ଯୁଦ୍ଧବିରତି ଓ ଭାରତ-ପାକ୍‌ ସମ୍ପର୍କ

ମହାମେଘବାହନ ଐର ଖାରବେଳ ସ୍ବାଇଁ

ମାତ୍ର କେତେ ଦିନ ତଳେ ଚୀନ ସହ ସବୁଦିନିଆ ବନ୍ଧୁତା ବାନ୍ଧିଥିବା ପାକିସ୍ତାନ ଯେ ଭାରତ ସହ ଆଉ ଯୁଦ୍ଧ କରିବ ନାହିଁ; ଏ କଥା କେହି ବିଶ୍ବାସ କରୁନଥିଲେ। ହଠାତ୍‌ ଏହି ଦୁଇ ପକ୍ଷ ୨୦୦୩ର ଯୁଦ୍ଧବିରତି ଚୁକ୍ତି ପୁଣି ଲାଗୁ କରିବା ପାଇଁ ଘୋଷଣା କରିବେ, ଏହା ଏକ ବିସ୍ମୟ ଅଟେ। କାରଣ ପ୍ରାୟ ପ୍ରତି ଦିନ ଦୁଇ ପକ୍ଷ ମଧ୍ୟରେ ବାସ୍ତବ ନିୟନ୍ତ୍ରଣ ରେଖା (ଏଲ.ଓ.ସି.) ଉପରେ ଗୁଳିଗୋଳା ଚାଲିଥିଲା। ପ୍ରତ୍ୟେକ ପକ୍ଷ ଅଭିଯୋଗ କରୁଥିଲେ ଯେ ଅନ୍ୟ ପକ୍ଷ ଚୁକ୍ତି ଉଲ୍ଲଂଘନ କରିଛି। ପାକିସ୍ତାନର ଆତଙ୍କବାଦୀମାନଙ୍କ ଉପରେ ଅତର୍କିତ ଆକ୍ରମଣ କରି ସେମାନଙ୍କୁ ପରାହତ କରିବା ପାଇଁ ଭାରତୀୟ ସେନା ସବୁବେଳେ ଉଦ୍ୟମ କରି ଆସିଛନ୍ତି। ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ୨୦୧୫ରେ ସୀମା ପାର ହୋଇ ଭାରତୀୟ ସେନା ପାକ୍‌ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଘାଟୀ ଉପରେ ସଫଳତାର ସହ ଆକ୍ରମଣ କରି, ଜଣେ ଲୋକକୁ ମଧ୍ୟ ନହରାଇ, ଭାରତ ମଧ୍ୟକୁ ଫେରିଆସିଥିଲେ। ଠିକ୍‌ ସେହିପରି ୨୦୧୯, ଫେବ୍ରୁଆରି ୧୪ରେ କାଶ୍ମୀରର ପୁଲୱାମାଠାରେ ପାକିସ୍ତାନୀ ଆତଙ୍କବାଦୀଙ୍କ ବୋମା ବିସ୍ଫୋରଣ ହେତୁ ୪୨ ଜଣ ସି.ଆର.ପି.ଏଫ. ଯବାନ ପ୍ରାଣ ହରାଇବା ପରେ ଭାରତୀୟ ବାୟୁସେନା ପାକ୍‌ ଅଧିକୃତ କାଶ୍ମୀରର ବାଲାକୋଟ ସ୍ଥିତ ଆତଙ୍କବାଦୀ ଶିବିର ଉପରେ ଅତର୍କିତ ବୋମାମାଡ଼ କରି ୨୫୦ରୁ ଅଧିକ ଆତଙ୍କବାଦୀଙ୍କୁ ମାରି ଦେଇଥିଲେ। ଏହା ପରେ ପାକିସ୍ତାନ ସେନାବାହିନୀ ଦ୍ବାରା ବନ୍ଦୀ ହୋଇଥିବା ଭାରତର ଯୁଦ୍ଧ ପାଇଲଟ ଅଭିନନ୍ଦନଙ୍କୁ ପାକିସ୍ତାନ, ଆନ୍ତର୍ଜାତିକ ଚାପ ଫଳରେ ମାତ୍ର ଗୋଟିଏ ଦିନ ଭିତରେ ଛାଡ଼ିଦେବାକୁ ବାଧ୍ୟ ହୋଇଥିଲା।

ପାକିସ୍ତାନ ନେସନାଲ ଆସେମ୍ବ୍ଲିର ଜଣେ ବିରୋଧୀ ଦଳର ନେତା ଗୃହ ମଧ୍ୟରେ ସ୍ପଷ୍ଟ କହିଥିଲେ ଯେ, ଅଭିନନ୍ଦନଙ୍କ ଗିରଫ ଦିନ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ବାଜୱାଙ୍କ ସହ ନେତାମାନଙ୍କର ବୈଠକ ହେଲାବେଳେ ତାଙ୍କ (ବାଜୱା) ଗୋଡ଼ହାତ ଥରୁଥିଲା। କାରଣ ତାଙ୍କୁ କୁହାଯାଇଥିଲା ଯେ, ଅଭିନନ୍ଦନଙ୍କୁ ନଛାଡ଼ିଲେ ଭାରତ ପୁଣି ବିମାନ ଆକ୍ରମଣ କରିବ। ବାସ୍ତବରେ ୧୯୭୧ର ଭାରତୀୟ ସୈନ୍ୟଙ୍କ ହାତରେ ତଦାନୀନ୍ତନ ପୂର୍ବ ପାକିସ୍ତାନର ରାଜଧାନୀ ଢାକାର ପତନ ହେବା ପରେ ଓ ପାକିସ୍ତାନର ୯୦,୦୦୦ ସୈନିକ ଭାରତ ପାଖରେ ଆତ୍ମସମର୍ପଣ କଲା ପରେ, ପୂର୍ବବର୍ଣ୍ଣିତ ଦୁଇଟି ଘଟଣା ପରି ଅପମାନ ପାକିସ୍ତାନକୁ କେବେ ହୋଇନଥିଲା। ତେଣୁ ପାକିସ୍ତାନ ଭାରତ ସହ ଯୁଦ୍ଧବିରତି କରିବ ବୋଲି କିଏ କାହିଁକି ଭାବିଥାନ୍ତା! ଏବେ କୁହାଯାଉଛି ଯେ, ଦୁଇ ପକ୍ଷର ସାମରିକ ପରିଚାଳନା ମହାନିର୍ଦ୍ଦେଶକ (ଡି.ଜି.ଏମ.ଓ.)ମାନେ ହଟ୍‌ଲାଇନ୍‌ ଯୋଗେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେବା ପରେ ଏ ଧରଣର ନିଷ୍ପତ୍ତି କରାଯାଇଛି। ପ୍ରଥମେ କୁହାଯାଉଥିଲା ଯେ, ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କର ରାଷ୍ଟ୍ରୀୟ ସୁରକ୍ଷା ସମ୍ପର୍କିତ ସହକାରୀ, ମୋଇଦ ୟୁସୁଫଙ୍କ ସହ କଥାବାର୍ତ୍ତା ହେବା ପରେ ଏପରି ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଅଜିତ ଡୋଭାଲ ଏପରି କଥାବାର୍ତ୍ତା ପ୍ରତ୍ୟକ୍ଷ ଭାବରେ କରିଛନ୍ତି ବୋଲି ସେ ନିଜେ ଅସ୍ବୀକାର କରୁଛନ୍ତି। ବର˚ କୁହାଯାଇଛି ଯେ, ମଧ୍ୟସ୍ଥିମାନଙ୍କ ଜରିଆରେ ଅଜିତ ଡୋଭାଲ ସିଧାସଳଖ ପାକିସ୍ତାନ ସେନାବାହିନୀ ସହ କଥା ହେବା ପରେ ଯାଇ ଚୁକ୍ତି ସ୍ବାକ୍ଷରିତ ହେଲା।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୨୦ରେ କେବଳ ପାକିସ୍ତାନ ଦ୍ବାରା ବାସ୍ତବ ନିୟନ୍ତ୍ରଣ ରେଖା ଉପରେ ୫,୧୩୩ ଥର ଯୁଦ୍ଧବିରତି ଉଲ୍ଲଂଘନ କରାଯାଇଛି। ୨୦୧୯ରେ ଏହି ଉଲ୍ଲଂଘନର ସ˚ଖ୍ୟା ୩,୪୭୯ ଥିଲା। ୨୦୧୮ରେ ୨,୧୪୦ ଥର ଏହି ଉଲ୍ଲଂଘନ ଘଟିଥିଲା। ୨୦୨୦ର ଏହି ଉଲ୍ଲ˚ଘନରେ ଭାରତର ୨୪ ଜଣ ଯବାନ ଓ ୨୨ ଜଣ ନାଗରିକ ପ୍ରାଣ ହରାଇଥିଲେ। ଅପରପକ୍ଷରେ ଗତ ଜାନୁଆରି ୧୧, ୨୦୨୧ରେ ପାକିସ୍ତାନର ମେଜର ଜେନେରାଲ୍‌ ବାବର ଇଫ୍‌ତେକର, ମହାନିର୍ଦ୍ଦେଶକ, ଇଣ୍ଟର ସର୍ଭିସେସ୍‌ ପବ୍ଲିକ୍‌ ରିଲେସନ୍‌ସ, ଏକ ସାମ୍ବାଦିକ ସମ୍ମେଳନରେ ପ୍ରକାଶ କରିଥିଲେ ଯେ, ଭାରତ ୨୦୨୦ରେ ୩,୦୯୭ ଥର ଯୁଦ୍ଧବିରତ ଉଲ୍ଲ˚ଘନ କରିଛି। ଏଥିରେ ୨୫ ଜଣ ପାକିସ୍ତାନୀ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ଅବଶ୍ୟ ପାକିସ୍ତାନ ତରଫରୁ ତାଙ୍କର କେତେ ସୈନିକ ମରିଛନ୍ତି ତା’ର କୌଣସି ତଥ୍ୟ ଦିଆଇନଥିଲେ ମଧୢ ପାକିସ୍ତାନର ପାଖାପାଖି ସେତିକି ସୈନ୍ୟ ସେଠାରେ ମରିଥିଲେ। ତେଣୁ କେବଳ ଭାରତ ନୁହେଁ, ପାକିସ୍ତାନ ପକ୍ଷ ମଧୢ ଏହା ମଧୢରେ ବୁଝି ଯାଇଥିବ ଯେ, ଯୁଦ୍ଧବିରତି ଉଲ୍ଲ˚ଘନ କରି ତା’ର କୌଣସି ଲାଭ ହେଉନାହିଁ।

ଭାରତ-ପାକିସ୍ତାନ ମଧୢରେ ପୁଣି ଯୁଦ୍ଧବିରତି ସ୍ଥାପନକୁ ନେଇ ହଠାତ୍‌ ଏ ଯେଉଁ ଚୁକ୍ତି ହେଲା, ତା’ର ଅସଲ କାରଣ ହେଉଛି, ଆମେରିକାର ହସ୍ତକ୍ଷେପ। ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ପରେ ଗତ ଜାନୁଆରି ୨୦ରେ ନୂଆ ରାଷ୍ଟ୍ରପତି ରୂପେ ଜୋ ବାଇଡେନ୍‌ ପଦଭାର ଗ୍ରହଣ କଲା ପରେ ଗତ ଫେବ୍ରୁଆରି ୪ରେ ବିଦେଶ ନୀତି ସମ୍ପର୍କିତ ପ୍ରଥମ ଘୋଷଣା କରିଥିଲେ। ଯୁକ୍ତରାଷ୍ଟ୍ର ଆମେରିକାର ମୁକାବିଲା କରିବା ପାଇଁ ଚୀନ୍‌ର ବର୍ଦ୍ଧିଷ୍ଣୁ ମହତ୍ତ୍ବାକାଂକ୍ଷା ଓ ଆମେରିକାର ଗଣତନ୍ତ୍ରକୁ ନଷ୍ଟ କରିବା ପାଇଁ ରୁଷିଆର ସ୍ପର୍ଦ୍ଧାକୁ ରୋକିବା ତାଙ୍କର ମୂଳ କାର୍ଯ୍ୟ ବୋଲି ସେ କହିଥିଲେ। ଆମେରିକାର କୂଟନୀତିଜ୍ଞମାନେ ଏହି ଦୁଇଟି ମୁଖ୍ୟ ଆହ୍ବାନର ମୁକାବିଲା କରିବେ ବୋଲି ସେ କହିଥିଲେ। ସେ ଏ କଥା ମଧୢ ଘୋଷଣା କରିଥିଲେ ଯେ, ଘନିଷ୍ଠ ବନ୍ଧୁ ରାଷ୍ଟ୍ରମାନଙ୍କ ସହ କଥାବାର୍ତ୍ତା କରି ସେ ସହଯୋଗର ଅଭ୍ୟାସକୁ ଜାରି ରଖିବା ଓ ଗଣତାନ୍ତ୍ରିକ ମେଣ୍ଟର ଶକ୍ତି ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏହି ସହଯୋଗ, ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ବେଳେ ଅତି କ୍ଷୀଣ ହୋଇଯାଇଥିଲା।

ଅର୍ଥାତ୍‌, ଆମେରିକା ଓ ଚୀନ ସାରା ବିଶ୍ବକୁ ଦୁଇ ଗୋଷ୍ଠୀରେ ବିଭକ୍ତ କରିବାକୁ ଚେଷ୍ଟା କରିବେ। ଏହାଦ୍ବାରା ସେମାନେ ଅର୍ଥନୈତିକ ଆଧିପତ୍ୟ ବିସ୍ତାର କରିବେ। ଦୁଇ ଗୋଷ୍ଠୀରେ ସେମାନେ ସେମାନଙ୍କ ଛାୟା (ବନ୍ଧୁ) ରାଷ୍ଟ୍ରମାନଙ୍କୁ ରଖିବେ। ସେମାନଙ୍କ ଦେଶର କମ୍ପାନିମାନଙ୍କୁ ଏହି ଆର୍ଥିକ ଆଧିପତ୍ୟ ବିସ୍ତାର କାମରେ ଲଗାଇବେ। ଆମେରିକା ମଧୢ ଏକ ପ୍ରକାର ସ୍ବୀକାର କରିଛି ଯେ ନବେ ଦଶକ ପୂର୍ବରୁ ବିଶ୍ବ ଯେମିତି ଦୁଇ ମେରୁରେ ବିଭକ୍ତ (ଆମେରିକା ଓ ସୋଭିଏତ ୟୁନିୟନ) ହୋଇଥିଲା ତାହା ସମାପ୍ତ ହୋଇ କେବଳ ଏକମାତ୍ର ମହାଶକ୍ତି ଭାବରେ ଆମେରିକାର ଅଭ୍ୟୁଦୟ ହୋଇଥିଲା। ଏବେ ସେହି ଦିନ ସରିଯାଇଛି। କାରଣ ସେତିକିବେଳେ ସୋଭିଏତ ୟୁନିୟନର ବିଭାଜନ ଆରମ୍ଭ ହୋଇଯାଇଥିଲା। ଏବେ ଆମେରିକାର ସାମରିକ ଓ ଆର୍ଥିକ ଶକ୍ତିକୁ ଚୀନ ମୁକାବିଲା କରିବା ଆରମ୍ଭ କରିଛି। ଆମେରିକା ଆଉ ଏକମାତ୍ର ମହାଶକ୍ତି ହୋଇ ଠିଆ ହୋଇଛି କି, ଏ କଥାକୁ ମଧୢ ଚୀନ ପ୍ରଶ୍ନ କରିବାକୁ ଆରମ୍ଭ କରିଛି। ଆମେରିକା, ତେଣୁ ଯୋଜନା ଅନୁସାରେ, ଯେଉଁ ଗଣତାନ୍ତ୍ରିକ ମେଣ୍ଟର ନେତୃତ୍ବ ସେ ନେବାକୁ ଚାହୁଁଛି, ସେଥିରେ ଭାରତ ଓ ପାକିସ୍ତାନ ଉଭୟ ରହିବା ଦରକାର ବୋଲି ଚାହୁଁଛି।

ଆମେରିକା ପ୍ରଶାସନର ଧାରଣା, ପାକିସ୍ତାନ ହେଉଛି ତା’ର ପୁରୁଣା ବନ୍ଧୁ। ମୁଖ୍ୟତଃ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କଲାବେଳେ ଇମ୍ରାନ୍‌ ଖାଁଙ୍କ ପ୍ରତିବାଦକୁ ତଦାନୀନ୍ତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ପୂରା ଅଣଦେଖା କରିବାରୁ, ପାକିସ୍ତାନ ଅଧିକରୁ ଅଧିକ ଚୀନ ଆଡ଼କୁ ଢଳିିଥିଲା। ଏପରିକି ଇସଲାମୀ ରାଷ୍ଟ୍ରମାନଙ୍କର ସ˚ଗଠନ ଓଆଇସି, ଯିଏକି ଆମେରିକାର ଘନିଷ୍ଠ ବନ୍ଧୁ ସାଉଦି ଆରବ ନେତୃତ୍ବରେ ପରିଚାଳିତ, ସେହି ସ˚ଗଠନ ମଧୢ କାଶ୍ମୀର ପ୍ରସଙ୍ଗକୁ ସମ୍ପୂର୍ଣ୍ଣ ଅବଜ୍ଞା କରିଦେଇଥିଲା। ଏହା ଇସଲାମ ଜଗତ୍‌ରେ ପାକିସ୍ତାନର ପ୍ରାଧାନ୍ୟକୁ ନଷ୍ଟ କରିଦେଇଥିଲା। କିନ୍ତୁ ଆଫଗାନିସ୍ତାନରେ ବିଜୟ ହାସଲ କରିବାକୁ ଆମେରିକା, ପାକିସ୍ତାନର ସହଯୋଗ ଆବଶ୍ୟକତା କରେ।

ଏବେ ଯୁଦ୍ଧବିରତିକୁ ନେଇ ଦୁଇ ଦେଶ ମଧୢରେ ଯେଉଁ ଚୁକ୍ତି ହୋଇଛି ସେଥିରେ କୁହାଯାଇଛି, ଏହି ଦେଶମାନେ ସେମାନଙ୍କର ମୂଳ ପ୍ରସଙ୍ଗମାନଙ୍କୁ ଉଠାଇ ପାରିବେ। ଅର୍ଥାତ୍‌, ଭାରତ-ପାକ୍‌ ଆଲୋଚନା ବେଳେ କାଶ୍ମୀର ପ୍ରସଙ୍ଗକୁ ପାକିସ୍ତାନ ଉଠାଇପାରିବ ଓ ଭାରତ ତା’ର ସମାଧାନ କରିବାକୁ ଚେଷ୍ଟା କରିବ। ଯେତେବେଳେ ବାଇଡେନ୍‌ ତାଙ୍କର ବିଦେଶ ନୀତିର ସୂତ୍ର ପ୍ରଥମେ ରଖିଲେ, ସେତେବେଳେ ପାକିସ୍ତାନର ସେନାମୁଖ୍ୟ ଜେନେରାଲ କ୍ବମର ଜାଭେଦ ବାଜୱା ଜୋର କଲେ ଯେ, ଯଦି ଭାରତ-ପାକିସ୍ତାନ ମଧୢରେ ଅନାବଶ୍ୟକ ଜୀବନହାନିକୁ ବନ୍ଦ କରାଯିବ, ତେବେ କାଶ୍ମୀର ସମସ୍ୟାର ଏକ ମର୍ଯ୍ୟାଦାସମ୍ପନ୍ନ ଓ ସମ୍ମାନଜନକ ସମାଧାନ ବାହାରିବା ଦରକାର। ଏହା ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଗୋଟିଏ ଟୁଇଟ୍‌ ଜରିଆରେ ଗତ ଫେବ୍ରୁଆରି ୫ରେ ଘୋଷଣା କଲେ, ଯଦି ଦୁଇ ଦେଶ ମଧୢରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ଗୋଟିଏ ପଦକ୍ଷେପ ନିଏ, ତେବେ ପାକିସ୍ତାନ ଦୁଇଟି ପଦକ୍ଷେପ ଗ୍ରହଣ କରିବ। ୨୦୦୩ରେ ତଦାନୀନ୍ତନ ଭାରତର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ପାକିସ୍ତାନର ରାଷ୍ଟ୍ରପତି ପରଭେଜ୍‌ ମୁସରଫ ଅନାବଶ୍ୟକ ଜୀବନହାନିକୁ ରୋକିବା ପାଇଁ ଏହି ଯୁଦ୍ଧବିରତି ଚୁକ୍ତି ଘୋଷଣା କରିଥିଲେ।

ଆମେରିକା, ଚୀନ ମଧୢରେ ଏକ ନୂଆ ଶୀତଳ ଯୁଦ୍ଧ ଆରମ୍ଭ ହୋଇଛି। ଭାରତ ଓ ପାକିସ୍ତାନ ଉଭୟ ଏହି ଶୀତଳ ଯୁଦ୍ଧରେ ପକ୍ଷଭୁକ୍ତ ହୋଇଗଲେ କାହାରି ଲାଭ ହେବ ନାହିଁ। ଭାରତ, ଆମେରିକାକୁ ଓ ପାକିସ୍ତାନ ଚୀନକୁ ସମର୍ଥନ କଲାବେଳେ କାହାରି ବିଶେଷ ଲାଭ ମଧୢ ହୋଇନାହିଁ। ଯାହା ମନେ ହୁଏ, ଦୁଇପକ୍ଷ ମଧୢରେ ଏ ଧରଣର ଏକ ଧାରଣା ସୃଷ୍ଟି ହୋଇଥିବାରୁ ସେମାନେ ପୁଣି ଏକ ଯୁଦ୍ଧବିରତି ପାଇଁ ଏକମତ ହୋଇଛନ୍ତି।
କାଶ୍ମୀର ଯେମିତି ପାକିସ୍ତାନର ମୁଖ୍ୟ ପ୍ରସଙ୍ଗ ହୋଇଛି, ସୀମାପାର ଆତଙ୍କବାଦ ଭାରତ ପାଇଁ ମୁଖ୍ୟ ପ୍ରସଙ୍ଗ ହୋଇ ଠିଆ ହୋଇଛି। ଏହି ସୀମାପାର ଆତଙ୍କବାଦ ରାଷ୍ଟ୍ର ଶକ୍ତି (ଅର୍ଥାତ୍‌, ପାକିସ୍ତାନୀ ସେନା) ଓ ରାଷ୍ଟ୍ର ବାହାର ଶକ୍ତି (ଅର୍ଥାତ୍‌, ଜୈସ ଇ ମହମ୍ମଦ, ଲସ୍କର ଇ ତୋଇବା, ହିଜବୁଲ୍‌ ମୁଜାହିଦ୍ଦିନ ପରି ପାକିସ୍ତାନ ପୃଷ୍ଠପୋଷିତ ଆତଙ୍କବାଦୀ ସ˚ଗଠନମାନେ) ଦ୍ବାରା ଘଟିତ ହେଉଛି। ଆତଙ୍କବାଦ, ପାକିସ୍ତାନର ମୁଖ୍ୟ ବିଦେଶ ନୀତିରେ ପରିଣତ ହୋଇଛି। ତେଣୁ ପାକିସ୍ତାନ ଯଦି ଦୁଇ ଦେଶ ମଧୢରେ ଶାନ୍ତି ପ୍ରତିଷ୍ଠା ଚାହେଁ ଓ କାଶ୍ମୀର ପ୍ରସଙ୍ଗକୁ ଆଲୋଚନା ସ୍ତରକୁ ଆଣିବାକୁ ଚାହେଁ, ତେବେ ଏହି ସୀମାପାର ଆତଙ୍କବାଦକୁ ବନ୍ଦ କରୁ ବୋଲି ଭାରତ ସଦାବେଳେ ଚାହିଁଆସିଛି। ପାକିସ୍ତାନ ତା’ର ମାଟିକୁ, ଭାରତରେ ଆତଙ୍କ ସୃଷ୍ଟି କରୁଥିବା ଶକ୍ତିମାନଙ୍କୁ ବ୍ୟବହାର ହେବାକୁ ନଦେଉ ବୋଲି ଭାରତ ସଦାବେଳେ ଦାବି କରି ଆସିଛି। ଏଣୁ ଯେତେ ଶାନ୍ତି ଚୁକ୍ତି ହେଲେ ମଧୢ ଭାରତ, ବାସ୍ତବ ରେଖା ନିକଟରେ ଆତଙ୍କବାଦୀ ଅନୁପ୍ରବେଶକୁ ରୋକିବାକୁ ସୈନ୍ୟ ମୁତୟନ କରିବ ହିଁ କରିବ। ସେଠାରେ ଏମାନଙ୍କ ବିରୋଧରେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନ ଚାଲୁରହିବ। ଗତ ୨୦୧୮-୨୦ ମଧୢରେ କାଶ୍ମୀରରେ ଦୁଇ ପକ୍ଷ ମଧୢରେ ଗୁଳିଗୋଳା ଚାଳନା ଯୋଗୁଁ ୭୦ ଜଣ ନାଗରିକ ମୃତ୍ୟୁବରଣ କରିଛନ୍ତି ଓ ୩୪୧ ଜଣ ଆହତ ହୋଇଛନ୍ତି। ଏହାକୁ ବନ୍ଦ କରିବାକୁ ହେଲେ, ଆତଙ୍କବାଦୀମାନଙ୍କୁ ପାକିସ୍ତାନ ରୋକୁ, ଏ କଥା ଭାରତ ଚାହେଁ। ପାକିସ୍ତାନ ମଧୢ ଚାହେଁ, ପୁଣି ସେ ଆମେରିକାର ବନ୍ଧୁ ବଳୟ ମଧୢକୁ ଆସୁ, ଯେମିତି ଅତୀତରେ ଥିଲା। ଭାରତ କେବଳ ଦକ୍ଷିଣ ଏସିଆରେ ଆମେରିକାର ବନ୍ଧୁ ହୋଇ ନ ରହୁ, ଏ କଥା ମଧୢ ପାକିସ୍ତାନ ଚାହେଁ।
ଆତଙ୍କବାଦୀମାନଙ୍କୁ ଅର୍ଥ ସାହାଯ୍ୟ କରୁଥିବାରୁ ଏ ସମ୍ପର୍କରେ ସ୍ଥାୟୀ ତଦନ୍ତ କରୁଥିବା ‘ଆର୍ଥିକ ପଦକ୍ଷେପ କାର୍ଯ୍ୟଗୋଷ୍ଠୀ’ (ଏଫ୍‌.ଏ.ଟି.ଏଫ୍‌) ଗତ ୨୦୦୮ରୁ ୨୦୧୯ ମଧୢରେ ପାକିସ୍ତାନକୁ ‘ଧୂସର ତାଲିକା’ରେ ରଖିଛି। ଏହାଦ୍ବାରା ପାକିସ୍ତାନକୁ ଆସୁଥିବା ବିଦେଶୀ ସାହାଯ୍ୟ ଅନେକ ବନ୍ଦ ହୋଇଯାଇଛି ଓ ବିଦେଶୀ ପୁଞ୍ଜି ନିବେଶକମାନେ ଆଉ ପାକିସ୍ତାନ ଆସୁନାହାନ୍ତି। ଫ୍ରାନ୍‌ସ ଓ ଅନ୍ୟ କେତେକ ୟୁରୋପୀୟ ରାଷ୍ଟ୍ର, ପାକିସ୍ତାନକୁ ସେହି ଧୂସର ତାଲିକାରେ ରଖାଯାଉ ବୋଲି ସୁପାରିସ କରିଛନ୍ତି। କାରଣ ଫ୍ରାନ୍‌ସରେ ଇସଲାମର ପ୍ରତିଷ୍ଠାତା ମହମ୍ମଦଙ୍କର ବ୍ୟଙ୍ଗଚିତ୍ରକୁ ଜଣେ ଶିକ୍ଷକ ଶ୍ରେଣୀ ଗୃହରେ ପିଲାମାନଙ୍କୁ ଦେଖାଇଥିବାରୁ ତାଙ୍କ ମୁଣ୍ତକାଟ କରିଥିବା ଜଣେ ଇସଲାମୀ ଆତଙ୍କବାଦୀକୁ ପାକିସ୍ତାନ ଓ ଏହାର ରାଷ୍ଟ୍ରପତି ପରୋକ୍ଷ ସମର୍ଥନ ଦେଇଛନ୍ତି। ଇସଲାମବାଦରେ ଥିବା ଏକ ଚିନ୍ତକ ଗୋଷ୍ଠୀର ରିପୋର୍ଟ ଅନୁସାରେ ପାକିସ୍ତାନର ୩,୮୦୦ କୋଟି ଡଲାର ଏଥିପାଇଁ କ୍ଷତି ହୋଇଛି। ଏହାହିଁ ହୋଇଛି ଏକ ବଡ଼ କାରଣ ଯାହା ଫଳରେ ପାକିସ୍ତାନ ବିଶ୍ବ ଦରବାରରେ ତା’ର ମର୍ଯ୍ୟାଦା ରକ୍ଷା କରିବାକୁ ଚାହେଁ। ପାକିସ୍ତାନର ଭାରତ ସହ ପୁନଃ ଯୁଦ୍ଧବିରତି ଘୋଷଣା କରିବାର କାରଣ ହେଉଛି ଏଇଆ।

ମୋ- ୯୪୩୭୦୨୦୨୯୦
[email protected]

ସମ୍ବନ୍ଧିତ ଖବର