ନିକଟରେ ଭଦ୍ରକରେ ମୋର ଜଣେ ପଡ଼ୋଶୀଙ୍କ ପତ୍ନୀଙ୍କର ଦେହାନ୍ତ ହେଲା। ଅଚାନକ, ଅପ୍ରତ୍ୟାଶିତ ଯେମିତି ମୃତ୍ୟୁ ସଚରାଚର ଆସିଥାଏ- ଠିକ୍ ସେମିତି। କୌଣସି ପ୍ରାକ୍ ସୂଚନା ନ ଦେଇ। ସେଦିନ ସକାଳେ ସିନ୍ଦୁରା ଫାଟିବା ପୂର୍ବରୁ ଚିର ପରିଚିତ କଲିଂ ବେଲ୍ର ମଧୁର ରାଗିଣୀ ଲାଗୁଥିଲା ସମ୍ପୂର୍ଣ୍ଣ ଅପରିଚିତ- ଅସମୟରେ ବାଜୁଥିବା କଲିଂ ବେଲ୍ର ସଂଗୀତ ସେଦିନ କିନ୍ତୁ କର୍କଶ ସ୍ୱରରେ ଏକ ଦୁଃଖଦ ବାର୍ତ୍ତା ବହନ କରୁଥିଲା। ଦୁଆର ଆର ପଟରେ ପଡ଼ୋଶୀ ଦୋରା ବାବୁଙ୍କର ଝିଅ। ଆଖିର ଭାଷା ଦେଖି ବୁଝିବା ପାଇଁ ବିଳମ୍ବ ହେଲା ନାହିଁ ଯେ ସମସ୍ୟା ନିଶ୍ଚୟ ଭୀଷଣ ଗମ୍ଭୀର। କହିବାକୁ ଚେଷ୍ଟା କରି ବାରମ୍ବାର ବିଫଳ ହେଉଥିଲା ସେ। ପ୍ରଥମ ଥର ଲାଗି ସେମାନଙ୍କର ବେଡ୍ ରୁମ୍ ଭିତରକୁ ଯାଇ ଦେଖିଲି ଖଟ ଉପରେ ଶ୍ରୀମତୀ ଦୋରା, ସତେ ଯେମିତି ନିଦରୁ ଉଠି ନାହାନ୍ତି। ଝିଅଟା ସମ୍ଭବତଃ ଅକାରଣରେ ବ୍ୟସ୍ତ ହୋଇ ଉଠିଛି। କିନ୍ତୁ ନା। ଅଳ୍ପ କିଛି ମୁହୂର୍ତ୍ତ ମଧ୍ୟରେ ଶ୍ରୀମତୀ ଦୋରାଙ୍କର ପ୍ରତିକ୍ରିୟା ବିହୀନ ନିଥର ନିଶ୍ଚଳ ଦେହ ଦେଖି ସ୍ୱତଃ ମନକୁ ସନ୍ଦେହ ଆସିଥିଲା। ତରତର ହେଇ ଶ୍ରୀମତୀ ଦୋରାଙ୍କର ଚିକିତ୍ସା ଲାଗି ଯଥା ସମ୍ଭବ ଚେଷ୍ଟା କଲୁ। ଡାକ୍ତରଖାନା ନେବାରେ କିମ୍ବା ଡାକ୍ତରବାବୁଙ୍କର ଉଦ୍ୟମରେ ଯେ ବିଳମ୍ବ ହୋଇଥିଲା- ତାହା ନୁହଁ। ଅଳ୍ପ କିଛି ସମୟର ପରୀକ୍ଷା ନିରୀକ୍ଷା ପରେ ଡାକ୍ତର ଆମ ସମସ୍ତଙ୍କର ଦୁଶ୍ଚିନ୍ତା, ପ୍ରଶ୍ନବାଚୀର ଅନ୍ତ ଘଟାଇ ଘୋଷଣା କଲେ- ମେସିଭ କାର୍ଡିଆକ୍ ଆରେଷ୍ଟ। ସେତେବେଳକୁ ଗତକାଲିର ଚଳଚଂଚଳ ଶ୍ରୀମତୀ ଦୋରା ଏକ ନିର୍ଜୀବ ନିର୍ବାକ ବସ୍ତୁ ମାତ୍ର! ପୁଅ ଅହମଦାବାଦରେ, ସ୍ୱାମୀ ରାଇରଙ୍ଗପୁରରେ। ବି ଟେକ୍ ପଢ଼ନ୍ତା ଝିଅର ଅସହାୟତା ଓ ଏକ କ୍ରୂର ବାସ୍ତବତାକୁ ସାମ୍ନା କରିବାର ପ୍ରଚେଷ୍ଟାକୁ ମୁଁ ଲକ୍ଷ୍ୟ କରୁଥିଲି ଯାହା।
ଶ୍ରୀମତୀ ଦୋରା ଆମ ପଡ଼ୋଶୀ ହୋଇ ଆସିଥିଲେ ୪-୫ ବର୍ଷ ତଳେ। ସାଧାରଣ ସରଳ ତାଙ୍କର ବ୍ୟବହାର ଓ ଜୀବନଶୈଳୀ। ତାଙ୍କର ତେଲୁଗୁ ମିଶା ଓଡ଼ିଆ ଭାଷାକୁ ସମସ୍ତେ ଉପଭୋଗ କରନ୍ତି। ଆମ ସାହିରେ ସମସ୍ତଙ୍କର ପ୍ରିୟ ଥିଲେ ସେ- ଏପରିକି ନିୟମିତ ବ୍ୟବଧାନରେ ଆସୁଥିବା ମୁଢ଼ିବାଲା ଓ ଧୁପବାଲାଙ୍କ ପାଖରେ ମଧ୍ୟ। ବାଟରେ ଘାଟରେ ସାକ୍ଷାତରେ ସେ ସମସ୍ତଙ୍କର ଶୁଭ ମନାସନ୍ତି, ଭଲ ମନ୍ଦ ପଚାରି ବୁଝନ୍ତି।
ମାତ୍ର ସେଦିନ ପଡ଼ୋଶୀମାନଙ୍କ ମଧ୍ୟରେ କିଛି- ଯେଉଁମାନେ ଗତକାଲି ଯାଏ ତାଙ୍କୁ ଅଧିକ ଭଲପାଉଥିଲେ- ସେମାନେ ହିଁ ଅବ୍ୟକ୍ତ କାରଣରୁ ଦୁଃଖିତ ହେବା ବଦଳରେ ଅଧିକ ବ୍ୟତିବ୍ୟସ୍ତ ହୋଇଉଠୁଥିଲେ। ସେମାନଙ୍କ ପାଖରେ ଇତି ମଧ୍ୟରେ ତାଙ୍କର ପ୍ରିୟ ମାଉସୀ, ନାନୀ, ଭାଉଜ, ମାଡାମ ‘ଡେଡ୍ବଡି’ରେ ପରିଣତ ହୋଇ ସାରିଥିଲେ। କେମିତି ରନ୍ଧା ବଢ଼ା, ପୂଜା ପାଠ ହେବ- ତା’ ପ୍ରତି ଥିଲା ସମସ୍ତଙ୍କର ତୀକ୍ଷ୍ଣ ନଜର। କେତେ ଶୀଘ୍ର ‘ଶବ’ ଉଠିବ ଓ ତାଙ୍କର ନିତ୍ୟ ନୈମିତ୍ତିକ ଜୀବନ ଯାତ୍ରା ଆରମ୍ଭ ହେବ- ତାହା ହିଁ ଥିଲା ପ୍ରମୁଖ ପ୍ରସଙ୍ଗ।
ଦୋରା ପରିବାରକୁ ସମବେଦନା ଜଣାଇବାକୁ ଆସିଥିବା ଆଉ କେତେକ ଦୁଃଖରେ ପାଖରେ ଛିଡ଼ା ହେବା ପରିବର୍ତ୍ତେ ନିଜ ନିଜର ଦୁଃଖର ଅବତାରଣା କରିବା ଲାଗି ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ କରିଦେଇଥିଲେ। କିଏ ତାଙ୍କର ଆଣ୍ଠୁ ଗଣ୍ଠି ବ୍ୟଥାର ବିବରଣୀ ଦେବା ବେଳକୁ ଆଉ କେହି ନିଜ ନିଜ ଅଭିଜ୍ଞତା ବଖାଣି ପ୍ରତ୍ୟେକ ରୋଗର ବିଶେଷଜ୍ଞ ହେବାର ପରୋକ୍ଷ ଦାବି କରିବା ପାଇଁ ପଛାଉ ନ ଥିଲେ। ପୁଣି ଆଉ କେହି ଏହି ସୁଯୋଗରେ ନିଜ ପୁଅ, ଝିଅ, ଜ୍ୱାଇଁଙ୍କର ସଫଳତାର କାହାଣୀ ଶୁଣାଇବାରେ ବ୍ୟସ୍ତ। ଅନ୍ୟ ଜଣେ ଭଦ୍ର ମହିଳା ନିଜ ପୁତ୍ର ଶୋକକୁ ସମ୍ବରଣ କରି ନ ପାରି ଭୋ ଭୋ କାନ୍ଦି ପକାଇଲେ।
ଅହମଦାବାଦରୁ ଆସି ଭଦ୍ରକ ପହଂଚିବାକୁ ବିଳମ୍ବ କରୁଥିବା ପୁଅ- ଯିଏ କି ତା’ ମା’କୁ ବୋଧହୁଏ ୬ ମାସ ତଳେ ଶେଷ ଥର ପାଇଁ ଦେଖିଥିଲା- ସମସ୍ତ ରୋଷର କାରଣ ପାଲଟି ଯାଇଥିଲା। କାହିଁକି ଉଡ଼ାଜାହାଜର ସଂଖ୍ୟା ବଢ଼ୁନାହିଁ ଓ ସେଥି ଲାଗି ଏଭଳି ଘଟଣାମାନଙ୍କରେ ପଡ଼ୋଶୀମାନଙ୍କୁ ଘଣ୍ଟା ଘଣ୍ଟା ଧରି ଭୋକ ଓପାସରେ ରହିବାକୁ ପଡୁଛି- ତାହାହିଁ ଥିଲା ଆଲୋଚନାର ମୁଖ୍ୟ ପ୍ରସଙ୍ଗ। ଏପରିକି କିଛି ଆଗନ୍ତୁକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏଥିଲାଗି ଦାୟୀ କରିବାକୁ ପଛାଇ ନଥିଲେ।
ବିଳମ୍ବିତ ଅପରାହ୍ଣରେ ପୁଅ ଆସି ପହଞ୍ଚିଲା। ମା’କୁ କୁଣ୍ଢାଇ ମନ ଭରି କାନ୍ଦିବା ପରେ ହିଁ ଶ୍ରୀମତୀ ଦୋରାଙ୍କର ଶବ ଉଠିଲା। ଆରମ୍ଭ ହେଲା ଶ୍ରୀମତୀ ଦୋରାଙ୍କର ଅନ୍ତିମ ଯାତ୍ରା। ସ୍ୱସ୍ତିର ନିଃଶ୍ୱାସ ପକାଇଲେ ସମସ୍ତେ। ଗୋବରପାଣି ଛିଂଚି ଘର ଭିତରକୁ ପ୍ରବେଶ କଲେ ଶ୍ରୀମତୀ ଦୋରାଙ୍କର ଶୁଭେଚ୍ଛୁ। ଶକ୍ତିଶାଳୀ ଗୋବରପାଣି ସମସ୍ତ ସମ୍ପର୍କ, ସମସ୍ତ ସ୍ମୃତି ଧୋଇ ଧାଇ ପରିଷ୍କାର କରି ଜୀବନଶୈଳୀକୁ ପୂର୍ବବତ୍ ଚଲାଇବାର କ୍ଷମତା ରଖିଥିଲା। ଏଥି ସହିତ ଶେଷ ହୋଇଗଲା ଗୋଟିଏ ଭଲ ଲୋକ ସହିତ ଯୋଡ଼ି ହୋଇଥିବାର ଅଗଣିତ ମିଠା ଅନୁଭୂତି, ସକାଳ ସଂଧ୍ୟାର ୱାକ୍, ଦ୍ବିପ୍ରହର ନାରିମହଲ ଗପ, ବଜାର ହାଟ- ସବୁ। ଏବେ ବନ୍ଧୁମାନେ ଡରୁଛନ୍ତି ତାଙ୍କର ଆତ୍ମାକୁ- କାଳେ ସେହି ଆତ୍ମା ସମସ୍ତଙ୍କୁ ଗୋଡ଼ାଇବ। କିଏ କହିଲା ମଙ୍ଗଳବାର ରାତିରେ ଯାଇଛନ୍ତି, ଏକ ପାଦିଆ ପୁଷ୍କର ଲାଗିଛି। ଅନ୍ୟ ଜଣେ ମତ ଦେଲେ ଘରଟାର ବାସ୍ତୁ ଦୋଷ ଥିଲା। ସେଥିପାଇଁ ଏଭଳି ଅକାଳ ମୃତ୍ୟୁ। ଆମେ ଯେ କୌଣସି ସମୟରେ, ଯେ କୌଣସି ପରିସ୍ଥିତିରେ ଅନ୍ୟକୁ ମୁକ୍ତ ହସ୍ତରେ ନିଃଶୁଳ୍କ ପରାମର୍ଶ ଉପଦେଶ ବାଣ୍ଟୁ। ତାହା ଗ୍ରହୀତା ଗ୍ରହଣ କରୁ ବା ନ କରୁ। ତାକୁ ଭଲ ଲାଗୁ ବା ନ ଲାଗୁ।
କିନ୍ତୁ କାଲିର ପ୍ରିୟ ନାନୀ, ମାଉସୀ, ମାଡାମଙ୍କ ପାଇଁ କାହାରି ନଥିଲା ଦୁଃଖ କିମ୍ବା ସମ୍ମାନ। ନ ଥିଲା ସାମାନ୍ୟ ସମବେଦନା। ସାମ୍ନାରେ ପ୍ରଶଂସାରେ ପୋତି ପକାଉଥିବା ମଣିଷଗୁଡ଼ା ତାଙ୍କ ଅବର୍ତ୍ତମାନରେ କେଡ଼େ ଅକୃତଜ୍ଞ ହୋଇ ଉଠୁଥିଲେ ତାହା ହିଁ ଲକ୍ଷ୍ୟ କରିବାର ଥିଲା। ମଣିଷ ବୋଧହୁଏ ଏଭଳି ଛଳନା କରିପାରେ। ଜନ୍ମ ଯଦି ଏକ ସତ୍ୟ, ମୃତ୍ୟୁ ମଧ୍ୟ ଅନ୍ୟ ଏକ ସତ୍ୟ। ଆମେ ବିଜ୍ଞାନ ବହିରେ ଜନ୍ମ ମୃତ୍ୟୁ ବିଷୟରେ ପଢ଼ୁଛୁ। ପିଲାଙ୍କୁ ପଢ଼ାଉଛୁ। ମାତ୍ର ଏକବିଂଶ ଶତାବ୍ଦୀରେ ମଧ୍ୟ ସେହି ଅଜ୍ଞାନତା ମଧ୍ୟରେ ରହିଯାଇଛୁ। ଏହି ଭୟାନକ ଅଜ୍ଞାନତା ଆବଶ୍ୟକ ପଡ଼ିଲେ ଆମକୁ ନିଜର ଦୀର୍ଘ ଦିନର ସମ୍ପର୍କକୁ ଜଳାଞ୍ଜଳି ଦେଇ ଦେବାକୁ ବାଧ୍ୟ କରୁଛି। ଏହା ହିଁ କ’ଣ ଆଧୁନିକ ଜୀବନର ମଣିଷ-ମଣିଷ ସମ୍ପର୍କର ନୂତନ ପରିଭାଷା?
ମୋ- ୯୪୩୮୧ ୪୯୭୬୧
[email protected]