ଫ୍ରିଡାଙ୍କ ଚିତ୍ର

ଇତିହାସର ଅଳିନ୍ଦ - ସୁଜିତ କୁମାର ପୃଷେଠ୍‌

୧୯୧୦ ମସିହାର ପ୍ରବଳ ଶୀତ ପରେ ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆରେ ବସନ୍ତର ଆଦ୍ୟ-ଛଟା ପ୍ରସ୍ଫୁଟିତ ହେବାକୁ ଆରମ୍ଭ କରିଥାଏ। ବାତାବରଣରେ ସୂର୍ଯ୍ୟଙ୍କ ତେଜର ଉଷୁମ ପରଶ ସମସ୍ତଙ୍କୁ ତଲ୍ଲୀନ କରୁଥାଏ। କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର କିଛି ଭାରତୀୟ ଛାତ୍ର ଭାରତରେ ବ୍ରିଟିସ ଶାସନ ଦ୍ବାରା ଅନ୍ୟାୟ, ଅରାଜକତା ତଥା ଭାରତୀୟ ସମାଜରେ ତାହାର ପ୍ରଭାବ ବିଷୟରେ ଏକ ଛୋଟ ଆଲୋଚନା ସଭାର ଆୟୋଜନ କରିଥାନ୍ତି। ଆଲୋଚନାର ଶେଷ ପର୍ଯ୍ୟାୟରେ ଜଣେ ଉଜ୍ଜ୍ବଳ ତନୁଧାରୀ ଯୁବକ ଶାନ୍ତ ଅଥଚ ଦୃଢ଼ ଭାବରେ କହିଲେ, ‘ଭାରତକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରି ଶକ୍ତିଶାଳୀ କରିବାକୁ ହେଲେ ଆମ ଅର୍ଥନୀତିର ମେରୁଦଣ୍ତକୁ ସୁଦୃଢ଼ କରିବାକୁ ହେବ। ସେଥିପାଇଁ କୃଷି-ଅର୍ଥନୀତିକୁ ଧୢାନ ଦେବାକୁ ହେବ। ଏଠାରୁ ଭାରତ ଫେରିଲେ ମୁଁ ନିଜେ ଚାଷ କାମ କରିବି। ଆଖୁରୁ ଚିନି ଉତ୍ପାଦନ କରି ପଇସା ଉପାର୍ଜନ କରିବି, ଏବ˚ ଲାଭା˚ଶରୁ ସ୍କୁଲ ଆଉ ଡାକ୍ତରଖାନା ଚଳାଇବି।’

ଭାରତୀୟ ଛାତ୍ରମାନଙ୍କ ସେହି ସଭାରେ ବସିଥିଲେ ସ୍ବିଡେନରୁ ଆସି ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟରେ ପଢ଼ୁଥିବା ଜଣେ ତରୁଣୀ। ଭାରତୀୟ ସାହିତ୍ୟରେ ରୁଚି ରଖୁଥିବା ସେହି ତରୁଣୀ ଜଣକ ଠିଆ ହୋଇ, ମୁହଁରେ ସ୍ପିତହାସ୍ୟ ଖେଳାଇ କହିଲେ, ‘ଏଇ ଦେଖ… ତମମାନଙ୍କ ଯୁବ ଉଦ୍ୟୋଗୀ ସୁଗାର‌୍‌ କିଙ୍ଗ୍‌।’ ସେହିଦିନର ପ୍ରଥମ ଭେଟରେ କାଲିଫର୍ଣ୍ଣିଆର ବସନ୍ତର ଆଦ୍ୟ-ଛଟାର ମନୋହର ପରିବେଶରେ ସେହି ଯୁବ ଭାରତୀୟ ଛାତ୍ର ଏବ˚ ସ୍ବିଡେନର ତରୁଣୀ ଛାତ୍ରୀଙ୍କ ମଧୢରେ ପ୍ରେମ ଅଙ୍କୁରିତ ହୋଇଗଲା।

ସେହି ଭାରତୀୟ ଯୁବକ ଜଣକ ଥିଲେ ଓଡ଼ିଶାର ଢେଙ୍କାନାଳରୁ ଆସି କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟରେ କୃଷି ବିଜ୍ଞାନ ଛାତ୍ର ସାରଙ୍ଗଧର ଦାସ ଏବ˚ ତରୁଣୀ ଜଣକ ଥିଲେ ସ୍ବିଡେନରୁ ଆସି ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟରେ ଚାରୁକଳାର ଛାତ୍ରୀ ଫ୍ରିଡା ହସ୍‌ୱର୍ଥ। ୧୯୧୭ ମସିହାରେ ସେହି ଆମେରିକାରେ ସାରଙ୍ଗଧର ଦାସଙ୍କ ସହ ପରିଣୟ ସୂତ୍ରରେ ଆବଦ୍ଧ ହୋଇଥିଲେ ଫ୍ରିଡା ହସ୍‌ୱର୍ଥ। ଫ୍ରିଡା ହସ୍‌ୱର୍ଥ ବିବାହ ପରେ ପାଲଟି ଯାଇଥିଲେ ଓଡ଼ିଆ ଘରର ବୋହୂ। ଫ୍ରିଡା ଓ ସାରଙ୍ଗଧର ଦାସ ଆରମ୍ଭ କରିଥିଲେ ଘର ସ˚ସାର ସୁଦୂର ହାଵାଇ ଦ୍ବୀପରେ। ହାଵାଇ ଦ୍ବୀପରେ ନିଜର ପରିଶ୍ରମ ଓ ଅଧୢବସାୟ ବଳରେ ସାରଙ୍ଗଧର ଦାସ ଖୁବ୍‌ ଶୀଘ୍ର କୃଷି-ଶିଳ୍ପ ବିଶାରଦ ଭାବେ ପରିଚିତ ହୋଇଗଲେ। କିନ୍ତୁ, ତାଙ୍କ ମନର ଏକ ନିଭୃତ କୋଣରେ ନିଜ ଦେଶ ପାଇଁ କିଛି କରିବାର ଉଦ୍ଦାମ ଇଚ୍ଛା ଲହଡ଼ି ଭାଙ୍ଗୁଥାଏ। ୧୯୨୦ ବେଳକୁ ଜାପାନ ଏବ˚ ଆମେରିକାରେ ଉଚ୍ଚ ଶିକ୍ଷା ଲାଭ କରିଥିବା ସାରଙ୍ଗଧର ଦାସ ସ୍ବଦେଶ ଫେରିଆସନ୍ତି।

ଭାରତ ପ୍ରତ୍ୟାବର୍ତ୍ତନ ପରେ ସାରଙ୍ଗଧର ନିଜ ଜନ୍ମଭୂଇଁ ଢେଙ୍କାନାଳ ପାଖ କାମାକ୍ଷାନଗରରେ ୧୮ ଶହ ଏକର ଜମି ନେଇ କୃଷି ଫାର୍ମ ଏବ˚ ଆଖୁ ଆଧାରିତ ଶିଳ୍ପ ଆରମ୍ଭ କରନ୍ତି। ସେଥିରେ ସହଯୋଗ ଦିଅନ୍ତି ଓଡ଼ିଆ ଘରର ବୋହୁ ଫ୍ରିଡା ହସ୍‌ୱର୍ଥ ଦାସ। ଏତେ ବେଳକୁ ସାରା ଦେଶରେ ସ୍ବାଧୀନତା ସ˚ଗ୍ରାମର ସମୀରଣ ବହୁଥାଏ। ଏଣେ ସାଧାରଣ ମଣିଷଙ୍କ ସହ କୃଷକଙ୍କ ଉତ୍ପୀଡ଼ନ ସାରଙ୍ଗଧର ଦାସଙ୍କୁ ବ୍ୟଥିତ କରୁଥାଏ। ସୁତରା˚, କୃଷକଙ୍କ ଉତ୍ପୀଡ଼ନ ଏବ˚ ସମସ୍ୟା ଉପରେ ‘କୃଷକ’ ପତ୍ରିକାରେ ସାରଙ୍ଗଧର ଦାସ ‘ଲଣ୍ତା ଦେହୁରୀ’ର ଛଦ୍ମ ନାମ ଧାରଣ କରି ଲେଖନ୍ତି ଅନେକ ଉପାଦେୟ ଓ ପ୍ରଭାବଶାଳୀ ଲେଖା। ଏହା ପରେ ସାରଙ୍ଗଧର ପ୍ରସିଦ୍ଧ ପ୍ରଜାମଣ୍ତଳ ଆନ୍ଦୋଳନରେ ସକ୍ରିୟ ଭୂମିକା ନେଇ ତାର ଅଗ୍ରଗଣ୍ୟ ନେତା ଭାବେ ଆବିର୍ଭୂତ ହୁଅନ୍ତି।

ଅନ୍ୟ ପଟରେ ଫ୍ରିଡା ହସ୍‌ୱର୍ଥ ଦାସ ଜଣେ ଓଡ଼ିଆ ଘରର ବୋହୂ ଭାବରେ ଚିନ୍ତା କରୁଥିଲେ ମହିଳାମାନଙ୍କ ଶିକ୍ଷା ଏବ˚ ସ୍ବାସ୍ଥ୍ୟ ବିଷୟରେ। ଆମେରିକାରେ ଥିଲା ବେଳେ ଫ୍ରିଡାଙ୍କ ଘନିଷ୍ଠତା ବଢ଼ିଥିଲା ପ୍ରସିଦ୍ଧ ବିଜ୍ଞାନୀ ଜଗଦୀଶ ଚନ୍ଦ୍ର ବୋଷଙ୍କ ପରିବାର ସହ। ପରେ ଶାନ୍ତିନିକେତନରେ ବିଶ୍ବକବି ରବୀନ୍ଦ୍ରନାଥଙ୍କ ପ୍ରୟୋଗଧର୍ମୀ ଶିକ୍ଷା ଉପରେ ଜ୍ଞାନ ଆହରଣ କରି ଫ୍ରିଡା ଓଡ଼ିଆ ମହିଳା ଓ କିଶୋରୀମାନଙ୍କୁ ତାଲିମ ଦେବା ଆରମ୍ଭ କରିଥିଲେ।

ଫ୍ରିଡା ଦାସ ଥିଲେ ଅତ୍ୟନ୍ତ ସ୍ବାଧୀନ ଚେତା। ସେ ଥିଲେ ଚାରୁକଳାରେ ପ୍ରତିଭାମୟୀ ତଥା ଜଣେ ସୁଲେଖିକା। ଭାରତରେ ପହଞ୍ଚିବା ପରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ବ ଏବ˚ ଅହି˚ସା ଲଢ଼େଇ ଫ୍ରିଡା ହସ୍‌ୱର୍ଥ ଦାସଙ୍କୁ ଖୁବ୍‌ ପ୍ରଭାବିତ କରିଥିଲା। ମହାତ୍ମା ଗାନ୍ଧୀଙ୍କ ଦର୍ଶନ ପାଇବାକୁ ଏବ˚ ତାଙ୍କ ସହ କିଛି ସମୟ କାଟିବାକୁ ଅଥବା ତାଙ୍କ ସହିତ କିଛି ତତ୍ତ୍ବପୂର୍ଣ୍ଣ ଆଲୋଚନା କରିବାକୁ ତାଙ୍କ ମନ ସର୍ବଦା ଚାହୁଁଥିଲା।

ଫ୍ରିଡା ଦାସ ଓଡ଼ିଶାକୁ ଆସିଲା ବେଳକୁ ଭାରତୀୟ ସ୍ବାଧୀନତା ସ˚ଗ୍ରାମର ପୁରୋଭାଗରେ ମହାତ୍ମା ଗାନ୍ଧୀ ଉଭା ହୋଇସାରିଥାନ୍ତି। ଓଡ଼ିଶାରେ ତାଙ୍କ ରହଣି ଭିତରେ ଫ୍ରିଡା ଅନ୍ତରଙ୍ଗ ଭାବରେ ଦେଖୁଥିଲେ ତତ୍କାଳୀନ ଓଡ଼ିଆ ଜନଜୀବନରେ ମହାତ୍ମା ଗାନ୍ଧୀଙ୍କ ଅହି˚ସ ଲଢ଼େଇର ପ୍ରଭାବ କିଭଳି ସ˚ଚରିତ ହେଉଛି। ଗାନ୍ଧୀଜୀଙ୍କ ଦର୍ଶନ ଏବ˚ ତାଙ୍କ ସାଙ୍ଗରେ କଥାବାର୍ତ୍ତାର ଏକ ମହାର୍ଘ ଅବସର ସେ ଅବଶ୍ୟ ପାଇଥିଲେ। ମହାତ୍ମା ଗାନ୍ଧୀ ୧୯୨୭ ମସିହାରେ ଆଧୢାତ୍ମିକ ଚେତନାର ଭୂଇଁ ଓଡ଼ିଶାକୁ ତୃତୀୟ ଥର ପାଇଁ ଆସିଥିଲେ। ୧୯୧୭, ଡିସେମ୍ବର ୪ରୁ ୨୧ ମଧୢରେ ଗାନ୍ଧୀଜୀ ଓଡ଼ିଶାରେ ରହି ସ୍ବାଧୀନତା ସ˚ଗ୍ରାମ ଓ ତାଙ୍କ ରଚନାତ୍ମକ କାର୍ଯ୍ୟର ବାର୍ତ୍ତା ଓଡ଼ିଶାବାସୀଙ୍କୁ ଦେଇଥିଲେ। ୧୬ ଡିସେମ୍ବର, ୧୯୨୭ରେ ଗାନ୍ଧୀଜୀ ପହଞ୍ଚିଥିଲେ କଟକରେ। ମନରେ ଗାନ୍ଧୀଜୀଙ୍କୁ ଦର୍ଶନ କରିବାର ଦୁର୍ବାର ଆଶା ନେଇ ଫ୍ରିଡା ମଧୢ ପହଞ୍ଚିଥିଲେ କଟକରେ। ଗାନ୍ଧୀଜୀଙ୍କ ଦର୍ଶନ ଓ ତାଙ୍କ ସହିତ ଆଳାପ କରିବା ସହ ଗାନ୍ଧୀଜୀଙ୍କ ଏକ ପ୍ରତିଛବି ଅଙ୍କନ କରିବାର ଅଭିଳାଷ ନେଇ ଚମତ୍କାର ଚାରୁକଳା ଶିଳ୍ପୀ ଫ୍ରିଡା କଟକରେ ପହଞ୍ଚିଥିଲେ। ଫ୍ରିଡାଙ୍କ ସାଙ୍ଗରେ ଥିଲେ ସ୍ବାଧୀନତା ସ˚ଗ୍ରାମୀ ଚିତ୍ତର˚ଜନ ଦାସଙ୍କ ଭଉଣୀ ଉର୍ମିଳା, ଯିଏ ମହାତ୍ମା ଗାନ୍ଧୀଙ୍କ ଖାଇବା-ପିଇବାର ବ୍ୟବସ୍ଥା ଦାୟିତ୍ବରେ ଓଡ଼ିଶା ଆସିଥିଲେ। ସେଦିନ ଥିଲା ଗାନ୍ଧୀଜୀଙ୍କ ମୌନବ୍ରତର ଦିବସ। ତଥାପି, ଗାନ୍ଧୀଜୀଙ୍କ ଏକ ପ୍ରତିଛବି ଆଙ୍କିବାର ଅଭିଳାଷଟି ବିଷୟରେ ଫ୍ରିଡା ଉର୍ମିଳାଙ୍କୁ ଜଣେଇଥିଲେ। ଉର୍ମିଳା ବୁଝେଇଥିଲେ, ‘ନିଜର ପ୍ରତିଛବି ଅଙ୍କେଇବା ପାଇଁ ଗାନ୍ଧୀଜୀ ନିଜେ ଇଚ୍ଛୁକ ହେବେ ନାହିଁ ଏବ˚ ସମୟର ସ୍ବଳ୍ପତା ଦୃଷ୍ଟିରୁ ତାଙ୍କୁ ପ୍ରତିଛବି ଅଙ୍କନ ପାଇଁ ଦୀର୍ଘ ସମୟ ବସେଇ ହେବ ନାହିଁ। ବର˚, ଗାନ୍ଧୀଜୀ ଯେତେବେଳେ ଚରଖାରେ ସୂତା କାଟିବା ପାଇଁ ବସିଯିବେ, ତମେ ଚଟାପଟ୍‌ ତାଙ୍କ ଚିତ୍ରାଙ୍କନ କରିନେବ।’

ଫ୍ରିଡା ହତାଶ ନ ହୋଇ ଯଥାସମ୍ଭବ କାମଟିକୁ କରିନେବାକୁ ଆଗଭର ହେଲେ।

ଫ୍ରିଡାଙ୍କ ଜୀବନର ମାହେନ୍ଦ୍ର ମୁହୂର୍ତ୍ତଟି ଆସିଥିଲା ଖୁବ୍‌ କମ୍‌ ସମୟ ପାଇଁ ଓ ଖୁବ୍‌ ପାଖରୁ ଗାନ୍ଧୀଜୀଙ୍କ ଦର୍ଶନ ସହ। ଠିକ୍‌ ସମୟରେ ଗାନ୍ଧୀଜୀ ବସିଗଲେ ଚରଖାରେ ସୂତା କାଟିବା ପାଇଁ। ସେଇ କୋଠରି ଭିତରେ ଥିଲେ ଗାନ୍ଧୀଜୀଙ୍କ ଦତ୍ତ-କନ୍ୟା ମୀରା ବେନ୍‌, ଯିଏ ମେଡଲିନ୍‌ ସ୍ଳେଡ୍‌ ନାମକ ଇ˚ଲଣ୍ତର କିଶୋରୀରୁ ମୀରା ବେନ୍‌ ରୂପେ ଗାନ୍ଧୀଜୀଙ୍କ ଅନୁଗାମୀରେ ପରିଣତ ହୋଇଥିଲେ। ପୁଣି ଥିଲେ ଉର୍ମିଳା ଯିଏ ଗାନ୍ଧୀଜୀଙ୍କୁ କିଛି ଫଳ ଓ କ୍ଷୀର ପରଷି ଦେଇଥିଲେ। ଠିକ୍‌ ସେତେବେଳେ ଫ୍ରିଡା ଅତି ସନ୍ତର୍ପଣରେ ସେହି କୋଠରିରେ ପ୍ରବେଶ କଲେ ଏବ˚ ଗାନ୍ଧୀଜୀଙ୍କୁ ସଶରୀରେ ପ୍ରଥମ ଥର ପାଇଁ ଦେଖିଲେ। ଫ୍ରିଡାଙ୍କ ଲେଖନୀର ଭାଷାରେ, ‘ଆଣ୍ଠୁ ଯାଏ ଲୁଗା ଏବ˚ କାନ୍ଧରେ ଚଦର ପରିହିତ କ୍ଷୀଣ ଶରୀରଧାରୀ ଦିବ୍ୟ ମଣିଷଙ୍କ ମୁହଁରେ ଥିଲା ଅଳ୍ପ ହସ, ଯେଉଁଟା ଥିଲା କରୁଣାପ୍ଳୁତ ଓ ଅନନ୍ୟ। ତାଙ୍କ ଚାରିପଟେ ପ୍ରଶାନ୍ତିର ଏକ ଆଭା ଚହଟୁ ଥିଲା ଏବ˚ ଝଡ଼ିବା ପରେ ଅଳ୍ପ ଦାନ୍ତର ସମାହାରରେ ତାଙ୍କ ସୁନ୍ଦର ମୁହଁଟି ଥିଲା ସମ୍ମୁଜ୍ଜ୍ବଳ।’
(ଏ ମେରେଜ ଟୁ ଇଣ୍ତିଆ, ପୃଷ୍ଠା ୧୭୧)

ଗାନ୍ଧୀଜୀ ଚରଖାରେ ସୂତା କାଟୁଥିବା ବେଳେ ଫ୍ରିଡା ଚଟାପଟ୍‌ ତାଙ୍କ ଛବିଟି ଅଙ୍କନ କରିଦେଲେ। କିଛି ସମୟ ପରେ ଗାନ୍ଧୀଜୀ ସେହି ଛବିଟି ଦେଖି ହସି ଦେଇ ମୁଣ୍ତ ଟୁଙ୍ଗାରି ଦେଲେ। ସେହି ଦିନ ଫ୍ରିଡା ବିନିଦ୍ର ରାତିରେ ିଛବିକୁ ପୂର୍ଣ୍ଣାଙ୍ଗ ରୂପ ଦେଇ ପର ଦିନ ଗାନ୍ଧୀଜୀଙ୍କୁ ଦେଖାଇବାରେ ସମର୍ଥ ହୋଇଥିଲେ। ଗାନ୍ଧୀଜୀ ହସି ଫ୍ରିଡାଙ୍କୁ କହିଥିଲେ, ‘ତମକୁ ମତେ ପାରିଶ୍ରମିକ ଦେବାକୁ ହେବ ଏବ˚ ସେହି ପାରିଶ୍ରମିକ ହେଉଛି ତମେ ନିଜେ ଚରଖାରେ ସୂତା କାଟିବ ଓ ଲୁଗା ବୁଣି ବ୍ୟବହାର କରିବ।’

ଗାନ୍ଧୀଜୀ ପୁଣି ଫ୍ରିଡାଙ୍କୁ କହିଥିଲେ- ‘ଓଡ଼ିଶାର ମହିଳାମାନଙ୍କୁ ଶିକ୍ଷିତ ଓ ସ୍ବାବଲମ୍ବୀ କରିବା ଦିଗରେ କାମ କର।’ ଓଡ଼ିଆ ଘରର ବୋହୂ ଫ୍ରିଡା ହସ୍‌ୱର୍ଥ ଦାସଙ୍କ ପାଇଁ ଏହା ଥିଲା ଏକ ଅନୁପ୍ରେରଣାର ଅସରନ୍ତି ସ୍ରୋତ।

ଗାନ୍ଧୀଜୀଙ୍କ ବିଷୟରେ ଓଡ଼ିଆ ଘରର ବୋହୂ ସୁଲେଖିକା ଫ୍ରିଡା ହସ୍‌ୱର୍ଥ ଦାସଙ୍କ ଚମତ୍କାର ବର୍ଣ୍ଣନା ରହିଛି: ‘ଦୁଇ ହଜାର ବର୍ଷ ପୂର୍ବେ ପ୍ରଭୁ ବୁଦ୍ଧଙ୍କ ଚେତନା ଯେଭଳି ଭାରତ ଭୂଇଁକୁ ସିକ୍ତ କରିଥିଲା, ସେହିଭଳି ଗାନ୍ଧୀଜୀଙ୍କ ଚେତନା ଭାରତ ବର୍ଷରେ ଆଧୢାତ୍ମିକ ଜାଗରଣରେ ନୂଆ ଲହରୀ ଖେଳେଇ ଦେଇଥିଲା।’

ସେ ଦିନ ଅତ୍ୟନ୍ତ ଜୀବନ୍ତ ରୂପ ଦେଇଥିବା ସେହି ଛବିଟି ଅନନ୍ୟ। ଓଡ଼ିଆ ଘରର ବୋହୂ ଫ୍ରିଡା ହସ୍‌ୱର୍ଥ ଦାସଙ୍କ ସେହି ବିରଳ ପ୍ରତିଛବିଟି ଓଡ଼ିଶା ମାଟି ଓ ଓଡ଼ିଆ ଜାତି ସହ ଗାନ୍ଧୀଜୀଙ୍କ ସ˚ପର୍କର ସର୍ବୋତ୍ତମ ସ୍ନେହାର୍ଦ୍ର ସନ୍ତକ।
(ଓଡ଼ିଶାରେ ଗାନ୍ଧୀଙ୍କ ସ୍ମୃତିର ଅନନ୍ୟ ପ୍ରକରଣ)

ମୋ- ୯୮୬୮୭୬୬୭୦୫

ସମ୍ବନ୍ଧିତ ଖବର