ଶୂନ୍ୟ ନୀଡ଼

ଜୀବନ ତରଙ୍ଗ - ଡାକ୍ତର ସମ୍ରାଟ କର

ମୋର ପିଲା ଦିନର ଘନିଷ୍ଠ ସାଙ୍ଗ ସରୋଜ ଉଚ୍ଚ ଶିକ୍ଷା ପାଇବା ଲାଗି ବିଦେଶ ଚାଲିଗଲା ଓ ସେଇଠି ରହିଗଲା। କାରଣ ତାର ଶିକ୍ଷାକୁ ମହତ୍ତ୍ବ ଦେଲା ଭଳି ବୃତ୍ତି ଆମ ଦେଶରେ ନ ଥିଲା। କିନ୍ତୁ ଘରେ ରହିଗଲେ ବାପା ଓ ମା’। ସେମାନଙ୍କ ବୟସ ‌େହଲା‌। ବାର୍ଦ୍ଧକ୍ୟ ସହିତ ନିଃସଙ୍ଗତାବୋଧ ସେମାନଙ୍କୁ ଆବୋରି ବସିଲା। ମୁଁ ମଝିରେ ମଝିରେ ଯାଇ ମଉସାମାଉସୀଙ୍କୁ ଭେଟେ ଓ ଜଣେ ମାନସିକ ରୋଗ ବିଶେଷଜ୍ଞ ଭାବେ ‌େସମାନଙ୍କୁ ବୁଝିବାକୁ ଓ ବୁଝାଇବାକୁ ଚେଷ୍ଟା କରେ। ଦେଖେ, ସେମାନେ କିଭଳି ଏକ ‘କ୍ୟାଚ୍‌ ୨୨’ ପରିସ୍ଥିତିରେ ପଡ଼ିଛନ୍ତି। ମଉସା ମାଉସୀଙ୍କର ଏ ପ୍ରକାର ନିଃସଙ୍ଗତାକୁ ଚିକିତ୍ସା ଶାସ୍ତ୍ରରେ କୁହାଯାଏ ‘ଏମ୍ପ୍‌ଟି ନେଷ୍ଟ୍‌ ସିଣ୍ତ୍ରୋମ୍‌’। ଏକ ଅଧ୍ୟୟନ କହେ ଯେ ପୁରୁଷମାନଙ୍କ ଅପେକ୍ଷା ନାରୀମାନେ ଏହା ଦ୍ବାରା ଅଧିକ ପ୍ରଭାବିତ ହୋଇଥାନ୍ତି।

ସାଧାରଣତଃ ନିଜ ପିଲାମାନଙ୍କୁ ବାପା ମାଆମାନେ ଜୀବନ ଠାରୁ ଅଧିକ ଭଲ ପାଆନ୍ତି। କେବଳ ସେମାନଙ୍କୁ କେନ୍ଦ୍ର କରି ନିଜ ଜୀବନ କାଟି ଥାଆନ୍ତି। ତେଣୁ ପିଲାମାନେ ନିଜ ନିଜ ଭବିଷ୍ୟତ୍ ଲାଗି ସେମାନଙ୍କୁ ଛାଡ଼ି ଚାଲିଗଲେ ସେମାନେ ନିଃସଙ୍ଗତାବୋଧର ଅତଳ ଗର୍ଭକୁ ଚାଲି ଯାଆନ୍ତି। ଯେଉଁ ଘରଟି ଦିନେ ପିଲାମାନଙ୍କ କଳରବରେ ମୁଖର ହେଉଥିଲା, ତାହା ଅଚାନକ ଏକ ଶୂନ୍ୟ ନୀଡ଼ରେ ପରିଣତ ହୋଇଯାଏ। ଏହି ନିଃସଙ୍ଗତା ଏଭଳି ଗଭୀର ହୋଇଥାଏ ଯେ କୌଣସି ମନୋରଞ୍ଜନ, ବନ୍ଧୁପରିଜନଙ୍କ ସହ ଗପସପ ସେମାନଙ୍କ ମନରୁ ନିଃସଙ୍ଗତାଜନିତ ବିଷାଦକୁ ଦୂର କରିପାରେ ନାହିଁ। ଏପରି ସ୍ଥ‌େଳ ଜଣେ ମନ ‌େରାଗ ବି‌େଶଷଜ୍ଞ ଏ ଭଳି ପିତାମାତାଙ୍କ ମନୋବଳକୁ ଦୃଢ଼ କରିବା ପାଇଁ ଆଶ୍ବାସନା ଓ ପରାମର୍ଶ ଦେଇପାରନ୍ତି। କିନ୍ତୁ ଯେଉଁ କ୍ଷେତ୍ରରେ ପିତାମାତା ମାତ୍ରାଧିକ ଭାବେ ଅବସାଦର ଶିକାର ହୁଅନ୍ତି, ସେ ସ୍ଥାନରେ ଚିକିତ୍ସାର ଜରୁରୀ ଆବଶ୍ୟକତା ପଡ଼ିଥାଏ। ଚିକିତ୍ସାର ପ୍ରଥମ ସୋପାନ ହେଉଛି ସେମାନଙ୍କୁ କାଉନ୍‌ସେଲି˚ କରିବା ପରେ କିଛି ଔଷଧ ଦେବା ସହ କିଛି ଥେରାପି ପ୍ରଦାନ କରିବା।

ମୂଳ କଥା ହେଲା ଯେ ପିତାମାତାମାନେ ଏହି କଥାକୁ ଶୀଘ୍ର ଗ୍ରହଣ କରିନେବା ଉଚିତ ଯେ ଆଜିକାଲିର ଦୁନିଆରେ ପିଲାମାନେ ସେମାନଙ୍କ ଭବିଷ୍ୟତ୍‌ ଲକ୍ଷ୍ୟ ପୂରଣ କରିବା ଲାଗି ଘର ଛାଡ଼ି ବାହାରକୁ ଯିବା ଅନିବାର୍ଯ୍ୟ। ପୂର୍ବେ ଯୌଥ ବା ବିଶାଳ ପରିବାର ଥିଲା। ବାପା, ମା’ଙ୍କ ସନ୍ତାନସନ୍ତତିଙ୍କ ସଂଖ୍ୟା ଅଧିକ ହେଉଥିଲା। ସ୍ବପ୍ନର ଚାରଣ ଭୂମି ସୀମିତ ଥିଲା। ପିଲାଏ ବଡ଼ ହେଲା ପରେ ବି ସ୍ଥାନୀୟ ଅଞ୍ଚଳରେ ଚାକିରି କରୁଥିଲେ ବା ବ୍ୟବସାୟ କରି ରହୁଥିଲେ। ଏବେ ଆଉ ସେମିତିି ସମୟ ଅଛି କି?

କିନ୍ତୁ ପିଲାମାନେ ଦୂରରେ ରହୁଥିଲେ ମଧ୍ୟ ଆଜିର ପ୍ରଯୁକ୍ତି ସେମାନଙ୍କ ଅନୁପସ୍ଥିତିକୁ ଭରଣା କରିବାରେ କିଛିଟା ସମର୍ଥ ମଧ୍ୟ ହେଉଛି। ଫେସ୍‌ବୁକ୍‌ ବା ହ୍ବାଟ୍‌ସଆପ୍‌ ଜରିଆରେ ନିୟମିତ ବାର୍ତ୍ତା ବିନିମୟ କରି ହେଉଛି। ଆଗକାଳ ଭଳି ଚିଠି ପାଇବାକୁ ତିନି ଚାରି ଦିନ ଅପେକ୍ଷା କରିବାକୁ ପଡୁନାହିଁ। ସେମିତି ଭିଡିଓ କଲ୍‌ ଜରିଆରେ ପିଲାଛୁଆଙ୍କୁ ଦେଖି ସେମାନଙ୍କ ସହିତ ଗପସପ କରି ହେଉଛି। ଏହା ନିଃସଙ୍ଗତା ଦୂର କରିବାରେ ଆଂଶିକ ସହାୟକ ହେଉଛି। କିନ୍ତୁ ମୂଳ କଥା ହେଲା ବାସ୍ତବତାକୁ ଗ୍ରହଣ କରି ପିତାମାତାମାନେ ଏହି ଶୂନ୍ୟତାକୁ ଭରିବା ଲାଗି ବିଭିନ୍ନ ଉପାୟ ଅବଲମ୍ବନ କରିବା ଉଚିତ, ଯାହା ମଧ୍ୟରେ ଅଛି ବିଭିନ୍ନ ପ୍ରକାର ସଂପର୍କକୁ ସୁଦୃଢ଼ କରିବା, ଯାହା ପୂର୍ବର କର୍ମ ବ୍ୟସ୍ତତା କାରଣରୁ ହୁଏ’ତ ଅ‌େଲାଡ଼ା ହୋଇ ପଡ଼ିଥିଲା! ତେବେ, ଗୋଟିଏ କଥା ମନେରଖିବା ଜରୁରୀ, ଯାହା ହେଲା ମାନସିକ ରୋଗ ବିଶେଷଜ୍ଞଙ୍କ ବିନା ପରାମର୍ଶରେ ମାନସିକ ଅବସାଦ ପାଇ ବା ଉତ୍ତମ ନିଦ୍ରା ପାଇଁ କିମ୍ବା ମାନସିକ ଚାପ ଦୂର କରିବା ପାଇଁ ମନେ ମନେ କୌଣସି ଔଷଧ ଖାଇବା ଅନୁଚିତ। ଏହା ବିପଜ୍ଜନକ ହୋଇପାରେ।

ଦିନେ ମଉସା ଓ ମାଉସୀଙ୍କୁ ପଚାରିଲି ଯେ ସେମାନେ କ’ଣ ସରୋଜର ଉନ୍ନତିରେ ସୁଖୀ ନୁହନ୍ତି?

ସେମାନେ କହିଲେ- ଏଥିରେ କ’ଣ ସନ୍ଦେହ ଅଛି? ସେମାନଙ୍କ ପୁଅ ଗୋଟିଏ ବହୁଦେଶୀୟ କଂପାନିର ବହୁ ଉଚ୍ଚ ପଦରେ ଆସୀନ। ସେ ତ ସେମାନଙ୍କ ସ୍ବପ୍ନକୁ ସାକାର କରିଛି!

ମୁଁ କହିଲି- ସେ ଆପଣଙ୍କ ସ୍ବପ୍ନକୁ ସାକାର କରିଛି। କିନ୍ତୁ କହିଲେ ଦେଖି ଆପଣଙ୍କ ସହିତ ଏ ଛୋଟ ସହରରେ ରହିଥିଲେ ତାହା ସେ କରି ପାରନ୍ତା କି?

ମଉସା, ମା‌ଉସୀଙ୍କ ମୁହଁରେ ଗୋଟିଏ ଶୁଷ୍କ ହସ ଖେଳିଗଲା। ଲାଗୁଥିଲା ସେମାନେ ଯେମିତି ଜୀବନର ଏକ ଚାରି ଛକରେ ଛିଡ଼ା ହୋଇଥିଲେ। ସେମାନେ ଯାହା ଚାହୁଁଥିଲେ, ପୁଅ ତାହା ହୋଇଛି। ହେଲେ, ତାହା ବି ସେମାନେ ଗ୍ରହଣ କରି ପାରୁ ନାହାନ୍ତି! ‘ଶୂନ୍ୟ ନୀଡ଼ ସିଣ୍ଡ୍ରୋମ୍‌’ ସତରେ ଏକ ‘କ୍ୟାଚ୍ ୨୨’ ସ୍ଥିତି ସୃଷ୍ଟି କରିଛି।

ମୋ: ୯୧୩୨୪୩୩୩୩୩

ସମ୍ବନ୍ଧିତ ଖବର