ମୋଦୀଙ୍କ ଲୁହର ହାତୁଡ଼ି
ମହମ୍ମଦ ହିଫ୍ଜୁର ରହେମାନ୍
୨୦୧୪ରେ ପ୍ରଥମ ଥର ପାଇଁ ସର୍ବ ସମକ୍ଷରେ କାନ୍ଦିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେହି ସମୟରେ ଭାବବିହ୍ବଳ ହେବା ସ୍ବାଭାବିକ ଥିଲା। କାରଣ ପ୍ରଥମ ଥର ଲାଗି ସଂସଦକୁ ନିର୍ବାଚିତ ହେବା ସହିତ ବିଜେପି ସଂସଦୀୟ ଦଳର ନେତା ରୂପେ ସେ ନିର୍ବାଚିତ ହୋଇଥିଲେ। ସେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିଲେ। ସେହି ସମୟ ବେଳକୁ ହୁଏ’ତ ସେ କଳ୍ପନା ସୁଦ୍ଧା କରିନଥିବେ ଯେ ତାଙ୍କ ନେତୃତ୍ବରେ ବିଜେପି ଲୋକସଭା ନିର୍ବାଚନରେ ଐତିହାସିକ ବିଜୟ ଲାଭ କରିବା ସହିତ ଏକା ଥରକେ ସରକାର ଗଢ଼ିବ। ତେବେ, ଏହାର ଛଅ ବର୍ଷ ପରେ ସଂସଦ ଭିତରେ ମୋଦୀ ପୁଣି କାନ୍ଦିବାର କାରଣ ଥିଲା ଭିନ୍ନ। ସେ ଦିନ ରାଜ୍ୟସଭାରେ କାର୍ଯ୍ୟକାଳ ପୂରଣ କରି ଅବସର ନେଉଥିବା ଚାରି ଜଣ ସାଂସଦଙ୍କ ସକାଶେ ବିଦାୟକାଳୀନ ବକ୍ତବ୍ୟ ଉପସ୍ଥାପନ କରୁଥିଲେ ଏବଂ ସେହି ପରିପ୍ରେକ୍ଷୀରେ ତାଙ୍କ ଦୀର୍ଘ ଦିନର ସାଥୀ (ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ଅନୁସାରେ) କଂଗ୍ରେସ ସାଂସଦ ଗୁଲାମ ନବୀ ଆଜାଦଙ୍କ ସହିତ ତାଙ୍କର କିଛି ଅତ୍ୟନ୍ତ ଅନ୍ତରଙ୍ଗ କ୍ଷଣର ସ୍ମୃତିଚାରଣ କଲା ବେଳେ ଲୁହଧାର ବୋଲ ମାନି ନ ଥିଲା ଏବଂ ସେ କାନ୍ଦି ପକାଇଥିଲେ। ଅବଶ୍ୟ ସେତିକି ବେଳେ ଅନେକ ଏଭଳି ଏକ କ୍ଷଣ ଲାଗି ପ୍ରସ୍ତୁତ ନ ଥିଲେ ଏବଂ ଅନେକ ଏହାକୁ ହଜମ କରି ନ ପାରି ଏହା ଛଳ ଅଶ୍ରୁ ବୋଲି ପରୋକ୍ଷ ଏବଂ ପ୍ରତ୍ୟକ୍ଷରେ କଟାକ୍ଷ ମଧ୍ୟ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସମସ୍ତେ ଅବଗତ ଯେ ଆଜାଦଙ୍କ ସମଗ୍ର ରାଜନୈତିକ ଜୀବନ କଂଗ୍ରେସରେ କଟିଛି ଏବଂ ତାହା ପୁଣି ଗାନ୍ଧୀ ପରିବାରର ଜଣେ ଅନୁଗତ ଭାବେ। ଅନେକ କହନ୍ତି ଯେ ଗାନ୍ଧୀ ପରିବାର ସହିତ ଘନିଷ୍ଠତା ଯୋଗୁଁ ସେ ଜାମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ହେବା ସହିତ ଅନେକ ଥର କେନ୍ଦ୍ର ମନ୍ତ୍ରୀ ପଦରେ ରହିଛନ୍ତି। କେବଳ ସେତିକି ନୁହେଁ, କଂଗ୍ରେସ ସଂଗଠନରେ ମଧ୍ୟ ସେ ଜଣେ ପ୍ରଭାବଶାଳୀ ନେତା ଭାବେ ପରିଚିତ। ତେଣୁ ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ଏଭଳି ଜଣେ କଂଗ୍ରେସୀଙ୍କ ଲାଗି ମୋଦୀଙ୍କ ଆଖିରୁ ଲୁହ କାହିଁକି ଝରିଲା?
ସେ ଦିନ ଯେଉଁମାନେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟକୁ ଶୁଣିଥିଲେ; ସେମାନେ ମଧ୍ୟ ତାଙ୍କ ମୁହଁରୁ ଆଜାଦଙ୍କର ଏଭଳି ଆବେଗିକ ଗୁଣ ଗାନ ଦେଖି ଆଚମ୍ବିତ ହୋଇଥିଲେ। ଏବଂ କହିବା ବାହୁଲ୍ୟ ଯେ ଆଜାଦ ମଧ୍ୟ ସେ ଦିନ ନିଜକୁ ସମ୍ବରଣ କରି ନ ପାରି କାନ୍ଦି ପକାଇଥିଲେ। ଏଭଳି ଭାବାବେଗ ପ୍ରଦର୍ଶନ ଅନେକ କଂଗ୍ରେସୀଙ୍କ ଲାଗି ରହସ୍ୟାବୃତ ଥିଲା। ସେହି ରହସ୍ୟକୁ ଆହୁରି ଘନୀଭୂତ କଲା ଆଜାଦଙ୍କ ପ୍ରତିକ୍ରିୟା, ଯାହା ଥିଲା ଏହିଭଳି: ‘ଯିଏ ଆମ ମନ କଥା ଜାଣିଛି, ସେ ଭାବବିହ୍ବଳ ହେବ।’ ତେବେ ପ୍ରଶ୍ନ ଉଠିଲା ଯେ କ’ଣ ସେହି ମନ କଥା ଯାହାକୁ କଂଗ୍ରେସ କି ଗାନ୍ଧୀ ପରିବାର ବୁଝିପାରିଲେ ନାହିଁ, ଅଥଚ ମୋଦୀ ଜାଣିପାରିଲେ!
ଏ ସଂପର୍କରେ ଟିକିଏ ଆଲୋଚନା କରାଯାଉ। ମୂଳ କଥା ହେଲା ବର୍ତ୍ତମାନ ଗୁଲାମ ନବୀ ଆଜାଦ ମହାଶୟ ଗାନ୍ଧୀ ପରିବାରର ସଦୟ ନଜରରେ ନାହାନ୍ତି। ସ୍ମରଣରେ ଥାଉ କି ଗଲା ଅଗଷ୍ଟ ୨୩ ତାରିଖ ଦିନ ଗୁଲାମ ନବୀ ଆଜାଦଙ୍କ ନେତୃତ୍ବରେ ୨୩ ଜଣ ବରିଷ୍ଠ କଂଗ୍ରେସ ନେତା କଂଗ୍ରେସ ହାଇକମାଣ୍ଡଙ୍କୁ ଏକ ପତ୍ର ଲେଖି କଂଗ୍ରେସେର ଆଭ୍ୟନ୍ତରୀଣ ଗଣତନ୍ତ୍ର ବାହାଲ କରିବା ସହିତ ନେତୃତ୍ବ ପରିବର୍ତ୍ତନ ବାବଦରେ ପରୋକ୍ଷରେ ଇଙ୍ଗିତ ଦେଇଥିଲେ। ଏହାର ଉଦ୍ଦେଶ୍ୟ ଥିଲା ଭାରତର ରାଜନୈତିକ ଆକାଶରେ ଅସ୍ତମିତ ହେବାକୁ ଲାଗି ଥିବା କଂଗ୍ରେସକୁ ପୁଣି ଔଜ୍ଜ୍ବଲ୍ୟ ପ୍ରଦାନ କରିବା ଏବଂ ସେଥି ଲାଗି ତୃଣମୂଳ ସ୍ତରରୁ ସର୍ବୋଚ୍ଚ ସ୍ତର ପର୍ଯ୍ୟନ୍ତ ଦଳର ସଂଗଠନକୁ ଦୃଢ଼ କରିବା ଦିଗରେ ମତ ଦେବା। କିନ୍ତୁ ଗାନ୍ଧୀ ପରିବାରର ଅନ୍ଧ ଅନୁରକ୍ତ ଭାବେ ରହିଥିବା ଏକ ଶକ୍ତିଶାଳୀ କଂଗ୍ରେସ ଗୋଷ୍ଠୀ ଏମାନଙ୍କୁ ‘ଗ୍ରୁପ୍ ଅଫ୍ ୨୩’ ବା ‘ଜି-୨୩’ ବୋଲି ଅଭିହିତ କରି ବିଦ୍ରୋହୀ ବୋଲି ଦର୍ଶାଇେଲ। ଯାହା ଫଳରେ ଗୁଲାମ ନବୀ ଆଜାଦଙ୍କ ଭଳି ଜଣେ ପୁରୁଖା ନେତା କଂେଗ୍ରସରେ ଅପାଂକ୍ତେୟ ହୋଇ ପଡ଼ିଛନ୍ତି।
କଥାରେ ଅଛି ଲୁହା କଅଁଳ ଥିଲା ବେଳେ ହାତୁଡ଼ି ମାଡ଼ ପକାଯାଏ; ତା’ ନ ହେଲେ ଲୁହାର ଗଢ଼ଣ ବଦଳାଇବା କଷ୍ଟକର। ସୁତରାଂ, କୁହାଯାଇପାରେ କି ପ୍ରଧାନମନ୍ତ୍ରୀଙ୍କ ଲୁହ କ’ଣ ସେମିତି ଏକ ହାତୁଡ଼ି ମାଡ଼ ଭଳି କାମ କଲା ଯେ ଗୁଲାମ ନବୀଙ୍କ ରାଜନୈତିକ ଆଦର୍ଶର ଗଢ଼ଣକୁ ବଦଳାଇ ଦେଲା? ବୋଧହୁଏ, ହଁ। କାରଣ ଏବେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଗୁଲାମ ନବୀ ମୋଦୀଙ୍କ ପ୍ରଶଂସା କରିବାରେ ଶତମୁଖ। କିଛି ଦିନ ତଳେ ଜାମ୍ମୁର ଏକ ସଭାରେ ସେ ମୋଦୀଙ୍କ ପ୍ରଶଂସା କରି କହିଥିଲେ ଯେ ନେତା ହିସାବରେ ମୋଦୀ ଜଣେ ‘ଭିନ୍ନ ମଣିଷ’। ସେ ସ୍ବଚ୍ଛ। ଭୂମି ସହିତ ତାଙ୍କର ସଂପର୍କ ଅଛି। ସାେହବୀ ଢଙ୍ଗରୁ ସେ ମୁକ୍ତ ଇତ୍ୟାଦି ଇତ୍ୟାଦି। ଏହି ସଭାରେ ‘ଜି-୨୩’ର ନେତାମାନେ ଥିଲେ ଏବଂ ସେଠାରେ ରୁଣ୍ଡ ହୋଇଥିଲେ ସେମାନଙ୍କ ସମର୍ଥକ। ପୁଣି ସମସ୍ତଙ୍କୁ ଚକିତ କରି ସେହି ସଭାରେ ଉପସ୍ଥିତ ସବୁ ନେତାଙ୍କ ମୁଣ୍ଡରେ ଥିଲା ଗୈରିକ ପଗଡ଼ି। ଏବେ ଏହି ନେତାମାନେ କଂଗ୍ରେସର ବିଭିନ୍ନ ପଦକ୍ଷେପକୁ ନେଇ ପ୍ରଶ୍ନ ଉଠାଉଛନ୍ତି। ପଶ୍ଚିମବଙ୍ଗ ନିର୍ବାଚନରେ କଂଗ୍ରେସର ମେଣ୍ଟ ରାଜନୀତି ବିରୋଧରେ ଏହି ଗୋଷ୍ଠୀ ଆପତ୍ତି ଉଠାଇଛନ୍ତି। କହିବା ବାହୁଲ୍ୟ ଯେ କଂେଗ୍ରସ ଦଳରେ ଏ ନେଇ ଗୋଷ୍ଠୀ କନ୍ଦଳ ଏବେ ତୀବ୍ର ରୂପ ନେଇଛି।
ମୋଦୀଙ୍କ ଲୁହ ଦେଖି ଅନେକ ଲୋକ ତ କହନ୍ତି ଯେ ଏହା ଥିଲା ନିର୍ମଳ ଆବେଗର ଅଶ୍ରୁ, କିନ୍ତୁ କିଛି କହନ୍ତି ଯେ ଏହା ପ୍ରକୃତରେ ଥିଲା ସେମିତି ଏକ ହାତୁଡ଼ି, ଯାହା କଂଗ୍ରେସକୁ ଦୁଇ ଫାଳ କରିବା ଲାଗି ପ୍ରହାର ସାବ୍ୟସ୍ତ ହୋଇଛି ।