ଗୋଟିଏ ଷ୍ଟାଡିୟମ୍‌ର ନାମ

ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା

ଏକଦା ନରେନ୍ଦ୍ର ନାମକ ରାଜା ଥିଲେ। ସେ ଏକ ଛୋଟିଆ ରାଜ୍ୟର ଶାସକ ଥିଲେ। ହିନ୍ଦୁ ଧର୍ମ ବିଶ୍ବାସର ଏକ ପବିତ୍ର ପୀଠ ସମେତ ଅନେକ କିଛି ତାଙ୍କ ରାଜ୍ୟ ଅନ୍ତର୍ଭୁକ୍ତ ଥିଲା। ସେ ଥିଲେ ମହାନ୍‌ ମନ୍ଦିରଟିର ପୃଷ୍ଠପୋଷକ। ବ˚ଶାନୁକ୍ରମିକ ପୃଷ୍ଠପୋଷକତା କାରଣରୁ ପ୍ରଜାଙ୍କ ପାଇଁ ସେ ପାଲଟିଥିଲେ ଦେବତାଙ୍କ ଅବତାର। ଉତ୍ତରାଧିକାରୀ ସୂତ୍ରରେ ସର୍ବୋଚ୍ଚ ପଦ ହାସଲ କରିଥିବା ସତ୍ତ୍ବେ ରାଜା ସର୍ବଦା ଅସୁଖୀ ରହୁଥିଲେ। ତାଙ୍କ ପୂର୍ବରୁ ଯେଉଁମାନେ ବସିଥିଲେ ତଥା ତାଙ୍କ ପରେ ସି˚ହାସନରେ ଯେଉଁମାନେ ବସିବେ, ସେହି ସମସ୍ତଙ୍କଠାରୁ ସେ ନିଜକୁ ଅଲଗା ବା ନିଆରା ଦେଖାଇବା ପାଇଁ କାମନା କରୁଥିଲେ। ତେଣୁ, ସେ ନିଜ ତଥା ନିଜ ବିଷୟ (ପ୍ରଜା)ମାନଙ୍କ ପାଇଁ ଏକ ନୂଆ ରାଜଧାନୀ ଗଢ଼ିପକାଇ, ନରେନ୍ଦ୍ର ନଗର ଭାବେ ନାମିତ କରିଥିଲେ।

ଉପରିଲିଖିତ କାହାଣୀ ନା ବହୁତ ପୁରୁଣା ନା ପୌରାଣିକ। ପ୍ରାୟ ଶହେ ବର୍ଷ ତଳେ ଏ ଭଳି ଘଟିଥିଲା। ରାଜା ଜଣକ ଥିଲେ, ଟିହରୀ ଗଢ଼ଵାଲର ରାଜା ନରେନ୍ଦ୍ର ଶାହ। ବଦ୍ରୀନାଥ ମନ୍ଦିର ତାଙ୍କ ପରିବାର ନିୟନ୍ତ୍ରଣାଧୀନ। ଉପରିବର୍ଣ୍ଣିତ ତାଙ୍କ ନାମରେ ନାମିତ ନୂଆ ରାଜଧାନୀର ନିର୍ମାଣ ୧୯୧୯ରେ ଶେଷ ହୋଇଥିଲା।

ବାଳକ ଥିବା ବେଳେ ମୁଁ ଗଢ଼ଵାଲ ପାଦଦେଶରେ ବଢ଼ିଥିଲି। ନିଜେ ଅନେକ ଥର ନରେନ୍ଦ୍ର ନଗର ଯାଇଥିଲି। ଉକ୍ତ ସ୍ଥାନର ସ୍ମୃତି ଏବ˚ ତାହାର ଉତ୍ପତ୍ତି ପଛର କାହାଣୀ ତାଜା ହୋଇଗଲା, ଯେତେବେଳେ ଅହମଦାବାଦର ଏକ ମୁଖ୍ୟ କ୍ରିକେଟ୍‌ ଷ୍ଟାଡିୟମ୍‌ ନରେନ୍ଦ୍ର ମୋଦୀଙ୍କ ନାମରେ ନାମିତ ହେବା ଶୁଣିଲି। ଷ୍ଟାଡିୟମ୍‌ ପାଇଁ ନରେନ୍ଦ୍ର ମୋଦୀଙ୍କ ନାମ କାହିଁକି ବଛାଗଲା, ତାହାର ବିଶଦ ବିବରଣୀ ବୋଧହୁଏ କେବେ ହେଲେ ସାର୍ବଜନୀନ କରାଯିବନାହିଁ। ଏକ ବ୍ରିଟିସ୍‌ ଖବରକାଗଜରେ ଏକ ଶିରୋନାମା ପ୍ରକାଶ ପାଇଥିଲା- ନରେନ୍ଦ୍ର ମୋଦୀ ଏକ ଷ୍ଟାଡିୟମ୍‌କୁ ନିଜ ନାମରେ ପୁନଃ ନାମିତ କଲେ (‘Narendra Modi Renames Stadium after Himself’ (https://www.ft.com/content/1882e02e-be5b-4543-ad84-df65e8ed06c2)। ଷ୍ଟାଡିୟମ୍‌କୁ ପୁନଃ ନାମିତ କରାଯିବାର ଚିନ୍ତାଧାରା ନିଶ୍ଚିତ ଭାବେ ଜଣେ ଗୁଜରାଟୀ ରାଜନେତାଙ୍କର, ଯାହାଙ୍କର ଭାରତୀୟ କ୍ରିକେଟ୍‌ ପ୍ରଶାସନ ସହ ଗଭୀର ସ˚ପୃକ୍ତି ରହିଛି। ଏହା ସେ ନିଜର ରାଜନୈତିକ ପ୍ରଭୁଙ୍କ ତୋଷଣ ତଥା କ୍ରିକେଟ୍‌ ପ୍ରଶାସନ ସହ ସ˚ପୃକ୍ତ ଥିବା ନିଜ ପୁତ୍ରଙ୍କ ସମାଲୋଚକମାନଙ୍କୁ ନିରବ କରିବା ପାଇଁ କରିଥିବେ। ଏକ ତଥାକଥିତ ଗଣତନ୍ତ୍ରରେ, ଦାୟିତ୍ବରେ ଥିବା ଜଣେ ପ୍ରଧାନମନ୍ତ୍ରୀଙ୍କ ନାମରେ ଏ ଭଳି ପୁନଃ ନାମକରଣ ନିଶ୍ଚିତ ଭାବେ ଅହମିକାର ଲଜ୍ଜାକର ପ୍ରଦର୍ଶନ। ଜର୍ମାନିର ସ୍ବୈରଶାସକ ଆଡୋଲ୍‌ଫ ହିଟ୍‌ଲର‌୍‌ ଏ ଭଳି କରିବାକୁ ଅନୁମତି ଓ ପ୍ରୋତ୍ସାହନ ଦେଇଥିଲେ। ୧୯୩୦ରେ ଷ୍ଟୁଟ୍‌ଗାଟ୍‌ରେ ଥିବା ଏକ ଫୁଟ୍‌ବଲ୍‌ ଷ୍ଟାଡିୟମ୍‌କୁ ତାଙ୍କ ନାମରେ ପୁନଃ ନାମିତ କରାଯାଇଥିଲା। ‘ଦ ଵାୟାର‌୍‌’ରେ ପ୍ରକାଶିତ ଏକ ଲେଖା ସୂତ୍ରରୁ ପ୍ରକାଶ ଯେ କେବଳ ହିଟ୍‌ଲର‌୍‌ ନୁହନ୍ତି, ତାଙ୍କ ସମକାଳୀନ ଅନ୍ୟ ସ୍ବୈରଶାସକ ମୁସୋଲିନି ଏବ˚ ପରବର୍ତ୍ତୀ କାଳର ସ୍ବୈରଶାସକ ସଦ୍ଦାମ ହୁସୈନ ଓ କିମ୍‌ ଦ୍ବିତୀୟ ସୁ˚ଗ୍‌ ମଧ୍ୟ କ୍ଷମତାରେ ଥିବା ବେଳେ ନିଜ ନିଜ ନାମରେ ଷ୍ଟାଡିୟମ୍‌ ପୁନଃ ନାମିତ କରାଇଥିଲେ (https://thewire.in/politics/motera-stadium-renaming-narendra-modi-notorious-world-leaders))।

ସମସ୍ତ ରାଜନୀତିଜ୍ଞ ନିଜ ବାବଦରେ ଉଚ୍ଚ ମତ ପୋଷଣ କରନ୍ତି। ସେମାନଙ୍କ ପେସା ଏହା ଦାବି କରେ। ତେବେ, ସାଧାରଣତନ୍ତ୍ରରେ ରାଜନୀତିଜ୍ଞମାନେ ଗଣତାନ୍ତ୍ରିକ ପଦ୍ଧତିର ମହତ୍ତ୍ବ ନିଶ୍ଚିତ ଭାବେ ବୁଝିବା ଦରକାର। ଏହା ସହ ନିଜକୁ ବ୍ୟବସ୍ଥା ଊର୍ଦ୍ଧ୍ବରେ ରଖିବା ସ˚ପୂର୍ଣ୍ଣ ଅନୁଚିତ। ରାଜା ଓ ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଅସାଦୃଶ୍ୟ ଅଛି। ରାଜା ନିଜକୁ ରାଜ୍ୟ ସହ ସମାନ ଭାବେ ଦେଖିପାରନ୍ତି। ତେବେ, ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ପ୍ରଧାନମନ୍ତ୍ରୀ ତଥା ରାଷ୍ଟ୍ରପତି କେବେ ହେଲେ ନିଜକୁ ଦେଶ ସହ ସମାନ ଭାବେ ଦେଖିବା ଉଚିତ ନୁହେଁ। କିନ୍ତୁ ଦୁର୍ଭାଗ୍ୟ ଯେ, ବିଶ୍ବର ପ୍ରାଚୀନତମ ସାଧାରଣତନ୍ତ୍ରଗୁଡ଼ିକର ରାଜନେତାମାନେ ଏହା ଗ୍ରହଣ କରିନାହାନ୍ତି। ରାଷ୍ଟ୍ରପତି ଚାର୍ଲ‌୍‌ସ ଡି ଗଲ୍‌ ନିଜକୁ ଫ୍ରାନ୍‌ସ ସହ ତୁଳନା କରିଥିଲେ। ନିଜ ଦେଶର ଅଧିକତର ରାଜା ଭାବେ ଏବ˚ କମ୍‌ ନିର୍ବାଚିତ ପ୍ରତିନିଧି ଭାବେ ଶାସନ କରିଥିବା ରାଜନେତାମାନଙ୍କ ପାଇଁ ମାର୍କିନ୍‌ ଐତିହାସିକ ଆର୍ଥର‌୍‌ ସ୍ଲାସେ˚ଜର‌୍‌ କନିଷ୍ଠ ଏକ ପଦ ସୃଷ୍ଟି କରିଥିଲେ- ‘ସାମ୍ରାଜ୍ୟବାଦୀ ରାଷ୍ଟ୍ରପତିତ୍ବ’ ବା ଇ˚ଲିସ୍‌ରେ ‘imperial presidency’।

ଆମ ସାଧାରଣତନ୍ତ୍ରର ଇତିହାସରେ ଦୁଇ ଜଣ ସାମ୍ରାଜ୍ୟବାଦୀ ପ୍ରଧାନମନ୍ତ୍ରୀ ଥିଲେ ଏବ˚ ଜଣେ ଅଛନ୍ତି- ଜଵାହରଲାଲ ନେହରୁ, ଇନ୍ଦିରା ଗାନ୍ଧୀ ଓ ନରେନ୍ଦ୍ର ମୋଦୀ। ଦଳ ତଥା ସରକାରରେ ସେମାନଙ୍କ ସ୍ଥାନ ସହକର୍ମୀଙ୍କଠାରୁ ଊର୍ଦ୍ଧ୍ବରେ। ଉଭୟ ନେହରୁ ଓ ଇନ୍ଦିରା କାର୍ଯ୍ୟାଳୟରେ ଥିବା ବେଳେ ଆମ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ ଲାଭକରିଥିଲେ। ମୋଦୀ ଆଗକୁ ଏହା କରିବେ କି? ସରଦାର ପଟେଲ କ୍ରିକେଟ୍‌ ଷ୍ଟାଡିୟମ୍‌କୁ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ ଭାବେ ପୁନଃ ନାମିତ କରିବା ପାଇଁ ଯେଉଁ ଉତ୍ସବର ଆୟୋଜନ କରାଯାଇଥିଲା, ସେଥିରେ ଅତ୍ୟନ୍ତ ରହସ୍ୟମୟ ଓ ଆଶ୍ଚର୍ଯ୍ୟଜନକ ଭାବେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ। କୋବିନ୍ଦ ୨୦୨୨ ବା ୨୦୨୩ରେ ମୋଦୀଙ୍କୁ ‘ଭାରତ ରତ୍ନ’ ପ୍ରଦାନ କରିବାର ଏହା କୌଣସି ପୂର୍ବାଭାସ କି?

ତେବେ, ମୁଖ୍ୟତଃ ଦୁଇଟି କାରଣରୁ ଏହା ଘଟି ନ ପାରେ। ପ୍ରଥମ- ମୋଦୀ ପ୍ରଥମରୁ ହିଁ ନିଜକୁ ନିଜର ପୂର୍ବସୂରୀଙ୍କଠାରୁ ନିଆରା ଦେଖାଇବା ପାଇଁ ପଦ୍ଧତିଗତ ଭାବେ ଉଦ୍ୟମ କରିଆସିଛନ୍ତି ଏବ˚ ଏହି କ୍ଷେତ୍ରରେ ମଧ୍ୟ ସେ ନିଜ ନୀତି ଅନୁଯାୟୀ ପଦକ୍ଷେପ ନେବେ। ଦ୍ବିତୀୟ- ନିଜ ପାଇଁ ତାଙ୍କର ଅଭିଳାଷ ବହୁତ ଅଧିକ। ନେହରୁ ଓ ଇନ୍ଦିରା ନିଜ ପାଇଁ ସର୍ବୋଚ୍ଚ ନାଗରିକ ସମ୍ମାନ ନିମନ୍ତେ ଅନୁମତି ଦେଇଥିଲେ। ମୋଦୀ କିନ୍ତୁ, କୌଣସି ବଡ଼ ଧରଣର ଚମତ୍କାରୀ ଦେଖାଇବେ। ସେ ନୂଆ ଦିଲ୍ଲୀରେ ବ୍ୟୟବହୁଳ ସ୍ମାରକୀୟ ସ୍ଥାପତ୍ୟ ନିର୍ମାଣ ଆରମ୍ଭ କରିଛନ୍ତି। ତେଣୁ, ଆଗକୁ ତାଙ୍କଠାରୁ ସ˚ପୂର୍ଣ୍ଣ କିଛି ନିଆରା ଆଶା କରାଯାଇପାରେ।

ପାଠକଙ୍କର ସ୍ମରଣ ଥିବ, ମେ ୨୦୧୪ରେ ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଲୋକସଭାରେ କ’ଣ କହିଥିଲେ? ସେ କହିଥିଲେ- ବାର ଶହ ବର୍ଷର ଦାସତ୍ବ କବଳରୁ ଆମକୁ ମୁକ୍ତ କରିବା, ତାଙ୍କର ଲକ୍ଷ୍ୟ। ସେତେ ବେଳେ ଜଣେ ଯୁବ ଲେଖକ ମୋ’ର ଦୃଷ୍ଟି ଆକର୍ଷଣ କରି କହିଥିଲେ- ମୋଦୀଙ୍କ ବକ୍ତବ୍ୟରୁ ତାଙ୍କର ରାଜନୈତିକ ଓ ବ୍ୟକ୍ତିଗତ ଅଭିଳାଷ ଭଲ ଭାବେ ଜଣାପଡ଼ୁଛି। ହିନ୍ଦୁମାନେ ଅନେକ ବର୍ଷ ଧରି ବିଦେଶୀଙ୍କ ଦ୍ବାରା ଶାସିତ ହୋଇଥିବା ମୋଦୀ ମନେକରନ୍ତି। ସେ ଏବେ ସେମାନଙ୍କୁ ନିଜର ଆତ୍ମ-ସମ୍ମାନ ଓ ହୃତ୍‌-ଗୌରବ ଫେରାଇବା ପାଇଁ ବଦ୍ଧପରିକର। ଏହି ପ୍ରସଙ୍ଗରେ ଯୁବ-ବନ୍ଧୁ ଆହୁରି ମଧ୍ୟ କହିଥିଲେ- ମୋଦୀଙ୍କ ଭାଷାରେ ସେ ହିଁ ଭାରତକୁ ଏକତ୍ର କରିବାରେ ସଫଳ ହୋଇଥିବା ପ୍ରଥମ ହିନ୍ଦୁ। ଶିବାଜୀ ଓ ପୃଥ୍ବୀରାଜ ଚୌହାନଙ୍କ ବୀରତ୍ବର କାହାଣୀ ଏବେ ବି ଲୋକମୁଖରେ। ହେଲେ, ସେ ଦୁହେଁ ବିଶାଳ ଭାରତର କେବଳ କ୍ଷୁଦ୍ର ଅ˚ଶକୁ ନିଜ ଶାସନାଧୀନ କରିପାରିଥିଲେ। ସେମାନଙ୍କ ସାମ୍ରାଜ୍ୟ ବୌଦ୍ଧ ଧର୍ମାବଲମ୍ବୀ ଅଶୋକ ବା ମୁସଲମାନ ବା ମୁଗଲ ବା କିରସ୍ତାନ ବ୍ରିଟିସ୍‌ଙ୍କ ତୁଳନାରେ ଯଥେଷ୍ଟ କ୍ଷୁଦ୍ର ଥିଲା। ଶିବାଜୀ ଓ ପୃଥ୍ବୀରାଜ ଯାହା କରିବାରେ ବିଫଳ ହୋଇଥିଲେ, ଶେଷରେ ତାହା କରିଦେଖାଇଲେ ପ୍ରଧାନମନ୍ତ୍ରୀ ମୋଦୀ।

ନିଜର ମହତ୍ତ୍ବ ଘୋଷଣା ସହ ନିଜର ଆଧିପତ୍ୟ ଓ ସାର୍ବଭୌମତ୍ବ ସାବ୍ୟସ୍ତ କରିବା ପାଇଁ ରାଜାମାନେ ସାଧାରଣତଃ ନିଜ ଲାଗି ନୂଆ ରାଜଧାନୀ ନିର୍ମାଣ କରାଉଥିଲେ। ନରେନ୍ଦ୍ର ଶାହ ଯେତେବେଳେ ଗଢ଼ଵାଲରେ ନିଜର ନୂଆ ରାଜଧାନୀ ନିର୍ମାଣ କଲେ, ସେ ଭାରତ ଭିତର ତଥା ବାହାରର ଅନେକ ରାଜାଙ୍କ ଅନୁକରଣ କରିଥିଲେ। ରାଜା ନରେନ୍ଦ୍ର ଶାହ, ଇ˚ଲଣ୍ତ୍‌ର ରାଜା ପଞ୍ଚମ ଜର୍ଜ‌୍‌ଙ୍କ ଆନୁଗତ୍ୟ ସ୍ବୀକାର କରୁଥିଲେ। ରାଜା ନରେନ୍ଦ୍ର, ନରେନ୍ଦ୍ରନଗର ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେବାର ଅଳ୍ପ କିଛି ବର୍ଷ ପୂର୍ବରୁ, ବ୍ରିଟିସ୍‌ ଭାରତ ଏକ ନୂଆ ରାଜଧାନୀ ଲୋଡ଼ୁଥିବା, ବିଦେଶୀ ରାଜା ଘୋଷଣା କରିଥିଲେ। ବ୍ରିଟିସ୍‌ ସରକାରର ପୁରୁଣା ରାଜଧାନୀ କଲକାତା ଅଲୋଡ଼ା ହୋଇପଡ଼ିଥିଲା। ଭାରତୀୟ ଉପ-ମହାଦେଶକୁ ଅଧିକାର କରିଥିବା ସାମ୍ରାଜ୍ୟବାଦୀ ଶକ୍ତି ଉତ୍ତର-ମୁହଁା ହୋଇଥିଲା। ପୁରୁଣା ଦିଲ୍ଲୀର ଦକ୍ଷିଣରେ ଗ୍ରାମମାନ ଅଧିଗ୍ରହଣ କରି, ବ୍ରିଟିସ୍‌ ସାମ୍ରାଜ୍ୟବାଦୀମାନେ ନିଜ ଉନ୍ନୀତ ସ୍ତରକୁ ସାର୍ଥକ କରିବା ପାଇଁ ଏକ ନୂତନ ଭବ୍ୟ ନଗରୀ ବସାଇଥିଲେ।

ବ୍ରିଟିସ୍‌ମାନେ ରାଜଧାନୀ ଉଠାଇବାର ତିନି ଶହ ବର୍ଷ ପୂର୍ବରୁ ବାବରଙ୍କ ଦ୍ବାରା ଆରମ୍ଭ ହୋଇଥିବା ରାଜବ˚ଶର ପଞ୍ଚମ ଦାୟାଦ ଶାହ ଜହଁା ନିଜ ରାଜଧାନୀ ଆଗ୍ରାରୁ ଦିଲ୍ଲୀକୁ ଉଠାଇଆଣିଥିଲେ। ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କେତେକ ସୁନ୍ଦର ସ୍ଥାପତ୍ୟର ନିର୍ମାଣ ସମାପ୍ତ ହୋଇଥିଲା। ତନ୍ମଧୢରୁ କେତେକ ଏବେ ବି ଦଣ୍ତାୟମାନ। ଥରେ ସବୁ କିଛି ବସିଯିବା ଏବ˚ ତାହାସବୁ ଦେଖି ବ୍ୟକ୍ତିଗତ ଭାବେ ସେ ସନ୍ତୁଷ୍ଟ ହେବା ପରେ, ସେ ନଗରୀକୁ ନିଜ ନାମ ଅନୁଯାୟୀ ନାମିତ କରିଥିଲେ- ଶାହଜହାଁବାଦ।

ସପ୍ତଦଶ ଓ ଅଷ୍ଟାଦଶ ଶତାବ୍ଦୀର ଦିଲ୍ଲୀ ଉପରେ ଲିଖିତ ନିଜର ନୂତନ ପୁସ୍ତକ ‘ଦ କି˚ଗ୍‌ ଆ˚ଡ୍‌ ଦ ପିଉପଲ୍‌’ରେ ଐତିହାସିକ ଗବେଷକ ଅଭିଷେକ କୈକର ଲେଖିଛନ୍ତି, ସ୍ଥାପତ୍ୟ କଳାକୁ ସାର୍ବଭୌମତ୍ବ ଦେବାରେ ସମସ୍ତ ମୁଗଲ ସମ୍ରାଟ୍‌ଙ୍କ ମଧ୍ୟରେ ଶାହ ଜହଁା ଅଗ୍ରଗଣ୍ୟ। ପ୍ରଜାମାନେ ତାଙ୍କୁ ଭିନ୍ନ ଭାବେ ଦେଖନ୍ତୁ, ଦେବତୁଲ୍ୟ ଭାବେ ଗ୍ରହଣ କରନ୍ତୁ, ଏହା ସେ ନିଜ ଜୀବନ କାଳରେ ଦେଖିବା ପାଇଁ ଚାହୁଁଥିଲେ। ନିଜ ପ୍ରାସାଦର ଗମ୍ବୁଜାକୃତି ଛାତର ଝରକାରୁ ସକାଳେ ସେ ଯେତେବେଳେ ଦୃଶ୍ୟ ହେଉଥିଲେ, ପ୍ରଭାତକାଳୀନ ସୂର୍ଯ୍ୟର ସ୍ବର୍ଣ୍ଣାଭ ଆଭାରେ ସେ ଝଲସୁଥିଲେ। ତାଙ୍କର ତୈଳଚିତ୍ରଗୁଡ଼ିକରେ ଏହାର ଝଲକ ଦେଖିବାକୁ ମିଳେ।

ଶାହ ଜହାଁଙ୍କ ପରି ନରେନ୍ଦ୍ର ମୋଦୀ ମଧ୍ୟ ନିଜର ବେଶ-ପୋଷାକ ପ୍ରତି ଯଥେଷ୍ଟ ଯତ୍ନବାନ। ନିଜର ପୋଷାକ ଓ ଅଙ୍ଗ-ଭଙ୍ଗୀ ପ୍ରତି ସେ ଯଥେଷ୍ଟ ଧ୍ୟାନ ଦିଅନ୍ତି। ଫଟୋ ଉଠାଇବା ବେଳେ ପୃଷ୍ଠପଟ ପ୍ରତି ସଜାଗ ଦୃଷ୍ଟି ରଖନ୍ତି; ସବୁ କିଛି ବ୍ୟବସ୍ଥିତ ଭାବେ କରାଯାଏ। ଏବର ବୈଷୟିକ ଜ୍ଞାନ-କୌଶଳର ଅଗ୍ରଗତି କାଳରେ ଶାହ ଜହଁାଙ୍କ ତୁଳନାରେ ସେ ଏହି ଦୃଷ୍ଟିରୁ ଅଧିକ ଭାଗ୍ୟବାନ। ଜଣେ ମଧ୍ୟ-ଯୁଗୀୟ ଶାସକ କୌଣସି ଚମକପ୍ରଦ ପ୍ରଭାବ ପକାଇବା ପାଇଁ ବ୍ୟକ୍ତିଗତ ଭାବେ ଲୋକଲୋଚନକୁ ଆସିବା ଦରକାର ପଡ଼ୁଥିଲା। ଏବର ଅତ୍ୟାଧୁନିକ କାଳରେ ଜଣେ ପ୍ରଭୁତ୍ବବାଦୀଙ୍କୁ ସର୍ବଦା ସର୍ବ-ସମ୍ମୁଖକୁ ଆସିବା ଅନାବଶ୍ୟକ। ସେ ରେଡିଓ, ଟେଲିଭିଜନ୍‌, ଖବରକାଗଜ, େଵବ୍‌ସାଇଟ୍‌, ହ୍ବାଟ୍‌ସଆପ୍‌, ଇନଷ୍ଟାଗ୍ରାମ୍‌ ଆଦି ମାଧ୍ୟମରେ ନିଜକୁ ଯେଉଁ ଭଳି ଚାହିଁବେ ଉପସ୍ଥାପିତ କରିପାରିବେ ଏବ˚ ପ୍ରତ୍ୟେକ ଭାରତୀୟ ତାଙ୍କୁ ଦେଖିପାରିବେ।

ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କ ଆଚରଣ ସାମ୍ରାଜ୍ୟବାଦୀ। ନିଜର ରାଜନୈତିକ ସହକର୍ମୀ ତଥା ରାଜନୈତିକ ବିରୋଧୀଙ୍କ ପ୍ରତି ତାଙ୍କର ବ୍ୟବହାର, ସର୍ବସାଧାରଣରେ ନିଜକୁ ଉପସ୍ଥାପନ କରିବାର ଶୈଳୀ, ସ˚ସଦରେ ବିତର୍କ ପ୍ରତି ତାଙ୍କର ଅସମ୍ମାନ ତଥା ଭୟ ବା ଅନ୍ୟ କୌଣସି କାରଣରୁ ସାମ୍ବାଦିକ ସମ୍ମିଳନୀ କରିବା ପାଇଁ ତାଙ୍କର ପଛଘୁଞ୍ଚା ଆଦିରୁ ଏହା ପ୍ରମାଣିତ। ଆଗ କାଳର ସମ୍ରାଟ୍‌ଙ୍କ ପରି ତାଙ୍କର ଭାବ ପ୍ରକାଶ ମଧ୍ୟ ଏକ ପାଖିଆ। ମୁଗଲକାଳୀନ ‘ଫରମାନ’ ପରି ତାଙ୍କର ‘ମନ କୀ ବାତ’ ଏହାର ଜୀବନ୍ତ ଦୃଷ୍ଟାନ୍ତ। ମୁଗଲମାନଙ୍କ ପରି ଦେଶର ରାଜନୈତିକ କେନ୍ଦ୍ରକୁ ସେ ନିଜ ମାଧ୍ୟମରେ ଏକ ନୂଆ ରୂପ ଦେବାକୁ ଚାହଁାନ୍ତି। ଅହମଦାବାଦର ଏକ କ୍ରିକେଟ୍‌ ଷ୍ଟାଡିୟମ୍‌ ବା ଏକ ‘ଭାରତ ରତ୍ନ’ ତାଙ୍କୁ ସନ୍ତୁଷ୍ଟ କରିପାରିବନାହିଁ।

ଏହା ଏକ ବିଡ଼ମ୍ବନା ଯେ, ନରେନ୍ଦ୍ର ମୋଦୀଙ୍କ କଥା ସହ କାମର କୌଣସି ତାଳ-ମେଳ ନାହିଁ। ସର୍ବଦା ବ୍ରିଟିସ୍‌ ଓ ମୁଗଲ ଶାସନକୁ ନିନ୍ଦୁଥିବା ଏହି ରାଜନେତା କାର୍ଯ୍ୟତଃ ସେମାନଙ୍କୁ ଅନୁକରଣ କରୁଛନ୍ତି। ମୁଗଲ ଓ ବ୍ରିଟିସ୍‌ ଦିଲ୍ଲୀ ପାଇଁ ଯାହା କରିଥିଲେ, ସେ ମଧ୍ୟ ତାହା ହିଁ କରିବାକୁ ଚାହୁଁଛନ୍ତି। ତିନି ଶହ ଚାରି ଶହ ବର୍ଷ ପରେ ଭବିଷ୍ୟତ୍‌ର ହିନ୍ଦୁବାଦୀ ରାଷ୍ଟ୍ରର ଜନତା ଗର୍ବର ସହ ମୋଦୀଙ୍କ ଦ୍ବାରା ନିର୍ମିତ ଦିଲ୍ଲୀକୁ ଦେଖିବେ ବୋଲି ଆଶା କରାଯାଇପାରେ। ତେବେ, ଏ ଭଳି ଆଶା ସାର୍ଥକ ହେବାର ସ˚ଭାବନା ନାହିଁ। ଦିଲ୍ଲୀକୁ ନବ-ରୂପ ଦେବା ପାଇଁ ଯେଉଁ ସ୍ଥପତିଙ୍କୁ ମନୋନୀତ କରାଯାଇଛି, ତାଙ୍କ ଅତୀତର କାର୍ଯ୍ୟକୁ ଅନୁଧ୍ୟାନ କଲେ, ଏହା ବେଶ୍‌ ସହଜରେ ଜାଣିହେବ ଯେ, ତାଙ୍କଠାରୁ ବିଶେଷ କିଛି ଆଶା କରାଯାଇପାରିବନାହିଁ। ସେ ଲାଲକିଲ୍ଲା ବା କୁତୁବ ମିନାର ବା ନର୍ଥ‌୍‌ ଓ ସାଉଥ୍‌ ବ୍ଲକ୍‌ ସହ ତୁଳନୀୟ କୌଣସି ସୁନ୍ଦର-ମନୋହର-ଆକର୍ଷକ ସ୍ଥାପତ୍ୟ ଛିଡ଼ା କରିପାରିବେନାହିଁ।

ଏକ ଶେଷ ଭାବନା। ଦିଲ୍ଲୀକୁ ନବ-ରୂପ ଦେବା ପାଇଁ ଉଦ୍ଦିଷ୍ଟ ଯୋଜନାକୁ ଏବେ ‘ସେନ୍‌ଟ୍ରାଲ୍‌ ଭିଷ୍ଟା ପ୍ରୋଜେକ୍‌ଟ’ କହାଯାଉଛି। ଏହି ଯୋଜନା ସ˚ପୂର୍ଣ୍ଣ ହେଲେ ଦିଲ୍ଲୀରେ ନୂଆ ସ୍ମାରକ ସଦୃଶ କୋଠା-ବାଡ଼ି ଦୃଶ୍ୟ ହେବ। ଔପନିବେଶିକତାର ସ୍ଥାନ ନେବ ଆତ୍ମନିର୍ଭରଶୀଳତା। ଶହେ ବର୍ଷ ତଳେ ଏକ ପାହାଡ଼ିଆ ରାଜ୍ୟର ବ୍ୟର୍ଥ ଶାସକ ‘ନରେନ୍ଦ୍ର ନଗର’ ବସାଇସାରିଥିବା ପୂର୍ବରୁ କହିଛୁ। ତେଣୁ, ଏବେ ବୋଧହୁଏ ‘ନରେନ୍ଦ୍ର ମହାନଗର’? କି˚ବା ‘ମୋଦୀଆବାଦ’ ଭଳି କିଛି?

(ମତାମତ ଲେଖକଙ୍କ ସଂପୂର୍ଣ୍ଣ ନିଜସ୍ବ)

ସମ୍ବନ୍ଧିତ ଖବର