ସେ ପାନ୍ଥଶାଳାର କାନ୍ଥରେ ଅଙ୍ଗାରରେ ଲେଖା ହେଉ ଅବା ନିଜ ଫୋନ୍, ବାଇକ, କାର୍‌ ବା ଘର ଆଗର କି ଶ୍ମଶାନର ଫଳକରେ ହେଉ, ମନୁଷ୍ୟର ନାଆଁଟି ହେଉଛି ତାର ସବୁଠାରୁ ପ୍ରିୟ ଏକ ଅଦୃଶ୍ୟ ସମ୍ପଦ। ଜଣକର ପରିଚୟ ପାଇଁ ଓ ତାକୁ ପ୍ରତ୍ୟକ୍ଷ ଭାବରେ ଜାଣିବା ପାଇଁ ପ୍ରାଥମିକ ଆବଶ୍ୟକତା ହେଉଛି ତାର ନାଆଁ। ନାଆଁଟି ହେଉଛି ଜଣକର ବ୍ୟକ୍ତିସତ୍ତା ଓ ପରିଚୟ ମଧ୍ୟରେ ଏକମାତ୍ର ସଂଯୋଜକ।
ପିଲାଟି ଜନ୍ମ ନେବା ପରେ ପରେ ପିତାମାତା ନିଜର ରୁଚି ଓ ଖିଆଲ ଅନୁସାରେ ତାକୁ ନାଆଁଟିଏ ପିନ୍ଧାଇ ଦିଅନ୍ତି ଏବଂ ସେହି ଦିନଠାରୁ ସେ ଅନ୍ୟଠାରୁ ଅଲଗା ବୋଲି ଏକ ପରିଚୟ ପାଇଯାଏ। ବିଡ଼ମ୍ବନା ଯେ, ନିଜର ସବୁଠାରୁ ପ୍ରିୟ ନାଆଁଟିକୁ ମନୁଷ୍ୟ ନିଜେ ନିର୍ବାଚିତ କରିପାରେନା। ସେଇ ପିତୃଦତ୍ତ ନାଆଁଟିକୁ ଜୀବନସାରା ବୋହିବାକୁ ପଡ଼େ; କାରଣ ନାଆଁ କେବଳ ଏକ ଆବରଣ ନୁହେଁ ଯେ, ତାକୁ ସୁବିଧା ଅନୁସାରେ ବାହାର କରି ଫିଙ୍ଗିଦେଇ ହେବ। ନାଆଁଟି ହେଉଛି ଶରୀର ସହିତ ଲାଗି ରହିଥିବା ଏମିତି ଏକ କୁର୍ତ୍ତା ଯାହାକୁ ବିନା କ୍ଷତାକ୍ତ ହୋଇ ଜଣେ କାଢ଼ି ଦେଇ ପାରିବନି।

Advertisment

ସମସ୍ତେ କିନ୍ତୁ ନିଜ ନାଆଁକୁ ନେଇ ଖୁସି ନଥାନ୍ତି। ଝୁମ୍ପା ଲାହିରୀଙ୍କ ଉପନ୍ୟାସ ‘ନେମସେକ୍’ର ଚରିତ୍ର ଗୋଗଲକୁ ମନେପକାନ୍ତୁ। ଆତ୍ମପରିଚୟ ଖୋଜୁଥିବା ଏଇ ଯୁବକଟି ପିତୃଦତ୍ତ ନାଆଁରେ ଖୁସି ନହୋଇପାରି ନିଜ ନାଆଁକୁ ବଦଳେଇ ଦେଇଛି ଓ ସ୍ବ-ନିର୍ବାଚିତ ନାମ ‘ନିଖିଲ’ ମାଧ୍ୟମରେ ଆତ୍ମ ପରିଚୟ ଖୋଜି ଅସଫଳ ହୋଇଛି।

ଏ ନାଆଁଟି ସତରେ କ’ଣ? ନାଆଁର ସୃଷ୍ଟି କେବେଠାରୁ? ଜନ୍ ଷ୍ଟୁଆର୍ଟ ମିଲ ତାଙ୍କ ପୁସ୍ତକ ‘ସିଷ୍ଟମ ଅଫ୍ ଲଜିକ୍’ରେ ନାଆଁର ବ୍ୟାଖ୍ୟାକରି ଲେଖିଛନ୍ତି, “ନାଆଁ ହେଉଛି ଏପରି ଏକ ଶଦ୍ଦ, ଯାହା ନାମଧାରୀଙ୍କ ସମ୍ପର୍କରେ ପଦଟିଏ ବି ନକହି କେବଳ ସେ କିଏ, ତାହା ଦର୍ଶାଇ ଦେଇଥାଏ”। ନାଆଁର ସୃଷ୍ଟି କେବେଠାରୁ ତାହା ଅଜଣା। ଆଦିମାନବ ହୋମୋ ଇରେକ୍ଟସ୍ କିମ୍ବା ହୋମୋ ହାବିଲିସ୍, ଯେଉଁମାନେ ପ୍ରଥମେ ଭାଷାର ଉଦ୍ଭାବନ କରିଥିବେ, ସେଇମାନେ ହିଁ ହୁଏତ ନାଆଁ ଦେବା ପ୍ରଥମେ ଆରମ୍ଭ କରିଥିବେ। ପୁରାଣର ସେ ସ୍ବୟମ୍ଭୂବମନୁ ହୁଅନ୍ତୁ ବା ଆଦମ୍ ହୁଅନ୍ତୁ, ସେ ଦୁଇଜଣ ହେଲେ ପ୍ରଥମ ନାମଧାରୀ ଏକ ଏକ ପୌରାଣିକ ମାନବ ଚରିତ୍ର। ଇତିହାସର ପ୍ରମାଣ ଅନୁସାରେ ମେସୋପଟାମିଆ ଅଞ୍ଚଳରେ ଚାରିହଜାର ବର୍ଷ ପୂର୍ବର ‘ଉର୍କ’ ସଭ୍ୟତା ସମୟର ଆବିଷ୍କୃତ ଏକ ମୃତ୍ତିକା ଫଳକରେ ଲିଖିତ ନାମ “କୁସିମ୍” ହେଉଛି ପ୍ରଥମ ପ୍ରମାଣସିଦ୍ଧ ମାନବ ନାଆଁ।

ନାଆଁରୁ ବ୍ୟକ୍ତିର ଲିଙ୍ଗ, ସମାଜ, ସଂସ୍କୃତି, ଧର୍ମ ଓ ଜନ୍ମସ୍ଥାନ ଆଦିର ପରିଚୟ ମିଳିଥାଏ। ପିତାମାତା ସିନା ନାଆଁଟିଏ ଦେଇଦିଅନ୍ତି, ନିଜର ପରିଚୟ ନିଜେ ହିଁ ସୃଷ୍ଟି କରିବାକୁ ପଡ଼େ। ପରିଚୟ ହେଉଛି ନାଆଁ ସହିତ ଯୋଡ଼ା ଆତ୍ମବିବରଣୀ ଯାହାଦ୍ବାରା ଜଣେ ଅନ୍ୟଠାରୁ ପୃଥକ ବାରି ହୋଇ ପଡ଼େ। ରୋମାନ ଭାଷାରେ କଥାଟିଏ ଅଛି, “ନୋମେନ୍ ଏଷ୍ଟ୍ ଓମେନ”। ଅର୍ଥ, ନାମ ହିଁ ଭାଗ୍ୟର ନିୟନ୍ତ୍ରକ। ନାଆଁ ଦ୍ବାରା ବ୍ୟକ୍ତିତ୍ବ ମଧ୍ୟ ପ୍ରଭାବିତ ହୁଏ। ‘ଜର୍ନାଲ ଅଫ୍ ପର୍ସନାଲିଟି ଏଣ୍ଡ ସୋସିଆଲ ସାଇକଲୋଜି’ ପତ୍ରିକାରେ ପ୍ରକାଶିତ ଏକ ସନ୍ଦର୍ଭ ଅନୁସାରେ ଜନ୍ମହେବା ମାତ୍ରେ ମନୁଷ୍ୟ କିଛି ସାମାଜିକ ଢାଞ୍ଚା ମଧ୍ୟ ଦେଇ ବଡ଼ ହୁଏ। ଏହା ମଧ୍ୟରେ ସେ ନିଜ ପାଇଁ ନାଆଁଟିଏ ପାଇବା ଅନ୍ୟତମ। ସେଇ ନାଆଁକୁ ନେଇ ବ୍ୟକ୍ତିଟି ନିଜକୁ ଚିହ୍ନେ ଓ ନିଜର ନାଆଁକୁ ଭଲପାଇବା ଶିଖେ। ସମାଜର ଢାଞ୍ଚାଗତ ପ୍ରଭାବ ନାଆଁ ମାଧ୍ୟମରେ ହିଁ ବ୍ୟକ୍ତିଟି ଉପରେ ପଡ଼ିଥାଏ। ଉଦାହରଣ ସ୍ବରୂପ, ନାଆଁ ଯଦି ହିଟ୍‌ଲର ରଖାଯିବ, ପିଲାଟି ହିଟ୍‌ଲର ବିଷୟରେ ଜାଣିବା ପରେ ତାର ଅଜାଣତରେ ହିଟ୍‌ଲରଙ୍କ ଚେହେରା ଓ ଚରିତ୍ରର ପ୍ରଭାବ ପିଲାଟି ଉପରେ କିଛି କିଛି ପଡ଼ିବ। ଏହା ହେଉଛି ‘ଡୋରିଆନ୍ ଗ୍ରେ ଇଫେକ୍ଟ’। ଠିକ୍ ଅସ୍କାର ୱାଇଲ୍‌ଡଙ୍କ ଉପନ୍ୟାସ ‘ଦ ପିକ୍‌ଚର ଅଫ୍ ଡୋରିଆନ୍ ଗ୍ରେ’ର କାହାଣୀ ପରି। ଏହି ଉପନ୍ୟାସରେ ସୌମ୍ୟଦର୍ଶନ ଡୋରିଆନ୍ ଗ୍ରେ ଅନେକ କୁକାର୍ଯ୍ୟରେ ସଂପୃକ୍ତ ରହିଥିଲେ ମଧ୍ୟ ତାର ଚେହେରା ଓ ଚରିତ୍ର ଉପରେ ସେସବୁ କୁକର୍ମର ପ୍ରଭାବ ନପଡ଼ି ପଡ଼ିଛି ତାର ଚିତ୍ରପଟ ଉପରେ। କୁକର୍ମ ବଢ଼ିବା ସହିତ ଚିତ୍ରଟି କ୍ରମଶଃ କଦାକାର ହୋଇଚାଲିଛି। ଦିନେ ଚିତ୍ରଟିର କଦାକାର ଚେହେରାରେ ଅତିଷ୍ଠ ହୋଇ ସେ ଏହାକୁ ନଷ୍ଟ କରିଦେବାରୁ ତା’ ନିଜସ୍ବ ଚେହେରା ଚିତ୍ରଟି ପରି କଦାକାର ପାଲଟି ଯାଇଛି। ଅନେକ ସମୟରେ ମଧ୍ୟ ନାଆଁ ସହିତ ବ୍ୟକ୍ତି ଜୀବନର ବିରୋଧାଭାସ ପରିଲକ୍ଷିତ ହୁଏ। ଭିକାରି ନାମଧାରୀ ବ୍ୟକ୍ତି ଧନବାନ ହୋଇପାରେ ବା ସରସ୍ବତୀ ନାମ୍ନୀ ଝିଅଟି ମୂର୍ଖୁଣୀ। ଜଣେ ବ୍ୟକ୍ତି ଯଦି ନାଆଁ ତାର ସଦ୍ଦାମ ହୁସେନ କୁହେ ଆମକୁ ହଠାତ୍‌ ଏକ ଚମକ ଲାଗେ। ଜଣକୁ ତା ନାଆଁ ଧରି ଡାକିଦେଲେ ଚିହ୍ନୁ କି ନଚିହ୍ନୁ, ସେ ଖୁସି ହୋଇଯାଏ। ବ୍ୟକ୍ତି ତା’ ନିଜ ନାମଧାରୀ ଅନ୍ୟ ଜଣକୁ ଭେଟିଲେ ଆନନ୍ଦିତ ହୁଏ ଓ ଏକ ଅଦୃଶ୍ୟ ଆକର୍ଷଣ ତା’ ପ୍ରତି ଆସିଥାଏ। ଏହାକୁ ମନସ୍ତତ୍ତ୍ବରେ କୁହାଯାଏ ‘ଇମ୍ପ୍ଲିସିଟ୍ ଇଗୋଟିଜିମ୍ ଇଫେକ୍ଟ’। ନାଆଁ ସହିତ ସମାଜର ସମ୍ପର୍କ ଅତି ନିବିଡ଼। ଗୋଟିଏ ଧର୍ମାବଲମ୍ବୀ ଅନ୍ୟ ଧର୍ମର ନାଆଁଟିଏ ରଖିଲେ ସମାଜରେ ଗ୍ରହଣୀୟ ହୁଏ ନାହିଁ।

ସମସ୍ତେ ଚାହାନ୍ତି ଅନ୍ୟର ନାଆଁ ପଛରେ ରଖି ନିଜର ନାଆଁ ଆଗକୁ କରିବାକୁ। ବେଳେ ବେଳେ ଏମିତି ବି ପରିସ୍ଥିତି ଆସେ ଯେ, ନିଜ ନାଆଁର ସୁରକ୍ଷା ପାଇଁ ଅନ୍ୟର ନାଆଁ ଆଗକୁ ଠେଲି ଦିଆଯାଏ। ସୁନାମ ହେଉ ବା ଦୁର୍ନାମ, ତାହା ପ୍ରତ୍ୟେକ ନାଆଁ ପଛରେ ସର୍ବଦା ଗୋଡ଼ାଇଥାଏ। କାହାର ନାଆଁ ଶୁଣିଲେ ପିଳେହି ପାଣି ହୁଏ’ତ, କିଏ ପିଲାକୁ ଡରାଏ,‘‘ଶୋଯା, ବରନା ଗବ୍‌ବର ଆଯାୟେଗା”। ମୃତ୍ୟୁ ପରେ ମଧ୍ୟ ନାଆଁ ଶେଷ ହୋଇଯାଏ ନାହିଁ। ରମାକାନ୍ତ ରଥଙ୍କ କବିତାଟିଏ ଅଛି, “ସଂସାର କେଡ଼େ ନିଷ୍ଠୁର! ମୁଁ ତା’ ଘର ଛାଡି ଚାଲିଆସିବା ପରେ ବି ଟେକା ଫିଙ୍ଗିଚାଲିଛି ପଛରୁ। କିଏ ସେ ଖଣ୍ଡିଆ ହେବ? ମୋ ନାଆଁ? ମୁଁ କ’ଣ ନାଆଁ ଭିତରେ ଅଛି ଯେ ଏବେ ଧାର ଧାର ରକ୍ତ ବୋହିଯିବ ମୋ ଦେହରୁ?”
ଭଲ ନାଆଁଟିଏ କମେଇବା ଯେତିକି କଷ୍ଟ, ସେଇ ସୁନାମ ଟିକକ ବଜାୟ ରଖିବା ଆହୁରି ଦୁରୂହ। ଆଉ ଯଦି ନାଆଁଟି ଇତିହାସ ରଚିଦେଲା, ତା’ହେଲେ ସେଇ ନାଆଁଠୁ ବଳି ସୁନ୍ଦର ଆଉ ନାଆଁ କାଇଁ? ଏ ସବୁ ସତ୍ତ୍ୱେ ବି ସେକ୍‌ସପିୟରଙ୍କ ଜୁଲିଏଟ୍ ତା’ ରୋମିଓକୁ ପଚାରିଥିବା ପ୍ରଶ୍ନର ସଠିକ ଉତ୍ତର ନା ମୋ ପାଖରେ ଅଛି ନା ଆପଣଙ୍କ ପାଖରେ: “ନାଆଁରେ କ’ଣ ଥାଏ? ଆମେ ଯାହାକୁ ଗୋଲାପ କହୁ, ତାକୁ ଅନ୍ୟ ଯେ କୌଣସି ନାଆଁ ଦେଲେ ସୌନ୍ଦର୍ଯ୍ୟ ତାର ସେତିକି ହିଁ ରହିବ”। ହଁ, ଶବ ଜଳିଯିବା ପରେ ଜଣାପଡ଼େ ସେ ନାଆଁରେ କ’ଣ ଅଛି।

ମୋ: ୯୩୩୭୬୪୮୬୩୮