ଏକବିଂଶ ଶତାବ୍ଦୀରେ ପୃଥିବୀର ପ୍ରାୟ ସମସ୍ତ ଦେଶ ପାଇଁ ସବୁଠାରୁ ବଡ଼ ସମସ୍ୟା ଭାବେ ଜଳ ସଂକଟ ମୁଣ୍ଡ ଟେକିଛି। ଗତ ଏକ ଶତାବ୍ଦୀ ମଧ୍ୟରେ ଯେଉଁ ହାରରେ ଜନସଂଖ୍ୟା ବୃଦ୍ଧି ପାଇଛି ଜଳ ଖର୍ଚ୍ଚ ତାହାର ଦୁଇଗୁଣାରୁ ଅଧିକ ବେଗରେ ବୃଦ୍ଧି ପାଇଛି। ବାସ୍ତବରେ ସାମଗ୍ରିକ ଭାବେ ଦେଖିଲେ ପୃଥିବୀରେ ସମସ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ମଧୁର ଜଳ ଗଚ୍ଛିତ ହୋଇ ରହିଛି, କିନ୍ତୁ ଭୌଗଳିକ ତଥା ମାନବକୃତ କାରଣରୁ ଜାତୀୟ ଓ ଆଞ୍ଚଳିକ ସ୍ତରରେ କେଉଁଠି ପାଣିର ପ୍ରାଚୁର୍ଯ୍ୟ ରହୁଛି ତ ଆଉ କେଉଁଠି ପାଣି ନିଅଣ୍ଟ ପଡୁଛି। ଜଳର ଅପବ୍ୟୟ, ପ୍ରଦୂଷଣ ଓ ଅପରିଣାମଦର୍ଶୀ ପରିଚାଳନା ଏହି ସମସ୍ୟାକୁ ଆହୁରି ଉଗ୍ର କରିବାରେ ଲାଗିଛି। ଏହା ଫଳରେ ବିଭିନ୍ନ ସ୍ଥାନ ମଧ୍ୟରେ ଜଳ ତାରତମ୍ୟ ଦିନକୁ ଦିନ ବୃଦ୍ଧି ପାଉଛି।
ଆଜି ପୃଥିବୀର ଦୁଇ-ତୃତୀୟାଂଶ ଲୋକ ଅତି କମ୍ରେ ବର୍ଷର ଗୋଟିଏ ମାସ ଉତ୍କଟ ଜଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦୁଇ ଶହ କୋଟି ଲୋକ ଏଭଳି ଦେଶରେ ବସବାସ କରନ୍ତି ଯେଉଁଠାରେ ଜଳ ସମସ୍ୟା ଗମ୍ଭୀର ସ୍ଥିତିରେ ପହଞ୍ଚିଲାଣି। ୨୦୫୦ ବେଳକୁ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକଙ୍କ ସଂଖ୍ୟା ୪୮ରୁ ୫୭ କୋଟି ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି। ଏଭଳି ଜଳ ସମସ୍ୟାର ସମ୍ମୁଖୀନ ହେଉଥିବା ଜନସଂଖ୍ୟାର ୭୩% ଏସିଆରେ ବସବାସ କରନ୍ତି। ଚରମ ଜଳ ସଙ୍କଟ ଯୋଗୁ ୨୦୩୦ ସୁଦ୍ଧା ବିଶ୍ବର ପ୍ରାୟ ୭୦ କୋଟି ଲୋକଙ୍କୁ ନିଜର ବାସସ୍ଥାନ ଛାଡ଼ିବାକୁ ପଡ଼ିବ ବୋଲି ଅନୁମାନ କରାଗଲାଣି। ପୃଥିବୀ ସାରା ଦ୍ରୁତ ସହରୀକରଣ ସହିତ ସୀମିତ ପ୍ରାକୃତିକ ଜଳ ଉତ୍ସ ଉପରେ ଚାପ ବୃଦ୍ଧି ପାଇବାରେ ଲାଗିଛି। ତା’ ସାଙ୍ଗକୁ ଜଳବାୟୁ ପରିବର୍ତ୍ତନ, ଜୀବାଶ୍ମ ଇନ୍ଧନର ଚାହିଦା ବୃଦ୍ଧି, ବିକାଶ ଓ ଜଳର ଅାବଶ୍ୟକତା ମଧ୍ୟରେ ଥିବା ସମ୍ପର୍କକୁ ଅଧିକ ଜଟିଳ କରିବାର ଆଶଙ୍କା ସୃଷ୍ଟି ହେଲାଣି। ତେଣୁ ଭାରତ ଭଳି ଦେଶ ପାଇଁ ଏହାର ମୁକାବିଲା କରିବା ଆଗକୁ ଅଧିକ କଷ୍ଟକର ହେବାକୁ ଯାଉଛି।