ବିଜୁୁ ପଟ୍ଟନାୟକ ଭାରତର ରତ୍ନ : ଅବକ୍ଷୟହୀନ ଉଦ୍ଦାମତା

ଦେବଦାସ ଛୋଟରାୟ

ବିଜୁ ପଟ୍ଟନାୟକ କେବଳ ଯେ ସର୍ବଭାରତୀୟ ସ୍ତରର ତୁଙ୍ଗ ନେତା ରୂପେ ପରିଚିତ ଥିଲେ, ତାହା ନୁହେଁ, ସେ ଥିଲେ ଦୁର୍ଦମନୀୟ ସାହସିକତାର ‘ମେଟାଫର’, ଯାହାର ପ୍ରଭାବ ଏ ରାଷ୍ଟ୍ରର ସୀମାନ୍ତ ଅତିକ୍ରମ କରି ବ୍ୟାପି ଯାଇଥିଲା ଇଣ୍ଡୋନେସିଆକୁ, ରୁଷିଆକୁ। ସେଥି ଲାଗି ତାଙ୍କ ଶବାଧାର ଉପରେ ଭାରତର ଜାତୀୟ ପତାକା ସହିତ ରୁଷ୍‌ ଏବଂ ଇଣ୍ଡୋନେସିଆର ଜାତୀୟ ପତାକା ମଧ୍ୟ ଢଙ୍କା ଯାଇଥିଲା। ଯଥାର୍ଥରେ ସେ ଥିଲେ ଭାରତର ଏକ ରତ୍ନ। ଏଭଳି ଜଣେ ବିରଳ ବ୍ୟକ୍ତିିତ୍ବଙ୍କୁ ସମ୍ମାନ ଜଣାଇ ତାଙ୍କ ଜୟନ୍ତୀରେ ‘ସମ୍ବାଦ’ ପକ୍ଷରୁ ଏହି ସ୍ବତନ୍ତ୍ର ଉପସ୍ଥାପନା।

ଓଡ଼ିଆ ଜନମାନସରେ ବିଜୁବାବୁ ଥିଲେ ସାରା ଜୀବନ ଏକ ଉଦ୍ଦାମତାର ପ୍ରତୀକ। ସେ ଉଦ୍ଦାମତା ଏକ ଝଡ଼ର ଉଦ୍ଦାମତା। ବିପ୍ଳବର ଆକାଶରେ ସେପରି ଏକ ଝଡ଼କୁ ଦେଖି ସଚ୍ଚି ରାଉତରାୟ ଥରେ ଲେଖିଥିଲେ, ‘ଏଇ ଯେ ଆସୁଚି ଝଡ଼, ସଖୀ ତାରେ କର ନମସ୍କାର’। ଅବଶ୍ୟ ତାଙ୍କର ନମସ୍କାର ସମବୟସୀ ବିଜୁବାବୁଙ୍କ ପ୍ରତି ନୁହେଁ, ଏହା ଥିଲା ସାମ୍ୟବାଦର କ୍ରାନ୍ତି ପାଇଁ। ବିଜୁବାବୁ କିନ୍ତୁ ଝଡ଼ ଥିଲେ, ଦ୍ୱିତୀୟ ମହାଯୁଦ୍ଧ ବେଳେ ବ୍ରିଟିସ୍‌ମାନଙ୍କର ପରାକ୍ରମୀ ଯୁଦ୍ଧ ଜାହାଜ ‘ସ୍ପିଟ୍‌ ଫାୟାର୍‌’ର ଦୁର୍ବାର ଗତିର, ଯାହାକୁ ଚଲେଇବାର ସୁଯୋଗ କ୍ୱଚିତ୍‌ କୌଣସି ଭାରତୀୟ ପାଇଲଟ୍‌କୁ ମିଳୁଥିଲା। ତାଙ୍କର ସେଇ ଉଦ୍ଦାମତା ଜୀବନର ବିଭିନ୍ନ ଅବକାଶରେ ଦେଖିବାକୁ ମିଳିଥିଲା। ଏପରିକି ୧୯୭୧ ମସିହାରେ ସଂଘଟିତ ଗୋଟିଏ ନିର୍ବାଚନରେ, ଲୋକସଭା ଓ ବିଧାନସଭାକୁ ମିଶାଇ ଚାରିଟି ଆସନରୁ ଏକାଥରକେ ହାରିଲା ପରେ ବି। ଯାହାଙ୍କ ମରଶରୀରକୁ ଅନ୍ତିମ କ୍ଷଣରେ ଭାରତ, ଇଣ୍ତୋନେସିଆ ଓ ରୁଷିଆର ଜାତୀୟ ପତାକାରେ ଆଚ୍ଛାଦିତ କରାଯାଇଥିଲା, ୧୯୬୩ ମସିହାରେ Walles Hangenଙ୍କ ଲିଖିତ ‘After Neheru Who’ ବହିରେ ଯେଉଁ ଏକମାତ୍ର ଓଡ଼ିଆର ଚର୍ଚ୍ଚା ହୋଇଥିଲା ଭାରତର ଭାବୀ ପ୍ରଧାନମନ୍ତ୍ରୀ ହିସାବରେ, େସଭଳି ବିଜୁଙ୍କର ମଧ୍ୟ ଭ୍ରଷ୍ଟାଚାର ଅଭିଯୋଗରେ, ଇନ୍‌କ୍ବାରି କମିସନ୍‌ରେ ବିଚାର ଚାଲିଥିଲା। ଥରେ ସେଥିରେ ସାକ୍ଷ୍ୟ ଦେଲା ବେଳେ, ତତ୍‌କାଳୀନ ଆଡ୍‌ଭୋକେଟ୍‌ ଜେନେରାଲ୍‌ ‘ବିଜୁ ପଟ୍ଟନାୟକ କୋଟି କୋଟି ଟଙ୍କା ଖାଇଯାଇଛନ୍ତି’ ବୋଲି ମନ୍ତବ୍ୟ କରିବାରୁ, ବିଜୁବାବୁ ସାମାନ୍ୟ ବ୍ୟଙ୍ଗର ସହିତ, ‘ଆଚ୍ଛା କହିଲ, କୋଟିଏ ଟଙ୍କା ଲେଖିଲା ବେଳେ ଏକରେ କେତେଟା ଶୂନ ଲାଗେ?’ ବୋଲି ପଚାରି ତାଙ୍କୁ ହତବାକ୍‌ କରିେଦଇଥିଲେ। ବିଜୁବାବୁ ସବୁକଥାରେ ଶେଷ ବାକ୍ୟଟି କହୁଥିଲେ। ତାଙ୍କର ଜୀବନର ଶେଷ ପର୍ଯ୍ୟନ୍ତ ଜୟପରାଜୟ ଲାଗିରହିଥିଲା, କିନ୍ତୁ ସେଥିରେ ସବୁବେ‌େଳ ଉଦ୍ଦାମତା ଥିଲା, ଅବକ୍ଷୟ ନଥିଲା।

ବିଜୁବାବୁ ରେଭେନ୍ସା କଲିଜିଏଟ୍‌ ସ୍କୁଲର ଛାତ୍ର ଥିଲାବେଳେ, ଥରେ ନିକଟବର୍ତ୍ତୀ ସ୍ୱରାଜ ଆଶ୍ରମ ସାମ୍ନାରେ କିଛି ସ୍ୱାଧୀନତା ଆନ୍ଦୋଳନର ସତ୍ୟାଗ୍ରହୀ ଛାତ୍ର, ସେଠି ବ୍ରିଟିସ୍‌ ବିରୋଧୀ ନାରା ଦେଇ ପିକେଟିଂ କରୁଥିଲାବେଳେ କଟକ ପୁଲିସ୍‌ ସେମାନଙ୍କୁ ପିଟି ଘୋଷାଡ଼ି ଓ ନର୍ଦ୍ଦମା ଭିତରକୁ ଠେଲିଦେଲା ଫଳରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏ ସବୁ ଘଟିଥିଲା କଟକର ପୁଲିସ୍‌ ସୁପରିଟେଣ୍ଡେଣ୍ଟ୍‌ ଲେନ୍‌ ସାହେବଙ୍କର ଉପସ୍ଥିତିରେ। ଏତିକିବେଳେ ଦେଖାଗଲା,ଦେଖଣାହାରୀଙ୍କ ଭିଡ଼କୁ ଦୁଇହାତରେ ଭାଗକରି ଖଟ୍‌ଖଟ୍‌ କରି ମାଡ଼ିଆସୁଚନ୍ତି, ତରୁଣ ବିଜୁ ପଟ୍ଟନାୟକ, କଲିଜିଏଟ୍‌ ସ୍କୁଲ୍‌ର ଏକାଦଶ ଶେଣୀର ଛାତ୍ର। ଗୌରବର୍ଣ୍ଣ, ସୁଦର୍ଶନ ଓ ସେ ଭିଡ଼ ଭିତରେ ସବୁଠୁ ଡେଙ୍ଗା। ପରିଧାନ ଧଳା ଧୋତି ଉପରେ ସିଲ୍‌କ କୁର୍ତ୍ତା ଓ ପାଦରେ ଜୋତା । ସେତେବେଳେ ହାଫ୍‌ କି ପୂରା ପ୍ୟାଣ୍ଟ ପିନ୍ଧିବାର ରେୱାଜ୍‌ ଆରମ୍ଭ ହୋଇନଥିଲା। ତରୁଣ ବିଜୁ ତାଙ୍କ ସ୍ବଭାବ ସୁଲଭ ଉଦ୍ଧତ ଚାଲିରେ, Lane ସାହେବଙ୍କ ସାମ୍ନାରେ ପହଞ୍ଚି, ତାଙ୍କ ଆଖିରେ ଆଖି ମିଶାଇ ପ୍ରଶ୍ନ କଲେ, ‘What’s going on here?’ ଏତେ ଔଦ୍ଧତ୍ୟ ବରଦାସ୍ତ କରିବାର ଶକ୍ତି, ଇ˚ରେଜ ଏସ୍‌.ପି ଲେନ୍‌ ସାହେବଙ୍କର ନଥିଲା, ବିଶେଷତଃ ମଧ୍ୟାହ୍ନର ପ୍ରଜ୍ଜ୍ବଳିତ ଖରାରେ, ରାସ୍ତା ଉପରେ ଠିଆହୋଇଥିଲା ବେଳେ। ସେ ପ୍ରତ୍ୟୁତ୍ତରରେ କିଛି ନକହି, ତାଙ୍କ ହାତରେ ଧରିଥିବା ପୁଲିସ୍‌ ବ୍ୟାଟନ୍‌ରେ ବିଜୁଙ୍କୁ ଏକ ଶକ୍ତ ପ୍ରହାର କଲେ। ବିଜୁ ନିଜର ରିଫ୍ଲେକ୍‌ସରେ ମୁହଁ ବୁଲାଇେଦଇ ବ˚ଚିଗଲେ ସିନା, କିନ୍ତୁ କପାଳ ଫାଟି ସାମ୍ନାପଟ ଝର‌୍‌ଝର‌୍‌ ରକ୍ତରେ ତାଙ୍କର ରୁମାଲ୍‌ ଆଉ କୁର୍ତ୍ତା ଓଦା ହୋଇଗଲା। ହେଲେ ବିଜୁ ସେଠୁ ଅପସରି ଯିବା ପୂର୍ବରୁ, ଲେନ୍‌ଙ୍କ ପ୍ରତି ତାଙ୍କର ଜ୍ବାଳାମୟ ଦୃଷ୍ଟି ନିକ୍ଷେପ କରି କହିଲେ, ‘ଠିକ୍‌ ଅଛି, I will see you soon !’ କିଛି ଦିନ ଭିତରେ ଲେନ୍‌ ସାହେବ ବଦଳି ହେଇଗଲେ। କିନ୍ତୁ ସେଥିରେ ବିଜୁଙ୍କ ସ୍ବରାଜ ଆଶ୍ରମ ଘଟଣାର କୌଣସି ସମ୍ପର୍କ ଥିଲା ବୋଲି ସଠିକ୍‌ କହିହବନି। ହେଲେ ବିଜୁ, ଶୁଣାଯାଏ, ତାଙ୍କ ପ୍ରତିଶୋଧ ନେଇଥିଲେ, କଟକର ଫୁଟ୍‌ବଲ୍‌ କ୍ଲବ୍‌ସବୁଙ୍କ ସହିତ ପୁଲିସ୍‌ର ମ୍ୟାଚ୍‌ ବେଳେ, ଯେଉଁଠି ସେ ତାଙ୍କ ଲମ୍ବାଗୋଡ଼ରେ ଏକ କିକ୍‌ ମାରି, ଲେନ୍‌ ସାହେବଙ୍କ ଆଣ୍ଠୁ ଜଖମ କରିେଦଇଥିଲେ। ସେ’ଟା ଫାଉଲ୍‌ ଥିଲା କି ନା ଜଣାନାହିଁ। ଏ ଥିଲା ବିଜୁ ପଟ୍ଟନାୟକଙ୍କର ଔଦ୍ଧତ୍ୟର ଆଶୁ ପ୍ରମାଣ।

ମୁଁ ନିେଜ ଯେତେବେ‌େଳ ବିଜୁ ବାବୁଙ୍କୁ ପ୍ରଥମ ଥର ପାଇଁ ଦେଖିଲି, ସେତେବେ‌େଳ ବୋଧ ହୁଏ ୧୯୬୦ ମସିହା। ବିଜୁବାବୁ ସେଦିନ କାଠଯୋଡ଼ି କୂଳକୁ କାହିଁକି ଯାଇଥିଲେ, କହିପାରିବିନି, କିନ୍ତୁ ବୁରୁଜ ଉପରେ ଲୋକଭିଡ଼, ବଢ଼ିପାଣି ଆଉ ପବନର ଶବ୍ଦ ଭିତରେ, ବିନା ମାଇକ୍‌ ଓ ଲାଉଡ୍‌ ସ୍ପିକର‌୍‌ରେ, ଏକ ଅପରିକଳ୍ପିତ ଭାଷଣ ଦେବାକୁ ବାଧ୍ୟ ହୋଇଥିଲେ, ଯାହା ତା’ ପରଦିନ ଖବରକାଗଜରେ ହେଡ୍‌ଲାଇନ୍‌ ହୋଇଥିଲା। ବିଜୁବାବୁ କହିଥିଲେ, ‘ମୁଁ କଟକକୁ ବମ୍ବେ ଓ କାଠଯୋଡ଼ି କୂଳକୁ ମେରିନ୍‌ ଡ୍ରାଇଭ୍‌ କରିଦବାକୁ ଚାହେଁ।’ କଥାଟା ଆରମ୍ଭ ହୋଇଥିଲା ନିମ୍ନ ପ୍ରକାରରେ। ବିଜୁବାବୁଙ୍କ ତରୁଣ ଅବସ୍ଥାରେ, ଓଡ଼ିଶାର ଜଣେ ବର୍ଷୀୟାନ୍‌ ସ୍ବାଧୀନତା ସ˚ଗ୍ରାମୀ, କାଠଯୋଡ଼ି କୂଳରେ ବଢ଼ି ସମୟରେ ସାନ୍ଧ୍ୟ ଭ୍ରମଣ କରୁଥିଲା ବେଳେ, ତାଙ୍କ ଛତାଟି ପବନରେ ଉଡ଼ି ନଈ ପାଣିରେ ପଡ଼ିଗଲା। ନିକଟରେ ଥିବା ବିଜୁବାବୁ ଏ ଅବସ୍ଥାରେ, ଯାହା ପିନ୍ଧିଥିଲେ ସେ’ୟା ପିନ୍ଧି, ନଈ ଭିତରକୁ ଡେଇଁପଡ଼ିଲେ ଆଉ ପହଁରିଯାଇ ଛତାଟି ଉଦ୍ଧାର କରିଆଣି ତାଙ୍କୁ େଦଲେ। ଏ ପରାକ୍ରମରେ ଅଭିଭୂତ ହୋଇ ସେ ବୟୋବୃଦ୍ଧ ଜଣକ ତାଙ୍କ ପିଠି ଆଉଁସି ପଚାରିଥିଲେ, ‘ବିଜୁ ତମେ ବଡ଼ ହୋଇ କ’ଣ କରିବ?’ ବିଜୁ ବାବୁ କହିଥିଲେ, ‘ ମୁଁ ନୂଆ ଓଡ଼ିଶା ତିଆରି କରିବାର ସ୍ବପ୍ନ ଦେଖିବି।’ ସେଇ କ୍ରମରେ ବିଜୁବାବୁ ୧୯୬୦ ମସିହାରେ କାଠଯୋଡ଼ି ବଡ଼ବୁରୁଜ ଉପରେ ଠିଆ ହୋଇ କହିଲେ, ‘ମତେ ଯଦି ସ୍ବପ୍ନ ଦେଖିବାର ଅଛି, ତେବେ ମୁଁ ଏକ ଦରିଦ୍ର ସ୍ବପ୍ନ କାହିଁକି ଦେଖିବି? ମୁଁ କେବଳ ବିରାଟ ସ୍ବପ୍ନ ସବୁ ହିଁ ଦେଖିବି। ମୋ ସ୍ବପ୍ନରେ କାଠଯୋଡ଼ି କୂଳ ମେରିନ୍‌ ଡ୍ରାଇଭ୍‌ ହେବା’

୧୯୬୩ରୁ ୧୯୭୭, ଦୀର୍ଘ ଚଉଦ ବର୍ଷ ବିଜୁବାବୁ କ୍ଷମତାରେ ନଥିଲେ। କିନ୍ତୁ ଓଡ଼ିଶାର ଜନଜୀବନ ଓ ରାଜନୀତିରେ ତାଙ୍କର ପ୍ରତିପତ୍ତି ପ୍ରାୟତଃ ଅକ୍ଷୁଣ୍ଣ ଥିଲା। ୧୯୬୪ରେ ଭୁବନେଶ୍ବରରେ ଜାତୀୟ କ˚ଗ୍ରେସର ସାଧାରଣ ଅଧିବେଶନର ମୁଖ୍ୟ ପୁରୋଧା ସେ ହିଁ ଥିଲେ। ଅବଶ୍ୟ ଅସୁସ୍ଥ ନେହରୁଙ୍କୁ ପଶ୍ଚିମ ଓଡ଼ିଶାରୁ ଟିକରପଡ଼ା ଦେଇ, ଭୁବନେଶ୍ବର ପର୍ଯ୍ୟନ୍ତ ବୁଲେଇ, ଅଯଥା ପରିଶ୍ରାନ୍ତ କରିବାର ଦୋଷ ନିନ୍ଦୁକମାନେ ବିଜୁବାବୁଙ୍କୁ ଦିଅନ୍ତି। କାରଣ ଓଡ଼ିଶାରୁ ଫେରିଲା ପରେ ହିଁ ନେହରୁଙ୍କର ଦେହାନ୍ତ ହେଇଥିଲା। ନିଃସନ୍ଦେହରେ କୁହାଯାଇପାରେ ଯେ ନେହରୁ ତାଙ୍କ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିତ୍ବର ଆକର୍ଷଣରୁ ମୋହମୁକ୍ତ ହୋଇପାରି ନଥିଲେ ।

୧୯୬୩ ମସିହାରେ, ନେହରୁଙ୍କ ମୃତ୍ୟୁର ବର୍ଷେ ପୂର୍ବରୁ ଆମେରିକାର ଜର୍ଣ୍ଣାଲିଷ୍ଟ, Walles Hengenଙ୍କର ‘After Neheru Who?’ ବୋଲି ଗୋଟିଏ ବହି ବାହାରି ଚହଳ ପକାଇଥିଲା। ସେ ବହିରେ ନେହରୁଙ୍କର ଉତ୍ତରାଧିକାରୀ ଭାବେ ଶାସ୍ତ୍ରୀ, ନନ୍ଦା, କୃଷ୍ଣ ମେନନ୍‌, ମୋରାରଜୀ ଏପରିକି ଇନ୍ଦିରା ଗାନ୍ଧୀଙ୍କ ଉଲ୍ଲେଖ ତ ଥିଲା, କିନ୍ତୁ ଆଶ୍ଚର୍ଯ୍ୟର କଥା, Walles Hengen ଏତେ ପୁରୁଖା ଲୋକଙ୍କ ଭିଡ଼ରେ, ସମ୍ଭାବନାର dark horse ଭାବରେ, ଓଡ଼ିଶାର ନବୀନ, ପ୍ରଗତିଶୀଳ ଏବ˚ ଦୁଃସାହସୀ ବିଜୁ ପଟ୍ଟନାୟକଙ୍କର ନାମ ମଧ୍ୟ ଉଲ୍ଲେଖ କରିଥିଲେ। ଭାଗ୍ୟର ବିଡ଼ମ୍ବନା ଯେ ବିଜୁବାବୁଙ୍କ ଜୀବନର ଅନ୍ତ ପର୍ଯ୍ୟନ୍ତ ଏ ସମ୍ଭାବନା କେବଳ ସମ୍ଭାବନା ହିଁ ରହିଗଲା। ଯଦିିଓ ଏ ଲକ୍ଷ୍ୟର ସବୁଠୁ ବେଶି ନିକଟବର୍ତ୍ତୀ ସେ ହୋଇଥିଲେ, ୧୯୯୬ ମସିହାରେ, ଭାରତର ଏକାଦଶ ଲୋକସଭାର ଦ୍ବିତୀୟ ସରକାର ଗଠନ ବେଳେ। ଏକ ଦୁର୍ବଳ ବହୁମତ ସରକାରରେ, କର୍ଣ୍ଣାଟକର ଦେବଗୌଡ଼ା ମାତ୍ର ୧୬ ଜଣ ଏମ୍‌ପିଙ୍କ ସହାୟତାରେ ପ୍ରଧାନମନ୍ତ୍ରୀ ହୋଇଗଲେ। ଓଡ଼ିଶାର ଦୁର୍ଭାଗ୍ୟ ଯେ ସେତେବେଳେ ଜନତା ଦଳର ଓଡ଼ିଶା ରାଜ୍ୟରୁ ନିର୍ବାଚିତ ଏମ୍‌ପିଙ୍କ ସ˚ଖ୍ୟା ବିଜୁବାବୁଙ୍କୁ ମିଶାଇ ଥିଲା ମାତ୍ର ଚାରି। କିନ୍ତୁ ବିଜୁବାବୁଙ୍କ ପରି ତୁଙ୍ଗ ନେତା ସେତେବେଳେ ଭାରତରେ ଆଉ କେହି ନଥିଲେ।

ବିଜୁବାବୁଙ୍କର ଦର୍ପର ଆଉ ଏକ ଜୀବନ୍ତ ପ୍ରମାଣ ମୁଁ ପାଇଥିଲି, ୧୯୭୮ ମସିହାରେ ଧାନବାଦର କଲେକ୍ଟର ଥିଲାବେଳେ। ମୋରାରଜୀ ଦେଶାଇଙ୍କର ଜନତା ପାର୍ଟି ସରକାରରେ, ଇସ୍‌ପାତ୍‌ ଓ କୋଇଲା ମନ୍ତ୍ରୀ ହିସାବରେ, ସେ ଚାସ୍‌ନାଲା ଓ ଜିତ୍‌ପୁର‌୍‌ କୋଲ୍‌ମାଇନ୍‌ସର ପରିଦର୍ଶନରେ ଆସିଥିଲେ। ଦେଶରେ ଷ୍ଟିଲ୍‌ପ୍ଲାଣ୍ଟ୍‌ମାନଙ୍କ ପାଇଁ ଉଚ୍ଚମାନର କୋକିଙ୍ଗ୍‌ କୋଲ୍‌ (Coaking Coal) ମିଳୁନଥିବା ହେତୁ, ବିଜୁବାବୁ ଅଷ୍ଟ୍ରେଲିଆରୁ କୋଲ୍‌ ଆମଦାନି କରିବାର ପ୍ରସ୍ତାବ ରଖିଥାନ୍ତି। ତେଣୁ ଧାନବାଦର ବଳିଷ୍ଠ କମ୍ୟୁନିଷ୍ଟ ଇଉନିୟନ୍‌ସବୁ, ବିଶେଷକରି ଏ.କେ.ରାୟଙ୍କର CITU, ତା’ର ତୀବ୍ର ବିରୋଧ କରୁଥାଏ। ଚାସ୍‌ନାଲା ଓ ଜିତ୍‌ପୁର ଧାନବାଦ କୋଲ୍‌ଫିଲ୍‌ଡର ସବୁଠୁ ଶ୍ରେଷ୍ଠ କୋକିଙ୍ଗ୍‌ କୋଲ୍‌ମାଇନ୍‌ସ ହିସାବରେ ଗଣା ହୁଅନ୍ତି। ବିଜୁବାବୁ ସେମାନଙ୍କର ଉତ୍ପାଦନର ସ୍ଥିତି ନିରୀକ୍ଷଣ କରିବାକୁ ଆସିଥାନ୍ତି। ପରିସ୍ଥିତି ସରଗରମ ଥାଏ। ରାସ୍ତା ସାରା ଲାଲ୍‌ ପତ‌ାକାଧାରୀ ଖାଦାନ ଶ୍ରମିକମାନେ ଏକାଠି ହେଉଥାନ୍ତି।

ବିଜୁବାବୁ ପହଞ୍ଚିଲା ବେଳକୁ, ଦିନ ଏଗାରଟା ବାଜିଥିବ ବୋଧହୁଏ, ଚାରିଆଡ଼େ ଉଜ୍ଜ୍ବଳ ଖରା, ଏକ ଅପ୍ରୀତିକର ଅବସ୍ଥା ସୃଷ୍ଟି ହେଲା। ସେ ଗୋଟିଏ ଛୋଟ ଉଡ଼ାଜାହାଜରୁ ଓହ୍ଲାଇଚନ୍ତି କି ନାହିଁ, ତଳେ ଫୁଲମାଳ ଧରି ଠିଆହୋଇଥିବା କିଛି ଜନତା ଦଳ ସମର୍ଥକ, ତାଙ୍କୁ ଦେଖିଲା ମାତ୍ରେ ସମ୍ମିଳିତ ସ୍ଲୋଗାନ୍‌ ଦେଲେ, ‘ବିଜୁ ପଟ୍ଟନାୟକ ଜିନ୍ଦାବାଦ୍‌’ ଆଉ ତା’ ସହିତ ମୋ’ ଆଡ଼କୁ ଚାହିଁ, ତା’ଠୁ ବଡ଼ ପାଟିରେ ‘DC ମୁର୍ଦ୍ଦାବାଦ୍’। ମୁଖ୍ୟମନ୍ତ୍ରୀ ବା କେନ୍ଦ୍ରର କୌଣସି କ୍ୟାବିନେଟ୍‌ ମନ୍ତ୍ରୀ ଜିଲ୍ଲାକୁ ଆସିଲେ, ପ୍ରୋଟୋକୋଲ୍‌ ଅନୁଯାୟୀ, DC ନିଜେ ଆସି ସ୍ବାଗତ କରିବା କଥା। ମୁଁ ଉଡ଼ାଜାହାଜରୁ ଲମ୍ବିଆସିଥିବା ସିଡ଼ି ତଳେ ବିଜୁ ବାବୁଙ୍କୁ ପାଛୋଟି ନବା ପାଇଁ ଛିଡ଼ା ହୋଇଚି, ମୋ’ ପଛରେ ଏସ୍‌.ପି, ଏତିକି ବେଳେ ସେ ‘ଜିନ୍ଦାବାଦ୍‌’ ‘ମୁର୍ଦ୍ଦାବାଦ୍’ ଆୱାଜ୍‌ ବାରମ୍ବାର ଶୁଭିଲା।

ବିଜୁବାବୁ ଓହ୍ଲାଉ ଓହ୍ଲାଉ ଅବସ୍ଥାର ଆକଳନ କରିନେଲେ। ମତେ ଭେଟିବାର ପୂର୍ବରୁ, ସେଇ ପାହାଚ ମଝିରେ ଛିଡ଼ାହୋଇ ସେ ଗୋଟେ ଗର୍ଜନ କଲେ, ’‘Oh, Shut up’। ଭିଡ଼ ସାଙ୍ଗେ ସାଙ୍ଗେ ଚୁପ୍‌ ହେଇଗଲା। ତାଙ୍କ ପାଖରୁ ଫୁଲମାଳ ନେଲା‌େବଳେ, ସେ ଆଉ ପରସ୍ତେ ଗାଳି ଦେଲେ ଓ ତା’ ପରେ ଆମ ସାଙ୍ଗରେ ବାହାରି ଚାଲିଗଲେ। ସୁରକ୍ଷା ଦୃଷ୍ଟିରୁ ବିଜୁବାବୁଙ୍କ ବ୍ୟବହାର ପାଇଁ ଜିଲ୍ଲା ପ୍ରଶାସନ ହିଁ ଗାଡ଼ି େଦଇଥିଲା। କିନ୍ତୁ ବିଜୁବାବୁ ଆସି ମୋ’ ଗାଡ଼ିର ପଛ ସିଟ୍‌ରେ ମୋ ପାଖରେ ବସିଲେ ଓ ସାମ୍ନାରେ ବସିଥିବା ସୁରକ୍ଷା ଅଫିସରକୁ ପଛ ଗାଡ଼ିରେ ଆସିବାକୁ କହିଲେ। ବିଜୁବାବୁଙ୍କ ଗାଡ଼ି ସମ୍ପୂର୍ଣ୍ଣ ନିରସ୍ତ୍ର ହେଇଯିବାର େଦଖି ସାମ୍ନାରେ ପାଇଲଟ୍‌ କରୁଥିବା ଧାନବାଦର ଏସ୍‌.ପି ଟିକେ କ୍ଷୁଣ୍ଣ ହେଲେ ଅବଶ୍ୟ, କିନ୍ତୁ ବିଜୁବାବୁଙ୍କ ଉପରେ କିଏ କଥା କହିବ!

ମୋ’ ଗାଡ଼ିରେ ପଶୁପଶୁ ବିଜୁବାବୁ ହଠାତ୍‌ ଦାନ୍ତ ଚିପି କହିଲେ, ‘Bloody fools’। ମୁଁ ଚମକି ପଡ଼ିଲି, କିନ୍ତୁ ସାଙ୍ଗେ ସାଙ୍ଗେ ବୁଝିଲି ଯେ, ତାଙ୍କର ଗାଳି ସେ ସ୍ଲୋଗାନ୍‌ ଦେଇଥିବା ବିଶୃଙ୍ଖଳ ପାର୍ଟି ୱାର୍କରଙ୍କ ପ୍ରତି ଉଦ୍ଦିଷ୍ଟ ଥିଲା। ଗାଡ଼ି ଚାଲିଲା। ଆମେ ଦୁହେଁ ପଛରେ ବସିଥାଉ। ବିଜୁବାବୁ ତାଙ୍କର ସେହି ଚିରାଚରିତ ଧଳା ଧୋତି ପଞ୍ଜାବିରେ। ମୁଁ କେନ୍ଦ୍ରମନ୍ତ୍ରୀଙ୍କ ସମ୍ମାନାର୍ଥେ ଗୋଟିଏ ଅଫ୍‌ ହ୍ବାଇଟ୍‌ raw silkର ଗଳାବନ୍ଦ ପିନ୍ଧିଥିଲି। ପ୍ରାୟ ସାତ ମିନିଟ୍‌ ନିରବରେ ଗାଡ଼ିରେ ଗଲା ପରେ ବିଜୁବାବୁ ଗୋଟେ ସିଗ୍ରେଟ୍‌ ଧରାଇ, ଟିକେ ସହଜ ହୋଇ, ମତେ ହଠାତ୍‌ ଓଡ଼ିଆରେ ପଚାରିଲେ, ‘ତୁ କୋଉଠି ପଢୁଥିଲୁ?’ ବିଜୁ ବାବୁ ମୋ’ ସାଙ୍ଗେ ଗାଡ଼ି ଭିତରେ ଅବଶ୍ୟ କଥାହେବେ ବୋଲି ମୁଁ ଭାବିଥିଲି, କିନ୍ତୁ ଏ ପ୍ରଶ୍ନର ପ୍ରତ୍ୟାଶା ନଥିଲା। ମୁଁ ଟିକେ ଅପ୍ରତିଭ ହୋଇ କହିଲି, ‘କଲିଜିଏଟ୍‌ ସ୍କୁଲ୍‌, ପୁଣି ରେଭେନ୍‌ସା କଲେଜ୍‌ା’ ଦୁଇଟିଯାକ ବିଜୁବାବୁଙ୍କ ପ୍ରାକ୍ତନ ଶିକ୍ଷାନୁଷ୍ଠାନ। ତେଣୁ ମୁଁ ଭାବୁଥିଲି କଥା ଆଉ କିଛି ବଢ଼ିବ। ସେ କିନ୍ତୁ ତା’ପରେ ନା କିଛି ବ୍ୟକ୍ତିଗତ କଥା ନା କୋଇଲା କ୍ଷେତ୍ରର ବହୁଚର୍ଚ୍ଚିତ ରାଜନୀତି ବିଷୟରେ ପଚାରିଲେ। ସେ ଖାଲି ଚୁପ୍‌ଚାପ୍‌ ସିଗ୍ରେଟ୍‌ ଟାଣି ଚାଲିଲେ।

ଆମ ଗାଡ଼ି ସବୁ କିଛିଟା ଝାଡ଼ଜଙ୍ଗଲ ରାସ୍ତା ଦେଇ ଜିତ୍‌ପୁର‌୍‌ କୋଲିଆରି ପାଖାପାଖି ହେଲା ବେଳେକୁ ଦେଖାଗଲା ଯେ, ରାସ୍ତାର ଦୁଇ କଡ଼ରେ ଚାଲୁଥିବା ଲାଲ୍‌ପତାକାଧାରୀଙ୍କ ଭିଡ଼ କ୍ରମଶଃ ଜମାଟ ବାନ୍ଧିଆସିଲାଣି। ଏମାନେ ସବୁ CITU ୟୁନିୟନ୍‌ର ଲୋକ ବୋଲି ଡ୍ରାଇଭର‌୍‌ଟି କହିଲା। କ୍ରମଶଃ ଆମ ଗାଡ଼ିର ଗତି ମନ୍ଥର ହୋଇଗଲା। ଦୁଇକଡ଼େ କେବଳ ଲାଲ୍‌ ପତାକା ନୁହେଁ, ଦ୍ବିପ୍ରହରର ତାତିଲା ଖରାରେ ଶହଶହ ଖାଦାନ ଶ୍ରମିକ ବେଲ୍‌ଚା ଓ କୋଦାଳ ଧରି ଛିଡ଼ାହୋଇଥାନ୍ତି ଓ ସରକାର ବିରୋଧୀ ସ୍ଲୋଗାନ୍‌ େଦଉଥାନ୍ତି। ଏଭଳି ଭିଡ଼ ଉଗ୍ର ଓ ହି˚ସ୍ରକ ହେଲେ, ତାଙ୍କୁ କେବଳ ପୁଲିସ୍‌ ଲାଠିରେ ମୁକାବିଲା କରିହେବ ନାହିଁ, ଗୁଳିଚାଳନାର ଆବଶ୍ୟକତା ମଧ୍ୟ ପଡ଼ିପାରେ। ଜିତ୍‌ପୁର‌୍‌ କୋଲିଆରି ଆହୁରି ଦୁଇ ତିନି କିଲୋମିଟର ଅଛି, ରାସ୍ତା ପ୍ରାୟ ଅବରୁଦ୍ଧ ହୋଇଗଲା। ସାମ୍ନାର ସୁରକ୍ଷା ଜିପ୍‌ରେ ପାଇଲଟ୍‌ କରୁଥିବା ଧାନବାଦର ଏସ୍‌.ପି, ଗାଡ଼ିରୁ ଓହ୍ଲେଇ ପଡ଼ି, ଯେଉଁ ଗାଡ଼ିରେ ବିଜୁବାବୁ ବସିଥିଲେ, ତା’ର କଡ଼େକଡ଼େ ତାଙ୍କ ୟୁନିଫର୍ମରେ ଲାଗିଥିବା ପିସ୍ତଲ୍‌ର ହୋଲ୍‌ଷ୍ଟର‌୍‌ ଉପରେ ହାତ ରଖି ଚାଲିଲେ। ଲ’ ଆଣ୍ତ ଅର୍ଡର‌୍‌ର ଜବାବଦେହୀ ମୋର ମଧ୍ୟ ସମାନ ଭାବରେ ଥିବା ହେତୁ, ମୁଁ ବି ଗାଡ଼ିରୁ ଓହ୍ଲେଇପଡ଼ି ଏସ୍‌.ପିଙ୍କ ସହିତ ପାଦରେ ଚାଲିଲି। ସେ ସରଗରମ ପରିସ୍ଥିତି ଯେକୌଣସି ସମୟରେ ଅଣାୟତ୍ତ ହୋଇପାରେ, ଏମିତି ବାରମ୍ବାର ଲାଗୁଥିଲା।

ଏହି ସମୟରେ, ଗାଡ଼ିର ପଛ ସିଟ୍‌ର ବାଁକଡ଼େ ବସିଥିବା ବିଜୁବାବୁ ହଠାତ୍‌ ନିଜେ କବାଟ ଖୋଲି ବାହାରି ଆସିଲେ। କିନ୍ତୁ ରାସ୍ତା ଉପରକୁ ନୁହେଁ। ଆଣ୍ଠୁ ପର୍ଯ୍ୟନ୍ତ ଗାଡ଼ି ଭିତରେ ଥାଏ, ଏପଟେ ପୂରା ଶରୀର ଗାଡ଼ିର ଅଧାଖୋଲା ଦର୍ଜା ଉପରେ ଭରା ଦେଇ, ଅଳ୍ପ ବାଙ୍କି ଯାଇ ଗାଡ଼ିର ଛାତ ଉପରକୁ ଉଠିଯାଇଥାଏ। ବିଜୁବାବୁ ଦୀର୍ଘାଙ୍ଗ। ସେଥିରେ ସେ ତାଙ୍କ ହାତ ଟେକି, ରୁମାଲ୍‌ ହଲାଇ, ଦୁଇକଡ଼ର ଜନତାଙ୍କୁ ହସିହସି ସମ୍ଭାଷଣ କଲାବେଳେ ଲାଗିଲା ଯେମିିତି ସେ ରଣପା ଉପରେ ଠିଆ ହୋଇଆସୁଚନ୍ତି। ତାଙ୍କର ଏ ପ୍ରଦର୍ଶନ ଦେଖି, ଇନ୍‌କିଲାବ୍‌ ଜିନ୍ଦାବାଦ୍‌ କରୁଥିବା କୋଇଲା ମଜଦୁରମାନଙ୍କ ଭିତରେ ଖୁସିର ଏକ ହିଲ୍ଲୋଳ ଖେଳିଗଲା। ଯଦିଓ ତାଙ୍କର କୋଲିଆରି ନିରୀକ୍ଷଣ କଥା ଶୁଣି ବିରୋଧୀ ଟ୍ରେଡ୍‌ ୟୁନିୟନ୍‌ ଏକ ବିକ୍ଷୋଭର ଆୟୋଜନ କରିଥିଲେ, କିନ୍ତୁ ସାଧାରଣ ଶ୍ରମିକମାନଙ୍କ ଭିତରେ, ତାଙ୍କ ହାତରେ ଧରିଥିବା ବେଲ୍‌ଚା କୋଦାଳ ସତ୍ତ୍ବେ, ଆକ୍ରୋଶ ଅପେକ୍ଷା ବେଶିଥିଲା କୌତୂହଳ ଓ ମନ୍ତ୍ରୀଙ୍କୁ ଦେଖିବାର ଉତ୍ସୁକତା। ଭିଡ଼ର ମନସ୍ତତ୍ତ୍ବ ଜାଣିବାରେ ପାରଙ୍ଗମ ବିଜୁବାବୁ ଏ ପରିସ୍ଥିତିର ପୂରା ଫାଇଦା ଉଠାଇଲେ। କେବଳ ଶ୍ରମିକ ନୁହଁନ୍ତି, ରାସ୍ତା ଦୁଇକଡ଼ରେ ଥିବା ଅଧିବାସୀ, ଛକବଜାରର ଦୋକାନୀ, କଲୋନିରେ ରହୁଥିବା ପରିବାରର ମହିଳାମାନେ, ଯେଉଁମାନେ ମନ୍ତ୍ରୀଙ୍କ ପଟୁଆର ଦେଖିବା ଲାଗି ଭିଡ଼ ବାନ୍ଧିଥିଲେ, ସେମାନେ ଏ ଦୃଶ୍ୟ ଦେଖି ସ୍ତମ୍ଭୀଭୂତ। ସେଠି ପୁଲିସ ହୁଅନ୍ତୁ ବା ପେସାଦାର‌୍‌ ଗୁଣ୍ତା, ଭିଡ଼ ଭିତରେ ଯିଏ ଥିଲେ, ସେ ବିଜୁବାବୁଙ୍କ ଦର୍ପ ଦେଖି ତାଜୁବ୍‌ ହୋଇଗଲେ। ନା କୌଣସି ବିରୋଧ ରହିଲା, ନା କୌଣସି ହଙ୍ଗାମା। ରାସ୍ତା ସୁରୁଖୁରୁରେ ଖୋଲିଗଲା। ଗାଡ଼ି ଭିତରୁ କବାଟ ଖୋଲି, ତିନି ଭାଗ ବାହାରି, ବିଜୁ ବାବୁ ଅମିତାଭ ବଚ୍ଚନ ପରି ହାତ ହଲାଇ, ଦୁଇକଡ଼ର ଦେଖଣାହାରୀଙ୍କ ଉଚ୍ଛ୍ବସିତ ତାଳି ସହିତ କୋଲିଆରୀ ଗେଟ୍‌ ଭିତରେ ପଶିଗଲେ। ବିନା ଅଘଟଣରେ ଦାୟିତ୍ବ ନିର୍ବାହ ହୋଇଗଲା ବୋଲି ହସହସ SP, ମତେ ପ୍ରାୟ ଅଧା କୁଣ୍ଢେଇ କହିଲେ ‘DC ସାହାବ୍‌, କ୍ୟା ଗଜବ୍‌ ହୁଆ, ହମ୍‌ ଆଜ୍‌ ମାନ୍‌ଗୟେ ଆପକା ବିଜୁ ପଟ୍ଟନାୟକ୍‌ କୋ।’

ଆଲାମଚାନ୍ଦ ବଜାର, କଟକ

ସମ୍ବନ୍ଧିତ ଖବର