‘କଳାଠାକୁର’ ଓ ‘କ୍ୱାରାଣ୍ଟିନ୍‌’

ସାହିତ୍ୟିକ ପାଣିପାଗ - ଅସିତ ମହାନ୍ତି

ଆମ କଳାଠାକୁର ଶ୍ରୀଜଗନ୍ନାଥ କ’ଣ ପ୍ରତିବର୍ଷ ‘କ୍ୱାରାଣ୍ଟିନ୍‌’ରେ ରହନ୍ତି?

ସଂପ୍ରତି ‘କୋଭିଡ଼୍‌-୧୯’ ବା କରୋନା ଭୂତାଣୁଜନିତ ସଂକ୍ରମଣ ପରିପ୍ରେକ୍ଷୀରେ, ଓଡ଼ିଶାର ଗଣମାଧ୍ୟମଗୁଡ଼ିକରେ ଏ ନେଇ ଯେଉଁ ଚର୍ଚ୍ଚାର ସୂତ୍ରପାତ ହୋଇଛି, ତାହାକୁ ନେଇ ସଚେତନ ମହଲରେ ଏ ପ୍ରଶ୍ନଟି ମୁଣ୍ଡଟେକିଛି।

ପ୍ରଥମେ ମୁଦ୍ରଣ ଗଣମାଧ୍ୟମରେ ଏ କଥାଟି ପ୍ରଚାରିତ ହେଲା। ସେଥିରେ କୁହାଗଲା ଯେ- ଶ୍ରୀଜଗନ୍ନାଥଙ୍କ ‘ଅନବସର’ ବା ‘ଅଣସର’ରେ ରହିଛି ସାଂପ୍ରତିକ ‘ସଙ୍ଗରୋଧ’ ବା ‘କ୍ୱାରାଣ୍ଟିନ୍‌’ର ବାର୍ତ୍ତା। ତାହାର ଆଧାରରେ ଓଡ଼ିଶା ସରକାରଙ୍କ ପକ୍ଷରୁ ‘କୋଭିଡ଼୍‌-୧୯’ ମୁଖ୍ୟ ମୁଖପାତ୍ର ତାଙ୍କର ସାମ୍ବାଦିକ ସମ୍ମିଳନୀରେ ସେ କଥାଟି ପ୍ରକାଶ କଲେ। କିନ୍ତୁ ଆଉ ପାଦେ ଆଗେଇ ଯାଇ, ସ୍ନାନପୂର୍ଣ୍ଣିମା ଦିନର ସ୍ନାନ ପରେ ଶ୍ରୀଜଗନ୍ନାଥ ଯେଉଁ ଜରରେ ପଡ଼ନ୍ତି, ତାହାକୁ ଭୂତାଣୁ ସଂକ୍ରମଣ ଜନିତ ଜର ସହିତ ସେ ତୁଳନା କଲେ। ଫଳରେ ତାହାର ଚର୍ଚ୍ଚା ଆହୁରି ବ୍ୟାପକ ହେଲା। ଚାପା ଚର୍ଚ୍ଚା ମଧ୍ୟ ଆରମ୍ଭ ହେଲା ଯେ ଶ୍ରୀଜଗନ୍ନାଥଙ୍କର ‘ଅଣସର’ ସହିତ କରୋନା-ଭୂତାଣୁ ସଂକ୍ରମଣଜନିତ ‘ସଙ୍ଗରୋଧ’ର ତୁଳନା କେତେଦୂର ସମୀଚୀନ?
କେବଳ ଓଡ଼ିଶାର ଲୋକେ ନୁହନ୍ତି, ଶ୍ରୀଜଗନ୍ନାଥଙ୍କ ରୀତିନୀତି, ବିଶେଷ କରି ତାଙ୍କ ରଥଯାତ୍ରା ସଂପର୍କରେ ସାଧାରଣ ପରିଚିତି ଥିବା ଅନେକଙ୍କୁ ଜଣା ଯେ ଶ୍ରୀଜଗନ୍ନାଥ ପ୍ରତିବର୍ଷ ଏକପକ୍ଷ ବ୍ୟାପୀ ଅଣସରରେ ରହନ୍ତି। ବୈଶାଖ ଶୁକ୍ଳ ତୃତୀୟା ବା ‘ଅକ୍ଷୟ ତୃତୀୟା’ ଦିନ ତାଙ୍କର ରଥଯାତ୍ରା ପାଇଁ ରଥ ନିର୍ମାଣର ଅନୁକୂଳ ହୁଏ। ସେହିଦିନ ମଧ୍ୟ ଆରମ୍ଭ ହୁଏ ତାଙ୍କର ଚନ୍ଦନଯାତ୍ରା। ଏହା ‘ବାହାର’ ଓ ‘ଭିତର’ ଚନ୍ଦନ ଭାବରେ ୨୧ ଦିନ କରି, ୪୨ ଦିନ ଅନୁଷ୍ଠିତ ହୋଇଥାଏ। ପ୍ରଚଣ୍ଡ ଗ୍ରୀଷ୍ମକାଳରେ, ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ସାଧାରଣ ବ୍ୟକ୍ତିଟିଏ ଯେପରି ଜଳକ୍ରୀଡ଼ା କରିବାରେ ଆନନ୍ଦ ପାଏ- ଶ୍ରୀଜଗନ୍ନାଥ ମଧ୍ୟ ସେହିପରି, ତାଙ୍କର ଚଳନ୍ତି ପ୍ରତିମାଙ୍କ ମାଧ୍ୟମରେ ଜଳକ୍ରୀଡ଼ା କରି ଆନନ୍ଦ ପାଇଥାଆନ୍ତି। ବୈଶାଖ ଶୁକ୍ଳ ତୃତୀୟାଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଏହି ଉତ୍ସବ ଅନୁଷ୍ଠିତ ହୁଏ। ତାହାର ପରଦିନ ହୁଏ ତାଙ୍କର ସ୍ନାନଯାତ୍ରା। ଏହି ଦିନ ସ୍ନାନବେଦିରେ ପ୍ରତ୍ୟକ୍ଷ ଭାବରେ ସ୍ନାନ କରିବା ପରେ, ଦାରୁ ବିଗ୍ରହମାନେ ଦୁଇ ସପ୍ତାହ ବ୍ୟାପୀ ଯେଉଁ ଅଣସରରେ ରହନ୍ତି, ଲୌକିକ ଭାବରେ ତାହାକୁ ଜ୍ୱରଜନିତ ବୋଲି କୁହାଯାଏ। କିନ୍ତୁ ‘ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟ’, ‘ନୀଳାଦ୍ରି ମହୋଦୟ’, ‘ବାମଦେବ ସଂହିତା’ ବା ଅନ୍ୟ କୌଣସି ସ୍ୱୀକୃତ ଶାସ୍ତ୍ର-ଗ୍ରନ୍ଥରେ ଏ କଥାଟି ନାହିଁ।

ଶ୍ରୀଜଗନ୍ନାଥଙ୍କର ଏହି ‘ଅଣସର’ର ଏକ ପ୍ରୟୋଜନୀୟତା ଓ ବିଶେଷତ୍ୱ ମଧ୍ୟ ରହିଛି। ତାହା ହେଉଛି- ଶ୍ରୀଜଗନ୍ନାଥାଦି ବିଗ୍ରହ ଦାରୁରେ ନିର୍ମିତ ହୋଇଥିବାରୁ, ସେମାନଙ୍କର ସାମ୍ବତ୍ସରିକ ସପ୍ତାବରଣ ନୀତି ଏହି ସମୟରେ ଗୋପନରେ ସଂପନ୍ନ ହୋଇଥାଏ। ଏହା ଫଳରେ ଶ୍ରୀଅଙ୍ଗର ସୁରକ୍ଷା ହୁଏ। ନବକଳେବର ବର୍ଷରେ ନୂତନ ମୂର୍ତ୍ତି ଗଠନ ପାଇଁ ଏହି ଅଣସର ୧୫ ଦିନ ପରିବର୍ତ୍ତେ ଅଧିକ ଏକମାସ ବ୍ୟାପୀ ବା ୪୫ ଦିନ ହୋଇଥାଏ। ସେଥିପାଇଁ ଏହାକୁ ‘ମହା ଅଣସର’ କୁହାଯାଏ। ଯଦି ସାଧାରଣ ବର୍ଷର ୧୪ ବା ୧୫ ଦିନର ଅଣସରକୁ ‘କ୍ୱାରାଣ୍ଟିନ୍‌’ କୁହାଯିବ, ତେବେ ନବକଳେବର ବର୍ଷର ‘ମହା ଅଣସର’କୁ ଆମେ କ’ଣ ‘ମହା କ୍ୱାରାଣ୍ଟିନ୍‌’ କହିବା?

ଶ୍ରୀଜଗନ୍ନାଥଙ୍କର ଏହି ‘ଅଣସର’ ସମୟର ଅନ୍ୟ ତାତ୍ପର୍ଯ୍ୟ ମଧ୍ୟ ରହିଛି। ତାହା ହେଉଛି- ଏହି ସମୟରେ ଦାରୁବିଗ୍ରହମାନେ ଅଣସରରେ ରହିଲେ ମଧ୍ୟ, ତାଙ୍କର ପ୍ରତିନିଧି ରୂପେ ‘ପଟିଦିଅଁ’ ପୂଜା ପାଇଥାଆନ୍ତି।

‘ନୀଳାଦ୍ରି ମହୋଦୟ’ ଶ୍ରୀଜଗନ୍ନାଥଙ୍କ ସେବାପୂଜା ସଂପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରନ୍ଥ। ତାହାର ପଞ୍ଚଦଶ ଅଧ୍ୟାୟରେ ସ୍ନାନଯାତ୍ରା ପରର ଅଣସର ନୀତି ଓ ପଟିଦିଅଁଙ୍କ ପୂଜା ସଂପର୍କରେ ଉଲ୍ଲେଖ ଅଛି। ଏହି ୧୫ଦିନ ବାଉଁଶ ତାଟିଘେରା ଅଣସର ଘରର ଭିତରପଟେ ରହୁଥିବା ଦାରୁବିଗ୍ରହ ଏବଂ ବାଉଁଶ ତାଟିର ବାହାରପଟେ ପୂଜା ପାଉଥିବା ପଟିଦିଅଁମାନଙ୍କର କଥା ସେଥିରେ ବର୍ଣ୍ଣିତ ହୋଇଛି। ରାଜା ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମାଙ୍କୁ ପଚାରିଛନ୍ତି- “ହେ କମଳାସନ! ବାଉଁଶ ତାଟିର ଆବରଣ ମଧ୍ୟରେ ଯେଉଁ ୧୫ ଦିନ ଠାକୁର ଅବସ୍ଥାନ କରନ୍ତି, ସେହି ସମୟରେ କ’ଣ କ’ଣ କର୍ମ କରାଯିବ, ମୋତେ ବୁଝାଇ କହନ୍ତୁ।”

ଏହାର ଉତ୍ତରରେ ବ୍ରହ୍ମା, ଇନ୍ଦ୍ରଦ୍ୟୁମ୍ନଙ୍କୁ ସେ ସଂପର୍କରେ ବିଶଦ ଭାବରେ ବୁଝାଇ କହିଛନ୍ତି। ‘ନୀଳାଦ୍ରି ମହୋଦୟ’ ଅନୁସାରେ- ସେତେବେଳେ ସେହି ବାଉଁଶ ତାଟିକୁ ମନ୍ଦିର ରୂପେ ଭାବନା କରାଯାଏ ଏବଂ ବାଉଁଶ ତାଟିରେ ପୂଜିତ ପଟିଦିଅଁ ‘ପଟବ୍ରହ୍ମ’ ରୂପେ ବିବେଚିତ ହୁଅନ୍ତି। ‘ନୀଳାଦ୍ରି ମହୋଦୟ’ରେ ଏ ପ୍ରସଙ୍ଗରେ ନିର୍ଦ୍ଦିଷ୍ଟ ଭାବରେ ଉଲ୍ଲେଖ ଅଛି ଯେ “ପନ୍ଦର ଦିନର ଅଣସର (ବା ଦେଢ଼ ମାସର ମହାଅଣସର) କାଳରେ ଦାରୁବିଗ୍ରହଧାରୀ ଠାକୁର ପଟ (ଅଣସର ପଟି)ରେ ଅଧିଷ୍ଠିତ ଥାଆନ୍ତି। ସେଥିପାଇଁ ଅଣସରତାଟି ଭିତରେ ଦାରୁ ବିଗ୍ରହଙ୍କର ପୂଜା ନହୋଇ, ବାହାରପଟେ ଏହି ‘ପଟବ୍ରହ୍ମ’ଙ୍କର ପୂଜା ହୁଏ। ଏହି ସମୟରେ ‘ପଟବ୍ରହ୍ମ’ ହିଁ ‘ଦାରୁବ୍ରହ୍ମ’ ରୂପେ ବିବେଚିତ ହୁଅନ୍ତି।”

ପୁଣି, ଏହି ସମୟରେ ତାଟି ଭିତରେ ଶ୍ରୀଜଗନ୍ନାଥାଦି ବିଗ୍ରହଙ୍କର ସପ୍ତାବରଣର ଗୁପ୍ତନୀତି ଚାଲୁଥିବାରୁ, ବିଶ୍ୱାବସୁ ଓ ବିଦ୍ୟାପତି ବଂଶର ଦଇତା ଓ ପତି ସେବକମାନେ ତାଟି ମଧ୍ୟରେ ପ୍ରବେଶ କରିଥାଆନ୍ତି। ଅଣସର ସୁଧ ସୁଆର ଓ ଦତ୍ତ ମହାପାତ୍ର ସେବକ ମଧ୍ୟ ନିର୍ଦ୍ଦିଷ୍ଟ ଦିନ ତାଟି ଭିତରେ ପ୍ରବେଶ କରି ତାଙ୍କର ସେବା କରିଥାଆନ୍ତି। ଏହି ସେବକମାନଙ୍କର ସଂଖ୍ୟା ଶତାଧିକ। ପ୍ରତିଦିନର ସେବା ପରେ, ସେମାନେ ନିଜ ନିଜ ଘରକୁ ହିଁ ଫେରିଥାନ୍ତି। ପଟିରେ ପୂଜା ପାଉଥିବା ପଟିଦିଅଁ ବା ପଟବ୍ରହ୍ମଙ୍କୁ ମଧ୍ୟ ଭକ୍ତମାନେ ଏହି ସମୟରେ ଦର୍ଶନ କରିପାରନ୍ତି।

ଏଣୁ ଏସବୁ ଦୃଷ୍ଟିରୁ, ଶ୍ରୀଜଗନ୍ନାଥଙ୍କ ‘ଅଣସର’କୁ କରୋନା ଭୂତାଣୁ ସଂକ୍ରମଣ ସଂକ୍ରାନ୍ତ ‘ସଙ୍ଗରୋଧ’ ସହିତ ତୁଳନା କରିବା ସମୀଚୀନ ନୁହେଁ। କାରଣ, ‘ଅଣସର’ ଶ୍ରୀଜଗନ୍ନାଥଙ୍କ ସେବାପୂଜା ସହିତ ସଂପୃକ୍ତ ଏକ ସଂପୂର୍ଣ୍ଣ ସାଂସ୍କୃତିକ ଶବ୍ଦ। ଏହା ଏକ ଆଧ୍ୟାତ୍ମିକ ନୀତି। ଏଣୁ ଏହାର ମହତ୍ତ୍ୱ ରକ୍ଷା କରିବା ଆମ ସମସ୍ତଙ୍କର ପରମ କର୍ତ୍ତବ୍ୟ।

କିନ୍ତୁ କଥା କେବଳ ଏତିକିରେ ସୀମିତ ରହିନାହିଁ। କେତେକ ଗବେଷକ ଅତ୍ୟୁତ୍ସାହର ବଶବର୍ତ୍ତୀ ହୋଇ, ଆଉ କେତେ ପାଦ ବି ଆଗେଇ ଯାଇଛନ୍ତି। ଗଣମାଧ୍ୟମରେ ପ୍ରକାଶିତ ତାହାର ବିବରଣୀ ଆଧାରରେ, କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ତାହାକୁ ମଧ୍ୟ କରୋନା ଜନିତ ‘ଲକ୍‌ଡାଉନ୍‌’ ବା ତାଲାବନ୍ଦ ସହିତ ଯୋଡ଼ି ଦେଇଛନ୍ତି। ସେ କଥାଟି ହେଉଛି- ଶ୍ରୀଜଗନ୍ନାଥଙ୍କର ‘ଅଜ୍ଞାତବାସ’।

ଶ୍ରୀଜଗନ୍ନାଥଙ୍କର ‘ଅଜ୍ଞାତବାସ’ ଗୁଡ଼ିକ ମୁଖ୍ୟତଃ ବୈଦେଶିକ ଆକ୍ରମଣ ଜନିତ। ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ, ‘ପ୍ରାଚୀସମିତି’ ପକ୍ଷରୁ ସଂକଳିତ ‘ମାଦଳା ପାଞ୍ଜୀ’ରେ ଏ ବାବଦରେ ଗୋଟିଏ ହିସାବ ଦେଇଛନ୍ତି ଏହାର ସଂକଳକ ଓ ସଂପାଦକ, ରାୟସାହେବ ଆର୍ତ୍ତବଲ୍ଲଭ ମହାନ୍ତି। ଏହା ‘ରାଜଭୋଗ ଇତିହାସ’। ଏଥିରେ ‘ରକ୍ତବାହୁ’ ଆକ୍ରମଣ ଜନିତ ଶ୍ରୀଜଗନ୍ନାଥଙ୍କ ‘ପାତାଳି’ ପର୍ବର ଉଲ୍ଲେଖ ଅଛି। କୁହାଯାଇଛି, “ସୋଭନ ଦେବ ଭୋଗ କଲେ ବ ୯୬। ଏହି ମହାରାଜାଙ୍କ ଅ୨ଙ୍କେ ଡିଲିରୁ ରକ୍ତବାହୁ ଆସିବା ବାରତାକୁ ପରମେସରଙ୍କୁ ସୁନୁପୁର ଗୋପଲୀ ଘେନିଗଲେ। ସେଠାରେ ମଣ୍ଡପ ଗୋଟିଏ କରି ବିଜେ କରାଇଲେ ବ ୪୫। ଏଥି ଉତ୍ତାରେ ମୁଗଲେ ପ୍ରବଳ ହୋଇଲାକୁ ସେବକେ ସେଠାରେ ପରମେସରଙ୍କୁ ପାତାଳି କରି ଉପରେ ଗଛ ଲଗାଇ ରାଜ୍ୟ ଅନ୍ତର ହୋଇଗଲେ।”

‘ମାଦଳା ପାଞ୍ଜୀ’ ଅନୁଯାୟୀ, ଏହା ପରେ ଚନ୍ଦ୍ରକର ଦେବ ରାଜା ହୋଇଥିଲେ ଏବଂ ତାଙ୍କ ‘ହତପାଟ’ ବା ମୃତ୍ୟୁ ପରେ, କେହି ରାଜା ନଥିବାରୁ ମୋଗଲମାନଙ୍କର ରାଜତ୍ୱ ଚାଲିଥିଲା। ଏହାର ଗୋଟିଏ ହିସାବ ବି ସେଠାରେ ଦିଆଯାଇଛି। କୁହାଯାଇଛି, “ଶ୍ରୀ ଚନ୍ଦ୍ରକରଦେବ ଭୋଗ କଲେ ବ ୧୩ରସ। ଏ ଉତ୍ତାରୁ ହତପାଟ ହୋଇ ମୁଗଲେ ଭୋଗକଲେ ବ ୩୫। ଗାଏ ପରମେସର ପାତାଳି ହୋଇ ରହିଲେ ବ ୧୪୪ (୯୬+୧୩+୩୫)।”

ଏହି ଅନୁସାରେ, ଶ୍ରୀଜଗନ୍ନାଥ ୧୪୪ ବର୍ଷ ପାତାଳି ହୋଇ ରହିଥିଲେ ବୋଲି ପ୍ରାୟ ସମସ୍ତେ ଗ୍ରହଣ କରିନେଇଛନ୍ତି। ସଂପୃକ୍ତ ଗବେଷକମାନେ ମଧ୍ୟ, ସେହି ଆଧାରରେ ୧୪୪ ବର୍ଷ ଶ୍ରୀଜଗନ୍ନାଥଙ୍କର ‘ଲକ୍‌ଡାଉନ୍‌’ ହୋଇଥିଲା ବୋଲି କହି, ସାଂପ୍ରତିକ ‘କରୋନା’ ପରିପ୍ରେକ୍ଷୀରେ ତାହାକୁ ଚଳାଇ ଦେଇଛନ୍ତି। ସେହି ଆଧାରରେ ଗଣମାଧ୍ୟମମାନେ ବିବରଣୀ ପ୍ରକାଶ କରିଛନ୍ତି ଏବଂ ମୁଖ୍ୟ ମୁଖପାତ୍ର ବି ତାଙ୍କର ପ୍ରେସ୍ ବିବରଣୀରେ ତାହାର ଉପସ୍ଥାପନା କରିଛନ୍ତି।

କିନ୍ତୁ ଆର୍ତ୍ତବଲ୍ଲଭ ମହାନ୍ତି ସଂପାଦିତ ‘ମାଦଳା ପାଞ୍ଜୀ’ର ଏହି ହିସାବ ଯେ ଭୁଲ୍‌, ତାହାର ତଥ୍ୟ ପ୍ରମାଣ ଅଛି ସେହି ‘ମାଦଳା ପାଞ୍ଜୀ’ର ‘ଯଯାତି କେସରୀ’ଙ୍କ ‘ରାଜଭୋଗ ଇତିହାସ’ର ବିବରଣୀରେ। ସେଥିରେ ଉଲ୍ଲେଖ ଅଛି, “ଏଠାରୁ କେସରୀ ପାଟରାଜା ହୋଇଥିଲେ। ପ୍ରଥମ ପାଟ ଯଯାତି କେସରୀ ହୋଇଲେ। ଏ ରାଜା ବଡ଼ ସୂରବନ୍ତ ମହାଦାନୀ। ଏ ମହାରାଜାଙ୍କ ଅ୧୧ଙ୍କେ ସନ୍ନ୍ୟାସୀ ବ୍ରହ୍ମଚାରୀ ଓ ବ୍ରାହ୍ମଣମାନଙ୍କୁ ପଚାରିଲେ, ଓଡ଼ିସା ରାଜ୍ୟର ଯେ ପ୍ରଭୁ ସେ କାହିଁ ଛନ୍ତି? ସେମାନେ କହିଲେ, ମୁଗଲ ଗୋଳ ହୋଇଲାକୁ ସୋମେନ୍ଦ୍ର ମାଡ଼ି ଅଇଲାକୁ ଅପାର ଦିନ ହୋଇଲା। ଶ୍ରୀ ପର୍ମେସରଙ୍କୁ ପାତାଳୀ କରି ସୁନୁପୁର ଆଡ଼େ କଉଁଠାରେ ବିଜେ କରାଇଲେ ଗାଁତବ ନାହିଁ। ଏହା ସୁଣି ମହାରାଜା ସୁନୁପୁର ଗଲେ। ସେଠାରେ ଖଣ୍ଡାଇତଙ୍କୁ ପଚାରିଲେ। ସେମାନେ କହିଲେ, ଆମ୍ଭେ ଗାଁତବ ନୋହୁ। ଆମ୍ଭ ବାପ ଅଜା କହନ୍ତି ଦିଅଁବର ଏହି। ଏଥିତଳେ ଦିଅଁଙ୍କୁ ପୋତିଥିଲେ। ଏହାଶୁଣି ରାଜା କଟୁରିଆ ବ୍ରାହ୍ମଣଙ୍କୁ ଆଣି ସେ ଗଛ କଟାଇ ଖୋଳାଇଲେ। ପର୍ମେସରଙ୍କୁ ବାହାର କଲେ। ସେ ଦିନେ ଶ୍ରୀମୂର୍ତ୍ତିମାନ ମାଟିଖାଇ ଛିନ୍ନଭିନ୍ନ ହୋଇଛନ୍ତି। ଦେଅମାନଙ୍କୁ ଲୁଗା ଗୁଡ଼ିଆଇ ମୁଣାରେ ପୂରୋଇ ମୁଦାଇଲେ। ଏ ଉତ୍ତାରୁ ଦଇତାପତିଙ୍କୁ ଲୋଡ଼ାଇଲେ। ଦଇତାମାନେ ବିରିବନ୍ଧରେ ଥିଲେ। ପତିମାନେ ରତନପୁର ସୀମାରେ ଥିଲେ। ଏମାନଙ୍କୁ ଅଣାଇ ବିଧିପତ୍ର ପ୍ରମାଣେ ଦାରୁ ଛେଦନ କରାଇ ପର୍ମେସରଙ୍କୁ ସୁମୂର୍ତ୍ତି କରାଇଲେ।”

ଏହି ‘ସୁମୂର୍ତ୍ତି’ ହେଉଛି, ବିବରଣୀ ମିଳୁଥିବା ଶ୍ରୀଜଗନ୍ନାଥଙ୍କର ସର୍ବପ୍ରାଚୀନ ନବକଳେବର। କିନ୍ତୁ ଏହା ସୂଚାଏ, ଯେ ଉପରୋକ୍ତ ୧୪୪ ବର୍ଷ ପରେ, ଯଯାତି କେଶରୀଙ୍କର ରାଜତ୍ୱର ଆହୁରି କିଛି ବର୍ଷ (୧୧ଅଙ୍କ) ପର୍ଯ୍ୟନ୍ତ ମଧ୍ୟ ଶ୍ରୀଜଗନ୍ନାଥ ପାତାଳି ହୋଇ ରହିଥିଲେ।

ଆଉ ଏକ ପ୍ରାସଙ୍ଗିକ ବିଷୟ ହେଉଛି- ଓଡ଼ିଶାର ରାଜାମାନଙ୍କର ଅଙ୍କ ଗଣନା ସାଧାରଣତଃ ଏକ ସ୍ୱତନ୍ତ୍ର ବିଧିରେ କରାଯାଏ। ‘ସମ୍ବାଦ-ଆମ ଓଡ଼ିଶା’ ପ୍ରକାଶିତ ‘ସାହିତ୍ୟ କୋଷ’ର ‘ଅଙ୍କ’ ପ୍ରସଙ୍ଗରେ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ ଏହାର ବିବରଣୀ ଦେଇଛନ୍ତି। ସେ କହିଛନ୍ତି, “ଏହି ଅଙ୍କ ଗଣନା ପଦ୍ଧତି ସାଧାରଣ ଅଙ୍କ ଗଣନା ପଦ୍ଧତିଠାରୁ ସ୍ୱତନ୍ତ୍ର ଓ ଓଡ଼ିଶାର ବିଶେଷତ୍ୱ। ୧ (ଏକ) ସଂଖ୍ୟାଟିକୁ ଅଶୁଭ କିମ୍ବା ଅତ୍ୟନ୍ତ ଶୁଭ ବୋଲି ଗଣନା କରାଯାଏ ନାହିଁ। … ରାଜାଙ୍କ ନେତୃତ୍ୱର ପ୍ରଥମ ବର୍ଷଟିକୁ ୨ ଅଙ୍କ ବୋଲି ଧରାଯାଏ। … ୬ ସଂଖ୍ୟାଟି ଅଶୁଭ ବୋଲି ବିଶ୍ୱାସ କରାଯାଉଥିବାରୁ ଅଙ୍କଗଣନା ପଦ୍ଧତିରେ ୬, ୧୬, ୨୬, ୩୬ ଇତ୍ୟାଦି ଏକକ ସ୍ଥାନରେ ଥିବା ସଂଖ୍ୟାଗୁଡ଼ିକୁ ଗଣନାରେ ଗ୍ରହଣ କରାଯାଏ ନାହିଁ। ସେହିପରି ୧୦ ବ୍ୟତୀତ ଏକକ ଘରେ ‘୦’ (ଶୂନ) ଥିବା ସଂଖ୍ୟାଗୁଡ଼ିକୁ ମଧ୍ୟ ଅଙ୍କ ଗଣନାରେ ସ୍ଥାନ ଦିଆଯାଇ ନଥାଏ।”

ଏ ଦୃଷ୍ଟିରୁ, ‘ମାଦଳା ପାଞ୍ଜୀ’ର ବିବରଣୀରେ ଥିବା ସୋଭନଦେବଙ୍କ ରାଜତ୍ୱର ୯୬ ବର୍ଷ ପ୍ରକୃତରେ ୯୬ ବର୍ଷ ନୁହେଁ କି ଶ୍ରୀ ଚନ୍ଦ୍ରକର ଦେବଙ୍କ ରାଜତ୍ୱର ୧୩ ବର୍ଷ ପ୍ରକୃତରେ ୧୩ ବର୍ଷ ନୁହେଁ। ସେହିପରି ଯଯାତିକେଶରୀଙ୍କ ୧୧ ଅଙ୍କ ବି ପ୍ରକୃତରେ ୧୧ ବର୍ଷ ନୁହେଁ। ଏଣୁ ଏହି ‘ପାତାଳି’ ପର୍ଯ୍ୟାୟରେ ଶ୍ରୀଜଗନ୍ନାଥ ୧୪୪ ବର୍ଷ ‘ଲକ୍‌ଡାଉନ୍‌’ରେ ରହିଥିଲେ ବୋଲି କହିବା ଭୁଲ୍।

ଏବେ ବିଶ୍ୱବ୍ୟାପୀ କରୋନା ଅତିମାରୀ (ପାନ୍‌ଡେମିକ୍‌) ପରିପ୍ରେକ୍ଷୀରେ ଲୋକେ ଆତଙ୍କିତ ଓ ଆଶଙ୍କିତ ସ୍ଥିତିରେ ଅଛନ୍ତି। ତାହାର ସୁଯୋଗରେ କେତେକ ଗବେଷକ ଅତି ଚତୁରତାର ସହିତ, ବାହାବା ନେବା ପାଇଁ, ଶ୍ରୀଜଗନ୍ନାଥଙ୍କ ସହିତ ଯୋଡ଼ି ଏପରି କିଛି କଥାକୁ ଚଳାଇ ଦେଉଛନ୍ତି। ସରକାରଙ୍କ ମୁଖ୍ୟ ମୁଖପାତ୍ର ତାହାକୁ ସେହିପରି ଭାବରେ ଗ୍ରହଣ କରିନେବା ଅନୁଚିତ। ତାହାଛଡ଼ା, ଶ୍ରୀଜଗନ୍ନାଥଙ୍କ ସହିତ ସଂପୃକ୍ତ ସାଂସ୍କୃତିକ ବା ଆଧ୍ୟାତ୍ମିକ ବିଧିବ୍ୟବସ୍ଥାଗୁଡ଼ିକୁ, ସାଂପ୍ରତିକ ଭୂତାଣୁ ସଂକ୍ରମଣ ଜନିତ ବ୍ୟାଧି ସହିତ ଯୋଡ଼ିବା ମଧ୍ୟ ଅସମୀଚୀନ। ଆଶା ସଂପୃକ୍ତମାନେ ଏଣିକି ଏଥିରୁ କ୍ଷାନ୍ତ ହୋଇ ଶ୍ରୀଜଗନ୍ନାଥଙ୍କର ମର୍ଯ୍ୟାଦା ଅକ୍ଷୁଣ୍ଣ ରଖିବେ।

ମୋ: ୯୪୩୭୦ ୩୪୮୦୪
mohanty.asit@gmail.com

ସମ୍ବନ୍ଧିତ ଖବର