କରାଗଲା, ସେତେବେଳେ ସେ ବୈଷ୍ଣବଧର୍ମ ମତବାଦରେ ଭଗବାନ ବିଷ୍ଣୁଙ୍କର ଏକ ଅବତାର ରୂପେ ଗୃହୀତ ହେଲେ। ତାଙ୍କର ଭବିଷ୍ୟତର ଅବତାର ହେଉଛନ୍ତି ‘କଳ୍କୀ’। ଓଡ଼ିଶାର କାଳଚକ୍ରଯାନୀ ବୌଦ୍ଧମାନେ ‘ମୈତ୍ରେୟ’ଙ୍କୁ ମଧ୍ୟ ସେପରି ରୂପରେ ଉପସ୍ଥାପିତ କରିଛନ୍ତି। କୋଣାର୍କର ପଶ୍ଚିମ ପାର୍ଶ୍ବରେ ଥିବା କ୍ଲୋରାଇଟ୍ ପଥରର ପାର୍ଶ୍ବଦେବତା ସେଥିପାଇଁ ଅଶ୍ୱପୃଷ୍ଠରେ ଆସୀନ ଏବଂ ସ୍ଥାନୀୟ ଜନସାଧାରଣଙ୍କ ଅନୁସାରେ ସେ ‘କଳିକାଳ ଭେଣ୍ଡା’ ବା ‘କଳିଯୁଗ ଭେଣ୍ଡା’।”
କିନ୍ତୁ ଏ ପ୍ରସଙ୍ଗରେ ସୂଚନାଯୋଗ୍ୟ ଯେ ବୈଷ୍ଣବଧର୍ମର ଅବତାର ପ୍ରକରଣରେ କଳ୍କୀ ହେଉଛନ୍ତି “ଧୂମକେତୁନିଭ କରାଳ”। ସେ କରବାଳଧାରୀ, ସଂହାରକାରୀ ମୂର୍ତ୍ତି। ସେ ବେଗବାନ୍ ଅଶ୍ୱପୃଷ୍ଠରେ ଆସୀନ ହୋଇ କଳିର କଳୁଷ ବା ଦୁଷ୍ଟ ସଂହାର କରନ୍ତି। ସମଗ୍ର ବିଶ୍ୱରେ ‘ମୈତ୍ରେୟବୁଦ୍ଧ’ଙ୍କର ଏପରି କରବାଳଧାରୀ, ସଂହାରକାରୀ ମୂର୍ତ୍ତି ଅଛି କି? ଏହା ‘ସଦୟହୃଦୟ ବୁଦ୍ଧ’ଙ୍କ ସ୍ୱରୂପର ବିପରୀତ ନୁହେଁ କି?
କୋଣାର୍କ ମନ୍ଦିର ଯେ ନବମ ଶତାବ୍ଦୀରେ ଓଡ଼ିଶାର ବୌଦ୍ଧ ଧର୍ମାବଲମ୍ବୀ ରାଜାମାନଙ୍କ ଦ୍ୱାରା ନିର୍ମିତ, ଏହା ପ୍ରତିପାଦନ କରିବାକୁ ଯାଇ ଶ୍ରୀ ବରାଳ ଆହୁରି ଅନେକ କପୋଳକଳ୍ପିତ ତଥ୍ୟର ଅବତାରଣା ତାଙ୍କ ପୁସ୍ତକରେ କରିଛନ୍ତି। ଏହି ଆଲୋଚନାର ପୂର୍ବ ଅଧ୍ୟାୟ (୨୨.୧)ରେ ସ୍ପଷ୍ଟ ଓ ପ୍ରାମାଣିକ ଭାବେ ସୂଚିତ ହୋଇଛି ଯେ ଓଡ଼ିଶା ଇତିହାସରେ କ୍ଷେମଙ୍କର ଦେବ (ଖ୍ରୀ.୭୩୬)ଙ୍କଠାରୁ ଭୌମବଂଶର ଆରମ୍ଭ ହୋଇଥିଲା ଏବଂ ପ୍ରଥମ ଶିବକର ଦେବ (ଖ୍ରୀ.୭୫୬-୭୮୬)ଙ୍କଠାରୁ ବକୁଳ ମହାଦେବୀ (ଖ୍ରୀ. ୯୪୦) ଓ ଧର୍ମ ମହାଦେବୀଙ୍କ ପର୍ଯ୍ୟନ୍ତ ୧୭ ଜଣ ଶାସକ, ଶାସିକା ଓଡ଼ିଶାରେ ରାଜତ୍ୱ କରିଥିଲେ ମଧ୍ୟ, ସେମାନଙ୍କ ମଧ୍ୟରେ ନରସିଂହ ଦେବ ନାମରେ କୌଣସି ଶାସକ ନଥିଲେ। ତେବେ ଏହି କାଳଖଣ୍ଡରେ ଓଡ଼ିଶାର କେଉଁ ବୌଦ୍ଧ ଶାସକ ବା ଶାସିକା କୋଣାର୍କ ମନ୍ଦିରର ନିର୍ମାଣ କଲେ? ସେ ସଂପର୍କରେ ଶ୍ରୀ ବରାଳଙ୍କର ଏହି ପୁସ୍ତକ ନିରବ।
କିନ୍ତୁ କୋଣାର୍କ ମନ୍ଦିରର ନିର୍ମାତା ନରସିଂହ ଦେବ, ଯେ କି ‘ଲାଙ୍ଗୁଳା’ ନରସିଂହ ଦେବ ଭାବରେ ପରିଚିତ- ତାଙ୍କ ସଂପର୍କରେ ନିଜ ପୁସ୍ତକରେ ଏକ କପୋଳକଳ୍ପିତ ତଥ୍ୟର ଅବତାରଣା କରିଛନ୍ତି ଶ୍ରୀ ବରାଳ। କେବଳ କୋଣାର୍କ ମନ୍ଦିରର ନିର୍ମାଣ କାଳକୁ ଅତୀତକୁ ନେବାପାଇଁ, ଏବଂ ତାହାର ନିର୍ମାତା ଲାଙ୍ଗୁଳା ନରସିଂହ ଦେବଙ୍କର ବୌଦ୍ଧସଂପର୍କ ସୂଚିତ କରିବା ପାଇଁ, ସେ ‘ଲାଙ୍ଗୁଳା’ ସହିତ ଯାଜପୁରର ‘ଲାଙ୍ଗୁଡ଼ି’ ପାହାଡ଼କୁ ଯୋଡ଼ି ଦେଇଛନ୍ତି। ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ୧୯୯୬ ମସିହାରୁ ଏହି ପାହାଡ଼ରେ ଖନନ ଆରମ୍ଭ ହୋଇ ଏକ ଉନ୍ନତ ବୌଦ୍ଧବିହାର ଆବିଷ୍କୃତ ହୋଇଛି। ଏହାକୁ ପ୍ରତ୍ନତତ୍ତ୍ୱବିତ୍ ‘ପୁଷ୍ପଗିରି ବିହାର’ ବୋଲି କହିଛନ୍ତି। ଏହା ୩ୟ ଶତାବ୍ଦୀରୁ ଏକାଦଶ ଶତାବ୍ଦୀ ମଧ୍ୟରେ ବିକଶିତ ହୋଇଥିଲା ବୋଲି ଐତିହାସିକ ଓ ପ୍ରତ୍ନତାତ୍ତ୍ୱିକମାନଙ୍କର ସୂଚନା। କିନ୍ତୁ ଏହି ‘ଲାଙ୍ଗୁଡ଼ି’ ଯେ କୋଣାର୍କର ନିର୍ମାତା ‘ଲାଙ୍ଗୁଳା’ ନରସିଂହଦେବଙ୍କ ସହ ସଂପର୍କିତ ଏବଂ ସେହି ସୂତ୍ରରେ କୋଣାର୍କ ଏକ ବୌଦ୍ଧମନ୍ଦିର, ଏହାର କୌଣସି ସୂତ୍ର ସେମାନଙ୍କର ପ୍ରତିପାଦନରେ ନାହିଁ। କୌଣସି ବୌଦ୍ଧଧର୍ମଗ୍ରନ୍ଥରେ ମଧ୍ୟ ଏ ସଂପର୍କରେ ଉଲ୍ଲେଖ ମିଳେ ନାହିଁ।
ସେହିପରି, ଶ୍ରୀ ବରାଳ ଆଉ ଏକ କପୋଳ କଳ୍ପନାରେ ‘ପଦ୍ମକ୍ଷେତ୍ର’ କୋଣାର୍କକୁ ‘ଦ୍ୱିତୀୟବୁଦ୍ଧ’ ଭାବରେ ଖ୍ୟାତ ‘ପଦ୍ମସମ୍ଭବ’ଙ୍କ ସହିତ ଯୋଡ଼ିଛନ୍ତି। କେବଳ ‘ନାମସାମ୍ୟ’ ଆଧାରରେ ସେ ଏହା କରିଛନ୍ତି। ଏ ସଂପର୍କରେ ସୂଚନାଯୋଗ୍ୟ ଯେ ଓଡ଼ିଶା ହେଉଛି ‘ପଦ୍ମସମ୍ଭବ’ଙ୍କର ଆଦିଭୂମି ଏବଂ ଏହାକୁ ନେଇ ଡକ୍ଟର ବିମଳେନ୍ଦୁ ମହାନ୍ତି ଏକ ଇଂରେଜୀ ପୁସ୍ତକର ସଂପାଦନା କରିଛନ୍ତି। ଇତିମଧ୍ୟରେ ‘ଭୁଟାନିଜ୍’ ଭାଷାରେ ତାହାର ଅନୁବାଦ ମଧ୍ୟ ହୋଇସାରିଛି। ‘ପୌରୁଷ’ ପତ୍ରିକାରେ ଡକ୍ଟର ଯଶୋବନ୍ତ ନାରାୟଣ ଧର ଏ ସଂପର୍କରେ ପ୍ରଥମ କରି ଏକ ବିସ୍ତୃତ ପ୍ରବନ୍ଧ ଲେଖିଥିଲେ। ‘ଆମ ଓଡ଼ିଶା’ ପ୍ରକାଶିତ ‘ଓଡ଼ିଶାରେ ବୌଦ୍ଧଧର୍ମ ଓ ବୌଦ୍ଧକୀର୍ତ୍ତି’ ପୁସ୍ତକରେ ଡକ୍ଟର ବିମଳେନ୍ଦୁ ମହାନ୍ତି ଏ ସଂପର୍କରେ ସବିଶେଷ ଆଲୋଚନା କରିଛନ୍ତି। ସ୍ୱୀକୃତ ତଥ୍ୟ ଅନୁସାରେ, ଦ୍ୱିତୀୟ ବୁଦ୍ଧ ତଥା ଗୁରୁ ପଦ୍ମସମ୍ଭବଙ୍କର ପିତା ହେଉଛନ୍ତି ‘ଜ୍ଞାନସିଦ୍ଧି’ ଗ୍ରନ୍ଥର ରଚୟିତା ଇନ୍ଦ୍ରଭୂତି। ତାଙ୍କର ଜନ୍ମସ୍ଥାନ ‘ସମ୍ବଳ’ ବା ଆଧୁନିକ ସମ୍ବଲପୁର। ସେ ପ୍ରଥମ ବିବାହ କରିଥିଲେ, ‘ଜାହୋର’ ବା ଆଧୁନିକ କେନ୍ଦୁଝର ରାଜ୍ୟରେ। ‘ପଦ୍ମକ୍ଷେତ୍ର’ କୋଣାର୍କ ସହିତ ତାଙ୍କର ଦୂରଦୂରାନ୍ତର ସଂପର୍କ ମଧ୍ୟ ନାହିଁ।
ଅପର ପକ୍ଷରେ, କୋଣାର୍କ ଯେ ‘ପଦ୍ମକ୍ଷେତ୍ର’, ଏହା ବିଷ୍ଣୁଙ୍କର ଚାରି ଆୟୁଧ ‘ଶଙ୍ଖ’, ‘ଚକ୍ର’, ‘ଗଦା’ ଓ ‘ପଦ୍ମ’ ମଧ୍ୟରୁ ‘ପଦ୍ମାୟୁଧ’ ଅନୁସାରେ ହୋଇଛି। ଏହାର ନିର୍ଦ୍ଦିଷ୍ଟ ପୌରାଣିକ ଭିତ୍ତି ମଧ୍ୟ ଅଛି। ସେହି ପୌରାଣିକ ଉପାଖ୍ୟାନ ‘ଗୟାସୁରବଧ’ ସହ ସଂପର୍କିତ। ତାହା ଅନୁସାରେ- ଗୟାସୁରକୁ ବଧ କରିବା ପରେ, ଭଗବାନ ବିଷ୍ଣୁଙ୍କର ଏହି ଚାରି ଆୟୁଧ ଚାରିଟି କ୍ଷେତ୍ରରେ ପଡ଼ିଥିଲା। ସେହି ଅନୁସାରେ ପୁରୀ ‘ଶଙ୍ଖ’କ୍ଷେତ୍ର, ଭୁବନେଶ୍ୱର ‘ଚକ୍ର’କ୍ଷେତ୍ର, ଯାଜପୁର ‘ଗଦା’କ୍ଷେତ୍ର ଓ କୋଣାର୍କ ‘ପଦ୍ମ’କ୍ଷେତ୍ର ହେଲା। ଏଣୁ କୋଣାର୍କ ଯେ ‘ପଦ୍ମକ୍ଷେତ୍ର’ ଏହାର ସଂପର୍କ ବିଷ୍ଣୁଙ୍କ ସହ ଅଛି; ବୁଦ୍ଧଙ୍କ ସହ ବା ଦ୍ୱିତୀୟ ବୁଦ୍ଧ ‘ପଦ୍ମସମ୍ଭବ’ଙ୍କ ସହିତ ଏହାର କୌଣସି ସଂପର୍କ ନାହିଁ।
ଶ୍ରୀ ବରାଳଙ୍କ ପୁସ୍ତକର ଆହୁରି ଗୋଟିଏ ହାସ୍ୟାସ୍ପଦ ପ୍ରସଙ୍ଗ ହେଉଛି ‘ଧର୍ମପଦ’। କିଂବଦନ୍ତି ଅନୁସାରେ, ବାରଶହ ବଢ଼େଇ ଅସଫଳ ହେବା ପରେ, ବିଶୁ ମହାରଣାଙ୍କ ପୁଅ ‘ଧର୍ମପଦ’ କୋଣାର୍କ ମନ୍ଦିରର ମୁଣ୍ଡି ମାରିବାରେ ସଫଳ ହୋଇଥିଲା। ଧର୍ମପଦ ହେଉଛି ଆମ କିଂବଦନ୍ତି ଓ କାବ୍ୟର ପ୍ରସଙ୍ଗ। ଆମ ଇତିହାସ ମଧ୍ୟ ‘ଧର୍ମପଦ’କୁ ସ୍ୱୀକୃତି ଦେଇ ନାହିଁ। ଐତିହାସିକ କରୁଣାସାଗର ବେହେରା ତାଙ୍କ ‘କୋଣାର୍କ’ ପୁସ୍ତକ (ଖଣ୍ଡ-୧, ପୃ-୯୫)ରେ ଏ କିଂବଦନ୍ତିର ପୃଷ୍ଠଭୂମି ସଂପର୍କରେ ଆଲୋଚନା କରିଛନ୍ତି। ଐତିହାସିକ କୈଳାସ ଚନ୍ଦ୍ର ଦାଶ ମଧ୍ୟ ଏ ସଂପର୍କରେ ତାଙ୍କ ‘The Dharmapada Tradition Revisited’ରେ ବିଶଦ ଆଲୋଚନା କରିଛନ୍ତି। ପଣ୍ଡିତ ଗୋପବନ୍ଧୁ ଦାସଙ୍କ ‘ଧର୍ମପଦ’ ଓଡ଼ିଶାରେ ଏହି କିଂବଦନ୍ତିକୁ ଲୋକପ୍ରିୟତା ଓ ପ୍ରତିଷ୍ଠା ଦେଇଛି। ପରବର୍ତ୍ତୀ କାଳରେ କୋଣାର୍କକୁ ନେଇ ପାଞ୍ଚଟି କବିତା ଲେଖିଥିବା ମାୟାଧର ମାନସିଂହଙ୍କଠାରୁ ଆରମ୍ଭ କରି ସଚ୍ଚିଦାନନ୍ଦ ରାଉତରାୟ, ରବି ସିଂ ଓ ମନୋଜ ଦାସ (ଧର୍ମପଦ: ନିର୍ଭୁଲ ଠିକଣା)ଙ୍କ ପର୍ଯ୍ୟନ୍ତ, କେହି କିନ୍ତୁ ଏ କିଂବଦନ୍ତି ବା ଏ ପ୍ରସଙ୍ଗ ସହ ବୌଦ୍ଧ ସଂପର୍କ ଯୋଡ଼ି ନାହାନ୍ତି। ଶ୍ରୀ ଅନିଲ ଦେ ‘ଆମ ଓଡ଼ିଶା’ ପ୍ରକାଶିତ ‘ଅର୍କକ୍ଷେତ୍ର କୋଣାର୍କ’ ପୁସ୍ତକର ‘ପଞ୍ଚମ ପରିଚ୍ଛେଦ’ରେ ‘କିଂବଦନ୍ତି ଓ କାବ୍ୟ’ ଶୀର୍ଷକରେ ଏ ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ଅଥଚ, ଶ୍ରୀ ବରାଳ ତାଙ୍କ ପୁସ୍ତକରେ, କୋଣାର୍କ ଯେ ଏକ ବୌଦ୍ଧକୀର୍ତ୍ତି- ତାହା ପ୍ରତିପାଦନ କରିବାପାଇଁ ଏ କିଂବଦନ୍ତିର ‘ଧର୍ମପଦ’କୁ ବୌଦ୍ଧଧର୍ମର ପବିତ୍ର ଓ ପ୍ରସିଦ୍ଧ ଗ୍ରନ୍ଥ ‘ଧର୍ମପଦ’ (ଧମ୍ମପଦ) ସହିତ ଯୋଡ଼ି ଦେଇଛନ୍ତି। ‘ଲାଙ୍ଗୁଳା’ ନରସିଂହଙ୍କ ସହ ‘ଲାଙ୍ଗୁଡ଼ି’ ପାହାଡ଼କୁ ଯୋଡ଼ିବା ପରି, ଏହା କେବଳ ଏକ ନାମସାମ୍ୟ ମାତ୍ର- ଯାହା ସହ ଇତିହାସ ଓ ଧର୍ମଧାରା ବା ପ୍ରତ୍ନତତ୍ତ୍ୱର କୌଣସି ସଂପର୍କ ନାହିଁ। ଏପରିକି ବୁଦ୍ଧଙ୍କର ଅନ୍ୟନାମ ‘ଧର୍ମରାଜ’ ଓ ସୂର୍ଯ୍ୟଙ୍କର ଅନ୍ୟନାମ ‘ଧର୍ମରାଜ’ ସୂତ୍ରରେ, ସେ କୋଣାର୍କକୁ ଏକ ବୌଦ୍ଧ ମନ୍ଦିର ବୋଲି ବି କହିଛନ୍ତି। ତେବେ ରକ୍ଷା ଯେ ସେ ‘ଧର୍ମରାଜ ଯମ’ ବା ‘ଧର୍ମରାଜ ଯୁଧିଷ୍ଠିର’ଙ୍କ ସହିତ ସେ ଏ ମନ୍ଦିରକୁ ଯୋଡ଼ି ନାହାନ୍ତି!
ଏହିପରି, ନାନା କପୋଳ କଳ୍ପନାରେ ଭରପୂର ଶ୍ରୀ ବରାଳଙ୍କର ଏହି ତଥାକଥିତ ‘ନୂଆ’ ‘ଗବେଷଣା’ ପୁସ୍ତକ- ଯେଉଁଥିରେ ‘ନୂଆ ଆଲୋକ’ ବା ‘ନୂତନ ଗବେଷଣା’ ବୋଲି କିଛି ନାହିଁ। ବରଂ ଘୋର ବିଭ୍ରାନ୍ତିପୂର୍ଣ୍ଣ ଏହି ପୁସ୍ତକଟି ଇତିହାସର ଏକ ଆବର୍ଜନା ଭାବରେ ହିଁ କେବଳ ପ୍ରତ୍ୟାଖ୍ୟାନର ଯୋଗ୍ୟ।
ମୋ: ୯୪୩୭୦ ୩୪୮୦୪
[email protected]