ସଫଳତାର ବିଭିନ୍ନ ଦିଗ ଦିଗନ୍ତକୁ ଛୁଇଁ ମଣିଷର ସାମୂହିକ ଓ ବ୍ୟକ୍ତିଗତ ଜୀବନକୁ ସୌନ୍ଦର୍ଯ୍ୟ, ସମୃଦ୍ଧି, ଶ୍ରୀ ଓ ସିଦ୍ଧିରେ ପ୍ରତି ନିୟତ ଭରି ଦେଉଥିବା ନାରୀର ସାମର୍ଥ୍ୟ, ଶକ୍ତି ଓ ସ୍ପର୍ଦ୍ଧା ଉପରେ କୌଣସି ରକମର ପ୍ରଶ୍ନ ଚିହ୍ନ ଲଗାଇବାର ସୁଯୋଗ, ଆଜିର ସମୟରେ ଆଉ କାହା ପାଖରେ ନାହିଁ।
ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା, ଯୁକ୍ତିବୋଧ ଦ୍ବାରା ପରିଚାଳିତ ବୌଦ୍ଧିକତା, ବୈଜ୍ଞାନିକ ପଦ୍ଧତି ଉପରେ ନିର୍ଭରଶୀଳ ଉତ୍ପାଦନ ବ୍ୟବସ୍ଥା, ନ୍ୟାୟସମ୍ମତ ସାମାଜିକ ଅନୁଷ୍ଠାନ ଓ ରୀତିନୀତି, ମାନବବାଦୀ ସାମ୍ବିଧାନିକ ନିୟମାବଳୀ, ଉତ୍ତରଦାୟୀ ତଥା ସମାନତା ଭିତ୍ତିରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଥିବା ପ୍ରଶାସନ ଏବ˚ ସବୁ ଉପରେ ନାରୀ ପୁରୁଷ ନିର୍ବିଶେଷରେ ପ୍ରତିଟି ମଣିଷର ସ୍ବାଧୀନତା, ଅସ୍ମିତା, ଅନନ୍ୟତା ଓ ମର୍ଯ୍ୟାଦାକୁ ମୂଳଭିତ୍ତି କରି ପ୍ରସାରିତ ହେଉଥିବା ଆଧୁନିକ ଜୀବନଦର୍ଶନ ଓ ଆଧୢାତ୍ମିକ ଜ୍ଞାନ ନାରୀର ପାରଦର୍ଶିତାକୁ କରି ଚାଲିଛି ବଳିଷ୍ଠ, ବିପୁଳ ଓ ବ୍ୟାପ୍ତ। ନିଜକୁ ନିଜେ ଆବିଷ୍କାର କରିବାର ଉନ୍ମାଦନା ଓ ଉତ୍ସାହ ନାରୀର ଧୈର୍ଯ୍ୟ, ସହନଶୀଳତା ଓ ଏକାଗ୍ରତାକୁ ତେଜୋମୟ କରୁଛି। ନାରୀର ଏଇ ମୁକୁଳିତ ହେବା ଜଗତ୍ ପାଇଁ ହୋଇଛି କଲ୍ୟାଣମୟ।
ନିରବ, ନିଃସହାୟ, ବେଦନାକ୍ଳାନ୍ତ ଓ କାରୁଣ୍ୟର ଛଳଛଳ ବିଷାଦ ପ୍ରତିମା ନୁହେଁ, ନାରୀର ଛବି ସେଥିପାଇଁ ଆଜି ସ୍ବେଦାକ୍ତ, ସମର୍ଥ, ସମାଲୋଚନା ପ୍ରତି ନିରାସକ୍ତ ଓ ଉଜ୍ଜ୍ବଳ ମାନବ-କନ୍ୟାର ଶୁଭଙ୍କର ଅଥଚ ସହଜ ରୂପ।
ସୃଜନଶୀଳତାର ଚିରନ୍ତନ ପ୍ରତୀକ ନାରୀ ସେଥିପାଇଁ ସମୁଦାୟ ଅର୍ଥରେ ଆଜି ଅପରାଜିତା- ପ୍ରତୀକରେ ନୁହେଁ ପ୍ରକୃତରେ। କେବଳ ନବନୀତା ନୁହେଁ ଅନମନୀୟ ନମ୍ରତା ରୂପେ ବି ଆମେ ତା’ର ଉପସ୍ଥିତିକୁ ଅନୁଭବ କରିପାରିବା। ନା, ସେ ରହସ୍ୟମୟୀ ନୁହେଁ, ଜୀବନର ସ୍ବାଭାବିକ ରଙ୍ଗ, ରସ, ମହକ ଓ ମର୍ଯ୍ୟାଦାରେ ଆମର ଏଇ ମାତୃଗ୍ରହଟିକୁ ଉତ୍ସବମୁଖର କରି ରଖିଥିବା ଦୃଢ଼ ବ୍ୟକ୍ତିତ୍ବସମ୍ପନ୍ନା ନାୟିକା ରୂପେ ଆମେ ଅନେକ ନାରୀଙ୍କୁ ଭେଟିଛୁ। ପରାଜୟ ପାଖରେ ପଥର ପାଲଟି ସେ ବସିଯାଏ ନାହିଁ। ଗିରିନଦୀ ପରି ସେ ଦିଶା ପରିବର୍ତ୍ତନ କରେ, ଶିଳାର ସୁକଠିନ ଶଯ୍ୟା ଉପରେ ନାଚି ନାଚି ବହି ଯାଉ ଯାଉ ନିଜର ଭାଗ୍ୟ ନିଜେ ନିର୍ଦ୍ଧାରଣ କରିବାର ସ୍ବପ୍ନରେ ସେ ବିଭୋର।
କାହା କାହାର ରକ୍ଷଣଶୀଳ ଓ ଅନୁଦାର ଦୃଷ୍ଟିରେ ସ୍ବୟ˚ପ୍ରଭା ନାରୀର ରୂପ ହୁଏତ ବିନା କାରଣରେ କାହା କାହାକୁ ସ୍ବେଚ୍ଛାଚାର ପରି ଦିଶିପାରେ, କିନ୍ତୁ ଆଜିର ନାରୀ ପ୍ରକୃତ ଅର୍ଥରେ ଅଦମନୀୟା। ଅଥଚ ମଣିଷ ଜୀବନର ବିଡ଼ମ୍ବନା ହେଉଛି ଯେ ନାରୀ ଆଜି ବି କିଛି ଅଦୂରଦର୍ଶୀ, ଅପାରଗ ଓ ଅସହିଷ୍ଣୁ ବ୍ୟକ୍ତି ଓ ପରିବାର ପାଇଁ ଅନାଦରଣୀୟା, ଅପାଙ୍କ୍ତେୟା। ସେମାନେ କନ୍ୟା ସନ୍ତାନକୁ ଆବର୍ଜନା ବୋଲି ଭାବନ୍ତି। ନାରୀ ତାଙ୍କ ପାଇଁ ସବୁ ଅଭିଶାପ ଓ ଅକଲ୍ୟାଣର ହେତୁ। ସେମାନେ ଏଭଳି ରୁଢ଼ିବାଦୀ ଯେ ଯୁଗଯୁଗର କଳଙ୍କିଲଗା େଶ୍ଳାକ ଓ ପରମ୍ପରାର ଦ୍ବାହି ଦେଇ ନାରୀକୁ ନର୍କର ପ୍ରତିଶବ୍ଦ ବୋଲି ବିଶ୍ବାସ କରନ୍ତି। ନିଜର ବ୍ୟକ୍ତିଗତ ଜୀବନରେ ନାରୀର ସେବା, ପ୍ରେମ ଓ ଦକ୍ଷତାକୁ ପ୍ରତି ମୁହୂର୍ତ୍ତରେ ଅପେକ୍ଷା ରଖୁଥିବା ଏହି ପୁରୁଷମାନେ କନ୍ୟା ସନ୍ତାନର ଜନ୍ମକୁ ନିଜ ପୁରୁଷପଣିଆର ଦୁର୍ବଳତା ବୋଲି ଗ୍ରହଣ କରି ନେଇ ଛାଇକୁ ଛଅ ଗୋଇଠା ମାରିବା ନ୍ୟାୟରେ କନ୍ୟା ସନ୍ତାନର ଜନ୍ମଦାତ୍ରୀକୁ ବି ଯାବତୀୟ ନିର୍ଯାତନା ଦେବାକୁ କୁଣ୍ଠା ପ୍ରକାଶ କରନ୍ତି ନାହିଁ।
ବୈଜ୍ଞାନିକ ଆବିଷ୍କାର ଓ ଉଦ୍ଭାବନର ସବୁ ଶ୍ରେୟ ଓ ସବୁ ସୁବିଧା ଭୋଗ କରିବା ପାଇଁ ସବୁବେଳେ କୋଉ ଛଟକରେ ଯାଇ ଆଗ ଧାଡ଼ିରେ ଠିଆ ହୋଇ ଯାଉଥିବା କିଛି ନାରୀ ଓ ପୁରୁଷ କନ୍ୟା ଜନ୍ମର ବୈଜ୍ଞାନିକ ସତ୍ୟ ଓ ଆଧୁନିକ ଜୀବନବୋଧର କଥା ଉଠିବା ମାତ୍ରକେ ଅଣନିଃଶ୍ବାସୀ, ହଜାର ହଜାର ବର୍ଷର ବ୍ୟବଧାନକୁ ନିମିଷକେ ପାରି ହୋଇ ଜୀର୍ଣ୍ଣ, ପୁରାତନ, ଆଦିମ ତଥା ନିଷ୍ଠୁର ପୁରୁଷତାନ୍ତ୍ରିକ ପ୍ରଥାଗୁଡ଼ିକ ପାଖରେ ଯାଇ ପହଞ୍ଚିଯାଆନ୍ତି। ଯାହା ସତ୍ୟ, ଶିବ ଓ ମଙ୍ଗଳମୟ ତାହାକୁ ଦେଖିବା, ବୁଝିବା ଓ ବଞ୍ଚିବା ଏମାନଙ୍କ ପାଇଁ କଷ୍ଟସାଧୢ। କନ୍ୟା ଭ୍ରୂଣ ହତ୍ୟା ପରି ଅବା˚ଛିତ ଓ ଅମାନବୀୟ କାମ କରି ପରିବାର ଓ ସମାଜର ସନ୍ତୁଳନ ନଷ୍ଟ କରିବାର ଭୟଙ୍କର ଫଳାଫଳ ସ˚ପର୍କରେ ଏମାନେ ସଚେତନ ନୁହନ୍ତି। ଯେଉଁ ରାଷ୍ଟ୍ର ବା ଯେଉଁ ଅଞ୍ଚଳରେ ବର୍ଷ ବର୍ଷ ଧରି କନ୍ୟା ଭ୍ରୂଣ ହତ୍ୟା କରାଯାଇଛି, ସେଠାକାର ସାମାଜିକ ଏପରିକି ସା˚ସ୍କୃତିକ, ନାନ୍ଦନିକ ଓ ରାଜନୈତିକ ଜୀବନରେ ନାନା ଦୁର୍ବିପାକ, ଅଘଟଣ, ଅପରାଧ ଓ ଅସାମଞ୍ଜସ୍ୟମାନ ଧୀରେ ଧୀରେ ଆଖିରେ ପଡୁଛି। ବିଚାରବୁଦ୍ଧି ବର୍ଜିତ ହୋଇ ସମାଜ କେବଳ ପୁତ୍ରସନ୍ତାନ ଜନ୍ମ ଉପରେ ଗୁରୁତ୍ବ ଦେଲେ ସେ ଧରଣର ଅଦୂରଦର୍ଶିତା ଓ ଅବିମୃଶ୍ୟକାରିତାର ଫଳ ସମାଜ ଓ ପରିବାର ପାଇଁ ଆତ୍ମଘାତୀ ହିଁ ସାବ୍ୟସ୍ତ ହେବ। ତେଣୁ କନ୍ୟା ସନ୍ତାନର ଜନ୍ମ, ଲାଳନପାଳନ, ଶିକ୍ଷାଦୀକ୍ଷା ଓ ବ୍ୟକ୍ତିତ୍ବ ନିର୍ମାଣରେ ସାନୁରାଗ ଶ୍ରଦ୍ଧା ଆଜି ଦିନର ଆହ୍ବାନ। କେବଳ ପରିବାର ଭିତରେ କନ୍ୟା, ଭଗିନୀ, ଜାୟା, ଜନନୀ ରୂପେ ନୁହେଁ; ପରିବାର ବାହାରେ ଶିକ୍ଷିତା, କର୍ମକୁଶଳା, ସ୍ବାଭିମାନୀ, ଦକ୍ଷ ଓ ଆତ୍ମସମ୍ମାନ ସଚେତନ ନାଗରିକ ରୂପରେ ନାରୀର ଭାବମୂର୍ତ୍ତି ନିର୍ମାଣ ହୋଇପାରିବା ସମ୍ଭବ ହୋଇପାରିବ, ଯଦି ବୃହତ୍ତର ସମାଜ ତାକୁ ଅବା˚ଛିତା, ଅପାଙ୍କ୍ତେୟା କି ଅସହାୟା ବୋଲି କେବେହେଲେ ବି ଭାବିବ ନାହିଁ। ନାରୀକୁ କେବଳ ଶକ୍ତି ବୋଲି କହି ଫୁଲଚନ୍ଦନ ଦେଇ ଦେଲେ ଚଳିବ ନାହିଁ, ନାରୀକୁ ନିଜର ଶକ୍ତିକୁ ଚିହ୍ନିବା ପାଇଁ ଯୋଗ୍ୟ କରି ଗଢ଼ି ତୋଳିବାରେ ପରିବାରର ବିଶେଷ କରି ପୁରୁଷର ଭୂମିକା ସର୍ବାଗ୍ରେ ରହିବ। ଆଦର, ଆଗ୍ରହ ଓ ଅନୁରାଗରେ ପ୍ରତିପାଳିତା ନାରୀ ଅବଶ୍ୟ ଆହୁରି କେତେ କେତେ ଅନାବିସ୍କୃତ ପ୍ରଜ୍ଞାର ପ୍ରାଚୁର୍ଯ୍ୟକୁ ମଣିଷ ଜାତି ପାଇଁ ଆଲୋକିତ କରିପାରିବ। ସ˚କ୍ଷେପରେ କହିଲେ ସମାଜରେ ନାରୀର ନିରନ୍ତର ମଙ୍ଗଳ ବାଞ୍ଛା ହିଁ ନାରୀକୁ ଅପରାଜିତା କରି ଗଢ଼ି ପାରିବ ଓ ତାର ବିଜୟ ଯାତ୍ରାକୁ ଆହୁରି କେତେ କେତେ ମଙ୍ଗଳମୟ ଇଲାକାରେ ନେଇ ପହଞ୍ଚାଇ ଦେବ।
ୟୁ.ଏନ୍. କଲେଜ
ଅଡ଼ସପୁର, କଟକ