ବାଲିରେ କ’ଣ ଘର ତିଆରି ହୁଏ?
ହଁ, ହୁଏ। ବାଲୁକାଶିଳ୍ପୀମାନଙ୍କୁ ଏ ବିଷୟରେ ପଚାରିଲେ ସେମାନେ ହଁ ଭରିବେ ନିଶ୍ଚୟ। ବାଲିରେ ଅନେକ କଥା କରିହେବ। ତାହା କ୍ଷଣସ୍ଥାୟୀ କି ଦୀର୍ଘସ୍ଥାୟୀ ସେ କଥା ଅଲଗା। ଧୂଳି ବା ବାଲିରେ ପିଲାଏ ଘର କରି ଖେଳନ୍ତି, ସ୍ବପ୍ନର ସଉଧ ଗଢ଼ନ୍ତି। ନଈ କୂଳ ବା ସମୁଦ୍ର ତଟରେ ବାସ କରୁଥିବା ବାଳକ ବାଳିକାମାନେ ବାଲିଘର କରି ଖେଳିବା ଏକ ସାଧାରଣ କଥା। ‘ବାଲିଘର’କୁ ଗୋଟାଏ ସ୍ବପ୍ନ-ସ˚ରଚନା କହିଲେ ଭୁଲ ହେବ ନାହିଁ। ସେଥିରେ ଘରଟି ଏକ ସତସତକିଆ ସୃଷ୍ଟି ମାତ୍ର ବାଲି ସୂଚାଇଦିଏ ଯେ ସବୁକଥା କ୍ଷଣଭଙ୍ଗୁର। ସ୍ଥାୟୀ ବୋଲି କିଛି ନାହିଁ ଏ ସ˚ସାରରେ। ଯାହା କିଛି ସତ୍ୟ ତାହା ହେଉଛି ରଚନାତ୍ମକତା। ସେ ଆସେ, ସ୍ରଷ୍ଟାକୁ ଆନନ୍ଦରେ ଉବୁଟୁବୁ କରେ, ପୁଣି ମିଳାଇଯାଏ କୁଆଡ଼େ ନା କୁଆଡ଼େ।
ଏଇ କଥାକୁ ଉପଲବ୍ଧି କରି ଓଡ଼ିଶାର ଲବ୍ଧପ୍ରତିଷ୍ଠ କଥାଶିଳ୍ପୀ ସ୍ବର୍ଗତ ଅଖିଳ ମୋହନ ପଟ୍ଟନାୟକ ନିଜ ଘରର ନାଁ ଦେଇଥିଲେ ‘ବାଲିଘର’। ଘରଟି ଇଟା, ପଥର, ବାଲି, ସିମେଣ୍ଟ୍ରେ ତିଆରି ମାତ୍ର ସୃଷ୍ଟିସିଦ୍ଧ ଗାଳ୍ପିକଙ୍କୁ ତାହା ଲାଗିଥିଲା ଗୋଟିଏ ବାଲିଘର ଭଳି।
ସାହିତ୍ୟର ବୋଧହୁଏ ବାଲିଘର ସହ ନିବିଡ଼ ସମ୍ପର୍କ ଅଛି। ସାହିତ୍ୟ ବି ସ୍ରଷ୍ଟାର କଅଁଳ ଭାବନାକୁ ନେଇ ଗଢ଼ି ହୁଏ। ଯାହାକୁ ଯେମିତି ଆସିଲା। ବାଲିରେ କିଏ ଗଳ୍ପ ତୋଳିଲା ତ କିଏ ଉପନ୍ୟାସ। କିଏ କବିତା ତ ଆଉ କେହି ନାଟକ। ଆଜି ବି ଅସ˚ଖ୍ୟ ବାଲିଘର ତୋଳା ଚାଲିଛି ସାରା ବିଶ୍ବରେ। ଦେଶରେ, ବିଦେଶରେ, ଗାଆଁରେ, ସହରରେ। କେତେ କେତେ ତିଆରି, କେତେ କେତେ ବିଲୟ। ସବୁ ଯେ ହଜିଯାଉଛି ସେ କଥା ନୁହେଁ। କିଛି କିଛି ଠିଆ ହୋଇ ରହୁଛି କାଳକୁ ହେଣ୍ଟି ଦେଇ। ସେଇ ବୋଧେ ଫରକ!
ବାଲିଘର ଭାଙ୍ଗିଯାଏ, ଜୁଆରରେ ବିଲୀନ ହୋଇଯାଏ ମାତ୍ର କେତେକ କାଳଜୟୀ ସାହିତ୍ୟ ବାଲିରୁ ଅକ୍ଷତ ଶିଳା ପାଲଟି ଯାଆନ୍ତି। କାଳୋତ୍ତୀର୍ଣ୍ଣ ହୁଅନ୍ତି। ଯେମିତି ରାମାୟଣ। ସେଇଥିପାଇଁ ଲେଖାଅଛି- ‘‘ଯାବଦ୍ ସ୍ଥାସ୍ୟନ୍ତି ଗିରୟଃ ସରିତଶ୍ଚ ମହୀତଳେ/ତାବଦ୍ ରାମାୟଣ କଥା ଲୋକେଷୁ ପ୍ରଚରିଷ୍ୟତି।’’ ନଈ, ପାହାଡ଼ ଏ ପୃଥିବୀରେ ଥିବାଯାଏ ରାମାୟଣ କଥା ରହିଥିବ। ରାମାୟଣକୁ ବାଲିଘର କିଏ କହିବ?
‘ବାଲିଘର’ ନାଆଁରେ ବାଲ୍ମୀକି ଋଷି କେଉଁ ଅକ୍ଷତ ଧାତୁରେ ରାମାୟଣର ରଚନା କରିଛନ୍ତି ତାହା କହିବା କଷ୍ଟକର।
ତେବେ ଅଧିକା˚ଶ ସାହିତ୍ୟ ସୃଷ୍ଟି ବାଲିଘର ଭଳି। ବାଲି ବା ଶବ୍ଦ ତା’ର ମୌଳିକ ଉପାଦାନ, ହେଲେ ଘରଟି ରଚନାତ୍ମକତାର ଏକ ଅଭିନବ ବୈଭବ। ଆଙ୍ଗୁଠିର ନିହାଣରେ ସେ ଗଢ଼ି ହୁଏ। ଯେ ଗଢ଼େ ସେ କୁରୁଳେ, ଯେ ଦେଖେ ତା’ଭିତରେ ବି ଏକ ଉଲ୍ଲାସ ଭରି ହୋଇଯାଏ। ଠିକ୍ ଯେମିତି ଧାଡ଼ିଏ କି ପୃଷ୍ଠାଏ ସୁଆଦିଆ ସାହିତ୍ୟକୁ ଭେଟିବା ପରି।
ସବୁ ସାହିତ୍ୟ ମଧୢ ଲିଖିତ ରୂପରେ ପ୍ରକାଶ ପାଏନି। ବୈଦିକ ସାହିତ୍ୟରୁ ରାମାୟଣ ଯାଏ କେଉଁ ଲେଖାଲେଖି ଥିଲା ନା ଛପାଛପି ଥିଲା? ସବୁ ତ ମୌଖିକ। ସାଗର ତଟର ଅସୁମାରି ବାଲି ପରି ଶବ୍ଦ କି ଭାବର କ’ଣ ସୀମା ଅଛି? ଯିଏ ଯେଉଁଠି ଯାହା ଗଢ଼ିଥିଲେ ବି ସବୁ କୁଆଡ଼େ ନିଶ୍ଚିହ୍ନ। ଆଜିର ଏ ଛପାଛପି ଓ ଡିଜିଟାଲ୍ ଯୁଗରେ ଏବେ ସବୁକଥା ଧରିବାକୁ ପ୍ରୟାସ ଚାଲିଛି। କିନ୍ତୁ ପ୍ରଶ୍ନ ହେଉଛି ଶବ୍ଦମାନଙ୍କୁ ନେଇ ଯେ ନିତିପ୍ରତି ଅକଳନ୍ତି ବାଲୁକା ସଉଧ ଗଢ଼ାଚାଲିଛି ତା’ର ହିସାବ କିଏ ରଖିଛି? ଅକ୍ଷରକୁ ଓହ୍ଲାଉଥିବା ଶବ୍ଦମାନେ ହୁଏ ତ ଦିଶୁଛନ୍ତି ଆମ ଆଖିକୁ ମାତ୍ର ଅନକ୍ଷର, ଅଲିଖିତ ଶବ୍ଦମାନଙ୍କ କଥା? ବିଶେଷ କରି ଭାରତୀୟ ଜଳବାୟୁରେ ମୌଖିକ ସାହିତ୍ୟ ତ ମାଢ଼ ମାଢ଼। କେଉଁ ପ୍ରାଚୀନ କାଳରୁ ଲମ୍ବିଛି ତା’ର ସ୍ରୋତ! କିଏ ସମ୍ପାତି ପାରିଛି ନା ପାରିବ?
ଏଇଠି ଆସୁଛି ଗାଆଁ, ସହରର କଥା। କୁହାଯାଉଛି ବାଇଶ ଭାଗ ଲୋକ ସହରବାସୀ ହୋଇ ଗଲେଣି। ବିଶ୍ବ ସ୍ତରର କଥା କହିବା ମୁସ୍କିଲ୍। ଆମେ ସମସ୍ତେ ଦିନେ ଗାଆଁରେ ଥିଲେ। ବିଲ, ବିଲୁଆ, ବିଲେଇ, ବଳଦ ସମସ୍ତେ ଥିଲେ ଜୀବନା˚ଶ ହୋଇ। ଆଜି ବଦଳୁଛି। ହେଲେ କେତେ ବଦଳିଛି? ଅଧିକା˚ଶ ମଣିଷ କେଉଁଠି ଅଛନ୍ତି? ଏବେ ବି ସେଇ ଗାଆଁରେ। ମୌଖିକରୁ ଲିଖିତ ହୋଇ କେତେ ସାହିତ୍ୟ ସତକୁ ସତ ଛପା ହେଉଛି, ବହି ହୋଇ ଉଡ଼ି ଆସୁଛି ପାଠକ ହାତକୁ?
ଗାଆଁରେ ଲୋକ ଅଧିକ। ମୌଖିକରୁ ଆରମ୍ଭ କରି ଲିଖିତ ଯାଏ ଅଧିକ ସାହିତ୍ୟ ସେଠି। ଗାଆଁ ଲୋକେ ହିଁ ଅଧିକ ସାହିତ୍ୟ ପଢ଼ନ୍ତି, ସାହିତ୍ୟ ବହି କିଣନ୍ତି। ଆଜି ଯେ ସହରବାସୀ ସେ ସମସ୍ତଙ୍କ ଚେର, ଗାଆଁ-ଚେର। ଖୋଳା ଖୋଳି କଲେ ବାବୁଭାୟାଙ୍କର ବାଲିଘର ସେଇଠୁ ମିଳିବ। ଆଜି ବି ଗାଆଁ ଗହଳରେ ସାହିତ୍ୟକୁ ନେଇ କିଛି କମ୍ ଅନୁଷ୍ଠାନ ହେଉନାହିଁ। ସାହିତ୍ୟ ସ˚ଗଠନମାନଙ୍କର ବାର୍ଷିକ ଉତ୍ସବ ବା ସାମୟିକ ସଭାରେ ଯେମିତି ସାହିତ୍ୟ ଅଛି ସେମିତି ବି ଅଛି ପୁରାଣପଢ଼ାରେ, ଅଷ୍ଟପ୍ରହରୀରେ, ପାଲାରେ, ଓଷାବତ୍ର କଥା ପଢ଼ା ହେଲା ବେଳେ। ସାହିତ୍ୟ ତ ଗାଆଁରେ ବେଶି। ସହରରେ କିନ୍ତୁ ସଡ଼କ ଅଧିକ।
ଗାଆଁ ଓ ସହର ଭିତରେ ଫରକଟି କ’ଣ? ଗାଁରେ ସବୁକଥା ମୌଳିକ, ଧୀର, ନିକଟ, ମାଟିଛୁଆଁ, ଜଣା ଜଣା, ଭିଡ଼ାଭିଡ଼ି। ଆମେ କିନ୍ତୁ ସେ ଗୁଡ଼ିକୁ ସହର କରିବାରେ ତତ୍ପର। ସହରର ଅସୁସ୍ଥ, ଅସ˚ପୃକ୍ତ ମନଟିକୁ ଗାଆଁ ଗାଆଁରେ ପୂରାଇ ଦେଇ ଏବେ ଆମେ ଗାଆଁ-ନିନ୍ଦାର ଖଞ୍ଜଣି ଧରି ବସୁଛୁ। ଆଉ କ’ଣ ସେ ଗାଆଁ ଅଛି? ସଙ୍ଗେ ସଙ୍ଗେ ସତିଆ ପାଲଟି ଯାଇ ମଣିଷଟି ନିଜକୁ ଦୂରେଇ ନେବ ସେଠୁ। ଦୋଷ ଦେବ ରାଜନୀତିକୁ, ସେଠାର ଅସମର୍ଥ ଲୋକଙ୍କୁ। ସତେ ଯେମିତି ରାଜନୀତି, ଗାଆଁରେ ଥିବା ଗଛ ପତ୍ର, ଛେଳି ମେଣ୍ଢା କରୁଛନ୍ତି। ନିଜେ ସେ ସମର୍ଥ ହେଲା ପରେ ଯେ ସେଠାରୁ ଉଡ଼ି ଆସିଛି ବା ସହରରେ ସମର୍ଥ ହେଲା ପରେ ଗାଆଁରୁ ଆପଣା ଚେର ଛିଣ୍ତାଇବାରେ ଅହରହ ଚେଷ୍ଟା କରୁଛି ସେ କଥା ମନକୁ ପଇଟୁନି।
ଅଳ୍ପଦିନ ତଳେ କୁଜଙ୍ଗ ବ୍ଲକ୍ସ୍ଥିତ ପଣ୍ତୁଆ ପଞ୍ଚାୟତର ମୁଣ୍ତିଦା ଗାଆଁରେ ‘‘ବାଲିଘର ସାହିତ୍ୟ ସ˚ସ୍କୃତି ପ୍ରତିଷ୍ଠାନ’’ର ଏକତ୍ରି˚ଶତମ ବାର୍ଷିକ ଉତ୍ସବ ପାଳିତ ହେଲା। ଦିନ ତମାମ କାର୍ଯ୍ୟକ୍ରମ ଚାଲିଲା। କବିତା ପାଠୋତ୍ସବ ହେଲା, ଆଲୋଚନା ସଭା ବସିଲା। କିଛି ବ୍ୟକ୍ତିଙ୍କୁ ସାରସ୍ବତ ସମ୍ବର୍ଦ୍ଧନା ବି ଦିଆଗଲା। ଏଠାରେ ସ୍ମରଣଯୋଗ୍ୟ ଯେ କବିଗୁରୁ ରବୀନ୍ଦ୍ରନାଥ ଠାକୁରଙ୍କ ପାରିବାରିକ ଜମିଦାରୀ ଥିଲା ପଣ୍ତୁଆ। କାର୍ଯ୍ୟ ଉପଲକ୍ଷେ ରବୀ ଠାକୁର ବାରମ୍ବାର ପଣ୍ତୁଆ ଆସୁଥିଲେ ଓ ନିଜର ହ˚ସଗୀତି ‘‘ଗୀତାଞ୍ଜଳି’’ରେ ଈଶ୍ବର ଓ ପ୍ରକୃତି ସମ୍ବନ୍ଧିତ ଯେଉଁସବୁ ନୈସର୍ଗିକ ଶ୍ରଦ୍ଧାଞ୍ଜଳି ସେ ବାଢ଼ିଛନ୍ତି, ସେଥିରେ ପଣ୍ତୁଆର ନାନ୍ଦନିକ ରୂପଲାବଣ୍ୟ ପ୍ରତିକିତ ହୋଇଛି ବୋଲି ଅନେକଙ୍କର ବିଶ୍ବାସ। ସେଇ ବିଶ୍ବାସ ପାଇଁ ହେଉ ବା ମୁଣ୍ତିଦା ଗାଆଁ ଓ ଆଖପାଖର ଗ୍ରାମବାସୀଙ୍କ ପାଇଁ ହେଉ ‘‘ବାଲିଘର’’ର ସମ୍ପାଦକ ବାବୁ କୈଳାସ ଚନ୍ଦ୍ର ସ୍ବାଇଁଙ୍କ ଏକନିଷ୍ଠ ପ୍ରଚେଷ୍ଟାରେ ଦୀର୍ଘ ଏକତିରିଶ ବର୍ଷ ଧରି ଏ ସାହିତ୍ୟ ଅନୁଷ୍ଠାନ ଚାଲିଛି।
ସହର ବଜାରରେ ସାହିତ୍ୟ ଅନୁଷ୍ଠାନଟିଏ ଗଢ଼ିବାର ସୁଗମତା ଗାଆଁ ଗହଳରେ ନାହିଁ ନିଶ୍ଚୟ। ଖାସ୍ ସେଇଥିପାଇଁ ଆଜି ଅନେକ ଗ୍ରାମୀଣ ସାରସ୍ବତ ସ˚ଗଠନ ପେଡ଼ି ପୁଟୁଳା ଧରି ସହରରେ ଆପଣା ଅନୁଷ୍ଠାନର ବାର୍ଷିକ ଉତ୍ସବ ପାଳନ କରୁଛନ୍ତି। ଯୁକ୍ତି ହେଲା ସେଠାରେ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ସାହିତ୍ୟିକ ଅତିଥିମାନେ ମିଳିବେ, ଅବାରିତ ବିଜୁଳି ସୁବିଧା ମିଳିବ। ଦର୍ଶକ ହେବା ଲାଗି ଆଖିଦୃଶିଆ ବାବୁଭାୟା ବି ମିଳିବେ। ସତ କଥା। ହେଲେ ଏହାଦ୍ବାରା ଯେ ସାହିତ୍ୟର କିଛି ଉନ୍ନତି ହୁଏ ନାହିଁ ସେ କଥା କିଏ କାହାକୁ ବୁଝାଇବ? ‘‘ବାଲିଘର ପ୍ରତିଷ୍ଠାନ’’ କିନ୍ତୁ ଏ ସ୍ରୋତର ପ୍ରତିକୂଳରେ ଘାତ ପ୍ରତିଘାତ ସହି ଆଉ ଅନେକଙ୍କ ପରି ନିଜ ମାଟିରେ ଠିଆ ହୋଇ ରହିଛି।
ଏ ‘ବାଲିଘର’ କେଉଁ କଥାର ପ୍ରତୀକ?
ଏଥିରେ ଆମେ ତିନିଗୋଟି ଆଶ୍ବାସନା ପାଇବା। ମୂଳ ହେଉଛି ଆଲୋଚନା ଲାଗି ରଖାଯାଇଥିବା ବିଷୟବସ୍ତୁ। ଆଲୋଚ୍ୟ ବିଷୟ ଥିଲା ‘‘ଗାଆଁରେ ସାହିତ୍ୟ’’। ଗାଆଁରେ ସାହିତ୍ୟ ଯେ ଏବେ ବି ଉନ୍ମୁଖ ତାହା ଏଇ କଥାରେ ପ୍ରତିଫଳିତ। ଯେଉଁ କବିତାଗୁଡ଼ିକ ସେଠାରେ ପାଠ କରାଗଲା ସେଥିରେ ଯୁବକ ଯୁବତୀଙ୍କଠାରୁ ଆରମ୍ଭ କରି ଥିଲେ ଅନେକ ଗୃହିଣୀ। ଯାହା କି ସହରୀ ଜୀବନରେ ସୁଦୂରପରାହତ। କବିତାଗୁଡ଼ିକରେ ସରଳତା, ସହଜତା ଓ ନିଷ୍କପଟଭାବ ଛତ୍ରେ ଛତ୍ରେ ଫୁଟି ଉଠୁଥିଲା। ସେଗୁଡ଼ିକରେ ହୁଏତ ସା˚ପ୍ରତିକ ରୂପକ, ଛଟା, ବୌଦ୍ଧିକ କସରତ ଆଦି ନ ଥିଲା, ହେଲେ ସେ ଭଳି ଅଭିବ୍ୟକ୍ତିରେ ଭାବଗତ ସ˚ପୃକ୍ତି ଓ ସମ୍ବେଦନା ଥିଲା ବେଶ୍ ଉତ୍ସାହଜନକ। ସମସ୍ତେ ବୁଦ୍ଧିବାଦୀ ହେବେ କାହିଁକି? କବିତାରେ ରୂପକ, ଦର୍ଶନ, ଗମ୍ଭୀରତା ବା ଶବ୍ଦବିମ୍ବ ବଡ଼କଥା ନୁହେଁ, ବଡ଼ ହେଉଛି ଭାବର ସାରଲ୍ୟ ଯାହା ଆଜି ବି ଗାଆଁ ଗହଳରେ ଅନ୍ତଃସ୍ରୋତ ପରି ଛପି ରହିଛି ଚାରିଆଡ଼େ।
ଦ୍ବିତୀୟ କଥାଟି ହେଉଛି ସା˚ଗଠନିକ ନିରବଚ୍ଛିନ୍ନତା। ସ˚ଗଠନ ଯେ କୌଣସି କାର୍ଯ୍ୟକୁ ତ୍ବରାନ୍ବିତ କରିବା ସହ ପ୍ରଚୋଦିତ ମଧୢ କରେ। ସହରରେ ଏବେ ଅନେକ ସୁବିଧା ସୁଯୋଗ ସତ୍ତ୍ବେ ସାରସ୍ବତ ସ˚ଗଠନଗୁଡ଼ିକ ତିଷ୍ଠି ରହିବା ଅସମ୍ଭବ ହୋଇପଡୁଛି। ସଭ୍ୟ-ସମ୍ପୃକ୍ତିରେ ଭଟ୍ଟା ପଡୁଛି। ସେ ଭଳି ଏକ ପୃଷ୍ଠପଟରେ ଏକ ନିକଟ ମଫସଲ ଅଞ୍ଚଳରେ ସାହିତ୍ୟ ସ˚ଗଠନଟିଏ ଧାରାବାହିକ ଭାବରେ ଏକତିରିଶ ବର୍ଷ ଧରି କାର୍ଯ୍ୟ କରି ଆସିବା ନିଶ୍ଚିତ ଭାବରେ ଉତ୍ସାହଜନକ। ଏତିକି କ’ଣ କମ୍ ଆଶ୍ବାସନା!
ତୃତୀୟ ଦିଗଟି ହେଉଛି ଆହୁରି ଗୁରୁତ୍ବପୂର୍ଣ୍ଣ। ଏବେ ଗ୍ରାମୀଣ ସା˚ସ୍କୃତିକ ଜୀବନକୁ ଶୋଷାଡ଼ିବାରେ ଲାଗିଛି ସହର। ଡାଲି, ଚାଉଳ, ଶସ୍ୟ, ପନିପରିବା, ମାଛ ମା˚ସର କ୍ଷେତ୍ର ଗାଆଁ। ସେଇଠୁ ଉତ୍ପାଦ ଟଣା ହୋଇ ଆସେ ସହରକୁ। ଏ ପରିକି ନିର୍ବାଚନ ବେଳେ ମତଦାନ କ୍ଷେତ୍ରରେ ଗ୍ରାମୀଣ ଇଲାକାର ମତଦାନ ସହରାଞ୍ଚଳ ଅପେକ୍ଷା ମଧୢ ଅଧିକ, ଅଥଚ ସା˚ସ୍କୃତିକ କାର୍ଯ୍ୟକ୍ରମ ବେଳେ ସହର ପଶିଯାଏ ଗାଆଁରେ। ଅତିଥିଙ୍କଠାରୁ ଆରମ୍ଭ କରି ଫୁଲମାଳ, ଜଳଯୋଗ ପର୍ଯ୍ୟନ୍ତ ସହର ଗାଆଁରେ ଯାଇ ଠିଆ ହୁଏ। ସୁଖର କଥା ବାଲିଘରର ଏ ସଭାଟି ଥିଲା ଗାଆଁ ଓ ସହରର ଏକ ମିଳନ କ୍ଷେତ୍ର। ସଭାପତିଙ୍କଠାରୁ ଆରମ୍ଭ କରି ବରେଣ୍ୟ ଅତିଥିଙ୍କ ଯାଏ ଅଧିକା˚ଶ ଥିଲେ ସେଇ ଅଞ୍ଚଳର।
ସାହିତ୍ୟ କଥା ଆଲୋଚନା କଲାବେଳେ ଆପେ ସାହିତ୍ୟର ଭାବଭୂମି ଆମ ଆଖି ଆଗକୁ ଆସିଯାଏ। ଆଜିର ସାହିତ୍ୟରେ ଯେ କଥାବସ୍ତୁ, ଇମେଜେରି, ଶବ୍ଦବସାଣ, ରୂପଚର୍ଯ୍ୟା ସେଥିରେ ଅାମେ ଆଧୁନିକ ସହରୀ ଜୀବନକୁ ଯେତେ ଦେଖୁ, ସେତେ ଗାଆଁର ଛବି ଦେଖୁନା। ଯାହା ବି ଦେଖୁ ସବୁ ମନଗଢ଼ା, ନିଜକୁ ନିଜେ ଠକିବା ଭଳି। ଗ୍ରାମ୍ୟ ଶ୍ମଶାନ କବିତାରେ ଶେଷଜୀବନରେ ମୋ ଚିତା ମୋ ଗାଆଁରେ ଜଳିବ ବୋଲି ଲେଖିଥିବା କବି ମଧୢ ଯୌବନ ଉପରାନ୍ତ ଆଉ ଗାଆଁକୁ ଫେରିପାରନ୍ତି ନାହିଁ। ପ୍ରୌଢ଼ କାଳରେ ଯେଉଁ ଚିତ୍ରୋତ୍ପଳା କବିତାରେ ଉକୁଟେ ତା’ର ପ୍ରକୃତ ଚିତ୍ର ସେଇ ପିଲାଦିନର ଯାହା ଦେଖିବାକୁ ପ୍ରତିଷ୍ଠିତ ମଣିଷଟି ଗାଆଁକୁ ଆଉ ଫେରିପାରେ ନାହିଁ ହାଇସ୍କୁଲ ପାଠ ପରେ। ଗାଆଁରେ ସାହିତ୍ୟ ଅବଶ୍ୟ ଅଛି, ତା’ର ପ୍ରମାଣ ତ ବାଲିଘର! ହେଲେ ସାହିତ୍ୟରେ ଆଉ ଗାଆଁ ନାହିଁ। ସାମ୍ପ୍ରତିକ ସାହିତ୍ୟରେ ମୁଣ୍ତ ଅଧିକ ଅଛି ହୃଦୟ କମ୍, ସହର ଅଧିକ ଅଛି ଗାଆଁ କମ୍, ଯୁବକ ଯୁବତୀ ଅଧିକ ଅଛନ୍ତି ବୁଢ଼ାବୁଢ଼ୀ କମ୍, ଗାଡ଼ି, ମଟର, ଏରୋପ୍ଲେନ୍, ବଜାର, ବିଶ୍ବବିଦ୍ୟାଳୟ, କମ୍ପାନି ଜୀବନ ଅଧିକ ଅଛି; ଗାଆଁ ନଈ, ନାଳ, ପୋଖରୀ, ଗଡ଼ିଆ, ବିଲ, ହିଡ଼, ପାଳଗଦା ଅନେକଟା କମ୍।
ସାହିତ୍ୟ ଘୁଞ୍ଚି ଆସୁଛି ସହରକୁ। ପୁଣି ରୂପ ବଦଳାଇ ପହଞ୍ଚିଯାଉଚି ଗାଆଁରେ ନିଜକୁ ଛପେଇ। ଗାଆଁ କ’ଣ ସାହିତ୍ୟ ଛାପେ? ସେ ସାହିତ୍ୟର କଥା କହେ। ମାତ୍ର ସହର ସାହିତ୍ୟକୁ ତା’ ଢଙ୍ଗରେ ଛାପେ ଓ ଗାଆଁକୁ ପ୍ରଭାବିତ କରେ।
ସାହିତ୍ୟର ମୂଳ ଉପାଦାନ ହେଉଛି ସମ୍ବେଦନା। ଦାର୍ଶନିକ ଥୋମାସ୍ ହବ୍ସଙ୍କ ଭାଷାରେ ପ୍ରାଚୀନ ମଣିଷ ତ ଜଙ୍ଗଲୀ ଖେଚଡ଼ ଥିଲା, ରୁଷୋଙ୍କ ଭାଷାରେ ମୋର, ତୋ’ର କହିଲା ଦିନୁ ମଣିଷ ଭଲରୁ ଖରାପ ପାଲଟିଲା। ଜନ୍ ଲକ୍ ମଣିଷ ଭିତରେ ସମ୍ପତ୍ତି ପ୍ରତି ଆସକ୍ତିର ମୌଳିକତା ଦେଖିଲେ ହେଲେ ମଣିଷ ଯେ ସ୍ବଭାବତଃ ସମ୍ବେଦନଶୀଳ ସେ କଥା କେହି କହି ନାହାନ୍ତି କେଉଁଠି। ଅସଲରେ ଏଇ ସମ୍ବେଦନା ହିଁ ମଣିଷକୁ ସାମାଜିକ କରି ରଖିଛି। ମୌଖିକ ହେଉ କି ଲିଖିତ, ବାଲିଘର ପରି କ୍ଷଣଭଙ୍ଗୁର ହେଉ କି ମହାକାଳ ପରି ଅକ୍ଷତ, ସଫଳ ସାହିତ୍ୟ ମାତ୍ରେ ତାହା ସମ୍ବେଦନା ସୃଷ୍ଟି କରେ। ଆମକୁ ଆମ ସମୟର ସଚ୍ଚୋଟ ଇତିହାସ ଦିଏ ସାହିତ୍ୟ। ଅପରକୁ ବୁଝିବାରେ ମନକୁ ଶାଣିତ କରେ, ମନୋର˚ଜନ କରାଏ, ଶିକ୍ଷିତ କରେ ପୁଣି କେତେ କେତେ ମାନସିକ ବିଷମତାକୁ ସହି ଜୀବନକୁ ସୁନ୍ଦର କରିବାରେ ପ୍ରତିଷେଧକ ଟିକା ଭଳି କାମ କରେ।
ଭାବକୁ-ଭାଷା ସହିତ, ମଣିଷକୁ ମଣିଷ ସହିତ, ଅଞ୍ଚଳକୁ ଅଞ୍ଚଳ ସହିତ ପୁଣି ଗୋଟେ ଭାଷାକୁ ଆଉ ଗୋଟେ ଭାଷା ସହିତ ସାହିତ୍ୟ ଯୋଡ଼ିଦିଏ। ଗାଆଁକୁ ସହର ସହିତ ଯୋଡ଼ି ଚାଲିଛି ସାହିତ୍ୟ। ଆମର ଯେତେ ସବୁ ମୌଳିକ ଭାବନା ତା’ ପଛରେ ଗାଁର ଅସ୍ପଷ୍ଟ କାନ୍ଭାସ୍ଟିଏ ନିଶ୍ଚୟ ଅଛି।
ଅତଏବ ସାହିତ୍ୟକୁ ଗାଆଁରୁ ଦୂରେଇ ରଖିବାକୁ ଚେଷ୍ଟା କରିବା ସାରା ସମାଜ ଲାଗି ଆତ୍ମଘାତୀ ପ୍ରମାଣିତ ହେବ। କହିବାର ଅଛି, ଆମେ ସମସ୍ତେ ବାଲିଘର ଖେଳ ଖେଳିବାକୁ ପ୍ରୟାସୀ, ହେଲେ ବାଲି ଆଉ କାଇଁ? ଗାଆଁ ଆଡ଼େ କ˚କ୍ରିଟ୍ ମାଡ଼ିଚାଲିଛି ଦ୍ରୁତ ଗତିରେ।