ଜୀବନ ନଈର କୂଳ

ଜୀବନ ତରଙ୍ଗ - ଲକ୍ଷ୍ୟଜିତ୍‌ ବେହେରା

୨୬ ଫେବ୍ରୁଆରି ୨୦୨୧, ସନ୍ଧ୍ୟା ୭ଟା।

ପଟିଆରୁ କିଟ୍‌ ଛକର ଜନବହୁଳ ରାସ୍ତା। ସେଇ ରାସ୍ତାରେ ପିଲା ଦି’ଟାଙ୍କୁ ଦେଖିଲି। ସାନଟା କାନ୍ଦୁଥାଏ, ବଡ଼ଟାର ଗାଲରେ ଲୁହର ଦାଗ ସ୍ପଷ୍ଟ। ସେମାନେ ଥିଲେ ଅମିତ୍‌ ସି˚ହ ଆଉ ସୁମିତ୍‌ ସି˚ହ। ଗୋଟେ ଭଙ୍ଗା ଟ୍ରଲି ରିକ୍‌ସା ଧରି ସେ ଦୁହେଁ ଚାଲୁଥାନ୍ତି ନନ୍ଦନକାନନ ଦିଗରେ। ବଡ଼ ସୁମିତ୍‌ର ବୟସ ୧୦ ବର୍ଷ ଏବ˚ ସାନ ଭାଇ ଅମିତ୍‌ର ବୟସ ୬ ବର୍ଷ। ମୁଁ ଦେଖୁଥାଏ ବଡ଼ କହୁଛି ସାନକୁ ଧକ୍‌କା ଦେ। କିନ୍ତୁ ସାନର କ୍ଳାନ୍ତ ଶରୀର ଅବସନ୍ନ ହୋଇ ସାରିଥାଏ। ମୁଁ ତାଙ୍କ ପାଖକୁ ଯାଇ ରିକ୍‌ସାକୁ ପେଲିଲି ଆଉ ବିଭିନ୍ନ କଥା ପଚାରିବାରେ ଲାଗିଲି। ସେମାନଙ୍କ ବାପା ମାଆଙ୍କ ବିଷୟରେ ପଚାରିଲାରୁ ସାନଟା ଜବାବ ଦେଲା ‘ବାପା ଖରାପ ହେଇ ଯାଇଛନ୍‌।’ କଳାହାଣ୍ତିରେ ମୁଁ କାଟିଛି ତିନି ବର୍ଷ। ସୁତରା˚, ଏବେ ମୁଁ ଜାଣି ପାରିଲି ଏମାନେ ପଶ୍ଚିମ ଓଡ଼ିଶାର ଏବ˚ ତାଙ୍କ ବାପାଙ୍କ ଦେହାନ୍ତ ହୋଇଯାଇଛି।

ମୁଁ ଏବେ ଏବେ ଜାଣିବାକୁ ପାଇଲି ଯେ ଏମାନେ ଦୁଇଭାଇ, ଏମାନଙ୍କ ମା’ ଆଉ କୋଳରେ ଝୁଲୁଥିବା ଗୋଟେ ଭଉଣୀ। ସମ୍ବଲପୁର ଷ୍ଟେସନ ପାଖ ବସ୍ତିରେ ଘର। ଟ୍ରେନ୍‌ରେ ଖେଳୁ ଖେଳୁ ଭୁଲ୍‌ରେ ଡିଏମ୍‌ୟୁରେ ଭୁବନେଶ୍ବର ପଳେଇ ଆସିଛନ୍ତି ଏଇ ଦୁଇ ଭାଇ। ଭଙ୍ଗା ରିକ୍‌ସା ଖଣ୍ତେ କୋଉଠୁ ପାଇ ବାହାରିଛନ୍ତି ସିଧା ଘରକୁ ଯିବେ ବୋଲି। ସାନଟା କହୁଛି ଯେ ଗୋଟେ କାର୍‌ବାଲା ତା’ ରିକ୍‌ସାକୁ ଧକ୍‌କା ଦେଇକି ଭାଙ୍ଗି ଦେଇଛି। ତା’ଗୋଡ଼ରେ ବି ଆଘାତ ବାଜିଛି ଆଉ ଯନ୍ତ୍ରଣା ହେଉଛି।

ମୁଁ ଏବ˚ ନିକଟରେ ଥିବା ଜଣେ ଫଳ ଦୋକାନୀ ‘ଚାଇଲ୍‌ଡ ହେଲ୍‌ପଲାଇନ୍‌’କୁ ଫୋନ୍‌ କଲୁ। ପାଖ ଗୋଟେ ହୋଟେଲ୍‌ରେ ସେମାନଙ୍କ ଖାଇବା ଲାଗି ବ୍ୟବସ୍ଥା କଲୁ। ସେମାନେ ଭାତ ଖାଇବାକୁ ବସିଲେ ଯେ ହେଲେ ପରିଶ୍ରମଜନିତ ଥକ୍‌କା ହେତୁ ଦି ଚାରି ଗୁଣ୍ତା ପରେ ଆଉ ଖାଇ ପାରିଲେନି। ସେତେବେଳକୁ ପିସିଆର‌୍‌ ଭ୍ୟାନ୍‌ ମଧ୍ୟ ପହଞ୍ଚି ଯାଇଥାଏ। ଆମେ ସମସ୍ତେ ଇନ୍‌ଫୋସିଟି ଥାନାକୁ ଗଲୁ।

କିନ୍ତୁ ପୁଲିସ ଷ୍ଟେସନର ଅନୁଭୂତି ଭିନ୍ନ ଥିଲା। ସେମାନେ ଏ ଦୁହିଁଙ୍କୁ ଚୋର ବୋଲି ଭାବୁଥାନ୍ତି। ଏଟା ୟାଙ୍କର ପେସା ବୋଲି ଗାଳି ଦେଉଥାନ୍ତି। ତାଙ୍କ ଭିତରୁ ଜଣେ ପୁଲିସ ବାବୁ ତ କହି ପକାଇଲେ- ‘ଏମାନେ ଭଲ ଘରର ପିଲା ନୁହନ୍ତି, ତୁମେ ଏମାନଙ୍କୁ ଉଦ୍ଧାର କରିବାର ନ ଥିଲା, ବେକାରରେ ଖାଲି ଆମ କାମ ବଢ଼ାଉଛ।’

ଆକ୍ଷେପ ଓ ଆଲୋଚନା ଭିତରେ ବିତିଗଲା ଅଧ ଘଣ୍ଟା। ‘ଚାଇଲ୍‌ଡ ହେଲ୍‌ପଲାଇନ୍‌’ରୁ ଦୁଇ ଜଣ ଆସି ପହଞ୍ଚି ଯାଇଥାଆନ୍ତି। ପିଲାମାନଙ୍କୁ ନେଇଯିବାର ଯାହା ପ୍ରକ୍ରିୟା ଥିଲା ସବୁ ପୂରା ହେଲା। ପିଲାଙ୍କୁ ଭଲରେ ଦାୟିତ୍ବର ସହ ରଖିବାର ଆଶ୍ବାସନା ଦେଇ ସେମାନେ ନେଇଗଲେ।

ସେମାନେ ଗଲା ବେଳେ ଜଣେ ମହିଳା ପୁଲିସ ଅଫିସର କହୁଥିବା ମୋ କାନରେ ବାଜିଲା- ‘ମୋ ଛୁଆ ମୋତେ ଦିନେ ଛାଡ଼ିକି ରହିଲେ ଭାଉ ଭାଉ ହୋଇକି କାନ୍ଦିବ, ଏମାନଙ୍କୁ ଦେଖ ଘର ଛାଡ଼ିକି ପଳେଇ ଆସିଛନ୍ତି!’

ସେତିକି ବେଳେ ମନେ ପଡ଼ିଗଲା ଯେ ଯେତେବେଳେ ସେ ଦୁଇଭାଇ ଫଳ ଦୋକାନ ପାଖରେ ବସିଥାନ୍ତି ସାନଟା ବଡ଼ ଭାଇକୁ କହୁଥାଏ, ‘‘ଏଗୁଡ଼ା ଭଲ ଲୋକ ଲାଗୁଛନ୍‌’’, ଆମକେ ଖାଇବାର ଲାଗି ଦେମେ, ଶୁଇବାର ଲାଗି ଶେଯ ଦେମେ।’ ସେତିକି ବେଳେ ମୁଁ ସାନକୁ ପଚାରିଲି- ତୁ ପାଠ ପଢ଼ିବାକୁ ଚାହୁଁ?

ସେ କହିଲା- ‘ହଁ, ମୁଁଇ ଖୁବ୍‌ ପଢ଼ିମି; ପଢ଼ିକେ ପୁଲିସ ହେମି।’ ବଡ଼ଟା କିନ୍ତୁ ଚୁପ୍‌ ଥାଏ; ବୋଧେ ତା’ ବୟସ ଅନୁସାରେ ସେ ଆଭାସ ପାଇ ସାରିଥାଏ ଯେ ସାନ ଯେମିତି ଭାବୁଛି ଜୀବନ ନଈ ସେମିତି କୁଳୁକୁଳୁ ହୋଇ ବହି ନ ଥାଏ। ଅନେକଙ୍କ ଲାଗି ଜୀବନ ନଈର କୂଳ କି କିନାରା ନ ଥାଏ!

ପଟିଆ, ଭୁବନେଶ୍ବର

ସମ୍ବନ୍ଧିତ ଖବର