ମୋହନ ଦାସ କରମଚାନ୍ଦ ଗାନ୍ଧୀ ‘ମହାତ୍ମା’ ଭାବରେ ସୁଖ୍ୟାତ। ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ‘ମହାପ୍ରଭୁ’ ରୂପେ ସ୍ୱୀକୃତ। ଏ ଉଭୟଙ୍କର ସଂପର୍କ ଖୁବ୍ କମ୍ ସମୟର। ସଂକ୍ଷେପରେ କହିଲେ, ୧୯୨୧ରୁ ୧୯୩୮- ପ୍ରାୟ ୧୭ ବର୍ଷର। କିନ୍ତୁ ଏହାକୁ ନେଇ ଏ ଯାଏ ଚର୍ଚ୍ଚା ଥମି ନାହିଁ। ବିଶେଷକରି, ୧୯୩୪ ଓ ୧୯୩୮ରେ ଯେଉଁ ଚର୍ଚ୍ଚାର ସୂତ୍ରପାତ ହୋଇଥିଲା, ତାହାର ପ୍ରାସଙ୍ଗିକତା ଆଜି ବି ଅନୁଭୂତ ହେଉଛି। କିନ୍ତୁ ଏଇ (୨୦୨୧) ମାର୍ଚ୍ଚ ୨୩ ତାରିଖରେ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ଶତବାର୍ଷିକୀ ପାଳନ ପାଇଁ ରାଜ୍ୟ ପ୍ରସ୍ତୁତ ହେଉଥିବା ବେଳେ, ଏ ସଂପର୍କରେ ପୁନରାଲୋଚନାର ପ୍ରୟୋଜନ ରହିଛି।

Advertisment

୧୯୩୮ରୁ ହିଁ ଆରମ୍ଭ କରାଯାଉ। କେବଳ ଓଡ଼ିଶାର ନୁହେଁ, ତାହା ଥିଲା ସାରା ଭାରତବର୍ଷର ଏକ ପ୍ରସିଦ୍ଧ ଓ ଚର୍ଚ୍ଚିତ ଘଟଣା। ପ୍ରସିଦ୍ଧ ଏଇଥିପାଇଁ, ଯେ ସେ ବର୍ଷ ପୁରୀ ଜିଲା ଅନ୍ତର୍ଗତ ଡେଲାଙ୍ଗର ବେରବୋଇଠାରେ ଆୟୋଜିତ ହୋଇଥିଲା ଚତୁର୍ଥ ଗାନ୍ଧୀ ସମ୍ମିଳନୀ। ତାହା ମଧ୍ୟ ଥିଲା ଗାନ୍ଧୀ ସେବାସଂଘର ବାର୍ଷିକ ଅଧିବେଶନ। ୧୯୩୭ ହୁଦ୍‌ଲୀ ସମ୍ମିଳନୀରେ ଓଡ଼ିଶାର ସେହି ନିମନ୍ତ୍ରଣକୁ ଗ୍ରହଣ କରାଯାଇଥିଲା। ସେଥିରେ ଯୋଗଦେବା ପାଇଁ ମାର୍ଚ୍ଚ ୨୫ ତାରିଖ ସକାଳେ ଆସି ପହଞ୍ଚିଥିଲେ ମହାତ୍ମା ଗାନ୍ଧୀ। ତାହା ଥିଲା ତାଙ୍କର ସପ୍ତମ ଓଡ଼ିଶା ଗସ୍ତ। ତାଙ୍କ ସହିତ ଥିଲେ ପତ୍ନୀ କସ୍ତୁରବା, ପୁଅ ମଣିଲାଲ, ବୋହୂ ସୁଶୀଳା ଓ ନାତି ଅରୁଣ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସମ୍ମିଳନୀର ପତାକା ଉତ୍ତୋଳନ କରିଥିଲେ ଏବଂ ଗାନ୍ଧୀଜୀ ତାହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ଗାନ୍ଧୀ ସେବାସଂଘର ସଭାପତି କିଶୋରୀ ଲାଲ (ମଶ୍ରୁୱାଲା)ଙ୍କ ସମେତ ପ୍ରଫୁଲ୍ଲ ଚନ୍ଦ୍ର ଘୋଷ, ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଆଚାର୍ଯ୍ୟ କୃପାଳିନୀ, ଗଜେନ୍ଦ୍ର ରାଓ ଦେଶପାଣ୍ଡେ, ଆବୁଲ୍ କାଲାମ ଆଜାଦ୍‌, ଗୋବିନ୍ଦ ବଲ୍ଲଭ ପନ୍ଥ, ପ୍ୟାରେଲାଲ, କାକାସାହେବ କାଲେଲକର, ହୃଦୟ ନାଥ କୁଞ୍ଜୁରୁ, କ୍ଷିତୀଶ ରାୟ ଚୌଧୁରୀ, ଦାଦା ଧର୍ମାଧିକାରୀ, ଶଙ୍କର ରାଓ ଦେଓ, ଯମୁନାଲାଲ ବଜାଜ, ଆର.ଆର. ଦିବାକର ଓ ଆନ୍ନାସାହେବ ସହସ୍ରବୁଦ୍ଧେ ପ୍ରମୁଖ। ଗୋପବନ୍ଧୁ ଚୌଧୁରୀ ସମ୍ମିଳନୀର ଆରମ୍ଭରେ ଭଜନ ଗାଇଥିଲେ। ସ୍ୱାଭାବିକ ଭାବେ ଓଡ଼ିଶାର ସମସ୍ତ ପ୍ରତିନିଧି ଓ ଅନେକ କର୍ମୀ ସେଥିରେ ଉପସ୍ଥିତ ଥିଲେ।

କିନ୍ତୁ ଏହି ସମ୍ମିଳନୀ ଏ ଦୃଷ୍ଟିରୁ ଦେଶରେ ପ୍ରସିଦ୍ଧ ହେଲେ ମଧ୍ୟ, ଓଡ଼ିଶାରେ ଚର୍ଚ୍ଚିତ ହୋଇଥିଲା ଅନ୍ୟ କାରଣ ପାଇଁ। ସେଦିନ ସକାଳ ୮ଟା୧୫ ମିନିଟ୍‌ରେ ସମ୍ମିଳନୀର ଉଦ୍‌ଘାଟନ କରି ଗାନ୍ଧୀଜୀ ଯେଉଁ ଭାଷଣ ଦେଇଥିଲେ, ତାହାର ବିବରଣୀ ସଂଗ୍ରାମ ଜେନା ଲିପିବଦ୍ଧ କରିଛନ୍ତି ‘ଆମ ଓଡ଼ିଶା’ ପକ୍ଷରୁ ପ୍ରକାଶିତ ‘ଗାନ୍ଧୀ ବିଚାର, ଗାନ୍ଧୀଙ୍କ ଭାଷାରେ’ ପୁସ୍ତକାବଳୀର ‘ଓଡ଼ିଶା ବିଚାର’ ଖଣ୍ଡରେ। ଉଲ୍ଲେଖନୀୟ ଯେ ଏହା ପୂର୍ବରୁ, ୧୯୩୪ ମସିହା ମେ ୫ ଓ ମେ ୨୧ ତାରିଖରେ ଗାନ୍ଧୀଜୀ ତାଙ୍କର ପଞ୍ଚମ ଓ ଷଷ୍ଠ ଓଡ଼ିଶା ଗସ୍ତରେ ଆସିଥିଲେ ଏବଂ ସେହି ଦୁଇ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା ତାଙ୍କର ପ୍ରସିଦ୍ଧ ପଦଯାତ୍ରା। ସେଥିରୁ ଷଷ୍ଠ ଓଡ଼ିଶା ଗସ୍ତ ଥିଲା ‘ଅସ୍ପୃଶ୍ୟତା ବିରୋଧରେ ଐତିହାସିକ ପଦଯାତ୍ରା’, ଯାହା ‘ହରିଜନ ପଦଯାତ୍ରା’ ଭାବରେ ପ୍ରସିଦ୍ଧ। ତାହା ପୁରୀର ଜଗନ୍ନାଥ ମନ୍ଦିରଠାରୁ ମେ ୯ ତାରିଖ ସକାଳେ ଆରମ୍ଭ ହୋଇ, ଜୁନ୍ ୮ ତାରିଖରେ ଭଦ୍ରକଠାରେ ଉଦ୍‌ଯାପିତ ହୋଇଥିଲା।

ଏହି ପ୍ରଥମ ଓଡ଼ିଶା ଗସ୍ତ ପୂର୍ବରୁ ଗାନ୍ଧୀଜୀ ଓଡ଼ିଶାକୁ ଜାଣିଥିଲେ, “ଦୁଃଖ ଓ ଅଶ୍ରୁର ମାଟି” ଭାବରେ। ଆଗରୁ ତାଙ୍କର ଧାରଣା ଥିଲା, ବିହାରର ଚମ୍ପାରନ୍ ଭାରତର ଦରିଦ୍ରତମ ଅଞ୍ଚଳ। କିନ୍ତୁ ପୁରୀ ଜିଲ୍ଲାର ଦୁର୍ଭିକ୍ଷ ପ୍ରପୀଡ଼ିତ ଡଭାର ଗାଁର କରୁଣ ସ୍ଥିତି ଜାଣିବା ପରେ, ତାଙ୍କର ଧାରଣା ହୋଇଥିଲା ଯେ “ଓଡ଼ିଶା ସବୁଠୁ ଦରିଦ୍ର। ଏହା ଭାରତର ଦରିଦ୍ରତମ ଅଞ୍ଚଳର ଅଂଶ।” ତେଣୁ ‘ୟଙ୍ଗ୍ ଇଣ୍ଡିଆ’ର ୧୮ ଫେବ୍ରୁଆରି, ୧୯୨୦ ସଂଖ୍ୟାରେ ‘ଉତ୍କଳର ବିଳାପ’ ଶୀର୍ଷକରେ ସେ ଏକ ଲେଖା ଲେଖିଥିଲେ। ତେଣୁ ତାଙ୍କର ସପ୍ତମ ଓଡ଼ିଶା ଗସ୍ତର ବେରବୋଇ ଅଭିଭାଷଣ ଆରମ୍ଭ ହୋଇଥିଲା ଓଡ଼ିଶାର ସେହି ଦାରିଦ୍ର୍ୟ ଓ ହରିଜନ (ଅସ୍ପୃଶ୍ୟ) ସମସ୍ୟାରୁ।

ନିଜର ଭାଷଣରେ ସେଦିନ ସେ କହିଥିଲେ, “ମୁଁ ଭାରତକୁ ଫେରିବା ପରେ ଓଡ଼ିଶାର ଦାରିଦ୍ର୍ୟ ସଂପର୍କରେ ଜାଣିବାକୁ ପାଇଲି। ଚାନ୍ଦା ଆଦାୟ କରି ଆମେ ଠକ୍କରବାପାଙ୍କୁ ଏ ପ୍ରଦେଶର ଜଣେ ସେବକଭାବେ ରିଲିଫ୍ କାର୍ଯ୍ୟ ପରିଚାଳନା କରିବାକୁ ପଠାଇଲୁ। ମୁଁ ମଧ୍ୟ ଅନୁଭବ କଲି, ଯଦି ମୁଁ ଓଡ଼ିଶାର ସେବା କରେ ତେବେ ମୁଁ ସାରା ଭାରତର ସେବା କରିପାରିବି। ଏଣୁ ଓଡ଼ିଶା ମୋ ପାଇଁ ତୀର୍ଥସ୍ଥାନରେ ପରିଣତ ହୋଇଗଲା। ଏଥିପାଇଁ ନୁହେଁ ଯେ ଏଠାରେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଅଛି। ତାଙ୍କ ଦ୍ୱାର ମୋ ପାଇଁ ଉନ୍ମୁକ୍ତ ନୁହେଁ; କାରଣ ଏହା ହରିଜନଙ୍କ ପାଇଁ ଖୋଲା ନାହିଁ। ଏହା ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ଏଠାରେ ଅସ୍ପୃଶ୍ୟତା ନିବାରଣ ଭଳି ଏକ ପବିତ୍ର ଲକ୍ଷ୍ୟ ନେଇ ମୁଁ ଏକ ନୂତନ ଉପାୟରେ ସାରା ଦେଶ ଗସ୍ତ କରିବାକୁ ନିଷ୍ପତ୍ତି ନେଇଥିଲି।”

ଗାନ୍ଧୀଜୀଙ୍କର ସେହି ହରିଜନ ପଦଯାତ୍ରାର ପ୍ରସଙ୍ଗ ତଥା ବେରବୋଇ ସମ୍ମିଳନୀର ଏହି ଭାଷଣରୁ, ଓଡ଼ିଶାରେ ଗୋଟିଏ ଧାରଣା ସେତେବେଳେ ସୃଷ୍ଟି ହୋଇଥିଲା, ଯେ ହରିଜନଙ୍କ ପାଇଁ ଯେହେତୁ ଜଗନ୍ନାଥ ମନ୍ଦିରର ଦ୍ୱାର ଖୋଲା ନାହିଁ, ସେ ଦୃଷ୍ଟିରୁ ତାଙ୍କ ପାଇଁ ସେହି ମନ୍ଦିର ଦ୍ୱାର ଖୋଲା ନାହିଁ ବୋଲି ଗାନ୍ଧୀଜୀ ମନେ କରିଥିଲେ ଏବଂ ସେଥିପାଇଁ ସେ ଜଗନ୍ନାଥ ମନ୍ଦିର ଯାଇ ନଥିଲେ।

ଗାନ୍ଧୀଜୀଙ୍କର ଏହି ଭାଷଣର ବିବରଣୀ ସଂକଳିତ ହୋଇଛି ଇଂରେଜୀ ସାପ୍ତାହିକ ‘ହରିଜନ’ର ୨ ଏପ୍ରିଲ୍ ୧୯୩୮ ସଂଖ୍ୟାରେ। ତାହାର ଶୀର୍ଷକ ‘Speech at Village Industries Exhibition’। ତାହାର ଓଡ଼ିଆ ଅନୁବାଦ କରିଛନ୍ତି ଶ୍ରୀ ଜେନା। ସେଥିରେ ଗାନ୍ଧୀଜୀ ଆହୁରି ମଧ୍ୟ କହିଛନ୍ତି, “ଜଗନ୍ନାଥ ମନ୍ଦିର ଦେଶର ସବୁଠୁ ପ୍ରସିଦ୍ଧ ମନ୍ଦିର ଭାବେ ଜଣାଶୁଣା। କାରଣ ଏଠାରେ ମଣିଷ-ମଣିଷ ମଧ୍ୟରେ ସବୁପ୍ରକାରର ଭେଦଭାବ ଲୋପପାଇବା ଆଶା କରାଯାଏ। ଏଠାରେ ବ୍ରାହ୍ମଣ ଓ ଚଣ୍ଡାଳ ସମସ୍ତେ କାନ୍ଧକୁ କାନ୍ଧ ମିଶାଇ ପ୍ରଭୁଙ୍କୁ ଦର୍ଶନ କରନ୍ତି। ଏପରିକି ପ୍ରତ୍ୟେକେ ଅନ୍ୟ ହାତରୁ ଭଗବାନଙ୍କ ପ୍ରସାଦ ପାଆନ୍ତି। କିନ୍ତୁ ଦୁଃଖର କଥା, ଏସବୁ ସମ୍ମାନ ଆଉ ନାହିଁ ଏବଂ ଏସବୁ ବର୍ଣ୍ଣନା କାହାଣୀରେ ପରିଣତ ହୋଇଯାଇଛି। ପୂଜକମାନେ ହରିଜନମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଦେଉ ନାହାନ୍ତି; ଜଗତର ନାଥଙ୍କ ଦ୍ୱାର ବାହାରକୁ ତଡ଼ି ଦେଉଛନ୍ତି। ସେ ଭଗବାନ ମୋ ଭଗବାନ ନୁହନ୍ତି। ସେ ବ୍ରାହ୍ମଣ ଓ କ୍ଷତ୍ରିୟମାନଙ୍କ ଭଗବାନ; ଯିଏ ତାଙ୍କ ନାମକୁ ବ୍ୟବହାର କରି ହରିଜନମାନଙ୍କୁ ତାଙ୍କଠାରୁ ଦୂରେଇ ରଖିଛନ୍ତି। ସେ କେବେ ବି ଜଗତର ନାଥ ନୁହନ୍ତି।”

ଏଣୁ, ଏ ପ୍ରସଙ୍ଗରେ ନିଜର ଚୂଡ଼ାନ୍ତ ନିଷ୍ପତ୍ତି ସୂଚାଇ ସେଦିନ ଗାନ୍ଧୀଜୀ କହିଥିଲେ, “ମନ୍ଦିରର ପୂର୍ବ ସମ୍ମାନ ଫେରାଇ ଆଣିବା ମୋର ଲକ୍ଷ୍ୟ, ଯାହା ଏ ଯାଏ ଅପୂର୍ଣ୍ଣ। ... ଯେ ପର୍ଯ୍ୟନ୍ତ ମନ୍ଦିର ଦ୍ୱାର ହରିଜନଙ୍କ ପାଇଁ ଉନ୍ମୁକ୍ତ ହୋଇନାହିଁ, ସେ ପର୍ଯ୍ୟନ୍ତ ସେ ଦ୍ୱାର ମୋ ପାଇଁ ବି ବନ୍ଦ।”
ତେଣୁ, ଏହି ଘଟଣାରୁ, ସେଦିନ ଓଡ଼ିଶାରେ ଗୋଟିଏ ଧାରଣା ଦୃଢ଼ ହୋଇଯାଇଥିଲା ଯେ ଗାନ୍ଧୀଜୀ ଜଗନ୍ନାଥ ମନ୍ଦିର ନଯିବାକୁ ନିଷ୍ପତ୍ତି କରିଥିଲେ ଏବଂ ମନ୍ଦିର ଯାଇ ନଥିଲେ। ସେହି ସପ୍ତମ ଓଡ଼ିଶା ଗସ୍ତ କାଳର ଆଉ ଗୋଟିଏ ଘଟଣା ମଧ୍ୟ ଏହି ଧାରଣାକୁ ଦୃଢ଼ୀଭୂତ କରିଦେଇଥିଲା।

ଘଟଣାଟି ହେଉଛି- କସ୍ତୁରବା, ମହାଦେବ ଦେଶାଇଙ୍କ ପତ୍ନୀ ଦୁର୍ଗାବତୀ, ବେଲାନ୍ ବହେନ୍ ଓ ଅନ୍ୟ କେତେଜଣଙ୍କର ଜଗନ୍ନାଥ ମନ୍ଦିର ପରିଦର୍ଶନ। ଘଟଣାଟି ଘଟିଥିଲା ମାର୍ଚ୍ଚ ୨୮ ତାରିଖ ଦିନ। ତାହାର ଏକ ରୋଚକ ବିବରଣୀ ଅଛି ମହାଦେବ ଦେଶାଇଙ୍କ ସୁପୁତ୍ର ତଥା ଗାନ୍ଧୀବାଦୀ ଲେଖକ ନାରାୟଣ ଦେଶାଇଙ୍କ ‘ଅମୃତ ପରଶ’ ପୁସ୍ତକରେ। ନବକୃଷ୍ଣ ଚୌଧୁରୀଙ୍କ କନ୍ୟା କୃଷ୍ଣା ମହାନ୍ତି ତାହାର ଓଡ଼ିଆ ଅନୁବାଦ କରିଛନ୍ତି ଏବଂ କେନ୍ଦ୍ରୀୟ ଗାନ୍ଧୀ ସ୍ମାରକ ନିଧି, ନୂଆଦିଲ୍ଲୀଙ୍କ ଆର୍ଥିକ ସହାୟତାରେ, ଉତ୍କଳ ଗାନ୍ଧୀ ସ୍ମାରକ ନିଧି, କଟକଙ୍କ ଦ୍ୱାରା, ମାର୍ଚ୍ଚ ୧୯୯୮ରେ ତାହା ପ୍ରକାଶ ପାଇଛି। ତାହାର ଦଶମ ଅଧ୍ୟାୟର ଶୀର୍ଷକ ‘ଅଗ୍ନିକୁଣ୍ଡରେ ପ୍ରସ୍ଫୁଟିତ ଗୋଲାପ’। ସେଥିରେ ଏ ଘଟଣାର ବର୍ଣ୍ଣନା କରି ଶ୍ରୀ ଦେଶାଇ କହିଛନ୍ତି, “ମୋଟିବା (କସ୍ତୁରବା) ଡେଲାଙ୍ଗ ପର୍ଯ୍ୟନ୍ତ ଆସିଛନ୍ତି ଯେତେବେଳେ, ପୁରୀ ଯିବାର ଇଚ୍ଛା ପ୍ରକାଶ କଲେ। ମୋ’ ବା’ (ଦୁର୍ଗାବତୀ) ଓ ବେଲାମାସୀ (ବେଲାନ୍ ବହେନ୍‌) ତ ଖାସ୍ ସେଥିପାଇଁ ଆସିଥିଲେ। ଏମାନଙ୍କୁ ପୁରୀ ପଠାଇବା ପାଇଁ ସବୁପ୍ରକାର ବ୍ୟବସ୍ଥା କରିଦେବାକୁ ବାପୁ କାକା (ମହାଦେବ)ଙ୍କୁ କହିଲେ। କାକାଙ୍କର ପୁରୀ ଯିବା କଥାରେ କୌଣସି ଆଗ୍ରହ ନଥିଲା। କିନ୍ତୁ ବାପୁ ଦୁଇ ତିନିଥର କହିବାରୁ ସେ ପୁରୀ ଯିବାର ବ୍ୟବସ୍ଥା କରିଦେଲେ। ମୁଁ ମଧ୍ୟ ପୁରୀ ଯିବାବାଲାଙ୍କ ମଧ୍ୟରୁ ଜଣେ ଥିଲି।”

ଏ ସଂପର୍କରେ ଅଧିକ ବିବରଣୀ ଦେଇ ନାରାୟଣ ଦେଶାଇ କହିଛନ୍ତି, “ଏଣେ ବାପୁଙ୍କ ମନେ ମନେ ବା’ ପୁରୀ ଯାଇଛନ୍ତି ସମୁଦ୍ର ସ୍ନାନ କରି ଫେରିଆସିବେ। ଆଉ ବା’ଙ୍କ ମନରେ ଥିଲା, ପୁରୀ ଯିବା ମାନେ ଜଗନ୍ନାଥଙ୍କ ଦର୍ଶନ ଲାଭ କରିବା। କାକାଙ୍କର ଧାରଣା ଥିଲା, ଯେ ବାପୁ ନିଜେ ସିନା ମନ୍ଦିରକୁ ଯା’ନ୍ତି ନାହିଁ, କିନ୍ତୁ ତାଙ୍କର ଅହିଂସା ମାର୍ଗରୁ ଉତ୍ପନ୍ନ ଅପାର ଉଦାରତା ଯୋଗୁଁ, ସେ ଏମାନଙ୍କୁ ମନ୍ଦିରକୁ ଯିବାରେ ବାଧା ଦେବେ ନାହିଁ। ... ଆମେ ପୁରୀ ଗଲୁ। ସମୁଦ୍ରରେ ଗାଧୋଇଲୁ। ସାରା ସହର ବୁଲିଲୁ। ତା’ ପରେ ମନ୍ଦିରକୁ ଗଲୁ। ମନ୍ଦିରର ମୁଖ୍ୟ ଦ୍ୱାର ସାମନାରେ ହିନ୍ଦୁଙ୍କ ବ୍ୟତୀତ ଅନ୍ୟମାନଙ୍କର ପ୍ରବେଶ ନିଷେଧର ହୁକୁମ ଲେଖା ହୋଇଥିଲା। ସେଠି ମୁଁ ଓ ଲୀଳାଫୁଇ (ପିଉସୀ) ଅଟକିଗଲୁ। ମୋଟିବା, ବା’, ବେଲାମାସୀ ଓ ଅନ୍ୟ କେତେଜଣ ଭାଇ ଓ ଅପା ଭିତରକୁ ଗଲେ। ... ବା’ ହେରିକା ଯେତେବେଳେ ମନ୍ଦିର ଭିତରୁ ବାହାରି ଆସିଲେ, ସେତେବେଳେ ତାଙ୍କ ଚେହେରାରେ ଅତ୍ୟନ୍ତ ତୃପ୍ତିର ଭାବ ଦେଖିଲି।”

କିନ୍ତୁ ଏହାର ପରବର୍ତ୍ତୀ ଘଟଣା ହିଁ ସେଦିନ ଅଧିକ ଚର୍ଚ୍ଚିତ ହୋଇଥିଲା। ତାହା ହେଉଛି- ଗାନ୍ଧୀଜୀ ସେହି ଘଟଣାରେ ଅତ୍ୟନ୍ତ କ୍ଷୁବ୍‌ଧ, ଅସ୍ଥିର ଓ ବେଦନା ଜର୍ଜର ହୋଇଥିଲେ। କିନ୍ତୁ ତାହାର ଯେ ଗୋଟିଏ ସଂକୀର୍ଣ୍ଣ ପୃଷ୍ଠଭୂମି ଅଛି, ତାହାର ପ୍ରମାଣ ଆମେ ପାଉ ‘ଅମୃତ ପରଶ’ରୁ। ନାରାୟଣ ଦେଶାଇ ସେଥିରେ କହିଛନ୍ତି, “ଆମେ ସମସ୍ତେ ଫେରିଆସିଲୁ। ଆମ ଦଳରେ କେତେଜଣ ଦୋ’ମୁହାଁ ଲୋକ ମଧ୍ୟ ଥିଲେ, ଆଉ ବାପୁଙ୍କ ପାଖରେ ଚୁଗୁଲି କରିବାରେ ମଧ୍ୟ ଆଗୁଆ ହେଲେ- ‘ବାପୁ, ସାରା ପୁରୀ ସହରରେ ଚର୍ଚ୍ଚା ଚାଲିଛି ଯେ କସ୍ତୁରବା ମନ୍ଦିରକୁ ଯାଇଥିଲେ।’ ପୁରୀ ଷ୍ଟେସନ୍‌ରେ ଷ୍ଟେସନ ମାଷ୍ଟର ମଧ୍ୟ ଆମକୁ ପଚାରିଲେ, ‘‘ଆଚ୍ଛା, ମିସେସ୍ ଗାନ୍ଧୀ କ’ଣ ମନ୍ଦିରକୁ ଯାଇଥିଲେ?”

କସ୍ତୁରବା ଓ ଅନ୍ୟମାନେ ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି, ଏହା ଜାଣିବା ପରେ ଗାନ୍ଧୀଜୀଙ୍କର ପ୍ରତିକ୍ରିୟା କିପରି ଥିଲା, ତାହା ସେ ନିଜେ କହିଥିଲେ, ଅଧିବେଶନର ଶେଷ ଦିନ (ମାର୍ଚ୍ଚ ୨୯)ର ଭାଷଣରେ। ସେ କହିଥିଲେ, “ଯେତେବେଳେ ମୁଁ ଜାଣିଲି ଯେ ମୋ ପତ୍ନୀ ଆଉ ଆଶ୍ରମର ଦୁଇ ଜଣ ଅନ୍ତେବାସିନୀ... ପୁରୀ ମନ୍ଦିର ଭିତରକୁ ଯାଇଛନ୍ତି, ସେତେବେଳେ ଲଜ୍ଜା, ଅପମାନରେ ଜର୍ଜରିତ ହୋଇଗଲି। ଯନ୍ତ୍ରଣାରେ ମୋ ଦେହ ଥରିବାକୁ ଲାଗିଲା। ମୋ ରକ୍ତଚାପ ବିପଜ୍ଜନକ ଭାବେ ଅଧିକ ହୋଇଗଲା। କିନ୍ତୁ ମୁଁ ଜାଣେ, ଯନ୍ତ୍ର ଦେଖାଉଥିବା ଅବସ୍ଥାଠାରୁ ମୋ ଅବସ୍ଥା ଅଧିକ ଖରାପ ଥିଲା।” ଶେଷରେ ସେ କହିଥିଲେ, “ହଜାର ହଜାର ବର୍ଷ ଧରି ଯେଉଁ ମନ୍ଦିର ପବିତ୍ର ସ୍ଥାନ ଭାବେ ଗଣତି ହୋଇଛି... ତା’ ଭିତରକୁ ଆମର ହରିଜନ ଭାଇମାନଙ୍କୁ ଯିବା ପାଇଁ ଅନୁମତି ନାହିଁ ବୋଲି ଆମେ ଯିବା ନାହିଁ, ଏହାହିଁ ଆମର ଧର୍ମ।”

ଏଣୁ ଏହି ଘଟଣା ସବୁରୁ ଧାରଣାଟିଏ ଦୃଢ଼ୀଭୂତ ହୋଇଯାଇଛି ଯେ ଗାନ୍ଧୀଜୀ କେବେ ବି ଜଗନ୍ନାଥ ମନ୍ଦିର ଯାଇ ନଥିଲେ। କିନ୍ତୁ ପ୍ରକୃତ କଥା ହେଉଛି- ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ ଅବସରରେ ହିଁ ଗାନ୍ଧୀଜୀ ଶ୍ରୀମନ୍ଦିର ଯାଇଥିଲେ ଏବଂ ଗର୍ଭଗୃହରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ।
ଏ ବାବଦରେ ପୁରୀର ଗୁଜୁରାଟ ଯାତ୍ରୀ ପଣ୍ଡା ରଘୁ ଗୋଛିକାରଙ୍କ ସୂତ୍ରରୁ ପ୍ରାପ୍ତ ତଥ୍ୟ କହେ, ୧୯୨୧ ମସିହା ମାର୍ଚ୍ଚ ମାସ ୨୭ ତାରିଖ ଦିନ ହିଁ ଗାନ୍ଧୀଜୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ। ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପରେ, ସେ ବେଢ଼ା ପରିକ୍ରମା ମଧ୍ୟ କରିଥିଲେ। ରଘୁ ଗୋଛିକାରଙ୍କ ପିତା ରାମ ଗୋଛିକାର ତାଙ୍କୁ ଏହି ଦର୍ଶନ କରାଇଥିଲେ। ଏହି ଯାତ୍ରୀ ପଣ୍ଡାଙ୍କ ପରିବାରରେ ସଂରକ୍ଷିତ ନଥିରେ ଏ ବାବଦ ବିବରଣୀ ଲିପିବଦ୍ଧ ଅଛି। ଏହି ପରିଦର୍ଶକ ନଥିରେ, ସ୍ୱହସ୍ତରେ ଏ ବାବଦରେ ଉଲ୍ଲେଖ କରିଛନ୍ତି ଗାନ୍ଧୀଜୀ। ଶ୍ରୀମନ୍ଦିରର ଯାତ୍ରୀ ପଣ୍ଡା ବ୍ୟବସ୍ଥା ଓ ଆତିଥେୟତା ନେଇ ମଧ୍ୟ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି ବୋଲି ରଘୁ ଗୋଛିକାର କହିଛନ୍ତି।

କିନ୍ତୁ, ଏହି ପ୍ରଥମ ଗସ୍ତଠାରୁ ଆରମ୍ଭ କରି, ୧୯୪୬ ଜୁଲାଇ ୨୦ ତାରିଖର ଅଷ୍ଟମ ତଥା ଶେଷ ଓଡ଼ିଶା ଗସ୍ତ ପର୍ଯ୍ୟନ୍ତ, ଗାନ୍ଧୀଜୀଙ୍କ ଗସ୍ତର ବିଭିନ୍ନ ପ୍ରସଙ୍ଗକୁ ନେଇ ଅନେକ ଆଲୋଚନା ହୋଇଥିଲେ ମଧ୍ୟ, ପ୍ରଥମ ଗସ୍ତ କାଳର ଦୁଇଟି ଗୁରୁତ୍ୱପୂର୍ଣ୍ଣ କଥା ଏଯାଏ ବିଶେଷ ଚର୍ଚ୍ଚିତ ହୋଇନାହିଁ।
ସେ ଦୁଇ କଥା ଆରଥରକୁ।

ମୋ: ୯୪୩୭୦ ୩୪୮୦୪
[email protected]