ଭାରତୀୟ ଜ୍ଞାନର ବିଭବ ହଜିଲା କାହିଁକି?

ଡାକ୍ତର ନୀଳମାଧବ ପୃଷ୍ଟି

କିଛିଦିନ ତଳେ ସ˚ଯୋଗ ବଶତଃ ଜଣେ ସ୍ବନାମଧନ୍ୟ କବିରାଜଙ୍କ ସହ ଆୟୁର୍ବେଦର ବର୍ତ୍ତମାନ ସ୍ଥିତି ଓ ଭବିଷ୍ୟତ୍‌ ବିଷୟରେ ଆଲୋଚନା କରିବାର ସୁଯୋଗ ମିଳିଲା। ତାଙ୍କର ଉତ୍ତର ମତେ ଗଭୀର ଚିନ୍ତନ ପାଇଁ ବାଧ୍ୟ କଲା। ତାଙ୍କ ମତରେ ଯେବେଠାରୁ ଆୟୁର୍ବେଦ ଇ˚ରେଜୀ ଭାଷାରେ ପଢ଼ା ହେଲା, ସେବେଠାରୁ ଆୟୁର୍ବେଦର ଅବନତି ଆରମ୍ଭ ହେଲା। ଆୟୁର୍ବେଦର ମୂଳ ପୁସ୍ତକ ସବୁ ସ˚ସ୍କୃତରେ ଲିଖିତ। ତେଣୁ ପୂର୍ବ କାଳରେ ଏହା ସ˚ସ୍କୃତ ଭାଷାରେ ପଢ଼ା ହେଉଥିଲା। ଏବେ ଯେହେତୁ ସ˚ସ୍କୃତ, ଆମ ବିଦ୍ୟାଳୟର ମୂଳ ପାଠ୍ୟକ୍ରମରୁ ବାଦ୍‌ ପଡ଼ିଲାଣି, ତେଣୁ ଅଳ୍ପ କିଛି ଇ˚ରେଜୀ ଅନୁବାଦିତ ପୁସ୍ତକ ପଢ଼ାଯାଉଛି। ମୂଳ ପୁସ୍ତକ ଓ ଅନୁବାଦିତ ପୁସ୍ତକ ମଧ୍ୟରେ ଅନେକ ଫରକ୍‌ ରହିଛି। ପୁନଶ୍ଚ ଅନେକ ସ˚ସ୍କୃତ ଲିଖିତ ମୂଳ ପୁସ୍ତକକୁ କେହି ପଢ଼ିବାକୁ ବା ବୁଝିବାକୁ ସକ୍ଷମ ହେଉନାହାନ୍ତି। କବିରାଜ ମହୋଦୟଙ୍କ ଉକ୍ତି ଅକ୍ଷରେ ଅକ୍ଷରେ ସତ୍ୟ ବୋଲି ଲାଗିଲା। କାରଣ ଠିକ୍‌ ସେହିକଥା ଜଣେ ଜୈବିକ କୃଷି ବିଶେଷଜ୍ଞଙ୍କ ନିକଟରୁ ଶୁଣିଥିଲି। ସ˚ସ୍କୃତ ଭାଷାର ଅବନତି ଯୋଗୁଁ ଜୈବିକ କୃଷି ସମ୍ବନ୍ଧିତ ଅନେକ ମୂଳ ପୁସ୍ତକ ଆଜି ଅଦରକାରୀ ହୋଇପଡ଼ିଛି।

ପୁରାତନ କାଳରୁ ଭାରତୀୟ ସଭ୍ୟତା ଓ ସ˚ସ୍କୃତି ସମଗ୍ର ବିଶ୍ବକୁ ଅନୁପ୍ରାଣିତ କରିଆସିଛି। ପାଶ୍ଚାତ୍ୟ ଦେଶର ସଭ୍ୟତା ଠାରୁ ଭାରତୀୟ ସଭ୍ୟତା କାହିଁ କେତେ ପୁରୁଣା। ନିକଟ ଅତୀତରେ ଉତ୍ତରପ୍ରଦେଶର ସିନୌଲିଠାରେ ଭୂଖନନରୁ ମିଳିଥିବା ତଥ୍ୟ ଏହାର ଜ୍ବଳନ୍ତ ପ୍ରମାଣ। ସ˚ସ୍କୃତ ଭାଷା ଭାରତୀୟ ସଭ୍ୟତା ସହିତ ଓତଃପ୍ରୋତ ଭାବେ ଜଡ଼ିତ। ସ˚ସ୍କୃତ ଭାଷାର ଉତ୍ପତ୍ତି ପ୍ରାୟ ପାଞ୍ଚ ହଜାର ବର୍ଷ ପୂର୍ବରୁ। ସ˚ସ୍କୃତ ଭାଷା ହିନ୍ଦୁ, ଜୈନ ଓ ବୌଦ୍ଧ ଧର୍ମାବଲମ୍ବୀଙ୍କ ମଧ୍ୟରେ ଖୁବ୍‌ ଆଦୃତ ଥିଲା। ଆମର ବେଦ, ଉପନିଷଦ ଆଦି ସ˚ସ୍କୃତରେ ଲିଖିତ। ବିଶ୍ବରେ ବର୍ତ୍ତମାନ ପ୍ରଚଳିତ ବିଭିନ୍ନ ଭାଷା ତୁଳନାରେ ସ˚ସ୍କୃତର ଶବ୍ଦାବଳୀ ଅନେକ ପ୍ରଶସ୍ତ। ସ˚ସ୍କୃତ ଭାଷାରେ ପ୍ରାୟ ୧୦୨ ଅରବ, ୭୮ କୋଟି, ୫୦ ଲକ୍ଷ ଶବ୍ଦର ବର୍ଣ୍ଣନା କରାଯାଇଛି। ତଥାପି ଅନ୍ୟ ଯେ କୌଣସି ଭାଷା ତୁଳନାରେ ସ˚ସ୍କୃତରେ ଖୁବ୍‌ କମ୍‌ ଶବ୍ଦରେ ବାକ୍ୟ ଗଠନ କରାଯାଇପାରେ। ସ˚ସ୍କୃତରେ ‘ପାଣି’ର ୭୦ଟି ପ୍ରତିଶବ୍ଦ ରହିଛି। କିନ୍ତୁ ଇ˚ରେଜୀରେ ମାତ୍ର ଗୋଟିଏ ଶବ୍ଦ ରହିଛି। ‘ହାତୀ’ର ୧୦୦ଟି ପ୍ରତିଶବ୍ଦ ରହିଛି। ‘ଯିବା’ ପ୍ରକ୍ରିୟାର ପ୍ରାୟ ୧୨୨ଟି ପ୍ରତିଶବ୍ଦ ରହିଛି। ଏଣୁ ସ˚ସ୍କୃତର ହସ୍ତଲିପିକୁ ଅନ୍ୟ ଭାଷାରେ ଅନୁବାଦନ କରିବା ଏକ ବିଫଳ ପ୍ରୟାସ ମାତ୍ର। ଫଳସ୍ବରୂପ ଅନୂଦିତ ଲେଖା ଓ ମୂଳ ଲେଖା ମଧ୍ୟରେ ଆକାଶପାତାଳ ଫରକ୍‌ ରହିବା ସ୍ବାଭାବିକ।

ସମସ୍ତ ଭାଷା ତୁଳନାରେ ସ˚ସ୍କୃତ ଭାଷା କମ୍ପ୍ୟୁଟର ପ୍ରୋଗ୍ରାମିଙ୍ଗ ପାଇଁ ଅତ୍ୟନ୍ତ ଅନୁକୂଳ। ପାଶ୍ଚାତ୍ୟ ଦେଶଗୁଡ଼ିକ ଧୀରେ ଧୀରେ ସ˚ସ୍କୃତ ଭାଷାର ମାହାତ୍ମ୍ୟ ବିଷୟରେ ଅବଗତ ହେଲେଣି। ଆମେରିକାର ମହାକାଶ ପ୍ରତିଷ୍ଠାନ ‘ନାସା’ରେ ମଧ୍ୟ ସ˚ସ୍କୃତ ହସ୍ତଲିପି ଅଧ୍ୟୟନ ଲାଗି ଏକ ବିଭାଗ ରହିଛି। ବୈଷୟିକ ବିଦ୍ୟାରେ ଅଗ୍ରଗତି ପାଇଁ ବିଶ୍ବର ପ୍ରାୟ ୧୭ଟି ଦେଶରେ ସ˚ସ୍କୃତ ବିଶ୍ବବିଦ୍ୟାଳୟ ମାନ ରହିଛି। ଏ ଦିଗରେ ଜର୍ମାନି ସମସ୍ତଙ୍କ ଠାରୁ ଆଗରେ। ଜର୍ମାନିର ପ୍ରାୟ ୧୪ଟି ବିଶ୍ବବିଦ୍ୟାଳୟରେ ସ˚ସ୍କୃତ ଅଧ୍ୟୟନ କରାଯାଉଛି। ପ୍ରାୟ ୩୪ଟି ଦେଶର ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରୁଛନ୍ତି। ହିଡେଲବର୍ଗ ବିଶ୍ବବିଦ୍ୟାଳୟରେ ସ˚ସ୍କୃତ ଭାଷା ଅଧ୍ୟୟନ ଲାଗି ବିଦେଶୀ ଛାତ୍ରଛାତ୍ରୀଙ୍କ ଆଗ୍ରହ ଏତେ ମାତ୍ରାରେ ବଢ଼ିଯାଇଛି ଯେ, କର୍ତ୍ତୃପକ୍ଷ ବାଧ୍ୟ ହୋଇ ଅନ୍ୟ ଦେଶରେ ବିଶ୍ବବିଦ୍ୟାଳୟର ଶାଖା ଖୋଲିଛନ୍ତି। କୌତୂହଳର କଥା ଯେ ଏହି ବିଶ୍ବବିଦ୍ୟାଳୟ ଭାରତରେ ମଧ୍ୟ ଏକ ଶାଖା ଖୋଲିଛି। ଜର୍ମାନିରେ ସ˚ସ୍କୃତ ଲାଗି ଥିବା ଆଗ୍ରହକୁ ଦେଖି ଲାଗେ ଯେ ଭବିଷ୍ୟତ୍‌ରେ ଜର୍ମାନି ଏହି ଭାଷାର ସ˚ରକ୍ଷକ ହେବାକୁ ଯାଉଛି।
ସ˚ସ୍କୃତ ଭାଷାର ଉତ୍ପତ୍ତି ଆମ ଦେଶରେ। ହଜାର ହଜାର ସ˚ସ୍କୃତ ହସ୍ତଲିପି ଏବେ ମଧ୍ୟ ଆମ ଦେଶରେ ଗଚ୍ଛିତ ଅଛି। କିନ୍ତୁ ଭାଷାର ପୁନରୁଦ୍ଧାର ପାଇଁ ଆମର ପ୍ରଚେଷ୍ଟା ଖୁବ୍‌ କମ୍‌। ୧୮୩୫ ମସିହାରୁ ବ୍ରିଟିସ୍‌ମାନେ ସ˚ସ୍କୃତରେ ଶିକ୍ଷାଦାନ ଉପରେ ରୋକ୍‌ ଲଗାଇଥିଲେ। ଏହା ଏକ ପ୍ରକାର ଷଡ୍‌ଯନ୍ତ୍ର ଥିଲା। ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ ଯେ, ବ୍ରିଟେନ୍‌ରେ କିନ୍ତୁ ସେହି ସମୟରୁ ସ˚ସ୍କୃତ ଭାଷା ଓ ସାହିତ୍ୟ ଉପରେ ଅଧ୍ୟୟନ ଆରମ୍ଭ ହୋଇ ଯାଇଥିଲା।

ଆଜି ଆମ ଦେଶରେ ଏପରି ୫ଟି ଗାଁ ଅଛି, ଯେଉଁଠାରେ କି ଲୋକେ ସ˚ସ୍କୃତ ଭାଷାରେ କଥା ହୁଅନ୍ତି। ଜର୍ମାନିରେ ସ˚ସ୍କୃତ ଭାଷାରେ ସମ୍ବାଦ ପରିବେଷଣ କରାଯାଉଛି। କିନ୍ତୁ ଆମ ଦେଶରେ ଦୂରଦର୍ଶନ ଓ ଅଲଇଣ୍ତିଆ ରେଡିଓରେ ପ୍ରସାରିତ ହେଉଥିବା ସ˚ସ୍କୃତ ସମ୍ବାଦ କାଳକ୍ରମେ ବନ୍ଦ ହୋଇ ଯାଇଥିଲା। ତେବେ, ବିଳମ୍ବରେ ହେଲେ ମଧ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବା ପରେ ଦୂରଦର୍ଶନରେ ସ˚ସ୍କୃତ ସମାଚାର ପୁନର୍ବାର ପ୍ରସାରିତ ହୋଇଛି। ଏହାକୁ ବନ୍ଦ କରିବା ପାଇଁ ତାମିଲନାଡୁରେ ଆଗତ ପିଟିସନ୍‌କୁ ମାଡ୍ରାସ୍‌ ହାଇକୋର୍ଟ ମଧ୍ୟ ଖାରଜ କରିଦେଇଛନ୍ତି। କେନ୍ଦ୍ରୀୟ ସ˚ସ୍କୃତ ବିଶ୍ବବିଦ୍ୟାଳୟ ଆଇନ ୨୦୨୦ ଆଗତ ହୋଇଛି ଓ ଦେଶରେ ୩ଟି କେନ୍ଦ୍ରୀୟ ସ˚ସ୍କୃତ ବିଶ୍ବବିଦ୍ୟାଳୟ ମଧ୍ୟ ଖୋଲିଛି। ଜାତୀୟ ଶିକ୍ଷା ନୀତିରେ ମଧ୍ୟ ସ˚ସ୍କୃତ ଭାଷାର ପୃଷ୍ଠପୋଷକତା ପାଇଁ ପ୍ରାବଧାନ ରହିଛି। ଜାତୀୟ ହସ୍ତଲିପି ମିସନ୍‌ ଅଧୀନରେ ପ୍ରାୟ ୩୮ ଲକ୍ଷ ହସ୍ତଲିପିର ଅନୁବାଦନ ପାଇଁ ପ୍ରୟାସ ଆରମ୍ଭ ହୋଇଛି।

ପ୍ରାଚୀନ କାଳରେ ଭାରତୀୟ ସଭ୍ୟତା ଅତ୍ୟନ୍ତ ଉନ୍ନତ ଥିଲା। ଅନେକ ଆଧୁନିକ ଡାକ୍ତରୀ ବିଦ୍ୟା ଓ ଆଧୁନିକ ଶଲ୍ୟଚିକିତ୍ସା, ଯେଉଁ ଗୁଡ଼ିକ ପାଇଁ ବର୍ତ୍ତମାନ ପାଶ୍ଚାତ୍ୟ ଦେଶ ଗୁଡ଼ିକ ବାହାବା ନେଉଛନ୍ତି, ପୂର୍ବରୁ ଆମ ଦେଶରେ ପ୍ରଚଳିତ ଥିଲା। କିନ୍ତୁ ସ˚ସ୍କୃତ ଭାଷା ପ୍ରତି ଆମର ଆଗ୍ରହର ଅଭାବ ହେତୁ ଆମର ମୂଳ ହସ୍ତଲିପିଗୁଡ଼ିକୁ ପଢ଼ିବା ଓ ବୁଝିବା ସମ୍ଭବପର ହୋଇପାରିନି। ଆଜି ଆମେରିକା ପ୍ରଯୁକ୍ତି ବିଦ୍ୟାରେ ଅଗ୍ରଣୀ ଭୂମିକା ନେଇଛି, କାରଣ ଇ˚ରେଜୀକୁ କମ୍ପ୍ୟୁଟରର ‌ପ୍ରୋଗ୍ରାମିଙ୍ଗ ଲାଙ୍ଗୁଏଜ୍‌ ହିସାବରେ ବ୍ୟବହାର କରାଯାଉଛି। କିନ୍ତୁ ସ୍ବୀକାର କରାଗଲାଣି ଯେ ସ˚ସ୍କୃତ ହିଁ ଏଥିପାଇଁ ସବୁଠାରୁ ଉପଯୁକ୍ତ ଭାଷା। ଯଦି ସ˚ସ୍କୃତର ପୁନରୁଦ୍ଧାର ଓ ପ୍ରଶସ୍ତ ପ୍ରୟୋଗ ହୋଇପାରନ୍ତା, ତା’ହେଲେ ଆମ ଦେଶ ପ୍ରଯୁକ୍ତି ବିଦ୍ୟା, କୃତ୍ରିମ ବୁଦ୍ଧିମତ୍ତା ଆଦି କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଇପାରନ୍ତା।

ଆମ ଦେଶରେ ପ୍ରାୟ ୪ କୋଟି ହସ୍ତଲିପି ରହିଛି। ଏଥି ମଧ୍ୟରୁ ପ୍ରାୟ ଦୁଇ ତୃତୀୟା˚ଶ ସ˚ସ୍କୃତରେ ଲିଖିତ। ଏଥିମଧ୍ୟରୁ ଶତକଡ଼ା ୯୫ ଭାଗ ଅନୁବାଦିତ ହୋଇପାରିନି ବା କେହି ଏ ଦିଗରେ ପ୍ରୟାସ କରିନାହାନ୍ତି। ଇହୁଦୀଙ୍କ ସା˚ସ୍କୃତିକ ରାଷ୍ଟ୍ରବାଦର ପ୍ରତୀକ ‘ହିବ୍ରୁ‘ ଭାଷାର ପୁନରୁଦ୍ଧାର ଦୀର୍ଘ ୧୮୦୦ ବର୍ଷ ପରେ ସେମାନଙ୍କ ଅଦମ୍ୟ ପ୍ରଚେଷ୍ଟା ଯୋଗୁଁ ସଫଳ ହୋଇପାରିଲା ଓ ଏହା ଆଜି ଇସ୍ରାଏଲର ରାଷ୍ଟ୍ରୀୟ ଭାଷା। ଏ କ୍ଷେତ୍ରରେ ଆମକୁ ଇହୁଦୀମାନଙ୍କ ଠାରୁ ଅନେକ କିଛି ଶିଖିବାର ଅଛି। ସ˚ସ୍କୃତର ପୁନରୁଦ୍ଧାର ହିଁ ଆମର ବିଭବଶାଳୀ ଇତିହାସକୁ ଅଧିକ ଔଜ୍ଜ୍ବଲ୍ୟ ପ୍ରଦାନ କରିବ।

ଆସିଷ୍ଟାଣ୍ଟ ପ୍ରଫେସର
ଏଫ୍‌.ଏମ୍‌. ମେଡିକାଲ କଲେଜ, ବାଲେଶ୍ବର

ସମ୍ବନ୍ଧିତ ଖବର