ରାଜ୍ୟ ବଜେଟ୍‌ : ସ୍ବପ୍ନ ଅନେକ, କିନ୍ତୁ ସମ୍ବଳ?

ମଞ୍ଜି କଥା - ଭବାନୀ ଶଙ୍କର ତ୍ରିପାଠୀ

ପଞ୍ଚମପାଳି ଆରମ୍ଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସାମ୍ନାକୁ ଯେଉଁ ପ୍ରସଙ୍ଗଟି ଆଣିଲେ, ତାହା ହେଲା- ଓଡ଼ିଶାକୁ ସେ ନୂଆ ରୂପ ଦେବେ; ଯେଉଁଠି ଅନେକ ବିଶ୍ବସ୍ତରୀୟ ପ୍ରକଳ୍ପ ରହିବ। ଶିଳ୍ପାନୁଷ୍ଠାନ, ପର୍ଯ୍ୟଟନ, କ୍ରୀଡ଼ା ଆଦି କ୍ଷେତ୍ରରେ ଭାରତର ନାଁ ଧରିବା ମାତ୍ରେ ଓଡ଼ିଶା କଥା ଉଠିବ। ଦାରିଦ୍ର୍ୟ, ଅନାହାର, ଅପପୁଷ୍ଟିର ଏଠାରେ ସ୍ଥାନ ନ ଥିବ। ସଂକ୍ଷେପରେ କହିଲେ, ନୂତନ ଓଡ଼ିଶା ସଶକ୍ତ ଓଡ଼ିଶା ଭାବେ ଦେଶ ସାମ୍ନାରେ ଉଭା ହେବ।

ଏଥିପାଇଁ ସରକାର ୨୦୨୦-୨୧ ଆର୍ଥିକବର୍ଷ ବଜେଟ୍‌କୁ ଦେଢ଼ଲକ୍ଷ କୋଟିକୁ ବଢ଼ାଇଥିଲେ। କିନ୍ତୁ କୋଭିଡ୍ ସରକାରଙ୍କୁ ବାଟବଣା କରିଦେଲା। ଏଥିରୁ ଯେଉଁ ଶିକ୍ଷା ମିଳିଲା, ତାହା ହେଲା ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମି ସର୍ବନିମ୍ନ ସ୍ତରରେ ରହିଛି। ଦ୍ବିତୀୟତଃ, ଆକଳନ ଠାରୁ ଢେର୍ ଅଧିକ (ସରକାରଙ୍କ ରିପୋର୍ଟ‌୍ରେ ୧୦ ଲକ୍ଷ ପ୍ରବାସୀ ଶ୍ରମିକ) ଦକ୍ଷ ଶ୍ରମିକ ଏଠାରେ ନିଯୁକ୍ତି ସୁଯୋଗ ନ ଥିବାରୁ ଓଡ଼ିଶା ବାହାରେ କାମ କରୁଛନ୍ତି।
ଏସବୁକୁ ନେଇ ୨୦୨୧-୨୨ ଆର୍ଥିକବର୍ଷ ଲାଗି ସରକାର ଯେଉଁ ବଜେଟ୍ ଉପସ୍ଥାପନ କରିଛନ୍ତି, ସେଥିରେ ନୂଆ ଓଡ଼ିଶା ସ୍ବପ୍ନକୁ ସାକାର ପାଇଁ ରୂପାନ୍ତରୀକରଣକୁ ପ୍ରାଥମିକତା ଦିଆଯାଇଛି। ସ୍ବାସ୍ଥ୍ୟସେବା, କୃଷି, ଶିକ୍ଷା, ଜୀବିକା, ଭିତ୍ତିଭୂମି ଏବଂ ଶିଳ୍ପ କ୍ଷେତ୍ରକୁ ପରବର୍ତ୍ତୀ ସ୍ତରକୁ ନେବା ସହିତ ସମାଜର ଦୁଃସ୍ଥ ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବା ଲାଗି ସରକାର ବଦ୍ଧପରିକର ବୋଲି ଦର୍ଶାଇଛନ୍ତି। ଆସନ୍ତାବର୍ଷ ଲାଗି ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଅଭିବୃଦ୍ଧି ବା ବିକାଶ ସଙ୍କୁଚିତ ହୋଇଥିବା ପରିପ୍ରେକ୍ଷୀରେ ଏହି ବିଶାଳ ବଜେଟ୍ କିନ୍ତୁ ସାଧାରଣରେ ଯେଭଳି ଦୃଷ୍ଟି ଆକର୍ଷଣ କରିବା କଥା, ତାହା ପରିଦୃଷ୍ଟ ହେଲା ନାହିଁ; ବରଂ ୨୨ ବର୍ଷ ତଳର ଗୋଟିଏ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫଦାରି ପ୍ରସଙ୍ଗ ଗଣମାଧ୍ୟମର ପ୍ରମୁଖ ଖବର ଭାବେ ପ୍ରସାରିତ ହେଲା।

ବଜେଟ୍‌ରେ ସରକାର ବିଶ୍ବସ୍ତରୀୟ ହକି ଷ୍ଟାଡିୟମ୍, ଏମ୍‌ସ ପ୍ଲସ୍‌ ଭଳି ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ସେବା, ପୁରୀକୁ ବିଶ୍ବ ଐତିହ୍ୟ ସହରରେ ପରିଣତ କରିବା ପାଇଁ ରାସ୍ତା ଖୋଲିଛନ୍ତି। ଅପପୁଷ୍ଟି ବିରୋଧରେ ଯୁଦ୍ଧ ଡାକରା ଦିଆଯାଇଛି। ଅନେକ କ୍ଷେତ୍ରରେ ପୁଳା ପୁଳା ଟଙ୍କା ଅଜାଡ଼ି ଦେଇଛନ୍ତି। ଏହା ସତ୍ତ୍ବେ ଅର୍ଥନୀତିଜ୍ଞମାନେ ଏହାକୁ ପାରମ୍ପରିକ ଓ ଦିଶାହୀନ ବଜେଟ୍ ବୋଲି ବର୍ଣ୍ଣନା କରି ଯେଉଁ ଦିଗକୁ ଅଙ୍ଗୁଳି ନିର୍ଦେଶ କରୁଛନ୍ତି ତାହା ହେଲା କୌଣସି ଗୋଟିଏ କ୍ଷେତ୍ରରେ ସରକାରଙ୍କ କାର୍ଯ୍ୟକ୍ରମ ଦୂରଦୃଷ୍ଟିସଂପନ୍ନ ନୁହେଁ କିମ୍ବା ଏହା ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ନିକଟ ଭବିଷ୍ୟତ୍‌ରେ ପୂରଣ କରିବାରେ ବିଶେଷ ସହାୟକ ହୋଇନପାରେ।

ଏକଥା ଆମେ ଜାଣନ୍ତି ଯେ ବଜେଟ୍ ଗୋଟିଏ ଗାଣିତିକ ହିସାବ ନୁହେଁ। ସରକାରଙ୍କ ପ୍ରଶାସନିକ ଆଭିମୁଖ୍ୟ ଏବଂ ରାଜନୈତିକ ଇଚ୍ଛାଶକ୍ତିର ଏହା ପରିପ୍ରକାଶ ବୋଲି କୁହାଯାଇପାରେ। ଯେଉଁଥିରେ ରାଜ୍ୟ ପ୍ରଗତିର ନକ୍‌ସା ପ୍ରତିଫଳିତ ହେବା ଦରକାର। ଅତଏବ ସୀମିତ ସମ୍ବଳ ଭିତରେ ଆବଶ୍ୟକତାକୁ ପ୍ରାଥମିକତା ଦେଇ ଏଭଳି ଭାବେ ଆର୍ଥିକ ପରିଚାଳନା କରାଯିବା ଦରକାର, ଯାହା ଦ୍ବାରା ବିକାଶର ସୁଷମ ବଣ୍ଟନ ହେବ।
ହେଲେ ଓଡ଼ିଶା ବଜେଟ୍‌ କ୍ଷେତ୍ରରେ ଉଠୁଥିବା ମୌଳିକ ପ୍ରଶ୍ନଟି ହେଲା, ରାଜ୍ୟ ସରକାର ‘‘ନିହାତି ଆବଶ୍ୟକ’’ କ୍ଷେତ୍ରଗୁଡ଼ିକ କିଭଳି ଚିହ୍ନଟ କଲେ? ଘଡ଼େଇ କମିଟି ପରେ ୨୦୦୪ ମସିହାରେ ଗଠନ ହୋଇଥିବା ଆଞ୍ଚଳିକ ବୈଷମ୍ୟ କମିସନ ରିପୋର୍ଟର ଅପମୃତ୍ୟୁ ହୋଇସାରିଛି। ସରକାରଙ୍କ ଭିଜନ୍-୨୦୨୦ ଘୋଷଣାରେ ରହିଗଲା। ରାଜ୍ୟ ଗଠନର ୧୦୦ ବର୍ଷ ପୂର୍ତ୍ତି ବେଳକୁ ଏକ ବିକଶିତ ଓଡ଼ିଶା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଯେଉଁ ଭିଜନ୍-୨୦୩୬ ସ୍ବପ୍ନ ଦେଖାଇଥିଲେ, ତାହା ଦୁର୍ବଳ ରାଜନୈତିକ ଇଚ୍ଛାଶକ୍ତି ଓ ସବ୍‌ଜାନତା ପ୍ରଶାସକଙ୍କ ବନ୍ଧନ ଭିତରେ କେବେଠାରୁ ଛନ୍ଦି ହୋଇପଡ଼ିଛି। ରାଜ୍ୟ କେଉଁଠି ଅଛି ସେ ସଂକ୍ରାନ୍ତ ଏକ ନିରପେକ୍ଷ ରିପୋର୍ଟ ଯେବେ ଆମ ପାଖରେ ନାହିଁ, କେଉଁଠି ପହଞ୍ଚିବା ତାହା ଯେବେ ସ୍ଥିର ହୋଇନାହିଁ, ସେବେ ନୂଆ ଓଡ଼ିଶାର ଗଠନ ସଂପର୍କିତ କାହା ନକ୍‌ସା ଧରି ସରକାର ଆଗକୁ ବଢ଼ୁଛନ୍ତି, ଏ ସଂପର୍କରେ ରାଜ୍ୟବାସୀଙ୍କ ମନରେ କୌତୂହଳ ପ୍ରକାଶ ପାଇବାରେ ଅସ୍ବାଭାବିକତା ନାହିଁ।

ବିକଶିତ ଓ ସଶକ୍ତ ଓଡ଼ିଶା ଲାଗି ସମ୍ବଳର ଆବଶ୍ୟକତା ବିଷୟରେ ସରକାରୀ ପ୍ରସ୍ତୁତିି କ’ଣ? ନିଜେ ଅର୍ଥମନ୍ତ୍ରୀ ବଜେଟ୍ ସଂଲଗ୍ନ ଦସ୍ତାବିଜରେ କହିଛନ୍ତି, କେନ୍ଦ୍ର ଟିକସରେ ରାଜ୍ୟ ଅଂଶ ୨୦୨୦-୨୧ରେ ୨୯% ଥିବା ବେଳେ ୨୦୨୧-୨୨ରେ ଏହା ୨୪%କୁ ହ୍ରାସ ପାଇଛି। କ୍ରମାଗତ ଭାବେ ଅର୍ଥ କମିସନ ଓଡ଼ିଶାକୁ ନିରାଶ କରିଆସୁଛନ୍ତି। ଚତୁର୍ଦଶ ଅର୍ଥ କମିସନଙ୍କ ସୁପାରିସ ଠାରୁ ରାଜ୍ୟ ୨୦୧୫ରୁ ୨୦୨୦ ମଧ୍ୟରେ ୩୮ ହଜାର ୨୩୩ କୋଟି ଟଙ୍କା କମ୍ ପାଇଛି। ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି, ପଞ୍ଚଦଶ ଅର୍ଥ କମିସନଙ୍କ ସୁପାରିସ ବି ରାଜ୍ୟ ସ୍ବାର୍ଥ ପରିପନ୍ଥୀ। କେବଳ କେନ୍ଦ୍ରୀୟ ଟିକସ ଅଂଶରୁ ରାଜ୍ୟ ୪୮୧୬ କୋଟି ଟଙ୍କା କମ୍ ପାଇବ। ଏମିତିରେ ବି ଏକ ବିପଜ୍ଜନକ ଧାରା କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି। ସେସ୍ ମାଧ୍ୟମରେ ଅଧିକ ରାଜସ୍ବ ଆଦାୟ କରୁଛନ୍ତି, ଯେଉଁଥିରୁ ରାଜ୍ୟ ଟଙ୍କାଟିଏ ପାଇବାର ନାହିଁ। ରାଜସ୍ବ ଉତ୍ସଗୁଡ଼ିକ ଶୁଖିବା ଆରମ୍ଭ କରିଥିବା ବେଳେ ଟିକସ ଧାର୍ଯ୍ୟ କ୍ଷେତ୍ରରେ ରାଜ୍ୟ କ୍ଷମତା ଧୀରେ ଧୀରେ ସଙ୍କୁଚିତ ହୋଇଯାଉଛି। ରାଜ୍ୟ ଯେଭଳି ପଞ୍ଚାୟତ ଓ ପୌରସଂସ୍ଥାର ଗଳା ଚିପିସାରିଲେଣି, କେନ୍ଦ୍ର ସରକାର ସେମିତି ସଂଘୀୟ ବ୍ୟବସ୍ଥାର ସବୁ ସୀମାରେଖା ଅତିକ୍ରମ କରି ରାଜ୍ୟ ସରକାରଙ୍କୁ ସେହି ରାସ୍ତାକୁ ଟାଣିବା ଆରମ୍ଭ କରିଛନ୍ତି। ତଥାପି ସରକାର ସର୍ବନିମ୍ନ ସତର୍କତା ଅବଲମ୍ବନ କରୁନାହାନ୍ତି, ଏକଥା ବେଶୀ ଆନ୍ଦୋଳିତ କରୁଛି।

ରାଜ୍ୟ ସରକାର ୨୦୨୧-୨୨ ବଜେଟ୍ ପ୍ରସ୍ତୁତ କରିବା ବେଳେ ରାଜସ୍ବ ପ୍ରାପ୍ତିର ଯେଉଁ ଚିତ୍ର ରଖିଛନ୍ତି, ତାହା ଏମିତି ଏକ ଧାରଣାକୁ ଦୃଢ଼ୀଭୂତ କରୁଛି। ବଜେଟ୍ କହୁଛି, ରାଜ୍ୟର ଟିକସ ଓ ଅଣଟିକସ ମିଶି ୫୭ ହଜାର ୫୦୦ କୋଟି ଟଙ୍କା ଆୟ ହେବ। କିନ୍ତୁ ସରକାର ଭୁଲିଯିବା ଉଚିତ ନୁହେଁ, ଅବକାରୀ, ଖଣି, ଭୂ-ରାଜସ୍ବ କ୍ଷେତ୍ରରୁ ଯେଉଁ ବଡ଼ ପରିମାଣର ଅର୍ଥ ପାଇଁ ହାଇଁପାଇଁ ହେଉଛନ୍ତି, ସେ କ୍ଷେତ୍ର ଯେତେ ସଂପ୍ରସାରିତ ହେବ, ତାହା ଦ୍ବାରା ଏକ ବିକଶିତ ରାଜ୍ୟ ନୁହେଁ ବରଂ ଏକ ବିକଳାଙ୍ଗ ରାଜ୍ୟ ଜନ୍ମ ନେବାର ଭୟ ସୃଷ୍ଟି ହୋଇପାରେ। ନିଶା କାରଣରୁ ପ୍ରତିବର୍ଷ ହଜାର ହଜାର ପରିବାର ତାର ମୁଖ୍ୟ ରୋଜଗାରିଆ ପୁଅକୁ ହରାଉଛନ୍ତି ଓ ପରୋକ୍ଷରେ ଅର୍ଥନୀତି ଉପରେ ଚାପ ସୃଷ୍ଟି ହେଉଛି। ସରକାର ଏକ ରିପୋର୍ଟ ପ୍ରସ୍ତୁତ କରିବା ଦରକାର ଯେ ଅବକାରୀ ସୂତ୍ରରୁ ଆମେ ପାଉଥିବା ଅର୍ଥ ହରାଉଥିବା ସଂପତ୍ତିଠାରୁ କମ୍ ନା ବେଶୀ। ଜମି ସେସ୍‌ର ଉପସ୍ଥାନ ଭୂ-ରାଜସ୍ବରେ ନଗଣ୍ୟ। ବରଂ କିସମ ପରିବର୍ତ୍ତନ ଅଧିକ ରାଜସ୍ବ ଦେଉଛି। କିନ୍ତୁ ଏହାଦ୍ବାରା କୃଷି ଉପରେ ଯେଉଁ ସାଂଘାତିକ ଚାପ ସୃଷ୍ଟି ହେବାକୁ ଯାଉଛି, ତାହାର ପରାଭବ ଆଉ କେତେବର୍ଷ ପରେ ଓଡ଼ିଶା ଅବଶ୍ୟ ହେଜିବ। ଏପରିସ୍ଥଳେ, ସରକାର ସମୃଦ୍ଧ ଦେଶ ବା ଅନ୍ୟ ରାଜ୍ୟର ଟିକସ ବ୍ୟବସ୍ଥାକୁ ଅବଲୋକନ କରି ନୂଆ ଆୟର ପନ୍ଥା ନିର୍ଣ୍ଣୟ ପାଇଁ ଆଉ ଏକ କମିସନ ବସାଇବା ଉଚିତ।

ସେହିପରି ବଜେଟ୍‌ରେ କେନ୍ଦ୍ର ସରକାରଙ୍କ ସୂତ୍ରରୁ ଅର୍ଥ ଆସିବା ସଂପର୍କରେ ଯେଉଁ ହିସାବ ଦିଆଯାଇଛି, ତାହା କେବଳ ବଢ଼ାଚଢ଼ା ତା’ ନୁହେଁ, ଅସମ୍ଭବ ମନେହୁଏ। ଏଣୁ ନିଅଣ୍ଟ ଭରଣା ପାଇଁ ଋଣ ହିଁ ସରକାରଙ୍କର ଏକମାତ୍ର ସମ୍ବଳ।

ରାଜ୍ୟ ସରକାର ବଜେଟ୍‌ ଅର୍ଥର ଏକ ଚତୁର୍ଥାଂଶ (୨୪.୧୧%) ଟଙ୍କା ଋଣରୁ ଭରଣା ଲାଗି ସାହସ ଦେଖାଇଛନ୍ତି। ଏଥର ଇତିହାସରେ ସର୍ବାଧିକ ୧୮ ହଜାର କୋଟି ଟଙ୍କା ଖୋଲାବଜାରରୁ ଉଠାଯିବ। ଏହା ବିତ୍ତୀୟ ଶୃଙ୍ଖଳାକୁ ପ୍ରଭାବିତ କରୁନି। କିନ୍ତୁ ସଙ୍କେତ ଦେଉଛି ଯେ ରାଜ୍ୟ ଋଣ ଯନ୍ତା ଆଡ଼କୁ ମୁହାଁଇଲାଣି। ଏହା ଅର୍ଥନୀତିରେ ଆଦୌ ସୁସ୍ଥ ଲକ୍ଷଣ ନୁହେଁ, ବରଂ ବଜେଟ୍‌ର ଦୁର୍ବଳ ଦିଗ ବୋଲି ବି କୁହାଯାଇପାରିବ।
ବଜେଟ୍‌ରେ ଋଣର ପ୍ରଭାବ ଏତେ ଯେ ଏହା କାର୍ଯ୍ୟକ୍ରମ ବ୍ୟୟ ଓ ପ୍ରଶାସନିକ ବ୍ୟୟ ମଧ୍ୟରେ ଦୂରତା କମାଇ ଦେଲାଣି। ସିଧା ସିଧା କହିଲେ, ଋଣ ଓ ସୁଧ ଭରଣା ପରେ ଋଣ ବାବଦ ଅର୍ଥରୁ ମାତ୍ର ଏକ ଚତୁର୍ଥାଂଶ ବଳିବ, ଯାହାକୁ ସରକାର ପୁଞ୍ଜି ଖର୍ଚ୍ଚରେ ବିିନିଯୋଗ କରିବେ ବୋଲି ଜୋରରେ କହୁଛନ୍ତି। କିନ୍ତୁ ଅର୍ଥନୀତିଜ୍ଞଙ୍କ ଭାଷା ହେଉଛି, ଋଣ ଶୁଝିବାକୁ ଯେମିତି ଋଣ କରାଯାଉଛି, ସେମିତି ମନେହେଲାଣି। ଏହି ଧାରା ଅବ୍ୟାହତ ରହିଲେ ଭବିଷ୍ୟତ୍‌ରେ କାର୍ଯ୍ୟକ୍ରମ ବ୍ୟୟ ସଙ୍କୁଚିତ ହୋଇଯିବା ବିଚିତ୍ର ନୁହେଁ।

ବଜେଟ୍‌ର ଆଉ ଗୋଟିଏ ବଡ଼ ଦୁର୍ବଳ ଦିଗ ସାମ୍ନାକୁ ଆସୁଛି। ତାହା ହେଲା ସାମାଜିକ କ୍ଷେତ୍ରକୁ ସରକାର ଅଧିକ ପ୍ରାଧାନ୍ୟ ଦେଇଛନ୍ତି। ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦକୁ ଏହାର ଅବଦାନ ଶୂନ। ସରକାର ଯୁକ୍ତି କରିପାରନ୍ତି, ସାମାଜିକ କ୍ଷେତ୍ରରେ ଅଧିକ ବ୍ୟୟଭାର ରାଜ୍ୟକୁ ଅନାହାର, ଅର୍ଧାହାର, କୁପୋଷଣ, ମହିଳା ଓ ଶିଶୁ ମୃତ୍ୟୁ ଭଳି ଗୁରୁତ୍ବପୂର୍ଣ୍ଣ ବା ସମ୍ବେଦନଶୀଳ ପ୍ରସଙ୍ଗରେ ସୁରକ୍ଷା ଦିଏ। କିନ୍ତୁ ଏଥର ବଜେଟ୍‌ର ଏ ଦିଗରେ ମାତ୍ରାଧିକ ବ୍ୟୟବରାଦ ହିଁ ସୂଚାଉଛି, ସରକାର ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି। କିନ୍ତୁ ଗୋଟିଏ ସବଳ ବଜେଟ୍‌ ସେବେ ହୁଏ, ଯେବେ ଅର୍ଥନୈତିକ କ୍ଷେତ୍ରରେ ଅଧିକ ଖର୍ଚ୍ଚ ହୁଏ। କାରଣ ଏହା ଅର୍ଥନୀତିକୁ ଚଳଚଞ୍ଚଳ ବା ମୁଖ୍ୟଧାରାକୁ ଫେରାଇ ଆଣିବା କ୍ଷେତ୍ରରେ ଅଧିକ ଯୋଗଦାନ ରଖିଥାଏ।

ଆହୁରି ଆଚମ୍ବିତ ହେବା ଭଳି କଥା ହେଲା, ୨୦୧୨-୧୩ରୁ ସରକାର କୃଷି କ୍ଷେତ୍ର ପାଇଁ ସ୍ବତନ୍ତ୍ର ବଜେଟ୍ କରିଆସୁଛନ୍ତି। ଅଥଚ ଅର୍ଥମନ୍ତ୍ରୀଙ୍କ ବଜେଟ୍ ହିଁ ସୂଚାଉଛି ଯେ ସାମଗ୍ରିକ ରାଜ୍ୟର ମୂଲ୍ୟଯୁକ୍ତକୁ କୃଷିର ଅବଦାନ କମିବାରେ ଲାଗିଛି। ବିହନ ଉତ୍ପାଦନ ଠାରୁ ଆରମ୍ଭ କରି କୃଷିଶିଳ୍ପର ବିକାଶ, ଶୀତଳଭଣ୍ଡାର, ବଜାର ସୃଷ୍ଟି ସବୁଥିରେ ଲକ୍ଷ୍ୟ ହାସଲରେ ରାଜ୍ୟ ବିଫଳ। ଏହା ସତ୍ତ୍ବେ କୃଷି ବଜେଟ୍‌ ଆକାର କମିଛି। ସେହିଭଳି ଜଳସେଚନ ସ୍ଥିତି ବି ଅନୁରୂପ। ଗତ ଦଶନ୍ଧି ଧରି ସବୁଠାରୁ ଅଧିକ ଅର୍ଥ ଏ ଦିଗରେ ବିନିଯୋଗ ହୋଇଆସିଛି। ସରକାର ଦାବି କରିଛନ୍ତି ଯେ ୭୦% ଜମିରେ ସେଚ ସାମର୍ଥ୍ୟ ସୃଷ୍ଟି କରିଛନ୍ତି। କିନ୍ତୁ କେତେ ଜମି ଜଳସେଚିତ ହେଲାଣି, ଏ ହିସାବ କିଏ ଦେବ? ପଞ୍ଚଦଶ ଅର୍ଥ କମିସନ ତାଙ୍କ ରିପୋର୍ଟରେ କହିଛନ୍ତି ଯେ ରାଜ୍ୟର ଜଳସେଚନ କ୍ଷମତା ୨୮ ପ୍ରତିଶତ ଭିତରେ ସୀମିତ।

ସରକାରଙ୍କ ଦୂରଦୃଷ୍ଟି ଅଭାବର ଆଉ ଗୋଟିଏ ଚିତ୍ର ହେଲା, ରାଉରକେଲାରେ ଏକ ବିଶ୍ବସ୍ତରୀୟ ହକି ଷ୍ଟାଡିୟମ ଲାଗି ଅର୍ଥ ବରାଦ ହୋଇଛି। ଅଥଚ ଆନ୍ତର୍ଜାତିକ କ୍ରୀଡ଼ା ବେଳେ ଖେଳାଳି ଓ ଦର୍ଶକଙ୍କ ରହିବା ପାଇଁ ଆନୁଷଙ୍ଗିକ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ଯୋଜନା ନାହିଁ। ସେହିଭଳି ପୁରୀ, ଏକାମ୍ର ଏବଂ ସମଲେଇ ଯୋଜନାରେ ବରାଦ ଅର୍ଥ ଖର୍ଚ୍ଚ ନେଇ ଆଶଙ୍କା ସୃଷ୍ଟି ଅମୂଳକ ନୁହେଁ। ରାଜ୍ୟରେ କୌଣସି ଗୋଟିଏ କ୍ଷେତ୍ରରେ ନକ୍‌ସାକୁ ଚୂଡ଼ାନ୍ତ ପର୍ଯ୍ୟାୟ ଯାଏ ଏ ପର୍ଯ୍ୟନ୍ତ ନିଆଯାଇ ପାରିନାହିଁ। ଶିକ୍ଷା, ସ୍ବାସ୍ଥ୍ୟ କଥା ନ କହିବା ଭଲ। ଭିତ୍ତିଭୂମି ପାଇଁ ପୁଳା ପୁଳା ଟଙ୍କା ଅଜାଡ଼ି ଦିଆଗଲେ ବି ତାହା ବିଶ୍ବସ୍ତରୀୟ ହେବା ଅସମ୍ଭବ। କାରଣ ଉଭୟ କ୍ଷେତ୍ରରେ ମାନବ ସମ୍ବଳକୁ ବିଶ୍ବସ୍ତରୀୟ କରିବା ଲାଗି ବଜେଟ୍‌ରେ ପରିକଳ୍ପନା ନାହିଁ।

ମୋ: ୯୯୩୭୪-୭୪୨୭୪

ସମ୍ବନ୍ଧିତ ଖବର