କୃଷି ପର୍ଯ୍ୟଟନ- ଏକ ସୁନ୍ଦର ସମ୍ଭାବନା

ପୁଷ୍କର ଜେନା

ଗଲା ବର୍ଷ ସାରା ବିଶ୍ବ କୋଭିଡ୍‌-୧୯ ମହାମାରୀ ଦ୍ବାରା ବ୍ୟତିବ୍ୟସ୍ତ ହେଉଥିବା ବେଳେ କ୍ଷୀର, ଡାଲି ଜାତୀୟ ଶସ୍ୟ, ଝୋଟ ଓ କପା ଉତ୍ପାଦନରେ ଭାରତ ପୃଥିବୀରେ ଏକ ନମ୍ବର ଓ ଧାନ, ଗହମ, ଆଖୁ, ପନିପରିବା ତଥା ଫଳ ଉତ୍ପାଦନରେ ଦୁଇ ନମ୍ବର ରାଷ୍ଟ୍ର ହୋଇପାରିଲା। ସେହି ସମୟରେ ଏକ ଖବର ପ୍ରକାଶ ପାଇଲା ଯେ ଆମ ଦେଶ ପର୍ଯ୍ୟଟନ କ୍ଷେତ୍ର ଉପରେ ବିଶେଷ ଗୁରୁତ୍ବ ପ୍ରଦାନ କରିବ ଏବ˚ ୨୦ଟି ଅତି ବିଶିଷ୍ଟ ପର୍ଯ୍ୟଟନସ୍ଥଳର ବିକାଶ କରିବ। ଏହି ପ୍ରସଙ୍ଗରେ ମନରେ ଏକ ବିଚାର ଉଠିଲା ଯେ କୃଷି ଓ ପର୍ଯ୍ୟଟନ ଭିତରେ ଏକ ସ˚ପର୍କ ସ୍ଥାପନ କରାଯାଇ ପାରେ କି?

ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗରେ ‘ପଥର ସାଥେ’ ପ୍ରକଳ୍ପ ବିଷୟ ମନକୁ ଆସିଲା। ଏହା ପ୍ରକୃତରେ ପର୍ଯ୍ୟଟକମାନଙ୍କ ଆଶ୍ରୟ ସ୍ଥଳୀ। ଏ ଗୁଡ଼ିକରେ ପର୍ଯ୍ୟଟକମାନଙ୍କ ଖାଦ୍ୟ ଏବ˚ ବୁଲାବୁଲିର ଦାୟିତ୍ବ ‘ସ୍ବୟ˚ ସହାୟକ ଗୋଷ୍ଠୀ’ମାନେ ନେଇଥାଆନ୍ତି। ପର୍ଯ୍ୟଟନ ସ୍ଥଳୀର ଅନତି ଦୂରରେ ବନୀକରଣ କରାଯାଇ ସୁନ୍ଦର କୃତ୍ରିମ ଜଙ୍ଗଲ ସୃଷ୍ଟି କରାଯାଇଛି। ପାଖରେ ବିଭିନ୍ନ ଫସଲ ଦ୍ବାରା ସମୃଦ୍ଧ ସବୁଜ କୃଷି କ୍ଷେତ୍ର ଏବ˚ କିଛି ଖାଦ୍ୟ ପ୍ରକ୍ରିୟାକରଣ କାରଖାନା ମଧୢ ରହିଛି। ପର୍ଯ୍ୟଟକମାନେ ଏହି ସ୍ଥାନରେ ବୁଲାବୁଲି କରି ସ୍ଥାନୀୟ ଅଞ୍ଚଳର ଗ୍ରାମ୍ୟ ଓ କୃଷି ସ˚ସ୍କୃତି ସହିତ ପରିଚିତ ହୁଅନ୍ତି, ଯାହା ସେମାନଙ୍କୁ ଅଧିକ ଆନନ୍ଦମୟ ଅନୁଭୂତି ପ୍ରଦାନ କରିଥାଏ।

ଆନ୍ଧ୍ରପ୍ରଦେଶରେ ମଧୢ ଦେବସ୍ଥାନଗୁଡ଼ିକ ନିକଟରେ ଅନେକ ସୁନ୍ଦର କେନାଲର ବିକାଶ କରାଯାଇଛି। କେନାଲ କୂଳରେ ଅର୍ଥକରୀ ଫସଲ ସହିତ ଫୁଲ, ଫଳ ଓ ବିଭିନ୍ନ ଆୟୁର୍ବେଦୀୟ ବୃକ୍ଷର ଚାଷ କରାଯାଇଥାଏ। ସୁତରା˚, ଆନ୍ଧ୍ରପ୍ରଦେଶର ବିଭନ୍ନ ଦେବସ୍ଥାନଗୁଡ଼ିକୁ ପରିଭ୍ରମଣରେ ଆସୁଥିବା ପର୍ଯ୍ୟଟକମାନେ ସେଠାରେ ବୁଲାବୁଲି କରି ମନୋରମ ଅନୁଭୂତି ହାସଲ କରନ୍ତି ଏବ˚ ଅନେକ ସ୍ଥଳରେ କୃଷକମାନଙ୍କ ଉତ୍ପାଦକୁ କ୍ରୟ କରି ସେମାନଙ୍କ ଲାଗି ଅର୍ଥ ଉପାର୍ଜନକୁ ସୁଗମ କରାନ୍ତି।

ଆମ ରାଜ୍ୟ ପର୍ଯ୍ୟଟକଙ୍କ ଲାଗି ଏକ ପ୍ରମୁଖ ଆକର୍ଷଣ କେନ୍ଦ୍ର ହେବାର ଯଥେଷ୍ଟ କାରଣ ରହିଛି। ଏଠାରେ ୧୯ଟି ଅଭୟାରଣ୍ୟ ଏବ˚ ୨ଟି ଜାତୀୟ ଉଦ୍ୟାନ ଅଛି। ଏଠାରେ ରହିଛି ୪୮୦ କିଲୋମିଟରର ସୁଦୀର୍ଘ ବେଳାଭୂମି, ଚିଲିକା ଭଳି ବୃହତ୍ତମ ଲୁଣି ହ୍ରଦ। କେବଳ ସେତିକି ନୁହେଁ ଆମ ରାଜ୍ୟ ମନ୍ଦିରମାଳିନୀ ଏବ˚ ଏହି ମନ୍ଦିରଗୁଡ଼ିକର ଭାସ୍କର୍ଯ୍ୟର ପଟାନ୍ତର ନାହିଁ। କେବଳ ସେତିକି ନୁହେଁ ଶୀତ ଋତୁରେ ଓଡ଼ିଶାର ବିଭିନ୍ନ ଆର୍ଦ୍ର ଭୂମିକୁ ଆକର୍ଷିତ ହୋଇ ଆସୁଥିବା ବିଦେଶୀ ପକ୍ଷୀଙ୍କ ସମାଗମ ମଧୢ ପର୍ଯ୍ୟଟକମାନଙ୍କ ଲାଗି ଏକ ବଡ଼ ଆକର୍ଷଣ। ତେବେ ଏଭଳି ସ୍ଥଳଗୁଡ଼ିକ ସହିତ ଯଦି ରାଜ୍ୟର କୃଷିକୁ ଏକ ବ୍ୟବସ୍ଥିତ ଢଙ୍ଗରେ ଯୋଡ଼ା ଯାଇ ପାରନ୍ତା, ତେବେ ତାହା କୃଷକର ଆୟ ବୃଦ୍ଧିରେ ସହାୟକ ହେବା ସହିତ ପର୍ଯ୍ୟଟନକୁ ଅଧିକ ଆକର୍ଷଣୀୟ କରିପାରନ୍ତା। ଏହାର ଗୋଟିଏ ଉଦାହରଣ ଦେଲେ ବିଷୟଟି ସ୍ପଷ୍ଟ ହେବ। ବର୍ତ୍ତମାନ ଆୟୁର୍ବେଦର ଚାହିଦା ସାରା ପୃଥିବୀରେ ପରିବ୍ୟାପ୍ତ। ଅନେକ ପର୍ଯ୍ୟଟକ ଆୟୁର୍ବେଦୀୟ ଚିକିତ୍ସାର ଲାଭ ନେବା ଲାଗି ଭାରତକୁ ଆସନ୍ତି। ସେମାନଙ୍କ ଏହି ଆଗ୍ରହର ସୁଯୋଗ ନେଇ ଅନେକ ପର୍ଯ୍ୟଟନସ୍ଥଳୀ ନିକଟରେ ଆୟୁର୍ବେଦୀୟ ବୃକ୍ଷର ଚାଷ କରାଯାଇପାରେ। କେବଳ ସେତିକି ନୁହେଁ, ସୁବ୍ୟବସ୍ଥିତ ଭାବେ ବିକାଶ ଲାଭ କରିଥିବା ଆୟୁର୍ବେଦୀୟ ଉଦ୍ୟାନ ମଧୢରେ ଆୟୁର୍ବେଦ ଚିକିତ୍ସାଳୟ ଖୋଲି ବିଭିନ୍ନ ପ୍ରକାର ସେବା ଓ ଚିକିତ୍ସା ଯୋଗାଇ ଦିଆଯାଇପାରେ। କେରଳରେ ପର୍ଯ୍ୟଟକମାନଙ୍କ ସ˚ଖ୍ୟା ବୃଦ୍ଧିର ଏକ ବଡ଼ କାରଣ ହେଉଛି ବିଦେଶାଗତ ପର୍ଯ୍ୟଟକଙ୍କୁ ଆୟୁର୍ବେଦୀୟ ଚିକିତ୍ସା ଓ ଔଷଧ ଉପଲବ୍‌ଧ କରାଇବା। ଓଡ଼ିଶାରେ ଅନେକ ସ୍ଥାନରେ ଏବେ ମଧୢ ହଳ ଲଙ୍ଗଳରେ ଚାଷ କରାଯାଉଛି, ତେଣ୍ତାରେ ପାଣି ବୁହାଯାଉଛି, ବେଙ୍ଗଳା ପକାଯାଉଛି। ଏ ସବୁ ବି ବିଦେଶୀ ପର୍ଯ୍ୟଟକମାନଙ୍କ ଲାଗି ଅନେକ ସମୟରେ ଅତ୍ୟନ୍ତ ଆଗ୍ରହର କାରଣ ହୋଇଥାଏ। ଏହାକୁ କେନ୍ଦ୍ର କରି ଗ୍ରାମ୍ୟ ପର୍ଯ୍ୟଟନର ବିକାଶ ମଧୢ କରାଯାଇପାରେ। ଏଥିରେ ମୂଳ ଉଦ୍ଦେଶ୍ୟ ରହିବ ପର୍ଯ୍ୟଟକମାନେ ଆକର୍ଷିତ ହୋଇ େସ ସବୁ ସ୍ଥାନକୁ ଗଲେ ସେଠାରେ କିଛି କିଣାବିକା ଲାଗି ସୁଯୋଗ ସୃଷ୍ଟି ହେବ ଏବ˚ ତାହା କୃଷକଙ୍କ ଆୟ ବୃଦ୍ଧିରେ ସହାୟକ ହେବ।

ଏ ଦିଗରେ ସରକାର ଦୃଷ୍ଟି ଦେବା ଉଚିତ। କୃଷି ପର୍ଯ୍ୟଟନ ଏକ ନୂତନ ଧାରଣା, କିନ୍ତୁ ଠିକଣା ଭାବେ କାର୍ଯ୍ୟକାରୀ ହେଲେ ଏହା ଗ୍ରାମାଞ୍ଚଳରେ ବିକାଶ ସାଧନ କରିବ।

ମଞ୍ଚେଶ୍ବର, ଭୁବନେଶ୍ବର
ମୋ: ୯୪୩୮୦୭୭୨୯୭

ସମ୍ବନ୍ଧିତ ଖବର