ଭାତ ହାଣ୍ଡିରେ ଧୂଳି

ଭାତ ହାଣ୍ଡିରେ ଧୂଳି - ରାଜାରାମ ଶତପଥି

ବନ୍ଧୁ ରବି ଦାସ ‘ସମ୍ବାଦ’ ଫେବ୍ରୁଆରି ୮ ତାରିଖରେ ପ୍ରକାଶିତ ମୋର ‘ନୂଆ ସକାଳକୁ ଅପେକ୍ଷା’ ଲେଖାକୁ ଉଲ୍ଲେଖ କରି ଏକ ପ୍ରତିବାଦସୂଚକ ଲେଖା ପ୍ରକାଶ କରିଛନ୍ତି। ତେବେ, ମୋ ଲେଖାର ନିର୍ଯ୍ୟାସ ଥିଲା ଦେଶର ପ୍ରାୟ ୬୦ ଭାଗ ଲୋକଙ୍କ ଜୀବିକାର ଉତ୍ସ ଅବହେଳିତ କୃଷି କ୍ଷେତ୍ରରେ ସଂସ୍କାରର ଆବଶ୍ୟକତା। ସଂସ୍କାର ଅର୍ଥ କଟକଣାରୁ ନିସ୍ତାର, ଜଟିଳତାର ସରଳୀକରଣ, ଉପାର୍ଜନର ଅସୀମ ସମ୍ଭାବନାକୁ ଚଉଦିଗରୁ ନିର୍ଭରଶୀଳତାର କଣ୍ଟାବାଡ଼ରେ ସଂକୁଚିତ କରୁଥିବା ମାନସିକତା ଓ କାର୍ଯ୍ୟର ବିଲୋପ। ଏହି ପୃଷ୍ଠଭୂମିରେ କେନ୍ଦ୍ର ସରକାରଙ୍କ ତିନିଟିଯାକ କୃଷି ଆଇନ ଏବଂ ଦିଲ୍ଲୀ ସୀମାରେ ବଳବତ୍ତର ଚାଷୀ ଆନ୍ଦୋଳନ ସମ୍ପର୍କରେ ସ୍ୱାଧୀନ ମତ ବ୍ୟକ୍ତ କରିବା ପ୍ରତ୍ୟେକଙ୍କ ଅଧିକାରଭୁକ୍ତ। କିନ୍ତୁ ମୁଁ କାହିଁକି ଏପରି ଲେଖିଲି ବୋଲି ତିର୍ଯକ୍‌ ପ୍ରଶ୍ନ ଉଠିଛି। ଏପରିକି ମୋ ଲେଖାରେ ଉଲ୍ଲିଖିତ ନଥିବା ତଥ୍ୟକୁ ଲିଖିତ ଆଲୋଚନା ପରିସରକୁ ଅଣାଯାଇ ନିଜ ବକ୍ତବ୍ୟକୁ ଯଥାର୍ଥତାର ରୂପ ଦେବାର ଉଦ୍ୟମ ହୋଇଛି। ତେଣୁ ବିନମ୍ରତାର ସହ ମୁଁ ଏକ ଉତ୍ତର ରଖୁଛି।

ଭାରତରେ ଚାଷୀ ଅନ୍ଧାରରେ ଅଛି ନିଶ୍ଚୟ। ଆଲୁଅ ଟିକେ ଦେଖିବାକୁ ସେମାନଙ୍କ ଅପେକ୍ଷାର ଅନ୍ତ ନାହିଁ। ଦେଶ ସ୍ୱାଧୀନ ହେଲା ପରେ ସରକାରଙ୍କ ପାଖରେ ସବୁ ହାରିଗୁହାରି ଆନ୍ଦୋଳନ ସତ୍ତ୍ୱେ ଯେଉଁ ତିମିରକୁ ସେହି ତିମିର। ନେତାମାନେ ପ୍ରତିଶ୍ରୁତିରେ ଚାଷୀଙ୍କୁ ବୁଡ଼ାଇ ଦେଇଛନ୍ତି ସିନା କିନ୍ତୁ ବାରମ୍ବାର ଖସିଯାଉଥିବା ସେମାନଙ୍କ ଅଣ୍ଟା ଖୋସଣିକୁ ମଜଭୁତ କରିବାକୁ କିଛି କରିନାହାନ୍ତି। ବ୍ୟସ୍ତ, ବିବ୍ରତ ଓ ଅସହାୟ ହୋଇ ଚାଷୀ ଚାଷ ଛାଡ଼ିବାକୁ ବାଧ୍ୟ ହେଉଛି, ଯେଉଁ ଜମିରେ ଏକାଧିକ ଫସଲ ହେଉଥିଲା ସେହି ଜମି ଏବେ ସମ୍ପୂର୍ଣ୍ଣ ବା ଗୋଟିଏ ଫସଲ ପରେ ଖାଲି ପଡୁଛି। ନିକଟରେ ବିଧାନସଭାରେ ଉପସ୍ଥାପିତ ଇକୋନୋମିକ ସର୍ଭେ ଅନୁଯାୟୀ ଆମ ରାଜ୍ୟରେ ପ୍ରକୃତ ଚାଷ ହେଉଥିବା ଜମିର ପରିମାଣ ୨୦୧୯-୨୦ ସୁଦ୍ଧା ପୂର୍ବ ଦୁଇ ବର୍ଷ ଭଳି ହ୍ରାସ ପାଇ ୫୩.୩୦ ଲକ୍ଷ ହେକ୍‌ଟରକୁ କମି ଆସିଛି। ସେହିଭଳି ପଡ଼ିଆ ଜମିର ପରିମାଣ ୧୦.୭୯ ଲକ୍ଷ ହେକ୍‌ଟରରେ ପହଞ୍ଚିଛି ଏବଂ ରାଜ୍ୟରେ ମୋଟ ଖାଦ୍ୟ ଶସ୍ୟ, ଧାନ, ତୈଳବୀଜ, ପିଆଜ ଇତ୍ୟାଦିର ଉତ୍ପାଦନ କମିବାରେ ଲାଗିଛି। ରିପୋର୍ଟରେ କୁହାଯାଇଛି ପଶ୍ଚିମାଞ୍ଚଳ ଜିଲ୍ଲାଗୁଡ଼ିକ ଅପେକ୍ଷାକୃତ ବେଶୀ କ୍ଷତିଗ୍ରସ୍ତ, ଯେଉଁଠାରୁ ଚାଷୀ ମୃତ୍ୟୁର ଅଧିକ ଖବର ଆସେ। ଚାଷ କ୍ଷେତ୍ରର ଏହି ଦୁରବସ୍ଥା ପାଇଁ ଫସଲ ବିକିବାରେ ଚାଷୀ ହନ୍ତସନ୍ତ ହେବା ଓ ଜଳସେଚନର ଅଭାବ ଅନ୍ୟତମ କାରଣ ବୋଲି ସର୍ଭେ ରିପୋର୍ଟରେ ଦର୍ଶାଯିବା ସହ କୁହାଯାଇଛି ଯେ ‘କଣ୍ଟ୍ରାକ୍ଟ ଫାର୍ମିଙ୍ଗ୍’ ଓ ଚାଷୀଙ୍କୁ ଅଧିକ ସୁବିଧା ଦିଆଗଲେ ପରିସ୍ଥିତି ବଦଳିବ। ଚାଷୀମାନେ ଧାନ ବିକିବା ପାଇଁ ସରକାରୀ ମଣ୍ଡିରେ କି ହିନସ୍ତା ହେଉଛନ୍ତି, ପାଠକମାନେ ପ୍ରତିଦିନ ସମ୍ବାଦପତ୍ର ଓ ଟେଲିଭିଜନରୁ ଜାଣୁଥିବେ।

ଚାଷ ଛାଡି ଅଣଚାଷ ରୋଜଗାର ପନ୍ଥା ଆପଣେଇବା ସ୍ଥିତି କେବଳ ଓଡ଼ିଶାରେ ସୀମିତ ନୁହେଁ। ୨୦୧୧ ଜନଗଣନା ଅନୁଯାୟୀ ଭାରତରେ ପ୍ରତିଦିନ ୨୦୦୦ ଚାଷୀ ଚାଷ ଛାଡ଼ୁଛନ୍ତି। ଅନେକ ଉନ୍ନତ ରାଷ୍ଟ୍ରରେ ସମାନ ପରିସ୍ଥିତି। ଜାପାନରେ ଆଶଙ୍କା କରାଯାଉଛି ଆସନ୍ତା ୬ରୁ ୮ ବର୍ଷ ମଧ୍ୟରେ ୪୦ ଭାଗ ଚାଷୀ ଚାଷ ଛାଡ଼ି ଦେବେ। ତେବେ ଉନ୍ନତ ଦେଶ ଓ ଆମ ଭିତରେ ପ୍ରଭେଦ ଅନେକ। ସେଠାରେ ଚାଷ ଆମଭଳି ଗଣ୍ଡେ ଖାଇ ବଂଚିବାକୁ ଆଉ ରାଜି ନୁହେଁ। ଚୀନ ସମେତ ଅନେକ ଦେଶରେ ବହୁ ବର୍ଷରୁ କୃଷିର ବ୍ୟବସାୟୀକରଣ ହୋଇଛି। ଯାହା ଫଳରେ ଏହି ଦେଶଗୁଡ଼ିକ ଆଧୁନିକ ଯନ୍ତ୍ର, ଉନ୍ନତ ବିହନ ଇତ୍ୟାଦି ସାହାଯ୍ୟରେ ପ୍ରବଳ ଫସଲ ଉତ୍ପାଦନ କରି ନିଜର ଚାହିଦା ମେଣ୍ଟାଇବା ସହ ରପ୍ତାନି-ଯୋଗ୍ୟ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ବ୍ୟାପକ ବିନିଯୋଗ କରୁଛନ୍ତି। ପିଲାଦିନେ ଗାଁ ସ୍କୁଲରେ ଆମେରିକାରୁ ଆମଦାନି ଗୁଣ୍ଡ ଦୁଗ୍‌ଧ ଓ ଗହମ ଛତୁଆ ପିଲାଙ୍କୁ ଦିଆଯାଉଥିଲା। ସେଥିରୁ ଆମ ତୁଳନାରେ ସେ ଦେଶରେ କୃଷି କ୍ଷେତ୍ର କେବେ ଠାରୁ କେତେ ଉନ୍ନତ; ତାହା ସହଜରେ ଅନୁମେୟ। ଆମେରିକାକୁ ବିଶ୍ୱର ସବୁଠାରୁ ଅଧିକ କଟକଣାମୁକ୍ତ ଦେଶର ମାନ୍ୟତା ଦିଆଯାଏ।

ଆମ ଦେଶରେ ବଳଦ ହଳ ଲଙ୍ଗଳ ଭଳି ସେଠି ଘୋଡା, ଗଧ, ଖଚର ସାହାଯ୍ୟରେ ଅତୀତରେ ଚାଷ ହେଉଥିଲା। ଗଲା ୧୦୦ ବର୍ଷରେ ନୂଆ ଚିନ୍ତାଧାରା, ଆଧୁନିକ ଜ୍ଞାନ କୌଶଳ ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଦେଶରେ ଫସଲର ଚାହିଦା ବୃଦ୍ଧି ପାଇଁ ଆବଶ୍ୟକ ସରକାରୀ ନୀତି ଯୋଗୁଁ ଆମେରିକା କୃଷିଜାତ ରପ୍ତାନି କ୍ଷେତ୍ରରେ ଏକ ପ୍ରମୁଖ ରାଷ୍ଟ୍ର ହୋଇ ପାରିଛି। ସମୟ ଥିଲା ଆମେରିକାର ୪୧ ଭାଗ କାର୍ଯ୍ୟକ୍ଷମ ଲୋକ ଚାଷରେ ନିୟୋଜିତ ଥିଲେ। ଏବେ କମ୍‌ ଲୋକରେ ଅଧିକ ଉତ୍ପାଦନ, ବେଶୀ ଲାଭ। ଏହା ଦ୍ୱାରା ବଳକା ମାନବ ସମ୍ବଳ ବିଶେଷ କରି ନୂଆ ପିଢ଼ିର ଶିକ୍ଷିତ ଯୁବକ ଯୁବତୀମାନେ ପସନ୍ଦର ବୃତ୍ତିଗତ ଦକ୍ଷତା ହାସଲ କରି ଶିଳ୍ପ ଓ ସର୍ଭିସ ସେକ୍ଟରରେ ନିୟୋଜିତ ହେଉଛନ୍ତି। ଏହା ହିଁ ତ ସଂସ୍କାର, ସମୟର ଆହ୍ୱାନକୁ ସମ୍ମାନ ଦେଇ ପରିବର୍ତ୍ତନକୁ ଗ୍ରହଣ କରିବା। କହିବା ନିଷ୍ପ୍ରୟୋଜନ ଯେ ଆଧୁନିକ କୃଷି ପାଇଁ ପରିଚିତ ଦେଶମାନଙ୍କରେ ମାନୁଫ୍ୟାକ୍‌ଚରିଂ କ୍ଷେତ୍ର ମଧ୍ୟ ଦକ୍ଷ। ଯେଉଁମାନେ ଯେତେ ଶୀଘ୍ର ପୁରୁଣା ଲାଭହୀନ ବ୍ୟବସ୍ଥାର ନବୀକରଣ କରିଚନ୍ତି, ସେମାନେ ସେତେ ଶୀଘ୍ର ଆଗକୁ ଯାଇଛନ୍ତି।

କ୍ଷୁଦ୍ରାତିକ୍ଷୁଦ୍ର ଦେଶରେ ପ୍ରଗତି ଆମ ତୁଳନାରେ କ୍ଷିପ୍ର ହେବାର କାରଣ ଆମେ ମାତ୍ର ୧୯୯୧ ମସିହାରେ ଶାସନ ଢାଞ୍ଚାର ନବକଳେବର ଆରମ୍ଭ କଲୁ; ସେ ପୁଣି ଧୀର ମନ୍ଥର ଗତିରେ ଏବଂ ସୀମିତ କ୍ଷେତ୍ରରେ। ସଂସ୍କାର ସୂର୍ଯ୍ୟ, ସ୍ୱ-ଆଲୋକରେ ସଂସାରକୁ ଆଲୋକିତ କରିଛି। ଏହାର ଅନନ୍ୟ ପ୍ରତିଭା ମାର୍କେଟ ଇକୋନୋମି, ଫ୍ରି ଇକୋନୋମି, ଉଦାରୀକରଣ ଭଳି ନାମକରଣରେ ମଉଳି ଯାଇ ନପାରେ। କେହି କେହି ଯୁକ୍ତି ବାଢ଼ନ୍ତି ସଂସ୍କାର, ସେମାନଙ୍କ ଭାଷାରେ ମାର୍କେଟ ଇକୋନୋମି ଯୋଗୁଁ ଆମେରିକାର କୃଷି କ୍ଷେତ୍ର କ୍ଷତିଗ୍ରସ୍ତ। ଯଦି ଏହା ସତ ତା’ହେଲେ ସମାନ ସଫଳତା ହାସଲ କରିଥିବା ଜାପାନ, ଇଂଲଣ୍ଡ ସମେତ ଅନ୍ୟ ଦେଶମାନେ ଏ ପ୍ରକାର ବ୍ୟର୍ଥ ପ୍ରୟାସରୁ ବହୁ ଦିନରୁ ଓହରି ଯାଇସାରନ୍ତେଣି। ଉନ୍ନତ କୃଷି ଆନ୍ତର୍ଜାତିକ ସ୍ତରରେ ପ୍ରାଧାନ୍ୟ ବିସ୍ତାର ପାଇଁ ଏକ କୂଟନୈତିକ ଅସ୍ତ୍ର। ଆମେରିକା ପିଏଲ-୪୮୦ ରାଜିନାମାରେ ଗହମ, ଗୁଣ୍ଡ ଦୁଗ୍‌ଧ ଇତ୍ୟାଦି ଡଲାର ବଦଳରେ ଭାରତୀୟ ମୁଦ୍ରା ବିନିମୟରେ ଯୋଗାଇବା ପଛରେ ଆମ ଖାଦ୍ୟାଭାବର ଚିନ୍ତା ଅପେକ୍ଷା ତାଙ୍କ ଚାଷୀଙ୍କ ସୁରକ୍ଷା, ବିଶ୍ୱ ବାଣିଜ୍ୟ କାରବାରରେ ପ୍ରଭାବ ବୃଦ୍ଧି ଏବଂ ଦେଶ ପାଇଁ ବଳିଷ୍ଠ ଭାବମୂର୍ତ୍ତି ସୃଷ୍ଟି କରିବାର ସ୍ୱାର୍ଥ ଅଧିକ ଥିଲା। ଆମେ ଏହି ରାଜନୀତି ଡେରିରେ ବୁଝିଲୁ, ଯେତେବେଳେ ସେଠାରୁ ଗହମ ବୋଝେଇ ଜାହାଜ ଆସିବା କମିବାରେ ଲାଗିଲା।

ଅର୍ଥନୈତିକ ସଂସ୍କାର ପ୍ରକ୍ରିୟାର ମୁଖ୍ୟ ନାୟକ ଘରୋଇ ଉଦ୍ୟୋଗ। କାରଣ ସରକାର ବ୍ୟବସାୟ ଚଳାଇବାକୁ ଅଯୋଗ୍ୟ; ସରକାରୀ ବ୍ୟବସ୍ଥା କଟକଣାରେ ଭରପୂର। ଏହା ଅସ୍ୱଚ୍ଛ, ଅଣପ୍ରତିଯୋଗିତାମୂଳକ, ଶ୍ରମ କାତର ଏବଂ ସେଥିପାଇଁ କ୍ଷତିଗ୍ରସ୍ତ। ସରକାରୀ ଆୟର ତିନି ଚତୁର୍ଥାଂଶ ଘରୋଇ କ୍ଷେତ୍ରରୁ ଆସେ। ସମାଲୋଚକମାନେ କିନ୍ତୁ ପ୍ରାଇଭେଟ ସେକ୍ଟର, କର୍ପୋରେଟ ଭଳି ଶବ୍ଦ ଶୁଣିବା ମାତ୍ରେ ଏହାକୁ ସହର ବନାମ ମଫସଲର ରୋଚକ ଆଖ୍ୟା ଦେଇ ଶ୍ରମିକ ଶୋଷଣର ପେଣ୍ଠ ବୋଲି କହିଥାନ୍ତି। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ପୋଷାକ, ଚପଲ, ଘଣ୍ଟା, ମୋବାଇଲ ଫୋନ୍‌, ଚଷମା, ଘରକରଣା ଜିନିଷ, ଛୁଞ୍ଚି ଠାରୁ ଉଡ଼ାଜାହାଜ ଯାହା ସବୁ ଆମେ ବ୍ୟବହାର କରୁ; ଏପରିକି ଚାଷରେ ବ୍ୟବହୃତ ସରଞ୍ଜାମ ସେ ସବୁ ଘରୋଇ ଉଦ୍ୟୋଗ ଦ୍ୱାରା ପ୍ରସ୍ତୁତ। ଅତୀତରେ କମ୍ପ୍ୟୁଟର ପ୍ରଚଳନ, ଖୁଚୁରା ମାର୍କେଟରେ ବିଦେଶୀ ପୁଞ୍ଜିକୁ ଅନୁମତି ଏପରିକି ୧୯୯୧ରେ ଉଦାରୀକରଣ ନିଷ୍ପତ୍ତି ବେଳେ ଏମିତି ବହୁତ କିଛି କୁହାଯାଉଥିଲା। ନିକଟରେ ପ୍ରସ୍ତୁତ ୩ଟି ଯାକ କୃଷି ଆଇନ ଏବେ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଛି। ସରକାରଙ୍କ ମତ ଏହି ଆଇନ କୃଷି କ୍ଷେତ୍ରରେ ବ୍ୟାପକ ସଂସ୍କାର ଯୋଜନାର ଏକ ଅଂଶ ଯାହା ଫଳରେ ପ୍ରାଇଭେଟ ପୁଞ୍ଜି ଆସିବାରେ ସରକାରୀ କଟକଣା ଭୟ ରହିବନି ଏବଂ ଚାଷୀ ସ୍ୱାଧୀନ ଭାବରେ ଫସଲ ବିକିବାକୁ ବିକଳ୍ପ ସୁଯୋଗ ପାଇବେ। ଦେଶରେ ଏବେ ପ୍ରଚୁର ଫସଲ ଉତ୍ପାଦିତ ହେଉଥିବା ସତ୍ତ୍ବେ ବ୍ୟବସାୟିକ ପରିବେଶ ନଥିବାରୁ ଚାଷୀଙ୍କ ଆର୍ଥିକ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ଭାରତ ଦୁଗ୍‌ଧ, ପଶୁ ସମ୍ପଦ, ମସଲା ଉତ୍ପାଦନ ଆଦିରେ ବିଶ୍ୱରେ ପ୍ରଥମ। ଖାଦ୍ୟ ଶସ୍ୟ, ପନିପରିବା, ଫଳ, ମାଛ ଉତ୍ପାଦନରେ ଦ୍ବିତୀୟ, ହେଲେ ରପ୍ତାନିରେ କୃଷିଜାତ ଦ୍ରବ୍ୟର ଭାଗ ମାତ୍ର ୧୨% ଏବଂ ବିଶ୍ୱ ତୁଳନାରେ ଆହୁରି ନଗଣ୍ୟ (୨.୧୫% -୨୦୧୮ ତଥ୍ୟ)।

ଫସଲ ରଖିବାକୁ ଜାଗା ଅଭାବରୁ ବର୍ଷକୁ ପ୍ରାୟ ଦେଢ଼ ଲକ୍ଷ କୋଟି ଟଙ୍କାର ମାଛ, ମାଂସ, ଦୁଗ୍‌ଧ ସମେତ ଅନ୍ୟାନ୍ୟ ଖାଦ୍ୟ ଶସ୍ୟ ନଷ୍ଟ ‌େହଉଛି। ଏହାର କାରଣ କିଣିବାକୁ ଗରାଖ ନାହାନ୍ତି। କିନ୍ତୁ ସ୍ଥିତାବସ୍ଥାରେ ବିଶ୍ବାସୀଙ୍କ ଅଭିଯୋଗ କୃଷି ଆଇନ ବଳରେ ବଡ ବ୍ୟବସାୟିକ ସଂସ୍ଥାମାନେ ଅଳ୍ପ ଦାମ୍‌ରେ ଫସଲ କିଣି ଚାଷୀଙ୍କୁ ଶୋଷିବେ; ଗୋଦାମରେ ଫସଲ ମହଜୁଦ ରଖି କୃତ୍ରିମ ଅଭାବ ସୃଷ୍ଟି କରିବେ, ‘କଣ୍ଟ୍ରାକ୍ଟ ଫାର୍ମିଙ୍ଗ୍‌’ ନାମରେ ଜମି କବ୍‌ଜା କରିବେ, ଏପିଏମ୍‌ସି ମଣ୍ଡି କିଛି ଦିନ ପରେ ବନ୍ଦ ହେବା ସହ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ସୁବିଧା ଲୋପ ପାଇବ। ଏବଂ ଅସହାୟ ଚାଷୀ ନ୍ୟାୟ ପାଇବାକୁ କୋର୍ଟକୁ ମଧ୍ୟ ଯାଇପାରିବ ନାହିଁ। ମନମୋହନ ସିଂହ ସରକାର ସମୟରେ ଗଠିତ କୃଷି ବୈଜ୍ଞାନିକ ଏମ୍‌.ଏସ୍‌. ସ୍ୱାମୀନାଥନ କମିସନ ଅଗଷ୍ଟ ୨୦୦୫ ଏବଂ ଅକ୍ଟୋବର ୨୦୦୬ରେ ସରକାରଙ୍କୁ ଦେଇଥିବା ରିପୋର୍ଟରେ ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ‘ଏପିଏମ୍‌ସି’ ଆଇନର ପରିବର୍ତ୍ତନ, କୃଷି କ୍ଷେତ୍ରରେ ଘରୋଇ ଉଦ୍ୟୋଗକୁ ପ୍ରୋତ୍ସାହନ ଲାଗି ସୁପାରିସ କରିଥିଲେ। ସ୍ୱାମୀନାଥନଙ୍କ ପୂର୍ବରୁ ବିଶିଷ୍ଟ କୃଷି ଅର୍ଥନୀତି ବିଶେଷଜ୍ଞ ଶଂକରଲାଲ ଗୁରୁଙ୍କ ନେତୃତ୍ୱରେ ଗଠିତ କମିଟି ସମାନ କଥା କହିଥିଲେ। ଏମାନେ କେହି ନେତା ନଥିଲେ କି ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ମତ ଦେବାରେ ସେମାନଙ୍କର କିଛି ଲୁକ୍କାୟିତ ଏଜେଣ୍ଡା ନଥିଲା। ବିଡ଼ମ୍ବନା ଯେ ଏକବିଂଶ ଶତାବ୍ଦୀରେ ସଂସ୍କାରର ଆହ୍ୱାନକୁ ଦିଗଭ୍ରଷ୍ଟ କରିବାକୁ ଆମେ ଉଦ୍ୟମ କରୁଛୁ। କଟକଣା ବିକାଶର ବିରୋଧୀ। ମୁକ୍ତ ପରିବେଶରୁ ପାରଦର୍ଶିତାର ଜନ୍ମ। ଦେଶରେ ସାମଗ୍ରିକ ଭାବେ ବର୍ତ୍ତମାନ ପର୍ଯ୍ୟନ୍ତ ଯାହା ବି ହୋଇଛି; ତାହା ସ୍ୱାଧୀନତା ପ୍ରାପ୍ତିର ଫଳ। କେବଳ ସଂସ୍କାର ଅଭାବରୁ ଆମେ ଅନ୍ୟମାନଙ୍କର ସମକକ୍ଷ ହୋଇ ପାରିନାହୁଁ। ଯଦି ସମ୍ଭାବ୍ୟ ଶୋଷଣ ଆଶଙ୍କାରେ ଏତେ ଆନ୍ଦୋଳନ, ତା’ହେଲେ ପ୍ରଚଳିତ ବ୍ୟବସ୍ଥାରେ ଚାଷୀ ଅଣନିଃଶ୍ୱାସୀ ହୋଇ ବର୍ଷ ବର୍ଷ ହେଲା ଚିତ୍କାର କରୁଥିଲା ବେଳେ ସମାଜ ନିରବ କାହିଁକି?

ମୋ: ୯୮୫୩୨୫୨୬୨୬

ସମ୍ବନ୍ଧିତ ଖବର